Unknown

 

 

 

 

 

 

 

 

 

 

 

ପାଲା

ପ୍ରକାଶକ

ଓଡ଼ିଶା ସାହିତ୍ୟ ଏକାଡେମୀ,

 

 

ପଦେ ଅଧେ

 

ଓଡ଼ିଆର ସଂସ୍କୃତି ଓ ସାହିତ୍ୟର ବିଭିନ୍ନ ବାହକମାନଙ୍କର ମଧ୍ୟରେ ପାଲା ଯେ ଅନ୍ୟତମ ଏ କଥା ଅନସ୍ୱୀକାର୍ଯ୍ୟ । ନୃତ୍ୟ, ସଙ୍ଗୀତ, ନାଟ୍ୟକଳା ଏବଂ ସାହିତ୍ୟର ଏକ ସୁସମନ୍ୱିତ ପରିବେଷଣ-ମାଧ୍ୟମ ଭାବରେ ଏହା ଯୁଗେ ଯୁଗେ ପରିଚିତ ହୋଇଆସିଛି । ଏଣୁ ଏହି ପାଲାର ଉତ୍ପତ୍ତି କ୍ରମବିକାଶ ସମ୍ପର୍କରେ ଆଜି ଆଲୋଚନା କରିବାର ଆବଶ୍ୟକତା ରହିଅଛି । ସାମ୍ପ୍ରତିକ ସାମାଜିକ ପରିସ୍ଥିତିରେ ପାଲାର ସ୍ଥିତି ଓ ଭୂମିକା କିପରି ରହିବା ଉଚିତ ଏବଂ ଏହାର କି ପ୍ରକାର ଉନ୍ନତି ସାଧନ ବା ପରିବର୍ତ୍ତନ କରାଯିବା ଆବଶ୍ୟକ ଏ ସମ୍ପର୍କରେ ମଧ୍ୟ ଆଲୋଚନାର ଅବକାଶ ରହିଛି ।

 

ଯୁଗେ ଯୁଗେ ରାଜ ଦରବାରରୁ ଆରମ୍ଭ କରି ନିବୃତ ପୁରପଲ୍ଲୀ ପର୍ଯ୍ୟନ୍ତ ସର୍ବତ୍ର ଲୋକପ୍ରିୟତା ଅର୍ଜନ କରିଆସିଥବା ଏହି କଳାତ୍ମକ ମନୋରଞ୍ଜନ-ମାଧ୍ୟମଟି ଧାରାବାହିକଭାବେ ସାହିତ୍ୟ ଓ ସଂସ୍କୃତିର ପ୍ରଗତି ସହିତ ନିଜକୁ ସାମିଲ କରିଆସିଥିଲା । ଏହି ମନୋରଞ୍ଜନ ମାଧ୍ୟମରେ ସମାଜର ଉପଯୁକ୍ତ ଲୋକଚରିତ୍ର ଗଠନଲାଗି ଏହା ସମ୍ୟକ ଭୂମିକା ମଧ୍ୟ ଗ୍ରହଣ କରିଥିଲା । ପୂର୍ବେ ଯେତବେଳେ ମୁଦ୍ରଣ-ଶିଳ୍ପର ଆବିର୍ଭାବ କିମ୍ବା ବିକାଶ ହୋଇନଥିଲା ଏବଂ ଅଧିକାଂଶ ଲୋକ ଅଶିକ୍ଷିତ ବା ଅର୍ଦ୍ଧଶିକ୍ଷିତ ଥିଲେ ଯେତେବେଳେ ପାଲାମାଧ୍ୟମରେ ସେମାନଙ୍କ ଆଗରେ ରୀତି ଓ ଆଳଙ୍କାରିକ ଯୁଗୀୟ ସାହିତ୍ୟର ମଧୁମୟ ରସକୁ ପରିବେଷଣ କରିବାରେ ଏହି ପାଲା ସମର୍ଥ ହୋଇପାରୁଥିଲା । ଏହା ଫଳରେ ଶିକ୍ଷିତ ଲୋକମାନଙ୍କ ଭଳି ସେମାନେ ସାହିତ୍ୟରେ ରସ ଆସ୍ୱାଦନ କରିବାରେ ସମର୍ଥ ହୋଇପାରୁଥିଲେ । ପରେ ପରେ ଆଧୁନିକ ଯୁଗର ଛନ୍ଦୋବଦ୍ଧ କାବ୍ୟ-ସାହିତ୍ୟକୁ ମଧ୍ୟ ଏହି ପାଲା ଲୋକମାନଙ୍କ ଆଗରେ ଉପସ୍ଥାପିତ କରିପାରିଥିଲା-। ଏହାର କଳାତ୍ମକ ପରିବେଷଣ ଶୈଳୀ ଯେ ନିଶ୍ଚତ ଭାବରେ ରସଗ୍ରାହୀ ଜନମାନସରେ ଯୁଗ ଯୁଗ ଧରି ଗଭୀର ପ୍ରଭାବ ପକାଇ ଆସିଛି, ଏକଥା ନିଃସନ୍ଦହରେ କୁହାଯାଇପାରେ । ଏଣୁ କେବଳ ଏକ ମନୋରଞ୍ଜନ-ମାଧ୍ୟମ ବୋଲି ନୁହେଁ, ବରଂ ଏକ ବଳିଷ୍ଠ ଗଣଶିକ୍ଷା-ମାଧ୍ୟମ ଭାବରେ ପାଲା ଏକ ବଳିଷ୍ଠ ଭୂମିକା ଗ୍ରହଣ କରି ଆସିଛି ।

 

ସମ୍ପ୍ରତି ଶିକ୍ଷିତ ସମାଜ ଦୃଷ୍ଟିରେ ପାଲା କେବଳ ମାତ୍ର ଏକ ପ୍ରାଚୀନ ମନୋରଞ୍ଜନ-ମାଧ୍ୟମ ବ୍ୟତୀତ ଅନ୍ୟକିଛି ନୁହେଁ । ଏହାର କାରଣ ହେଉଛି ପାଲା ପରିବେଷଣରେ ପୁରାତନ ସାହିତ୍ୟ, ସଂସ୍କୃତି ଓ ଧର୍ମ ଉପରେ ଅଧିକ ଗୁରୁତ୍ୱ ଆରୋପ । ପୂର୍ବରୁ ସାମ୍ପ୍ରତିକ ସାହିତ୍ୟ ସଂସ୍କୃତିର ଧାରା ସହିତ ସାମିଲ ହୋଇ ଅଗ୍ରସର ହେଉଥିବା ଏହି କଳା ହଠାତ୍ ଏକ ନିର୍ଦ୍ଧିଷ୍ଟ ସମୟର ସୀମାରେଖା ଲଙ୍ଘନ କରି ଆଗକୁ ଯିବାପାଇଁ ସମର୍ଥ ହୋଇଥିବା ପରି ପ୍ରତୀୟମାନ ହୁଏ । ଆଧୁନିକ ସାହିତ୍ୟର ରଚନାଶୈଳୀ ଓ ଚିନ୍ତାଧାରା, ଆଧୁନିକ ଜୀବନ ଦର୍ଶନର ଦୃଷ୍ଟିଭଙ୍ଗୀ, ଆଧୁନିକ ଯୁଗର ବୌଜ୍ଞାନିକ ଓ ବୈଷୟିକ ପ୍ରଗତି ସହିତ ଏହି କଳା ସାଲିସ କରିବା ପାଇଁ ବୀତସ୍ପୃହ ହୋଇଥିବା ପରି ମନେହୁଏ । ବୋଧହୁଏ ଏହି କାରଣରୁ ସାମ୍ପ୍ରତିକ ଦୃଷ୍ଟିରେ ଏହା ସେତେ ଗ୍ରହଣୀୟ ହୋଇପାରୁନାହିଁ । ଏହି କଳାରୂପକୁ ସାମ୍ପ୍ରତିକତା ସହିତ ସଂଯୋଜିତ କରି ଯଦି ପୁନର୍ବିନାଶ କରାନଯାଏ ତାହାହେଲେ ଏହା କ୍ରମଶଃ ସାହିତ୍ୟ ଓ ସାଂସ୍କୃତିକ ଧାରାରୁ ବିଚ୍ଛିନ୍ନ ହୋଇ ଏକ ଐତିହାସିକ ବସ୍ତୁ ଭାବରେ ଶେଷରେ ପରିଗଣିତ ହେବା ଅସମ୍ଭବ ନୁହେଁ । ଏଣୁ ଏ ବିଷୟରେ ଗଭୀର ଅନୁଧ୍ୟାନ କରିବାର ସମୟ ବର୍ତ୍ତମାନ ଆସିଅଛି ।

 

ସଙ୍ଗୀତ, ନୃତ୍ୟ ଓ ନାଟ୍ୟକଳାର ସମାହାରରେ ବିନ୍ୟାସ କରାଯାଇଥିବା ପାଲାର ପରିବେଷଣ ପାଇଁ ସାମ୍ପ୍ରତିକ ସାହିତ୍ୟର ଗଦ୍ୟମୟତା ଅନ୍ତରାୟ ସୃଷ୍ଟି କରୁଥିବାରୁ ପାଲା ସାମ୍ପ୍ରତିକ ସାହିତ୍ୟ ସହିତ ସାଲିସ କରିବା ଅସମ୍ଭବ ବୋଲି ମତ ପ୍ରକାଶ ପାଇଥାଏ । କିନ୍ତୁ ସାହିତ୍ୟର ପ୍ରଗତି ପାଲାରେ ପରିବେଷଣର ଉପଯୋଗିତାକୁ ଅପେକ୍ଷା ରଖେନାହିଁ । ଅଧୁନା ସମଗ୍ର ବିଶ୍ୱସାହିତ୍ୟରେ ଗଦ୍ୟଶୈଳୀ ପ୍ରଭାବ ବିସ୍ତାର କରିଥିବା ସମୟରେ ପାଲା ଏହି ଶୈଳୀ ସହିତ ସାଲିସ କରିବା ପାଇଁ ସମର୍ଥ ହୁଏ, ତାହାହେଲେ ସାହିତ୍ୟ ମାଧ୍ୟମରେ ଯେଉଁ ପ୍ରଗତୀବାଦି ଚେତନା ଓ ଚିନ୍ତାଧାରା ପରିପ୍ରକାଶିତ ହେଉଛି, ଜନସାଧାରଣଙ୍କ ସମକ୍ଷରେ ପାଲା-ମାଧ୍ୟମରେ ତାହା ଉପସ୍ଥାପିତ ହୋଇ ନ ପାରିବା କାରଣରୁ ପାଲା ସାମ୍ପ୍ରତିକ ସମାଜର ଏକ ସାଂସ୍କୃତିକ ମାଧ୍ୟମ ହୋଇ ବୋଧହୁଏ ତିଷ୍ଟି ପାରିବ ନାହିଁ । ନୃତ୍ୟ, ସଙ୍ଗୀତ ଓ ନାଟ୍ୟକଳା ସହିତ ନାଟକରେ ନିଛକ ଗଦ୍ୟ-ସଂଳାପ ପରିବେଷଣ କରାଯାଇପାରୁଥିବା ସ୍ଥଳେ ଉପଯୁକ୍ତ ବିନ୍ୟାସ କରାଯାଇପାରିଲେ ଗଦ୍ୟ-ଶୈଳୀରେ ରଚିତ କାବ୍ୟ ରଚିତା ବା ନିଛକ ଗଦ୍ୟ ରଚନା ପାଲା ମାଧ୍ୟମରେ ପରିବେଷଣ କରାଯାଇ ପାରନ୍ତା ବୋଲି ମନେହୁଏ ।

 

ଓଡ଼ିଶାର ପାଲା ସମ୍ପର୍କରେ ବିଧିବଦ୍ଧ ଆଲୋଚନାର ସୂତ୍ରପାତ କରାଯିବାର ଯଥେଷ୍ଟ ଅବକାଶ ରହିଥିବା ହୃଦୟଙ୍ଗମ କରାଯାଇ ଏ କ୍ଷେତ୍ରରେ ପ୍ରଥମ ଉଦ୍ୟମସ୍ୱରୂପ ଏକାଡେମୀ ପକ୍ଷରୁ ଏହି ପୁସ୍ତକଟି ପ୍ରକାଶ କରାଗଲା । ବିଦ୍ୱାନମଣ୍ଡଳୀ ଏବଂ ସାଧାରଣ ପାଠକଙ୍କର ଏହା ଆଦରଣୀୟ ହେବ ବୋଲି ଆଶାକରୁଁ ।

ସୁରେନ୍ଦ୍ରନାଥ ଶତପଥୀ

ସଂପାଦକ - ଓଡ଼ିଶା ସାହିତ୍ୟ ଏକାଡମୀ

 

ସୂଚୀପତ୍ର

ବିଷୟ

 

୧) ଓଡ଼ିଆ ପାଲାର କ୍ରମବିକାଶ

 

ପ୍ରାକ୍‍ କଥନ-ନାମକରଣ-ଐତିହାସିକ ଓ ସାଂସ୍କୃତିକ ପଟ୍ଟଭୂମିରେ ପାଲା-ସତ୍ୟପୀରଙ୍କ ଉତ୍ପତ୍ତି ହେଲା କିପରି-ସତ୍ୟପୀରଙ୍କ ଆସ୍ଥାନ-ସତ୍ୟପୀରଙ୍କ ଭୋଗ-ସତ୍ୟନାରାୟଣ କାହାଣୀ-ସତ୍ୟପୀର ପୂଜା ଓ ଓଡ଼ିଶାର ଶୈବଧର୍ମ-ସତ୍ୟପୀର ଓ ଜଗନ୍ନାଥ -ଓଡ଼ିଶାରେ ସତ୍ୟପୀର ପୂଜାର ପ୍ରଚଳନ ହେଲା କେବେ-ସତ୍ୟନାରାୟଣ ବା ସତ୍ୟପୀର ପୂଜାରେ ଆଜିର ପାଲା -ପାଲା ସତ୍ୟନାରାୟଣ ପୂଜାର ପୂର୍ବବର୍ତ୍ତୀ-ପାଲା ନାଟକର ଆଦ୍ୟରୂପ- ପାଲାର କ୍ରମବିକାଶ-ପାଲା ସାହିତ୍ୟର ମୂଲ୍ୟାୟନ-ସମାଜ -ଜୀବନ ଓ ପାଲା ।

 

୨) ଓଡ଼ିଶାର ପାଲା: ଉତ୍ପତ୍ତି ଓ କ୍ରମବିକାଶ

 

ପାଲା କ’ଣ-ପାଲା ଶବ୍ଦର ଅର୍ଥ ଓ ଉତ୍ପତ୍ତି-ପାଲାର ଶାସ୍ତ୍ରୀୟତା -ଶାସ୍ତ୍ରୀୟ ନାଟ୍ୟରୂପ ବିଚାର- କାବ୍ୟ-ବିଚାର: ଶ୍ରାବ୍ୟ ଓ ଦୃଶ୍ୟ-ସତ୍ୟନାରାୟଣଙ୍କ ପୂଜା ବହୁ ପ୍ରାଚୀନ-ସତ୍ୟପୀର-ବଙ୍ଗଳାର କବିର ଗାନ ସହିତ ପାଲାର ସାମ୍ୟ-ଓଡ଼ିଶାର ଠିଆପାଲା-ଘାଘରା, ଚପକନ, ଓ କାଞ୍ଚନ-ବାଦନ୍‌ ଉପକରଣ (ମୃଦଙ୍ଗ, ଗାୟକଙ୍କ ଗିନି, କରତାଳି, ଘୁଙ୍ଗୁର)-ପାଲା କଳାକାରମାନଙ୍କ ଭୂମିକା (ଗାୟକ, ଶ୍ରୀପାଳିଆ, ବାୟକ, ପାଳିଆଗଣ)- ପରିବେଷଣ ସ୍ଥଳ, କାର୍ଯ୍ୟକ୍ରମ ଓ ଶୈଳୀ-ପାଲା ଅଳଙ୍କାର-ପାଲାର ଯଜମାନ-ପାଲାର ସମୟ-ପାଲାରେ ପୁରସ୍କାର-ସାମ୍ପ୍ରତିକ ପାଲା ।

 

Unknown

ପ୍ରାକ୍ କଥନ

 

ଈଶ୍ୱରଙ୍କ ସୃଷ୍ଟିରେ ମନୁଷ୍ୟ ହିଁ ଶ୍ରେଷ୍ଠ ଜୀବ । ମନୁଷ୍ୟର ଧୀଶକ୍ତି ଓ ବିଚାରବୋଧ ଅନ୍ୟକୌଣସି ପ୍ରାଣୀଠାରେ ଦେଖିବାକୁ ମିଳେ ନାହିଁ । ମାନବ ସୃଷ୍ଟିର ଆଦ୍ୟକାଳରୁ ମନୁଷ୍ୟ ତା’ର ଅନ୍ତରର ଭାବନାକୁ ଓ ଅନୁଭୂତିକୁ ସଙ୍କେତ, ବର୍ଣ୍ଣ, ରେଖା, ରଙ୍ଗ, ଧ୍ୱନି ଓ ଶବ୍ଦଦ୍ୱାରା ପ୍ରକାଶ କରିଆସିଛି । ସଭ୍ୟତାର ଉନ୍ନତି ସଙ୍ଗେ ସଙ୍ଗେ ଏହି ଅଭିବ୍ୟକ୍ତିର ପରିପ୍ରକାଶ ଭଙ୍ଗିରେ କ୍ରମୋନ୍ନତି ପରିଲକ୍ଷିତ ହୁଏ । ଏହି ପରିପ୍ରକାଶ ମାଧ୍ୟମକୁ ପରବର୍ତ୍ତୀ କାଳରେ ପଣ୍ଡିତମାନେ ସାହିତ୍ୟ ନାମରେ ନାମିତ କରିଛନ୍ତି । ବହୁ ଉନ୍ନତ ଚିନ୍ତା, ମାର୍ଜିତ ରୁଚି, ଶାଳୀନତାଯୁକ୍ତ ପରମ୍ପରାକୁ ନେଇ ଗଠିତ ହୁଏ ଜାତିର ସଂସ୍କୃତି । ସଂସ୍କୃତି ଏକ ବେଗଗାମୀ ସ୍ରୋତସ୍ୱିନୀ, ତାହା ଚିରପ୍ରବାହମାନ । ବହୁ ଗିରିଝରଣାଦ୍ୱାରା ସ୍ରୋତସ୍ୱତୀ ପୁଷ୍ଟ ହେଲାପରି କଳା, ସଙ୍ଗୀତ, ସ୍ଥାପତ୍ୟ ଆଦି ଦ୍ୱାରା ଜାତିର ସଂସ୍କୃତି ପରିପୁଷ୍ଟ ହୁଏ । ସଭ୍ୟତା ସମାଜର ପୋଷାକ ହେଲେ ସଂସ୍କୃତି ହେଉଛି ତା’ର ପ୍ରାଣ । ରୁଚି ଅନୁସାରେ ପୋଷାକର ପରିପାଟୀ ପରିବର୍ତ୍ତନ ହେଲାପରି ସଭ୍ୟତାର ଢାଞ୍ଚା ବଦଳିବା ଆରମ୍ଭ କରେ, ମାତ୍ର ସଂସ୍କୃତି ପରିମାର୍ଜିତ ହୁଏ ସିନା ତା’ର ପରିବର୍ତ୍ତନ ହୁଏ ନାହିଁ ।

 

ସଂସ୍କୃତି, ଦେଶ ଓ ଜାତିର ଜ୍ଞାନ ତଥା ଗୌରବର ସ୍ମୃତିପୀଠ । ସଂସ୍କୃତି ଦର୍ପଣରେ ଜାତି ତା’ର ଅତୀତର ପ୍ରତିବିମ୍ବ ଦେଖେ, ବର୍ତ୍ତମାନକୁ ନେଇ ଉଲ୍ଲସିତ ହୁଏ, ଭବିଷ୍ୟତ ପାଇଁ ଅନେକ ସ୍ମୃତି ଛାଡ଼ିଯାଏ । ବହୁ କ୍ଷଣଜନ୍ମା ମହାପୁରୁଷଙ୍କର ଚିନ୍ତା, ସାଧନା, ଜ୍ଞାନଦ୍ୱାରା ସଂସ୍କୃତି ସମ୍ବର୍ଦ୍ଧିତ ହୁଏ । ଗତୀଶୀଳତା ସଂସ୍କୃତିର ଧର୍ମ । କୌଣସି ଦେଶରେ ସଭ୍ୟତା ଓ ଉନ୍ନତି ତା’ର ସଂସ୍କୃତିରୁ ହିଁ ଜଣାପଡ଼େ । ଉନ୍ନତ ସଂସ୍କୃତି ସମ୍ପନ୍ନ ଅତୀତ ଯେ କୌଣସି ଜାତି ପ୍ରାଣରେ ଗର୍ବ ଓ ଭାବାବେଗର ସ୍ପନ୍ଦନ ତୋଳେ । ଅତୀତ ସଂସ୍କୃତିର ଭିତ୍ତିଭୂମି ଉପରେ ବର୍ତ୍ତମାନର ମାନବ ତା’ ଜ୍ଞାନର ସୌଧ ନିର୍ମାଣ କରେ ।

 

ସାହିତ୍ୟ ସଂସ୍କୃତିର ଏକ ବିଶେଷ ଅଙ୍ଗ । କାବ୍ୟ, ନାଟକ, ସଙ୍ଗୀତ, ଆଦି ସାହିତ୍ୟ-ଜନନୀର ପ୍ରସୂତ ସନ୍ତାନ । ଭାଷା ସାହିତ୍ୟର ବାହକ ମାତ୍ର । ପ୍ରଥମଟି ଦେହ ହେଲେ ଦ୍ୱିତୀୟଟି ପ୍ରାଣ । ପୃଥିବୀର ସମସ୍ତ ସାହିତ୍ୟର ଆରମ୍ଭ ହୋଇଛି କବିତାରେ ବା ସଙ୍ଗୀତ ମାଧ୍ୟମରେ ।

 

ସଂସାର କ୍ଷେତ୍ରରେ ମାନବ ସଦାସର୍ବଦା ବିମଳାନନ୍ଦର ପ୍ରୟାସୀ । ଏହି ବିମଳାନନ୍ଦ କେବଳ ସଙ୍ଗୀତ ହିଁ ଦେଇପାରେ । ପକ୍ଷୀର କାକଳିରେ ଝରଣାର କୁଳୁ ତାନରେ, ପତ୍ରର ମର୍ମର ଧ୍ୱନିରେ, ଜଳଦର ଗମ୍ଭୀର ଗର୍ଜ୍ଜନରେ ଯେଉଁ ରମଣୀୟ ସଙ୍ଗୀତ ପରିପୂର୍ଣ୍ଣ ତାହା କେବଳ ରସଗ୍ରାହୀ ହିଁ ଉପଲବଧି କରିପାରେ । ବିଦ୍ଧକ୍ରୌଞ୍ଚ ଅବଲୋକନ କରି ଋଷିପ୍ରାଣରେ ଯେଉଁ କରୁଣଭାବ ସଞ୍ଜାତ ହେଲା ତାହା ଆତ୍ମପ୍ରକାଶ କଲା ସଙ୍ଗୀତ ମାଧ୍ୟମରେ । ସଙ୍ଗୀତର ମଧୁର ମୂର୍ଚ୍ଛନାରେ ସର୍ପ ପରି ଭୟଙ୍କର ଜନ୍ତୁ ବଶୀଭୂତ ହୁଏ । ମୃଗ ମୃତ୍ୟୁଭୟ ପରିତ୍ୟାଗ କରି ସେ ସଙ୍ଗୀତ ଝଙ୍କାରରେ ବାସସ୍ଥାନ ଛାଡ଼ି ବ୍ୟାଧିକୁ ଅନୁସରଣ କରେ । ସଙ୍ଗୀତର ଅମୂଲ୍ୟ ବୈଭବ ଅପରିମେୟ । ସଙ୍ଗୀତ କେବେ ସୃଷ୍ଟି ହେଲା ଓ ପ୍ରଥମେ ଏହାର ସ୍ୱରୂପ କ’ଣ ଥିଲା ସେ ସମ୍ବଦ୍ଧରେ ଇତିହାସ ନୀରବ ହେଲେ ହିଁ ସଙ୍ଗୀତର ମନୋହାରିତା ଓ ଚମତ୍କାରିତା ସବୁରି ପ୍ରାଣକୁ ଜୟ କରି ଆସିଛି ।

 

ପ୍ରଥମେ ସଙ୍ଗୀତର ଝଙ୍କାର ଅପୌରୁଷେୟ ବେଦରେ ଦେଖିବାକୁ ମିଳେ ବୋଲି ପଣ୍ଡିତମାନେ ମତବ୍ୟକ୍ତ କରନ୍ତି । ବିଭିନ୍ନ ଛନ୍ଦ ମାଧ୍ୟମରେ ଗାନ କରିବା ନିମିତ୍ତ ବୈଦିକ ଋଷିମାନେ ନିର୍ଦ୍ଦେଶ କରିଯାଇଛନ୍ତି । ଏହି ଗାୟନରୀତି ବୈଦିକ ଯୁଗର ସାରସ୍ୱତ କଳା । ବେଦରେ ବ୍ୟବହାର କରାଯାଇଥିବା ଛନ୍ଦ ଓ ତା’ର ରୀତି ସମ୍ବନ୍ଧରେ ଏ ପର୍ଯ୍ୟନ୍ତ ସବିଶେଷ ଆଲୋଚନା ହୋଇନଥିଲେ ବି ଭାରତୀୟ ପୁରାଣମାନଙ୍କରେ ସେହି ଗାୟନର ଅପୂର୍ବ ପ୍ରଭାବ ବହୁ ଭାବରେ ବର୍ଣ୍ଣିତ ହୋଇଛି । ୧୨ ବର୍ଷ ବୟସର ବାଳକ ନଚିକେତା ଯେତେବେଳେ ସୁଲଳିତ କଣ୍ଠରେ ବେଦ ଗାନ କଲେ ସମଗ୍ର ଜଗତ ସମ୍ଭୀଭୂତ ହେଲା ଓ ନିଜେ ମୃତ୍ୟୁ ଦେବତା ସେ ସ୍ୱରରେ ମୁଗ୍ଧ ହୋଇ ଅମିତତେଜା ଏହି ବାଳକର ନିକଟବର୍ତ୍ତୀ ହେଲେ । ବେଦର ଅପୂର୍ବ ଝଙ୍କାରେ ଶୁଷ୍କ ତରୁମାରେ ପଲ୍ଳବିତ ହୋଇଥିବାର ବର୍ଣ୍ଣନା ପୁରାଣମାନଙ୍କରେ ଦେଖିବାକୁ ମିଳେ । ଐଥିରେ ଅତିରଞ୍ଜନ ଥାଇପାରେ, ମାତ୍ର ସଙ୍ଗୀତର ଅଲୌକିକ ଶକ୍ତିକୁ ଅସ୍ୱୀକାର କରିହେବନାହିଁ ।

 

ବୈଦିକ ଯୁଗପରେ ବିଧିବଦ୍ଧ ଭାବରେ ସଙ୍ଗୀତ ତତ୍ତ୍ୱ ଆଲୋଚନା କରାଯାଇଥିବା ପ୍ରମାଣ ଦେଖିବାକୁ ମିଳେ । ଭରତମୁନିଙ୍କ ନାଟ୍ୟଶାସ୍ତ୍ର ଏହାକୁ ଏକ ନୂତନ ଦିଗଦର୍ଶନ ଦେଇଛି । ଭରତମୁନିଙ୍କ ସମୟରେ କାବ୍ୟକୁ ନାଟକ ଭାବରେ ଗ୍ରହଣ କରାଯାଇ ଶ୍ରାବ୍ୟକାବ୍ୟ ଓ ଦୃଶ୍ୟକାବ୍ୟ ଏହି ଦୁଇଭାଗରେ ବିଭକ୍ତ କରାଯାଇଥିଲା । ଭରତମୁନି ତାଙ୍କ ପ୍ରଣୀତ ନାଟ୍ୟଶାସ୍ୱରେ ବିଶେଷ ଭାବରେ ଦୃଶ୍ୟକାବ୍ୟର ଆଲୋଚନା କରିଛନ୍ତି ।

 

ଭାରତବର୍ଷର ସବୁ ପ୍ରାନ୍ତୀୟ ସାହିତ୍ୟର ଉତ୍ପତ୍ତି ସଙ୍ଗୀତ ମାଧ୍ୟମରେ ହିଁ ହୋଇଛି । ଖ୍ରୀଷ୍ଟୀୟ ନବମ ଶତାବ୍ଦୀରୁ ଅଷ୍ଟାଦଶ ଶତାବ୍ଦୀ ପର୍ଯ୍ୟନ୍ତ ସଙ୍ଗୀତ ସାହିତ୍ୟର ପ୍ରାଣକେନ୍ଦ୍ର ଥିଲା । ୬ ରାଗ ଓ ୩୬ ରାଗିଣୀ ଭାରତବର୍ଷର ସମସ୍ତ ସାହିତ୍ୟକୁ ଅଳ୍ପବହୁତେ ପ୍ରଭାବିତ କରିଆସିଛି । ଭଞ୍ଜ ଓ କବିସୂର୍ଯ୍ୟଙ୍କ ପରି କ୍ଷଣଜନ୍ମା କବିମାନେ ଓଡ଼ିଶାର ସଙ୍ଗୀତ କଳାକୁ ମନୋରମ ଶୈଳୀରେ ପୁଷ୍ଟ କରିଯାଇଛନ୍ତି । ଭାରତର ସଙ୍ଗୀତ କଳାକୁ ଓଡ଼ିଶାର ଦାନ କମ୍ ନୁହେଁ । ମହ୍ଲାର ଓ ଭୈରବ ଆଦି ରାଗରେ ଓଡ଼ିଶା ନିଜର ବୈଶିଷ୍ଟ ପ୍ରତିପାଦନ କରିପାରିଛି । ଭାରତୀୟ ସଙ୍ଗୀତରେ ଅଦ୍ୟାବଧି ଓଡ଼ିଶୀ ନୃତ୍ୟ ଓ ଓଡ଼ିଶୀ ସଙ୍ଗୀତ ଅକଳଙ୍କ ଯଶର ଅଧିକାରୀ । ଓଡ଼ିଶୀ ସଙ୍ଗୀତର ସ୍ୱର ବିଭବ ମର୍ମସ୍ପର୍ଶୀ, ଭାବୋଦ୍ଦୀପକ, ରସାଳ ଓ ଭାଷା ମଧ୍ୟ ଭାବରଞ୍ଜିତ । ଯମକ, ଅନୁପ୍ରାସ ଓ ଅଳଙ୍କାର ବିମଣ୍ଡିତ ଏ ସଙ୍ଗୀତର ମର୍ଯ୍ୟାଦା ହିନ୍ଦୁସ୍ଥାନୀ ଓ କର୍ଣ୍ଣାଟକୀ ସଙ୍ଗୀତଠାରୁ ସେ ଉଚ୍ଚକୋଟୀର ଏ କଥା ନିରପେକ୍ଷ ସମାଲୋଚକମାନେ ନିଶ୍ଚୟ ସ୍ୱୀକାର କରିବେ ।

 

କଳାକୁଶଳୀ ଉକଳୀୟମାନେ କେବଳ ପଥର ଦେହରେ ନିଜର ଶିଳ୍ପନୈପୁଣ୍ୟ ଦେଖାଇ ନାହାନ୍ତି, ତାହା ମଧ୍ୟ ପ୍ରକଟିତ ହୋଇଛି ସାହିତ୍ୟ ଓ ସଙ୍ଗୀତରେ । ସଙ୍ଗୀତଶାସ୍ତ୍ରର ନିୟମଗୁଡ଼ିକ ଓଡ଼ିଶାର ସଙ୍ଗୀତ ମାଧ୍ୟମରେ ସୁରକ୍ଷିତ ହୋଇଛି । ଓଡ଼ିଶୀ ସଙ୍ଗୀତ ପରିବେଷଣ କଳାରେ ସୁରସିତ ଓ ସଙ୍ଗୀତଜ୍ଞମାନଙ୍କୁ ବେଶ୍‍ ଆନନ୍ଦ ଦେଇପାରିଛି ।

 

ସଙ୍ଗୀତର ଉତ୍ପତ୍ତି ମନୋରଞ୍ଜନ ପାଇଁ । ସଙ୍ଗୀତର ମଧୁର ମୂର୍ଚ୍ଛନା ଅତି ସହଜରେ ଦେହୀର ମର୍ମସ୍ପର୍ଶ କରେ । ତେଣୁ ଯୁଗ ଯୁଗ ଧରି ସଙ୍ଗୀତ ମଣିଷ ପ୍ରାଣରେ ଅଫୁରନ୍ତ ଆନନ୍ଦ ସୃଷ୍ଟି କରେ । ସମସ୍ତ କାବ୍ୟ ଓ ନାଟକରେ ସଙ୍ଗୀତ ଶ୍ରେଷ୍ଟସ୍ଥାନ ଅଧିକାର କରିଆସିଛି । ସେଥିପାଇଁ ଲୋକନୃତ୍ୟ, ନାଟକ, କାବ୍ୟ ଆଦିରେ ସଙ୍ଗୀର ଅଖଣ୍ଡ ପ୍ରଭାବ ପରିଲକ୍ଷିତ ହୁଏ । ପ୍ରଥମେ ସ୍ୱରଝଙ୍କାର ଓ ପରେ ସଙ୍ଗୀତର ଭାବ, ପ୍ରାଣରେ ସୂକ୍ଷ୍ମାନୁଭୂତି ସଞ୍ଜାତ କରାନ୍ତି ।

 

ଓଡ଼ିଶାର “ପାଲା” ସେହି ସଙ୍ଗୀତର ଅମୂର୍ତ୍ତ ପରିପ୍ରକାଶ । ପାଲା ଓଡ଼ିଶାର ଏକ ସାରସ୍ପତ କଳା । ଶତାବ୍ଦୀ ଶତାବ୍ଦୀ ଧରି ଓଡ଼ିଶାର ଜନଜୀବନ ଓ ସାଂସ୍କୃତିକ ଚେତନା ସହିତ ନିବିଡ଼ ସମ୍ପର୍କ ରକ୍ଷା କରିଆସିଛି । ସାହିତ୍ୟ ଓ ସଂସ୍କୃତିର ବାର୍ତ୍ତାବହ ଭାବରେ ଏପର୍ଯ୍ୟନ୍ତ ଅସପତ୍ନ ଯଶର ଅଧିକାରୀ ହୋଇ ରହିଆସିଛି । ଛନ୍ଦ, ସ୍ୱର, ଲୟ, ତାଳ ମଧୁର ମୂର୍ଚ୍ଛନାରେ ଅନୁରଣିତ ହୋଇ ଓଡ଼ିଆ ସାହିତ୍ୟ ପାଲା ମାଧ୍ୟମରେ ସରସ ଓ ଜୀବନ୍ତ ହୋଇପାରିଛି । ଓଡ଼ିଶାର ଅଗଣିତ ଦର୍ଶକଙ୍କୁ (ଶିକ୍ଷିତ ଅଶିକ୍ଷିତ ନିର୍ବିଶେଷରେ ) “ପାଲା” ବିମଳ ଆନନ୍ଦ ପ୍ରଦାନ କରେ ।

 

ପାଲା ଏକାଧାରାରେ ଧର୍ମପ୍ରଚାର, ସାହିତ୍ୟ-ସମୀକ୍ଷା, ଛନ୍ଦୋବଦ୍ଧ ସାହିତ୍ୟ ପ୍ରସାର ଓ ଗଣ-ଜ୍ଞାନ ସାଧନର ସାରସ୍ୱତ ପୀଠରୁ ପ୍ରସିଦ୍ଧ ଅର୍ଜନ କରିଆସିଛି । କେବଳ ଓଡ଼ିଆ ସାହିତ୍ୟ ନୁହେଁ ସଂସ୍କୃତ ତଥା ଅନେକ ଆଞ୍ଚଳିକ ସାହିତ୍ୟର ବରେଣ୍ୟ କବିମାନଙ୍କୁ ପାଲା ମାଧ୍ୟମରେ ଗଣ ନିକଟରେ ପରିଚିତ କରାଇବାରେ ଏ ଦେଶର ବହୁ ଗାୟକ ନିଜକୁ ଉତ୍ସର୍ଗ କରିଯାଇଛନ୍ତି । ପାଲା ଯୋଗୁଁହିଁ ଉପେନ୍ଦ୍ର, ଅଭିମନ୍ୟୁ, କବିସୂର୍ଯ୍ୟ, ଯଦୁମଣି, ଗୋପାଳକୃଷ୍ଣ, ବନମାଳୀ ଆଦି ଯୋଗଜନ୍ମା କବିମାନେ ଆଜି ଓଡ଼ିଶାରେ ପୁରପଲ୍ଲୀରେ ସୁପରିଚିତ । ଏମାନଙ୍କ ଛନ୍ଦୋବଦ୍ଧ ସାହିତ୍ୟ ଆଧୁନିକ କରାଳ ଗ୍ରାସ ଭିତରେ କେଉଁଦିନୁ ହୁଏତ ବିଲୟ ଭଜି ସାରନ୍ତାଣି । ଓଡ଼ିଶାର ପାଲାଗାୟକମାନେ ସରଳ ପଲ୍ଲୀପ୍ରାଣରେ ଏମାନଙ୍କ ରଚନାକୁ ନେଇ ତରଳ ରସ-ପ୍ରସ୍ରବଣ ସୃଷ୍ଟିକରି ସେମାନଙ୍କ ବ୍ୟକ୍ତିତ୍ୱ ଓ ରଚନାର ସାରସ୍ୱତତା ପ୍ରମାଣିତ କରିଛନ୍ତି ।

 

ସାହିତ୍ୟ ପାଲାର ପ୍ରାଣକେନ୍ଦ୍ର । ସାଂସ୍କୃତିକ, ଆଧ୍ୟତ୍ମିକ ଓ ବୌଦ୍ଧିକ ଚେତନା ତାହାର ଅବୟବ ସଦୃଶ । ଜନସାଧାରଣଙ୍କ ମଧ୍ୟରେ ଜୀବନ ସାରସ୍ୱତ ମୂଲ୍ୟବୋଧ ପ୍ରଚାର କରିବା ପାଇଁ ପାଲା ଏକ ବଳିଷ୍ଟ ମାଧ୍ୟମ ହୋଇଥିବାରୁ ଆଧୁନିକତାର ଶତ ତାଡ଼ନା ସତ୍ତ୍ୱେ ଏ ଯାବତ ପାଲା ତା’ର ଆସନ ସୁପ୍ରତିଷ୍ଠିତ ଓ ଅପ୍ରତିହତ କରିପାରିଛି ।

 

ପାଲା ଗାୟକର ଆଶୁ କବିତା, ପୁରାଣ ଦର୍ଶନ ଉପସ୍ଥାପନାରେ ନାଟକୀୟତା, ଚରିତ୍ରଗୁଡ଼ିକ ବିଶ୍ଳେଷଣ କରିବାରେ ନୂତନ ଦିଗଦର୍ଶନ ଓ ରସପରିବେଷଣ ସରସତା ପାଲାକୁ ଏଯାବତ ଲୋକପ୍ରିୟ କରିରଖିଛି । କୃତବିଦ୍ୟ ଗାୟକମାନେ ଯେତେବେଳେ ବିଭିନ୍ନ ଉଦାହରଣ ମାଧ୍ୟମରେ ପୌରାଣିକ ଚରିତ୍ରଗୁଡ଼ିକ ଉପସ୍ଥାପନା କରନ୍ତି ସେତେବେଳେ ପ୍ରାସଙ୍ଗିକତା ଦୃଷ୍ଟିରୁ ତତ୍କାଳୀନ ସମାଜର ସ୍ୱରୂପ ଉପରେ ଆକ୍ଷେପ କଲାବେଳେ ତାହା ଅଗଣିତ ଦର୍ଶକ ପ୍ରାଣକୁ ସ୍ପର୍ଶ କରିବା ସଙ୍ଗେ ସଙ୍ଗେ ମନରେ ଗଭୀର ରେଖାପାତ କରେ ।

 

ପୁରାଣମାନଙ୍କରେ ବର୍ଣ୍ଣିତ କାହାଣୀ ଓ ଚରିତ୍ରକୁ ଉପଜୀବ୍ୟ କରି ପାଲା ଗାୟକମାନେ ସେମାନଙ୍କର ଧୀଶକ୍ତି ଓ ବାକ୍‌ପଟୁତାର ପରିଚୟ ପ୍ରଦାନ କରନ୍ତି । କବିର ରଚନାକୁ ବା କାବ୍ୟକୁ ପଢ଼ି ରସୋପଲବଧି କରିବାର ଶକ୍ତି ଖୁବ୍ କମ୍ ପାଠକଙ୍କର ଥାଏ । ସେହି ରଚନାକୁ କେହି ଉଦାର ବିଦ୍ୟୋତ୍ସାହୀ ବ୍ୟକ୍ତି ପାଠକରି ଯେତେବେଳେ ଅଳ୍ପ ଶକ୍ଷିତ ଓ ଅର୍ଦ୍ଧଶିକ୍ଷିତ ଲୋକମାନଙ୍କୁ ବୁଝାଇ ଦିଏ ସେତେବେଳେ ସେ କବିର ସାହିତ୍ୟିକସ୍ୱରୂପ ଗଣମାନସରେ ପ୍ରତିଫଳିତ ହୁଏ । ଯେତେବେଳେ ଓଡ଼ିଶାରେ ଶିକ୍ଷାର ପ୍ରସାର ଘଟିନଥିଲା ସେତେବେଳେ ପୁରପଲ୍ଲୀରେ ବାସ କରିଥିବା ଅନେକ ନିରକ୍ଷର ଲୋକଙ୍କ ଦ୍ୱାରା ଉପେନ୍ଦ୍ର ଓ ଅଭିମନ୍ୟୁ ଓ କବିସୂର୍ଯ୍ୟ ପ୍ରଭୃତି କବିମାନଙ୍କ ପ୍ରଣିତ ମଧୁର ଛନ୍ଦଗୁଡ଼ିକ ଉଦଘୋଷିତ ହୋଇ ଗ୍ରାମ୍ୟ ପରିବେଶକୁ ବେଶ୍‍ ସରସ, ଜୀବନ୍ତ ଓ ସଙ୍ଗୀତ ମୁଖର କରୁଥିଲା ।

 

ଓଡ଼ିଶାରେ ବରେଣ୍ୟ ସାଧକ କବି ଜଗନ୍ନାଥ ଦାସ ଓ ବଳରାମ ଦାସ ଯେତେବେଳେ ଭାଗବତ ଓ ବେଦାନ୍ତକୁ ସୁଲଳିତ ଛନ୍ଦ ଦେଇ ପ୍ରାକୃତ ଭାଷାରୁ ଅନୁବାଦ କଲେ ସେତେବେଳେ ତାହା ଅଶିକ୍ଷିତ, ଅର୍ଦ୍ଧଶିକ୍ଷିତ, ସଂସ୍କୃତ ଅନଭିଜ୍ଞ ବ୍ୟକ୍ତିମାନଙ୍କ ଅଶେଷ କଲ୍ୟାଣ ସାଧନ କଲେ । ଓଡ଼ିଶାରେ ପାଲା ଗାୟକମାନେ ଗଭୀର ଅଧ୍ୟବସାୟ ବଳରେ ବହୁ ଅଧ୍ୟୟନ କରି ପୁରାଣ ଦର୍ଶନ ଆଦିର ସମୀକ୍ଷାଦ୍ୱାରା ଗଣମାନସରେ ସାହିତ୍ୟ ପ୍ରତି ଏକ ଶାଶ୍ୱତ ଚେତନା ସଞ୍ଜତ କରାଇ ପାରିଛନ୍ତି ।

 

ସତ୍‍ କବି ପ୍ରଣିତ କାବ୍ୟାବଳୀ ସହଜରେ ସାଧାରଣ ପାଠକ ପାଖରେ ପହଞ୍ଚିପାରେନାହିଁ । ସାଧାରଣ ପାଠକ ତାହା ଅଧ୍ୟୟନ କଲେ ବି ତନ୍ନିହିତ ରସ ଓ ଉପଲବ୍ଧି କରିବା ଯୋଗ୍ୟତା ତା’ର ନ ଥାଏ । ତେଣୁ ସେହି କାବ୍ୟାବଳୀକୁ ଗଣମୁଖୀ କରାଇବା ନିମିତ୍ତ ବ୍ୟାଖ୍ୟାକାରମାନଙ୍କର ଆବଶ୍ୟକତା ନ ଥାଏ । ବ୍ୟାଖ୍ୟାକାରମାନେ କଠିନ କାବ୍ୟରସର ପଦାବଳୀକୁ ସରଳ ତରଳ ଭାବରେ ଗଣ ନିକଟରେ ପହଞ୍ଚାଇ ପାରନ୍ତି । ପାଲାଗାୟକମାନଙ୍କୁ ଏହି ବ୍ୟାଖ୍ୟାକାର ଶ୍ରେଣୀ ଅନ୍ତର୍ଭୁକ୍ତ କରାଯାଇପାରନ୍ତା । ସ୍ୱାଭାବିକ ଭାବରେ ବ୍ୟାଖ୍ୟାକାର କାବ୍ୟ, ନାଟକାଦି ପଢ଼ି ନେଇ ତା’ର ଭାବ ଅନ୍ୟମାନଙ୍କ ନିକଟରେ ପହଞ୍ଚାଇ ଦିଅନ୍ତି । କିନ୍ତୁ ଗାୟକ ଗାୟନ, ବ୍ୟାଖ୍ୟାନ ଓ ଅଭିନୟ ମାଧ୍ୟମରେ ଦର୍ଶକ ସମ୍ମୁଖରେ କାବ୍ୟ, ନାଟକାଦି ଉପସ୍ଥାପନ କରନ୍ତି । ଅଭିନୟ ପାଲାର ଅବିଚ୍ଛେଦ୍ୟ ଅଙ୍ଗ । ସାହିତ୍ୟଦର୍ପଣକାର ବିଶ୍ୱନାଥଙ୍କ “ତତ୍ରାଭିନେୟଂ ଦୃଶ୍ୟମ୍‌” ଅଭିନୟକୁ ଆଳଙ୍କାରିକ ବାମନାଚାର୍ଯ୍ୟ ମଧ୍ୟ ଗୁରୁତ୍ୱ ଦେଇଛନ୍ତି । ତାଙ୍କ ଭକ୍ତିରେ “ଅଭିନୟାତ୍ମକଂ କାବ୍ୟଂ ନାଟ୍ୟମ୍” ବିଷୟବସ୍ତୁ ଉପସ୍ଥାପନା କଲାବେଳେ ତା’ର ସହକର୍ମୀମାନଙ୍କ ସାହାଯ୍ୟରେ ଯେଉଁ ନାଟକୀୟତା ପ୍ରକାଶ କରେ ତାହା ଜନମାନସରେ ଅଖଣ୍ଡ ରସ-ପ୍ରବାହ ସୃଷ୍ଟି କରେ ।

 

ପାଲାରେ ଗାୟନ ମୁଖ୍ୟସ୍ଥାନ ଲାଭ କରିଥିଲେ ହେଁ ଅଭିନୟ ଏହାକୁ ରସୋଚ୍ଛ୍ୱଳ କରପାରିଛି । ଯେଉଁମାନେ ଦକ୍ଷ ଗାୟକମାନଙ୍କ ମୁହଁରୁ ହରିଶ୍ଚନ୍ଦ୍ର, ବିଳ୍ୱମଙ୍ଗଳ ଆଦି କରୁଣ ରସାତ୍ମକ ବିଷୟବସ୍ତୁ ପାଲା ମାଧ୍ୟମରେ ଶୁଣିଥିବେ, ସେମାନେ ନିଶ୍ଚୟ ଉପଲବ୍‌ଧି କରିଥିବେ ଅଭିନୟ ଏହି ଗାୟନରୀତିକୁ କେତେ ଚମତ୍କାର ଭାବରେ ରସୋତ୍ତୀର୍ଣ୍ଣ କରେ ।

 

ପାଲା ଗୀତ, ନୃତ୍ୟ, ବାଦ୍ୟ, ପାଣ୍ଡିତ୍ୟ ଓ ପ୍ରତିଭାର ମିଳନପୀଠରୂପେ ସ୍ୱୀକୃତି ଲାଭ କରିଆସିଛି । ଓଡ଼ିଆ ସାହିତ୍ୟର ବିଭିନ୍ନ ରାଗ ରାଗୀଣି ଓ ଛନ୍ଦ ଯଦି ଆଜି ଅବିକୃତ ଭାବରେ ସ୍ୱକୀୟତା ରକ୍ଷା କରିପାରଛନ୍ତି ତାହା କେବଳ ପାଲା ଯୋଗୁଁ । ପାଲାର ଗୁରୁ ପ୍ରଥମେ ଶିଷ୍ୟକୁ ସମସ୍ତ ଗାୟନ କୌଶଳ ଶିକ୍ଷା ଦିଏ ଓ ବିଷୟବସ୍ତୁ ମାଧ୍ୟମରେ ଶିଷ୍ୟକୁ ପାଣ୍ଡିତ୍ୟ ପ୍ରବର୍ଦ୍ଧନ ନିମିତ୍ତ ଯତ୍ନବାନ ହୁଏ । ସମୟାନୁକ୍ରମେ କୌଣସି ଏକ ଗୀତର ଗାୟନ ରୀତି ଏ ମୁଖରୁ ସେ ମୁଖ ହୋଇ ନିଜର ଗୌରବ ହରାଇ ନାହିଁ । ଆଜିକାଲି ସଙ୍ଗୀତ ଶିକ୍ଷା ଦିଆଯିବା ନିମିତ୍ତ ଅନେକ ସଙ୍ଗୀତ ବିଦ୍ୟାଳୟ ସ୍ଥାପିତ ହେଲାଣି । ଓଡ଼ିଶାରେ ଦିର୍ଘଦିନ ଧରି ପାଲା ଏହି ସଙ୍ଗୀତାନୁଷ୍ଠାନର କାର୍ଯ୍ୟ ତୁଲାଇ ଆସିଛି । ପାଲା ଗୀତ ଓ ବାଦ୍ୟ ସମାହାର ହୋଇଥିବାରୁ ପାଲା ଗାୟକ ତାଳ ଲୟ ମାନ ଆଦି ଶିକ୍ଷା କରିବା ପାଇଁ ଉପଯୁକ୍ତ ଗୁରୁର ଆଶ୍ରୟ ଗ୍ରହଣ କରେ ।

 

ମହୁମାଛି ଯେପରି ବହୁ କୁସୁମର ରସ ଗ୍ରହଣ କରି ମହୁ ତିଆରି କରେ, ପାଲାଗାୟକ ସେହିପରି ବହୁ ଗ୍ରନ୍ଥ ଅଧ୍ୟୟନ କରି ତନ୍ମଧ୍ୟରୁ ଅସଂଖ୍ୟ ଅମୂଲ୍ୟ ଉପାଦାନ ସଂଗ୍ରହ କରି ସ୍ୱୀୟ ବୃଦ୍ଧି ବଳରେ ପରିବେଷଣ କଲାବେଳେ ଶ୍ରୋତା ପ୍ରାଣରେ ଭକ୍ତି, ପ୍ରୀତି, ଜାତୀୟତା ଭାବ ଉଦ୍ରେକ ହୁଏ । ଜୀବନର ଆଦର୍ଶ ସମୂହକୁ, ସୁଖଦୁଃଖକୁ ଜୟ ପରାଜୟକୁ ଓ ଚିତ୍ତବୃତ୍ତିର ଉଦବେଳକୁ ସରସ ଜୀବନ୍ତ ଭାବରେ ସଙ୍ଗୀତ ତଥା ଅଭିନୟ ମାଧ୍ୟମରେ ପ୍ରକାଶ କରାଇବାର ଅନ୍ୟ ନାମ ପାଲା ।

 

ଓଡ଼ିଶାର ସଂସ୍କୃତିକୁ ପାଲା ବହୁ ଭାବରେ ସମୃଦ୍ଧ କରିଥିଲେ ବି ଏପର୍ଯ୍ୟନ୍ତ ପାଲା ଉତ୍ପତ୍ତି ଓ ପରିଣତି ବିଷୟରେ ଆଦୌ ଆଲୋଚନା ହୋଇନାହିଁ କହିଲେ ଚଳେ । ବିଧିବଦ୍ଧ ଆଲୋଚନା ଯେକୌଣସି ଜାତି, ଦେଶ ବା ସଂସ୍କୃତିର ଉଚିତ ମୂଲ୍ୟାୟନ କରିବା ସଙ୍ଗେ ସଙ୍ଗେ ତା’ର ଭିତ୍ତିଭୂମିକୁ ଦୃଢ଼ କରେ । ଓଡ଼ିଆ ଭାଷା, ଓଡ଼ିଆ ସଂସ୍କୃତି ସବୁବେଳେ ପ୍ରତିବେଶୀମାନଙ୍କ ଚକ୍ଷୁରେ ଅର୍ବାଚୀନ ଓ ହେୟ ବୋଲି ପରିଗଣିତ ହୋଇଆସିଛି । ଓଡ଼ିଆ ଓ ଓଡ଼ିଶା ସ୍ୱାତନ୍ତ୍ର୍ୟରହିତ ବୋଲି ଅନେଙ୍କର ଧାରଣା ବଦ୍ଧମୂଳ ହୋଇଆସିଛି । ଶ୍ରମକାତର ଓଡ଼ିଆ ତା’ ସଂସ୍କୃତିକୁ ପରିଚୟ କରାଇବା ପାଇଁ ସବୁବେଳେ ପଶ୍ଚାତପଦ । ଉତ୍ତମ ପୁରୁଷମାନେ ଅଯଥା ନିଜ ଯଶ ଦୁନ୍ଦୁଭି ବଜାନ୍ତି ନାହିଁ । ଏହା ଅଧମମାନଙ୍କର କାମ । ସେଥିପାଇଁ ଓଡ଼ିଆ ବୋଧେ ଏ ପ୍ରସଙ୍ଗରେ ନୀରବତା ଅବଳମ୍ବନ କରିଆସିଛି ।

 

ଓଡ଼ିଆ ସାହିତ୍ୟର ବରେଣ୍ୟଗଣ ଓଡ଼ିଆ କାବ୍ୟ, ନାଟକ, ଲୋକଗୀତ ଓ ଲୋକସାହିତ୍ୟର ବିଭିନ୍ନ ଦିଗ ଆଲୋଚନା କରି ନିଜ ନିଜର ସୁଚିନ୍ତିତ ସନ୍ଦର୍ଭମାନ ପ୍ରକାଶ କରାଇଥିଲେ ବି ଓଡ଼ିଶାର ପାଲା ସଂସ୍କୃତି ପ୍ରତି କାହାର ଦୃଷ୍ଟି ପଡ଼ିନାହିଁ । ତା’ର ଉତ୍ପତ୍ତିର ଇତିହାସ ଏପର୍ଯ୍ୟନ୍ତ ଉନ୍ମୋଚିତ ହୋଇପାରିନାହିଁ । କୌଣସି ଜାତି, ଦେଶ ବା ସଂସ୍କୃତିର ଉତ୍ପତ୍ତି ଓ ବିକାଶ ସମ୍ବନ୍ଧରେ ପ୍ରମାଣିତ ତଥ୍ୟ ନ ମିଲେ କେତେକ ପାରିପାର୍ଶ୍ୱିକ ଘଟଣାବଳୀକୁ ଭିତ୍ତିଭୂମିରୂପେ ଗ୍ରହଣ କରି ସିଦ୍ଧାନ୍ତରେ ଉପନୀତ ହେବାକୁ ପଡ଼େ ।

 

ପାଲା ସମ୍ବନ୍ଧରେ ଏ ପର୍ଯ୍ୟନ୍ତ ଉଚ୍ଚକୋଟୀର ଆଲୋଚନା ନ ହୋଇଥିଲେ ବି କେତେକ ଗବେଷକ ସେମାନଙ୍କର ଗବେଷଣାମୂଳକ ପ୍ରବନ୍ଧ ରଚନା କଲାବେଳେ ଓଡ଼ିଆ ପାଲାର ଉତ୍ପତ୍ତି ବିଷୟରେ କେତେକ ଅନୁମାନିକ ତଥ୍ୟ ଉପସ୍ଥାପନ କରିଛନ୍ତି । ସେହି ମତଗୁଡ଼ିକ ସତ୍ୟବୋଲି ପ୍ରତୀକ ନ ହୋଇ ଥିଲେ ବି ସତ୍ୟ ଉନ୍ମୋଚନ ପାଇଁ ଯେ ସହାୟକ ଏହା ନିଃସନ୍ଦେହରେ କୁହାଯାଇପାରେ ।

 

ନାମକରଣ

 

କେତେକଙ୍କ ମତରେ “ପାଲ୍ୟତେ” ଏହି ସଂସ୍କୃତ ଶବ୍ଦରୁ ଅପଭ୍ରଂଶରେ ପାଲା ହୋଇଛି-। ଧର୍ମ ବା ଇଶ୍ୱରଙ୍କ ମହିମା ପାଲାର ମୂଳ ଉତ୍ସ । ପାଲାଗାୟକମାନେ କେବଳ ପୁରାଣ ବିଷୟ କିମ୍ବା ପରମେଶ୍ୱର ଭଗବାନଙ୍କର ଲୀଳାତ୍ମକ ବିଷୟାଦି ବର୍ଣ୍ଣନା କରି ଗଣମାନସରେ ଧର୍ମପ୍ରତି ଅନୁରକ୍ତି ଓ ଇଶ୍ୱରଙ୍କ ପ୍ରତି ବିଶ୍ୱାସୀ ହେବା ନିମିତ୍ତ ପରୋକ୍ଷ ପ୍ରଚୋଦନ କରାଇଥାଆନ୍ତି । ଈଶ୍ୱରଙ୍କୁ ଅବମାନନା କଲେ କିମ୍ବା ଧର୍ମପ୍ରତି ଆସ୍ଥାବାନ ନ ହେଲେ କିପରି ବିଶୃଙ୍ଖଳା ଦେଖାଦିଏ ଓ ଅହଂକାରୀ ମାନବ କିପରି ଦଣ୍ଡନୀୟ ହୁଏ, ତାହାର ଅଜସ୍ର ଉଦାହରଣ ଏହି ପାଲା ମାଧ୍ୟମରେ ପରିବେଷିତ ହୋଇଥିବାରୁ ଲୋକଚେତନାରେ ଧର୍ମ ଓ ଈଶ୍ୱର ଉଭୟଙ୍କ ପ୍ରତି ସ୍ୱତଃ ଭୟ ଓ ଭକ୍ତିସଞ୍ଜାତ ହୁଏ । ଧର୍ମଭୀରୁ ହେବା ଫଳରେ ଲୋକେ ସହଜରେ କୌଣସି ଅନ୍ୟାୟ କରିପାରେନାହିଁ ଓ ଈଶ୍ୱରଙ୍କ ପ୍ରତି ଭକ୍ତି ତଥା ଭୟ ନ ଥିବାରୁ ସମାଜର ନୀତିନିୟମକୁ ଭ୍ରଷ୍ଟ ହେବା ନିମିତ୍ତ ସାହସ କରେ ନାହିଁ । ପାଲା ଲୋକମାନଙ୍କୁ ଧର୍ମପ୍ରତି ଅନୁରକ୍ତ ହେବା ଓ ଈଶ୍ୱରଙ୍କୁ ବିଶ୍ୱାସ କରିବା ନିମିତ୍ତ ଉପଦେଶ ଦିଏ । ପାଲା ମାଧ୍ୟମରେ ସମାଜରେ ଏ ଦୁଇ ଲକ୍ଷ୍ୟ ପ୍ରତିପାଦିତ ହେଉଥିବାରୁ “ପାଲ୍ୟତେ” ଏହି ମୂଳ ଶବ୍ଦରୁ ପାଲା ଉତ୍ପତ୍ତି ହୋଇଥିବା ଅନେକ ଅନୁମାନ କରନ୍ତି । ଏହି ମତବାଦର ବିରୁଦ୍ଧରେ ସ୍ୱର ଉଠାଇ କେତେକ ଯୁକ୍ତି କରନ୍ତି ଯେ ପାଲା କେବଳ ଲୋକଙ୍କ ମନରେ ଧର୍ମଚିନ୍ତା ଈଶ୍ୱରାନୁରକ୍ତି ପ୍ରକାଶ କରାଏ ନାହିଁ ବରଂ ଅଭିନୟ ମାଧ୍ୟମରେ ବି ଏ ଭାବ ସଞ୍ଜୀବିତ କରାଯାଏ । ଅନ୍ୟ ମାଧ୍ୟମଗୁଡ଼ିକୁ ପାଲା ନାମ ଦେବାରେ କିଛି ଯଥାର୍ଥ୍ୟ ନାହିଁ ।

 

ଆଉ କେତେକଙ୍କ ମତରେ ପାଞ୍ଚାଳୀ ଶବ୍ଦରୁ ପାଲାର ଉତ୍ପତ୍ତି ହୋଇଛି । ଏହି ମତବାଦର ପ୍ରଖ୍ୟାପକମାନେ କହନ୍ତି “କବି କର୍ଣ୍ଣ” ଷୋଳ ପାଲା ପାଞ୍ଚାଳୀ ବୃତ୍ତରେ ବା ରାଗରେ ରଚନା କରିଛନ୍ତି । “ପାଲା ଗାୟକ” ଓ ସେହି ଅନୁଷ୍ଠାନକୁ ପାଲା ନାମରେ ନାମିତ କରାଯାଇଛି । ଏହି ମତବାଦ ଅଭ୍ରାନ୍ତ ବୋଲି ମନେହୁଏ ନାହିଁ । କାରଣ ଅଳଙ୍କାରଶାସ୍ତ୍ର ମତରେ ମାଗଧୀ, ଗୌଡ଼ୀ, ପାଞ୍ଚାଳୀ ଓ ଲାଟ୍ୟା ସ୍ୱତନ୍ତ୍ର ରୀତିଭାବରେ ସ୍ୱୀକୃତ ହୋଇ ଆସିଅଛି । ସ୍ଥାନ ଓ କାଳ ବିଶେଷରେ ବିଶିଷ୍ଟ ପଦ ବା ସଂଘଟନା ବା ଶୈଳୀକୁ “ରୀତି” ନାମରେ ନାମିତ କରାଯାଇଛି । ସେହି ଶୈଳୀମାନଙ୍କ ମଧ୍ୟରୁ “ପାଞ୍ଚାଳୀ’’ ରାଗ ଭାଗରେ କୌଣସି ଅଳଙ୍କାର ଶାସ୍ତ୍ରରେ ଦ୍ୱୀକୃତ ହୋଇନାହିଁ । କବିକର୍ଣ୍ଣଙ୍କ ୧୬ ପାଲା “ପାଞ୍ଚାଳୀ” ରୀତିରେ ରଚିତ ହୋଇପାରେ, ମାତ୍ର ତାହା ‘‘ପାଞ୍ଚାଳୀ” ରାଗରେ ରଚିତ ହୋଇଛି ବୋଲି ଏକାନ୍ତ ଅସମୀଚୀନ । ପୁନଶ୍ଚ ଆମେ ଯଦି “ପାଞ୍ଚାଳୀ”କୁ ଏକ ରାଗ ଭାବରେ ଗ୍ରହଣ କରୁ, ଏହାତ କବିକର୍ଣ୍ଣଙ୍କ ନିଜସ୍ୱ ଆବିଷ୍କୃତ ରାଗ ନୁହେଁ । କବିକର୍ଣ୍ଣ ନିଶ୍ଚୟ କାହାରି ଅନୁଗାମୀ ହୋଇଥିବେ । ଅର୍ଥାତ ପୂର୍ବରୁ ପାଞ୍ଚାଳୀ ରାଗ ଥିବାରୁ ଜନପ୍ରିୟ ହୋଇଥିବାରୁ କବିକର୍ଣ୍ଣ ନିଜ ରଚନା ପାଇଁ ସେ ରାଗଟିକୁ ବାଛିଥିବେ । ଲୋକପ୍ରିୟ ଏ ରାଗଟି କ’ଣ କେବଳ କବିକର୍ଣ୍ଣଙ୍କ ଜନ୍ମସ୍ଥାନରେ ପ୍ରଚଳିତ ଥିଲା ? ଏହା ଅନ୍ୟତ୍ର ବି ବ୍ୟବହୃତ ହେଉଥିବ । ତେବେ ଓଡ଼ିଶାରେ କାହଁକି ସେହି ପାଞ୍ଚାଳୀ ଶବ୍ଦରୁ “ପାଲା” ଶବ୍ଦଟି ଉତ୍ପତ୍ତି ହୋଇ ପ୍ରଚଳିତ ହେଲା ଅଥଚ ଅନ୍ୟ କେଉଁ ପ୍ରଦେଶରେ ବା ଆଞ୍ଚଳିକ ଭାଷାରେ ପ୍ରଚଳନ ପରିଦୃଷ୍ଟ ହେଲାନାହିଁ ।

 

ଆଉ କେତେକ ସମାଲୋଚକଙ୍କ ମତରେ ପାଲା ଶବ୍ଦଟି ପାଲାଗାୟନ ପ୍ରଣାଳୀରୁ ହିଁ ଉତ୍ପନ୍ନ ହୋଇଛି । ପାଲାରେ ଯେ ମୁଖ୍ୟ ସ୍ଥାନ ଅଧିକାର କରନ୍ତି, ତାକୁ ଗାୟକ କୁହାଯାଏ । ଯେଉଁମାନେ ଗାୟକଙ୍କୁ ସାହାଯ୍ୟ କରନ୍ତି ଅର୍ଥାତ୍ ଗାୟକ ପଦଟିଏ ବୋଲି ଦେଲେ ତାକୁ ଯେଉଁମାନେ ଦ୍ୱିତୀୟବାର ଗାଆନ୍ତି ସେମାନଙ୍କୁ ପାଳିଆ ବୋଲି କୁହାଯାଏ । ସେମାନେ ପାଳି ଧରୁଥିବାରୁ ସେମାନଙ୍କୁ ମଧ୍ୟ ପାଳିଆ ବୋଲି କୁହାଯାଏ । ପାଲାରେ ଏହି ପାଳିଧରା ରୀତି ପ୍ରଚଳିତ ଥିବାରୁ “ପାଳିଆ” ଶବ୍ଦଟି କ୍ରମେ କ୍ରମେ ଅପଭ୍ରଂଶ ଓ ପରିମାର୍ଜିତ ହୋଇ ପାଲାରେ ପରିଣତ ହୋଇଛି । ଯେତେବେଳେ ମିଳିତ ଭାବରେ କୌଣସି ଗୀତ ଗାନ କରାଯାଏ, ସେତେବେଳେ ପ୍ରଥମେ ଜଣେ ଗୋଟିଏ ପଦ ଗାଏ ଓ ଅନ୍ୟମାନେ ତାକୁ ଅନୁକରଣ କରି ସେହି ଗୀତର ପାଳି ଧରନ୍ତି । ଏ ରୀତି ବା ପ୍ରଥା ବଡ଼ ବଡ଼ ସଙ୍ଗୀତ ଆସରମାନଙ୍କରେ ବି ଦେଖିବାକୁ ମିଳେ । ଏ ରୀତି ସର୍ବତ୍ର ପ୍ରଚଳିତ ଥିଲେ ବି ଅନ୍ୟକୌଣସି ସ୍ଥାନରେ “ପାଲା” ଶବ୍ଦ ପ୍ରୟୋଗ ହେବାରେ ଦେଖାଯାଏ ନାହିଁ ।

 

ଆଉ କେତେକଙ୍କ ମତରେ ସଂସ୍କୃତ “ପର୍ଯ୍ୟାୟ” ଶବ୍ଦରୁ ଅପଭ୍ରଂଶ ହୋଇ “ପାଲା” ଶବ୍ଦ ଉତ୍ପନ୍ନ ହୋଇଅଛି । ପାଲା ପ୍ରତିଯୋଗିତାରେ ଜଣେ ଗାୟକ ନିଜର ବର୍ତ୍ତବ୍ୟ ସମ୍ପାଦନା କରିବାମାତ୍ରେ ଅନ୍ୟ ପ୍ରତିଯୋଗୀ ଗାୟକ ସହକର୍ମୀମାନଙ୍କ ସହ ରଙ୍ଗମଞ୍ଚରେ ଅବତୀର୍ଣ୍ଣ ହୋଇ ନିଜ କର୍ତ୍ତବ୍ୟ ସମ୍ପାଦନା କରନ୍ତି । ଏହି ପ୍ରକାର ପ୍ରତିଯୋଗିତା ପର୍ଯ୍ୟାୟ କ୍ରମେ ବହୁ ସମୟ ଓ ବହୁଦିନ ଧରି ଚାଲେ । ପାଲାଗାୟକମାନେ ପର୍ଯ୍ୟାୟ ଅନୁସାରେ ପାଲା ଗାୟନ କରିଥାନ୍ତି । ପର୍ଯ୍ୟାୟ କ୍ରମେ ଏହା ସଂଘଟିତ ହେଉଥିବାରୁ ପରବର୍ତ୍ତୀ କାଳରେ ଏହା ପର୍ଯ୍ୟାୟରୁ ପଲ୍ଲାଅ ଓ ପରେ ପାଲା ଶବ୍ଦର ଉତ୍ପତ୍ତି ହୋଇଅଛି । ପୂର୍ବେ ରାଜ ଦରବାରମାନଙ୍କରେ କବିମାନଙ୍କ ମଧ୍ୟରେ ଏ ପ୍ରକାର ପ୍ରତିଯୋଗିତା ପର୍ଯ୍ୟାୟକ୍ରମେ ସଂଘଟିତ ହେଉଥିଲା । କୌଣସି ଜଣେ କବି ଦରବାରରେ ସ୍ୱରଚିତ କିମ୍ବା ଅନ୍ୟ କବିତା, ଶ୍ଲୋକ ଆବୃତ୍ତି କଲା ପରେ ସେହି ଆଲୋଚନାର ସମାଲୋଚନାରୂପେ ଅନ୍ୟଜଣେ କବି ଆବୃତ୍ତି ଆରମ୍ଭ କରୁଥିଲେ । ପର୍ଯ୍ୟାୟକ୍ରମେ ଏଭଳି ଆଲୋଚନା ଓ ସମାଲୋଚନା ଦରବାରମାନଙ୍କରେ ପ୍ରଚଳିତ ଥିଲା । କେବଳ ସେତିକି ନୁହେଁ ପାଲାରେ ପ୍ରଥମ ଗାୟକ ଯେଉଁ ବିଷୟ ବା ଅଳଙ୍କାର ଯେଉଁଠାରୁ ଛାଡ଼ିଥିବ ଅପର ଗାୟକ ଆସି ସେ ବିଷୟ ବା ଅଳଙ୍କାରକୁ ପର୍ଯ୍ୟାୟ କ୍ରମେ ପୂର୍ଣ୍ଣ କରନ୍ତି । ତେଣୁ ପାଲା ପରିବେଷଣ କ୍ରିୟାଟି ଏକାନ୍ତ ପର୍ଯ୍ୟାୟବାଚୀ ହୋଇଥିବାରୁ ଏହି ପର୍ଯ୍ୟାୟ ଶବ୍ଦରୁ ପାଲା ଶବ୍ଦ ଉତ୍ପତ୍ତି ହୋଇଥିବା ମତଟିକୁ ଅନେକ ଗ୍ରହଣ କରିନିଅନ୍ତି ।

 

ପାଲାଗାୟକମାନେ ଯେଉଁ ସଙ୍ଗୀତ ଆବୃତ୍ତ କରନ୍ତି ସେହି ସଙ୍ଗୀତ ଶେଷରେ ଖୋଳ ଓ ଝାଞ୍ଜ ସାହାଯ୍ୟରେ ଓଡ଼ିଶୀ ବାଦ୍ୟର ନିୟମ ଅନୁସାରେ “ତାଳ” ଦିଆଯାଏ । ଏହି ତାଳଦେବା ରୀତିକୁ ପାଲାରେ “ମାନ” ବୋଲି କୁହାଯାଏ । ପାଲାରେ “ପର୍ଯ୍ୟାୟ ମାନ” ବିଶେଷ ପରିଚିତ ଓ ଲୋକପ୍ରିୟ । ଗାୟକ, ବିଷୟ ପରିବେଷଣ କଲାବେଳେ ସଙ୍ଗୀତର ସମତା ରକ୍ଷା କରି ଭିନ୍ନ ଭିନ୍ନ ରୀତି ବା ବୃତ୍ତରେ ଗାନ କରିଥାଆନ୍ତି । ଏହି ସ୍ୱର ବା ବୃତ୍ତ ତାଳ ଓ ଲୟ ସାପେକ୍ଷ । ପ୍ରତ୍ୟେକ ସଙ୍ଗୀତ ଶେଷରେ ପ୍ରାୟ ମାନ ଦିଆଯାଏ । ଏହି ଗାୟନ ଓ ମାନର ମଧ୍ୟ ଭିନ୍ନ ଭିନ୍ନ ପର୍ଯ୍ୟାୟ ଅଛି । ତେଣୁ ପାଲାରେ ଏ ପ୍ରକାର ସ୍ୱର ବା ବୃତ୍ତିକୁ “ପର୍ଯ୍ୟାୟ ମାନ” ବୋଲି କୁହାଯାଇଛି । ଏ ଦୃଷ୍ଟିରୁ ବିଚାର କଲେ, ପାଲା ‘‘ପର୍ଯ୍ୟାୟ” କ୍ରମର ସମତା ରକ୍ଷା କରି ଆସିଥିବା ଦେଖାଯାଏ । ତେଣୁ ପର୍ଯ୍ୟାୟ ଶବ୍ଦରୁ ପାଲା ଶବ୍ଦ ବ୍ୟୁତ୍ପତ୍ତି ଲାଭ କରିଥିବା ବିଚିତ୍ର ନୁହେଁ ।

 

ଆଉ କେତେକଙ୍କ ମତରେ “ପାଲା” ଉଦ୍ଦେଶ୍ୟରେ ଯେଉଁ ଦେବତାଙ୍କ ଆସ୍ଥାନ ସ୍ଥାପନ କରାଯାଏ ସେ ଆସ୍ଥାନରେ ଏକକାଳୀନ ପଞ୍ଚଦେବତାଙ୍କର ପୂଜା କରାଯାଏ । ଏହି ପଞ୍ଚଦେବତା ହିନ୍ଦୁ ଦର୍ଶନର ମୁଖ୍ୟ ଦେବତା । ଏକତ୍ର ଏମାନଙ୍କର ପୂଜା କରାଯାଉଥିବାରୁ ଏହାକୁ “ପାଞ୍ଚାଳୀ” ଓ ପରେ ପାଲା ନାମ ଦିଆଯାଇଛି । ମାତ୍ର ପଞ୍ଚଦେବତାଙ୍କର ପୂଜା ଏକତ୍ର ହେଉଥିବାରୁ ଏହାକୁ ପାଞ୍ଚାଳୀ ପୂଜା କହିବାରେ କୌଣସି ଯର୍ଥାଥ କାରଣ ନାହିଁ ।

 

ପୂର୍ବେ ପାଲାରେ ଗାୟକମାନଙ୍କର ବେଶ୍ ଭିନ୍ନତା ଥିଲା । ସେମାନେ ଘାଘରା ପିନ୍ଧୁଥିଲେ । ହାତରେ ବାଲା, ବଟଫଳ, ତାଇତ ପିନ୍ଧୁଥିଲେ ଏବଂ ଅଙ୍ଗ ଆବରଣ ପାଇଁ ଜରିବୁଟ ଖଞ୍ଜା କାଞ୍ଚଲା ମଧ୍ୟ ବ୍ୟବହାର କରୁଥଲେ । ମୋଟାମୋଟି କହିବାକୁ ଗଲେ ଗାୟକର ବେଶ ପୁରୁଷ-ସୁଲଭ ନ ହୋଇ ନାରୀ-ସୁଲଭ ହୋଇଥିଲା । ଗାୟକକୁ ସାହାଯ୍ୟ କରିବା ପାଇଁ ପାଞ୍ଚଜଣ ପାଳିଆ ରହୁଥିଲେ । ଏମାନଙ୍କର ବେଶ ମଧ୍ୟ ଅନୁରୂପ ଥିଲା । ଗାୟକ ପର ଦିଆ ପଗଡ଼ି ପିନ୍ଧିଲାବେଳେ ପାଳିଆମାନେ କାଜି ଟୋପି ପରି ଟୋପି ଦେଉଥିଲେ । ସେଥିରେ ପର ଲାଗୁ ନ ଥିଲା । ପାଲା ଗାୟକମାନଙ୍କର ଏ ବେଶ ଗୋପୀଭାବର ଦ୍ୟୋତକ ବୋଲି ଅନେକ ମତ ଦିଅନ୍ତି । କୁଞ୍ଜବନରେ ଗୋପାଙ୍ଗନାମାନେ ଖୋଳ ଓ ତାଳ ଧରି ଭଗବାନ କୃଷ୍ଣଙ୍କ ମହିମା ଗାନ କରନ୍ତି ଓ ନିତ୍ୟ ରାସସ୍ଥଳୀ ସେମାନଙ୍କ ସଙ୍ଗୀତରେ ମୁଖରିତ ହୋଇଉଠେ ବୋଲି ବୈଷ୍ଣବ ଶାସ୍ତ୍ରରେ ଦେଖିବାକୁ ମିଳେ । ବୈଷ୍ଣବ ଶାସ୍ତ୍ରରେ ଭଗବାନ କୃଷ୍ଣଙ୍କୁ ଏକମାତ୍ର ଗୁରୁ ବୋଲି ଅଭିହିତ କରାଯାଇ ଆଉ ସମସ୍ତଙ୍କୁ ନାରୀରୂପେ କଳ୍ପନା କରାଯାଇଅଛି । ମୀରାବାଈ ଯେତେବେଳେ ବୃନ୍ଦାବନକୁ ଯିବା ପାଇଁ ଅନୁମତି ମାଗିଲେ ବୃନ୍ଦାବନର ତତ୍କାଳୀନ ଗୋସ୍ୱାମୀ “ନାରୀମାନଙ୍କୁ ବୃନ୍ଦାବନରେ ପ୍ରବେଶ କରିବା ପାଇଁ ମନା ଅଛି” ବୋଲି କହିବାରୁ ମୀରାବାଈ ଉତ୍ତର ଦେଲେ ‘‘ବୃନ୍ଦାବନରେ ଜଣେ ମାତ୍ର ପୁରୁଷ “କୃଷ୍ଣ”ଥିବା କଥା ମୁଁ ଜାଣିଥିଲି । ତାଙ୍କ ବ୍ୟତୀତ ଆଉ ତ ସମସ୍ତେ ନାରୀ । ତେବେ ଏ ପୁରୁଷ ଜଣଙ୍କ କିଏ ? ମୁଁ ତାଙ୍କୁ ଦେଖା କରିବାକୁ ଯିବି ।” ଏ ଉତ୍ତର ପାଇ ଗୋସ୍ୱାମୀ ଲଜ୍ଜିତ ହୋଇ ମୀରାଙ୍କୁ ଆସି ପାଛୋଟି ନେଇଥିବା କଥା ଏ ପର୍ଯ୍ୟନ୍ତ କିମ୍ବଦନ୍ତୀ ଆକାରରେ ପ୍ରଚଳିତ । ପୁନଶ୍ଚ ଦର୍ଶନ ଶାସ୍ତ୍ରରେ ପରମାତ୍ମାଙ୍କୁ ପୁରୁଷ ଓ ଜୀବତ୍ମାକୁ ସ୍ତ୍ରୀରୂପରେ ଗ୍ରହଣ କରାଯାଇଛି । ସ୍ତ୍ରୀ ଯେପରି ମିଳିତ ହେବାରେ ପ୍ରୟାସୀ, ଜୀବାତ୍ମା ସେହିପରି ପରମାତ୍ମାଙ୍କ ସହିତ ମିଳିତ ହେବାରେ ପ୍ରୟାସୀ । ତେଣୁ ପାଲା ଗାୟକମାନେ ଗୋପୀଭାବକୁ ଗ୍ରହଣ କରି ଭଗବାନଙ୍କ ମହିମା ଗାନ କରିବା ପାଇଁ ଏ ପ୍ରକାର ପୋଷାକ ଗ୍ରହଣ କରୁଥିଲେ ବୋଲି ଅନେକ ମତ ଦିଅନ୍ତି । ସଖୀଭାବରେ ଏତାଦୃଶ ପରିକଳ୍ପନାରେ ଗାୟକ ମୁଖ୍ୟସ୍ଥାନ ଗ୍ରହଣ କରିଥାଏ । ତାଙ୍କୁ ସାହାଯ୍ୟ କରିବା ପାଇଁ ଆଉ ପାଞ୍ଚଜଣ ଥାଆନ୍ତି । ଏହି ପାଞ୍ଚଜଣ ମଧ୍ୟ ସଖୀଭାବର ବାହକ । ସଖୀକୁ ମଧ୍ୟ ଆଳି କୁହାଯାଏ । ପାଲାରେ ଏହି ସହକର୍ମୀ ପାଞ୍ଚଜଣ କୁଞ୍ଜବନର ଆଳି କାର୍ଯ୍ୟ ସମ୍ପାଦନ କରୁଥିବାରୁ ଏମାନଙ୍କୁ ପାଞ୍ଚାଳୀ କୁହାଯାଏ । ଯେଉଁ ଅନୁଷ୍ଠାନରେ ଏ ପାଞ୍ଚ ଆଳି ଅପରିହାଯ୍ୟ ଅଙ୍ଗ ବୋଲି ଗୃହୀତ ହୁଅନ୍ତି ସେ ଅନୁଷ୍ଠାନକୁ ମଧ୍ୟ ପାଞ୍ଚାଳୀ ନାମରେ ନାମିତ କରାଯାଏ । ପରେ ଏହି କାରଣରୁ ଶବ୍ଦରୁ ପାଲା ଉତ୍ପତ୍ତି ହୋଇଛି ବୋଲି ଅନେକ ମତ ଦିଅନ୍ତି ।

 

ଓଡ଼ିଆ ଅଭିଧାନମାନଙ୍କରେ ପାଲାକୁ ଉତ୍ସବ, କୋଳାହଳ ଏପରିକି ଅର୍ଥ ଅପକର୍ଷର ଗୋଳମାଳ ଅର୍ଥରେ ମଧ୍ୟ ଗ୍ରହଣ କରାଯାଇଛି, କିନ୍ତୁ ପାଲାର ପ୍ରାଚୀନତା ଦୃଷ୍ଟିରୁ ଅଭିଧାନ ଅତ୍ୟନ୍ତ ଅର୍ବାଚୀନ । ତେଣୁ ଅଭିଧାନକୁ ପାଲାର ବ୍ୟୁତ୍ପତ୍ତିଗତ ଅର୍ଥରୁ ଆଶା କରିବା ବିଡ଼ମ୍ବନା ମାତ୍ର । କାରଣ ଅଭିଧାନକର୍ତ୍ତାମାନେ “ପାଲା”ର ଗତି ଓ ପ୍ରକୃତିକୁ ଚାହିଁ ଏପରି ଅର୍ଥ ସମ୍ଭାବନା କରିଛନ୍ତି । “ପାଲା” ବିଶେଷ ଉତ୍ସବ ଉପଲକ୍ଷେ ଆୟୋଜନ କରାଯାଏ । “ପାଲା” ଆରମ୍ଭ ହେଲେ ବହୁଦର୍ଶକ ମେଳ ହୋଇ ପାଲା ଦେଖନ୍ତି । ତେଣୁ କୋଳାହଳ ହେବା ସ୍ୱାଭାବିକ । ଓଡ଼ିଆ ଅଭିଧାନ ପ୍ରଣୀତ ହେଲାବେଳକୁ ବାଦୀ ବା ପ୍ରତିଯୋଗିତାମୂଳକ ପାଲାମାନଙ୍କରେ ଗାୟକମାନେ ପରସ୍ପର ପ୍ରତି ବ୍ୟକ୍ତିଗତ ସମାଳୋଚନା କରି ଆକ୍ଷେପୋକ୍ତି ପ୍ରକାଶ କରୁଥିବାରୁ କଳହ ବା ଗୋଳମାଳର ସୂତ୍ରପାତ ହେଉଥିଲା । ତେଣୁ ଏପରି ଅର୍ଥ ଅଭିଧାନମାନଙ୍କରେ ତତ୍କାଳୀନ ପରିବେଶକୁ ଲକ୍ଷ୍ୟ କରି ଦିଆଯାଇଛି ।

 

ଉପରୋକ୍ତ ଆଲୋଚନାମାନଙ୍କରୁ ପାଲା ଶବ୍ଦଟି “ପାଲ୍ୟତେ” କିମ୍ବା ପର୍ଯ୍ୟାୟ ଶବ୍ଦରୁ ଉତ୍ପତ୍ତି ହୋଇଥିବା ଅଧିକ ଗ୍ରହଣ ଯୋଗ୍ୟ । ତେବେ “ପାଲ୍ୟତେ”ରୁ ପାଲା ଉତ୍ପତ୍ତି ହେବା ଅପେକ୍ଷା “ପର୍ଯ୍ୟାୟ”ରୁ ପାଲା ଉତ୍ପତ୍ତି ହୋଇଥିବା ଅଧିକ ସମୀଚିନ । କାରଣ ପାଲାଗାୟନର ଗତି ଓ ପ୍ରକୃତି ଦୃଷ୍ଟିରୁ ଏ ପ୍ରକାର ସିଦ୍ଧାନ୍ତ ଅଯୌକ୍ତିକ ହୋଇନପାରେ ।

 

ଐତିହାସିକ ଓ ସାଂସ୍କୃତିକ ପଟ୍ଟଭୂମିରେ ପାଲା

 

“ପାଲା”ର ସୃଷ୍ଟି ଓ ବିକାଶ ସମ୍ବନ୍ଧରେ ଏ ପର୍ଯ୍ୟନ୍ତ ବିଦ୍ଧିବଦ୍ଧ ଭାବରେ ଆଲୋଚନା ହୋଇନଥିବା କଥା ପୂର୍ବରୁ କୁହାଯାଇଛି । ପାଲା ଭାରତବର୍ଷର ଓଡ଼ିଆ ଓ ବଙ୍ଗଳା ଏହି ଦୁଇ ପ୍ରଦେଶରେ ବେଶ୍ ଆଦୃତ ଓ ପରିଚିତ । ଆସାମରେ ମଧ୍ୟ ଓଡ଼ିଆ ପାଲାର ଆଦୃତି ଅଛି । କର୍ମ ସଂସ୍ଥାନରେ ଯାଇଥିବା ଓଡ଼ିଆମାନେ ସମ୍ଭବତଃ ସେଠାରେ ବସବାସ କରି ସଂସ୍କୃତିର ଏହି ଦିଗଟି ପ୍ରତି ବିଶେଷ ଯତ୍ନବାନ ହୋଇଥିବାରୁ “ପାଲା” ଆସାମରେ ମଧ୍ୟ ସୁପରିଚିତ ହୋଇପାରିଛି । ବଙ୍ଗଳା ଓ ଓଡ଼ିଶାରେ ପାଲା ଆଦୃତ ହେଉଥିଲେ ବି ବଙ୍ଗଳାରେ ପାଲାର ଏ ପ୍ରକାର ପରିପାଟୀ ଦେଖିବାକୁ ମିଳେନାହିଁ । ଯେଉଁ “କଳାତ୍ମକ” ବିଭବ ବହନ କରି ପାଲା ଦର୍ଶକ ମାନସର ଅଖଣ୍ଡ-ରସ-ଉତ୍ସ ସୃଷ୍ଟି କରେ, ବଙ୍ଗଳାର କୌଣସି ଅନୁଷ୍ଠାନ ଏ ପ୍ରକାର ଗୌରବ ବହନ କରେ ନାହିଁ । ବଙ୍ଗଳାରେ ପ୍ରଚଳିତ “ପାଲା” ଓଡ଼ିଶାର “ପାଲା” ସହ ସମାନ ନୁହେଁ । ସେ ପ୍ରସଙ୍ଗରେ ପରେ ସବିଶେଷ ଆଲୋଚନା କରାଯିବ ।

 

ପାଲାର ଉଦ୍ଭବ ସମ୍ବନ୍ଧରେ ଏପର୍ଯ୍ୟନ୍ତ କେତେକ ଗବେଷକ ସେମାନଙ୍କର ସୁଚିନ୍ତିତ ମତବ୍ୟକ୍ତ କରିଛନ୍ତି । କେତେକଙ୍କ ମତରେ ପାଲା ପ୍ରଥମେ ବଙ୍ଗଳାରେ ଉଦ୍ଭବ ହୋଇ କାଳକ୍ରମେ ଓଡ଼ିଶାକୁ ପ୍ରସାରିତ ହେଲା । କବିକର୍ଣ୍ଣ ପ୍ରଥମେ ବଙ୍ଗଳା ଓ ଓଡ଼ିଆ ଭାଷାର ମିଶ୍ରଣରେ ଷୋଳପାଲା ରଚନା କରି ପ୍ରଚାର କରିଥିଲେ । କେହି କେହି କବିକର୍ଣ୍ଣଙ୍କୁ ବଙ୍ଗଦେଶର କବି ବୋଲି ଅଭିହିତ କରିଛନ୍ତି । ବଙ୍ଗଦେଶର କବିକର୍ଣ୍ଣ ଓ କବିକର୍ଣ୍ଣପୁର ନାମକ ଦୁଇଜଣ କବି ଥିଲେ । କବିକର୍ଣ୍ଣଙ୍କ ଦ୍ୱାରା ରଚିତ “ବେଙ୍ଗମା’-ବେଙ୍ଗମୀ” ପୋଥି କଲିକତା ବିଶ୍ୱବିଦ୍ୟାଳୟଦ୍ୱାରା ସଂଗୃହୀତ ହୋଇ ସଂରକ୍ଷିତ କରାଯାଇଛି । ଏହି ପୋଥିରେ ଆଦୌ ପାଲା କାହାଣୀ ନାହିଁ । ତେଣୁ ଏ କବିକର୍ଣ୍ଣ “ପାଲା” ରଚନା କରିଥିବାର କୌଣସି ପ୍ରମାଣ ନାହିଁ । କବି କର୍ଣ୍ଣପୁରଙ୍କ ନାମରେ ପ୍ରଚଳିତ କେତେକ ପାଲା ଦେଖିବାକୁ ମିଳେ । ମାତ୍ର କବିକର୍ଣ୍ଣଙ୍କ ନାମରେ ପ୍ରଚଳିତ ପାଲା ସହିତ କବି କର୍ଣ୍ଣପୁରଙ୍କ ପାଲାର କୌଣସି ସାମଞ୍ଜସ୍ୟ ବା ମେଳ ନାହିଁ । ତେଣୁ ସହଜରେ କୁହାଯାଇପାରେ ଯେ ପାଲାର ରଚୟିତା କବିକର୍ଣ୍ଣ ତୃତୀୟ ବ୍ୟକ୍ତି ଅଟନ୍ତି । ଡଃ କୁଞ୍ଜବିହାରୀ ଦାଶଙ୍କ ମତରେ ସେ ବୋଧହୁଏ ମେଦିନୀପୁରର କୌଣସି ବ୍ରାହ୍ମଣ ପରିବାରରେ ଜନ୍ମଲାଭ କରିଥିଲେ । ପରେ ପରେ ପୋଥିରୁ ଲେଖିବା ଲୋକମାନଙ୍କର ଅସାବଧାନତା ଫଳରେ ସେଥିରେ କେତେକ ଓଡ଼ିଆ ପଦ ମିଶିଯାଇଛି । କବିକର୍ଣ୍ଣଙ୍କ ଦ୍ୱାରା ରଚିତ ୧୬ ପାଲା ପାଠକଲେ ଦେଖାଯାଏ ଅନେକ ସ୍ଥଳରେ ବିଶୁଦ୍ଧ ଓଡ଼ିଆ ପଦଗୁଡ଼ିଏ ସଂଯୋଜିତ ହୋଇଚଛି । ପୋଥି ଉତାରିବା ଲୋକର ଅସାବଧାନତାରୁ ଏପରି ହୋଇନପାରେ । କବିକର୍ଣ୍ଣ ନିଜେ ଏହି ମିଶ୍ରଭାଷା ପାଲାରେ ପ୍ରୟୋଗ କରିଥିବେ ।

 

ପାଲା ଉଦ୍ଭବ ଓ ପ୍ରଚଳନ ହେବାର ବହୁକାଳ ପରେ କବିକର୍ଣ୍ଣ ୧୬ ପାଲା ରଚନା କରିଛନ୍ତି । ଏସିଆଟିକ୍ ସୋସାଇଟିଦ୍ୱାରା ସଂଗୃହୀତ କବିକର୍ଣ୍ଣଙ୍କ ବିଦ୍ୟାଧର ଓ ମନୋହର ଫାସ୍ୟାରା ପାଲାର ଏହା ୧୨୬୨ ସାଲ ମୀନ ୨୬ ଦିନ ମଙ୍ଗବାର ଶ୍ରୀ ବୀରକିଶୋର ଦେବଙ୍କ ଦ୍ୱୀତିୟ ଅଙ୍କରେ ସମ୍ପୂର୍ଣ୍ଣ ହୋଇଥିବାର ପ୍ରମାଣ ମିଳେ । ଉପରୋକ୍ତ ସମୟର ବହୁକାଳରୁ ଓଡ଼ିଶାରେ ପାଲା ପ୍ରଚଳନ ଥିବାର ଅନୁମାନ କରାଯାଏ । ସତ୍ୟ ନାରାୟଣ ପୂଜାପଦ୍ଧତି ସମାଜରେ ସୁପ୍ରତିଷ୍ଠିତ ହୋଇଥିବାରୁ ସେ ସମୟର କବିମାନେ ସତ୍ୟପୀର ପାଲା ସମ୍ବନ୍ଧୀୟ ପୁସ୍ତକ ରଚନା କରିବାରେ ପ୍ରୟାସୀ ହୋଇଛନ୍ତି । ଭୃଗୁରାମ ବଙ୍ଗଦେଶର ଜଣେ ସୁପରିଚିତ ପାଲା କବି । ତାଙ୍କ ଦ୍ୱାରା ରଚିତ “ଭ୍ରମରବର” “କଳାବତୀ”ଓ “ଲୀଳାବତୀ” ପାଲା ଦୁଇଟି ଓଡ଼ିଶାରେ ବିଶେଷ ପ୍ରସିଦ୍ଧି ଅର୍ଜନ କରିଛି । ଏହି ଦୁଇଟିର ଭାଷା ମଧ୍ୟ ମିଶ୍ର ଭାଷା ପରି ମନେହୁଏ । ଭ୍ରମରବର ପାଲାଟି କେବଳ ଓଡ଼ିଶାରେ ପ୍ରସିଦ୍ଧି ଅର୍ଜନ କରିଛି । ବଙ୍ଗଳା ପାଲାରେ ଭ୍ରମରବର ପାଲାର ନାମ ଆଦୌ ଦେଖିବାକୁ ମିଳେନାହିଁ । ଶଙ୍କରାଚାର୍ଯ୍ୟ ନାମରେ ଆଉଜଣେ ବଙ୍ଗଳା କବି “ଉଗ୍ରତାରା” ନାମକ ପାଲା ରଚନା କରି ବଙ୍ଗଳାରେ ପ୍ରସିଦ୍ଧି ଅର୍ଜନ କରିଛନ୍ତି । ଓଡ଼ିଶାରେ ସେ ପାଲାର ପ୍ରଚଳନ ନାହିଁ ।

 

“ପାଲା”ର ବିଷୟବସ୍ତୁ ପ୍ରଣେତାମାନଙ୍କ ମଧ୍ୟରୁ ଅଧିକାଂଶ ବଙ୍ଗଦେଶୀୟ ହୋଇଥିବାରୁ ପାଲା ବଙ୍ଗଳାରୁ ଓଡ଼ିଶାକୁ ଆସିଛି ବୋଲି କହିବାରେ କୌଣସି ବଳିଷ୍ଠ ଯୁକ୍ତି ନାହିଁ । ଯଦି ପାଲା ବଙ୍ଗଦେଶରୁ ଓଡ଼ିଶାକୁ ଆସିଥାନ୍ତା ତେବେ ଓଡ଼ିଶାର ପାଲା ଏତେ ସାଂସ୍କୃତିକ ହେଲାବେଳେ ବଙ୍ଗଳାର ପାଲା କାହିଁକି କେବଳ ମାନସିକ ଭୋଗ ଦେବାରେ ପର୍ଯ୍ୟବସିତ ହୋଇଛି ?

 

ଆଉ କେତେକଙ୍କ ମତରେ ବଙ୍ଗଳାର “କବି ଗାନ”ର ଅନୁକରଣ ଓଡ଼ିଶାରେ ପାଲାର ଉତ୍ପତ୍ତି ହୋଇଛି । କବି ଗାନରେ ଜଣେ ଗାୟକ ଜଣେ ବାୟକ ଓ ଦୁଇ ତିନି ଜଣ ପାଳିଆ ଥାଆନ୍ତି । ବାୟକ ଦୁଇ କାଠି ସାହାଯ୍ୟରେ ଢୋଲ ବଜାଏ । କବି ଗାନର ଯେ ଗାୟକ ତା’ର କୌଣସି ସ୍ୱତନ୍ତ୍ର ବେଶଭୂଷା ନ ଥାଏ । ସେ କେବଳ ଧୋତି ପଞ୍ଜାବୀ ପିନ୍ଧିଥାଏ । କବି ଗାନରେ ଭାଗ୍ୟ, କର୍ମ, ଧର୍ମନୀତିକୁ କେନ୍ଦ୍ର କରି ଦୃଷ୍ଠାନ୍ତ ସହ ଦୁଇ ଦଳ ଭିତରେ ପ୍ରତିଯୋଗିତା କରାଯାଏ । ବେଳେବେଳେ ଉଭୟ ପକ୍ଷର ଗାୟକ ମୁହାଁମୁହିଁ ହୋଇ ପ୍ରଶ୍ନ ଉତ୍ତର କରନ୍ତି । ଉଭୟ ଗାୟକ ସମୟେ ସମୟେ ଅପ୍ରାସଙ୍ଗିକ ଭାବରେ ମଧ୍ୟ କେତେକ କଥାରେ ଉତ୍‍ଥାପନ କରନ୍ତି । କେବଳ ଆଶୁ-କବିତ୍ୱ କବି ଗାନର ବିଶେଷତ୍ୱ । ପାଲାର ପାଳିଆ ଓ କବି ଗାନର ପାଳିଆଙ୍କ ବେଶଭୂଷା ଓ କାର୍ଯ୍ୟରେ ମଧ୍ୟ ପ୍ରାର୍ଥକ୍ୟ ଥାଏ । କବିଗାନ ପାଳିଆମାନଙ୍କ ଦ୍ୱାରା ପରିବେଶିତ ବ୍ୟଙ୍ଗ ବା ହାସ୍ୟରସ ଅତ୍ୟନ୍ତ ଲଘୁ ହୋଇଥିବାବେଳେ ପାଲାର ପାଳିଆମାନଙ୍କ ଦ୍ୱାରା ପରିବେଶିତ ହାସ୍ୟରସ ବା ବ୍ୟଙ୍ଗ ଏକାନ୍ତ ଉଚ୍ଚକୋଟୀର ଓ ପ୍ରତ୍ୟୁତ୍ପନ୍ନମତିତାର ପରିଚାୟକ । ପୁନଶ୍ଚ କବି ଗାନର କବି ଗାୟକ କେବଳ ଗୋଟିଏ ବିଷୟବସ୍ତୁକୁ ଉପସ୍ଥାପନା କଲାବେଳେ ପାଲାଗାୟକ ବିଷୟବସ୍ତୁ ଉପସ୍ଥାପନାରେ ବହୁ ଲବ୍ଧପ୍ରତିଷ୍ଠ କବିମାନଙ୍କର ରଚନାକୁ ଉଦାହରଣରୂପେ ବ୍ୟବହାର କରି ତହଁରେ ସଂଧ୍ୟା, ପ୍ରଭାତ, ରାତ୍ରି, ଋତୁ, ସମୁଦ୍ର, ମୃଗୟା, ବନ, ଉପବନ, ଉପବନ ଓ ବିହାର ଆଦି ପ୍ରକୃତି ଚିତ୍ର ପ୍ରଦାନ କରିବା ସଙ୍ଗେ ସଙ୍ଗେ ନାୟକ ଓ ନାୟିକାର ବାଲ୍ୟ, ପୌଗଣ୍ଡ, ଯୌବନ, ପୂର୍ବାନୁରାଗ, ବିପ୍ରଲମ୍ଭ, ଶୃଙ୍ଗାର ଆଦର ଚିତ୍ର ପ୍ରଦାନ କରିଥାନ୍ତି । କିନ୍ତୁ କବିର ଗାନ ଗାୟକଙ୍କଠାରେ ଏ ପ୍ରକାର ବହୁପଠିତ ଜ୍ଞାନ ଓ ଧୀଶକ୍ତି ଦେଖିବାକୁ ମିଳେ ନାହିଁ । ପାଲାମାଧ୍ୟମରେ ବିଭିନ୍ନ ରାଗରାଗୀଣି ପରିବେଷିତ ହେଉଥିବାବେଳେ କବି ଗାନରେ କେବଳ ଏକକ ସ୍ୱର ବ୍ୟବହାର କରାଯାଇଥାଏ । ପାଲା ଓ କବିର ଗାନ ମଧ୍ୟରେ ବସ୍ତୁଗତ ଓ କଳାଗତ ଏତେ ବୈଷମ୍ୟ ଥିବା ଯୋଗୁଁ କବିର ଗାନରୁ ଯେ ପାଲା ଅନୁକୃତ ହୋଇଛି, ଏକଥା କହିବାରେ ଆଦୌ ସମିଚୀନତା ନାହିଁ । ବଙ୍ଗଳାରେ କବିର ଗାନ କ୍ରମେ ନୀରସ ଓ ଶୁଷ୍କହୋଇ ଆସୁଥିବାରୁ ତାହା ଏବେ କ୍ରମେ ତର୍କ ଭାବରେ ପରିଣତ ହୋଇଛି ବୋଲି ଅଧ୍ୟାପକ ସୁକୁମାର ସେନ୍ ତାଙ୍କର ବଙ୍ଗଳା ସାହିତ୍ୟର ଇତିହାସରେ ଲେଖିଛିନ୍ତି । କିନ୍ତୁ ପାଲା ଏପର୍ଯ୍ୟନ୍ତ ତା’ର ଲୋକପ୍ରିୟତା ନ ହରାଇ ଦିନକୁ ଦିନ ଅଧିକ ପ୍ରସିଦ୍ଧି ଅର୍ଜନ କରିବାରେ ଲାଗିଛି ।

 

ଓଡ଼ିଶାରେ ହିନ୍ଦୁ ଓ ମୁସଲମାନ ଧର୍ମର ସମନ୍ୱୟରେ ପାଲାର ଉତ୍ପତ୍ତି ହୋଇଛି ବୋଲି “ହିନ୍ଦୁ ମୁସଲମାନେର ଯୁକ୍ତ ସାଧନ”ରେ କ୍ଷୀତିମୋହନ ସେନ ଓ “ବଙ୍ଗଭାଷା ସାହିତ୍ୟ”ରେ ଦିନେଶ ସେନ୍ ମତବ୍ୟକ୍ତ କରିଛନ୍ତି । ଏହି ମତବାଦକୁ ଓଡ଼ିଶାର ଐତିହାସିକ କୃପାସିନ୍ଧୁ, ଡଃ କୁଞ୍ଜବିହାରୀ ଦାଶ, ପ୍ରଫେସର ବଂଶୀଧର ମହାନ୍ତି ଓ ଅଧ୍ୟାପକ ରତ୍ନାକର ଚୟିନୀ ପ୍ରାୟ ଗ୍ରହଣ କରିନେଇଛନ୍ତି । ପାଲାରେ ସତ୍ୟପୀରଙ୍କର ମହିମା ବର୍ଣ୍ଣନା ଓ ପୂଜାପଦ୍ଧତିରେ ହିନ୍ଦୁ ଓ ମୁସଲମାନଙ୍କ ପୂଜାପଦ୍ଧତିର କେତେକ ସମନ୍ୱୟ ବା ସାମ୍ୟ ଥିବାରୁ ଉପରୋକ୍ତ ମତବାଦ ପ୍ରତିଷ୍ଠା ଲାଭ କରିଛି ।

 

ଯେତେବେଳେ ଭାରତବର୍ଷରେ ହିନ୍ଦୁ ଓ ମୁସଲମାନ ଦୁଇ ସମ୍ପ୍ରଦାୟ ମଧ୍ୟରେ ବର୍ଣ୍ଣଗତ ବିଦ୍ୱେଷ ଯୋଗୁଁ ସାମାଜିକ ସ୍ଥିତି ବିପର୍ଯ୍ୟସ୍ତ ହୋଇ ଚରମ ହିଂସାରେ କରାଳ ଗ୍ରାସରେ ଉଭୟ ସମ୍ପ୍ରଦାୟ ନିପତିତ ହେଲେ ସେତେବେଳେ ଉଭୟ ସମ୍ପ୍ରଦାୟରୁ କେତେକ ଉଦାରଚେତା ସନ୍ଥ ଉଭୟ ସମ୍ପ୍ରଦାୟ ମଧ୍ୟରେ ସଦ୍ଭାବ ପ୍ରତିଷ୍ଠା ପାଇଁ ପ୍ରଯତ୍ନ କଲେ । ସ୍ୱାର୍ଥ ଓ ଧର୍ମାନ୍ଧତା ସବୁ ଯୁଗର ମଣିଷକୁ ପଶୁ କରିଦେଇଛନ୍ତି । ଧର୍ମ ନାମରେ ଆଦର୍ଶର ଲମ୍ବା ଲମ୍ବା କଥା କହି ଧର୍ମରକ୍ଷା ନାମରେ ମଣିଷ ପଶୁପରି ମଣିଷକୁ ହତ୍ୟା କରୁଛି । ସଭ୍ୟତାର ଇତିହାସରେ ଏହାର ଦୃଷ୍ଠାନ୍ତ ବିରଳ ନୁହେଁ । ଅନ୍ୟ ଧର୍ମକୁ ସମ୍ମାନ ଦେବାରେ ହିନ୍ଦୁଧର୍ମ କେବେ କାର୍ପଣ୍ୟ ପ୍ରକାଶ କରିନାହିଁ । ସନାତନ ହିନ୍ଦୁ ଧର୍ମର ଉଦାରତା, ମହାସମୁଦ୍ର ପରି ବହୁ ଧର୍ମ-ନଦୀକୁ ନିଜ ଅଙ୍ଗରେ ମିଶାଇ ଦେଇଛି ।

 

ହିନ୍ଦୁ ଓ ମୁସଲମାନଙ୍କର ବାସଭୂମି ଏକ ହୋଇଥିବାରୁ ଓ ପରିସ୍ଥିତିର ଚାପରେ ପଡ଼ି ଅନେକ ହିନ୍ଦୁ ମୁସଲମାନ ଧର୍ମ ଗ୍ରହଣ କରିଥିବାରୁ ପରସ୍ପର ଏହି ସଂଘର୍ଷ ମନୋବୃତ୍ତିକୁ ଶିଥିଳ କରି ଉଭୟଙ୍କ ଭିତରେ ସହାବସ୍ଥାନ ଏକ ପ୍ରକୃଷ୍ଟ ସମନ୍ୱୟ ମାର୍ଗରେ ଯାତ୍ରୀ ହେଲେ । ଧର୍ମର ସଂକୀର୍ଣ୍ଣତା ଭିତରୁ ମୁକ୍ତ ହୋଇ ଉଭୟ ସମ୍ପ୍ରଦାୟର ସନ୍ଥମାନେ ରାମ ଓ ରହିମ୍ ଏକ ବୋଲି ପ୍ରଚାର କରିବା ଆରମ୍ଭ କଲେ । ଫଳରେ ହିନ୍ଦୁ ଓ ମୁସଲମାନ ଉଭୟଙ୍କ ସାଧନାର ଧାରା ମିଳିତ ହେଲା । ଆକବରଙ୍କର ଦିନ୍‌-ଇ-ଲାହି ଏ ମାର୍ଗରେ ଅନେକ ସହାୟତା କଲା । ମୁସଲମାନ ସାଧକ ଓ ହିନ୍ଦୁ ସାଧକମାନେ ଉଭୟ ସମ୍ପ୍ରଦାୟରୁ ଶିଷ୍ୟ ଗ୍ରହଣ କରି ଯେଉଁ ଉଦାରତା ଦେଖାଇଲେ ତାହା କ୍ରମେ ସାମ୍ପ୍ରଦାୟିକତା ହ୍ରାସ କରିବାରେ ସାହାଯ୍ୟ କଲା । ବହ୍ଲଭାଚାର୍ଯ୍ୟଙ୍କ ସମ୍ପ୍ରଦାୟରେ ଯୋଗଦେଇ ବହୁ ମୁସଲମାନ ଭକ୍ତ ଗୁରୁସ୍ଥାନ ଅଧିକାର କରି ବହ୍ଲଭାଚାର୍ଯ୍ୟଙ୍କର ମତବାଦ ପ୍ରଚାର କରିବାରେ ଦୃଷ୍ଟାନ୍ତ ଦେଖିବାକୁ ମିଳେ । ଏ ପ୍ରକାର ବୈଷ୍ଣବମାନଙ୍କୁ ସେତେବେଳେ ଖୋଜା ନାମରେ ନାମିତ କରାଯାଇଥିଲା । ଖୋଜାମାନେ ଇସ୍‍ଲାମ ଧର୍ମର କେତେକ ନିୟମ ପାଳନ କରିବା ସଙ୍ଗେ ସଙ୍ଗେ ହିନ୍ଦୁ ଆଚାର ଓ ଦେବତା ପୂଜା ମଧ୍ୟ କରୁଥିଲେ । ହିନ୍ଦୁ ଧର୍ମର ବହୁ ବିଖ୍ୟାତ ପର୍ବପର୍ବାଣୀ ଏମାନେ ଆଡ଼ମ୍ବର ସହକାରେ ପାଳନ କରୁଥିଲେ ।

 

ରାଜପୁତାନା ଓ ଗୁଜୁରାଟର ମେଓ ଓ ମରାସିରା, କାକାପନ୍ଥୀ ଇମାମସାହୀ ଓ ମୌଲା ଇସ୍‍ଲାମୀମାନେ ଏହି ଖୋଜା ଶ୍ରେଣୀର ଅନ୍ତର୍ଭୁକ୍ତ । ରାଜପୁତାନାରେ ମେଓ ଓ ମରାସିସମାନେ ହିନ୍ଦୁମାନଙ୍କର ଦେବଦେବୀ ମନ୍ଦିରରେ ଗାୟକ କାର୍ଯ୍ୟ ସମ୍ପାଦନା କରନ୍ତି । ସାମସୀ ସମ୍ପ୍ରଦାୟ ହିନ୍ଦୁର ଗୀତା ଓ ମୁସଲମାନଙ୍କର କୋରାନକୁ ସମ୍ମାନ ଦିଅନ୍ତି ଓ ମାନନ୍ତି ମଧ୍ୟ । ରସୁଲସାହିମାନେ ହିନ୍ଦୁ-ତନ୍ତ୍ର ମତ ଅନୁସାରେ ସାଧନ କରନ୍ତି । ଆଜମୀରର ମୌନୁଦ୍ଦିନ ସମ୍ପ୍ରଦାୟର ଓ କାଶ୍ମୀରର ଉର୍ତ୍ତରୀ ସମ୍ପ୍ରଦାୟ ଗେରୁଆ ବସ୍ତ୍ର ପରିଧାନ କରି ହିନ୍ଦୁ ଆଚାର ଅନୁସାରେ ଚଳନ୍ତି । ମାତ୍ର ସେମାନେ ମୁସଲମାନ ସନ୍ଥଙ୍କୁ ଗୁରୁରୂପେ ଗ୍ରହଣ କରିଥାନ୍ତି । ନିଜାମୁଦ୍ଦିନଙ୍କ ଦରଘାରେ ହିନ୍ଦୁ ଓ ମୁସଲମାନ ଉଭୟ ସମ୍ପ୍ରଦାୟ ଏକାଠି ଉପାସନା କରିଥାନ୍ତି । ଏ ଦୃଷ୍ଟାନ୍ତ ମଧ୍ୟ ଓଡ଼ିଶାରେ ବିରଳ ନୁହେଁ ।

 

ସିନ୍ଧୁ ପ୍ରଦେଶର ସୁଫି ସମ୍ପ୍ରଦାୟର କବିମାନେ ହିନ୍ଦୁ ଓ ମୁସଲମାନ ଉଭୟ ସମ୍ପ୍ରଦାୟଦ୍ୱାରା ଆଦୃତ ଓ ସମ୍ମାନିତ ହୋଇଥାନ୍ତି । ତନ୍ତ୍ର ସାଧନାରେ ବ୍ରତୀ ହୋଇଥିବା ମୁସଲମାନମାନେ ହିନ୍ଦୁର ମଣ୍ଡଳପୂଜାକୁ ସ୍ୱକାର କରିନ୍ତି । କେତେକ ମୁସଲମାନ ଶାସକ ଉଦାରତା ବଳରେ ହିନ୍ଦୁ ମନ୍ଦିର ଓ ସଂସ୍କୃତି ରକ୍ଷଣା ବେକ୍ଷଣା ପାଇଁ ରାଜକୋଷ ଉନ୍ନୁକ୍ତ କରିଦେଇ ସମନ୍ୱୟ ପଥ ପରିଷ୍କାର କରିଦେଇଥିଲେ ।

 

ଏ ଦିଗରେ ମହାତ୍ମା କବିରଙ୍କର ଦାନ ଅବିସ୍ମରଣୀୟ । କବିର ମୁସଲମାନ ସମ୍ପ୍ରଦାୟର ସାଧକ ହୋଇଥିଲେ ମଧ୍ୟ ସେ ଉଭୟ ଦେବତାଙ୍କୁ ଏକ ବୋଲି କହୁଥିଲେ । ତାଙ୍କ ମତରେ ଇଶ୍ୱର ମନ୍ଦିର କିମ୍ବା ମସ୍‍ଜିଦ ମଧ୍ୟରେ ଆବଦ୍ଧ ନୁହେଁ । ହିନ୍ଦୁର ଶୂନ୍ୟବାଦ ଅନୁସାରେ ସେ କହୁଥିଲେ “ଈଶ୍ୱର ଜଗତର ସବୁ ବସ୍ତୁରେ ବା ସବୁ ଘଟରେ ବିଦ୍ୟମାନ” । ଭଗବାନ ସବୁ ମଣିଷକୁ ସୃଷ୍ଟି କରିଛନ୍ତି ;ସେ କୌଣସି ସମ୍ପ୍ରଦାୟ ସୃଷ୍ଟି କରିନାହାଁନ୍ତି । ସାମ୍ପ୍ରଦାୟିକତା ମାନବ ସୃଷ୍ଟି । ସାମ୍ପ୍ରଦାୟିକତାରୂପୀ କୀଟ ଧର୍ମରୂପୀ ସୁନ୍ଦର ଫୁଲକୁ ନଷ୍ଟ କରିଦିଏ । ମଣିଷ ମଣିଷ ଭିତରେ ପାର୍ଥକ୍ୟ ଦେଖବା ନିର୍ବୋଧତା ମାତ୍ର । ସବୁ ମଣିଷଙ୍କ ଦେହ ପଞ୍ଚମହାଭୂତରେ ଗଠିତ ଓ ସବୁ ଦେହରେ ବିଶ୍ୱାତ୍ମା ବିଦ୍ୟମାନ । ଭଗବାନ ସମସ୍ତଙ୍କୁ ମଣିଷ ରୂପରେ ଜନ୍ମ ଦେଇଛନ୍ତି । ମଣିଷ ତା’ ଭିତରେ ଏତେ ଭେଦଭାବ ସୃଷ୍ଟି କରି ଈଶ୍ୱରଙ୍କ ନାମକୁ କଳଙ୍କିତ କରୁଛି ମାତ୍ର ।”

 

କବିର ଉଭୟ ସଂସ୍କୃତି ମିଳନର ପଟ୍ଟପୁରୋଧା । ସେ ଉଭୟ ସମ୍ପ୍ରଦାୟ ମଧ୍ୟରେ ବିଶେଷ ଆଦର ଲାଭ କରିଥିଲେ । ତାଙ୍କ ମୃତ୍ୟୁ ପରେ ତାଙ୍କ ଶବକୁ ଦାବି କରି କଳହ ହେଲାବେଳେ ସେ ଶବ ଅନ୍ତର୍ଦ୍ଧାନ ହୋଇଯାଇଥିଲା ବୋଲି କିମ୍ବଦନ୍ତୀ ଶୁଣାଯାଏ । ଧର୍ମଗତ ଉଦାରତା ଯୋଗୁଁ ସେ ମୁସଲମାନ ସାଧକ ହୋଇଥିଲେ ବି ଉଭୟ ଜାତିର ଲୋକମାନେ ତାଙ୍କ ଶବ ଉପରେ ଦାବି ଉପସ୍ଥାପନା କରିଥିବା ନିଃସନ୍ଦେହ ।

 

ଚୈତନ୍ୟ ଏହି ସମନ୍ୱୟ ପ୍ରବାହକୁ ଆହୁରି ପ୍ରଖର କରିଦେଲେ । ସେ ମୁସଲମାନ ସମ୍ପ୍ରଦାୟରୁ ଅନେକ ଶିଷ୍ୟ ଗ୍ରହଣ କରି ସନାତନ ହିନ୍ଦୁ ଧର୍ମର ଉଦାରତା ପ୍ରମାଣ କରିଦେଲେ । ଚୈତନ୍ୟଙ୍କ ପ୍ରଭାବରେ ବଙ୍ଗ ନବାବଙ୍କ ଅଧୀନରେ ଚାକିରି କରୁଥିବା ଅନେକ ମୁସଲମାନ ପଣ୍ଡିତ ନବାବଙ୍କ ଆଦେଶକୁ ନ ମାନି ରାତିରେ ଚୈତନ୍ୟଙ୍କୁ ନିଭୃତରେ ଭେଟି ଉପଦେଶ ମାଗିଥିଲେ । ଅନେକ ମୁସଲମାନ ଆଲ୍ଲାଙ୍କ ସହ କୃଷ୍ଣନାମ ଗାନ କରି ଧର୍ମାନ୍ଧତା ଓ ସଂକୀର୍ଣ୍ଣତାକୁ ପରିହାର କରିଥିଲେ ।

 

ମହାପୁରୁଷ ନାନକ ଉଭୟ ସମ୍ପ୍ରଦାୟ ମଧ୍ୟରେ ସମନ୍ୱୟ ପ୍ରତିଷ୍ଟା ପାଇଁ ଚେଷ୍ଟା କରି ସଫଳ ହୋଇଥିଲେ । ସେ ମଧ୍ୟ ମୁସଲମାନ ସମ୍ପ୍ରଦାୟରୁ ଅନୁଗତମାନଙ୍କୁ ଉପଦେଶ ଦେଇ ନିଜ ଶିଷ୍ୟମାନଙ୍କ ସହ ସେମାନଙ୍କୁ ସମାନ ଆସନରେ ଅଧିକାରୀ କରାଇଥିଲେ । ଏହି ମହାପୁରୁଷମାନଙ୍କର ପ୍ରଚେଷ୍ଟା ଫଳରେ ଉଭୟ ସମ୍ପ୍ରଦାୟ ଭିତରେ ଥିବା ଧର୍ମଗତ ବୈରତା କ୍ରମେ ଅପସରି ଯିବାକୁ ଲାଗିଲା । ଅନେକ ସାମାଜିକ ଅନୁଷ୍ଠାନମାନଙ୍କରେ ଉଭୟ ସମ୍ପ୍ରଦାୟ ଭ୍ରାତୃସୁଲଭ ମନୋବୃତ୍ତିରେ ମିଳିତ ହେଲେ । ଷୋଡ଼ଶ ଶତାବ୍ଦୀରେ ଦାଦୁ ମଧ୍ୟ ଏ ଉଭୟ ଗୋଷ୍ଟୀଙ୍କୁ ଭ୍ରାତୃତ୍ୱ ପାଶରେ ବନ୍ଧନ କରିବାରେ ସଫଳ ପ୍ରଚେଷ୍ଟା କରିଥିଲେ । ଏହା ଫଳରେ ଅଷ୍ଟାଦଶ ଶତାବ୍ଦୀର ହିନ୍ଦୁ-ଗୁରୁ ପ୍ରାଣନାଥ ଉଭୟ ସମ୍ପ୍ରଦାୟଠାରୁ ଗୁରୁ-ସମ୍ମାନ ଲାଭ କରିଥିଲେ । ସିନ୍ଧୁ ପ୍ରଦେଶର ସାହାବାଡ଼ର ଦରିଆସାହେବ ଉଭୟ ହିନ୍ଦୁ ମତରେ ଓଁ କାର-ତତ୍ତ୍ୱ ସାଧନା କରି ରାମ ନାମ ଗାନ କରୁଥିଲେ । ଏତଦବ୍ୟତୀତ ଅନେକ ତତ୍କାଳୀନ ସନ୍ଥକବି ସେମାନଙ୍କ ରଚନାରେ ଉଭୟ ସମ୍ପ୍ରଦାୟର ଦେବତାଙ୍କୁ (ରାମ ଓ ରହିମଙ୍କୁ ) ଏକ ଓ ଅଭିନ୍ନ ବୋଲି ପ୍ରତିପାଦନ କରିବାକୁ ଲାଗିଲେ । ସପ୍ତଦଶ ଶତାବ୍ଦୀରେ ଲିଖିତ “ସତ୍ୟପୀର ପାଞ୍ଚାଲୀ”ରେ ଏହି ମିଳନ ଚିତ୍ର ନିବୃତ ହୋଇଛି । ଷୋଡ଼ଶ ଶତାବ୍ଦୀରେ ବଙ୍ଗଳାର ନବାବ ହୋସେନ୍ ସାହା ଉଭୟ ସଂସ୍କୃତିର ମିଳନ ଲାଗି ପ୍ରଯତ୍ନ କରିଥିଲେ । ଏ ପ୍ରକାର ପ୍ରଚେଷ୍ଟା ନବାବଙ୍କ ଆଡ଼ୁ ହୋଇଥିବାରୁ ମୁସଲମାନ ଠାକୁରଙ୍କୁ ହିନ୍ଦୁ ଠାକୁର ଅପେକ୍ଷା ଅଧିକ କ୍ଷମତାପନ୍ନ ବୋଲି ପ୍ରମାଣ କରିବା ପାଇଁ ପ୍ରଚେଷ୍ଟା କରାଗଲା । କୌଣସି ହିନ୍ଦୁ ମୁସଲମାନ ଠାକୁରଙ୍କୁ ଅବମାନନା କଲେ ବା ପ୍ରତ୍ୟୟ ନ କଲେ ସେ ଚତୁର୍ଭୂଜ ଧାରଣ କରି ଶଙ୍ଖ, ଚକ୍ର, ଗଦା, ପଦ୍ମଦ୍ୱାରା ପରିଶୋଭିତ ହୋଇ ଦର୍ଶନ ଦେଉଥିଲେ ବୋଲି ପ୍ରଚାର କରାଗଲା । ଏହାଫଳରେ ନବାବ ହୋସେନ୍ ସାହା ମଧ୍ୟ ପରୋକ୍ଷରେ ମୁସଲମାନ ଠାକୁର ଓ ବିଷ୍ଣୁ ଏକ ଓ ଅଭିନ୍ନ ବୋଲି ପ୍ରତିପାଦନ କଲେ ।

 

ଏହି ମହାମିଳନ ସ୍ରୋତ ଦିନକୁ ଦିନ ପୁଷ୍ଟ ହୋଇ ତାହା କ୍ରମେ ନିଜର ଗତିପଥ ଦୃଢ଼ କରିବାରେ ଲାଗିଲା । ଉଭୟ ସମ୍ପ୍ରଦାୟଙ୍କ ମଧ୍ୟରେ କ୍ରମେ ଉଦାର ଭାବ ପ୍ରକଟ ହେବାରୁ ଅନ୍ଧବିଶ୍ୱାର ବଶବର୍ତ୍ତୀ ନ ହୋଇ ପରସ୍ପରଠାରୁ ଅନେକ ଭାବ ଓ ନୀତି ଗ୍ରହଣ କଲେ । ଯାହା ସାର୍ବଜନୀନ ସତ୍ୟ ତାହା କେବେ ବିଲୟ ହୁଏ ନାହିଁ । ମିଥ୍ୟା ପ୍ରଚାରର ଘନଘଟା ଭିତରେ କ୍ଷଣକାଳ ପାଇଁ ଆତ୍ମଗୋପନ କଲେ ବି ସତ୍ୟ ସବୁଦିନ ଶରଚ୍ଚନ୍ଦ୍ର ପରି ବିମଳଜ୍ୟୋତ୍ସ୍ନରେ ଉଦ୍ଭାସିତ ହୋଇ ପ୍ରକଟିତ ହୁଏ । ଉଭୟ ସମ୍ପ୍ରଦାୟ ଯେତେବେଳେ ଉଭୟଙ୍କ ଦେବତାଙ୍କୁ ଏକ ଓ ଅଭିନ୍ନ ବୋଲି ସ୍ୱୀକାର କଲେ ସେତେବେଳେ ଏକ ଆସ୍ଥାନରେ ବା ସିଂହାସନରେ ଉଭୟେ ପୂଜା କରିବା ପାଇଁ ଆଉ କିଛି ପ୍ରତିବନ୍ଧକ ରହିଲା ନାହିଁ । ଭାଗବତ ଓ ଧର୍ମମତର ଐକ୍ୟ ହେତୁ ଉଭୟଙ୍କ ମଧ୍ୟରୁ ଅବିଶ୍ୱାସ ଦୂର ହେବା ସଙ୍ଗେ ସଙ୍ଗେ ସଂଘର୍ଷ ଓ ବୈଷମ୍ୟ ଲୋପ ପାଇଲା ।

 

ସତ୍ୟପୀରଙ୍କ ଉତ୍ପତ୍ତି ହେଲା କିପରି

 

ବହୁ ପ୍ରାଚୀନ କାଳରୁ ସତ୍ୟନାରାୟଣ ପୂଜା ପଦ୍ଧତି ହିନ୍ଦୁମାନଙ୍କ ମଧ୍ୟରେ ଚଳି ଆସୁଥିଲା । ସ୍କନ୍ଧପୁରାଣ ରେବାଖଣ୍ଡରେ ସତ୍ୟନାରାୟଣ ପ୍ରସଙ୍ଗ ୪ଟି ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି । କେତେକଙ୍କ ମତରେ ଏହି ପୂଜା ପ୍ରକରଣ ଭବିଷ୍ୟ ପୁରାଣରୁ ସ୍କନ୍ଧପୁରାଣରୁ ଆସିଛି-। ସ୍କନ୍ଦପୁରାଣର ବର୍ଣ୍ଣନା ଅନୁସାରେ ଭଗବାନ ସତ୍ୟନାରାୟଣ ନିଜ ପୂଜା ସମ୍ବନ୍ଧରେ ନାରଦଙ୍କୁ, ନାରଦ ଶୁକଙ୍କୁ ଓ ଶୁକ ନୈମିଷାରଣ୍ୟରେ ସନକ ଆଦି ମହାମୁନିଙ୍କୁ କହିଥିଲେ । ସତ୍ୟନାରାୟଣ ଏହି ବ୍ରତକଥା ନିଜେ ବୃଦ୍ଧ ବ୍ରାହ୍ମଣ ବେଶରେ ଆସି କାଶିପୁରରେ ବାସକରୁଥିବା ଜନୈକ ଦରିଦ୍ର ବ୍ରାହ୍ମଣ ଆଗରେ ଆସି ପ୍ରକାଶ କରିଥିଲେ । ଦାରିଦ୍ର ନିପୀଡ଼ିତ ବ୍ରାହ୍ମଣ ବୃଦ୍ଧ ବ୍ରାହ୍ମଣଙ୍କଠାରୁ ସତ୍ୟନାରାୟଣର ପୂଜାପଦ୍ଧତି ଅବଗତ ହୋଇ ଭିକ୍ଷାଲବ୍ଧ ଧନରେ ସତ୍ୟନାରାୟଣଙ୍କୁ ପୂଜା କରନ୍ତେ ପ୍ରଭୁଙ୍କ ମହିମାରୁ ତା’ର ଦାରିଦ୍ର ଦୂରୀଭୂତ ହେଲା । ସ୍କନ୍ଧପୂରାଣରେ ସତ୍ୟନାରାୟଣପୂଜା ସମ୍ବନ୍ଧରେ ଯେଉଁ ଚାରିଟି କାହାଣୀ ଦେଖିବାକୁ ମିଳେ, ଏ କହାଣୀଟି ତନ୍ମଧରୁ ଗୋଟିଏ । ପ୍ରଥମ ଅଧ୍ୟାୟରେ ଏ କାହାଣୀ ବିବୃତ ହୋଇଛି ।

 

୨ୟ ଅଧ୍ୟାୟରେ ବର୍ଣ୍ଣନା ଅନୁସାରେ କାଶୀପୂରର ପୂର୍ବ ବର୍ଣ୍ଣିତ ବ୍ରାହ୍ମଣ ଆଉଦିନେ ପୂଜା କଲାବେଳେ ତୃଷାର୍ତ୍ତ ଓ କ୍ଷୁଧାର୍ତ୍ତ ହୋଇ କାଷ୍ଠକେତୁ ନାମକ ଏକ କାଠୁରିଆ ବ୍ରାହ୍ମଣ ଘରେ ପହଞ୍ଚିଲା । ବ୍ରାହ୍ମଣଙ୍କଠାରୁ ସତ୍ୟନାରାୟଣଙ୍କ ବ୍ରତବିଧାନ ଶ୍ରବଣ କରି ସେ କାଠୁରିଆ ପ୍ରସାଦ ସେବନ କରି ନିଜ ଘରକୁ ଫେରିଗଲା । ପରମ ବିଶ୍ୱାସରେ ବନ୍ଧୁବର୍ଗଙ୍କୁ ନିମନ୍ତ୍ରଣ କରି ସେ ସତ୍ୟନାରାୟଣଙ୍କୁ ପୂଜା କରନ୍ତେ ପ୍ରଭୃଙ୍କ ଦୟାରୁ କ୍ରମେ ତା’ର ଦାରିଦ୍ର‌୍ୟ ଦୂର ହେଲା ।

 

ତୃତୀୟ ଅଧ୍ୟାୟରେ ବର୍ଣ୍ଣିତ ଅଛି ଯେ ଉଲ୍‍କାମୁଖ ନାମରେ ଜଣେ ବଳବାନ ରାଜା ଥିଲେ । ସେ ସପତ୍ନୀଙ୍କ ସହ ସତ୍ୟନାରାୟଣ ବ୍ରତ କରଥିଲେ । ଏକଦା ରାଜା ନିକଟରେ ଜଣେ ନିଃସନ୍ତାନ ବଣିକ ପହଞ୍ଚି ରାଜାଙ୍କଠାରୁ ବ୍ରତ ମାହାତ୍ମ୍ୟ ଶୁଣି ସନ୍ତାନ ପ୍ରାପ୍ତି ହେଲେ, ପୂଜା କରିବା ପାଇଁ ପ୍ରତିଜ୍ଞା କଲା । ବଣିକର ସ୍ୱପତ୍ନୀ ଲୀଳାବତୀ ଉଦରରୁ କିଛିଦିନ ପରେ ସୁଲକ୍ଷଣୀ କନ୍ୟାଟିଏ ଜାତ ହେଲା । ସେ ଝିଅର ନାମ ଦିଆଗଲା କଳାବତୀ । କନ୍ୟାପ୍ରାପ୍ତି ହେବାରୁ ପତ୍ନୀ ସ୍ୱାମୀଙ୍କୁ ନାରାୟଣ ବ୍ରତ କଥା ମନେପକାଇ ଦେଲା । ସାଧବ କନ୍ୟାର ବିବାହ ସମୟରେ ନାରାୟଣ ପୂଜା କରିବ ବୋଲି କହିଲା । କଳାବତୀ ଯୌବନରେ ପଦାର୍ପଣ କରନ୍ତେ ସାଧବ କାଞ୍ଚନପୁର ନିବାସୀ ଜଣେ ବଣିକ ପୁତ୍ର ସହ ନିଜ କନ୍ୟାର ବିବାହ କାର୍ଯ୍ୟ ସମ୍ପାଦନ କଲା । କିନ୍ତୁ ନାରାୟଣ ପୂଜାକଥା ଭୁଲି ଯାଇଥିବାରୁ ଆଉ ପ୍ରତିଜ୍ଞା ରକ୍ଷା କରିପାରିଲା ନାହିଁ ।

 

କନ୍ୟାର ବିବାହ ପରେ ସାଧବ ସ୍ୱସମ୍ପତ୍ତି ଜାମାତା ଓ କନ୍ୟାଙ୍କ ହାତରେ ଅର୍ପଣ କରି ଜାମାତା ସହ ରତ୍ନାକର ନାମକ ଦ୍ୱୀପକୁ ଯାଇ ବାଣିଜ୍ୟ କଲା ଓ ତଦ୍‍ଲବ୍ଧ ଅର୍ଥରେ ପ୍ରାସାଦ ନିର୍ମାଣ କରି ଖୁସିରେ ରହିଲା । ସତ୍ୟନାରାୟଣଙ୍କୁ ପୂଜା ନ ଦେବାରୁ ସତ୍ୟନାରାୟଣ ଅଭିଶାପ ଦେଲେ,‘‘ତୋର ମହାଦୁଃଖ ଉପସ୍ଥିତ ହେଉ ।” ଦିନେ ଗୋଟିଏ ଚୋର ସେ ଦେଶର ରାଜା ଚନ୍ଦ୍ରକେତୁଙ୍କ ଘରୁ ଚୋରିକରି ଦିନ ହୋଇଯିବାରୁ ଧରାପଡ଼ିଯିବା ଭୟରେ ଲୁଣ୍ଠିତ ସମ୍ପତ୍ତି ସାଧବ ଘରେ ପକାଇ ଦେଇ ପଳାଇଲା । ରାଜାଙ୍କ ସିପାହୀମାନେ ସାଧବ ଘରୁ ସେହି ଧନରତ୍ନ ଠାବ କରିବାରୁ ତାକୁ ଚୋର ବୋଲି ଭାବି ଜାମାତା ସହ ସାଧବକୁ ବାନ୍ଧି ନେଲେ । ରାଜା ସାଧବର ଧନ ବାଜ୍ୟାପ୍ତି କରିଦେଇ ଶ୍ୱଶୁର ଜ୍ୱାଇଁ ଉଭୟଙ୍କୁ କାରାରୁଦ୍ଧ କଲେ । ଏଣେ ସାଧବର ନିଜ ଗ୍ରାମରେ ତା’ ସ୍ତ୍ରୀ ଓ ଝିଅ ନିକଟରେ ଥିବା ଧନ ବି ଚୋରି ହୋଇଗଲା । ସେମାନେ ରୋଗାର୍ତ୍ତ ହୋଇ ଭିକ୍ଷାବୃତ୍ତି ଅବଲମ୍ବନ କଲେ । ଦିନେ ଭିକ୍ଷା କରି ବୁଲୁ ବୁଲୁ ଜନୈକ ବ୍ରାହ୍ମଣ ଘରେ ସତ୍ୟନାରାୟଣ ବ୍ରତ ହେଉଥିବା ଦେଖି ବ୍ରତର ସମସ୍ତ ବିଧାନ ଶୁଣିଲେ ଓ ସେ ବ୍ରତ ଆରମ୍ଭ କଲେ । ଫଳରେ ସତ୍ୟନାରାୟଣ ସନ୍ତୁଷ୍ଟ ହୋଇ ରାଜା ଚନ୍ଦ୍ରକେତୁଙ୍କୁ ସ୍ୱପ୍ନରେ ଦେଖାଦେଇ ସାଧବର ସମସ୍ତ ପୂର୍ବ କାହାଣୀ ବର୍ଣ୍ଣନା କଲେ । ସ୍ୱପ୍ନ ଆଦେଶକୁ ସତ୍ୟ ମଣି ଚନ୍ଦ୍ରକେତୁ ନିର୍ଦ୍ଦୋଷ ସାଧବ ଓ ତା’ ଜ୍ୱାଇଁକୁ କାରାଗାରରୁ ମୁକ୍ତ କରିଦେଲେ ଓ ନିରପରାଧକୁ ଦଣ୍ଡ ଦେଇଥିବାରୁ ତାଙ୍କୁ ଦ୍ୱିଗୁଣୀତ ଧନ ଦେଇ ଫେରାଇ ଦେଲେ । ଏମାନେ ଧନ ନେଇ ଫେରିବାବେଳେ ସତ୍ୟନାରାୟଣ ଦଣ୍ଡୀ ବେଶ ଧରି ସାଧବକୁ ପରୀକ୍ଷା କଲେ । ଦଣ୍ଡୀ ପଚାରିଲେ,‘‘ଏ ନୌକାରେ କ’ଣ ଅଛି ?” ସାଧବ ମନରେ ବିଚାରିଲା, ଏ ଦଣ୍ଡୀ ବୋଧେ ଛଦ୍ମବେଶୀ କେହି ଡାକୁ ସର୍ଦ୍ଦାର । ସତକଥା କହିଲେ ଅନୁଚରମାନଙ୍କ ସହ ଆକ୍ରମଣ କରି ତା’ର ଧନ ନେଇଯିବ । ତେଣୁ ସାଧବ ମିଛରେ କହିଲା, “ଏ ଡଙ୍ଗାରେ କେବଳ ଔଷଧଯୋଗ୍ୟ ଲତାପତ୍ର ପୂର୍ଣ୍ଣ ହୋଇଛି ।” ଏହାଶୁଣି ଦଣ୍ଡୀ କହିଲା ଠିକ୍ ଅଛି । ସାଧବ ଦେଖିଲା ଡଙ୍ଗାରେ ଥିବା ଧନରତ୍ନ ଉଭେଇ ଯାଇ କେବଳ ଲତାପତ୍ର ପୂର୍ଣ୍ଣ ହୋଇଛି । ସାଧବ କାନ୍ଦି କାନ୍ଦି ନିଜ ଜାମାତା ସହ ଦଣ୍ଡୀଙ୍କ ପାଦରେ ପଡ଼ି କ୍ଷମା ମାଗିବାରୁ ଦଣ୍ଡୀ ସାଧବକୁ ସତ୍ୟନାରାୟଣ ବ୍ରତ ଭଙ୍ଗ କଥା ମନେପକାଇ ଦେଲେ ଓ ସେହି କାରଣରୁ ଏତେ ଦୁଃଖ ପାଇବା କଥା କହିଲେ । ସାଧବ ଦଣ୍ଡୀଙ୍କ ନିକଟରେ ପ୍ରତିଜ୍ଞା କଲା “ଏଥର ମୁଁ ଘରେ ପହଞ୍ଚିଲେ ସତ୍ୟନାରାୟଣ ବ୍ରତ ବିଧାନ ଅନୁସାରେ କରିବି ।” ଦଣ୍ଡୀ ବେଶଧାରୀ ସତ୍ୟନାରାୟଣ ସାଧବ ଉପରେ ଖୁସି ହୋଇ ତା’ର ଧନ ରତ୍ନ ଫେରାଇ ଦେଲେ । ସାଧବ ଜାମାତା ସହ ଆସି ନିଜ ରାଜ୍ୟରେ ପହଞ୍ଚି କୂଳରେ ବୋଇତ ବାନ୍ଧି ଘରକୁ ଖବର ପଠାଇଲା ।

 

ସାଧବର ସ୍ତ୍ରୀ ଓ ଝିଅ ସତ୍ୟନାରାୟଣ ବ୍ରତ କରୁଥିଲେ । ସାଧବ ଆସିବା ଖବର ପାଇ ଉଭୟେ ତରତର ହୋଇ ସେମାନଙ୍କୁ ଭେଟିବା ପାଇଁ ଆସିଲେ । ଘରୁ ତରତରରେ ଆସିବାବେଳେ ସାଧବର ସ୍ତ୍ରୀ ନାରାୟଣଙ୍କର ପ୍ରସାଦ ସେବନ କରି ଆସିଲା, ମାତ୍ର ଝିଅ ପ୍ରସାଦ ସେବନ କରିବାକୁ ଭୁଲିଯାଇ ଆସି ନଦୀକୂଳେ ପହଞ୍ଚିଲା । ଅନ୍ତର୍ଯ୍ୟାମୀ ସତ୍ୟନାରାୟଣ ସାଧବକନ୍ୟାର ଏପ୍ରକାର ଅବମାନନା ପାଇଁ ମାୟାରେ ତା’ ସ୍ୱାମୀ ସହ ଡଙ୍ଗାକୁ ବୁଡ଼ାଇ ଦେଲେ । ସାଧବ ଓ ସ୍ତ୍ରୀ ଏ କଥା ଦେଖି ଏକାନ୍ତ ଆଶ୍ଚର୍ଯ୍ୟ ହେଲେ । ସାଧବକନ୍ୟା ଶୋକରେ ଅଧୀରା ହୋଇ ସେହି ନଦୀ ଗର୍ଭରେ ଝାସ ଦେଇ ଆତ୍ମହତ୍ୟା କରିବାକୁ ବାହାରିଲା । ଠିକ୍ ଏତିକିବେଳେ ସତ୍ୟନାରାୟଣଙ୍କ ପ୍ରସାଦକୁ ଅବମାନନା କରଥିବାରୁ ଏପ୍ରକାର ଦୁର୍ଯ୍ୟୋଗ ଘଟିଲା ବୋଲି କହିଲେ । ସାଧବଝିଅ ବ୍ରାହ୍ମଣଙ୍କ ଉପଦେଶ କ୍ରମେ ଘରକୁ ଫେରିଆସି ଭକ୍ତି ଓ ବିଶ୍ୱାସ ସହକାରେ ସତ୍ୟନାରାୟଣଙ୍କ ପ୍ରସାଦ ସେବନ କରି ପୁଣି ନଦୀକୂଳକୁ ଗଲା । ଅଦ୍ଭୁତକର୍ମା ସତ୍ୟନାରାୟଣ ବ୍ରାହ୍ମଣ ବେଶ ଛାଡ଼ି ଅନ୍ତର୍ଦ୍ଧାନ ହୋଇଗଲେ । ତାଙ୍କ ଦୟାରୁ ସାଧବର ଜାମାତା ଓ ଡଙ୍ଗା ପୁନଶ୍ଚ ଭାସି ଉଠିଲା । ସାଧବ ସ୍ୱକୁଟୁମ୍ବ ସହ ଘରକୁ ଫେରି ପ୍ରତିବର୍ଷ ସତ୍ୟନାରାୟଣଙ୍କ ପୂଜା କରି ବହୁ ସମ୍ପତ୍ତିର ଅଧିକାରୀ ହୋଇ ସୁଖରେ କାଳାତିପାତ କଲା । ମୃତ୍ୟୁପରେ ସତ୍ୟନାରାୟଣ ପୂଜାଜନୀତ ସଞ୍ଚିତ ଫଳ ଅନୁସାରେ ସ୍ୱର୍ଗବାସୀ ହେଲା ।

 

୪ର୍ଥ ଅଧ୍ୟାୟର ବର୍ଣ୍ଣନା ଅନୁସାରେ ବଂଶଧ୍ୱଜ ନାମରେ ଜଣେ ପ୍ରବଳ ପରାକ୍ରାନ୍ତ ରାଜା ଥିଲେ । ଏକଦା ସେ ରାଜା ମୃଗୟା ପାଇଁ ବଣକୁ ଯାଇଥିଲେ । ମୃଗୟାରୁ ଫେରିବାବେଳେ ଦେଖିଲେ କେତେଜଣ ଗୋପାଳ ସବାନ୍ଧବେ ସମବେତ ହୋଇ ସତ୍ୟନାରାୟଣ ପୂଜା କରୁଛନ୍ତି । କ୍ଷମତା-ଅହଂକାରୀ ରାଜା ସତ୍ୟନାରାୟଣ ପୂଜା ଆସ୍ଥାନ ବାଟ ଦେଇ ଆସୁଥିଲେ ମଧ୍ୟ ହାତୀରୁ ଓହ୍ଲାଇଲେ ନାହିଁ କିମ୍ବା ସତ୍ୟନାରାୟଣଙ୍କୁ ପ୍ରଣାମ କଲେ ନାହିଁ । ଏପରିକି ଗୋପାଳମାନେ ରାଜାଙ୍କୁ ପ୍ରସାଦ ଯାଚନ୍ତେ ରାଜା ତାହା ଗ୍ରହଣ କଲେ ନାହିଁ । ଏହା ଫଳରେ ରାଜାଙ୍କ ଉପରେ ସତ୍ୟନାରାୟଣଙ୍କର କୋପଦୃଷ୍ଟି ପଡ଼ିଲା । ଅକାଳରେ ରାଜାଙ୍କର ଶହେ ପୁଅ ମରିଗଲେ । ଶତ୍ରୁମାନଙ୍କ ଆକ୍ରମଣ ଫଳରେ ରାଜ୍ୟ ଓ ରାଜକୋଷ ଛାରଖାର ହୋଇଗଲା । ରାଜା ଏକାନ୍ତ ମନଦୁଃରେ ଭ୍ରମଣ କରୁଥିବାବେଳେ ସତ୍ୟନାରାୟଣ ବୃଦ୍ଧ ବ୍ରାହ୍ମଣ ବେଶରେ ପ୍ରକଟ ହୋଇ ରାଜାଙ୍କୁ ସତ୍ୟନାରାୟଣ ପୂଜା ଓ ପ୍ରସାଦ ଅବମାନନା କଥା ସ୍ମରଣ କରାଇ ଦେଲେ । ରାଜା ସତ୍ୟନାରାୟଣ ବ୍ରତ କଲେ ପୁନଶ୍ଚ ରାଜ୍ୟ ପାଇବେ ଓ ସୁଖରେ କାଳାତିପାତ କରିବେ ବୋଲି କହି ଅନ୍ତର୍ଦ୍ଧାନ ଦେଲେ । ରାଜା ପୁଣି ସେହି ଗୋପାଳପଲ୍ଲୀକୁ ଗଲେ ଓ ପ୍ରସାଦ ସେବନ କରି ସତ୍ୟନାରାୟଣ ବ୍ରତ ଆରମ୍ଭ କଲେ । ଏଥିରେ ତୁଷ୍ଟହୋଇ ସତ୍ୟନାରାୟଣ ରାଜାଙ୍କୁ ତାଙ୍କର ନଷ୍ଟପୁତ୍ରମାନଙ୍କୁ ଫେରାଇ ଦେଲେ । ଇହଲୋକରେ ରାଜା ପରମ ସୌଭାଗ୍ୟ ଯୁକ୍ତ ହୋଇ ପ୍ରଜା ପାଳନ କଲେ । ମୃତ୍ୟୁପରେ ରାଜା ସତ୍ୟନାରାୟଣ ପୂଜା କରିଥିବାରୁ ତାହାର ପୂଣ୍ୟଫଳ ଯୋଗୁଁ ସ୍ୱର୍ଗବାସୀ ହେଲେ ।

 

ସ୍କନ୍ଧପୁରାଣରେ ଉପରୋକ୍ତ ବର୍ଣ୍ଣନାରୁ ଜଣାଯାଏ ଯେ କାମନା ସିଦ୍ଧି ପାଇଁ ସତ୍ୟନାରାୟଣଙ୍କ ପୂଜା ଏକାନ୍ତ ଫଳପ୍ରସୂ । ଧନ,ସନ୍ତାନ ରାଜ୍ୟ ସୁଖ ଆଦି ପ୍ରାପ୍ତି ନିମିତ୍ତ ସତ୍ୟନାରାୟଣଙ୍କ ପୂଜା କରାଯାଏ ।

 

କାଳକ୍ରମେ ଏହି ସତ୍ୟନାରାୟଣଙ୍କ ଶବ୍ଦ ଓ ମୁସଲମାନଙ୍କର ପୀର ଶବ୍ଦ ଦୁଇଟିର ମିଳନରେ ସତ୍ୟପୀର ଶବ୍ଦର ଉଦ୍ଭବ ହେଲା । ସତ୍ୟ ଅର୍ଥ ବିଷ୍ଣୁ । ପାରସୀ ଭାଷାରେ ପୀର ଶବ୍ଦ ଅଲୌକିତ ଶକ୍ତିସମ୍ପନ୍ନ ଧର୍ମପ୍ରତିଷ୍ଠାତାଙ୍କୁ ବୁଝାଏ । କିନ୍ତୁ ଓଡ଼ିଶା ଓ ବଙ୍ଗଳାରେ ପୀର କହିଲେ ମୁସଲମାନ ଫକୀରମାନଙ୍କୁ ବୁଝାଏ । ଫକୀରମାନେ ମୁସଲମାନ ସମ୍ପ୍ରଦାୟର ସନ୍ୟାସୀ କହିଲେ ଅଯୁକ୍ତି ହେବ ନାହିଁ । ଏହି ଫକୀରମାନେ ହିନ୍ଦୁମାନଙ୍କର ସନ୍ୟାସୀପରି ଅଲୌକିକ ଶକ୍ତି ସମ୍ପନ୍ନ । ତେଣୁ ଅଲୌକିକ ଶକ୍ତି ସମ୍ପନ୍ନ ପୀରଙ୍କୁ ବିଷ୍ଣୁଙ୍କ ସଙ୍ଗରେ ଯୋଡ଼ି ଦିଆଗଲା ଓ ପରବର୍ତ୍ତୀକାଳରେ ବିଷ୍ଣୁ (ସତ୍ୟ) ଓ ପୀର ଏକ ଓ ଅଭିନ୍ନ ବୋଲି ବିଦିତ ହେଲେ । ସ୍କନ୍ଧପୁରାଣରେ ବୃଦ୍ଧ ବ୍ରାହ୍ମଣ ବା ଦଣ୍ଡୀ (ସତ୍ୟନାରାୟଣ ବୃଦ୍ଧ ବ୍ରାହ୍ମଣ ବା ଦଣ୍ଡୀ) ବେଶରେ ଆସି ପୂଜାର ବିଧାନ ଓ ମାହାତ୍ମ୍ୟ କହିଦେଇ ଯାଇଥିଲେ । ସେହିପରି କେହି ସତ୍ୟପୀରଙ୍କ ପୂଜାକୁ ଅବମାନନା କଲେ ବା ପୂଜା ଦେବାକୁ କହି ଭୁଲିଗଲେ ସତ୍ୟପୀର ଫକୀର ରୂପରେ ଆସି ତା’ର ଦଣ୍ଡବିଧାନ କରୁଥିଲେ । ସତ୍ୟପୀର-ପୂଜା କାମନା ସିଦ୍ଧିର କଳ୍ପବଟରୂପେ ହିନ୍ଦୁ ଓ ମୁସଲମାନ ଉଭୟ ସମ୍ପ୍ରଦାୟ ମଧରେ ପ୍ରସିଦ୍ଧି ଅର୍ଜନ କଲା ।

 

ସନ୍ଥମାନଙ୍କୁ ଉଦ୍ଧାର କରିବା ପାଇଁ ଧର୍ମକୁ ନୂତନ ଦିଗଦର୍ଶନ ଦେବାପାଇଁ ଆର୍ତ୍ତୀମାନଙ୍କର ଆର୍ତ୍ତ ବା ଦୁଃଖ ହରଣ ପାଇଁ ତଥା ସତ୍ୟ ଧର୍ମର ପରିଚାଳନ ପାଇଁ ପ୍ରତି ଯୁଗରେ ଈଶ୍ୱର ମାନବରୂପେ ଅବତୀର୍ଣ୍ଣ ହୁଅନ୍ତି ବୋଲି ଉଭୟ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟ ବିଶ୍ୱାସ କରନ୍ତି । ତେଣୁ ଉଭୟ ସସ୍କୃତିର ସମନ୍ୱୟ କାଳରେ ସତ୍ୟପୀରଙ୍କୁ ମଧ୍ୟ ଏକ ଅବତାର ବୋଲି ପ୍ରଚାର କରାଗଲା । ଏ ସତ୍ୟପୀର ଓ ସତ୍ୟନାରାୟଣଙ୍କ ଭିତରେ ଆଦୌ ପାର୍ଥକ୍ୟ ନାହିଁ । ଏ ପ୍ରଭୁ ଉଭୟ ସମ୍ପ୍ରଦାୟର ଇଷ୍ଟ ବୋଲି ଗୃହୀତ ହେଲେ । ସତ୍ୟପୀରଙ୍କ ଅବତାର ପାଇଁ କଳ୍ପନା ପ୍ରସୂତ କାହାଣୀ ସୃଷ୍ଟି ହେଲା । ଏ କାହାଣୀ ଯେପରି ବିଚିତ୍ର ସେହିପରି ଅଲୌକିକ ମଧ୍ୟ । ସତ୍ୟପୀରଙ୍କ ଜନ୍ମ ସମ୍ବନ୍ଧରେ ଦୁଇଟି କାହାଣୀ ଦେଖିବାକୁ ମିଳେ ।

 

(୧) ମକାଉ ଦେଶର ରାଜା ପୀରଜାଦାଙ୍କର ସାହାଜାଦୀ ନାମରେ କନ୍ୟାଟିଏ ଥିଲା । ସେ କନ୍ୟା ଅନୂଢ଼ା । ଏକଦା ସଖୀମାନଙ୍କ ସଙ୍ଗରେ ସରୋବରକୁ ସ୍ନାନ କରିବାକୁ ଯାଇ ଅପୂର୍ବ ପଦ୍ମଫୁଲଟିଏ ଦେଖି ସଖୀମାନଙ୍କୁ ସେ ଫୁଲ ଆଣିବା ପାଇଁ ନିର୍ଦ୍ଦେଶ ଦେଲା । ରାଜଜେମାଙ୍କ ଇଚ୍ଛା ପୂର୍ଣ୍ଣ କରିବା ପାଇଁ ସଖୀମାନେ ସେ ଫୁଲଟିକୁ ଆଣି ଦିଅନ୍ତେ ଜେମା ତାହାକୁ ଶୁଙ୍ଘି ଦେଲେ । ଫଳରେ ସେ ଅନ୍ତଃସତ୍ତ୍ୱା ହେଲେ । ପୀରଜାଦା ଏ ଖବର ପାଇ କନ୍ୟାକୁ ବ୍ୟଭିଚାରଣୀ ବୋଲି ମାରିବାକୁ ଚାହିଁଲେ । ମାତ୍ର ସୁଜାଣ ମନ୍ତ୍ରୀଙ୍କ ପରାମର୍ଶ କ୍ରମେ ତାକୁ ବନ୍ଦୀ କଲେ । ବନ୍ଦୀ ଘରେ ସତ୍ୟପୀର ଜନ୍ମ ହୋଇ ଚତୁର୍ଭୂଜ ଧରି ମା’କୁ ଦେଖାଦେଲେ ଓ “ଜଗତର କଲ୍ୟାଣ ପାଇଁ ଜନ୍ମ ହେଲେ” ବୋଲି କହି ଅନ୍ତର୍ଦ୍ଧାନ ହେଲେ । ରାଜପୁରରେ ସମ୍ବାଦ ପ୍ରଚାରିତ ହେଲା ଯେ ସାହାଜାଦୀ ଛୁଆ ଜନ୍ମ କରି ତାକୁ ଖାଇଦେଇଛି । ରାଜା ଝିଅକୁ ବଣଜନ୍ତୁଙ୍କ ମୁହଁରେ ମରୁ ବୋଲି କହି ତାକୁ ନେଇ ବଣରେ ଛାଡ଼ି ଦେଲେ । ସତ୍ୟପୀର ସଙ୍ଗେ ସଙ୍ଗେ ବିଶ୍ୱକର୍ମାଙ୍କୁ ଆଦେଶ ଦେଇ ନିଜ ମା’ଙ୍କ ପାଇଁ ସେ ବଣରେ “ବିଚିତ୍ର ପୁରେକ” ନିର୍ମାଣ କରିଦେଲେ । କିଛିକାଳ ପରେ ନାରାୟଣଙ୍କ ଆଦେଶରେ ଦୁଇଟି ମହାବଳ ବ୍ୟାଘ୍ର ଯାଇ ପୀରଜାଦାଙ୍କ ରାଜ୍ୟରେ ଉପଦ୍ରବ କଲେ । ସେହି ବ୍ୟାଘ୍ର ଦୁଇଟିଙ୍କର ନା ଥିଲା ହମାମ୍ ଓ ହୁମାସ୍ । ରାଜାଙ୍କ ଦ୍ୱାରା ନିଯୁକ୍ତ ସମସ୍ତ ଯୋଦ୍ଧା ବ୍ୟାଘ୍ରମାନଙ୍କ ଦ୍ୱାରା ନିହତ ହେବାରୁ ରାଜା ନିଜେ ବାଘ ମାରିବାକୁ ଆସିଲେ । ରାଜାଙ୍କୁ ଦେଖି ବାଘ ଦୁଇଟି ପୂର୍ବରୁ ସାହେଜାଦୀ ରହିଥିବା ବଣକୁ ପଳାଇ ଆସିଲେ । ବାଘକୁ ଅନୁସରଣ କରି ସେଠାରେ ପହଞ୍ଚି ସୁରମ୍ୟ ପ୍ରାସାଦ ଦେଖି ଭିତରକୁ ଯାଆନ୍ତେ ନିଜ ଝିଅକୁ ଦେଖିଲେ । ଅସତ୍ ଉପାୟରେ ଧନ ଉପାର୍ଜନ କରି କନ୍ୟା ଏ ଘର କରିଛି ବୋଲି ରାଜା ସାହାଜାଦୀକୁ ହତ୍ୟା କରିବା ପାଇଁ ଉଦ୍ୟତ ହୁଅନ୍ତେ ସତ୍ୟପୀର ଶଙ୍ଖ-ଚକ୍ର-ଗଦା ପଦ୍ମ ହସ୍ତ ହୋଇ ପୀରଜାଦାଙ୍କୁ ବିନାଶ କରିବାକୁ ବସିଲେ । ମା’ଙ୍କ ଅନୁରୋଧକ୍ରମେ ସତ୍ୟପୀର ପୀରଜାଦାଙ୍କୁ ମୁକ୍ତି ଦେଲେ ଓ ଜଗତରେ “ସତ୍ୟପୀର ପ୍ରଚାର କରିବା ପାଇଁ ଆଦେଶ କଲେ । ରାଜା ନିଜ କନ୍ୟା ସହ ଘରକୁ ଫେରିଆସି ସତ୍ୟପୀର ପୂଜା କଲେ ଓ ତାହା କ୍ରମେ ପରିବ୍ୟାପ୍ତ ହେଲା ।’’

 

(୨) ମାଳଞ୍ଚଳର ରାଜା ମୈଦାନବାନନ୍ଦଙ୍କର ଅନୂଢ଼ା କନ୍ୟା ସନ୍ଧ୍ୟାବତୀ ନଦୀରେ ନୌକାବିହାରବେଳେ ଭାସି ଯାଉଥିବା ବିଚିତ୍ର ସୁବାସିତ ଫୁଲଟିଏ ଦେଖି ଆଘ୍ରାଣ କରନ୍ତେ ଗର୍ଭବତୀ ହେଲେ । ରାଜାରାଣୀ ଏକଥା ଜାଣି ଲୋକପବାଦ ଭୟରେ କନ୍ୟାକୁ ନିର୍ବାସନ ଦଣ୍ଡ ଦେଲେ । ଅନ୍ତର୍ଯ୍ୟାମୀ ସତ୍ୟପୀରଙ୍କ ଆଦେଶରେ ହାମିଲା (ହିନ୍ଦୁ ପୁରାଣର ବିଶ୍ୱକର୍ମା) ସେହି ବଣ ଭିତରେ ଗୋଟିଏ ରକ୍ତପିଣ୍ଡୁଳା ଜନ୍ମଲାଭ କଲା । ସନ୍ଧ୍ୟାବତୀ ଏକାନ୍ତ ଦୁଃଖରେ ସେ ରକ୍ତପିଣ୍ଡୁଳାକୁ ନଦୀରେ ଭସାଇ ଦିଅନ୍ତେ ବେଗବତୀ ନଦୀରେ ବାସ କରୁଥିବା ଗୋଟିଏ କଚ୍ଛପୀ ତାହାକୁ ଖାଦ୍ୟ ମନେକରି ଗିଳି ଦେଲା । ସତ୍ୟପୀର ସେହି କଚ୍ଛପିନୀ ଗର୍ଭରୁ ପ୍ରକଟ ହେଲେ । ସତ୍ୟପୀର ଶିଶୁ ରୂପରେ ଭାସିଯାଉଥିବାବେଳେ ମୈଦାନବାନନ୍ଦଙ୍କ ପୁରୋହିତ କୁଶଳ ଠାକୁର ତାକୁ ଦେଖି ଘରକୁ ଆଣି ପାଳିଲେ । ଦିନେ ବାଳକ ସତ୍ୟପୀର ମାଳଞ୍ଚ ନଗରୀର ନୂରନଦୀ କୂଳରେ ଭ୍ରମଣ କରୁଥିବାବେଳେ ଗୋଟିଏ ପୋଥି ଭାସିଯାଉଥିବା ଦେଖି ଘରକୁ ଆଣିଲେ । ମାତ୍ର ସେ ପୋଥିଟି କୋରାନ୍ ହୋଇଥିବାରୁ ବ୍ରାହ୍ମଣ କୁଶଲାଂକୁର ସେ ପୋଥିଟିକୁ ଫୋପାଡ଼ି ଦେବାପାଇଁ କହନ୍ତେ ସତ୍ୟପୀର ଦୃଢ଼ଯୁକ୍ତି ବଳରେ କୋରାନ୍ ଓ ହିନ୍ଦୁର ପୁରାଣ ଭିତରେ କୌଣସି ପାର୍ଥକ୍ୟ ନାହିଁ କିମ୍ବା ହିନ୍ଦୁ ଓ ମୁସଲମାନ ଏ ଦୁଇ ସମ୍ପ୍ରଦାୟଙ୍କ ମଧ୍ୟରେ ଜନ୍ମଗତ କୌଣସି ବିରୁଦ୍ଧ ଭାବନାହିଁ ବୋଲି ପ୍ରତିପାଦନ କଲେ । ଦିନକୁ ଦିନ ଏହି ବାଳକଠାରେ ଅପୂର୍ବ ଶକ୍ତି ପ୍ରକଟ ହେଲା ଓ ଏହାଙ୍କ ଦ୍ୱାରା ହିଁ ସତ୍ୟପୀର ପୂଜା ପ୍ରଚଳିତ ହେଲା ।

 

ଉପରୋକ୍ତ ଦୁଇଟି କାହାଣୀ ଭିତରୁ ପ୍ରଥମ କାହାଣୀଟି ମନରେ ଅଧିକ ପ୍ରତ୍ୟୟ ଆଣେ, ଯଦିଓ କାହାଣୀ ଦୁଇଟିର ପ୍ରଥମାର୍ଦ୍ଧ ପ୍ରାୟ ସମାନ । ତଥାପି ପ୍ରଥମ କାହାଣୀର ସତ୍ୟନାରାୟଙ୍କ ଜନ୍ମପ୍ରସଙ୍ଗ ଦ୍ୱିତୀୟଟି ଅପେକ୍ଷା ଅଧିକ ଆଲୌକିତ ।

 

କବିକର୍ଣ୍ଣଙ୍କ ୧୬ ପାଲାର କାହାଣୀମାନଙ୍କରେ ଏହି ସତ୍ୟପୀରଙ୍କଠାରେ ଅଧିକ ଦେବତ୍ୱ ଓ ଅଲୌକିକତା ପ୍ରକଟିତ ହୋଇଛି । ସେ କେତେବେଳେ ବ୍ରାହ୍ମଣ ବେଶରେ, କଚ୍ଛାପିନ୍ଧା ଫକୀର ବେଶରେ, ଗୋଦରା ବୁଢ଼ା ଦିୱାନ ବେଶରେ ଓ କେତେବେଳେ ସନ୍ୟାସୀ ବେଶରେ ନିଜ ଭକ୍ତମାନଙ୍କୁ ଦେଖାଦେଇ ଅଭୀଷ୍ଟ ପୂର୍ଣ୍ଣ କରିଛନ୍ତି କିମ୍ବା ସତ୍ୟପୀର ପୂଜା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ବଙ୍ଗଳାର ଶ୍ରୀ କବି ସତ୍ୟପୀର ଅବଧୂତ ବେଶରେ ଦେଖା ଦେଉଥିବା କଥା ବର୍ଣ୍ଣନା କରିଛନ୍ତି । ସ୍କନ୍ଧପୂରାଣରେ ସତ୍ୟନାରାୟଣ ଦଣ୍ଡୀ ଓ ବୃଦ୍ଧ ବ୍ରାହ୍ମଣ ବେଶରେ ଦେଖା ଦେଉଥିବା କଥା ପୂର୍ବରୁ ବର୍ଣ୍ଣିତ ହୋଇଛି । ଅଧ୍ୟାପକ ସୁକୁମାର ସେନ୍‌ଙ୍କ “ବାଙ୍ଗଲା ସାହିତ୍ୟର ଇତିହାସ”ର ପ୍ରମାଣ ଅନୁସାରେ ସିଦ୍ଧ ସମ୍ପ୍ରଦାୟର ମଚ୍ଛେନ୍ଦ୍ରନାଥଙ୍କୁ ପରବର୍ତ୍ତୀ କାଳରେ ମଚ୍ଛେକଲୀପୀର ରୂପେ ଗ୍ରହଣ କରାଯାଇଛି । ସମାଲୋଚକମାନେ ଏହି ମଚ୍ଛେନ୍ଦ୍ରନାଥଙ୍କୁ ନାଥ ସମ୍ପ୍ରଦାୟଭୁକ୍ତ କରି ତାକୁ ତ୍ରିନାଥଙ୍କ ଭିତରୁ ଅନ୍ୟତମ ବୋଲି ପ୍ରତିପାଦନ କରିଛନ୍ତି । ମଚ୍ଛେନ୍ଦ୍ରନାଥଙ୍କୁ ଉଭୟ ସମ୍ପ୍ରଦାୟ ମାନୁଥିବାରୁ ତାଙ୍କୁ ବୋଧେ ମଚ୍ଛେକଲୀପୀର ବୋଲି ନାମିତ କରାଯାଇଛି ।

 

ସତ୍ୟପୀର ଓ ବିଷ୍ଣୁ ଏକ ଦେବତା ବୋଲି କ୍ରମେ କ୍ରମେ ଉଭୟ ସମ୍ପ୍ରଦାୟ ଗ୍ରହଣ କରିନେଲେ ଓ ଉଭୟେ ମିଳିତ ହୋଇ ତାଙ୍କର ପୂଜା କଲେ । କାଳକ୍ରମେ ସତ୍ୟପୀର ଓ ଜଗନ୍ନାଥ ଏକ ବୋଲି ମଧ୍ୟ ପ୍ରତିପାଦିତ ହେଲା । କବିକର୍ଣ୍ଣ ମର୍ଦ୍ଦଗାଜୀ ଜନ୍ମ ପାଲାରେ ଜଗନ୍ନାଥ ଏବଂ ସତ୍ୟପୀର ଏକ ବୋଲି ସତ୍ୟପୀରଙ୍କ ମୁହଁରୁ କୁହାଇଛନ୍ତି । ଦାରୁବ୍ରହ୍ମରୂପେ ଭାସୁଥିବା ଦେବତା ଜୈନ, ଶବର, ବୌଦ୍ଧ, ହିନ୍ଦୁ ଓ ମୁସଲମାନଙ୍କର ଇଷ୍ଟ ଜଗନ୍ନାଥ ରୂପରେ ନୀଳକନ୍ଦରରେ ବିଜେ କରି ସବୁ ଧର୍ମ ଓ ସମ୍ପ୍ରଦାୟ ସୁଳଦେବତା ଭାବରେ ପ୍ରକଟ ହେଲେ । କବିକର୍ଣ୍ଣଙ୍କ ଭାଷାରେ :-

 

ଆମି ସେହି ଦେବତା ଅଲେଖ ନିରାକାର

ସ୍ୱର୍ଗମର୍ତ୍ୟ ରସାତଳେ କରଣୀ ଆମାର

ଜଗନ୍ନାଥ ରୂପେ ଆମି ଓଡ଼ିଶାତେ ଆର

ହିନ୍ଦୁ ମୁସଲମାନ ସବୁ କରି ଏକାକାର

ରାମ ରହିମାନ ଜାନ କୋରାଣ ପୁରାନେ

ଦେଖିବ କେମନ ରୂପ ମାନେ କି ନମାନେ

ଦରିଆତେ ଦାରୁବ୍ରହ୍ମ ରୂପେତ ଭାସେନ

ପଦ୍ମଫୁଲ ରୂପ ହଇଆ ସତ୍ୟନାରାୟଣ

ବଉଦ ରୂପତେ ନୀଳାଚଳେ ବିଜେ କରି

ପିତିତପାବନ ରୂପେ ପତିତ ଉଦ୍ଧାରି

ଶଚ୍ଚୀ ଗର୍ଭେ ଜନମିଲ ନଦୀୟା ନଗର

ସେହି ମହାବାହୁ ଏବେ କଲିତେ ଫକୀର ।

 

ସତ୍ୟପୀରଙ୍କ ଆସ୍ଥାନ

 

ସତ୍ୟପୀରଙ୍କ ପାଇଁ ସ୍ୱତନ୍ତ୍ର ଆସନ ଓ ସାଜସଜ୍ଜାର ଆବଶ୍ୟକତା ହେଲା । ସ୍କନ୍ଧପୁରାଣର ପୂଜାପଦ୍ଧତି ଅନୁସାରେ ସତ୍ୟନାରାୟଣ ପୂଜା ଆସ୍ଥାନରେ ଚାରିକୋଣରେ ଗଣେଷ, ଭାସ୍କର, ଶିବ, ଦୁର୍ଗାଙ୍କୁ ସ୍ଥାପନ କରାଯାଇ ମଧ୍ୟରେ ନାରାୟଣଙ୍କୁ ଅବସ୍ଥାପିତ କରାଯାଏ । କିନ୍ତୁ ପାଲାରେ ଏହି ପଞ୍ଚଦେବତାଙ୍କ ପ୍ରତୀକରୂପେ ଆସ୍ଥାନରେ ପାନ ଉପରେ ଗୁଆ ଓ ତା’ ସହିତ ମୁକାମ (ପାଚିଲା କଦଳୀ ବା ଲଡ଼ୁ) ରଖାଯାଏ । ସ୍କନ୍ଧପୁରାଣର ପୂଜାପଦ୍ଧତିରେ ଏହି ନୀତି ଦେଖିବାକୁ ମିଳେ ନାହିଁ । ସତ୍ୟପୀର ପୂଜା ପ୍ରଚଳିତ ହେଲାପରେ ପଞ୍ଚଦେବତାଙ୍କ ପୂଜାରେ ଏ ପ୍ରତୀକ ପ୍ରବେଶ କରିଛି । ପାନ ଉପରେ ଗୁଆ ଥୋଇ ପୂଜା କରିବା ପ୍ରଥା କେତେକ ମୁସଲମାନ ସମ୍ପ୍ରଦାୟର ମଧ୍ୟରେ ପ୍ରଚଳିତ ଥିବାରୁ ଆସ୍ଥାନ ଉପରେ ଏ ପ୍ରକାର ସମନ୍ୱୟଭାବ ପ୍ରକଟ ହୋଇଛି-। ସମଗ୍ର ଆସ୍ଥାନକୁ ଆଚ୍ଛାଦନ କରି ତା’ ଉପରେ ଚାରିକୋଣରେ ଚାରଟି କାଣ୍ଡ ପୋତାଯାଏ । ଏହି କାଣ୍ଡର ଅଗ୍ରଭାଗ ରଙ୍ଗିନ୍ ପରଦ୍ୱାରା ଆବୃତ୍ତ । ହିନ୍ଦୁମାନଙ୍କର ଦେବତା କୃଷ୍ଣଙ୍କର ମୟୁରଚନ୍ଦ୍ରିକା ଅତ୍ୟନ୍ତ ପ୍ରିୟ ହୋଇଥିବାରୁ ସେହି ପରର ଅଗ୍ରଭାଗରେ ବା ଶୀର୍ଷ ଦେଶରେ ମୟୁରଚନ୍ଦ୍ରିକା ଗୁଚ୍ଛସଜାଇ ଦିଆଯାଇଥାଏ ।

 

ସତ୍ୟପୀରଙ୍କ ଭୋଗ

 

ସ୍କନ୍ଧପୂରାଣ ବର୍ଣ୍ଣନା ଅନୁସାରେ ସତ୍ୟନାରାୟଙ୍କ ପୂଜାରେ ପାଚିଲା କଦଳୀ, ଘିଅ, କ୍ଷୀର, କନ୍ଦ, ଶର୍କରା କିମ୍ବା ଗୁଡ଼ ଓ ଗହମଚୂନା କିମ୍ବା ଚାଉଳଚୂନା ଏକାଠି ମିଶାଯାଇ ଭୋଗ ଲାଗୁଥିଲା । ଏହାକୁ ଅମୃତ କୁଣ୍ଡ ବୋଲି କୁହାଯାଉଥିଲା । ପଞ୍ଚାମୃତ ପାଇଁ ବ୍ୟବହୃତ ଅଧିକାଂଶ ଦ୍ରବ୍ୟ ଏହି ଭୋଗ ସଙ୍ଗରେ ମିଶୁଥିବାରୁ ଏହାକୁ ବୋଧେ ଅମୃତକୁଣ୍ଡ ନାମରେ ନାମିତ କରାଯାଇଛି-। କିନ୍ତୁ ମୁସଲମାନଙ୍କର ପାକା ବା ଶିରଣି ପ୍ରଚଳିତ । ତେଣୁ ସ୍କନ୍ଧପୁରାଣ ବର୍ଣ୍ଣିତ ଭୋଗ ସହିତ ସତ୍ୟପୀରଙ୍କୁ ଶିରଣି ଭୋଗ ଦିଆଗଲା । ଚାଉଳ କିମ୍ବା ଗହମଚୂନାକୁ ଗୁଡ଼ରେ ପାକ କରି ତହିଁରେ ଛେନା ଓ ସୁବାସିତ ମସଲା ଦିଆଯାଇ ଲଡ଼ୁପରି ପ୍ରସ୍ତୁତ କରାଯାଉଥିବା ଭୋଗକୁ ପାକା ବା ଶିରଣି କୁହାଯାଏ । ସତ୍ୟନାରାୟଣଙ୍କ ଭୋଗ ସତ୍ୟପୀରଙ୍କ ଭୋଗକୁ ରୂପାନ୍ତରିତ ହେଲାବେଳେ ଅମୃତକୁଣ୍ଡ ପରିବର୍ତ୍ତେ ମୁସଲମାନଙ୍କ ପ୍ରଥା ଅନୁସାରେ ଶିରଣି ନାମରେ ନାମିତ କରାଗଲା ।

 

ସତ୍ୟନାରାୟଙ୍କ ପାଲା କାହାଣୀ

 

ସତ୍ୟନାରାୟଣଙ୍କ ପୂଜା କାଳକ୍ରମେ ସତ୍ୟପୀରଙ୍କ ପୂଜାରେ ପରିଣତ ହେଲା ପରେ ସତ୍ୟନାରାୟଣ ପୂଜା ସମ୍ବନ୍ଧୀୟ କେତେକ କାହାଣୀ ରଚନା କରାଗଲା । ସ୍କନ୍ଧପୁରାଣରେ ଦିଆଯାଉଥିବା ଚାରିଟି କାହାଣୀର ଅନୁସରଣରେ ସତ୍ୟନାରାୟଣ ପାଲା କାହାଣୀମାନ ରଚିତ ହେଲା । ପ୍ରତ୍ୟେକ ପାଲାର ମୂଳକଥା ହେଲା ସତ୍ୟପୀର ବା ସତ୍ୟନାରାୟଣଙ୍କୁ ପୂଜା ଦେଲେ ବାଞ୍ଛାସିଦ୍ଧି ,ଦାରିଦ୍ରନାଶ, ପୁତ୍ରକନ୍ୟା ଲାଭ, ନଷ୍ଟଧନ ପ୍ରାପ୍ତି, ପୁଣ୍ୟଲାଭ, ଜୟଲାଭ ଓ କାରାଗାରୁ ମୁକ୍ତି ମିଳେ । ପାରତ୍ରିକ ଜଗତର ସମସ୍ତ ସୁଖଲାଭ ପାଇଁ ମାନବ ଏ ପୂଜା କଲେ ଅଚିରେ ତା’ର ସୁଖ ପ୍ରାପ୍ତି ହୁଏ । ବଙ୍ଗଳାରେ ଭୃଗୁରାମ, ଶ୍ରୀକବି, ଶଙ୍କରାଚାର୍ଯ୍ୟ ଓ ମେଦିନାପୁରର କବିକର୍ଣ୍ଣ ସତ୍ୟନାରାୟଣ ପାଲା ରଚୟିତା ଭାବରେ ଖ୍ୟାତି ଅର୍ଜନ କରିଛନ୍ତି । ଓଡ଼ିଶାରେ ଭୃଗୁରାମଙ୍କ ଭ୍ରମରବର ପାଲା ବ୍ୟତୀତ ବଙ୍ଗଳାରେ ଆଉ କୌଣସି ପାଲା ପ୍ରଚଳିତ ନାହିଁ । କିନ୍ତୁ କବିକର୍ଣ୍ଣଙ୍କ ବିଚରିତ ୧୬ ପାଲା ଓଡ଼ିଶାର ଅସ୍ଥିମଜ୍ଜାଗତ ହୋଇଯାଇଛି । କବିକର୍ଣ୍ଣଙ୍କ ରଚିତ ଏହି ଷୋଳ ପାଲା ହେଉଛି-

 

୧)

ଜନ୍ମ ପାଲା,

୨)

ପଦ୍ମ ଲୋଚନ ପାଲା,

୩)

ମର୍ଦ୍ଦଗାଜୀ ପାଲା,

୪)

ବିଦ୍ୟାଧର ପାଲା,

୫)

ମଦନସୁନ୍ଦର ପାଲା

୬)

ସଦାନନ୍ଦ ସୌଦାଗର ପାଲା,

୭)

ଶଙ୍କରାଗୁଡ଼ିଆ ପାଲା,

୮)

ହେମଚାନ୍ଦ ପାଲା,

୯)

କାଠୁରିଆ ପାଲା,

୧୦)

ଲକ୍ଷ୍ମଣ କୁମାର ପାଲା,

୧୧)

ଶ୍ୱେତ ବସନ୍ତ ପାଲା,

୧୨)

ମନୋହର ଫାସ୍ୟାର ପାଲା,

୧୩)

ମର୍ଦଗାଜୀ ବିଭା ପାଲା,

୧୪)

ଦୁର୍ଚ୍ଛନ ସିଂହ ପାଲା,

୧୫)

ଅଭିନ୍ନ ମଦନ,

୧୬)

ସ୍ୱାର୍ଗାରୋହଣ ପାଲା ।

 

ପିଲାଟିଏ ଜନ୍ମ ହେଲେ ତା’ର ନାମକରଣ ଉତ୍ସବଠାରୁ ୧୬ ବର୍ଷ ପର୍ଯ୍ୟନ୍ତ ଏହି ୧୬ ପାଲା କରିବା ବିଧି ଏପର୍ଯ୍ୟନ୍ତ ଓଡ଼ିଶାରେ ଚଳୁଅଛି ।

 

ସତ୍ୟପୀର ପୂଜା ଓ ଓଡ଼ିଶାର ଶୈବଧର୍ମ

 

କେଶରୀ ବଂଶର ରାଜତ୍ୱ କାଳରୁ ଓଡ଼ିଶାର ଧର୍ମ ଏକ ସ୍ୱତନ୍ତ୍ର ପ୍ରବହମାନ ଧାରାରେ ପ୍ରବର୍ତ୍ତିତ ହୋଇ ଆସିଥିଲା । ଓଡ଼ିଶାରେ ପଞ୍ଚଦେବତା ଉପାସନା ଆରମ୍ଭ କରି ଓଡ଼ିଆ ତା’ର ଉଦାରତା ପ୍ରମାଣ ଦେଇ ଆସିଛି । ଶକ୍ତିପୀଠ ଭାବରେ ଯାଜପୁରରେ ବିରଜା, ଗଣପତିପୀଠ ରୂପରେ ମହାବିନାୟକ, ସୂର୍ଯ୍ୟପୀଠ ଭାବରେ ଅର୍କକ୍ଷେତ୍ର, ଶିବକ୍ଷେତ୍ର ଭାବରେ ଏକାମ୍ର ଓ ବିଷ୍ଣୁକ୍ଷେତ୍ର ଭାବରେ ପୁରୀ ସମଗ୍ର ଭାରତବର୍ଷରେ ପ୍ରସିଦ୍ଧି ଅର୍ଜନ କରିଛି । କେଶରୀ ବଂଶର ନରପତିମାନେ ଓଡ଼ିଶାରେ ଶୈବଧର୍ମ ଅଧିକ ପ୍ରସାର କରାଇଥିଲେ । ଉତ୍କଳଖଣ୍ଡରେ ଶ୍ରୀଜଗନ୍ନାଥଙ୍କ ବିଜେ କରିଥିଲେ ବି ଏକାମ୍ରର ସମନ୍ୱୟ ଭାବଧାରାରେ ଉଦ୍‍ବର୍ତ୍ତିତ ହୋଇ ଲୋକେ ଶିବ ଓ ହରଙ୍କୁ ଅଭେଦ ଆତ୍ମା ମନେକରି ପୂଜା କରୁଥିଲେ । ଜଗନ୍ନାଥଙ୍କ ପରି ଶିବ ମଧ୍ୟ ଓଡ଼ିଶାରେ ସମାନ ଆସନରେ ଅଧିକାରୀ ଥିଲେ । ଓଡ଼ିଶାର ପୁରପଲ୍ଳୀରେ ଥିବା ଶିବମନ୍ଦିର ତାହାର ଜ୍ୱଳନ୍ତ ପ୍ରମାଣ ।

 

୧୬ ପାଲାର ଅଧିକାଂଶ କାହାଣୀରେ ଶିବଙ୍କ ମହିମା ଅପେକ୍ଷା ସତ୍ୟପୀରଙ୍କ ମହିମାକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଯେଉଠି ଶିବଭକ୍ତର ଇଚ୍ଛା ପୂର୍ଣ୍ଣ କରିବା ପାଇଁ ବରଦାନ କରିଛନ୍ତି ସେଠାରେ ସତ୍ୟପୀର ଫକୀର ରୂପରେ ଦେଖାଦେଇ ସତ୍ୟପୀରଙ୍କୁ ପୂଜା କରିବା ପାଇଁ ପ୍ରବର୍ତ୍ତାଇଛନ୍ତି । ଯଦି ଭକ୍ତ ଶିବଙ୍କ ବ୍ୟତୀତ ଅନ୍ୟଦେବତାଙ୍କୁ ପୂଜା କରିବ ନାହିଁ ବୋଲି କହୁଛି କିମ୍ବା ସତ୍ୟପୀରଙ୍କ ସ୍ଥିତିକୁ ଅସ୍ୱୀକାର କରିଛି । ତେବେ ସତ୍ୟପୀର ପ୍ରତିଶୋଧ ପରାୟଣ ହୋଇ ତା’ର ସର୍ବନାଶ କରିଛନ୍ତି । କାହାର ପୁଅ ମରିଛି ତ କିଏ ରାଜ୍ୟ ହରାଇଛି । ଶେଷରେ ପୁଣି ସତ୍ୟପୀରଙ୍କୁ ସ୍ୱୀକାର କରି ପୂଜା ଦେବା ପାଇଁ ପ୍ରତିଜ୍ଞା କଲେ ବା ପୂଜା ଦେଲେ ପୁଅ ବଞ୍ଚିଛି କିମ୍ବା ନଷ୍ଟ ରାଜ୍ୟ ଫେରିଆସିଛି । ଏ ପ୍ରକାର କାହାଣୀ ସଂଯୋଜନାରେ ଶିବଙ୍କୁ ଏକାନ୍ତ ଗୌଣ କରିଦିଆଯାଇଛି । ଓଡ଼ିଶାରେ ଶିବପୂଜା ପ୍ରଚଳିତ ଥିବାରୁ ଓ ଲୋକମାନେ ସହଜେ ସତ୍ୟପୀରଙ୍କୁ ଗ୍ରହଣ ନ କରୁଥିବାରୁ ସମ୍ଭବତଃ ସତ୍ୟନାରାୟଣ ପାଲା କାହାଣୀମାନଙ୍କରେ ଏପରି ପ୍ରଚେଷ୍ଟା କରାଯାଇଛି । ଶିବଙ୍କ ବର ସତ୍ୟପୀରଙ୍କ ପ୍ରତାପରେ ଅନ୍ୟଥା ହୋଇଛି ଓ ସତ୍ୟପୀରଙ୍କ ପ୍ରତିଜ୍ଞାକୁ ରକ୍ଷା କରାଯାଇ ଶିବଙ୍କ ଆସନ ନ୍ୟୁନ୍‍ କରିଦିଆଯାଇଛି ।

 

ଏ ପ୍ରକାର ସଂକୀର୍ଣ୍ଣ ଚିନ୍ତା ସ୍କନ୍ଧପୁରାଣରେ ରେବାଖଣ୍ଡରେ ଦିଆଯାଇଥିବା ସତ୍ୟନାରାୟଣ ପୂଜା ପ୍ରସଙ୍ଗରେ ଦେଖିବାକୁ ମିଳେନାହିଁ । ସେ କାହାଣୀର ବର୍ଣ୍ଣନା ଅନୁସାରେ କୌଣସି ଲୋକ ସତ୍ୟନାରାୟଣଙ୍କୁ ଅବମାନନା କଲେ ତା’ ମନରେ ପ୍ରତ୍ୟୟ ଆଣିବା ପାଇଁ ହେଉ କିମ୍ବା ନିଜର କ୍ଷମତା ପ୍ରତିପାଦନ କରିବାକୁ ହେଲେ ସତ୍ୟନାରାୟଣ ତା’ ପ୍ରତି ଶାସ୍ତି ବିଧାନ କରିଛନ୍ତି । କିନ୍ତୁ ସତ୍ୟନାରାୟଣ ଶିବଙ୍କ ବର ବିରୁଦ୍ଧରେ କିଛି କରିଥିବା କିମ୍ବା ଶିବଭକ୍ତମାନଙ୍କୁ ଦଣ୍ଡ ଦେଇଥିବା ସ୍କନ୍ଧପୁରାଣରେ ନାହିଁ । ଏ ପ୍ରକାର ଚିତ୍ର କବିକର୍ଣ୍ଣଙ୍କ ବିଚରିତ ୧୬ ପାଲାମାନଙ୍କରେ ଅଧିକ ଦେଖିବାକୁ ମିଳେ । ତତ୍କାଳୀନ ଶାସକମାନେ ମୁସଲମାନ ହୋଇଥିବାରୁ ସତ୍ୟପୀର ମୁସଲମାନ ସମ୍ପ୍ରଦାୟର ମାନ୍ୟଦେବତା ହୋଇଥିବାରୁ ସମନ୍ୱୟ ପ୍ରୟାସରେ ମୁସଲମାନ ସମ୍ପ୍ରଦାୟକୁ ଅଧିକତର ତୁଷ୍ଟ କରିବା ପାଇଁ ଶିବଙ୍କୁ ଏପରି ନ୍ୟୁନ କରାଯାଇଥିବା ଅନୁମେୟ ।

 

ସତ୍ୟପୀର ଓ ଜଗନ୍ନାଥ

 

ଉଦାରତା ଜଗନ୍ନାଥ ଧର୍ମର ଏକ ବିଶେଷ ଅଙ୍ଗ । ବୁଦ୍ଧଙ୍କଠାରୁ ଆରମ୍ଭ କରି ଶଙ୍କର, ମଧ୍ୱାଚାର୍ଯ୍ୟ, ଚୈତନ୍ୟ ପ୍ରଭୃତି ଯୋଗଜନ୍ମା ମହାପୁରୁଷମାନଙ୍କର ସମସ୍ତ ତାତ୍ତ୍ୱିକ ଅଭିବ୍ୟକ୍ତି ଜଗନ୍ନାଥଙ୍କଠାରେ ପ୍ରକଟିତ ହୋଇଛି । ଜଗନ୍ନାଥ ସବୁ ସମ୍ପ୍ରଦାୟ ଓ ସବୁ ଧର୍ମର ମହାମିଳନ ମନ୍ଦିର-। ଜଗନ୍ନାଥଙ୍କ ବେଢ଼ା ଭିତରେ ପଞ୍ଚଦେବତାଙ୍କର ପୂଜା ଉଦାରରତାର ଅନ୍ୟ ଏକ ଦିଗ । ଜାତି ପ୍ରଥା ବିରୁଦ୍ଧରେ ଭାରତବର୍ଷରେ ଜଗନ୍ନାଥପୀଠହିଁ କେବଳ ସ୍ୱର ଉତ୍ତୋଳନ କରିଆସିଛି । ନାନକ, କବୀର, ସାଲବେଗ ଆଦି ମହିମାନ୍ୱିତ ପୁରୁଷମାନେ ଏ ପରମ କ୍ଷେତ୍ରରେ ପଦାର୍ପଣ କରି ଓ ଏହାର ଉଦାରତାକୁ ଉପଲବ୍ଧି କରି ଏ କ୍ଷେତ୍ରର ପ୍ରଶସ୍ତି ଗାନ କରିଛନ୍ତି ।

 

ଉଦାରତାର ମୂର୍ତ୍ତିମନ୍ତ ପ୍ରତୀକ ଜଗନ୍ନାଥଙ୍କୁ ପରବର୍ତ୍ତୀ କାଳରେ ସତ୍ୟପୀରଙ୍କ ଅଭେଦ ରୂପ ବୋଲି ବର୍ଣ୍ଣନା କରାଯାଇଛି । ଜଗନ୍ନାଥ ନିଜେ କଳିଯୁଗରେ ନୀଳକନ୍ଦରରେ ପ୍ରକଟିତ ହୋଇ ହିନ୍ଦୁ ଓ ମୁସଲମାନ ଉଭୟ ଗୋଷ୍ଠୀକୁ ଉଦ୍ଧାର କରିବା ନିମିତ୍ତ ସତେ ଯେପରି ଆହ୍ୱାନ କରୁଛନ୍ତି । ଦାରୁ ରୂପରେ ଭାସୁଥିବା ଦେବତା ଆଉଥରେ ପଦ୍ମଫୁଲ ରୂପରେ ଭାସିଥିବା କଥା କବିକର୍ଣ୍ଣ ଜନ୍ମ ପାଲାରେ ବର୍ଣ୍ଣନା କରିଛନ୍ତି । ଯେଉଁ ପ୍ରଭୁ ଜଗନ୍ନାଥ ରୂପରେ ପ୍ରକାଶିତ ହୋଇ ସେହି ପ୍ରଭୁ ପୂର୍ବରୁ ମତ୍ସ୍ୟ, କଚ୍ଛପ, ବରାହ, ନୃସିଂହ, ବାମନ, ପର୍ଶୁରାମ, ରାମ, ବଳରାମ, କୃଷ୍ଣ, ବୁଦ୍ଧ, ଚୈତନ୍ୟ ରୂପରେ ଅବତୀର୍ଣ୍ଣ ହୋଇ ପରେ କଳିକାଳ ସତ୍ୟପୀର ରୂପରେ ଅବତୀର୍ଣ୍ଣ ହୋଇଥିଲେ । ହିନ୍ଦୁ ଓ ମୁସଲମାନଙ୍କୁ ଗୋଟିଏ ପତ୍ରରେ “ସାର” କରିବାରେ (ମିଳାଇବା ପାଇଁ) ସେ ଏକ ଅଭିନବ ରୂପ ଗ୍ରହଣ କରିଛନ୍ତି । କବିକର୍ଣ୍ଣ ତେଣୁ “ରାମ ଓ ରହିମ୍ ଏକ ଅଲେଖ ନାହିଁ ନା ଟେକ” ବୋଲି ବାରମ୍ବାର ବୟାନ କରିଛନ୍ତି ।

 

ସତ୍ୟପୀରଙ୍କୁ ଜଗନ୍ନାଥଙ୍କର ଅବତାର ବୋଲି ବର୍ଣ୍ଣନା କରି ଉଭୟଙ୍କୁ ଏକ ଓ ଅଭିନ୍ନଭାବେ ଚିତ୍ରଣ କରାଯାଇଥିଲେ ବି ମହିମା ଓ ଉଦାରତାରେ ସତ୍ୟପୀର “ଜଗନ୍ନାଥ’’ ହୋଇପାରି ନାହାଁନ୍ତି । ଜଗନ୍ନାଥଙ୍କର ମୈତ୍ରୀ ଓ ଅନୁକମ୍ପା ସତ୍ୟପୀରଙ୍କଠାରେ ଦେଖାଦେଇନାହିଁ । ଜଗନ୍ନାଥ ନିଜେ ଶିବ, ଶକ୍ତି, ଗଣେଷ ଓ ସୂର୍ଯ୍ୟ ବୋଲି ପୁରାଣମାନଙ୍କରେ ବର୍ଣ୍ଣିତ ହୋଇଛି । ସେଥିପାଇଁ ଗୋଟିଏ ବେଢ଼ାରେ ଜଗନ୍ନାଥଙ୍କ ମନ୍ଦିରରେ ପଞ୍ଚଦେବତାଙ୍କର ପୂଜା କରାଯାଇ ଜଗନ୍ନାଥଙ୍କ ମୈତ୍ରୀଭାବ ଉଦଘୋଷଣା କରାଯାଇଛି । କିନ୍ତୁ ସତ୍ୟପୀର ଅନ୍ୟକୌଣସି ଦେବତାଙ୍କର ପୂଜା ସହ୍ୟ କରିପାରି ନାହାଁନ୍ତି । ଯେଉଁଠାରେ ଅନ୍ୟଦେବତାଙ୍କ ପୂଜା କରାଯାଇଛି ସେଠାରେ ସେ ପହଞ୍ଚି ପୂଜକ ବା ଭକ୍ତଙ୍କୁ ବହୁ ଦଣ୍ଡ ଦେଇ ନିଜ ପୂଜା ପାଇଁ ପ୍ରବର୍ତ୍ତାଇବା ସଙ୍ଗେ ସଙ୍ଗେ ନିଜର କ୍ଷମତା ଜାହିର କରିଛନ୍ତି । ଜଗତର ସେ କେବଳ ନିଜର ପ୍ରଶସ୍ତି ଘୋଷିତ ହେବା ଚାହାଁନ୍ତି । ସତ୍ୟପୀର ବୈଷୟିକ ସୁଖଦାନ କରିବା ବ୍ୟତୀତ କାହାକୁ ମୁକ୍ତିଦେବା ଦେଖାଯାଇନାହିଁ-। ଜଗନ୍ନାଥ ମୁକ୍ତିର ପ୍ରତୀକ । ସେ କ୍ଷମା ଓ ଅନୁକମ୍ପାଧର । ତାଙ୍କ ମହିମାକୁ ଅସ୍ୱୀକାର କରିଥିବା ବ୍ୟକ୍ତିକୁ ସେ ଭୟ ଦେଖାନ୍ତି, ସାବଧାନ କରିଦିଅନ୍ତି କିମ୍ବା ନିଜର ଅକର୍ମ ପାଇଁ ଚେତାଇ ଦିଅନ୍ତି ସିନା ସତ୍ୟପୀରଙ୍କ ପରି ପ୍ରତିଶୋଧ ପରାୟଣ ହୋଇ ଦଣ୍ଡ ଦିଅନ୍ତି ନାହିଁ ।

 

ଓଡ଼ିଶାରେ ସତ୍ୟପୀର ପୂଜାର ପ୍ରଚଳନ ହେଲା କେବେ

 

ସ୍କନ୍ଧପୁରାଣ ରେବାଖଣ୍ଡ ବର୍ଣ୍ଣନା ଅନୁସାରେ “ସତ୍ୟନାରାୟଣ” ଭାରତବର୍ଷର ସର୍ବତ୍ର ପୂଜିତ ହେଉଥିଲେ । କାଳକ୍ରମେ ବଙ୍ଗଳା ଓ ଓଡ଼ିଶାରେ ସତ୍ୟନରାୟଣ ସତ୍ୟପୀର ରୂପରେ ପରିବର୍ତ୍ତିତ ହୋଇ ହିନ୍ଦୁ ଓ ମୁସଲମାନ ଉଭୟ ସମ୍ପ୍ରଦାୟଦ୍ୱାରା ପୂଜା ପାଇବା କଥା ଓଡ଼ିଶା ଓ ବଙ୍ଗଳାର ବିଶିଷ୍ଟ ସମାଲୋଚକମାନେ ମତବ୍ୟକ୍ତ କରିଛନ୍ତି । ସମାଲୋଚକମାନଙ୍କ ମତରେ ସତ୍ୟପୀର ପୂଜା ପ୍ରଥମେ ବଙ୍ଗଳାରେ ଆରମ୍ଭ ହୋଇ କ୍ରମେ ଓଡ଼ିଶାକୁ ପ୍ରସାରିତ ହେଲା । ଐତିହାସିକ କୃପାସିନ୍ଧୁ ତାଙ୍କର “ଉତ୍କଳ ଇତିହାସ” ଗ୍ରନ୍ଥରେ ୧୭୧୬ ମସିହାବେଳକୁ ସୁଜାଉଦ୍ଦିନଙ୍କ ଅମଳରେ ଓଡ଼ିଶାରେ ପାଲା ପ୍ରଚଳନ ହେଲା ବୋଲି ଉଲ୍ଲେଖ କରିଛନ୍ତି । ଐତିହାସିକ ପ୍ରମାଣ ଅନୁସାରେ ୧୭୧୨ ଖ୍ରୀଷ୍ଟାବ୍ଦରେ ଓଡ଼ିଶା ପାଇଁ ନିଯୁକ୍ତ ସୁବେଦାର ସୁଜାଉଦ୍ଦିନ ମହମ୍ମଦ ଖାଁ କଟକରେ ପ୍ରସିଦ୍ଧ କଦମରସୁଲ ନିର୍ମାଣ କରାଇ ହିନ୍ଦୁ ଓ ମୁସଲମାନ ଉଭୟଙ୍କ ପାଲଁ ଏହାର ଦ୍ୱାରା ଉନ୍ମୁକ୍ତ ରଖିଥିଲେ । ଏହି କଦମରସୁଲ ହିନ୍ଦୁମାନଙ୍କଦ୍ୱାରା ମଧ୍ୟ ବିଶେଷ ଆଦୃତ ହୋଇଥିଲା । ସୁଜାଉଦ୍ଦିନ ଉଭୟ ସମ୍ପ୍ରଦାୟ ମଧ୍ୟରେ ସୁ-ସମ୍ପର୍କ ଆଣିବା ପାଇଁ ପ୍ରଚେଷ୍ଠା କରିଥିବା ଇତିହାସ ପ୍ରମାଣ କରେ । ଠିକ୍ ଏତିକିବେଳେ ବଙ୍ଗଳାର ସତ୍ୟପୀର ପୂଜା ଉଦ୍ଭବ ହୋଇ ଓଡ଼ିଶାକୁ ପରିବ୍ୟାପ୍ତ ହୋଇଥିଲା । ଏହି ସମୟରେ ସତ୍ୟପୀର ମହାତ୍ମ୍ୟ ସମ୍ବଳିତ “ପାଞ୍ଚାଳୀ”ଗୁଡ଼ିକ ରଚିତ ହୋଇ ଲୋକମନରେ ସତ୍ୟପୀରଙ୍କ ପ୍ରତି ଭକ୍ତି ଜାତ କରାଇବାରେ ସମର୍ଥ ହେଲା । ଏହି ପୂଜାରେ ସମନ୍ୱୟର ସ୍ୱର ଯେତେ ତୀବ୍ର ହେଲେବି ହିନ୍ଦୁମାନଙ୍କର ସତ୍ୟପୀର ପୂଜା କେବଳ ଭୟ-ଭକ୍ତି ପ୍ରସୂତ ବୋଲି ସମାଲୋଚକମାନଙ୍କ ମତ । ଶାସକ ମୁସଲମାନ ହୋଇଥିବାରୁ ଓ ଏହି ଶାସକମାନେ ଧର୍ମ ନାମରେ ସଂଘର୍ଷକୁ ଉତ୍ସାହିତ କରୁଥିବାରୁ ଜନସାଧାରଣ ଅତ୍ୟାଚାରରୁ ରକ୍ଷା ପାଇବା ପାଇଁ ବ୍ୟାକୁଳ ହୋଇଥିଲେ । ନିଜ ଧର୍ମକୁ ରକ୍ଷା କରିବା କଷ୍ଟକର ଜାଣି ସେମାନେ ଏତାଦୃଶ ଏକ ସମନ୍ୱୟ ପୀଠରେ ମିଳିତ ହୋଇଥିବା ସମ୍ଭବପର ।

 

କବିକବର୍ଣ୍ଣଙ୍କ ରଚିତ “ସତ୍ୟପୀର” ପାଲାମାନଙ୍କରେ ଚୈତନ୍ୟଙ୍କ ପରେ ସତ୍ୟପୀରଙ୍କୁ ଜଗନ୍ନାଥଙ୍କର ଏକ ଅବତାର ବୋଲି ଗ୍ରହଣ କରାଯାଇଛି । ଅନେକ ସ୍ଥଳରେ କବିକର୍ଣ୍ଣ ଲେଖିଛନ୍ତି-

 

“ଶଚ୍ଚୀ ଗର୍ଭେ ଜନମିଲ ନଦୀଆ ନଗର

ସେହି ମହାବାହୁ ଏବେ କଲାତ ଫକୀର” ।

 

“ସତ୍ୟପୀର” ଚୈତନ୍ୟଙ୍କ ପରେ ପ୍ରସିଦ୍ଧି ଅର୍ଜ୍ଜନ କରିଥିବା ଏଥିରୁ ପ୍ରମାଣିତ ହୁଏ । ବଙ୍ଗଳାର ସମାଲୋଚକ ସୁକୁମାର ସେନ୍ ଓ ଦୀନେଶ୍ ଚନ୍ଦ୍ର ସେନ୍ ମଧ୍ୟ “ସତ୍ୟପୀର” ସମ୍ପ୍ରଦାୟକୁ ଚୈତନ୍ୟଙ୍କ ପରବର୍ତ୍ତୀ ବୋଲି ମତବ୍ୟକ୍ତ କରିନ୍ତି । ଚୈତନ୍ୟ ୧୬ଶ ଶତାବ୍ଦୀରେ ହିନ୍ଦୁ ଓ ମୁସଲମାନମାନଙ୍କୁ ଶିଷ୍ୟରୂପେ ଗ୍ରହଣ କରି “ଈଶ୍ୱର ଏକ ଓ ଅଭିନ୍ନ” ବୋଲି ଯେଉଁ ବାଣୀ ପ୍ରଚାର କରିଥିଲେ ତାହା କ୍ରମେ ଏ ପ୍ରକାର ସମନ୍ୱୟକୁ ଉତ୍ସାହିତ କରି “ସତ୍ୟପୀର” ପୂଜାରେ ପର୍ଯ୍ୟବସିତ ହୋଇଛି । ଉପରୋକ୍ତ ପ୍ରମାଣମାନଙ୍କରୁ ସତ୍ୟପୀର ପୂଜା ଅଷ୍ଟାଦଶ ଶତାବ୍ଦୀର ଆରମ୍ଭରେ ବିସ୍ତାର ଲାଭ କରିଛି ବୋଲି ଗ୍ରହଣ କୁହାଯାଏ । ପ୍ରଫେସର ବଂଶଧର ମହାନ୍ତି ତାଙ୍କର “ସାହିତ୍ୟ ଓ ସଂସ୍ମୃତି” ନାମକ ଗ୍ରନ୍ଥରେ ପାଲା ପ୍ରଥମେ ଆସାମରେ ଉତ୍ପତ୍ତି ହୋଇଥିଲା ବୋଲି କହନ୍ତି । “ଗୌହାଟୀର ଜଣେ ସୌଦାଗର ନଦୀରେ ଯାଉଥିବାବେଳେ ଲୋହିତ ନଦୀ କୂଳରେ ଜଣେ କାଠୁରିଆ ଏ ପ୍ରକାର ପୂଜା କରୁଥିବା ଦେଖି ସେ ସେହିପରି ପୂଜା କରିବା ପାଇଁ ପ୍ରଭାବିତ ହେଲେ-। ପରେ ସେହି ସତ୍ୟନାରାୟଣ ପୂଜାପଦ୍ଧତି ୧୦୦ବର୍ଷ ମଧ୍ୟରେ ବଙ୍ଗଳାକୁ ସଂକ୍ରମିତ ହେଲା ଉତ୍ତାରେ ବଙ୍ଗର ନବାବ ହୁସେନ୍ ସାହା ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ସଦ୍ଭାବ ଆଣିବା ପାଇଁ ଏ ପୂଜାରେ ପୃଷ୍ଠପୋଷକତା ପ୍ରଦାନ କଲେ । ମୁସଲମାନଙ୍କର ତୋଲା ସିନ୍ନିପରି ଏ ପୂଜାର ନାମ ସତ୍ୟନାରାୟଣ ସିନ୍ନି । ଖ୍ରୀଷ୍ଠୀୟ ପଞ୍ଚଦଶ ଶତାବ୍ଦୀରେ ଏହି ପୂଜା ସୃଷ୍ଟି ହେଲା । ହେରାଚାନ୍ଦ, ଶଙ୍କରାଗୁଡ଼ିଆ, ଦୁର୍ଜ୍ଜନ ସିଂ, ସଦାନନ୍ଦ ସୌଦାଗର ଓ ମନୋହର ଫାସିଆରା ପାଲାରେ ସେହି ମୂଳକଥା ସୌଦାଗରର ଆଭାସ ଯଥେଷ୍ଟ ଦେଖିବାକୁ ମିଳେ । ମନୋହର ନାମରେ ଆସାମରେ ଜଣେ ରାଜା ଏ ପୂଜାରେ ପୃଷ୍ଟପୋଷକତା କରିଥିଲେ । ପଣ୍ଡିତ ନୀଳକଣ୍ଠ ମଧ୍ୟ “ଓଡ଼ିଆ ସାହିତ୍ୟର କ୍ରମ ପରିଣାମ”ରେ ପାଲାକୁ ବଙ୍ଗଳାର ହୁସେନ ସାହଙ୍କ ଅମଳରେ ଆରମ୍ଭ ହୋଇଥିବା କଥା ଅନୁମାନ କରିଛନ୍ତି । ପଣ୍ଡିତ ନିଳକଣ୍ଠଙ୍କ ଭାଷାରେ “ପାଲାର ଭାଷା ବି ପୂର୍ଣ୍ଣ ଓଡ଼ିଆ ନୁହେଁ । ଏହା ଓଡ଼ିଆ ଓ ବଙ୍ଗଳା ମିଶା । ପାରସୀ ଓ ଆରବି ଉପନ୍ୟାସର ଅଦ୍ଭୁତ କଳ୍ପନା ସଙ୍ଗେ ଶାବରୀ ବିଦ୍ୟା ମିଶି ଯାଇଛି ।” ତାଙ୍କ ମତରେ “ପାଲା ଆସିଛି ଏହି ମୁସଲମାନଙ୍କଠାରୁ ପରାଧୀନ ଓଡ଼ିଶାକୁ । ଏତେ ପରିବର୍ତ୍ତନ ସତ୍ତ୍ୱେ ଏଥିରେ “ଓଡ଼ିଆ ସାହିତ୍ୟର ସ୍ୱତନ୍ତ୍ର ଧାରା” ଲୁଚି ଯାଇନାହିଁ ।” ପ୍ରଫେସର ମହାନ୍ତି ଲୋହିତ ନଦୀ କୂଳରେ ଯେଉଁ ପୂଜା କଥା ଉଲ୍ଲେଖ କରିଛନ୍ତି ତାହା ସ୍କନ୍ଧପୁରାଣର ସତ୍ୟନାରାୟଣ ପୂଜା । ପରେ ଏଥିରେ ମୁସଲମାନ ପ୍ରଭାବ ମିଶି ସତ୍ୟପୀର ପୂଜାକୁ ରୂପାନ୍ତିତ ହୋଇଛି । ଆସାମରୁ ବଙ୍ଗଳା ମଧ୍ୟ ଦେଇ ଏ ପୂଜା ଓଡ଼ିଶାକୁ ସଂକ୍ରମିତ ହେବାକୁ ପ୍ରାୟ ୨୦୦ ବର୍ଷ ଲଗିଥିବ ଓ ଅଷ୍ଟାଦଶ ଶତାବ୍ଦୀବେଳକୁ ଓଡ଼ିଶାରେ ବିସ୍ତାରଲାଭ କରିଥିବ ।

 

ସତ୍ୟନାରାୟଣ ବା ସତ୍ୟପୀର ପୂଜାରେ ଆଜିର ପାଲା

 

ସ୍କନ୍ଧପୁରାଣରେ ସତ୍ୟନାରାୟଣ ପୂଜାପଦ୍ଧତି ବିସ୍ତୃତ ଭାବରେ ଆଲୋଚନା କରାଯାଇଛି । ସତ୍ୟନାରାୟଣ ପୂଜା କରୁଥିବା ବ୍ୟକ୍ତି ଭକ୍ତି ଓ ଶ୍ରଦ୍ଧାଯୁକ୍ତ ଭାବରେ ପୂଜାର ଆୟୋଜନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହି ପୂଜାକୁ ସେ ସମସ୍ତଙ୍କୁ ନିମନ୍ତ୍ରଣ କରେ । ପୂଜା ଶେଷରେ ସେଠାରେ ଉପସ୍ଥିତ ଥିବା ଭକ୍ତମାନଙ୍କୁ ଜାତି-ଧର୍ମ-ନିର୍ବିଶେଷରେ ପ୍ରସାଦ ବିତରଣ କରାଯାଏ । ନାରାୟଣ ପୂଜା ସମାହିତ ହେଲାପରେ ଆନନ୍ଦ ସହକାରେ ଗୀତନୃତ୍ୟାଦି ପରିବେଶଣ କରି ରାତ୍ରୀଯାପନ କରାଯାଏ । ଏହି ଗୀତ ବା ନୃତ୍ୟ କେବଳ ପ୍ରଭୁଙ୍କ ସହିମା ସମ୍ବନ୍ଧୀୟ ହେବା ଉଚିତ । ସ୍କନ୍ଧପୁରାଣର ଏହି ବର୍ଣ୍ଣନା ଅନୁସାରେ ଭାରତବର୍ଷରେ ଅନେକ ପ୍ରଦେଶରେ ସତ୍ୟନାରାୟଣ ପୂଜା ଏବେବି ପ୍ରଚଳିତ । ପୂଜାଶେଷରେ ପଖୋଜ ବା ଢୋଲକି ସାହାଯ୍ୟରେ ପ୍ରଭୁଙ୍କ ଗୁଣାବଳୀ ବର୍ଣ୍ଣିତ ସଙ୍ଗୀତ ଗାନ କରାଯିବାର ପରମ୍ପରା ଏବେବି ମହାରାଷ୍ଟ୍ର, ଉତ୍ତର ପ୍ରଦେଶ ପ୍ରଭୃତି ରାଜ୍ୟମାନଙ୍କରେ ଦେଖିବାକୁ ମିଳେ । ଭାରତର ଅନ୍ୟ ପ୍ରଦେଶମାନଙ୍କରେ ସତ୍ୟନାରାୟଣ ପୂଜା ପ୍ରଚଳିତ ଥିଲାବେଳେ ଓଡ଼ିଶା ଓ ବଙ୍ଗଳା ଏହି ଦୁଇ ପ୍ରଦେଶରେ ସତ୍ୟନାରାୟ ସତ୍ୟପୀର ରୂପରେ ପରିବର୍ତ୍ତୀତ ହୋଇ ପୂଜା ପାଇଆସୁଛନ୍ତି ।

 

ସତ୍ୟନାରାୟଣ ପୂଜାପରି ସତ୍ୟପୀରଙ୍କ ପୂଜା ଶେଷରେ ଧର୍ମସମ୍ବନ୍ଧୀୟ ଓ ଭଗବାନଙ୍କର ଗୁଣଯୁକ୍ତ ସଙ୍ଗୀତ ବା କାହାଣୀ ଯୁକ୍ତ ନୃତ୍ୟ ପରିବେଷିତ ହେଲା । ନୃତ୍ୟ ଅପେକ୍ଷା ଏହି “ସଙ୍ଗୀତ ଅନୁଷ୍ଠାନ” ଅଧିକ ଆକର୍ଷଣୀୟ ହେବାରୁ କ୍ରମେ କ୍ରମେ ନୃତ୍ୟ ଲୋପ ପାଇ କେବଳ ସଙ୍ଗୀତ ଗାନ କରାଗଲା । ସତ୍ୟପୀରଙ୍କ ପୂଜା ଶେଷରେ ଯେଉଁ ସଙ୍ଗୀତ ଆୟୋଜନ କରାଯାଥିଲା ତାହା କେବଳ ଭକ୍ତି କୈନ୍ଦ୍ରିକ ଥିଲା । ଏଥିରେ କ୍ରମେ ୧୬ ପାଲା କାହାଣୀ ପ୍ରବେଶ କରି ଏହାର କଳେବରକୁ ବୃଦ୍ଧି କଲା । ସତ୍ୟପୀର ବଙ୍ଗଦେଶରେ ଉତ୍ପତ୍ତି ହୋଇ କ୍ରମେ ଓଡ଼ିଶାକୁ ପରିବ୍ୟାପ୍ତ ଓ କବିକର୍ଣ୍ଣ ପ୍ରଭୃତି କବିମାନେ ସ୍ୱୀୟ କାଳ୍ପନିକ କାହାଣୀମାନଙ୍କରେ ତାଙ୍କ ମହିମାକୁ ପ୍ରସାରିତ କରିଦେଲେ ବୋଲି ଅନେକ ସମାଲୋଚକ ମତବ୍ୟକ୍ତ କରନ୍ତି । ମାତ୍ର ବଙ୍ଗଳାରୁ ଏହା ଓଡ଼ିଶାକୁ ଆସିଥିଲେ ଏବେ ବଙ୍ଗଳାରେ ପାଲାର କେତେକ ସଙ୍କେତ ବା ନିଦର୍ଶନ ଦେଖିବାକୁ ମିଳୁଥାନ୍ତା । ମାତ୍ର ଏହା ପରିଦୃଷ୍ଟ ହେଉନଥିବାରୁ ସ୍ୱତଃ ମନରେ ପ୍ରଶ୍ନ ଉଠେ; ସତ୍ୟପୀର ପୂଜାରେ “ସଙ୍ଗୀତ -ରସାଳ” ଏ ପାଲା ପ୍ରବେଶ କଲା କିପରି ?

 

ପାଲା ସତ୍ୟନାରାୟଣ ପୂଜାର ପୂର୍ବବର୍ତ୍ତୀ

 

ଓଡ଼ିଶାରେ ସତ୍ୟପୀର ବା ସତ୍ୟନାରାୟଣ ପୂଜା ଶେଷରେ ପାଲାଗାୟନ ପ୍ରଥା ପ୍ରଚଳିତ ଥିବାରୁ ପୂଜା ମାଧ୍ୟମରେ ହିନ୍ଦୁ ଓ ମୁସଲମାନ ସଂସ୍କୃତିର ସମନ୍ୱୟ ହୋଇଥିବାରୁ “ସତ୍ୟପୀର ପୂଜା ଉଦ୍ଭବ” ସମ୍ବନ୍ଧରେ ଓଡ଼ିଶାରେ ତା’ର ପ୍ରସାର ବିଷୟରେ ଏତେ ବ୍ୟାପକ ଆଲୋଚନା କରାଗଲା । ପୁନଶ୍ଚ ସତ୍ୟପୀର ପୂଜା ସହିତ ସଂଶ୍ଳିଷ୍ଟ ହୋଇଥିବାରୁ “ପାଲା” ସମାଲୋଚକମାନଙ୍କ ମତରେ ସତ୍ୟପୀରପୂଜା ସହିତ ଓଡ଼ିଶାକୁ ବଙ୍ଗଳାକୁ ଆସିଲା । ସତ୍ୟପୀରପୂଜା ବଙ୍ଗଳାରେ ଉଦ୍ଭବ ହୋଇ ଓଡ଼ିଶାକୁ ଆସିପାରିଥାଏ ,ମାତ୍ର ‘‘ପାଲା” ଓଡ଼ିଶାକୁ ବଙ୍ଗଳାରୁ ଆସିବା ସମ୍ବଦ୍ଧରେ କୌଣସି ନିର୍ଦ୍ଧିଷ୍ଟ ଐତିହାସିକ ପ୍ରମାଣ ନାହିଁ । “ପାଲା” ବଙ୍ଗଳାରୁ ଜନ୍ମଲାଭ କରିଥିଲେ ତା’ର ସଙ୍କେତ ଏବେବି ବଙ୍ଗଳାରେ ଥାଆନ୍ତା । ବଙ୍ଗଳାରେ ସତ୍ୟପୀର ପୂଜା ଏବେବି ପ୍ରଚଳିତ ଅଛି । ସେହି ପୂଜା ଶେଷରେ ଭୃଗୁରାମ, ଶ୍ରୀକବି, ଭରତଚନ୍ଦ୍ର କିମ୍ବା ଅନ୍ୟ କବିଙ୍କ ଦ୍ୱାରା ରଚିତ ବହି ହିଁ ପାଠ କରାଯାଏ । ତାହାକୁ ବଙ୍ଗଳାରେ ପାଞ୍ଚାଳୀ ବୋଲି କହନ୍ତି । ମାତ୍ର ସମଗ୍ର ବଙ୍ଗଳା ରାଜ୍ୟରେ ଖୋଜି ବସିଲେ ଓଡ଼ିଆ “ପାଲା” ସହିତ ସମକକ୍ଷ ହେଲାପରି ଅନୁଷ୍ଠାନ ନାହିଁ । ଓଡ଼ିଶାରେ କେବଳ ସତ୍ୟପୀର ପୂଜା ପରେ ଗାୟକମାନେ ପାଲା ଗାୟନ କରିଥାନ୍ତି । କେହି କେହି ବଙ୍ଗଳାରେ କବିର୍ ଗାନ ସହିତ ପାଲାକୁ ତୁଳନା କରି ପାଲା କବିର ଗାୟନରୁ ଆସିଛି ବୋଲି ଅନୁମାନ କରନ୍ତି । ମାତ୍ର କବିର୍‍ ଗାନ ‘‘ପାଲା” ଅପେକ୍ଷା କେତେ ନିକୃଷ୍ଟ ତାହା ପୂର୍ବରୁ ଆଲୋଚିତ ହୋଇସାରିଛି । ବଙ୍ଗଳାରେ କବିର୍‍ ଗାନ ପାଲା ପରି ଏତେ ସାହିତ୍ୟିକ ବିଭବ ବହନ କରେ ନାହିଁ । ଓଡ଼ିଶାରେ ପାଲା ପରିମାର୍ଜିତ ହୋଇ ଦିନକୁ ଦିନ ରସାଳ ଓ ଜନପ୍ରିୟ ହୋଇଥିଲାବେଳେ ବଙ୍ଗଳାରେ କବିର୍‍ ଗାନ ଶ୍ରୀହୀନ, ଶୁଷ୍କ ଓ ନୀରସ ହୋଇ ତାହା କ୍ରମେ ତର୍କ ସଭାରେ ପରିଣତ ହୋଇଛି ।

 

ସତ୍ୟପୀର ପୂଜା ଓ “ପାଲା” ଏ ଦୁଇଟି ସମ୍ପୂର୍ଣ୍ଣ ଭାବରେ ସ୍ୱତନ୍ତ୍ର ଅନୁଷ୍ଠାନ । ସତ୍ୟପୀର ପୂଜା ଧର୍ମକୁ କେନ୍ଦ୍ର କରି ଗଢ଼ି ଉଠିଛି । ଭକ୍ତି ଓ ବିଶ୍ୱାସ ଏହାର ମୂଳ କଥା । କାମନାସିଦ୍ଧି, ପୁତ୍ରପ୍ରାପ୍ତି, ନଷ୍ଟ ରାଜ୍ୟ ପ୍ରାପ୍ତି, ସୁଖପ୍ରାପ୍ତି ଉଦ୍ଦେଶ୍ୟରେ ସତ୍ୟପୀର ପୂଜା କରାଯାଏ । ତେଣୁ ଏହା ଏକ ଧାର୍ମିକ ଓ ଭକ୍ତି କୈନ୍ଦ୍ରିକ ଅନୁଷ୍ଠାନରୂପେ ପ୍ରସିଦ୍ଧି ଅର୍ଜନ କରିଛି ।

 

କିନ୍ତୁ ପାଲା ଓଡ଼ିଶାର ଏକ ସ୍ୱତନ୍ତ୍ର ବିଭବ । ସାହିତ୍ୟ ଏହାର ମୂଳକେନ୍ଦ୍ର । ସଂସ୍କୃତିର ବହୁ ବିଭାବଦ୍ୱାରା ପାଲା ପରିପୁଷ୍ଟ ହୋଇଛି । ସତ୍ୟପୀର ପୂଜାର ପରୀସୀମା ସଂକୀର୍ଣ୍ଣ ଧର୍ମଗତ ଭିତରେ ଆବଦ୍ଧ ହୋଇଥିବାବେଳେ ପାଲାର ଭିତ୍ତିଭୂମି ସୁଦୂରପ୍ରସାରୀ । ଏଥିରେ କେବଳ ଧର୍ମ କଥା ନୁହେଁ, ଜନଜୀବନର ଶିକ୍ଷା, ଦୁଃଖ, ମିଳନ, ବିରହ ଓ ସୂକ୍ଷ୍ମ ଅନୁଭୂତିଗୁଡ଼ିକ ବିଶଦ ଭାବରେ ପରିପ୍ରକାଶ ଲାଭ କରିଥାଏ । ସତ୍ୟପୀର ପୂଜାର ଉଦ୍ଦେଶ୍ୟ ଲୋକଙ୍କ ମନରେ ଧର୍ମ ଓ ଭକ୍ତିଭାବ ଜାଗରିତ କରିବା । ସତ୍ୟପୀର ପୂଜା କାହାଣୀମାନଙ୍କରେ କେବଳ ସତ୍ୟପୀରଙ୍କ ମହିମା ବିବୃତ ହୋଇଛି । ଅନ୍ୟଦେବତାମାନଙ୍କୁ ସତ୍ୟପୀରଙ୍କ ନିକଟରେ ଗୌଣ କରିଦିଆଯାଇଛି । କିନ୍ତୁ “ପାଲା”ରେ ସବୁ ଦେବତାଙ୍କ ମହିମା ଗାନ କରାଯାଇଛି । ପାଲା ଗାୟକମାନେ ଶିବ, ଦୁର୍ଗା, ଗଣେଷ, ସୂର୍ଯ୍ୟ, ବିଷ୍ଣୁ ସମସ୍ତଙ୍କ ପ୍ରଶ୍ରସ୍ତି ଗାନ କରିବାରେ ତତ୍ପର । ସତ୍ୟପୀର ପୂଜାରେ କେବଳ ଧର୍ମକୁ କେନ୍ଦ୍ରକରି ପରିକଳ୍ପିତ । କିନ୍ତୁ ପାଲାରେ ଧର୍ମ ସମ୍ପର୍କ ବିହୀନ କାହାଣୀ ମଧ୍ୟ ପରିବେଷିତ ହୋଇଥାଏ ।

 

“ପାଲା” ଓଡ଼ିଶାର ଏକ ନିଜସ୍ୱ କଳା । ଭାରତବର୍ଷର ଅନ୍ୟ ପ୍ରଦେଶମାନଙ୍କରେ ପାଲାପରି ସାରସ୍ୱତ ସାଂସ୍କୃତିକ ଅନୁଷ୍ଠାନ ଦେଖିବାକୁ ମିଳେନାହିଁ । ଆନ୍ଧ୍ରର ହରିକଥା ଓ ଉତ୍ତର ଭାରତର ରାମକଥା ପାଲା ସହିତ କଦାପି ତୁଳନୀୟ ହୋଇନପାରେ ।

 

ଓଡ଼ିଶାକୁ ସତ୍ୟପୀରପୂଜା ସଂକ୍ରମିତ ହେବାର ବହୁ ପୂର୍ବରୁ ଓଡ଼ିଶାରେ ପାଲା ପ୍ରଚଳିତ ଥିଲା । ଆଜି ଆମେ ପାଲାର ରୂପରେଖ ଯାହା ଦେଖୁ ତାହା ବହୁ ବିବର୍ତ୍ତନର ରୂପ । ଆରମ୍ଭରେ ପାଲାର ସ୍ୱରୂପ କ’ଣ ଥିଲା ସେ ସମ୍ବନ୍ଧରେ ଏପର୍ଯ୍ୟନ୍ତ କୌଣସି ଐତିହାସିକ ତଥ୍ୟ ଦେଖିବାକୁ ମିଳେ ନାହିଁ । ସତ୍ୟପୀରପୂଜା ଓଡ଼ିଶାକୁ ଆସିଲାବେଳକୁ ଓଡ଼ିଶାରେ ପାଲା ଏକ ଜନପ୍ରିୟ ଅନୂଷ୍ଠାନରୂପେ ପ୍ରସିଦ୍ଧି ଅର୍ଜ୍ଜନ କରିଥିବାରୁ ସତ୍ୟପୀର ପୂଜା କାହାଣୀ ସେହି ପାଲା ମାଧ୍ୟମରେ ପ୍ରଚାରିତ ହୋଇଛି । ସେହି ସମୟରେ ଏହାର ନାମଗତ ଓ ଗୁଣଗତ ପରିବର୍ତ୍ତନ ହୋଇଥିବା ଅନୁମାନ କରାଯାଏ । ପାଲାପରି ଏକ ବଳିଷ୍ଠ ଅନୁଷ୍ଠାନ ଓଡ଼ିଶାରେ ନ ଥିଲେ ସତ୍ୟପୀରଙ୍କ ପ୍ରଚାର ଉଦ୍ଦେଶ୍ୟରେ ତାକୁ ବ୍ୟବହାର କରାଯାଇଥାନ୍ତା କିପରି ? ସ୍କନ୍ଧପୁରାଣରେ ବର୍ଣ୍ଣିତ ପ୍ରଥା ଅନୁସାରେ ଭାରତ ବର୍ଷର କେତେକ ଅଞ୍ଚଳରେ ସତ୍ୟନାରାୟଣ ପୂଜା ହେଉଥିଲେ ବି ପୂଜା ଶେଷରେ ଓଡ଼ିଶାର “ପାଲା” ପରି କେଉଁଠାରେ ସାଂସ୍କୃତିକ ଅନୁଷ୍ଠାନର ପ୍ରଚଳନ ଦେଖିବାକୁ ମିଳେ ନାହିଁ । କେତେକ ଭକ୍ତିରସାତ୍ମକ ସଙ୍ଗୀତ ଗାନ କରାଯାଇ ପୂଜାର ପରିସମାପ୍ତି କରିବା ଦେଖାଯାଏ । ଭାରତବର୍ଷର ଅନ୍ୟ କୌଣସି ପ୍ରଦେଶରେ “ପାଲା” ସଦୃଶ ଅନୁଷ୍ଠାନ ପ୍ରଚଳିତ ଥିଲେ, ସେ ଅନୁଷ୍ଠାନର ଉତ୍ପତ୍ତି ଇତିହାସ ସହ ପାଲା ଉତ୍ପତ୍ତିର ଇତିହାସ ତୁଳନା କରାଯାଆନ୍ତା । ଏହା କେବଳ ଓଡ଼ିଶାରେ ପ୍ରଚଳିତ ଥିବାରୁ ଏହାର ଓଡ଼ିଶାର ଏକାନ୍ତ ନିଜସ୍ୱ କହିବା ସୁସଙ୍ଗତ ।

 

“ପାଲା” ନାଟକର ଆଦ୍ୟ ରୂପ

 

ନାଟ୍ୟଶାସ୍ତ୍ର ସମ୍ବନ୍ଧରେ ପୃଥିବୀରେ ଯେତେ ଗ୍ରନ୍ଥ ରଚିତ ହୋଇଛି ସେ ଗୁଡ଼ିକ ମଧ୍ୟରେ ଭରତମୁନିଙ୍କ ନାଟ୍ୟଶାସ୍ତ୍ର ସର୍ବପ୍ରାଚୀନ ଓ ପ୍ରାମାଣିକ ଗ୍ରନ୍ଥ ଭାବରେ ଗୃହୀତ ହୋଇଆସିଛି । ନାଟ୍ୟଶାସ୍ତ୍ର।ଚନା ସମ୍ବନ୍ଧରେ ଭରତମୁନି ଗୋଟିଏ ସୁନ୍ଦର ଗଳ୍ପର ଅବତାରଣ କରାଇଛନ୍ତି । ଜମ୍ବୁଦୀପବାସୀ କାମ, ଲୋଭ, ଇର୍ଷା ଆଦି ଷଡ଼ରିପୁ ପ୍ରଭାବରେ ବଶୀଭୂତ ହୋଇ ବେଦବିହିତ ମାର୍ଗ ଭୁଲିବାରୁ ଦେବତାମାନେ ମିଳିତ ହୋଇ ବ୍ରହ୍ମାଙ୍କୁ “ଶ୍ରାବ୍ୟ-ଦୃଶ୍ୟ” ସମ୍ବଳିତ ପଞ୍ଚବେଦ ସୃଷ୍ଟି କରିବା ପାଇଁ ପ୍ରାର୍ଥନା କଲେ । ଶୁଦ୍ରମାନଙ୍କର ବେଦ ଅଧ୍ୟୟନ ଅଧିକାର ନ ଥିବାରୁ ବ୍ରହ୍ମା ଋକ୍‌ବେଦରୁ ବିଷୟବସ୍ତୁ, ସାମ୍ ବେଦରୁ ଗାନ, ଯଦୁର୍ବେଦରୁ ଅଭିନୟ ଓ ଅଥର୍ବବେଦରୁ ରସ ଗ୍ରହଣ କରି ପଞ୍ଚମ ବେଦ “ନାଟ୍ୟ” ପ୍ରଣୟନ କଲେ । ନାଟକ ସୃଷ୍ଟିପରେ ବ୍ରହ୍ମା ଇନ୍ଦ୍ରଙ୍କୁ ଅଭିନୟ କରିବା ପାଇଁ କହନ୍ତେ ପଲକ ରହିତ ଦେବତାମାନଙ୍କ ଦ୍ୱାରା ନେତ୍ରନ୍ତ-ବିଳାସଯୁକ୍ତ ଅଭିନୟ ସମ୍ଭବ ନୁହେଁ ବୋଲି ମନା କରିଦେଲେ । ଏଣୁ ବ୍ରହ୍ମା ଭରତମୁନି ଓ ତାଙ୍କର ଶତପୁତ୍ରଙ୍କ ଉପରେ ଏ ବିଦ୍ୟାର ପ୍ରୟୋଗ ଭାର ଅର୍ପଣ କଲେ । ଭରତମୁନିଙ୍କ ଦ୍ୱାରା “ନାଟ୍ୟ”କ୍ରମେ ପ୍ରଚାର ଓ ପ୍ରସାର ଲାଭ କଲା । ଏ କାହାଣୀକୁ ଐତିହାସିକ ସତ୍ୟ ବୋଲି ଗ୍ରହଣ କରା ନ ଗଲେ ବି ସତ୍ୟ ପ୍ରକାଶ ପାଇଁ ଏହା ଉପାଦାନ ଯୋଗାଇ ଥାଏ ।

 

ଭରତମୁନିଙ୍କ ନାଟ୍ୟଶାସ୍ତ୍ରର ପ୍ରମାଣ ଅନୁସାରେ ନାଟକ ଦୃଶ୍ୟ ଶ୍ରାବ୍ୟ କାବ୍ୟର ଏକ ସମ୍ମିଳୀତ ସାର୍ବଜନୀନ କଳା । ଏହା ଜଣ ପରିବର୍ତ୍ତେ ଗଣ ପାଇଁ ଅଭିପ୍ରେତ । ନାଟକ ଦର୍ଶକଙ୍କୁ ଧର୍ମ, ଅର୍ଥ, ଯଶ ଓ ବହୁ ମୂଲ୍ୟବାନ ଉପଦେଶ ଦିଏ । ବିମଳ ଆନନ୍ଦ ଦେବା ଶ୍ରାବ୍ୟ ଓ ଦୃଶ୍ୟ ଉଭୟ କାବ୍ୟର ଉଦ୍ଦେଶ୍ୟ ବୋଲି ଭାରତୀୟ ଆଳଙ୍କାରିକମାନେ ମତବ୍ୟକ୍ତ କରାଯାଇଛନ୍ତି । ଭରତମୁନିଙ୍କ ନାଟ୍ୟଶାସ୍ତ୍ର ଓ ଆରିଷ୍ଟଟଲ ପ୍ରଭୃତିଙ୍କ ଦ୍ୱାରା ରଚିତ ନାଟ୍ୟ ସମ୍ବନ୍ଧୀୟ ଗ୍ରନ୍ଥମାନଙ୍କରୁ ପ୍ରଥମେ ନାଟ୍ୟ ସଂଳାପଧର୍ମୀ ନ ହୋଇ ଗାନଧର୍ମୀ ଥିବାର ପ୍ରମାଣ ମିଳେ । ନାଟକଗୁଡ଼ିକରେ ସଂଳାପ ଅପେକ୍ଷା ସଙ୍ଗୀତ ପ୍ରାଧାନ୍ୟ ଲାଭ କରିଥିଲା । ନାଟକର ଚରିତ୍ରମାନେ ସ୍ୱୀୟ ଭାବବେଗ ଓ ଅନୁଭୂତିକୁ ସଙ୍ଗୀତ ମାଧ୍ୟମରେ ପ୍ରକାଶ କରୁଥିଲେ । ସଙ୍ଗୀତ ବହୁଳ ନାଟକ ସେଥିପାଇଁ ଆଦିଯୁଗରେ କାବ୍ୟନାମରେ ନାମିତ ଥିଲା ।

 

ଅଭିନୟ ପ୍ରଥମେ ସଙ୍ଗୀତାଶ୍ରୟୀ ଥିଲା । ରାଜକୀୟ ଓ ଜନପଦର ଉତ୍ସବମାନଙ୍କରେ ସଙ୍ଗୀତ ଓ ନୃତ୍ୟ ବିଶେଷ ଭାବରେ ଆଦର ଲାଭ କରିଥିଲା । ଏ ପରମ୍ପରା ବୈଦିକ ଯୁଗରେ ଏପର୍ଯ୍ୟନ୍ତ ପ୍ରଚଳିତ ହୋଇଆସିଛି । ମନୁଷ୍ୟ ଚିରନ୍ତନ ସୌନ୍ଦର୍ଯ୍ୟର ପୂଜାରୀ । ସୌନ୍ଦର୍ଯ୍ୟପିପାସୁ ମାନବ ନିଜେ ଅପୂର୍ଣ୍ଣ ଥାଇ ବି ସୌନ୍ଦର୍ଯ୍ୟ ମାଧ୍ୟମରେ ପୂର୍ଣ୍ଣତାପ୍ରାପ୍ତି ପାଇଁ ବ୍ୟାକୁଳ । ସ୍ୱାର୍ଥପର ପରି ସେ କେବଳ ସୌନ୍ଦର୍ଯ୍ୟ ଆସ୍ୱାଦନ କରି ତୃପ୍ତ ନୁହେଁ; ନିଜର ଅନୁଭୂତିକୁ ଅନ୍ୟ ନିକଟରେ ପହଞ୍ଚାଇବାରେ ପ୍ରବଳ ପ୍ରୟାସରୁ କଳାର ଉତ୍ପତ୍ତି । ବରେଣ୍ୟ ସମାଲୋଚକ ଟଲଷ୍ଟୟଙ୍କ ଭାଷାରେ “କଳାର କାର୍ଯ୍ୟ ସୌନ୍ଦର୍ଯ୍ୟ ସୃଷ୍ଟି” । ହୃଦୟସ୍ୱର୍ଶୀ ସଙ୍ଗୀତ ଗାଥା ବା ପ୍ରଶଂସା ଯୋଗ୍ୟ ଅଭିନୟ ଏହି କଳାର ଅନ୍ତର୍ଭୁକ୍ତ । କାରଣ ଏହା ମଧ୍ୟ ସୌନ୍ଦର୍ଯ୍ୟ ସୃଷ୍ଟିର ପରିଚାୟକ ।

 

ମଣିଷ ସାମାଜିକ ହେବା ପୂର୍ବରୁ ମଧ୍ୟ ତା’ ମନରେ ସୌନ୍ଦର୍ଯ୍ୟ ଓ କଳା ପ୍ରତି ସ୍ୱତଃ ଆକର୍ଷଣ ଥିଲା । ତେଣୁ ଆଦିମ ଯୁଗରେ ମଧ୍ୟ ନିଜର ସୁଖଦୁଃଖର ଅନୁଭୂତିକୁ ପ୍ରକାଶ କରିବା ପାଇଁ ମଣିଷ ଲହରିପୂର୍ଣ୍ଣ ଧ୍ୱନିର ଆଶ୍ରୟ ନେଇଥିଲା । ସଭ୍ୟତାର ଉନ୍ମେଷ ସଙ୍ଗେ ସଙ୍ଗେ କ୍ରମେ ରସାଣିତ ହୋଇ ସଙ୍ଗୀତ ଅଭିନୟରେ ପର୍ଯ୍ୟବସିତ ହେଲା । ଜୀବନର ବିଚିତ୍ର ଅନୁଭୂତିକୁ ମଣିଷ ଏଯାବତ୍ ସଙ୍ଗୀତ, ଅଭିନୟ ଆଦି ମାଧ୍ୟମରେ ପ୍ରକାଶ କରାଇ ଆସିଛି । ମନୋଗତ ଭାବନା ପ୍ରକାଶ ପାଇଁ ଯେତେଗୁଡ଼ିଏ ମାଧ୍ୟମ ଏଯାବତ୍ ପ୍ରତିଷ୍ଟା ଲାଭ କରିଛନ୍ତି ସେମାନଙ୍କ ମଧ୍ୟରୁ ସଙ୍ଗୀତ ଓ ଅଭିନୟ ଶ୍ରେଷ୍ଠ ମାଧ୍ୟମରୂପେ ଗୃହୀତ । କାରଣ ଏହା ସ୍ମୃତି ପଟରେ ଚିତ୍ରପଟପରି ପ୍ରତିଫଳିତ ହୋଇ ପ୍ରୟୋଗତ୍ମକ ଜ୍ଞାନବର୍ଦ୍ଧନ କରାଏ । ଆଚାର୍ଯ୍ୟ ବାମନଙ୍କ ମତରେ “କାବ୍ୟ ବା ଆଖ୍ୟାୟିକା ନାଟକୀୟତାରେ ପରିପୁଷ୍ଟ ହେଲେ କାବ୍ୟର ରସୋପଲବ୍ଧ ସୁଲଭ ହୁଏ ।” ଅର୍ଥାତ କଥା ସଂଯୁକ୍ତ କାବ୍ୟ ଅଭିନୟଦ୍ୱାରା ପ୍ରଚାରିତ ହେଲେ ତାହା ଦର୍ଶକ ଓ ଶ୍ରୋତା ମନରେ ସହଜେ ରସୋପଲବ୍ଧ କରାଏ । କାବ୍ୟର ରସ ଆସ୍ୱାଦନ ପାଇଁ କୌଣସି ପ୍ରକାର ପ୍ରତିବନ୍ଧକ ବା କ୍ଲିଷ୍ଟତା ଉପୁଜିଲେ ନୃତ୍ୟ, ଗୀତ, ବାଦ୍ୟ, ମାଧ୍ୟମରେ ଓ ନାଟନଟୀଙ୍କ ସାହାଯ୍ୟରେ ରସୋପଲବ୍ଧ ପାଇଁ ପ୍ରଚେଷ୍ଟା କରାଯାଏ । ଅଭିନବ ଗୁପ୍ତଙ୍କ ପ୍ରଣୀତ “ଅଭିନୟ ଭାରତୀ”ରେ ଏକଥା ସ୍ପଷ୍ଟ ଭାବରେ ଉଲ୍ଲେଖ ଅଛି । ସଙ୍ଗୀତ କଳା ସମାଜରେ ଏକ ଉକୃଷ୍ଟ ସ୍ଥାନ ଲାଭ କରି ଆସିଛି । ଏହି ସଙ୍ଗୀତ କଳା ବାଦ୍ୟ ଓ ଅଭିନୟଯୁକ୍ତ ହେଲେ ଆହୁରି ସରସ ଓ ଜୀବନ୍ତ ହୁଏ । ସେଥିପାଇଁ କାବ୍ୟର ସକଳ ଗୁଣ (ସଙ୍ଗୀତ, ବାଦ୍ୟ, ଅଭିନୟ) ଯୁକ୍ତ କ୍ରୀଡ଼ାକୁ ରାଜକୁମାର ବିକ୍ରମଦେବ ନାଟକ ନାମରେ ଅଭିହିତ କରିଛନ୍ତି । ଅନୁଭୂତି ପ୍ରସ୍ତୁତ କଳ୍ପନା ରସାଣିତ, ପ୍ରତ୍ୟକ୍ଷ-ଜ୍ଞାନଯୁକ୍ତ ଓ ସତ୍ୟ-ଅସତ୍ୟର ବିଲକ୍ଷଣ ମଣ୍ଡିତ ହୋଇ ଗଣଚିତ୍ତରେ ଆନନ୍ଦ ସୃଷ୍ଟି କରିବାରେ ସଙ୍ଗୀତ କଳା ଏ ପର୍ଯ୍ୟନ୍ତ ଏକ ଉକୃଷ୍ଟ ମାଧ୍ୟମରୂପେ ସମ୍ମାନୀତ ହୋଇ ଆସିଛି । ତେଣୁ ନାଟକର ଆଦିକାଳ ଗୀତମୟ ବା ସଙ୍ଗୀତମୟ ଥିଲା । କାରଣ ସଙ୍ଗୀତ ମନ୍ମୟତା, ଭାବ ସାବଲୀଳତା ସହଜେ ହୃଦୟକୁ ସ୍ପର୍ଶ କରୁଥିବାରୁ ଏହାରି ମାଧ୍ୟମରେ କାବ୍ୟର ଆଖ୍ୟାୟିକାଗୁଡ଼ିକ ବାଦ୍ୟଯୁକ୍ତ କରାଯାଇ ପରିବେଷଣ କରାଯାଉଥିଲା । ଏହାଦ୍ୱାରା ମନୁଷ୍ୟ ମନର ଶାଶ୍ୱତ ଚିନ୍ତା, ସାର୍ବଜନୀନ ଅନୂଭୂତି ଓ ସତ୍ୟ ସହଜେ ପ୍ରକାଶିତ ହୁଏ । ସଙ୍ଗୀତ କଳା ଅଶେଷ ଜନହୃଦୟର ସ୍ମାରକୀ ବହନ କରି କଣ୍ଠକୁ କଣ୍ଠ ଉଦଘୋଷିତ ହୋଇ ଶ୍ରୁତିରୁ ଶ୍ରୁତିକୁ ଗତି କରି ଏହା ପରିବର୍ତ୍ତିତ ଓ ପରିବର୍ଦ୍ଧିତ ହୋଇଆସିଛି । ସଙ୍ଗୀତର ସମ୍ମୋହନ ଶକ୍ତି ଶ୍ରୋତାର କଳ୍ପନାକୁ ସମ୍ବର୍ଦ୍ଧିତ କରି ତାହାକୁ ତୁଚ୍ଛ ସାଂସାରିକତାର ବହୁ ଊର୍ଦ୍ଧ୍ୱକୁ ନେଇଯାଏ । କେବଳ ସେତିକି ନୁହେଁ ଏହା ଶ୍ରୋତା ପ୍ରାଣରେ ବିସ୍ତୃତଭାବନା ଓ ସଂସ୍କାର ଜାଗ୍ରତ କରାଇବାରେ ସକ୍ଷମ ହୁଏ ।

 

ବିବର୍ତ୍ତନ କ୍ରମେ ସଙ୍ଗୀତ ଧର୍ମୀ ଅଭିନୟ ଆଦି ନାଟକ ନାମରେ ଅଭିହିତ ହୋଇଥିଲେ ବି ସୃଷ୍ଟିର ସେହି ପ୍ରଥମ ସ୍ୱାକ୍ଷର ତା’ ବକ୍ଷରେ ସ୍ପଷ୍ଟତର ହୋଇ ଉଠିଛି । ବିଂଶ ଶତାବ୍ଦୀର ଚଳଚିତ୍ର ଯୁଗରେ ମଧ୍ୟ ସଙ୍ଗୀତ ନାଟକର ଅଭେଦ ଆତ୍ମାରୂପେ ପରିଗଣିତ ହୋଇ ରହି ଆସିଛି । ଉଦ୍‍ବର୍ତ୍ତନର ନିୟମ ଅନୁଯାୟୀ ଜଗତର ସବୁ କଳା ଓ ସାହିତ୍ୟର ସଂସ୍କାର ହୋଇଛି ।

 

ଗୀତ, ଓ ନୃତ୍ୟ ପରସ୍ପର ପରିପୂରକ, ଗୋଟିଏ ବୀଜର ଦୁଇଟି ଫାଳ । ଏହି ଗୀତ ଓ ନୃତ୍ୟ ସଭ୍ୟତାର ଆରମ୍ଭରୁ ଏଯାବତ୍ ଧାର୍ମୀକ ଓ ସାମାଜିକ ଅନୁଷ୍ଠାନମାନଙ୍କ ସହିତ ଓତଃପ୍ରୋତଭାବେ ଜଡ଼ିତ ହୋଇଆସିଛି । ପ୍ରବହମାନ ଝରଣା ପରି ଆବୃତି, ବିବର୍ତ୍ତନ ଓ ପରିବର୍ତ୍ତନ ମାଧ୍ୟମରେ କ୍ରମେ ଏହାର କଳେବର ବୃଦ୍ଧି ହୋଇଛି ।

 

ପାଲାର କ୍ରମବିକାଶ

 

ବୈଦିକ ଯୁଗରେ ପୁତ୍ରକନ୍ୟାମାନଙ୍କର ଜାତକ-ଉତ୍ସବ, ଋଷି ଓ ବ୍ରାହ୍ମଣ ପୁତ୍ରମାନଙ୍କର ଉପନୟନ ଉତ୍ସବ ଓ ରାଜାମାନଙ୍କର ଅଭିଷେକ ଉତ୍ସବବେଳେ ସଙ୍ଗୀତ, ନୃତ୍ୟାଦି ପ୍ରଦର୍ଶିତ ହେଉଥିଲା । ଏହି ଉତ୍ସବମାନଙ୍କରେ ଗାନ କରାଯାଉଥିବା କବିତାଗୁଡ଼ିକ ଆଜିକାଲିକାର ପାଲାରେ ପରିବେଷିତ ହେଉଥିବା ଗାଥା କବିତା ପରି । ଋକବେଦର ବହୁ ମନ୍ତ୍ରରେ ଏହି ଗାଥା ଶବ୍ଦ ବ୍ୟବହୃତ ହୋଇଛି । “ଗାଥା”ର ଅର୍ଥ ଉତ୍ସବମାନଙ୍କରେ ଗାନ କରାଯାଉଥିବା ସଙ୍ଗୀତ । ଯେଉଁମାନେ ଗାଥା ସଙ୍ଗୀତ ଗାନ କରୁଥିଲେ ସେମାନଙ୍କୁ ଗାଥିନ ବୋଲି କୁହାଯାଉଥିଲା । ଆରଣ୍ୟକ ଓ ବ୍ରାହ୍ମଣ ଗ୍ରନ୍ଥମାନଙ୍କରେ ଅନେକ ସ୍ଥଳରେ ଗାଥା ଶବ୍ଦର ବ୍ୟବହାର ଦେଖିବାକୁ ମିଳେ । ଏହି ଗ୍ରନ୍ଥମାନଙ୍କରେ ରାଜାମାନଙ୍କର ସ୍ୱୟମ୍ବର ଉତ୍ସବରେ ରାଜାମାନଙ୍କର ଗୁଣକୀର୍ତ୍ତନ କରି ଗାଥା-ସଙ୍ଗୀତମାନ ପରିବେଷିତ ହେଉଥିଲା । ଏହି ଗାଥାଗୁଡ଼ିକର ତତ୍କାଳୀନ ରାଜଦରବାରର ଖ୍ୟାତିସମ୍ପନ୍ନ କବିମାନେ ରଚନା କରୁଥିଲେ । ଉତ୍ସବମାନଙ୍କରେ ସଙ୍ଗୀତ ମାଧ୍ୟମରେ ହିଁ ସମବେତ ହୋଇଥିବାରୁ ଲୋକମାନେ ବିମଳ ଆନନ୍ଦ ଲାଭ କରୁଥିଲେ ।

 

ଯଜ୍ଞାଦି ଅନୁଷ୍ଠାନମାନଙ୍କରେ ମଧ୍ୟ ଏହି ଗାୟନ ରୀତି ପ୍ରଚଳିତ ଥିଲା । ସଙ୍ଗୀତର ଚରମ ବିକାଶ ହୋଇଥିବାରୁ ଓ ସଙ୍ଗୀତ ଲୋକମାନଙ୍କର ଏକାନ୍ତ ପ୍ରିୟ ହୋଇଥିବାରୁ ବୈଦିକ ଯୁଗର ମନ୍ତ୍ରଗୁଡ଼ିକ ଛନ୍ଦଯୁକ୍ତ ଗୀତିମୟ ରୂପରେ ହିଁ ପ୍ରକାଶିତ ହୋଇଛି । ବେଦ ଗାନ କରିବା ଶୈଳୀ ମଧ୍ୟ ଅନୁପମ ଥିଲା । ସୁଲଳିତ କଣ୍ଠରେ ଛନ୍ଦୋବଦ୍ଧ ବୈଦିକ ମନ୍ତ୍ରଗାନ କଲାବେଳେ ଶୁଷ୍କତରୁ ପଲ୍ଲବି ଉଠୁଥିଲା ବୋଲି ବୈଦିକ ଯୁଗର କାହାଣୀମାନଙ୍କରେ ଦେଖିବାକୁ ମିଳେ । ବାଳକ ନଚିକେତା ପିତାଙ୍କ ଆଦେଶରେ ଯେତେବେଳେ ଯମଙ୍କ ଦ୍ୱାରରେ ପହଞ୍ଚି ବେଦ ଗାନ କଲେ ସ୍ୱଂୟ ମୃତ୍ୟୁ ଦେବତା ସେ ସଙ୍ଗୀତ ମାଧୁରୀରେ ମୁଗ୍ଧ ହୋଇ ବାଳକ ନଚିକେତାଙ୍କୁ ବ୍ରହ୍ମଜ୍ଞାନ ପ୍ରଦାନ କରିଥିଲେ । ରାଜ ଦରବାରମାନଙ୍କରେ ଆଖ୍ୟାୟିକା ବା ଗାଥା ସଙ୍ଗୀତ ଗାନ କରାଯିବାର ବିଧି ସମକାଳୀନ ପୌରାଣିକ ଗଳ୍ପମାନଙ୍କରେ ଦେଖିବାକୁ ମିଳେ ।

 

ମହାକବି ବାଲ୍ମୀକିଙ୍କ ଦ୍ୱାରା ରଚିତ ରାମାୟଣ ମହାକାବ୍ୟ ରୂପରେ ସ୍ୱୀକୃତି ପାଇବା ପୂର୍ବରୁ ରାଜ ଦରବାରଠାରୁ ଆରମ୍ଭ କରି ଆଶ୍ରମର ତପୋବନ ପର୍ଯ୍ୟନ୍ତ ସର୍ବତ୍ର ଗାନ କରାଯାଉଥିଲା । ରାମ ଯେତେବେଳେ ଅଶ୍ୱମେଧ ଯଜ୍ଞର ଆୟୋଜନ କଲେ ସେତେବେଳେ ସେ ଭାରତବର୍ଷର ବରେଣ୍ୟ ଋଷିମାନଙ୍କୁ ନିମନ୍ତ୍ରଣ କରିଥିଲେ । ମହାକବି ବାଲ୍ମୀକି ମଧ୍ୟ ଏହି ଯଜ୍ଞକୁ ନିମନ୍ତ୍ରଣ ପାଇଥିଲେ । ବାଲ୍ମୀକି ଯଜ୍ଞକୁ ଆସିଲାବେଳେ ସଙ୍ଗରେ ଲବ ଓ କୁଶଙ୍କୁ ନେଇ ଆସିଥିଲେ । ଲବ କୁଶ ରାମଙ୍କ ଦରବାରରେ ନିମନ୍ତ୍ରଣ ରାଜା, ଋଷି ବ୍ରାହଣ ଆଦିଙ୍କୁ ସମ୍ମୁଖରେ “ରାମାୟଣ ଗାଥା” ସୁଲଳିତ କଣ୍ଠରେ ଗାନକରି ସମସ୍ତଙ୍କୁ ଚମତ୍କୃତ କରି ଦେଇଥିବା କଥା ରାମାୟଣରେ ଦେଖିବାକୁ ମିଳେ । ରାମଙ୍କ ଶାସନ ବେଳକୁ ରାଜ ଦରବାରମାନଙ୍କରେ ଏ ପ୍ରକାର ଗାଥା-ସଙ୍ଗୀତ ପରିବେଷିତ ହେବାର ପରମ୍ପରା ପ୍ରଚଳିତ ଥିବା ଅନୁମାନ କରାଯାଇପାରେ ।

 

ରାମାୟଣ ଯୁଗରେ ରାଜ ଦରବାର ଓ ଉତ୍ସବମାନଙ୍କରେ ସଙ୍ଗୀତ କଳାର କିପରି ଅପୂର୍ବ ଆଦର ଥିଲା ତାହା ସଂସ୍କୃତ ରାମାୟଣରେ ଦେଖିବାକୁ ମିଳେ । ଦଶରଥଙ୍କ ମୃତ୍ୟୁବେଳେ ରାଜ୍ୟ ରାଜାହୀନ ହୋଇଥିବାରୁ ମାର୍କଣ୍ଡେୟ ଆଦି ମୁନିମାନେ ବଶିଷ୍ଠଙ୍କୁ କହିଛନ୍ତି-

 

ନରାଜକେ ଜନପଦେ ପ୍ରହୃଷ୍ଟନଟନର୍ତ୍ତକାଃ

ଉତ୍ସବାଶ୍ଚ ସମାଜାଶ୍ଚ ବର୍ଦ୍ଧେନ୍ତେ ରାଷ୍ଟ୍ରବର୍ଦ୍ଧନାଃ ।

 

ନୃପତିବିହୀନ ରାଜ୍ୟରୁ ନୃତ୍ୟାଦି ବିଦ୍ୟାନିପୁଣ ଗୁଣିକମାନେ ବିମୁଖ ହୋଇ ପଳାୟନ କରନ୍ତି । ରାଜ୍ୟର ମଙ୍ଗଳକର ଉତ୍ସବମାନଙ୍କରେ ଯୋଗ ଦିଅନ୍ତି ନାହିଁ । ଦଶରଥଙ୍କ ମୃତ୍ୟୁ ଓ ରାମଙ୍କ ବନବାସ ଯୋଗୁଁ ଭରତ ଦୁଃଖରେ ଅଧୀର ହେବାରୁ ତାଙ୍କ ମନରେ ଆନନ୍ଦ ଦେବା ପାଇଁ ସଙ୍ଗୀତ ନୃତ୍ୟାଦିର ବ୍ୟବସ୍ଥା କରାଯାଇଥିଲା । ରାମାୟଣ ଯୁଗରେ ସମସ୍ତ ଉତ୍ସବରେ ନୃତ୍ୟ-ଗୀତ-ବାଦ୍ୟର ସମାଦର ଥିଲା । ତେଣୁ ରାଜବଂଶ ଓ ସମାଜର ପ୍ରତିଷ୍ଟିତ ବ୍ୟକ୍ତିମାନେ ଉତ୍ସବମାନଙ୍କରେ ଏପ୍ରକାର ଗୀତ-ନୃତ୍ୟ-ବାଦ୍ୟର ଆୟୋଜନ କରାଯାଇଥିଲା ।

 

ମହାପ୍ରତାପୀ କଂସଙ୍କ ଦରବାରରେ ସୁଯୋଗ୍ୟ ପଣ୍ଡିତମାନେ କଂସକୀର୍ତ୍ତି ସମ୍ବଳିତ ସଙ୍ଗୀତ ଗାନ କରୁଥିଲେ । ଏପ୍ରକାର ପ୍ରଶସ୍ତିଗାନମୂଳକ ସଙ୍ଗୀତ ମଧ୍ୟଯୁଗୀୟ ଭାଟମାନଙ୍କ ପ୍ରଶସ୍ତିପରି ହୋଇଥିବ । କୃଷ୍ଣ ଜନ୍ମ ହେଲାବେଳେ ନନ୍ଦଙ୍କ ମନ୍ଦିରରେ ଯେଉଁ ଉତ୍ସବ ହେଲା ସେଥିରେ ନାରୀ ଓ ପୁରୁଷ ଉଭୟେ ମିଳି ସଙ୍ଗୀତ ଓ ନୃତ୍ୟ ପରିବେଷଣ କରିଥିବା ପ୍ରମାଣମାନଙ୍କରୁ ମିଳେ । ଗୋପାଳମାନେ କୃଷ୍ଣଙ୍କ ସହ ମିଳିତ ହୋଇ ଗୋଚାରଣବେଳେ ପରମ ସନ୍ତୋଷରେ ସଙ୍ଗୀତ ଗାନ କରି କାଳତିପାତ କରୁଥିଲ । ରାସସ୍ଥଳୀରେ ଗୋପାଙ୍ଗନାମାନେ ହାତରେ ଖୋଳ ଓ ତାଳ ଧରି ସଙ୍ଗୀତ ଗାନ କରୁଥିଲେ ।

 

ମହାଭାରତର ବର୍ଣ୍ଣନା ଅନୁସାରେ ରାଜ ଦରବାରରେ ଏହି ସଙ୍ଗୀତ ଗାୟନ ପ୍ରଥା ପ୍ରାଧାନ୍ୟ ଲାଭ କରିଥିବା ଦେଖାଯାଏ । ଭଗବାନ ଶ୍ରୀକୃଷ୍ଣ ହସ୍ତିନାରେ ଅତିଥି ହେଲାବେଳେ ଦୁର୍ଯ୍ୟୋଧନ ରାଜ୍ୟଲାଭ କଲାପରେ ନାନା ଉତ୍ସବ ବ୍ୟସନ ଓ ସଙ୍ଗୀତ ନୃତ୍ୟାଦିରେ ଲିପ୍ତ ରହୁଥିଲେ-। ବିଶେଷ ଉତ୍ସବମାନଙ୍କରେ ବା ବିଶିଷ୍ଟ ଅତିଥିମାନଙ୍କର ଆଗମନରେ ରାଜପୁର ସଙ୍ଗୀତ ଓ ବାଦ୍ୟରେ ମୁଖରିତ ହୋଇ ଉଠୁଥିଲେ । ସେତେବେଳେ ସମ୍ଭ୍ରାନ୍ତ ପରିବାରରେ ନୃତ୍ୟ ଓ ସଙ୍ଗୀତ ବିଦ୍ୟାର ଚର୍ଚ୍ଚା ଅପ୍ରତିହତ ଥିଲା । ଅର୍ଜ୍ଜୁନ ଅଜ୍ଞାତବାସବେଳେ ବୃହନ୍ନଳା ଛଦ୍ମରୂପରେ ବିରାଟଙ୍କ ଅନ୍ତଃପୁର ଅଙ୍ଗନାମାନଙ୍କୁ ଗୀତ ଓ ନୃତ୍ୟ ଶିକ୍ଷା ଦେଉଥିଲେ । ବ୍ୟାସଙ୍କ ମହାଭାରତରେ ସଙ୍ଗୀତ ନୃତ୍ୟବାଦ୍ୟର ଆୟୋଜନ ହେଉଥିବା ପ୍ରସଙ୍ଗ ଅନେକ ସ୍ଥଳରେ ଦେଖିବାକୁ ମିଳେ ।

 

୧) “ଗୀତବାଦିତ୍ର କୁଶଳା ସାମ୍ୟତାଳ ବିଶାରଦାଃ” ଦଭାବର୍ବ

୨) “ଗାୟାମି ନୃତ୍ୟାମ୍ୟାମି ବାଦୟାମି; ଭଦ୍ରୋସ୍ମି ନୃତ୍ୟେ କୁଶଳୋସ୍ମି ଗୀତେ” ବିରାଟପର୍ବ

୩) “ବାଦିତ୍ରାଣି ଚ ସର୍ବାଣି ଗୀତଂ ଚ ମଧୁର ସ୍ୱନଂ” ଉଦଯୋଗପର୍ବ

 

ଚାଣକ୍ୟ ତାଙ୍କ ପ୍ରଣୀତ ଅର୍ଥଶାସ୍ତ୍ରରେ ଅନେକ ସ୍ଥଳରେ ନୃତ୍ୟକାରୀ, ବାଦକ, ଗାୟକ, କଥକ ଏବଂ ଐନ୍ଦ୍ରଜାଲିକ, ବାଜିକାରକ ଓ ଚାରଣମାନଙ୍କ ସମ୍ବନ୍ଧରେ ଉଲ୍ଲେଖ କରିଛନ୍ତି । ସେ ସମୟରେ ଶାସକମାନେ ଦକ୍ଷ, ବିଜ୍ଞ, ବିଦ୍ୱାନମାନଙ୍କୁ ନିଯୁକ୍ତ ଦେଇ ସେମାନଙ୍କ ଦ୍ୱାରା ସାଧାରଣ ଲୋକଙ୍କୁ ଓ ଅଭିନୟକାରୀଣି ନଟୀମାନଙ୍କୁ ଗୀତ, ନୃତ୍ୟ, ବାଦ୍ୟ, ଚିତ୍ରଙ୍କନ, ବୀଣା-ବେଣୁ-ମୃଦଙ୍ଗ ବଜାଇବା ଓ ଚଉଷଠି କଳା ଶିକ୍ଷା ଦେବାପାଇଁ ଚାଣକ୍ୟ ଅର୍ଥଶାସ୍ତ୍ରରେ ନିର୍ଦ୍ଦେଶ ଦେଇଛନ୍ତି । ଗୀତ ନୃତ୍ୟ ଆୟୋଜନ ପାଇଁ ଯେଉଁ ଲୋକ ଅର୍ଥ ଦାନ କରିନଥିବ ସେ କିମ୍ବା ତା’ର ଜ୍ଞାତିମାନେ ଗୀତ-ନୃତ୍ୟ ଉପଭୋଗ କରିବେ ନାହିଁ । ଯଦି କେହି ଚାନ୍ଦା ନ ଦେଇ ଲୁଚି ଲୁଚି ଏ ସବୁକୁ ଉପଭୋଗ କରିବାକୁ ଚେଷ୍ଟାକରେ ତେବେ ସେ ଦଣ୍ଡନୀୟ ହେବ । ଚାଣକ୍ୟଙ୍କ ସମୟକୁ ଗୀତନୃତ୍ୟ କ୍ରମେ ଜନପଦରେ ପ୍ରଦର୍ଶିତ ହେବାରେ ବିଧି ବା ବ୍ୟବସ୍ଥା ପ୍ରଚଳନ ଥିବା କଥା ଏଥିରୁ ପ୍ରମାଣିତ ହୁଏ ।

 

ଓଡ଼ିଶାରେ ବୌଦ୍ଧ ଓ ଜୈନ ଧର୍ମର ବିକାଶ କାଳରେ ମଧ୍ୟ ଏ ପ୍ରକାର ସଙ୍ଗୀତ ଉତ୍ସବର ଆୟୋଜନ ହେଉଥିଲା । ସେତେବେଳକୁ ସଙ୍ଗୀତ ଓ ନାଟକ ଦୁଇଟି ଭାଗରେ ବିଭକ୍ତ କରାଯାଇଥିଲା । ଅଶ୍ୱଘୋଷ, ନାଗାର୍ଜ୍ଜୁନ, ଭାସ, ପାତଞ୍ଜଳି ପ୍ରଭୃତି ମନିଷୀମାନେ ନାଟକକୁ ଏକ ସ୍ୱତନ୍ତ୍ର କଳା ଭାବରେ ପ୍ରତିଷ୍ଠିତ କରାଇ ପାରିଥିଲେ । ବୌଦ୍ଧ ଓ ଜୈନ ଉଭୟ ସମ୍ପ୍ରଦାୟର ଧର୍ମତତ୍ତ୍ୱ ତତ୍କାଳୀନ ସାମାଜିକ ଜୀବନ ଓ ମହାପୁରୁଷମାନଙ୍କର ଜୀବନ କାହାଣୀକୁ ନେଇ ନାଟକଗୁଡ଼ିକ ଗଢ଼ି ଉଠିଲା । ନାଟକର ସଂଳାପ କ୍ରମେ ଅତ୍ୟନ୍ତ ସରଳ ଭାଷାରେ ଲିଖିତ ହୋଇଥିବାରୁ ଏବଂ ଏଥିରେ ଅଭିନେତା ଓ ଅଭିନେତ୍ରୀମାନଙ୍କର ବେଶଭୂଷାରେ ଚାକଚକ୍ୟ ଥିବାରୁ ସାଧାରଣ ଲୋକେ ଗାଥା- ସଙ୍ଗୀତ ଅପେକ୍ଷା ଏହାକୁ ଶୀଘ୍ର ବୁଝିପାରିଲେ । ତେଣୁ ନାଟକ ଶିକ୍ଷିତ ଓ ଅଶିକ୍ଷିତ ନିର୍ବିଶେଷରେ ଆଦର ଲାଭ କଲା । ମାତ୍ର ଗାଥା-ସଙ୍ଗୀତର ଅଳଙ୍କରଣ, ଭାଷା ଓ ଭାବ ସାଧାରଣଙ୍କ ପକ୍ଷରେ ସହଜରେ ବୋଧଗମ୍ୟ ହେଲା ନାହିଁ । ଏହା କେବଳ ଶିକ୍ଷିତ ବିଦ୍ୱାନ ବ୍ୟକ୍ତିମାନଙ୍କୁ ଆନନ୍ଦ ଦେବାରେ ସଫଳ ହେଲା ।

 

ଏହି କାଳରୁ ହିଁ ସଙ୍ଗୀତ ନାଟକ ସ୍ୱତନ୍ତ୍ର କଳା ଭାବରେ ଗୃହୀତ ହେଲା । ମାତ୍ର ଉଭୟେ କଳା- ଜନନୀଙ୍କର ଜାମଳ ସନ୍ତାନ ହୋଇଥିବାରୁ ସଙ୍ଗୀତରେ ନାଟକୀୟତା ଓ ନାଟକର ସାଙ୍ଗିତିକତା ପୂର୍ଣ୍ଣମାତ୍ରାରେ ସ୍ଥାନ ଗ୍ରହଣ କଲା । ନାଟକ କ୍ରମେ ରାଜମନ୍ଦିରର ସୁଦୃଢ଼ ପ୍ରାଚୀର ଭିତରୁ ଜନପଦକୁ ଆସୁଥିଲାବେଳେ ଗାଥା-ସଙ୍ଗୀତ ରାଜଦରବାର ଭିତରେ ନିଜର ଆସ୍ଥାନ ସୁଦୃଢ଼ କଲା । ଗୁଣଗ୍ରାହୀ ରାଜାମାନେ କବି ଓ ପଣ୍ଡିତମାନଙ୍କୁ ପୃଷ୍ଟପୋଷକତା ଦେଇ ସେଥିପାଇଁ ଉତ୍ସାହିତ କଲେ । ଖ୍ରୀଷ୍ଟୀୟ ପଞ୍ଚମ ଶତାବ୍ଦୀବେଳକୁ ରାଜାମାନଙ୍କ ଦରବାର କାର୍ଯ୍ୟରେ ସାଙ୍ଗୀତିକ ଅନୁଷ୍ଠାନଗୁଡ଼ିକ ଅପରିହାର୍ଯ୍ୟ ହୋଇପଡ଼ିଲା । ଗୁଣଜ୍ଞ ରାଜାମାନେ ପଣ୍ଡିତମାନଙ୍କୁ ଦରବାରରେ ସ୍ଥାନ ଦେଇ ସେମାନଙ୍କ ମୁହଁରୁ ଆଶୁ କବିତା ଓ ଚାତୁର୍ଯ୍ୟପୂର୍ଣ୍ଣ ପ୍ରଶ୍ନୋତ୍ତର ଶୁଣିବାକୁ ଲାଗିଲେ । ଗାଥା- ସଙ୍ଗୀତ କ୍ରମେ ତା’ର ସ୍ୱରୂପ ପରିବର୍ତ୍ତନ କରି ରାଜ ଦରବାରରେ ହିଁ ଆବଦ୍ଧ ରହିଲା । ରାଜାମାନେ ମୃଗୟାକୁ ଓ ଯୁଦ୍ଧକୁ ଗଲାବେଳେ ମଧ୍ୟ ସଙ୍ଗରେ କବି ଓ ସଙ୍ଗୀତଜ୍ଞମାନଙ୍କୁ ନେଇ ଯାଉଥିଲେ । ଅବସର ସମୟରେ ଏହି କବି ଓ ସଙ୍ଗୀତଜ୍ଞମାନେ ଚିତ୍ତବିନୋଦନରେ ସାହାଯ୍ୟ କରୁଥିଲେ । ମହାମହିମ ରାଜା ବିକ୍ରମାଦିତ୍ୟଙ୍କ ଦରବାରରେ ବହୁ କବି ଓ ପଣ୍ଡିତଙ୍କୁ ସ୍ଥାନ ଦେଇଥିବା କଥା ଇତିହାସ ପ୍ରମାଣ କରେ । ବୌଦ୍ଧଧର୍ମର ସମସ୍ତ ତତ୍ତ୍ୱ ପାଲି ଭାଷାରେ ଲିଖିତ ହୋଇଥିଲା । ବୁଦ୍ଧ ଗଣମାନସରେ ଏ ଧର୍ମର ପ୍ରଭାବ ସଞ୍ଚାର କରାଇବା ପାଇଁ ଲୋକମାନଙ୍କ କଥିତ ଭାଷାରେ ଧର୍ମତତ୍ତ୍ୱ ବିସ୍ତୃତ କଲେ ଓ ସେହି ଧର୍ମ ପ୍ରତି ଲୋକମାନଙ୍କୁ ଆକୃଷ୍ଟ କରାଇବା ପାଇଁ ବୌଦ୍ଧପଣ୍ଡିତମାନେ କଥିତ ଭାଷାରେ ସଙ୍ଗୀତ ନାଟକ ଆଦି ରଚନା କରି ପ୍ରଚାର କଲେ । ବୌଦ୍ଧ ଜାତକର ନୃତ୍ୟ-ଜାତକ, ଭେରୀବାଦକ-ଜାତକ ଓ ଶଙ୍ଖ-ଜାତକ ପର୍ଯ୍ୟାୟରେ ଏ ସବୁର ଯଥେଷ୍ଟ ପ୍ରମାଣ ଦେଖିବାକୁ ମିଳେ । ନାଟକଗୁଡ଼ିକର ତତ୍କାଳୀନ କଥିତ ଭାଷାକୁ ନିଜ ଅବୟବରେ ସ୍ଥାନ ଦେବାରୁ ପଲ୍ଲୀରେ ବାସକରୁଥିବା ଅସଂଖ୍ୟ ଅଶିକ୍ଷିତ ଲୋକେ ମଧ୍ୟ ଏହାପ୍ରତି ଆକୃଷ୍ଟ ହେଲେ । କାଳକ୍ରମେ ଗାଥା-ଗାୟନ ଦରବାରୀ ଓ ନାଟକ ଜନପଦୀ ହୋଇ ଉଭୟ ଗୋଷ୍ଠୀର ଚିତ୍ତବିନୋଦନ କଲା ।

 

ଗାଥା-ଗାନ-ପରମ୍ପରା ଓଡ଼ିଶାରେ ପ୍ରଚୀନ କଳିଙ୍ଗ ପ୍ରତିଷ୍ଠାଠାରୁ ପ୍ରଚଳିତ ହୋଇ ଆସିଛି । ଆର୍ଯ୍ୟ ଓ ସାବରୀ ସଂସ୍କୃତିର ମିଳନରେ ଗଢ଼ିଉଠିଥିବା ଏବର ସଂସ୍କୃତି-ଚିତ୍ର ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଛି । ଓଡ଼ିଶାର ପର୍ବତ, ଗୁହା, ଦେବମନ୍ଦିର ଗାତ୍ରରେ ସଙ୍ଗୀତ ଓ ନୃତ୍ୟବିଦ୍ୟାର ଅପୂର୍ବ ଆଲେଖ୍ୟ ଯୁଗ ଯୁଗ ଧରି କବି, ଦର୍ଶକ ଓ ଭାବୁକ ପ୍ରାଣରେ ବିସ୍ମୟ ସଞ୍ଚାର କରିଆସିଛି । କଳା-ପ୍ରାଣ ଓଡ଼ିଆର ଜୀବନ ସର୍ବଦା ସଙ୍ଗୀତ ବିଜଡ଼ିତ ହୋଇଆସିଛି । କଳିଙ୍ଗର ଅଧିପତି ଖାରବେଳ ମଗଧ ବିଜୟ କରି କଳିଙ୍ଗକୁ ଜୀନାସନ ନେଇ ଆସିଲା ପରେ କଳିଙ୍ଗରେ ସଙ୍ଗୀତ ନୃତ୍ୟ ଉତ୍ସବର ଆୟୋଜନ କରିଥିଲେ ବୋଲି ଶିଳାଲେଖରୁ ଦେଖିବାକୁ ମିଳେ । ଖାରବେଳ ନିଜରାଜ୍ୟରେ ସଙ୍ଗୀତ ଅଭିନୟ ଓ କ୍ରୀଡ଼ା କସରତର ବିକାଶ ପାଇଁ ରାଜପୃଷ୍ଟପୋଷକତା ଦାନ କରିଥିଲେ । ଖାରବେଳଙ୍କୁ ଗାନ୍ଧର୍ବବିଦ୍ୟା ବିଶାରଦ ବୋଲି କେତେକ ସ୍ଥଳରେ କୁହାଯାଇପାରେ । ଏହି ଗାନ୍ଧର୍ବବିଦ୍ୟା ନୃତ୍ୟ ସଙ୍ଗୀତ ବିଦ୍ୟାର ଅନ୍ୟତମ । ହାତୀ ଗୁମ୍ଫା ଶିଳାଲେଖରେ ଖାରବେଳଙ୍କ ସମ୍ବନ୍ଧରେ ଉଲ୍ଲିଖିତ (-“ଗର୍ନ୍ଧବ-ଦେବ-ବୁଧୋ-ଦଂପ-ନତ-ଗୀତ-ବାଦିତ ସଂଦସନାହି-ଉତ୍ସବ-ସମାଜ-କାରାପନାହି ଚକୀଡାବୟତି ନଗରୀଂ”।) ଉକ୍ତିରୁ ଏହା ପ୍ରମାଣ ମିଳେ । ଓଡ଼ିଶାରେ ମଧ୍ୟ ଏହି “ଗାଥା-ଗାନ” ନୀତି ଦରବାରମାନଙ୍କରେ ଅନୁସୃତ ହେଉଥିଲା । ରାଜା କପିଳେନ୍ଦ୍ରଦେବ, ପୁରୁଷୋତ୍ତମଦେବ ପ୍ରଭୃତି ଗୁଣଜ୍ଞ ଗଜପତିମାନେ ଏ ଦିଗରେ ଯଥେଷ୍ଟ ଉତ୍ସାହ ପ୍ରଦାନ କରିଥିବା ପ୍ରମାଣ ମିଳେ ।

 

ବହୁ ବିବର୍ତ୍ତନ ମଧ୍ୟ ଦେଇ “ଗାଥା-ଗାନ” ଦରବାରରୁ କ୍ରମେ ଜନପଦକୁ ଅଗ୍ରସର ହେଳା । ନାଟକଗୁଡ଼ିକର ଲୋକପ୍ରିୟତା ଗାଥା-ଗାନ ଏଥିପାଇଁ ଅନୁପ୍ରେରିତ କଲା । ଦରବାରରେ ଥିବାବେଳେ ଏହାର ଯେଉଁ ରୂପ ଥିଲା ଜନପଦକୁ ଆସିଲାବେଳେ ତା’ର ସାମାନ୍ୟ ପରିବର୍ତ୍ତନ ହେବା ଅସମ୍ଭବ ନୁହେଁ । ଗାଥା ସଙ୍ଗୀତ ଯେତେବେଳେ ରାଜଦରବାର ଓ ସମସ୍ତ ସମ୍ଭ୍ରାନ୍ତ ବଂଶର ରଙ୍ଗାଳୟ ଭିତରେ ଆବଦ୍ଧ ଥିଲା ସେତେବେଳେ ଏଥିରେ ବାକ୍‌ ବୈଦଗ୍ଧ, ଆଶୁକବିତ୍ୱ ପ୍ରଶ୍ନୋତ୍ତର ଦୁଇଟି ସମଧର୍ମ୍ମୀ ଦଳ ଭିତରେ ପ୍ରତିଯୋଗିତା ମୁଖ୍ୟସ୍ଥାନ ଲାଭ କରିଥିଲା । ଗାଥା-ଗାୟକ ବିଷୟବସ୍ତୁ ଉପସ୍ଥାପନା କଲାବେଳେ ତାହାକୁ ରସାଳ କରିବା ପାଇଁ ସ୍ଥାନେ ସ୍ଥାନେ ଲବ୍ଧପ୍ରତିଷ୍ଠ କବିମାନଙ୍କର ସରସ ପଦାବଳୀ ବ୍ୟବହାର କରିବା ସ୍ୱାଧୀନତା ପାଇଥିଲା । ସଭାସଦମାନଙ୍କ ଭିତରୁ କେହି ପ୍ରଶ୍ନକଲେ ଗାଥା ଗାୟକ ସଙ୍ଗେ ସଙ୍ଗେ ଆଶୁକବିତ୍ୱ ବଳରେ ତା’ର ଉତ୍ତର ଦେଉଥିଲେ । ଗାୟନ ରୀତିରେ ମୁଗ୍ଧ ହୋଇ ସମୟେ ସମୟେ ରାଜାମାନେ ଏମାନଙ୍କୁ ପୁରସ୍କାର ଦେଉଥିଲେ । ଗାଥା ପରିବେଷଣ କଲାବେଳେ ଗାୟକ ପରୋକ୍ଷରେ ଶାସକ ଓ କର୍ମଚାରୀମାନଙ୍କୁ ଉପଦେଶ ଦେଉଥିଲେ । କଟାକ୍ଷ ଓ ଆପେକ୍ଷଦ୍ୱାରା ଶାସକବର୍ଗଙ୍କର କାର୍ଯ୍ୟର ପର୍ଯ୍ୟାଲୋଚନା ଏହା ମାଧ୍ୟମରେ ହୋଇପାରୁଥିଲା । ଶାସକମାନେ ଏ ପ୍ରକାର କଟାକ୍ଷକୁ ଉଦାର ଚିତ୍ତରେ ଗ୍ରହଣ କରୁଥିଲେ । ରାଜଦରବାରରେ ଏହାର ଦର୍ଶକ ଥିଲେ ବିଦଗ୍ଧ ପଣ୍ଡିତ, କବି ଓ ଶ।ସ୍ତ୍ରନିପୁଣ ବିଜ୍ଞ ବ୍ୟକ୍ତିମାନେ । ତେଣୁ ଗାଥା-ଗାୟକ ବିଦଗ୍ଧ ଲୋକମାନଙ୍କର ମନୋରଞ୍ଜନ ପାଇଁ ପାଣ୍ଡିତ୍ୟପୂର୍ଣ୍ଣ ଛଳୋକ୍ତି ଓ ପଂକ୍ତି ବ୍ୟବହାର କରୁଥିଲେ । ଦୁଇ ଗାଥା-କବିଙ୍କ ଭିତରେ ପ୍ରତିଯୋଗିତା ପାରିଷଦବର୍ଗଙ୍କର ବେଶ୍ ଉପଭୋଗ୍ୟ ହେଉଥିଲା । ଜଣେ ଗାଥା-ଗାୟକ ଗୋଟିଏ ଗାଥା ଆରମ୍ଭ କରି ଅଧାରୁ ଛାଡ଼ିଦେଲା ପରେ ଅପର ଗାଥା-ଗାୟକ ତାହାକୁ ପୂର୍ଣ୍ଣ କରୁଥିଲା । ପର୍ଯ୍ୟାୟକ୍ରମେ ଏହା ଦରବାରମାନଙ୍କରେ ଅନେକଦିନ ଧରି ଚାଲୁ ଥିଲା । ଅନେକ ରାଜା ଗୁଣଗ୍ରାହୀ ଥିବାରୁ ଏମାନଙ୍କୁ ଆର୍ଥିକ ସାହାଯ୍ୟ ଦେଇ ପ୍ରୋତ୍ସାହିତ କରୁଥିଲେ । ଗାଥା-ଗାୟକମାନଙ୍କ ମଧ୍ୟରୁ ଅନେକଙ୍କର ଯଥେଷ୍ଟ ପ୍ରତିଭା ଥିବାରୁ ଦରବାରରେ ସେମାନେ ଉଚ୍ଚ ଆସନ ଲାଭ କରୁଥିଲେ । ଦରବାର ପାଣ୍ଡିତ୍ୟପୂର୍ଣ୍ଣ ଗାଥା ଗାୟନ କେବଳ ଦରବାରୀମାନଙ୍କୁ ଆନନ୍ଦ ଦେଉଥିଲେ । ସାଧାରଣ ଲୋକ ଏହାର ବାହ୍ୟ ରୂପରେ ଆନନ୍ଦଲାଭ କରୁଥିଲ ବି ଭାବ ଓ ଭାଷାରେ ବହୁ ବୈଦଗ୍ଧ ବହନ କରୁଥିବାରୁ, ଅନ୍ତଃସ୍ୱର ବୁଝିବାକୁ ସକ୍ଷମ ହୋଇପାରୁନଥିଲେ ।

 

ନାଟକ ଲୋକପ୍ରୟତାରେ ପ୍ରଭାବିତ ହୋଇ ଗାଥାଗାୟକମାନେ କ୍ରମେ ପଲ୍ଲୀଜୀବନ ପ୍ରତି ଦୃଷ୍ଟି ଫେରାଇଲେ । ସଙ୍ଗୀତ ଗାଥାର ପ୍ରାଣକେନ୍ଦ୍ର ଥିବାରୁ ଓ ଏଥିରେ ବାଦ୍ୟ ସମ୍ମିଳୀତ ହେବାରୁ ଏହା କ୍ରମେ ଜନପଦର ଏକ ଆଦରଣୀୟ ଅନୁଷ୍ଠାନରେ ପରିଣତ ହେଲା । ଗାଥା ଗାନର ଲୋକପ୍ରିୟତା ପରବର୍ତ୍ତୀ କାଳରେ ଓଡ଼ିଆ ଭାଷାରେ ଲୀଳା, ସୁଆଙ୍ଗ ଆଦି ରଚନା ପାଇଁ ପ୍ରେରଣା ଯୋଗାଇଲା । କରଣ ଗାଥା ସଙ୍ଗୀତ ଜନପଦକୁ ଆସିଲେ ବି ଏହା ପ୍ରଥମେ ଦରବାରର ସ୍ୱାକ୍ଷର ବହନ କରୁଥିବାରୁ ଏହାର ଭାବକୁ ଅଶିକ୍ଷିତ ଲୋକମାନେ ଗ୍ରହଣ କରିପାରଲେନାହିଁ । ତେଣୁ ଲୀଳା ଓ ସୁଆଙ୍ଗଗୁଡ଼ିକରେ ଗାଥା ଓ ସାଙ୍ଗୀତିକ ବିଭବକୁ ଅକ୍ଷୂର୍ଣ୍ଣ ରଖି ଲୋକପ୍ରଚଳିତ ସରଳ ପଦାବଳୀ ପ୍ରୟୋଗ କରାଗଲା । ଏହାଫଳରେ ଗ୍ରାମ୍ୟ ଜନତା ଗାଥା ଅପେକ୍ଷା ସହଜରେ ଲୀଳା ବା ସୁଆଙ୍ଗରୁ ରସ ଉପଲବ୍ଧି କଲା ।

 

ଗାଥାରୁ ରସୋପଲବ୍ଧି ପାଇଁ ବୌଦ୍ଧିକତା ଆବଶ୍ୟକ ପଡ଼ୁଥିଲା । ମାତ୍ର ଲୀଳା ଓ ସୁଆଙ୍ଗଗୁଡ଼ିକ ସେପରି ବୌଦ୍ଧିକତାର ଅପେକ୍ଷା ରଖେ ନାହିଁ ।

 

କାଳକ୍ରମେ ଓଡ଼ିଶାରେ ଏହି ଗାଥା ଅନୁଷ୍ଠାନଗୁଡ଼ିକର “ପାଲା” ଅନୁଷ୍ଠାନରେ ପରିଣତ ହେଲା । ଗାଥାମାନଙ୍କରେ ପରିବେଷିତ ହରଣ, ବଧ ଆଦି ପୌରାଣିକ ପ୍ରସଙ୍ଗଗୁଡ଼ିକ ନାଟକରେ ରୂପାନ୍ତରିତ ହୋଇ ଅଭିନୀତ ହେଉଥିଲେ ବି ଗାଥା ତା’ର ପୂର୍ବ ମର୍ଯ୍ୟାଦା ନ ହରାଇ ନାଟକ ସହ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହେଲା । ଏହା ନାଟକର ପୂର୍ବ ରୂପ ହୋଇଥିବାରୁ ଏଥିରେ ମଧ୍ୟ ଜକ୍ଷ ପୂଜାପଦ୍ଧତି ଦେଖିବାକୁ ମିଳେ । ଗାଥା ଅନୁଷ୍ଠାନ ଆରମ୍ଭ ହେବା ପୂର୍ବରୁ ଗାୟନ ସ୍ଥଳୀରେ ଦେବତା ଆସନ ସ୍ଥାପନ କରାଯାଇ ପଞ୍ଚାମୃତ ଦ୍ୱାରା ସ୍ଥାନ ଶୋଧନ କରାଯାଉଥିଲା । ନାଟକରେ ଯେପରି ପ୍ରଥମେ ସୂତ୍ରଧର ବା ପ୍ରଧାନ ନଟ ସହିତ ସହଯୋଗୀ ନଟ ନଟୀମାନଙ୍କ କଥୋପକଥନରେ ନାଟ୍ୟକାରଙ୍କ ନାମ ବା ନାଟକର ବିଷୟବସ୍ତୁ ସମ୍ବନ୍ଧରେ ସମ୍ୟକ ସୂଚନା ‘‘ପ୍ରସ୍ତାବନା” ମାଧ୍ୟମରେ ଦିଆଯାଇଥାଏ, ପାଲାରେ ମଧ୍ୟ ସେହିପରି ଗାୟକ ପରିବେଷିତ ହେବାକୁ ଯାଉଥିବା ବିଷୟ ବସ୍ତୁର ପ୍ରସ୍ତାବନା କରେ । ପ୍ରସ୍ତାବନା ପୂର୍ବରୁ ପାଲାରେ ଗାୟକ ଈଶ୍ୱରଙ୍କ ମହିମା ସମ୍ବନ୍ଧୀୟ ବା ଧର୍ମଚେତନା ଯୁକ୍ତ ସଙ୍ଗୀତ ଗାନ କରି ଦର୍ଶକ ଓ ଲୋକସମାଜକୁ ଧର୍ମ ଓ ଈଶ୍ୱରାଭିମୁଖୀ ହେବାକୁ ଆହ୍ୱାନ ଦିଏ । ପାଲାରେ ଏହା “ମଙ୍ଗଳାଚରଣ” ନାମରେ ଅବିହିତ । ପୁନଶ୍ଚ ଗାୟକ ସଭାରେ ଉପନୀତ ହେବା ପୂର୍ବରୁ ସହକର୍ମୀ ବାୟକ ଓ ପାଳିଆମାନେ ଆସି ବାଦ୍ୟ ଓ ସଙ୍ଗୀତ ସାହାଯ୍ୟରେ ଦର୍ଶକମାନଙ୍କୁ ବାସ୍ତବ ଜଗତର କୋଳାହଳମୟ ଜଞ୍ଜାଳରୁ ରସମୟ କଳାଜଗତକୁ ଆକର୍ଷିତ କରାନ୍ତି । ନାଟକରେ ଏହା ପ୍ରଥମେ ସୂତ୍ରଧର, ନଟ ବା ନଟୀଙ୍କଦ୍ୱାରା କରାଯାଇଥାଏ । ନାଟକ ପରି ପାଲାରେ ପ୍ରସ୍ତାବନା ପରେ ଆଖ୍ୟାନ ବସ୍ତୁ ଆରମ୍ଭ କରାଯାଏ । ନାଟକର “ପଞ୍ଚ ଅବସ୍ଥା” ପାଲାର କଥାସ୍ତୁର ମୂଳଲକ୍ଷ୍ୟ ନାୟକର ପ୍ରଣୟିନି ଲାଭ, ପ୍ରତିପକ୍ଷର ପରାଜୟ, ନତୁବା ଅନ୍ୟ କୌଣସି ସାଧନ ବ୍ୟକ୍ତ କରାଯାଏ । ଏଭଳି ଉଦ୍ଦେଶ୍ୟ ପାଞ୍ଚଟି ବୋଲି ନାଟ୍ୟକଳା ଅଭିହିତ କରିଛି । ସେଗୁଡ଼ିକ ହେଲେ- ଆରମ୍ଭ ପ୍ରଯତ୍ନ, ପ୍ରତ୍ୟାଶା, ନିୟତାପ୍ତି (ନିଶ୍ଚିତ ଫଳ ପ୍ରାପ୍ତିର ସମୟ) ଓ ଫଳାଗମ ନାଟକର ପଞ୍ଚଅର୍ଥ ପ୍ରବୃତ୍ତି ପରି ପାଲାରେ ମଧ୍ୟ ବିଜ, ବିନ୍ଦୁ, ପତକା, ପ୍ରହରୀ ଓ କାର୍ଯ୍ୟ ପ୍ରଭୃତି ପଞ୍ଚ ଅର୍ଥ ପ୍ରବୃତ୍ତି ଥାଏ । ନାଟକ ପରି ପାଲା ମଧ୍ୟ ପଞ୍ଚସନ୍ଧି, ମୁଖସନ୍ଧି, ପ୍ରତିମୁଖ ସନ୍ଧି, ଗର୍ତ୍ତ ସନ୍ଧି, ଅବିର୍ମଶ ସନ୍ଧି ଓ ନିର୍ବାହଣ ସନ୍ଧି ଯୁକ୍ତ । ପାଲାରେ ଅଧିକାଂଶ ଆଖ୍ୟାନ ବସ୍ତୁରେ ନାଟକୀୟ ଦ୍ୱନ୍ଦ୍ୱ ଦେଖିବାରୁ ମିଳେ । ପାଲାରେ ଅପୂର୍ବ ସଙ୍ଗୀତ ମାଧୁରୀ କଳ୍ପନା ବିଳାସ, ଅଭିନବ ପ୍ରକାଶ ଚାତୁର୍ଯ୍ୟ, ନାନା ରସର ଅବତାରଣା, ବିଷୟବସ୍ତୁ ପ୍ରଖ୍ୟାପନରେ ଅଳଂକରଣ ପ୍ରବୃତ୍ତି ନାଟକଠାରୁ ଏହାକୁ ଏକ ସ୍ୱତନ୍ତ୍ର ଆସନ ଦେଇଛି ।

 

ଅଯତ୍ନ ବର୍ଦ୍ଧିତ କାନନ-କୁସୁମ ପରି “ପାଲା” ବହୁ ପରୀକ୍ଷା ନିରୀକ୍ଷା ମଧ୍ୟ ଦେଇ ଗତି କଲା । ବିବର୍ତ୍ତନର ନିୟମ ଅନୁସାରେ ବହୁ ପ୍ରାଚୀନତାକୁ ତ୍ୟାଗ କରି କାଳକ୍ରମେ ଏହା ସ୍ୱଦେହରେ ନୂତନତାକୁ ସ୍ଥାନ ଦେଲା । ଖ୍ରୀଷ୍ଟୀୟ ୧୬ଶ ଶତାବ୍ଦୀ ପର୍ଯ୍ୟନ୍ତ ଏହା ଏକ ସାହିତ୍ୟିକ ଅନୁଷ୍ଠାନ ଭାବରେ ଜନସମାଜରେ ଆଦର ଓ ସମ୍ମାନ ଲାଭ କରି ଆସିଥିଲା । ତତ୍କାଳୀନ କୌଣସି କବି ପ୍ରାକୃତିକ ଭାଷାରେ କିଛି ରଚନା କଲେ ପାଲାଗାୟକମାନଙ୍କ ମୁହଁରୁ ଖୁବ୍ ଶୀଘ୍ର ପ୍ରଚାରିତ ହେଉଥିଲା । ମୁସଲମାନ ଆକ୍ରମଣବେଳକୁ ପାଲା ଏକ ସ୍ୱୟଂ ସମ୍ପୂର୍ଣ୍ଣ ସାଙ୍ଗୀତିକ ଓ ସାହିତ୍ୟିକ ଅନୁଷ୍ଠାନରେ ରୂପାନ୍ତରିତ ହୋଇ ପ୍ରସିଦ୍ଧି ଅର୍ଜନ କରିସାରିଥିଲା । ହିନ୍ଦୁ ମୁସଲମାନ ସଂସ୍କୃତିର ସମନ୍ୱୟ କାଳରେ ସମନ୍ୱୟବାଦର ପ୍ରଚାର ପାଇଁ ପାଲାକୁ ଏକ ମାଧ୍ୟମରୂପେ ଗ୍ରହଣ କରାଗଲା । ହିନ୍ଦୁ ମୁସଲମାନ ଉଭୟ ସମ୍ପ୍ରଦାୟର ଲୋକେ ଗାୟକ ହେବା ପାଇଁ ଯୋଗ୍ୟ କଳାକାରମାନଙ୍କୁ ଉତ୍ସାହ ଦେବା ସଙ୍ଗେ ସଙ୍ଗେ ଆର୍ଥିକ ସାହାଯ୍ୟ ମଧ୍ୟ ଦେଉଥିଲେ । ଯାଜପୁର ସବ୍‍ଡିଭିଜନର କପିଳା ପରପଦା ନିବାସୀ ସ୍ୱର୍ଗତଃ ଦୁର୍ଯ୍ୟୋଧନ ପଣ୍ଡା ଓ ଧର୍ମଶାଳା ଅଞ୍ଚଳର ସ୍ୱର୍ଗତଃ ବଂଶୀଧର ମିଶ୍ର କେତେକ ଉତ୍ସାହୀ ମୁସଲମାନଠାରୁ ଆର୍ଥିକ ସାହାଯ୍ୟ ପାଇ ପାଲା ଅଭ୍ୟାସ କରିଥିଲେ ବୋଲି ସେ ଅଞ୍ଚଳରେ ଏବେବି ଶୁଣାଯାଏ । ସତ୍ୟପୀର ପୂଜା ସହିତ ପାଲାକୁ ସଂଶ୍ଳିଷ୍ଟ କରାଯାଇ ଏହାରି ମାଧ୍ୟମରେ ସତ୍ୟପୀର ମହିମା ପ୍ରଚାର କରାଗଲା । ସେତିକିବେଳେ ପାଲା ଏତେ ଧର୍ମ କୈନ୍ଦ୍ରିକ ହେଲା, ତାହା ପୂର୍ବରୂ ଏହା ଏକ ସାହିତ୍ୟିକ ଓ ସାଂସ୍କୃତିକ ଅନୁଷ୍ଠାନ ଥିଲା ।

 

ଓଡ଼ିଶାର ରାଜନୈତିକ ଚିତ୍ର ବଦଳିବା ସଙ୍ଗେ ସଙ୍ଗେ ପାଲାର ସ୍ୱରୂପ ମଧ୍ୟ ପରିବର୍ତ୍ତିତ ହେବାକୁ ଲାଗିଲା । ପଠାଣମାନଙ୍କ ପରେ କ୍ରମେ “ସତ୍ୟପୀର” ପୂଜାଠାରୁ ପାଲା ବିର୍ଚ୍ଛିନ୍ନ ହେବାକୁ ଆରମ୍ଭ କଲା । ପୂର୍ବପରି ଆଉ ପାଲା ସତ୍ୟପୀରଙ୍କ ମହିମା ଓ ପ୍ରଭୃତ୍ୱ ସମ୍ବଳିତ ଆଖ୍ୟାନ ବସ୍ତୁକୁ ପ୍ରାଧାନ୍ୟ ନ ଦେଇ ପୂର୍ବପରି ପୌରାଣିକ ଆଖ୍ୟାନ ବସ୍ତୁକୁ ନିଜ ଅଙ୍ଗରେ ସ୍ଥାନ ଦେଲା । “ସତ୍ୟପୀରଙ୍କ” କବଳରୁ ମୁକ୍ତ ହୋଇ ପାଲା ପୁନଶ୍ଚ ପୂର୍ବର ସେଇ ସାଙ୍ଗୀତିକ, ସାହିତ୍ୟିକ ଓ ସାଂସ୍କୃତିକ ଅନୁଷ୍ଠାନରେ ପରିଣତ ହେଲା । ପୂର୍ବର ପୌରାଣିକ ଆଖ୍ୟାନ ବସ୍ତୁରେ କଳ୍ପନାର ପ୍ରଲେପ ଦେଇ ବିଶିଷ୍ଠ କବିମାନଙ୍କର ରଚନାରେ ଅଳଙ୍କୃତ ଓ ବକ୍ରୋକ୍ତି, ଶ୍ଲେଷ, ଯମକ, ଅନୁପ୍ରାସ ଆଦିରେ ଭୂଷିତ ହୋଇ ପାଲା ଏକ ଅଭିନବ ରୂପ ଗ୍ରହଣ କଲା ।

 

ସତ୍ୟପୀର ପୂଜା ବହୁଦିନରୁ ଚଳି ଆସୁଥିବାରୁ ଲୋକସମାଜରେ ତାହା କେବଳ ମାନସିକ ପୂଜାର ରୂପ ପରିଗଣିତ ହେଲା । ସତ୍ୟପୀର ପୂଜାରେ ବେଦଜ୍ଞ ବ୍ରାହ୍ମଣ ଯଜମାନଦ୍ୱାରା ନିୟନ୍ତ୍ରତ ହୋଇ ବିଧି ଅନୁସାରେ ଆସ୍ଥାନ ସ୍ଥାପନ କରି କବିକର୍ଣ୍ଣ ବିଚରିତ ବା ଓଡ଼ିଶାର କୌଣସି କବିମାନଙ୍କ ଦ୍ୱାରା ରଚିତ ହୋଇଥିବା ସତ୍ୟପୀର ମହିମାଯୁକ୍ତ ଆଖ୍ୟାନ ବସ୍ତୁ ଗାନ କରି ପୂଜା ସମାପନ କରିଦିଅନ୍ତି । ଏହାକୁ ପୋଥିପୂଜା କୁହାଯାଏ । କାରଣ ସତ୍ୟପୀର-ମହିମାଯୁକ୍ତ ଆଖ୍ୟାନ ବସ୍ତୁର ପୋଥିପାଲା ହେଲାବେଳେ ପୋଥିର ପାଲା ସାହିତ୍ୟିକ ବିଭବ ନ ଥାଏ । ସତ୍ୟପୀର ପୂଜାରୁ ପାଲା ଅନୁଷ୍ଠାନ ଅଲଗା ହୋଇଗଲାପରେ ତାହା କ୍ରମେ ପୋଥିପୂଜାରେ ପର୍ଯ୍ୟବସିତ ହେଲା ଓ ମାନସିକ ପୂରଣ ପାଇଁ ସତ୍ୟପୀରଙ୍କୁ ପୂଜା କରାଗଲା ।

 

କେତେକ ଆର୍ଥିକ-ଅବସ୍ଥା-ସମ୍ପନ୍ନ କଳାପ୍ରେମୀ ବ୍ୟକ୍ତି ସତ୍ୟପୀର ପୂଜା ଉତ୍ସବରେ ମଧ୍ୟ ପାଲା ପ୍ରଦର୍ଶନର ଆୟୋଜନ କରାଇଥାଆନ୍ତି । ଏ ପ୍ରକାର ପୂଜାରେ ପୁରୋହିତ ପ୍ରଥମେ ଆସ୍ଥାନ ପୂଜା କରିନେଇ ପୋଥିଖୋଲି ଦିଅନ୍ତି । ତା’ପରେ ପାଲା ଆରମ୍ଭ ହୁଏ । ଏ ପାଲାରେ ସତ୍ୟପୀରଙ୍କ ମହିମା ପରିବର୍ତ୍ତେ ଅନ୍ୟଦେବତାମାନଙ୍କ ସମ୍ବନ୍ଧରେ ପ୍ରଚଳିତ ଆଖ୍ୟାୟିକା ଗାନ କରାଯାଏ । ଏ ପ୍ରକାର ପୂଜାକୁ ଠିଆ ପୂଜା ବା “ପାଲା” ବୋଲି କୁହାଯାଏ । ପୋଥିପୂଜା ବ୍ୟତୀତ ପାଲାରେ ସତ୍ୟପୀରଙ୍କ କଥା ଆଉ କୁହାଯାଏ ନାହିଁ । ଗାୟକ ଯେ କୌଣସି ବିଷୟ ନିର୍ବାଚନ କରି ଗାଇପାରେ । ତା’ର ସ୍ୱାଧୀନତାରେ କେହି ହସ୍ତକ୍ଷେପ କରିପାରନ୍ତି ନାହିଁ ।

 

ମନୋରଞ୍ଜନ ଉଦ୍ଦେଶ୍ୟରେ ପ୍ରତିଯୋଗିତା-ପାଲା ଆୟୋଜନ କରାଯାଏ । ଏହୁ ପ୍ରତିଯୋଗିତା ପାଲା କେତେକ ସ୍ଥାନରେ ମାସାଧିକ କାଳ ହୋଇଥାଏ । ଏହି ପ୍ରତିଯୋଗିତାରେ ଏକାଧିକ ଦଳ ବି ଅଂଶ ଗ୍ରହଣ କରିଥାନ୍ତି । ଜଣେ ଗାୟକ ଗୋଟିଏ ବିଷୟ ବସ୍ତୁ ଆରମ୍ଭ କରି ତା’ପାଇଁ ଉଦ୍ଧିଷ୍ଟ ଥିବା ସମୟ ଭିତରେ ସାରି ନ ପାରିଲେ ଅପର ପ୍ରତିଯୋଗୀ ଗାୟକ ରଙ୍ଗମଞ୍ଚକୁ ଆସି ଅଧା ଥିବା ବିଷୟବସ୍ତୁ ଆରମ୍ଭ କରେ । ପୂର୍ବ ଗାୟକ ଯେଉଁ ଯେଉଁ ଶ୍ଲୋକ, ପଦ, ଚଉପଦୀ, ଛାନ୍ଦ ଆଦି ଉଦାହରଣ ଛଳରେ ଗାଇଥାଏ, ପରବର୍ତ୍ତୀ ଗାୟକ ସେସବୁକୁ ପୁନାରାବୃତ୍ତି କରିପାରନ୍ତି ନାହିଁ । ନିଜର ବିଷୟବସ୍ଥୁକୁ ପୂର୍ଣ୍ଣାଙ୍ଗ କରିବା ପାଇଁ ନୂତନ ପଦାବଳୀ ସେ ଉଦାହରଣ ଆକାରରେ ପରିବେଷଣ କରନ୍ତି । ପୂର୍ବବର୍ତ୍ତୀ ଗାୟକ ବିଷୟବସ୍ତୁ ଉପସ୍ଥାପନାରେ ତ୍ରୁଟି କରିଥିଲେ, ଚରିତ୍ରଗୁଡ଼ିକରେ ମର୍ଯ୍ୟାଦାହାନି ହେଲାଭଳି କଥା କହିଥିଲେ କିମ୍ବା ପ୍ରସଙ୍ଗୋଚିତ ଭାବରେ ଅଳଙ୍କାର ପ୍ରୟୋଗ କରିନଥିଲେ, ପରବର୍ତ୍ତୀଗାୟକ ସେ ସବୁକୁ ସମାଲୋଚନା କରନ୍ତି ।

 

ବିଶ୍ୱନାଥ ନାମକ ଜଣେ କବି କବିକର୍ଣ୍ଣ ଦ୍ୱାରା ବିଚରିତ ପଦ୍ମଲୋଚନ ପାଲାକୁ ଓଡ଼ିଶାର ରାଗରାଗିଣୀ ଦେଇ ସମ୍ପୂର୍ଣ୍ଣ ଓଡ଼ିଆ ଭାଷାରେ ରଚନା କରିଛନ୍ତି ।

 

ପାଲାରେ ବ୍ୟକ୍ତିଗତ କୁତ୍ସା ଓ ବ୍ୟକ୍ତିଗତ ଚରିତ୍ର-ସଂହାର କରାଗଲେ ତା’ର ମର୍ଯ୍ୟାଦା ନଷ୍ଟ ହୁଏ । କେତେକ ଅଶିକ୍ଷିତ ଓ ଅଳ୍ପଶିକ୍ଷିତ ଗାୟକ ଏ ପ୍ରକାର ଅପକର୍ମର ପରିଣାମ ନ ବୁଝି ପାଲାରେ ଚରିତ୍ର ସଂହାର ଓ ବ୍ୟକ୍ତିଗତ କୁତ୍ସାକୁ ପ୍ରଶ୍ରୟ ଦେଉଥିବାରୁ ଲୋକମାନଙ୍କ ଦ୍ୱାରା ସେମାନେ ନିନ୍ଦିତ ହୁଅନ୍ତି । ଆଜକୁ ପ୍ରାୟ ୧୦୦ବର୍ଷ ପୂର୍ବେ ପାଲାରେ ବିଷୟବସ୍ତୁ ବା ଆଖ୍ୟାନ ଗୌଣସ୍ଥାନ ଗ୍ରହଣ କରୁଥିଲେ । ଗାୟନ କେବଳ ଅଳଙ୍କାର ପ୍ରୟୋଗ କରି ନିଜ ବିଦ୍‍ବତ୍ତାର ପରିଚୟ ଦେଇଥିଲା । ଉଦାହରଣସ୍ୱରୂପ “ଶକୁନ୍ତଳା ବିଷୟ କେହି ଗାୟକ ଆରମ୍ଭ କଲେ ତାହା ଦୁଷ୍ମନ୍ତଙ୍କ ରୂପ ଓ କୀର୍ତ୍ତି ବର୍ଣ୍ଣନା କରୁ କରୁ ତା’ ସମୟ ଅତିବାହିତ ହେଉଥିଲା । ଅପର ଗାୟକ ରଙ୍ଗମଞ୍ଚକୁ ଆସି ଠିକ୍ ସେହିପରି ଦୁଷ୍ମନ୍ତଙ୍କ କୀର୍ତ୍ତୀ ଓ ରୂପ ବର୍ଣ୍ଣନାରେ ବହୁ କବିଙ୍କର ରଚନା ଉପସ୍ଥାପନା କରି ସ୍ୱୀୟ ପାଣ୍ଡିତ୍ୟର ପରିଚୟ ଦେଉଥିଲେ । ଏହା ଫଳରେ କାବ୍ୟର ମୂଳ ‘‘ରସ” ଖଣ୍ଡିତ ହେବାରୁ କାଳକ୍ରମେ ଗାୟକମାନେ ଆଖ୍ୟାନ ବସ୍ତୁକୁ ପାଲାରେ ମୁଖ୍ୟ ସ୍ଥାନ ଦେଲେ । ଏ ପ୍ରକାର ପାଲାକୁ “ବାଦୀ ପାଲା” ମଧ୍ୟ କୁହାଯାଏ । ଅଦ୍ୟାବଧି ଓଡ଼ିଶାରେ ପୁରପଲ୍ଲୀରେ ଉଚ୍ଚଶିକ୍ଷିତ ଓ ଅଶିକ୍ଷିତ ନିର୍ବିଶେଷରେ “ପାଲା” ସମସ୍ତଙ୍କର ପ୍ରଶଂସା ଓ ଆଦର ଲାଭ କରିପାରିଛି । ପ୍ରଚଣ୍ଡ ଧୀଶକ୍ତି; ଆଶୁ-କବିତ୍ୱ, ବହୁ ଅଧ୍ୟୟନ, ଶାସ୍ତ୍ର ସମ୍ବନ୍ଧରେ ଜ୍ଞାନ, ସଂସ୍କୃତି ଓ ପ୍ରାକୃତ ସାହିତ୍ୟର ପାଣ୍ଡିତ୍ୟ ଓ ସୁଲଳିତ କଣ୍ଠ ନ ଥିଲେ କେହି ଉତ୍ତମ ଗାୟକ ହୋଇପାରେନାହିଁ । ଅଧ୍ୟୟନ ଓ ଅନୁଶୀଳନ ଗାୟକର ମୁଖ୍ୟ କର୍ମ । ନାଟକରେ ଗୋଟିଏ ଚରିତ୍ର ଏକକାଳୀନ ଅଧଘଣ୍ଟାପାଇଁ ହୁଏତ ରଙ୍ଗମଞ୍ଚକୁ ଆସେ ଓ ୫୦/୬୦ଟି ବାକ୍ୟ କହି ବିଦାୟ ନିଏ । କିନ୍ତୁ, ଗାୟକ ଏକକାଳୀନ ଚାରିଘଣ୍ଟାରୁ ଅଧିକ ସମୟ ମଞ୍ଚ ଉପରେ ଥାଏ ଓ ନିଜେ ସବୁ ଭୂମିକାରେ ଅବତୀର୍ଣ୍ଣ ହୁଏ । ପାଲା ଏକକ ଅଭିନୟର ପରିମାର୍ଜିତ ରୂପ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ଦୀର୍ଘ ଚାରିଘଣ୍ଟା ଧରି ଦର୍ଶକମାନଙ୍କ ମନୋରଞ୍ଜନ ପାଇଁ କେତେ ପରିଶ୍ରମ, ପାଣ୍ଡିତ୍ୟ, ବୁଦ୍ଧି ଓ ପ୍ରତ୍ୟୁତ୍ପନ୍ନମତିତାର ପ୍ରୟୋଜନ, ତାହା ଚିନ୍ତାଶୀଳ ବ୍ୟକ୍ତିମାନେ ଅନୁମାନ କରିପାରୁଥିବେ ।

 

Unknown

ପାଲାସାହିତ୍ୟର ମୂଲ୍ୟାୟନ

ପାଲା,ଲୋକସାହିତ୍ୟ ଓ ଲୋକନୃତ୍ୟ କି ?

 

ପଣ୍ଡିତ ନୀଳକଣ୍ଠ, ଐତିହାସିକ କୃପାସିନ୍ଧୁ. ଲୋକରତ୍ନ ଡଃ. କୁଞ୍ଜବିହାରୀ ଦାଶ ଓ ଡଃ ରତ୍ନାକର ଚଇନି ପାଲାକୁ ଲୋକସାହିତ୍ୟ ଓ ଲୋକନାଟ୍ୟରୂପେ ଚିତ୍ରଣ କରିଛନ୍ତି । ଐତିହାସିକ କୃପାସିନ୍ଧୁ ଓ ପଣ୍ଡିତ ନୀଳକଣ୍ଠ ପାଲାକୁ ପ୍ରଥମେ ଲୋକସାହିତ୍ୟ ବା ଲୋକନୃତ୍ୟ ପର୍ଯ୍ୟାୟବାଚୀ ବୋଲି ଗ୍ରହଣ କଲାପରେ ଅନ୍ୟ ସମାଲୋଚକମାନେ ସେହି ମତବାଦକୁ ଗ୍ରହଣ କରିଗଲେ । ତେଣୁ ପାଲା ଏପର୍ଯ୍ୟନ୍ତ ଲୋକସାହିତ୍ୟ ଓ ଲୋକନାଟ୍ୟ ବୋଲି ସମାଲୋଚନା କ୍ଷେତ୍ରରେ ପରିଣତ ହୋଇଛି ।

 

କିନ୍ତୁ ପାଲା ପରିବେଷଣ-ଶୈଳୀ ଓ ସାହିତ୍ୟିକ ବିଭବକୁ ଲକ୍ଷ୍ୟକଲେ ଏହାକୁ ଲୋକ ସାହିତ୍ୟ ବା ଲୋକନାଟ୍ୟରୂପେ ଗ୍ରହଣ କରାଯାଇନପାରେ । ଲୋକନାଟକ ଓ ଲୋକ ସାହିତ୍ୟସାଧାରଣ ଲୋକମାନଙ୍କ ଦ୍ୱାରା ସୃଷ୍ଟି ହୋଇଥାଏ । ଏଥିରେ ବୌଦ୍ଧିକତା ଅପେକ୍ଷା ସାରଲ୍ୟ ଅଧିକ ଦୃଷ୍ଟ ହୁଏ । ଲୋକନାଟକଗୁଡ଼ିକରେ ଚରିତ୍ରଗୁଡ଼ିକ ସଂଳାପ ସଂଯୋଜନାରେ ଭାରସାମ୍ୟ ରକ୍ଷା କରିପାରନ୍ତି ନାହିଁ । ଏଥିରେ ଯତ୍‍ସାମାନ୍ୟ ଅଭିନୟ, ଶିଷ୍ଟତାହାନୀ ହାସ୍ୟରସ ଜନସାଧାରଣଙ୍କର ଚିତ୍ତବିନୋଦନ ପାଇଁ ଅଭିପ୍ରେତ । ଏହା ସାଧାରଣ ମାନବ ଜୀବନକୁ ନେଇ ଗଢ଼ିଉଠିଥାଏ । ଗ୍ରାମ୍ୟ ବା ପଲ୍ଲୀ ଜୀବନର ଚିତ୍ର ଓ ଲୋକସାହିତ୍ୟ ଓ ଲୋକନାଟ୍ୟକରେ ପ୍ରତିଫଳିତ ହୁଏ । ଲୌକିକ ଆଚାର ବ୍ୟବହାର ଓ ସାମାଜିକ ଜୀବନରୁ ଏହା ଉପାଦାନ ସଂଗ୍ରହ କରୁଥିବାରୁ ଏଥିରେ ଲୌକିକ ଚିତ୍ତବୃତ୍ତିର ପ୍ରକାଶ ଅଧିକ ଦେଖିବାକୁ ମିଳେ ।

 

ଅପର ପକ୍ଷରେ ବିଦଗ୍ଧ-ସାହିତ୍ୟ ପ୍ରତିଭାସମ୍ପନ୍ନ ପଣ୍ଡିତମାନଙ୍କର ବୌଦ୍ଧିକ ଚିନ୍ତାରୁ ପ୍ରସୂତ ହୁଏ । ଏଥିରେ ହୃଦ୍‍ବତ୍ତା ଯେତିକି ବାକ୍ ବୈଦଗ୍ଧ ଓ ରସଚାତୁରୀ ସେତିକି ପରିମାଣରେ ପ୍ରକଟ ହୋଇଥାଏ । ବିଦଗ୍ଧ-ସାହିତ୍ୟର ଶିକ୍ଷାପ୍ରଦ ଆଦର୍ଶଭୂତ ବିଷୟବସ୍ତୁ, ସାହିତ୍ୟିକ ବିଭବ, ନାନା ଅଳଙ୍କାରର ସମାବେଶ, ଉତ୍ତମ ସଙ୍ଗଠନ କୌଶଳ, ଚରିତ୍ର ଚିତ୍ରଣରେ ଶିଷ୍ଟତା, ମନୋରମ କଳ୍ପନା ବିଳାସ, ବିଚିତ୍ର କାବ୍ୟମାଧୁରୀ ଓ ପ୍ରକାଶନ ଶୈଳୀରେ ଅପୂର୍ବ ଚାତୁର୍ଯ୍ୟ ଓ ବର୍ଣ୍ଣନା ବିଳାସରେ ଅଭିନବତ୍ୱ ଦେଖିବାକୁ ମିଳେ । ବିଦଗ୍ଧ-ସାହିତ୍ୟ କେବଳ ପଣ୍ଡିତ ଲୋକମାନଙ୍କୁ ଆଦାନ ପ୍ରଦାନ କରିବା ପାଇଁ ସକ୍ଷମ । ବିଦଗ୍ଧ-ସାହିତ୍ୟର ପ୍ରାସଙ୍ଗିକତା ଓ ଶିଷ୍ଟତା ଲୋକସାହିତ୍ୟ ବା ନାଟକଠାରୁ ଆଶା କରିବା ବିଡ଼ମ୍ବନା ମାତ୍ର ।

 

ପାଲାରେ ଲୋକସାହିତ୍ୟ ଅପେକ୍ଷା ବିଦଗ୍ଧ ସାହିତ୍ୟର ପ୍ରଭାବ ସର୍ବାଧିକ । ତେଣୁ ପାଲା ଦରବାରରେ ବିଜ୍ଞ ବିଦ୍ୱାନମାନଙ୍କର ବିଳାସ ସାମଗ୍ରୀ ଥିବାବେଳେ ଲୋକନୃତ୍ୟ ଓ ଲୋକସାହିତ୍ୟ ଅଶିକ୍ଷିତ ଓ ଅର୍ଦ୍ଧଶିକ୍ଷିତ ଗ୍ରାମ୍ୟ ଲୋକମାନଙ୍କର ମନୋରଞ୍ଜନ କରୁଥିଲା । ପାଲାଗାୟକ ବିଷୟବସ୍ତୁ ଉପସ୍ଥାପନା କଲାବେଳେ ବହୁ ବାଗ୍ମୀ, ପଣ୍ଡିତ, କବି, ଋଷିମାନଙ୍କର ଆପ୍ତବାକ୍ୟ, ଆର୍ଷବାକ୍ୟ ଓ ନୀତିଉପଦେଶରୁ ଉଦାହରଣ ଦେଇ ସ୍ୱୀୟ ପ୍ରତିଭାର ପରିଚୟ ଦେଉଥିଲାବେଳେ ଲୋକନୃତ୍ୟ ବା ଲୋକସାହିତ୍ୟ ପରିବେଷଣକାରୀ କେବଳ ଜନଜୀବନର ସରଳ ଉଦାହରଣ ମାଧ୍ୟମରେ ସ୍ୱମତ ଉପସ୍ଥାପନା କରେ । ଭାଷା ସରଳ ଓ ଲୌକିକାଯୁକ୍ତ ହୋଇଥିବାରୁ ଲୋକସାହିତ୍ୟ ସହଜେ ସାଧାରଣ ଲୋକଙ୍କ ମନରେ ଆନନ୍ଦ ସୃଷ୍ଟି କରିପାରେ । କିନ୍ତୁ ବିଦଗ୍ଧ-ସାହିତ୍ୟ ଏତେ ସହଜରେ ସାଧାରଣ ଲୋକ ବୁଝିପାରେନାହିଁ । ପାଲାରେ ପରିବେଷିତ ଆଖ୍ୟାନବସ୍ତୁ ବହୁ ବିଦଗ୍ଧତାରେ ପରିପୂର୍ଣ୍ଣ । ପାଲା ଯେତେବେଳେ ଦରବାର ଛାଡ଼ି ଜନପଦକୁ ଆସିଲା ସେତେବେଳେ ସାଧାରଣ ଜନମାନସରେ ଆନନ୍ଦ ଦେବା ପାଇଁ କିଛିଟା ଲୌକିକ ଚିନ୍ତା ଗ୍ରହଣ କରି ବିଦଗ୍ଧ ଓ ଲୌକିକତାର ସମନ୍ୱୟ କରାଗଲା ।

 

ପାଲା ବିଦଗ୍ଧ-ସାହିତ୍ୟ ଓ ଲୋକସାହିତ୍ୟର ଏକ ମିଶ୍ରିତ କଳା । ପାଲା କେବଳ ପଣ୍ଡିତ ବା ଉଚ୍ଚଶିକ୍ଷିତମାନଙ୍କୁ ଆନନ୍ଦ ଦିଏ ନାହିଁ । ଏହା ବରଂ ପଲ୍ଲୀରେ ବାସ କରୁଥିବା ଅଶିକ୍ଷିତ ଲୋକମାନଙ୍କ ମନରେ ଅଶେଷ ଆନନ୍ଦ ପ୍ରଦାନ କରେ । ପାଲାର ରସମାଧୁରୀ, ସଙ୍ଗୀତ ଅପୂର୍ବ ମୂର୍ଚ୍ଛନା ଓ ଆଖ୍ୟାନ ପରିବେଷଣରେ ନାଟକୀୟ ଥିବାରୁ ପଲ୍ଲୀପ୍ରାଣ ଏହାକୁ ପୂର୍ଣ୍ଣ ରୂପରେ ଉପଭୋଗ କରିବା ପାଇଁ ସକ୍ଷମ ହୋଇପାରିଛି । ଚତୁର ଓ ପ୍ରତ୍ୟୁତ୍ପନ୍ନମତି ଗାୟକମାନେ ପାଲାର ବିଦଗ୍ଧ ବିଭବ ସହିତ ଗ୍ରାମ୍ୟ ବା ଲୋକସାହହିତ୍ୟକୁ ଏପରି ତୁଳନାତ୍ମକ ଭାବରେ ପରିବେଷଣ କରନ୍ତି ଯେ ତାହା ଏକାଧାରାରେ ପଣ୍ଡିତ ଓ ଜନସାଧାରଣଙ୍କୁ ଆନନ୍ଦ ପ୍ରଦାନ କରିବାରେ ସମର୍ଥ ହୁଏ । ବିଦଗ୍ଧ ସାହିତ୍ୟର ବୌଦ୍ଧିକତା ପୂର୍ଣ୍ଣ ଅଳଙ୍କାର ସାଧାରଣ ଲୋକ ବୁଝିବା ପାଇଁ ସକ୍ଷମ ହୋଇନପାରେ । କିନ୍ତୁ ସେଥିରେ ରସର ଯେଉଁ ସ୍ୱତଃସ୍ଫୁର୍ତ୍ତତା ଥାଏ ତାହା ସାଧାରଣ ହୃଦୟକୁ ଦ୍ରବୀଭୂତ କରେ । ଲୋକ ସାହିତ୍ୟର ସରଳ ହୃଦୟସ୍ପର୍ଶୀ କାହାଣୀଗୁଡ଼ିକରେ ଗାୟକମାନେ ବିଦଗ୍ଧତାର ପ୍ରଲେପ ଦେଇ ଏକ ଅଭିନବ ରୂପରେ ପ୍ରକାଶ କଲାବେଳେ ଉଭୟଗୋଷ୍ଠୀ ଏହାର ସ୍ୱାଦ ଉପଲବ୍ଧି କରି ଆନନ୍ଦିତ ହୁଅନ୍ତି ।

 

ପାଲାରେ ବିବର୍ତ୍ତନ କ୍ରମେ ବିଦଗ୍ଧ-ସାହିତ୍ୟ ଓ ଲୋକସାହିତ୍ୟର ମିଶ୍ରଣ ହୋଇଥିବାରୁ ଏ ଦୁଇଟିର ବିଭବରେ ସ୍ୱାତନ୍ତ୍ର୍ୟ ରହିବା ସ୍ୱାଭାବିକ । ଗାୟକମାନେ ବିଦଗ୍ଧ-ସାହିତ୍ୟରୁ ଅଳଙ୍କାର (ଉଦାହରଣ)ଟିଏ ଗାଇ ତାକୁ ଲୋକ-ଜୀବନରେ ପ୍ରତିଫଳିତ ପରମ୍ପରା ସହିତ ତୁଳନା କରି ବୁଝାଇ ଦିଅନ୍ତି । ତେଣୁ ସାଧାରଣ ଲୋକ ଏହାକୁ ସହଜେ ଗ୍ରହଣ କରିପାରେ । ପାଲା ଏକ ମିଶ୍ରକଳା ହୋଇଥିବାରୁ ତାହା ଶତାବ୍ଦୀ ଶତାବ୍ଦୀ ଧରି ଦରବାର ପଣ୍ଡିତଙ୍କଠାରୁ ଆରମ୍ଭ କରି ପଲ୍ଲୀର ନିରକ୍ଷର ପର୍ଯ୍ୟନ୍ତ ସମସ୍ତଙ୍କୁ ବିମଳ ଆନନ୍ଦ ଦେଇପାରିଛି ।

 

“ପାଲା” ଏକ “ଏକକ ଅଭିନୟ” ଯୁକ୍ତ ଅନୁଷ୍ଠାନ । ଏଥିରେ ମୁଖ୍ୟସ୍ଥାନ ଗ୍ରହଣ କରୁଥିବା ଗାୟକ ଆଖ୍ୟାନ ପରିବେଷଣରେ ସବୁରି ଚରିତ୍ରର ଭୂମିକା ଗ୍ରହଣ କରେ । ବର୍ଣ୍ଣନା ପ୍ରସଙ୍ଗରେ ସେ କେତେବେଳେ ରାଜାର କାର୍ଯ୍ୟ ସମ୍ପାଦନ କରେ ତ କେତେବେଳେ ଦୂତର କାର୍ଯ୍ୟ ସମ୍ପାଦନ କରେ । ଚରିତ୍ରଗୁଡ଼ିକ ଅଧିକ ସରସ କରିବା ପାଇଁ ସମୟେ ସମୟେ ସେ ସହକର୍ମୀ ପାଳିଆମାନଙ୍କର ସାହାଯ୍ୟ ନିଏ । ଗାୟକ ରାଜା ଭୂମିକାରେ ଥାଇ ଦୂତ ଭୂମିକାରେ ଥିବା ପାଳିଆକୁ ଆଦେଶ ଦିଏ ଏବଂ ମୂହୁର୍ତ୍ତକ ଭିତରେ ଦୂତର ବକ୍ତବ୍ୟ କହିବାବେଳେ ପାଳିଆ ରାଜା ଭୂମିକାରେ ଅବତୀର୍ଣ୍ଣ ହୋଇଯାଏ । ବିଷୟ ବସ୍ତୁକୁ ଅଧିକ ରସାଳ କରିବା ପାଇଁ ଏ ପ୍ରକାର ପ୍ରଥା ପାଲାରେ ପ୍ରଚଳିତ । ତେଣୁ ପାଲାରେ ସଙ୍ଗୀତର ଭୂମିକା ଯେତିକି. ଅଭିନୟ ବା ନାଟକୀୟତାର ଭୂମିକା ମଧ୍ୟ ସେତିକି । ପାଲା ଅଭିନୟ, ଲୋକସାହିତ୍ୟ ଓ ବିଦଗ୍ଧ-ସାହିତ୍ୟର ଏକ ସମ୍ମିଶ୍ରିତ ରୂପେ କହିଲେ ସତ୍ୟର ଅପଳାପ ହେବ ନାହିଁ । ପାଲାରୁ ଅଭିନୟକୁ ବାଦ୍‍ ଦେଲେ ତାହା ଆଉ ଏତେ ରସାଳ ହେବ ନାହିଁ । ପାତ୍ର ବା ଚରିତ୍ରମାନଙ୍କର ମନୋଗତ ଭାବନା ଓ ଗୀତ ଓ ଅଭିନୟ ମାଧ୍ୟମରେ ଯେତେ ସୁନ୍ଦର ଭାବରେ ପ୍ରକାଶିତ ହୁଏ ନାହିଁ । ମୃତ ପୁତ୍ରକୁ ଧରି ଶ୍ମଶାନକୁ ଯାଉଥିବା ଶୈବ୍ୟା ଭୂମିକାରେ ଗାୟକ ଯଦି ଗୋଟିଏ ଜାଗାରେ ସ୍ଥିର ରହି ଅଙ୍ଗଭଙ୍ଗୀ ନ କରି କେବଳ ପୁତ୍ର ବିୟୋଗଜନିତ କେତୋଟି ପଦ ଗାନ କରେ ତାହା କେବଳ ପୁରାଣ ବା କାହାଣୀ ପଢ଼ିଲା ପରି ବୋଧ ହେବ ।

 

ଅଭିନୟ ସହିତ ଏ ପଦ ଗାନ କଲେ ତାହା ଅଧିକ ହୃଦୟସ୍ପର୍ଶୀ ହୁଏ ଓ ଲୋକଚକ୍ଷୁରୁ ଅଶ୍ରୁ ବୁହାଇବାରେ ସମର୍ଥ ହୁଏ । ଭାବୁକ ନ ହେଲେ କେହି ଗାୟକ ହୋଇପାରିବେ ନାହିଁ । ଶୈବ୍ୟା ଚରିତ୍ରକୁ ସଫଳ ଭାବରେ ପାଲାରେ ରୂପାୟନ କରିବା କେତେ କଷ୍ଟ ତାହା ଅନୁଭବୀମାନେ ବୁଝିବେ । ଶୈବ୍ୟା ଚରିତ୍ର ଗାଇଲାବେଳେ ସେହି ମୁହୂର୍ତ୍ତରେ ଗାୟକର ଆତ୍ମା ଶୈବ୍ୟା ଆତ୍ମା ସହିତ ଏକୀଭୂତ ହୋଇପାରିଲେ ଅଭିନୟ ଜୀବନ୍ତ ହୋଇଉଠେ । ଯେଉଁମାନେ ସ୍ୱର୍ଗତଃ ଗାୟକ ରତ୍ନ ହରିନାଥଙ୍କର “ହରିଶ୍ଛନ୍ଦ୍ର” ଉପାଖ୍ୟାନ ପାଲା ମାଧ୍ୟମରେ ଦେଖିଥିବେ, ସେମାନେ ଏହାର ସାରବତ୍ତା ହୃଦବୋଧ କରିପାରିବେ । ଅଭିନୟକଳା ବିହୀନ ବ୍ୟକ୍ତି ଉତ୍ତମ ଗାୟକ ହୋଇପାରେ ନାହିଁ । ଗାଇବା ଓ କହିବା ସହିତ ନାଚିବା ଓ ଅଭିନୟ ବୃତ୍ତିକୁ ମଧ୍ୟ ପାଲାରେ ଅଧିକ ଗୁରୁତ୍ୱ ଦିଆଯାଇଛି । ଗୀତ, ବାଦ୍ୟ, ନୃତ୍ୟ, ମୁଦ୍ରା, ଅଭିନୟ, ମସ୍ତକ ଚାଳନା ଆଦି ନୃତ୍ୟ-ବିଦ୍ୟାରେ ଦକ୍ଷ ହୋଇପାରିଲେ ଲୋକ ଉତ୍ତମ ଗାୟକ ଭାବରେ ପ୍ରସିଦ୍ଧି ଅର୍ଜନ କରିପାରିବେ । ସଙ୍ଗୀତ ଗାନ କରିବାରେ ଦକ୍ଷତା ଓ ଶାସ୍ତ୍ରରେ ଅଗାଧ ପାଣ୍ଡିତ୍ୟ ଥାଇ ମଧ୍ୟ କେତେକ ବ୍ୟକ୍ତି ଅଭିନୟ କଳାରେ ସଫଳତା ଲାଭ କରିପାରିନଥିବାରୁ ଉତ୍ତମ ଗାୟକ ଭାବରେ ସ୍ୱୀକୃତି ହୋଇପାରି ନାହାଁନ୍ତି ।

 

ପାଲାଗାୟକମାନେ ବହୁ ଅଧ୍ୟୟନ ଶୀଳ । କାବ୍ୟ, ନାଟକ, ବ୍ୟାକରଣ, ବେଦ ଓ ପୁରାଣ ଶାସ୍ତ୍ରାଦିରେ ଅଗାଧ ପାଣ୍ଡିତ୍ୟ ନ ଥିଲେ କେହି ସୁଗାୟକ ହେବାର ଯଶ ଲାଭ କରିପାରେ ନାହିଁ । ଗାୟକମାନେ ଯେଉଁ ଆଖ୍ୟାନ ବସ୍ତୁ ପରିବେଷଣ କରନ୍ତି ତାହାସବୁ ପୁରାଣରୁ ଗୃହୀତ । ଏପର୍ଯ୍ୟନ୍ତ ପାଲାରେ ସାମାଜିକ ଆଖ୍ୟାନ ପ୍ରବେଶ କରିପାରିନାହିଁ । ଧର୍ମଭୀରୁ ଉତ୍କଳୀୟମାନଙ୍କ ମନରେ ଧର୍ମପ୍ରତି ଯେଉଁ ଗଭୀର ସମ୍ମାନ ରହିଅଛି ଏପର୍ଯ୍ୟନ୍ତ ତା’ର ସାମାନ୍ୟତମ ବିଲୟ ଘଟିନଥିବାରୁ ପୁରାଣ ପରିବର୍ତ୍ତେ ପାଲାରେ ସାମାଜିକ ଆଖ୍ୟାନ ପରିବେଷଣ କଲେ ଲୋକ ସମାଜରେ ତାକୁ ସହଜରେ ଗ୍ରହଣ କରିପାରିବେ । ପୌରାଣିକ ଚରିତ୍ରଗୁଡ଼ିକ ଲୋକମାନସ ପଟରେ ଏକ ସ୍ୱର୍ଗୀୟ ପରିବେଶ ସୃଷ୍ଟି କରିପାରନ୍ତି । ପୁରାଣ ଏ ଦେଶର ଜନଜୀବନକୁ ନିବିଡ଼ ଭାବରେ ପ୍ରଭାବିତ କରିପାରଛି । ତେଣୁ ପୌରାଣିକ ଆଖ୍ୟାନ ଓ ପୌରାଣିକ ଚରିତ୍ର ବିନା ଅନ୍ୟ କୌଣସି ଆଖ୍ୟାନ ବା ଚରିତ୍ର ଲୋକସମାଜରେ ଏତେ ପ୍ରତିଷ୍ଟା ଲାଭ କରିପାରେନାହିଁ । କେତେକ ଉଦୀୟମାନ ପରିବର୍ତ୍ତନକାମୀ ଗାୟକ ପାଲାରେ ପୁରାଣ ସହିତ ସଂଶ୍ଳିଷ୍ଟଥିବା କେତେକ ଐତିହାସିକ ବିଷୟବସ୍ତୁକୁ ପରିବେଷଣ କରି କ୍ରମେ ସାମାଜିକ ଜୀବନରେ ନୂତନତା ଆଣିବାକୁ ଚେଷ୍ଟା କରୁଛନ୍ତି । ସମାଜ ଆଉ ଟିକିଏ ଶିକ୍ଷାରେ ଅଗ୍ରଗତି କଲେ ଏ ପ୍ରଚେଷ୍ଟା ସଫଳ ହେବାର ଆଶା କରୁଛି । କେବଳ ପୁରାଣ କଥା ଓ ପୁରାଣର ଚରିତ୍ରଗୁଡ଼ିକୁ ପରିବେଷଣ କରି ଆସିଥିବାରୁ ପାଲା ଏକ ଧାର୍ମିକ ଅନୁଷ୍ଠାନ ବୋଲି ଗୃହୀତ ହୋଇଛି । ଏକ ପବିତ୍ର ପରିବେଶରେ ପାଲା ଆୟୋଜନ କରିବା ମୂଳରେ ଏହି ଲୋକବିଶ୍ୱାସ ହିଁ ନିହିତ ।

 

ମାତ୍ର ଉପଯୁକ୍ତ ଭାବରେ ସମୀକ୍ଷା କଲେ ପାଲାକୁ ଧାର୍ମିକ ଓ ସାହିତ୍ୟିକ ଅନୁଷ୍ଠାନର ଏକ ରଙ୍ଗଭୂମି ବୋଲି ଅଭିହିତ କରାଯାଇଛି । ପାଲାର ବିଷୟବସ୍ତୁ ପୌରାଣିକ ଓ ଚରିତ୍ରଗୁଡ଼ିକ ପୁରାଣ-ପ୍ରସ୍ତୁତ ହେଲେ ବି ଗାୟକ ଏହି ଚରିତ୍ରଗୁଡ଼ିକ ଉପସ୍ଥାପିତ କଲାବେଳେ ଯେଉଁ ଉଦାହରଣଗୁଡ଼ିକ ଅଳଙ୍କାରରୂପେ ବ୍ୟବହାର କରନ୍ତି ତାହା ସମ୍ପୂର୍ଣ୍ଣ ଭାବରେ ସାହିତ୍ୟିକ ବିଭବ । ସଂସ୍କୃତ ସାହିତ୍ୟରୁ ଆରମ୍ଭ କରି ପ୍ରାକୃତିକ ସାହିତ୍ୟର ଲୋକ-କବିଙ୍କ ପର୍ଯ୍ୟନ୍ତ ସମସ୍ତ ରଚନାରୁ ସଂଗୃହୀତ ଉଦାହରଣଗୁଡ଼ିକ ମୂଳ ଚରିତ୍ରକୁ ପରିପୁଷ୍ଟ କରନ୍ତି । ପ୍ରସଙ୍ଗକ୍ରମେ ସନ୍ଧ୍ୟା, ରାତ୍ର, ପ୍ରଭାତ, ମଧ୍ୟାହ୍ନ, ନଗର, ସଭା, ତପୋବନ, ପର୍ବତ, ନଦୀ, ଋତୁ, ମୃଗୟା ଓ ଯୁଦ୍ଧଯାତ୍ରା ବା ଜୟଯାତ୍ରାର ଚିତ୍ର ଦେଲାବେଳେ ଗାୟକମାନେ ତୁଳନାତ୍ମକ ଭାବରେ ଯେଉଁ ଉଦ୍ଧୃତିଗୁଡ଼ିକ ପରିବେଷଣ କରନ୍ତି ତାହା ପୂର୍ଣ୍ଣତଃ ସାହିତ୍ୟର ବିଷୟବସ୍ତୁ । ପାଲାରୁ ସାହିତ୍ୟକୁ ଅଲଗା କରିଦେଲେ ତାହା ଏକାନ୍ତ ନୀରସ ଓ ଶୁଷ୍କ ହୋଇ ଯିବ । ପାଲାର ପୌରାଣିକ ବିଷୟବସ୍ତୁ ଅସ୍ଥିକଙ୍କାଳ, ସାହିତ୍ୟ ତା’ର ରକ୍ତମାଂସର ବାହ୍ୟରୂପ ।

 

ସଙ୍ଗୀତ ପାଲାର ପ୍ରାଣ । ସଙ୍ଗୀତ-ଗାନର ମାଧୁର୍ଯ୍ୟହିଁ ପାଲାକୁ ଏତେ ଜନପ୍ରିୟ କରିପାରିଛି । ସଙ୍ଗୀତ କଳାରେ ରସାଣିତ ହୋଇ “ପାଲା” ଜନଚେତନାରେ ଯେଉଁ ଭାବାନ୍ତର ସୃଷ୍ଟି କରି ଆସିଛି, ତାହାର ପଟାନ୍ତର ନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ । ଦିନ ଥିଲା ଯେତେବେଳେ ଗାୟକ ଭୂମିକାରେ ଅବତୀର୍ଣ୍ଣ ହେବାକୁ ଇଚ୍ଛା କରୁଥିବା ବ୍ୟକ୍ତି ପ୍ରଥମେ ଉପଯୁକ୍ତ ଗୁରୁଙ୍କ ନିକଟରେ ସ୍ୱର ସାଧନା କରୁଥିଲେ । ଗାଇବାରେ ଲାଳିତ୍ୟ ନ ଥିଲେ ସଙ୍ଗୀତ ଚିତ୍ତବୃତ୍ତିକୁ ଆନନ୍ଦ ଦେବା ପରିବର୍ତ୍ତେ ମନରେ ବିରକ୍ତି ଜାତ କରାଏ । ସଙ୍ଗୀତ ଶାସ୍ତ୍ରରେ ପ୍ରବେଶ ନ ଥିଲେ ଗୀତ ଗାଇବାର ଭଙ୍ଗୀ ସହଜେ ଆୟତ କରିହୁଏ ନାହିଁ । ତେଣୁ ପ୍ରଥମେ ଗାୟକମାନେ ସଙ୍ଗୀତ ଶାସ୍ତ୍ରରେ ପାରଦର୍ଶିତା ଲାଭ କରିବାକୁ ପ୍ରଚେଷ୍ଟା କରନ୍ତି । ଏଥିପାଇଁ କେତେକ ଦୈବୀ ଅନୁକମ୍ପା ଲାଭ କରିବାପାଇଁ ସାଧନା କରିଥିବାର କିମ୍ବଦନ୍ତୀ ଶୁଣିବାକୁ ମିଳେ । ରାଗରାଗୀଣିରେ ଅସାମାନ୍ୟ ଦକ୍ଷତା ଥିଲେ ଗାୟକ ସଫଳ ଭାବରେ ପାଲା ପରିବେଷଣ କରେ । ତାଳ, ଲୟ, ମାନ ଆଦିରେ ନିପୁଣତା ଗାୟକର ବିଶେଷ ଯୋଗ୍ୟତା ପ୍ରମାଣ କରେ । ସଙ୍ଗୀତ ପ୍ରିୟ ଉତ୍କଳୀୟ ସଙ୍ଗୀତ ଚର୍ଚ୍ଚାରେ ପରାକାଷ୍ଠା ଓଡ଼ିଶୀ ସଙ୍ଗୀତ ମାଧ୍ୟମରେ ପ୍ରତିଷ୍ଠା କରାଇ ପାରିଛି । ଉପେନ୍ଦ୍ର ଭଞ୍ଜ, କବିସୂର୍ଯ୍ୟ ଆଦି ଯୋଗାଜନ୍ମା ସଙ୍ଗୀତଜ୍ଞ-କବିମାନେ ଯେଉଁ ସାରସ୍ୱତ ସଙ୍ଗୀତ ସୃଷ୍ଟି କରିଯାଇଛନ୍ତି, ତାହା ଏପର୍ଯ୍ୟନ୍ତ ପାଠକ ଓ ଶ୍ରୋତା ପ୍ରାଣରେ ରସର ଅଖଣ୍ଡ ମନ୍ଦାକିନୀ-ପ୍ରବାହ ସୃଷ୍ଟି କରେ । ପାଲାଗାୟକମାନେ ଏହି ସଙ୍ଗୀତକୁ ପୁଞ୍ଜିକରି ସ୍ୱ ପ୍ରତିଭାର ପରିଚୟ ଦିଅନ୍ତି । କବିସୂର୍ଯ୍ୟଙ୍କ ଚମ୍ପୁ ଓ ବିଭିନ୍ନ ସମୟରେ ରଚିତ ପ୍ରତିଷ୍ଠିତ କବିମାନଙ୍କର ଭକ୍ତିରସାତ୍ମକ ପ୍ରେମମୂଳକ ଚୌପଦୀ ଓ ସଙ୍ଗୀତ ସାଧନା ବଳରେ ଆୟତ୍ତ କରି ପାଲାଗାୟକମାନେ ପରିବେଷଣ କରନ୍ତି । ବୈଦିକ ଯୁଗର “ଛନ୍ଦ” ସାହିତ୍ୟ ଖ୍ୟାତି ଅର୍ଜନ କରିଆସିଛି । ସେହି ଖ୍ୟାତି ସମାଜରେ ଏବେ ମଧ୍ୟ ଅପ୍ରତିହତ ଭାବରେ ରହିଆସିଛି । ତେଣୁ ଛନ୍ଦଯୁକ୍ତ ରାଗରାଗିଣୀ ପରିପୂର୍ଣ୍ଣ ଗାୟନ ଲୋକପ୍ରାଣରେ ଅପୂର୍ବ ଆନନ୍ଦ ସୃଷ୍ଟି କରେ । ଆଧୁନିକ ଛନ୍ଦ-ବିହୀନ କବିତା ପାଲା ମାଧ୍ୟମରେ ପରିବେଷିତ ହେଇଥିଲେ ବି ତାହା ଜନାଦର ଲାଭ କରିବାକୁ ସମର୍ଥ ହୋଇପାରିନାହିଁ । କେତେକ ଆଧୁନିକ କବିତାର ଛନ୍ଦ ଥିବାରୁ ଲୋକମାନେ ସହଜରେ ଗ୍ରହଣ କରିପାରୁଛନ୍ତି ।

 

“ଆଦର୍ଶ” ପାଲାର ଏକ ଅବିଚ୍ଛେଦ୍ୟ ଅଙ୍ଗ । “ପାଲା” ମାଧ୍ୟମରେ ଯେଉଁ ଚରିତ୍ରଗୁଡ଼ିକ ପରିବେଷିତ ହୁଅନ୍ତି, ସେମାନଙ୍କର ଜୀବନାଦର୍ଶ ଉନ୍ନୋଚନ କରିବା ହେଲା ପାଲାର ମୌଳିକ ଉଦ୍ଦେଶ୍ୟ । ତ୍ୟାଗ, ସେବା, ସାଧନା, ଆତ୍ମୋତ୍ସର୍ଗର ବହୁ କାହାଣୀଦ୍ୱାରା ପୁଷ୍ଟ ଚରିତ୍ରଗୁଡ଼ିକ ପାଲା ମାଧ୍ୟମରେ ପରିବେଷିତ ହୁଅନ୍ତି । ଏହାଦ୍ୱାରା ସେହି ଚରିତ୍ରର ମହତ୍ତ୍ୱ ଲୋକ ପ୍ରାଣରେ ଅଖଣ୍ଡ ପ୍ରବାହ ସଞ୍ଚାର କରେ । ଜୀବନରେ ବହୁ ଆଘାତ ଓ ଲାଞ୍ଛନା ସହ୍ୟ କରି ମଧ୍ୟ ଲୋକ ଧର୍ମ ଓ ସତ୍ୟ ପାଳନ କରିପାରେ । ଏହାର ଉଦାହରଣ ହରିଶ୍ଚନ୍ଦ୍ର ରାମ, ନଳ, ଅନୁସୂୟା ଆଦି ଚରିତ୍ରମାନଙ୍କ ମାଧ୍ୟମରେ ଲୋକ ସମାଜରେ ବିବୃତ ହେଲେ, ଲୋକ ସ୍ୱକର୍ମରେ ବ୍ରତୀ ଓ ଏକନିଷ୍ଠ ହୁଅନ୍ତି । ଆଦର୍ଶ ଜୀବନର ମହତ୍ୱ ପ୍ରକଟ କରେ, ତ୍ୟାଗପୂତ ଚରିତ୍ର ଜଗତରେ ଦେବତ୍ୱ ଅର୍ଜନ କରେ । ଏସବୁର ଅନେକ ଉଦାହରଣ ବହନ କରି ପାଲା ଜନସମାଜକୁ ସଚେତନ କରାଏ, ତ୍ୟାଗ ସେବା ଆଦିର ମହିମା ଉପଲବ୍ଧି କରିବାରେ ସାହାଯ୍ୟ କରେ । ବିଷୟଗୁଡ଼ିକ କାହାଣୀ ପ୍ରଧାନ ହେଲେବି ଚାରିତ୍ରିକ ମହତ୍ୱ ପ୍ରକାଶ କରିବା ହେଲା ସେଗୁଡ଼ିକର ପ୍ରଥମ ଉଦ୍ଦେଶ୍ୟ । ତେଣୁ ପାଲା ମାଧ୍ୟମରେ ଆଦର୍ଶ ଚରିତ୍ର, ଆଦର୍ଶ ଜୀବନ, ଆଦର୍ଶ ଜନସେବା ଆଦିର ଚିତ୍ର ପ୍ରଦାନ କରାଯାଏ । ପାଲା ବହୁ ଆଦର୍ଶର ମିଳନ ସ୍ଥଳ । ଧର୍ମରେ ଓ ସମାଜରେ କି ପ୍ରକାର ଆଦର୍ଶ ଅନୁକରଣୀୟ ବା ଗ୍ରହଣୀୟ ତାହା ମଧ୍ୟମରେ ଉପସ୍ଥାପନା କରାଯାଏ ।

 

ଖ୍ରୀଷ୍ଟୀୟ ୧୭୦୦ ଶତାବ୍ଦୀବେଳକୁ ଯେତେବେଳେ ଏ ଦେଶରେ ହିନ୍ଦୁ ଓ ମୁସଲମାନ ଦୁଇ ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ ପ୍ରବଳ ରୂପରେ ଦେଖାଦେଇ ଉଭୟଙ୍କୁ ଧର୍ମର ସୁମହତ ଉଦ୍ଦେଶ୍ୟରୁ ବିଚ୍ୟୁତ କରାଇ ଧର୍ମାନ୍ଧତା ଓ ସଂକୀର୍ଣ୍ଣତାର ଅତଳ ସାଗରେ ନିକ୍ଷେପ କଲା, ସେତେବେଳେ କେତେକ ଉଦାରଚେତା ମହାପୁରୁଷ ଉଭୟ ସମ୍ପ୍ରଦାୟ ମଧ୍ୟରେ ସମନ୍ୱୟ ଆଣିବା ପାଇଁ ପ୍ରଚେଷ୍ଟା ଚଳାଇ ଥିଲେ । ତାହା ଫଳରେ ସତ୍ୟନାରାୟଣ ପୂଜା ସତ୍ୟପୀର ପୂଜାକୁ ବିବର୍ତ୍ତିତ ହେବା କଥା ପୂର୍ବେ ବିବୃତ ହୋଇଛି । ସେହି ସମୟରେ ସତ୍ୟପୀରଙ୍କ ମହିମା ପ୍ରଖ୍ୟାପନ ପାଇଁ ଯେଉଁ କାହାଣୀଗୁଡ଼ିକ ରଚିତ ହେଲା ସେଗୁଡ଼ିକର ସାହିତ୍ୟକ ବିଭବ ଖୁବ୍ କମ୍ ଦେଖିବାକୁ ମିଳେ । ପୁନଶ୍ଚ ଉକ୍ତ କାହାଣୀଗୁଡ଼ିକରେ ଅନ୍ୟାନ୍ୟ ଦେବତା, ବିଶେଷ କରି ଶିବଙ୍କ ମହିମାକୁ ଯେପରି କ୍ଷୂର୍ଣ୍ଣ ଓ ନୂନ୍ୟ ଭାବରେ ଉପସ୍ଥାପନ କରାଯାଇଛି, ତାହା ଯେକେହି ଚିନ୍ତାଶୀଳ ବ୍ୟକ୍ତି ମନରେ କ୍ଷୋଭ ଜାତ କରାଇବା ସ୍ୱାଭାବିକ । ସିରିଣୀଖୋର ସତ୍ୟପୀରଙ୍କୁ ଲାଞ୍ଚଖୋର କ୍ଷମତାଧିଷ୍ଠିତ ବ୍ୟକ୍ତିମାନଙ୍କ ଚରିତ୍ର ସହିତ ସମାନ କରିଦିଆଯାଇଛି । ସତ୍ୟପୀରଙ୍କ ମହିମା ପ୍ରଖ୍ୟାପନରେ ଅମଙ୍ଗଳ ଓ ଆଶଙ୍କାର ଚିତ୍ର ଯଥେଷ୍ଟ ଦିଆଯାଇଥିବାରୁ ଲୋକମନରେ ସତ୍ୟପୀରଙ୍କ ପ୍ରତି ପ୍ରେମଭକ୍ତି ପରିବର୍ତ୍ତେ ଭୟଭକ୍ତି ସଞ୍ଜାତ ହେବା ସ୍ୱାଭାବିକ । ଏହି ଅହେତୁକୀ ଭୟ ଉତ୍ପନ୍ନକାରୀ ସତ୍ୟପୀରଙ୍କ ପୂଜା ସେଥିପାଇଁ କ୍ରମେ ଲୋକପ୍ରିୟତା ହରାଇବା ବିଚିତ୍ର ନୁହେଁ । ସତ୍ୟପୀର କାହାଣୀ ସମ୍ବଳିତ “ପାଲା” ଆଖ୍ୟାନବସ୍ତୁ କବିକର୍ଣ୍ଣଙ୍କ ଦ୍ୱାରା ରଚିତ । ଏହାର ଭାଷା ଏକ ଖେଚୁଡ଼ି ଭାଷା । ଏହି କାହାଣୀଗୁଡ଼ିକରେ ପରବର୍ତ୍ତୀ କାଳରେ ଓଡ଼ିଆ ଚୌପଦୀ ଓ ଡୁହାଗୁଡ଼ିକ ଯୋଡ଼ି ଦିଆଯାଇଥିବା ଅନୁମାନ ସାପେକ୍ଷ । ଜଗନ୍ନାଥ ଓ ସତ୍ୟପୀରଙ୍କୁ ଏକ ଓ ଅଭିନ୍ନ ରୂପରେ ପ୍ରତିପାଦନ କରିଥିବାରୁ ତାହା ଲୋକପ୍ରିୟ ହୋଇପାରିଛି । ସାମାଜିକ ସ୍ଥିତିରେ ସାମାନ୍ୟ ବିଶୃଙ୍ଖଳା ସମଗ୍ର ମାନବ ସମାଜକୁ ଉଦ୍‍ଭ୍ରାନ୍ତ କରିଦିଏ । ସେଥିପାଇଁ ସେହି ବିଶୃଙ୍ଖଳା ବିରୁନ୍ଧରେ ମନୀଷିମାନେ ସ୍ୱର ଉତ୍ତୋଳନ କରିଥାନ୍ତି । ଆଦର୍ଶକୁ ପ୍ରତିପାଦନ କରିବା ପାଇଁ ନୂତନ କାହାଣୀ ସଂଯୋଜିତ ହୁଏ । ପାଲା ଏହିପରି ଆଦର୍ଶ ବହୁଳ ବିଷୟବସ୍ତୁକୁ ସମାଜମୁଖରେ ଉପସ୍ଥାପନା କରି ସାମାଜିକ ଶୃଙ୍ଖଳା ରକ୍ଷା କରିବା ପାଇଁ ପ୍ରଯତ୍ନ କରି ଆସିଛି ।

 

“ପାଲା” ପୁରାଣ, ସାହିତ୍ୟ, ଇତିହାସ, ରାଜନୀତି, ଆଦର୍ଶବାଦ, କିମ୍ବଦନ୍ତୀ ନାଟକ ଓ ସଙ୍ଗୀତର ଏକ ସମ୍ମିଳିତ ରୂପ । ଆଖ୍ୟାନ ବସ୍ତୁକୁ ଉପସ୍ଥାପନା କଲାବେଳେ ଗାୟକମାନେ ବହୁ ଐତିହାସିକ ପୁରୁଷମାନଙ୍କର ଚିତ୍ର ଦେଇଥାନ୍ତି । ପୌରାଣିକ ଚରିତ୍ର ସହିତ ଐତିହାସିକ ଚରିତ୍ରଗୁଡ଼ିକର ତୁଳନାତ୍ମକ ଚିତ୍ର ଲୋକମାନସରେ ସହଜରେ ପତିବିମ୍ବିତ ହୁଏ । ପାଲାରେ କିମ୍ବଦନ୍ତୀର ପ୍ରଭାବ ଅନନ୍ୟ ସ୍ୱୀକାର୍ଯ୍ୟ । ଲୋକସମାଜରେ ପ୍ରଚଳିତ ଶିକ୍ଷଣୀୟ କିମ୍ବଦନ୍ତୀଗୁଡ଼ିକୁ ସଂଗ୍ରହ କରି ଗାୟକମାନେ ମୂଳ ଆଖ୍ୟାନବସ୍ତୁ ସହିତ ସଂଯୋଜିତ କରି ତାକୁ ଅଧିକ ରସାଣିତ କରିଦିଅନ୍ତି । ଏହି କିମ୍ବଦନ୍ତୀଗୁଡ଼ିକରେ ପ୍ରସଙ୍ଗ କ୍ରମେ ଉଦାହରଣ ଛଳରେ ସଂଯୁକ୍ତ ହୁଏ । କିମ୍ବଦନ୍ତୀଗୁଡ଼ିକରେ ବହୁ ମହାପୁରୁଷଙ୍କ ଜୀବନୀ, ସାମାଜିକ ସତ୍ୟ-ପ୍ରଥା ଲୋକ-ବିଶ୍ୱାସର ପ୍ରତିଫଳନ ହୋଇଥିବାରୁ ତାହା ସହଜରେ ଲୋକ-ଚେତନାକୁ ସ୍ପର୍ଶ କରେ । ଆଦର୍ଶ ପୁରୁଷମାନଙ୍କର ଚରିତ୍ର ଉପସ୍ଥାପନାରେ ଗାୟକମାନେ ତତ୍କାଳୀନ ଶାସନ ଓ ରାଜନୀତିର ଚିତ୍ର ଦେବାକୁ ଯାଇ ସମସାମୟିକ ଶାସନ ପଦ୍ଧତି ଓ ରାଜନୀତିର ତୁଳନାତ୍ମକ ବିବରଣୀ ପ୍ରଦାନ କରନ୍ତି । ବୈଦିକ ଯୁଗରୁ ଶାସନର ନୀତି ଓ ଆଦର୍ଶ କିପରି ଅନୁସୃତ ହୋଇଆସୁଛି ସେ ସମ୍ବନ୍ଧରେ ସମ୍ୟକ ଚିତ୍ର ପାଲାରେ ପ୍ରଦାନ କରାଯାଏ ।

 

“ପାଲା” ସାହିତ୍ୟିକ ବିଭବରେ ପରିପୂର୍ଣ୍ଣ ହୋଇଥିଲେ ହେଁ “ପାଲା ସାହିତ୍ୟ” ବୋଲି କୌଣସି ନିର୍ଦ୍ଧିଷ୍ଟ ସାହିତ୍ୟ ଦେଖିବାକୁ ମିଳେ ନାହିଁ । ସପ୍ତଦଶ ଶତାବ୍ଦୀ ପୂର୍ବରୁ ପାଲାରସ୍ୱରୂପ କେବଳ ଦରବାର ଭିତରେ ଆବଦ୍ଧ ଥିବା କଥା ବିବୃତ ହୋଇଛି । ସେତେବେଳେ ତାହା କେବଳ ସ୍ୱନାମଧନ୍ୟ କବିମାନଙ୍କର ରଚନାରେ ନିଜ କଳେବରକୁ ପୁଷ୍ଟ କରୁଥିଲା । ଗାଥା-ଗାୟକମାନଙ୍କର ଆଶୁକବିତ୍ୱ ଓ ପାଣ୍ଡିତ୍ୟ ଏହାକୁ ଅଧିକ ରସାଣିତ କରୁଥିଲା । ସତ୍ୟପୀରପୂଜା ଆରମ୍ଭ କାଳରେ ଯେଉଁ ଆଖ୍ୟାନବସ୍ତୁଗୁଡ଼ିକ କବିକର୍ଣ୍ଣ ଓ ଭୃଗୁରାମ ଆଦି କବିମାନଙ୍କ ଦ୍ୱାରା ରଚିତ ହେଲା, ସେଗୁଡ଼ିକରେ ସାହିତ୍ୟ ଅପେକ୍ଷା ଧର୍ମ ମୁଖ୍ୟସ୍ଥାନ ଅଧିକାର କଲା । ସେହି ଆଖ୍ୟାନବସ୍ତୁମାନଙ୍କର ଭାଷାକୁ ସମ୍ପୂର୍ଣ୍ଣ ଓଡ଼ିଆଭାଷା ବୋଲି କହିହେବ ନାହିଁ । ତହିଁରେ ପୁଣି ଶବ୍ଦ-ଚାତୁର୍ଯ୍ୟ, ଅଳଙ୍କାର ଓ ବର୍ଣ୍ଣନା ବିଳାସ ପ୍ରାୟ ନାହିଁ କହିଲେ ଚଳେ । ଅଷ୍ଟାଦଶ ଶତାବ୍ଦୀ ଶେଷବେଳକୁ “ପାଲା” ପୁନଶ୍ଚ ସେହି ସଂଗ୍ରହଶୀଳ ଅନୁଷ୍ଠାନରେ ପରିଣତ ହେଲା । ଏଥିରେ ପଞ୍ଚସଖା ଯୁଗର ଶୂନ୍ୟବାଦ ଓ ଯୋଗମିଶା ଭକ୍ତିର ମହିମା ବିବୃତ ହେବା ସଙ୍ଗେ ସଙ୍ଗେ କୃଷ୍ଣ ଓ ରାମ ସାହିତ୍ୟ ପ୍ରାଧାନ୍ୟ ଲାଭ କଲା । ବଳରାମଙ୍କ ଲକ୍ଷ୍ମୀପୁରାଣ, ଯଶୋବନ୍ତଙ୍କ ଗୋବିନ୍ଦଚନ୍ଦ୍ର ଓ ଦାଢ଼୍ୟତାଭକ୍ତି ବହୁ କାହାଣୀ ପାଲା ମାଧ୍ୟମରେ ପରିବେଷିତ ହେଲା । ଉପେନ୍ଦ୍ରଭଞ୍ଜଙ୍କର ବୈଦେହୀଶ ବିଳାସ, ସୁଭଦ୍ରାପରିଣୟ ପ୍ରଭୃତି ପାଲା ମାଧ୍ୟମରେ ପରିବେଷିତ ହୋଇ ବିଶେଷ ଆଦର ଲାଭ କଲା । ରାଧାନାଥଯୁଗରେ ରାଧାନାଥଙ୍କର ପ୍ରତ୍ୟେକ ରଚନା, ଗଙ୍ଗାଧରଙ୍କର କୀଚକବଧ, ଇନ୍ଦୁମତୀ, ପ୍ରଣୟବଲ୍ଲରୀ, ତପସ୍ୱିନୀ ଆଦି “ପାଲା” ପରିସରଭୁକ୍ତ ହୋଇ ଲୋକ ସମାଜରେ ପ୍ରଚାରିତ ହେଲା । କାହାଣୀଗୁଡ଼ିକରେ ଉପଜୀବ୍ୟ କରି ଗାୟକମାନେ ଅନ୍ୟ କବିମାନଙ୍କର ରଚନାରୁ ଉଦ୍ଧୃତି ଦେଇ “ପାଲା” ପରିବେଷଣ କରନ୍ତି । “ସଂଗ୍ରହ” ପାଲାର ସୌନ୍ଦର୍ଯ୍ୟ ବୃଦ୍ଧି କରେ । ପାଲା ବହୁ “ସଂଗ୍ରହର” ମୂର୍ତ୍ତିମନ୍ତ ପରିପ୍ରକାଶ । ବିଂଶ ଶତାବ୍ଦୀର ଆରମ୍ଭ କାଳରେ କେତେକ କବି ଅନୁପ୍ରାଣୀତ ହୋଇ “ପାଲା” ପାଇଁ ସ୍ୱତନ୍ତ୍ରଭାବରେ ବିଷୟବସ୍ତୁ ବା କାହାଣୀ ରଚନା କଲେ । ସେଗୁଡ଼ିକ ପାଲାରେ ପ୍ରବେଶ ଲାଭ କରିଥିଲେହେଁ ଏପର୍ଯ୍ୟନ୍ତ ସମାଲେନାର ପରିସରଭୁକ୍ତ ହୋଇପାରିନାହିଁ ।

 

ସମାଜଜୀବନ ଓ ପାଲା

 

ମାନବ ସଭ୍ୟତାର ଆରମ୍ଭକାଳରୁ ମାନବ ବିମଳାନନ୍ଦ ପ୍ରାପ୍ତି ଇଚ୍ଛାରେ ସ୍ୱୀୟ ଅପୂର୍ଣ୍ଣତାକୁ ପୂର୍ଣ୍ଣତା ମାଧ୍ୟମରେ ପ୍ରକାଶ କରିବା ଆଶା ପୋଷଣ କରିଆସିଛି । ବନ୍ୟ-ଜୀବନଯାପନ କରୁଥିଲାବେଳେ ତା’ ଭିତରେ ଥିବା ଏହି ବଳିଷ୍ଠ ଇଚ୍ଛା ବିଭିନ୍ନ ଧ୍ୱନି ଓ ଅଙ୍ଗଭଙ୍ଗୀ ମାଧ୍ୟମରେ ପ୍ରକାଶ ପାଉଥିଲା । ସଭ୍ୟତାର କ୍ରମବିବର୍ତ୍ତନରେ ସେହି ଧ୍ୱନି, ଭାଷା ଓ ସାହିତ୍ୟରେ, ଅଙ୍ଗଭଙ୍ଗୀ ଅଭିନୟ ବା ନୃତ୍ୟରେ ପର୍ଯ୍ୟବସିତ ହେଲା । କାଳକ୍ରମେ ସଙ୍ଗୀତ ଓ ଅଭିନୟଦ୍ୱାରା ସେ ବିମଳାନନ୍ଦ ପ୍ରାପ୍ତି ଇଚ୍ଛାକୁ ପୂର୍ଣ୍ଣଭାବରେ ରୂପାୟିତ କଲା । ଏହି ଅଭିନୟ ଓ ସଙ୍ଗୀତ ମାଧ୍ୟମରେ ସମଗ୍ର ମାନବ ଜୀବନର ଚିତ୍ର ପ୍ରତିବିମ୍ବତ ହେଲା । କାଳକ୍ରମେ ଏହା ଧର୍ମକୁ ଭିତ୍ତିକରି ମାନବର ସାମାଜିକ ଜୀବନକୁ ଅନୁସରଣ କରି ଗଣଚିନ୍ତା ପ୍ରକାଶ କରିବାରେ ନୂତନ ଦିଗ୍‍ଦର୍ଶନ ଦେଲା । ସଙ୍ଗୀତ ଓ ଅଭିନୟ ମାଧ୍ୟମରେ ଜୀବନ ପ୍ରତିବିମ୍ବିତ ହୁଏ, ରାଜନୀତି ନୂତନାଦର୍ଶରେ ମଣ୍ଡିତ ହୁଏ ଓ ସତ୍ୟର ପ୍ରତିଫଳନ ଯୋଗୁ ତାହା ଲୋକଚରିତ୍ରକୁ ଉଦ୍‍ବୁଦ୍ଧ କରେ । ସଙ୍ଗୀତ ଓ ଅଭିନୟ ଯୁଗ ଯୁଗ ଧରି ମାନବ ସମାଜର ଗୁରୁ ଓ ସଖୀର ଭୂମିକା ଗ୍ରହଣ କରି ଆସିଛି । ଏଥିରେ ମାନବ ଜୀବନର ଭାବାବେଗ, ଭାଗ୍ୟର ବିବର୍ତ୍ତନ ଓ ଶିକ୍ଷାମୂଳକ ଚିତ୍ରଗୁଡ଼ିଏ ଉପସ୍ଥାପିତ କରାଯାଇ କେତେବେଳେ ଏହା ସଖୀପରି ମନୋରଞ୍ଜନ କରେ ତ କେତେବେଳେ ନିଷ୍ଠୁର ସତ୍ୟବୟାନ କରି ସମାଜକୁ ଶିକ୍ଷାଦାନ କରେ । ଓଡ଼ିଶାରେ ପାଲା ଶତାବ୍ଦୀ ଶତାବ୍ଦୀ ଧରି ସମାଜର ଅଶେଷ କଲ୍ୟାଣ ସାଧନ କରିବାରେ ସମର୍ଥ ହୋଇ ଆସିଛି ।

 

ଧର୍ମ ଓ ସଙ୍ଗୀତ ଅଭିନୟରେ ପ୍ରଧାନ ସ୍ଥାନ ଅଧିକାର କରିଆସିଛି । ବିଜ୍ଞାନଯୁଗରେ ଯେତେବେଳେ ଈଶ୍ୱରଙ୍କ ସ୍ଥିତିକୁ ମାନବ ସହଜରେ ବିଶ୍ୱାସ କରିବାକୁ ରାଜି ନୁହେଁ, ସେତେବେଳେ ମଧ୍ୟ ନାଟକ ଭଳି ଉତ୍ସବ ଆୟୋଜନରେ ଫୁଲ, ଧୂପ ଦିଆଯାଇ ଅଦୃଶ୍ୟ ଅପ୍ରକଟ ଶକ୍ତି ନିକଟରେ ମଙ୍ଗଳ କାମନା କରିବା ଆମେ ଦେଖୁ । ଧର୍ମପ୍ରତି ଅନୁରକ୍ତି ଓ ଭୟ ମାନବର ସହଜାତ । ଧର୍ମର ମୂଳ ତତ୍ତ୍ୱ ଏକ ଓ ଅଭିନ୍ନ । ବିଭିନ୍ନ ସମୟରେ ବିଭିନ୍ନ ବ୍ୟକ୍ତିବିଶେଷ ନିଜର ଚିନ୍ତାଧାରାକୁ ଧର୍ମର ଅଙ୍ଗୀଭୂତ କରାଇ ବିଭିନ୍ନ ଗୋଷ୍ଠୀ ସୃ‌ଷ୍ଟି କରିଥିଲେ ବି ମୂଳତତ୍ତ୍ୱ ଅପରିବର୍ତ୍ତିତ ରହିଆସିଛି । ଧର୍ମ ଭୟ ମଣିଷକୁ ଶୃଙ୍ଖଳିତ କରିବା ସଙ୍ଗେ ସଙ୍ଗେ ତା’ର ଚରିତ୍ରକୁ ନିର୍ମଳ କରିବାରେ ସାହାଯ୍ୟ କରିଆସିଛି । ଧର୍ମର ସ୍ୱରୂପ, ସ୍ଥିତି ଓ ବ୍ୟାପ୍ତି ପୁରାଣ ସାହିତ୍ୟ ମାଧ୍ୟମରେ ପ୍ରଚାରିତ ହୋଇଛି । ସେହି ଧର୍ମ ଓ ଈଶ୍ୱରକୈନ୍ଦ୍ରିକ କାହାଣୀଗୁଡ଼ିକ ପୁରାଣରୁ ପାଲାକୁ ପ୍ରବେଶ କରିଛି । ପ୍ରତ୍ୟେକ ଧର୍ମୀୟ ଚିନ୍ତାଧାରା ପାଲାଦ୍ୱାରା ପ୍ରଚାରିତ ହୋଇ ସହଜରେ ଲୋକମାନସପଟରେ ପ୍ରତିବିମ୍ବିତ ହୋଇପାରିଛି । ବୈଦିକ ଯୁଗରୁ ଏ ପ୍ରକାର ଧର୍ମଭିତ୍ତିକ ଅନୁଷ୍ଠାନ ବହୁ ବିବର୍ତ୍ତନ ମଧ୍ୟ ଦେଇ ଗତି କରୁଥିଲେ ବି ଏହାର ମୂଳଲକ୍ଷ୍ୟ ଅପରିବର୍ତ୍ତିତ ରହିଛି । ଈଶ୍ୱରଙ୍କ ଗୁଣାବଳୀ ବର୍ଣ୍ଣନା ପ୍ରସଙ୍ଗରେ ମାନବ-ଜୀବନର ଅଳିକତା ସଂସାରର ନଶ୍ୱରତା, ଷଟ୍‌ରିପୁ ବିପ୍ଳବର ଜୀବନର ଅସହାୟତା ଆଦିର ଚିତ୍ର ପାଲାରେ ପ୍ରଚାରିତ ହୋଇଥାଏ । ଧର୍ମ ଲଘଂନ କଲେ, ସତ୍ୟର ଅବମାନନା କଲେ, ଅନ୍ୟକୁ ଉତ୍ପୀଡ଼ନ କଲେ, ବେଦବିହିତ ମାର୍ଗରେ ବିଚ୍ୟୁତ ହେଲେ ବ୍ୟକ୍ତି କିପରି ଦୈବଦଣ୍ଡ ପାଏ ତାହାର ଭୁରି ଭୁରି ଦୃଷ୍ଟାନ୍ତ ପାଲାରେ ପରିବେଷିତ ହୋଇ ଲୋକ ପ୍ରାଣରେ ସ୍ୱତଃ ଧର୍ମ ପ୍ରତି ଅନୁରକ୍ତି, ପାପ ପ୍ରତି ଭୟ ସଞ୍ଜାତ କରାଏ । ତାହା ଫଳରେ ସମାଜରୁ ବିଶୃଙ୍ଖଳା କମିଯାଏ । ଅତ୍ୟାଚାର ଉତ୍ପୀଡ଼ନ ପ୍ରତି ଲୋକ ମନରେ ଭୀତ ସଞ୍ଚାରିତ ହୁଏ ।

 

ଜୀବନର ନଶ୍ୱରତାକୁ ଉପଲବ୍ଧି କରିପାରିଲେ ମଣିଷ ରିପୁବିପ୍ଳବରୁ ମୁକ୍ତି ପାଇବାକୁ ଚେଷ୍ଟା କରେ । ପାଲା ଏହିପରି ଭାବରେ ସଙ୍ଗୀତ ଓ ଅଭିନୟ ମାଧ୍ୟମରେ ଧର୍ମପ୍ରଚାରକର ଭୂମିକା ଗ୍ରହଣ କରିଆସିଛି । ପାଲା ଧର୍ମକଥା-ପ୍ରଧାନ ହୋଇଥିବାରୁ ସତ୍ୟପୀରପୂଜା ପ୍ରଚାରିତ ହେବା ପାଇଁ ସେତେବେଳେର ଶାସକ ଓ ଉଦାରଚେତା ମହାପୁରୁଷମାନେ ଏହାକୁ ହିଁ ମାଧ୍ୟମରୂପେ ଗ୍ରହଣ କରିଥିଲେ । ପାଲାରେ ପ୍ରଥମ ପାଦ ମଙ୍ଗଳାଚରଣ ନାମରେ ଅବିହିତ । ଏହି ମଙ୍ଗଳାଚରଣ ପ୍ରସଙ୍ଗରେ ଗାୟକ ମାନବଜୀବନ ସମ୍ପର୍କରେ ତାତ୍ତ୍ୱିକ ବିଶ୍ଳେଷଣ କରେ । ସେ ବିଶ୍ଳେଷଣ ବହୁ ମହାପୁରୁଷ ଓ ଧର୍ମପ୍ରଚାରକମାନଙ୍କର ମତବାଦର ବିଶ୍ଳେଷଣ । ଏହାଦ୍ୱାରା ଚେତନାଶୀଳ ବ୍ୟକ୍ତିମାନେ ଜୀବନର ସାରବତ୍ତା ଉପଲବ୍ଧି କରନ୍ତି ।

 

ବୈଦିକ ଯୁଗରୁ ପୁରାଣଶାସ୍ତ୍ର ଆଦି କେବଳ ଜନଶ୍ରୁତିରେ ପ୍ରଚଳିତ ହୋଇଆସିଥିଲା । ପରସ୍ପରଠାରୁ ଶୁଣି ଏହାକୁ ମନେରଖୁଥିଲେ ବୋଲି ଏହାର ନାମ ଥିଲା ଶ୍ରୁତି । ସେତେବେଳେ ଏହା ଲିପିବଦ୍ଧ ହୋଇନଥିଲା । ବେଦର ମହତ୍ତ୍ୱ ଓ ଆଦର୍ଶ ସହଜେ ଅବବୋଧ ନ ହେବାରୁ ଆର୍ଯ୍ୟପଣ୍ଡିତମାନେ ଶ୍ରୁତି ବା ଉପନିଷଦ ସୃଷ୍ଟି କଲେ । ଉପନିଷଦର ତତ୍ତ୍ୱ କ୍ଳିଷ୍ଟ ହେବାରୁ ପୁନଶ୍ଚ ପୁରାଣ ମାଧ୍ୟମରେ ଉଦାହରଣଦ୍ୱାରା ସେହି ତତ୍ତ୍ୱଗୁଡ଼ିକୁ ବୟାନ କରାଗଲା । ସେତେବେଳେ ଶାସ୍ତ୍ର ଅଧ୍ୟୟନ ଅଧିକାର ସମାଜର ସବୁଶ୍ରେଣୀ ଲୋକମାନେ ପାଉନଥିଲେ । ଶାସ୍ତ୍ରାଦିରେ ଅଧିକାର କେବଳ ବ୍ରାହ୍ମଣମାନଙ୍କର ଥିଲା । ଅଧ୍ୟୟନ ଅଧିକାର ନ ଥିଲେ ବି ଶ୍ରବଣ କରିବାର ଅଧିକାର ସମସ୍ତଙ୍କର ଥିଲା । ତେଣୁ ବେଦଶାସ୍ତ୍ରରେ ଦର୍ଶନତତ୍ତ୍ୱ ପୁରାଣମାନଙ୍କରେ ପ୍ରତିଫଳିତ ହୋଇ ଗାଥା, ସଙ୍ଗୀତ ଓ କଥା ମାଧ୍ୟମରେ ଲୋକମାନଙ୍କ ନିକଟରେ ପହଞ୍ଚୁଥିଲା । କଥକ, ଗାୟକ ଓ ଚାରଣମାନେ ଏହାକୁ ଜନପଦରେ ପ୍ରଚାର କରୁଥିଲେ । ପରବର୍ତ୍ତୀକାଳରେ ଏହି ରୀତିରୁ ହିଁ ନାଟକର ଉତ୍ପତ୍ତି ହେଲା । ଏଯାବତ୍ ପାଲା ଗାୟକମାନେ ସେହି ପରମ୍ପରା ଅନୁସରଣ କରିଆସୁଛନ୍ତି । ଗାଁ’ଗହଳିରେ ବାସକରୁଥିବା ଅର୍ଦ୍ଧାଧିକ ନିରକ୍ଷର ଓ ଅଶିକ୍ଷିତ ଲୋକେ ପୁରାଣ ଓ ଶାସ୍ତ୍ର ସମ୍ବନ୍ଧରେ ସଚେତନ । ସଙ୍ଗୀତବିଦ୍ୟାରେ ସେମାନଙ୍କର ପାରଦର୍ଶିତା ବି କମ୍ ନୁହେଁ । ପଲ୍ଲୀର ଏହି ନିରକ୍ଷର ଅଶିକ୍ଷିତ ଲୋକମାନଙ୍କର ଶାସ୍ତ୍ର-ଜ୍ଞାନ ଓ ସଙ୍ଗୀତ ଚର୍ଚ୍ଚା ପାଲା ଯୋଗୁଁ ହିଁ ସମ୍ଭବ ହୋଇପାରିଛି । କର୍ମମୂଖର ପଲ୍ଳୀରେ ପ୍ରବେଶ କଲେ ଯେକେହି ବ୍ୟକ୍ତି ଶସ୍ୟ ଖେଦାରେ କାର୍ଯ୍ୟରତ କୃଷକ ମୁହଁରୁ ଉପେନ୍ଦ୍ର ଭଞ୍ଜ, କବିସୂର୍ଯ୍ୟ ଆଦିଙ୍କର ଚୌପଦୀ ଶୁଣିବାକୁ ପାଇବେ । ସେମାନେ ଏହାର ଅର୍ଥ ବୁଝନ୍ତି ନାହିଁ । ମାତ୍ର ସଙ୍ଗୀତ ମାଧୁର୍ଯ୍ୟ ଯୋଗୁଁ ହିଁ ପରମ ଆନନ୍ଦରେ ଗାନ କରନ୍ତି । ସଙ୍ଗୀତ ପ୍ରତି ଏକ ପ୍ରକାର ଅନୁରକ୍ତି ପାଲା, ଲୋକପ୍ରାଣରେ ସଞ୍ଜାତ କରାଇ ପାରିଛି ।

 

ଆଜିର ପାଲା ଆଉ ପୁରାଣଭିତ୍ତିକ ହୋଇନାହିଁ । ପାଲାର ପରିସୀମା ଏବେ ପ୍ରସାରିତ ଓ ପରିବ୍ୟାପ୍ତ । ବିଭିନ୍ନ ବିଷୟ ଆଜି ପାଲାର ଅଙ୍ଗୀଭୂତ ହୋଇଛି । ସାହିତ୍ୟିକ ବିଭବକୁ ବହନ କରି ପାଲା ଏବେ ଉଚ୍ଚାଙ୍ଗ ସାହିତ୍ୟ ପରିବେଷଶରେ ବିନିଯୁକ୍ତ । ପୁରାଣକୁ ଆଶ୍ରୟ କରୁଥିଲେ ହେଁ “ପାଲା” ବହୁ ଶାସ୍ତ୍ର ନିକଟରେ ଋଣୀ । ଏପରିକି ଦର୍ଶନଶାସ୍ତ୍ର ବହୁ ଜଟିଳ ତତ୍ତ୍ୱ, ଯୋଗ ସମ୍ବନ୍ଧୀୟ କେତେକ ଜ୍ଞାତବ୍ୟ ବିଷୟବସ୍ତୁ , ଆଜି ପାଲାମାଧ୍ୟମରେ ପରିବେଷିତ ହୋଇଛି । ପୁରାଣମାନଙ୍କରୁ ଶିକ୍ଷଣୀୟ ଓ ଆଦର୍ଶପୂର୍ଣ୍ଣ କାହାଣୀଗୁଡ଼ିକୁ ଉଦ୍ଧାର କରି ଲୋକ ସମକ୍ଷରେ ଉପସ୍ଥାପନା କରାଯାଉଥିବାରୁ ଲୋକମାନେ ପୁରାଣ ସମ୍ବନ୍ଧୀୟ ବିଶେଷ ଜ୍ଞାନ ପାଲା ମାଧ୍ୟମରେ ଲାଭ କରିଥାନ୍ତି । ପାଲାରେ ଚତୁର ଗାୟକ ଆଦର୍ଶ ରାଜାର ମହିମା ଗାନ କଲାବେଳେ ଦୁର୍ନୀତିଗ୍ରସ୍ତ, ବ୍ୟଭିଚାରୀ, ସ୍ୱେଚ୍ଛଚାରୀ ଶାସକ ବରୁଦ୍ଧରେ ସ୍ୱର ଉତ୍ତୋଳନ କରନ୍ତି । ତାହା ଫଳରେ ଶାସନ ସମ୍ବନ୍ଧରେ ଲୋକମାନଙ୍କର ପ୍ରତ୍ୟକ୍ଷ ଜ୍ଞାନ ଜନ୍ମେ । ସର୍ବୋପରି ପାଲା ଲୋକମାନଙ୍କର ପୁରାଣ-ସାହିତ୍ୟ-ଜ୍ଞାନ ବର୍ଦ୍ଧନ କରାଇବା ସଙ୍ଗେ ସଙ୍ଗେ ବ୍ୟାବହାରିକ ଜ୍ଞାନରେ ମଧ୍ୟ ପରିପୁଷ୍ଟ କରେ । ପାଲା ପ୍ରଚାରର ଏକ ପ୍ରକୃଷ୍ଟ ମାଧ୍ୟମ । ସାହିତ୍ୟର ପ୍ରଚାର ଓ ପ୍ରସାର ପାଲାଦ୍ୱାରା ସହଜରେ ସଂଘଟିତ ହୋଇପାରେ । ଜନମତକୁ ଜାଗ୍ରତ ଓ ସୁସଂହତ କରିବାରେ ପାଲାର ଅବଦାନ ମଧ୍ୟ କମ୍ ନୁହେଁ । ଏହିପରି ପାଲା ବହୁ ବିଭବକୁ ବିସ୍ତାରିତ ହୋଇ ଗଣଶିକ୍ଷାର ମାଧ୍ୟମରୂପେ ପ୍ରସିଦ୍ଧି ଅର୍ଜନ କରିଛି ।

 

ପାଲା ଓଡ଼ିଶାର ଗଣ-ଜୀବନ ଓ ସଂସ୍କୃତି ସହିତ ନିବିଡ଼ ସମ୍ପର୍କ ରକ୍ଷାକରି ଆସିଛି । ସାଂସ୍କୃତିକ ଉତ୍କର୍ଷ ପ୍ରସାର କରାଇବା ଦିଗରେ ପାଲାର ଅବଦାନ ଅବିସ୍ମରଣୀୟ । “ପାଲା” ଯୋଗୁଁ ଓଡ଼ିଆ ସାହିତ୍ୟ ତା’ର ପରମ୍ପରାଗତ ମର୍ଯ୍ୟାଦାରୁ ବିଚ୍ୟୁତ ହୋଇନାହିଁ । ଆଧୁନିକତାର ଶତ ତାଡ଼ନା ସତ୍ତ୍ୱେ ଆଧ୍ୟାତ୍ମିକତା ଓ ବୌଦ୍ଧିକତା ଜନଜୀବନରୁ ବିଚ୍ଛିନ୍ନ ନ ହୋଇ ପାଲା ମାଧ୍ୟମରେ ପ୍ରତିଷ୍ଟିତ ହୋଇପାରଛି । ଆଧୁନିକତାର କରାଳଗ୍ରାସରେ ବହୁ ସୁକ୍ଷ୍ମକଳା ବିଲୟ ହୋଉଥିଲେ ବି “ପାଲା” ଏପର୍ଯ୍ୟନ୍ତ ଲୋକପ୍ରାଣରେ ଉଦ୍‍ଜୀବିତ ହୋଇ ରହିଛି । ଉଚ୍ଚାଙ୍ଗ ସାହିତ୍ୟ ବୌଦ୍ଧିକ ଚିନ୍ତାରୁ ସମ୍ଭୁତ ହୁଏ । ଉପଯୁକ୍ତ ବ୍ୟାଖ୍ୟାକାର ଓ ପ୍ରଚାରକ ଅଭାବରେ ତାହା ଗଣ ନିକଟରେ ପହଞ୍ଚିପାରିନାହିଁ । ଉପଯୁକ୍ତ ବ୍ୟାଖ୍ୟା ଓ ପ୍ରଚାର ମାଧ୍ୟମରେ ତାହା ଜନଜୀବନରେ ପ୍ରସାରିତ ହୁଏ । “ପାଲା” ବୌଦ୍ଧିକ ସାହିତ୍ୟର ପ୍ରସାରରେ ଯେଉଁ ଭୂମିକା ଏଯାବତ୍ ଗ୍ରହଣ କରିଆସିଛି , ତାହା ଅନ୍ୟ କୌଣସି କଳାତ୍ମକ ଅନୁଷ୍ଠାନଦ୍ୱାରା ସମ୍ଭବ ହୁଅନ୍ତା ନାହିଁ । ଉପଯୁକ୍ତ ମାଧ୍ୟମ ପାଇଲେ ସାହିତ୍ୟ ଓ ସଂସ୍କୃତି ଜନଜୀବନକୁ ନିର୍ମଳ, ଉଦ୍ୟମଶୀଳ, ଶୃଙ୍ଖଳିତ ଓ ପ୍ରଭାବିତ କରିପାରନ୍ତି । ସେହି ପ୍ରଭାବର ବଶବର୍ତ୍ତୀ ଲୋକ ଅନ୍ୟାୟ ଓ ବ୍ୟଭିଚାରଠାରୁ ଦୂରେଇ ରହେ । ସବୁକାଳରେ ସାହିତ୍ୟ ଓ ସଂସ୍କୃତି ଲୋକଶିକ୍ଷାକୁ ସମୃଦ୍ଧ କରନ୍ତି । ସମୃଦ୍ଧିର ଉତ୍କର୍ଷ, ସାହିତ୍ୟ ଅଙ୍ଗରେ ବହନ କରେ । “ସାହିତ୍ୟ” ଜନଜୀବନକୁ ସ୍ପର୍ଶ କରିପାରିଲେ ସମାଜର ଅଶେଷ କଲ୍ୟାଣ ସାଧନ କରେ । ଉତ୍କୃଷ୍ଟ ସାହିତ୍ୟର ବାର୍ତ୍ତା ପାଲା ହିଁ ଏ ପର୍ଯ୍ୟନ୍ତ ଲୋକମାନଙ୍କ ନିକଟରେ ପହଞ୍ଚାଇ ପାରିଛି ।

 

ପାଲାର ପରିସୀମା ବୈଦିକ ଯୁଗରୁ ଆଧୁନିକ ଯୁଗ ପର୍ଯ୍ୟନ୍ତ ବିସ୍ତୃତ । ଆଶୁକବିତ୍ୱର ଅଧିକାରୀ ଦକ୍ଷ ଗାୟକ ମଞ୍ଜୁଳ ପ୍ରକାଶ ଭଙ୍ଗୀରେ ଜନତାକୁ ସ୍ତବ୍ଧ କରିଦିଏ । ପୁରାଣ, ଶାସ୍ତ୍ର, ଜନସମାଜରେ ପ୍ରଚଳିତ କାହାଣୀ, ମହାପୁରୁଷମାନଙ୍କର ଜୀବନୀ ତଥା ଦେଶାତ୍ମବୋଧ ଉପରେ ଆଧାରିତ କାବ୍ୟକବିତାଗୁଡ଼ିକୁ ଗାନକରି ପାଲା ଗାୟକ ଲୋକପ୍ରାଣକୁ ଉଦ୍‍ବୁଦ୍ଧ କରେ । ପୁରାଣର ଶ୍ରେଷ୍ଠ ନାୟକ ରାମକୃଷ୍ଣଙ୍କଠାରୁ ଆରମ୍ଭ କରି କାଳ୍ପନିକ କାବ୍ୟର ଲାବଣ୍ୟବତୀ ପର୍ଯ୍ୟନ୍ତ ସମସ୍ତ ଚରିତ୍ର ପାଲାଗାୟକର ପରିବେଷଣ ଶୈଳୀରେ ଜୀବନ୍ତ ହୋଇ ଉଠନ୍ତି । ଜନତା ଏଥିରୁ କେବଳ ସାହିତ୍ୟ ରସ ଓ ଆସ୍ୱାଦନ କରେନାହିଁ, ବରଂ ଏହାରି ମାଧ୍ୟମରେ ଚାରିତ୍ରିକ ଆଦର୍ଶ, ସାମାଜିକ, ବ୍ୟକ୍ତିଗତ ତଥା ବୌଦ୍ଧିକ ମହନୀୟତାକୁ ଉପଲବ୍ଧି କରି ଏହାଦ୍ୱାରା ପ୍ରଭାବିତ ହୁଏ ।

 

ପ୍ରତିଭାନ୍ୱିତ ମନିଷୀମାନଙ୍କର ରଚନା ଓ ଜୀବନକୁ ଜନପ୍ରିୟ କରିବାରେ ପାଲାଗାୟକମାନଙ୍କର ଭୂମିକା ପ୍ରଶଂସନୀୟ । ଏମାନଙ୍କର ଗାୟନ ଓ ଅଭିନୟ ଶୈଳୀରେ ସେହି ମହନୀୟ ଚରିତ୍ରଗୁଡ଼ିକର ଜୀବନ୍ତ ହୋଇଉଠନ୍ତି । ପାଠପଢ଼ି ନ ଥିବା ମୂର୍ଖ ଲୋକମାନେ ଏହାଦ୍ୱାରା ପ୍ରଭାବିତ ହୋଇ ପରିବେଷିତ ଚରିତ୍ର ଓ ତାହାର ଉତ୍ତମ ଗୁଣଗୁଡ଼ିକୁ ଗ୍ରହଣ କରନ୍ତି ଓ ମନ୍ଦ କାର୍ଯ୍ୟର ଫଳାଫଳ ସମୀକ୍ଷା କରିବା ସଙ୍ଗେ ସଙ୍ଗେ ସେଥିପ୍ରତି ସତର୍କ ହୁଅନ୍ତି । ଯେଉଁ ଅନୁଷ୍ଠାନଗୁଡ଼ିକରେ ଏପର୍ଯ୍ୟନ୍ତ ସାଂସ୍କୃତିକ ଗୌରବ, ରାଷ୍ଟ୍ରୀୟ ମର୍ଯ୍ୟାଦା, ଉଚ୍ଚାଙ୍ଗ ସାହିତ୍ୟର ବିକାଶ ଓ ସାମାଜିକ ଶୃଙ୍ଖଳା ଓ ଆଧ୍ୟାତ୍ମକତା ରକ୍ଷା କରିବା ପାଇଁ ନିରବଚ୍ଛିନ୍ନ ଉଦ୍ୟମ କରିଆସିଛନ୍ତି । ସେମାନଙ୍କ ମଧ୍ୟରୁ ପାଲା ସର୍ବପ୍ରଥମ ଓ ଶ୍ରେଷ୍ଠ ଅନୁଷ୍ଠାନ କହିଲେ ସତ୍ୟର ଅପଳାପ ହେବନାହିଁ । ଆଖ୍ୟାନବସ୍ତୁକୁ ରସାଳ କରିବା ପାଇଁ ଗାୟକର ଆଶୁ କବିତ୍ୱ ଓ ଅସାଧାରଣ ପ୍ରତିଭା ଏକାନ୍ତ ପ୍ରୟୋଜନ । ଗାୟକର ପାଣ୍ଡିତ୍ୟ ଓ ଉନ୍ନତ ଚିନ୍ତା ଚରିତ୍ରଗୁଡ଼ିକୁ ସଫଳ ଭାବରେ ପ୍ରକାଶ କରିବାରେ ସାହାଯ୍ୟ କରେ । ରସ ଓ ଚରିତ୍ର ପରିବେଷଣରେ ସଫଳ ହୋଇପାରିଲେ ପାଲାର ମୌଳିକ ଉଦ୍ଦେଶ୍ୟ ପୂର୍ଣ୍ଣ ହୁଏ । ସଂସ୍କୃତିର ପୃଷ୍ଟପୋଷକ ଭାବରେ ଲୌକିକ ଓ ବିଦଗ୍ଧ-ସାହିତ୍ୟର ପ୍ରଚାରକ ଭାବରେ, ସାମାଜିକ ମୂଲ୍ୟବୋଧ ପ୍ରତିଷ୍ଟା କରାଇବାରେ ଓ ଜନଜୀବନକୁ ଆଧ୍ୟତ୍ମିକତାର ନିଗୂଢ଼ ବନ୍ଧନରେ ଶୃଙ୍ଖଳିତ କରାଇବାରେ ପାଲା ଏଯାବତ୍ ମୁଖ୍ୟ ଭୂମିକା ଗ୍ରହଣ କରିଆସିଛି ।

 

ପାଲାରେ ହାସ୍ୟରସ ଓ ବ୍ୟଙ୍ଗ:-

 

କଳା ଓ ସାହିତ୍ୟ ସଷ୍ଟିର ମୂଳ ଉଦ୍ଦେଶ୍ୟ ମନୋରଞ୍ଜନ । ସାହିତ୍ୟ, ସଙ୍ଗୀତ, କଳା, ଓ ଅଭିନୟ ପାଠକ ବା ଦର୍ଶକକୁ ରସ ଉପଭୋଗ କାଳରେ କାମ, ଲୋଭ, ଈର୍ଷା ଓ କ୍ରୋଧାଦିକୁ ପ୍ରବୃତ୍ତିର ଊର୍ଦ୍ଧ୍ୱକୁ ନେଇ ଅତୀନ୍ଦ୍ରିୟ ରାଜ୍ୟରେ ବିଚରଣ କରାଏ । ଦୃଶ୍ୟକାବ୍ୟ ହେଉ ବା ଶ୍ରାବ୍ୟକାବ୍ୟ ହେଉ ଉଭୟଙ୍କର ଧର୍ମ ମୁଖ୍ୟତଃ ଏକ । ସମ୍ପୂର୍ଣ୍ଣ ଶ୍ରାବ୍ୟକାବ୍ୟର ରସାନୁଭୂତି କିଞ୍ଚିତ କଷ୍ଟସାଧ୍ୟ । ରୂପ-ରସ-ଧ୍ୱନିର ସୌରଭରେ ରୂପାୟିତ ଓ ରସାଣିତ କୃତି ଜ୍ଞାନର ତାରତମ୍ୟ ଯୋଗୁଁ ସମସ୍ତଙ୍କ ନିକଟରେ ପହଞ୍ଚିପାରେନାହିଁ । ତେଣୁ ସାଧାରଣ ଜନତାର ଚିତ୍ତବିନୋଦନ ଓ ପ୍ରତି ସମ୍ପାଦନରେ ଶ୍ରାବ୍ୟକାବ୍ୟ ବେଳେ ବେଳେ ସକ୍ଷମ ହୁଏ ନାହିଁ । କଳ୍ପଲୋକର ବୈଚିତ୍ରକୁ ପ୍ରତ୍ୟକ୍ଷୀଭୂତ କରି ନ ପାରିଲେ କାବ୍ୟରସ ଉପଲବ୍ଧି ସମ୍ଭବ ହୁଏନାହିଁ । ଶ୍ରାବ୍ୟକାବ୍ୟ ଦୃଶ୍ୟକାବ୍ୟ ସହିତ ସମ୍ମିଳୀତ ହେଲେ ବା ଶ୍ରାବ୍ୟକାବ୍ୟ ଦୃଶ୍ୟକାବ୍ୟକୁ ରୂପାନ୍ତରିତ ହେଲେ ତାହା ଶିକ୍ଷିତ ଓ ଅଶିକ୍ଷିତ ନିର୍ବିଶେଷରେ ଉପଭୋଗ୍ୟ ହୁଏ । ଦୃଶ୍ୟକାବ୍ୟର ଗୀତ, ଅଭିନୟ ବେଶଭୂଷା, ବାଦ୍ୟ ଓ ନୃତ୍ୟଦ୍ୱାରା ରସ ଗ୍ରହଣ ବ୍ୟାପାର ସହଜ ହୋଇଥାଏ । ବହୁ ସମସ୍ୟା-ବିଜଡ଼ିତ ମାନବର ଚିତ୍ତବୃତ୍ତ ମନୋରଞ୍ଜନର ଅପେକ୍ଷା ରଖେ । ରସୋପଲବ୍ଧି ହୋଇପାରିଲେ ଚିତ୍ତବୃତ୍ତି ବିକଶିତ ହୁଏ ।

 

ଆଳଙ୍କାରିକମାନେ ରସକୁ କାବ୍ୟର ଆତ୍ମା ବୋଲି ଅବିହିତ କରିଛନ୍ତି । ଦୃଶ୍ୟକାବ୍ୟ ହେଉ ବା ଶ୍ରାବ୍ୟକାବ୍ୟ ହେଉ ସବୁର ପ୍ରାଣକେନ୍ଦ୍ର ରସ ବୋଲି ସମସ୍ତେ ସ୍ୱୀକାର କରିଆସିଛନ୍ତି । ମଞ୍ଜୁଳ ବର୍ଣ୍ଣନା ବା ପ୍ରାଣସ୍ପର୍ଶୀ ଅଭିନୟଦ୍ୱାରା କାବ୍ୟର ଅନ୍ତର୍ନିହିତ ରସ ଶ୍ରୋତା ବା ଦର୍ଶକ ନିକଟରେ ପହଞ୍ଚିଲେ ତା’ର ଅନ୍ତରାତ୍ମା ଏକ ମହତ୍ତର ରାଜ୍ୟରେ ଉପନୀତ ହୁଏ । ଏହି ରସୋତ୍ପତ୍ତି ଓ ରସୋପଲବ୍ଧି ପାଇଁ କାହାଣୀ, ଚରିତ୍ର, ଅଭିନୟ, ଗୀତ ଓ ବାଦ୍ୟ ମାଧ୍ୟମ ମାତ୍ର । ଆଳଙ୍କାରିକମାନେ ଏହି ରସ ପର୍ଯ୍ୟାୟକୁ ନଅ ଭାଗରେ ବିଭକ୍ତ କରିଛନ୍ତି । ଏହି ନଅ ରସ ଭିତରୁ ହାସ୍ୟ ହିଁ ଏକମାତ୍ର ରସ ଯାହାକି ସହଜରେ ଶ୍ରୋତା ବା ଦର୍ଶକ ହୃଦୟକୁ ଦ୍ରବୀଭୂତ କରେ । ହାସ୍ୟରସ ଉପଲବ୍ଧି ପାଇଁ କୌଣସି ଅର୍ଥ-ବ୍ୟଞ୍ଜନା ଆବଶ୍ୟକ ହୁଏ ନାହିଁ । ରସ ପରିବେଷଣର କ୍ଳିଷ୍ଟତାରୁ ଦର୍ଶକକୁ ରକ୍ଷା କରାଇବା ପାଇଁ ବିମଳ ହାସ୍ୟରସ ଆବଶ୍ୟକ ହୋଇଥାଏ ।

 

ଆଳଙ୍କାରିକ ପ୍ରମାଣ ଅନୁସାରେ ହାସ୍ୟ ହିଁ ହାସ୍ୟରସର ସ୍ଥାୟୀଭାବ । ବିକୃତ ବେଶଭୂଷା, ବ୍ୟଙ୍ଗପୂର୍ଣ୍ଣ ଭକ୍ତି ବା ସଂଳାପ, ଉପହାସ୍ୟାସ୍ପଦ ବ୍ୟକ୍ତିର ମୂର୍ଖତା, ବିଚିତ୍ର କଥାବାର୍ତ୍ତାର ଅନୁକରଣ, ବକ୍ତା ବା ଅଭିନେତାର ନିର୍ଲ୍ଲଜ୍ଜତା ଆଦି ହାସ୍ୟରସର ଆବଲମ୍ବନ ବିଭବ ଭାବରେ ପ୍ରଖ୍ୟାତ । କପାଳ, ମସ୍ତକ, ନାସିକା, ଓଷ୍ଠ କମ୍ପନ ଓ ମୁଖର ବିକୃତଭଙ୍ଗୀରୁ ହସ ଉତ୍ପନ୍ନ ହୋଇଥାଏ । ସମସ୍ତ ଅଭିନୟାତ୍ମକ କଳାରେ ହାସ୍ୟରସ ଏକାନ୍ତ ଅପରିହାର୍ଯ୍ୟ ବୋଲି ସମାଲୋଚକମାନେ ମତବ୍ୟକ୍ତ କରନ୍ତି । କାବ୍ୟ ବା ନାଟକରେ ପରିବେଷିଣ ଓ ଗ୍ରହଣରେ ବୌଦ୍ଧିକତା ଅନୁସାରେ ତରତମ୍ୟ ଘଟେ । ଯେଉଁମାନଙ୍କର ବୁଦ୍ଧି ପ୍ରସାରିତ ନୁହେଁ ଓ ରସ ଗ୍ରହଣ କରିବାରେ ମନ ଓ ଇନ୍ଦ୍ରିୟ ଏକନିଷ୍ଟ ହୋଇ ପାରନ୍ତି ନାହିଁ ସେମାନଙ୍କୁ ହାସ୍ୟରସ ସାମୟିକ ଆନନ୍ଦ ପ୍ରଦାନ କରିବାରେ ସମର୍ଥ ହୁଏ । ସାହିତ୍ୟ ଓ ସଂସ୍କୃତିର ରୁଚି ଅନୁସାରେ ହାସ୍ୟରସର ସ୍ୱରୂପ ବଦଳେ ।

 

ପାଲାରେ ପରିବେଷିତ ହାସ୍ୟରସ ଅଗଣିତ ଜନତାକୁ ତନ୍ମୟ କରିଦିଏ । “ପାଲା”ରେ ବିଦଗ୍ଧ-ସାହିତ୍ୟର ମାତ୍ରା ପୂର୍ବେ ବିବୃତ ହୋଇଛି । କାବ୍ୟ, ନାଟକ, ପୁରାଣ, ବେଦବେଦାନ୍ତ, ଉପନିଷଦ, ଗୀତା, ଭାଗବତ, ଚୌପଦୀ, ଢଗଢମାଳୀ ଓ ଡୁହା ଆଦି ଗାଉଁଲୀ ଗୀତରୁ ଆରମ୍ଭ କରି ନିଗୂଢ଼-ତତ୍ତ୍ୱ-ସମ୍ବଳିତ ଯୌଗିକ ରହସ୍ୟ ମଧ୍ୟ ପାଲା ମାଧ୍ୟମରେ ଆଲୋକିତ ହୁଏ । ଏ ପ୍ରକାର ସାହିତ୍ୟିକ ଓ କଳାତ୍ମକ-ବିଭବ-ମଣ୍ଡିତ ପାଲାକୁ ଉପଭୋଗ କରିବା ପାଇଁ ପାଣ୍ଡିତ୍ୟ ଯେ ନିଶ୍ଚୟ ପ୍ରୟୋଜନ ଏକଥା ଯେ କେହି ନିରପେକ୍ଷ ସମାଲୋଚକ ସ୍ୱୀକାର କରିବେ । ପାଲାଦର୍ଶକମାନେ ତ ପଣ୍ଡିତ ନୁହଁନ୍ତି । ସମସ୍ତଙ୍କର ଚିନ୍ତା ଓ ରସ ଗ୍ରହଣ କରିବା ଶକ୍ତି ମଧ୍ୟ ସମାନ ନୁହେଁ । ତେଣୁ ପରିବେଷଣବେଳେ ପାଲା ଆନନ୍ଦ ଦେବା ପରିବର୍ତ୍ତେ ଅଳ୍ପବୁଦ୍ଧି ସମ୍ପନ୍ନ ମନରେ କ୍ଳିଷ୍ଟତା ଯୋଗୁଁ ବିରକ୍ତି ସଞ୍ଜାତ କରାଉଥିବ । ତା’ର ଚିତ୍ତବୃତ୍ତିକୁ କ୍ଷଣକାଳ ପାଇଁ ଲଘୁ କରିଦେବା ଉଦ୍ଦେଶ୍ୟରେ ପାଲାରେ ପରିବେଷିତ ହାସ୍ୟରସର ସ୍ୱାତନ୍ତ୍ର୍ୟ ରହିଛି । ନାଟ୍ୟକାର ବିଷୟବସ୍ତୁ ସଂଯୋଜନା କଲାବେଳେ ହାସ୍ୟରସ ସୃଷ୍ଟି ପାଇଁ ଯେତିକି ଅବସର ନେଇଥାଏ ଅଭିନେତା ତା’ଠାରୁ ଅଧିକ ଆଗକୁ ଯାଇପାରେନାହିଁ । ପୂର୍ବରୁ ଲେଖାଯାଇଥିବା ସଂଳାପଦ୍ୱାରାହିଁ ହାସ୍ୟରସ ସୃଷ୍ଟି କରେ । କିନ୍ତୁ ପାଲାରେ ପରିବେଷିତ ହାସ୍ୟରସ ତତ୍କାଳିକ ଓ ପରିବେଷଣ କର୍ତ୍ତାର ପ୍ରତ୍ୟୁତ୍ପନ୍ନମତିତାକୁ ଅପେକ୍ଷା ରଖେ । ସାଧାରଣତଃ ପାଲାରେ ହାସ୍ୟରସ ପରିବେଷଣ ଦାୟିତ୍ୱ କୌଣସି ପାଳିଆ ଉପରେ ନ୍ୟସ୍ତ ଥାଏ । ସେ ପାଳିଆ ଲୋକ ସଂସ୍କୃତି ସହିତ ସମ୍ପୂର୍ଣ୍ଣ ଭାବରେ ସଂଶ୍ଳିଷ୍ଟ ହେବା ସଙ୍ଗେ ସଙ୍ଗେ ତାକୁ ଗଭୀର ଭାବରେ ଅନୁଧ୍ୟନ କରିଥାଏ । ତେଣୁ ଆବଶ୍ୟକ ସ୍ଥଳରେ ଲୋକ ସଂସ୍କୃତିରୁ ସଂଗୃହୀତ ବ୍ୟଙ୍ଗ ବା ହାସ୍ୟରସକୁ ଏପରି ସ୍ଥାନରେ ପ୍ରୟୋଗ କରେ ଯେ ତାହା ଲୋକସଂସ୍କୃତିରୁ ଆସିଥିଲେ ବି ଉଚ୍ଚାଙ୍ଗ ସାହିତ୍ୟ ସହ ସଂଶ୍ଳିଷ୍ଟ ହୋଇ ଏକ ନବୀନ ରୂପ ଗ୍ରହଣ କରେ ।

 

ନାଟକ ପରି ପାଲାରେ ହାସ୍ୟରସ ପରିବେଷଣ ପାଇଁ ପୂର୍ବରୁ ନିର୍ଦ୍ଧିଷ୍ଟ ପରିବେଶ ନ ଥାଏ । ପାଳିଆ ତତ୍କାଳିକ ବୁଦ୍ଧିରେ ପ୍ରସଙ୍ଗୋଚିତ ଭାବରେ ହାସ୍ୟରସ ସୃଷ୍ଟି କରେ । ସାଧାରଣତଃ ହାସ୍ୟରସଦ୍ୱାରା ବୁଦ୍ଧିହୀନର ନିର୍ବୋଧତାକୁ ପରିଷ୍କାର ଭାବରେ ଉଦ୍‍ଘାଟନ କରାଯିବା ସଙ୍ଗେ ସଙ୍ଗେ ଆପେକ୍ଷ ମଧ୍ୟ କରାଯାଏ । ନୀତିହୀନ, ସ୍ୱୈରାଚାରୀ, ମନ୍ଦମତି ବ୍ୟକ୍ତିମାନଙ୍କର ଅନୈତିକ ମନ୍ଦ ଆଚରଣକୁ ହାସ୍ୟରସ ମାଧ୍ୟମରେ ନିନ୍ଦିତ କରାଯାଏ । ଏ ପ୍ରକାର ହାସ୍ୟରସ କାହାରି ମନରେ ଆଘାତ ଦିଏ ନାହିଁ । ହାସ୍ୟରସଦ୍ୱାରା ବ୍ୟକ୍ତି-ଚରିତ୍ରକୁ ବା ସାମାଜିକ ରୀତି ନୀତି ଓ ଚାଲିଚଳନକୁ ନିରପେକ୍ଷ ଭାବରେ ପ୍ରକଟ କରାଯାଏ । ପାଲାରେ ପରିବେଷିତ ହାସ୍ୟରସ ବ୍ୟକ୍ତି ମନରେ ସମ୍ବେଦନା ସୃଷ୍ଟି କରିବା ସଙ୍ଗେ ସଙ୍ଗେ ଉଦାରତା ଓ କ୍ଷମାଭାବ ଆନୟନ କରେ । ଏ ପ୍ରକାର ହାସ୍ୟରସ ସୃଷ୍ଟିର ଉଦ୍ଦେଶ୍ୟ ବ୍ୟାପକ ଓ ସେଥିରେ ସଚେତନା ସହାନୁଭୂତି ହିଁ ପ୍ରତିଫଳିତ ।

 

ଗାୟକ ପାଲା ପରିବେଷଣ କଲାବେଳେ ଲୋକ ମୁଖରେ ପ୍ରଚଳିତ ଢଗଢମାଳୀରୁ ସଂଗୃହୀତ ପଦଗୁଡ଼ିଏ ଗାଇ ପାଳିଆ ହାସ୍ୟରସ ସୃଷ୍ଟି କରେ । ଏହି ଢଗଢମାଳିଗୁଡ଼ିକ ଅତ୍ୟନ୍ତ ଲୋକପ୍ରିୟ ହୋଇଥିବାରୁ ଓ ପ୍ରସଙ୍ଗୋଚିତ ଭାବରେ ଆଲୋଚନାର ପରିସର ଭିତରକୁ ଆସୁଥିବାରୁ ଲୋକପ୍ରାଣରେ ହାସ୍ୟକଲ୍ଲୋଳ ସୃଷ୍ଟି କରେ । ଏପରିକି ସମାଜରେ ପ୍ରଚଳିତ କେତେକ ସଙ୍ଗୀତକୁ ସ୍ଥାନ-କାଳ-ପାତ୍ର ଭେଦରେ ପ୍ରୟୋଗ କରି ମଧ୍ୟ ହାସ୍ୟରସ ସୃଷ୍ଟି କରାଯାଏ । ଉଦାହରଣସ୍ୱରୂପ ଗାୟକ କୌଣସି ନାୟିକାର ବିରାହାନୁଚିନ୍ତାମୂଳକ ଉଦାହରଣଗୁଡ଼ିଏ ଉପସ୍ଥାପନା କଲାବେଳେ ପାଳିଆ ହଠାତ୍ “ଶନିବାର ଦିନ ମୋ ଭାଉଜଙ୍କ ମନ” ଗୀତଟି ପରିବେଷଣ କରି ହାସ୍ୟ କଲ୍ଲୋଳ ସୃଷ୍ଟି କରେ ।

 

ଅନେକ ସମୟରେ ମହାକାବ୍ୟମାନଙ୍କର ଶ୍ଲୋକକୁ ବିକୃତ ଅର୍ଥ କରି ପାଲାରେ ହାସ୍ୟରସ ସୃଷ୍ଟି କରାଯାଏ । ଉଦାହରଣସ୍ୱରୂପ ମହାନାଟକର

 

ହନୁମତା ହତାରାମ,ସୀତାହର୍ଷମ୍‌ ଉପାଗତା

ରୁଦନ୍ତି ରାକ୍ଷସଃ ସର୍ବେ ହାରାମୋହା ହତୋହତଃ ।

 

ଶ୍ଲୋକଟି ଗାୟକ ଗାଇଲାମାତ୍ରେ ପାଳିଆ ସେ ଶ୍ଲୋକ ଓ ତା’ର ଅର୍ଥ ଜାଣିଛି ବୋଲି କହେ । ଗାୟକ ପଚାରିଲେ ତା’ର ଅର୍ଥ ସେ ବିକୃତ ଭାବରେ ବୟାନ କରେ । “ହନୁମନ୍ତ ରାମକୁ ମାରିଦେବାରୁ ସୀତା ଖୁବ୍ ଖୁସି ହେଲେ । କାରଣ ରାମ ଥିବାରୁ ତାଙ୍କୁ ଗୁଡ଼ିଏ ଅଳଙ୍କାର ବୋଝ ବୋହିବାକୁ ପଡ଼ୁଥିଲା । ଏଥରକ ସେ ବୋଝରୁ ତାକୁ ନିସ୍ତାର ମିଳିଯିବ । ରାମ ମରିଯିବାରୁ ରାକ୍ଷସମାନେ କାନ୍ଦିଲେ, କାରଣ ରାମଚନ୍ଦ୍ର ରାକ୍ଷସମାନଙ୍କୁ ଶରଦ୍ୱାରା ମାରିଥାନ୍ତେ । ତାହା ଫଳରେ ବହୁ ଦିନରୁ ଯୁଦ୍ଧ ନ ପାଇ ବସିଥିବା ଅସୁରମାନଙ୍କର ବାହୁ କଣ୍ଡୁ ମରିଥାନ୍ତା । ମାତ୍ର ରାମ ମରିଯିବା ଫଳରେ ତାଙ୍କୁ ତ ଆଉ କେହି ଶର ମାରିବେ ନାହିଁ ।”

 

ସେହିପରି ମେଘଦୂତ “ତନ୍ୱୀ ଶ୍ୟାମା ଶିଖରୀଦଶନା ପକ୍ୱବିମ୍ବାଧରୋଷ୍ଠୀ” ଆଦି ଶ୍ଲୋକର ବିକୃତ ଅର୍ଥରୁ ହାସ୍ୟରସ ସୃଷ୍ଟି କରାଯାଏ । ଏ ପ୍ରକାର ଅର୍ଥ-ବ୍ୟଞ୍ଜନା ଗାୟକ ଓ ହାସ୍ୟରସକ ପାଳିଆ ବୁଦ୍ଧିମତାକୁ ଅପେକ୍ଷା ରଖେ । ନିର୍ବୋଦ୍ଧ, ହୁଣ୍ଡା, ବୋକା, ବୋକୀମାନଙ୍କର ଚିରିତ୍ରକୁ ପ୍ରାଞ୍ଜଳଭାବରେ ଗଳ୍ପ ବା ଗୀତମାଧ୍ୟମରେ ପରିବେଷଣ କରାଯାଇ ହାସ୍ୟରସ ସୃଷ୍ଟି କରାଯାଏ । ନାରୀର ରୂପ ବର୍ଣ୍ଣନା କଲାବେଳେ ପାଳିଆ ଦୁଇପଦ ରୂପ ବର୍ଣ୍ଣନା ପାଇଁ ଗାୟକର ଅନୁମତି ମାଗେ । ଗାୟକ ଅନୁମତି ଦେଲେ ସେ ସଙ୍ଗେ ସଙ୍ଗେ ବାଳା ବରାହଦନ୍ତୀ ଘନକଜ୍ଜ୍ୱଳକାନ୍ତି ଶୁକ୍ଳ ଅଶ୍ୱିନୀପୁଚ୍ଛକେଶା.............ଗୀତ ଗାଇ ଦର୍ଶକମାନଙ୍କୁ ବିମଳ ହାସ୍ୟରସ ପ୍ରଦାନ କରେ । ଚିନ୍ତା, କଥା ଓ କର୍ମ ମଧ୍ୟରେ ବିରୋଧ ଚିତ୍ର ମାଧ୍ୟମରେ ବି ହାସ୍ୟରସ ସୃଷ୍ଟି କରାଯାଏ । ଏ ପ୍ରସଙ୍ଗରେ ଗଙ୍ଗାଧର ଓ ଫକୀରମୋହନଙ୍କ ରଚନାରୁ ଅନେକ ଉଦ୍ଧୃତି ଦିଆଯାଏ । ନିଜକୁ ଅତି ବୁଦ୍ଧିମାନ ବୋଲି ପରିଚୟ ଦେବାକୁ ଯାଇ ନିର୍ବୋଧ ଆଚରଣ କରି ବସିଲେ ହାସ୍ୟରସ ସୃଷ୍ଟି ହୁଏ । ହାସ୍ୟରସିକ ପାଳିଆ ନିଜେ ସେ ଭୂମିକା ଗ୍ରହଣ କରି ଅନେକ କାହାଣୀ ପ୍ରସଙ୍ଗରେ ତାହା ଉତ୍‍ଥାପନ କରେ । ପ୍ରସଙ୍ଗରେ କୌଣସିଠାରେ ଗାୟକ ଅଭିମାନୀ ଭକ୍ତ ମୁହଁରେ ଭଗବାନଙ୍କର ନିର୍ଦ୍ଧୟତାର ଚିତ୍ର ପ୍ରଦାନ କଲାବେଳେ ପାଳିଆ ଦିନେ ଗାଳିଦେଇଥିବା କଥା କହେ ।

 

ଗାୟକ ପଚାରେ “ତୁମେ କିପରି ଗାଳିଦେଲ ?”

 

ପାଳିଆ କହେ : “ମୁଁ ଭଗବାନଙ୍କୁ ଇଂରାଜୀରେ ଗାଳିଦେଲି ।”

 

ଗାୟକ –କ’ଣ କହି ଗାଳି ଦେଲ ?

 

ପାଳିଆ-ଏହାଦ୍ୱାରା ଦର୍ଶକମାନଙ୍କ ମନରେ ବିମଳ ହାସ୍ୟରସ ସୃଷ୍ଟି ହୁଏ ।

 

ପାଲାରେ ବ୍ୟଙ୍ଗର ଭୂମିକା ମଧ୍ୟ କମ୍ ନୁହେଁ । ବ୍ୟଙ୍ଗ ଚିତ୍ର ଦେବାରେ ଗାୟକ ଓ ପାଳିଆ ଉଭୟେ ଏଥିରେ ଅଂଶଗ୍ରହଣ କରନ୍ତି । ପ୍ରଚଳିତ ରୀତିନୀତିକୁ ଲୋକଚିତ୍ରକୁ ବା ଶାସକର ଅନ୍ୟାୟ ଆଚରଣକୁ କଟାକ୍ଷପୂର୍ଣ୍ଣ ବିଦ୍ରୂପର ଅନ୍ୟନାମ ବ୍ୟଙ୍ଗ । ଏହାଦ୍ୱାରା ହାସ୍ୟ ଉତ୍ପନ୍ନ ହେଉଥିଲେ ବି ଏହା ଆକ୍ଷେପିତର ହୃଦୟକୁ ସୂଚୀବିଦ୍ଧ କରେ । ବ୍ୟଙ୍ଗ କବତା ବା କାହାଣୀଦ୍ୱାରା ସଂସ୍କାର ପ୍ରୟାସ ପୋଷଣ କରାଯାଉଥାଏ । ଶାଣିତ-ବ୍ୟଙ୍ଗ-ତରବାରୀର ଆଘାତ ଅନେକ ସମୟରେ ମନ୍ଦମତିକୁ ସଦ୍‍ବୁଦ୍ଧି ଦିଏ । ଏ ଆଘାତର ଜ୍ୱାଳା ତତପେକ୍ଷୁ ଚର୍ବଣପରି । ସମାଜର ବହୁ ଦୋଷ ଦୂର୍ବଳତା, କ୍ଷମତାପନ୍ନ ବ୍ୟକ୍ତିମାନଙ୍କର କାର୍ଯ୍ୟକଳାପ ଏବଂ ନିଜକୁ ପୂଣ୍ୟତ୍ମା ଭାବରେ ପରିଣତ କରାଇ ପାପଚାରଣ କରୁଥିବା ବ୍ୟକ୍ତିଙ୍କ ଚିତ୍ରକୁ ଏହାଦ୍ୱାରା କଟୁ ସମାଲୋଚନା କରାଯାଏ । ହାସ୍ୟରସ ପରି ବ୍ୟଙ୍ଗରୁ ଉଦାରତା ଆଶାକରିବା ବିଡ଼ମ୍ବନା ମାତ୍ର । ବ୍ୟଙ୍ଗର ଉଦ୍ଦେଶ୍ୟ ସମାଜକୁ ନିର୍ମଳ କରିବା, ବ୍ୟକ୍ତିଚରିତ୍ରକୁ ସଂଶୋଧନ କରିବା ଓ ଶାସକର ଶାସନକୁ ପୁଷ୍କଳ କରାଇବା । ବହୁ ଖ୍ୟାତିସମ୍ପନ୍ନ କବିମାନଙ୍କର ଲେଖା ଅନୁକରଣରେ ବ୍ୟଙ୍ଗ କବିତା ମଧ୍ୟ ସୃଷ୍ଟି କରାଯାଏ । ଉଦାହରଣସ୍ୱରୂପ ଗାୟକ ପ୍ରସଙ୍ଗକ୍ରମେ କୌଣସି ରାଜାର ବା ଶାସକର ଗୁଣ ବର୍ଣ୍ଣନା କରିବାକୁ ଯାଇ ସେହି ଶାସକର ମହତ୍ ଗୁଣ ପ୍ରକାଶ କରିବା ଉଦ୍ଦେଶ୍ୟରେ ଯଦି ଗୋପବନ୍ଧୁଙ୍କର-

 

ମିଶୁ ମୋର ଦେହ ଏ ଦେଶ ମାଟିରେ,

ଦେଶବାସୀ ଚାଲି ଯାଆନ୍ତୁ ପିଠିରେ ।

 

ବୋଲି ଗାଏ, ତେବେ ପାଳିଆ ସଙ୍ଗେ ସଙ୍ଗେ ଉଠିପଡ଼ି ଶାସନକୁ ବ୍ୟଙ୍ଗ କରି ଗାଇ ବସେ –

 

ଦେଶବାସୀ ସବୁ ମିଶନ୍ତୁ ମାଟିରେ

ଆମ୍ଭେ ଚାଲି ଯିବୁ ତାଙ୍କରି ପିଠିରେ

ଆମ୍ଭ ସ୍ୱାର୍ଥପଥେ ଅଛି ଯେତେ ଗାଡ଼

ପୁରୁ ତହିଁ ପଶି ଜନତାର ହାଡ଼ ।

 

ଦର୍ଶକମାନେ ଏ ବ୍ୟଙ୍ଗର ମର୍ମ୍ମ ବୁଝନ୍ତି ଓ ହସନ୍ତି । ଗାୟକ ମଧ୍ୟ ପ୍ରସଙ୍ଗକ୍ରମେ “ରାଧାନାଥଙ୍କ ଦରବାର” ଓ “ଗଙ୍ଗାଧରଙ୍କର ଧର୍ମବତାର”ରୁ ବହୁ ଉଦ୍ଧୃତି ଦେଇ ପ୍ରଚଳିତ ଶାସନ ପ୍ରଥାକୁ ବ୍ୟଙ୍ଗ ବିଦ୍ରୁପ କରିଥାନ୍ତି । ଏଥିପାଇଁ ଗାୟକର ପ୍ରତିଭା ଓ ସତ୍‍ସାହସ ଏକାନ୍ତ ପ୍ରୟୋଜନ । ବକ୍ରୋକ୍ତି ଓ ଛନ୍ଦୋକ୍ତି ମାଧ୍ୟମରେ ମଧ୍ୟ ବ୍ୟଙ୍ଗ ଓ ହାସ୍ୟରସ ସୃଷ୍ଟି କରାଯାଏ । ସଂସ୍କୃତ ସାହିତ୍ୟରୁ ଅନେକ ଉଦାହରଣ ନେଇ ଗାୟକ ଅଦାତା ରାଜା, କୃପଣ ସାମନ୍ତ, ପାନରତ ବୈଦ୍ୟ, ମନ୍ଦମତିସମ୍ପନ୍ନ ମନ୍ତ୍ରୀ, ଦୂର୍ନୀତି ପରାୟଣ କର୍ମଚାରୀ, କୁଚରିତ୍ର ନାରୀ, ଶିଷ୍ଟତାହୀନ ପଣ୍ଡିତ, ଅତ୍ୟାଚାରୀ ଶାସକ, ପ୍ରଭୁଭାବାପନ୍ନ ଭୃତ୍ୟ, କବିଯଶପ୍ରାର୍ଥୀ ପ୍ରତିଭାହୀନ ବ୍ୟକ୍ତିମାନଙ୍କୁ ବ୍ୟଙ୍ଗଦ୍ୱାରା କଠୋର ସମାଲୋଚନା କରେ ।

 

ଲାଳିକାଦ୍ୱାରା ପାଲାରେ ମଧ୍ୟ ହାସ୍ୟରସ ସୃଷ୍ଟି କରାଯାଏ । ସମାଲୋଚକମାନଙ୍କ ମତରେ, କୌଣସି କବିର କବିତାକୁ ବିଦ୍ରୂପ କରି ଯେଉଁ ବ୍ୟଙ୍ଗ କବିତା ଲେଖାଯାଏ ତାହାକୁ ଲାଳିକା କୁହାଯାଏ । ଏ ପ୍ରକାର କବିତାର ଉଦ୍ଦେଶ୍ୟ ହାସ୍ୟ ଓ ବ୍ୟଙ୍ଗ ସୃଷ୍ଟି କରିବା । ପାଲାରେ ଏ ପ୍ରକାର କବିତା କେବଳ ହାସ୍ୟରସିକ ପାଳିଆ ପରିବେଷଣ କଲେ ପତ୍ରୋଚିତ ମାତ୍ରାଜ୍ଞାନ ରହେ । ଉଦାହରଣସ୍ୱରୂପ ଗାୟକ ଓ ଆଦର୍ଶ ବ୍ରାହ୍ମଣର ଚିରିତ୍ରବୟାନ କଲାବେଳେ ପାଳିଆ ଅଧୁନାତନ ବ୍ରାହ୍ମଣମାନଙ୍କର ଚରିତ୍ରକୁ ବୟାନ ଆପେକ୍ଷ କରି ଫକୀରମୋହନଙ୍କର-

 

ଶୁଣ ପରୀକ୍ଷ ନରନାଥ

ତାମ୍ପଡ଼ା ଶୁଖୁଆ ପଖାଳ ଭାତ

ଶ୍ରୀଅକ୍ଷର ବିବର୍ଜିତ

ଚିତା ପଇତାଦି ଶୋଭିତ

ବିଲ ବାଛିବାକୁ ଆଗ

ଦହି ଚୁଡ଼ାକୁ ବାଘ

ସନ୍ଧ୍ୟା ଗାୟତ୍ରୀ ହୀନ

ବିଲରୁ ଚିପନ୍ତି ମୀନ

ପୋଥିରୁ ନ ଫିଟେ ଡୋରୀ

ଯଜମାନ ଚାଉଳ ଚୋରୀ

 

ଏଇ କେଇପଦ ଗାଇଦିଏ । ଏହା ଭାଗବତର ନବାକ୍ଷରୀ ବୃତ୍ତରେ ରଚିତ ଲାଳିକାଟିଏ । ଏଥିରେ ସ୍ୱାଧ୍ୟାୟହୀନ ବ୍ରାହ୍ମଣମାନଙ୍କ ଶାଣିତ ବ୍ୟଙ୍ଗ ମାଧ୍ୟମରେ ସଚେତନ କରାଇ ଦିଆଯାଇଛି । ବ୍ରାହ୍ମଣ କିପରି ଲକ୍ଷଚ୍ୟୁତ ଓ କକ୍ଷଚ୍ୟୁତ ହୋଇଛି ତାହା ଏଥିରୁ ପ୍ରମାଣିତ । ଏ ପ୍ରକାର ଲାଳିକାରେ କେବଳ ହାସ୍ୟନିହିତ ନାହିଁ; ଏଥିରେ ନିହିତ ଅଛି ଶାଣିତ ବ୍ୟଙ୍ଗ । ଲାଳିକା ଓ ବ୍ୟଙ୍ଗ କବିତା ମଧ୍ୟରେ ଗୁଣଗତ ଓ ଭାଗବତ ସାମ୍ୟ ରହିଛି । ଗୋଟିଏ କବିତାକୁ ଲାଳିକା ଓ ବ୍ୟଙ୍ଗ କବିତା ଭାବରେ ମଧ୍ୟ ଗ୍ରହଣ କରାଯାଇପାରେ ।

 

ପାଲା ସବୁବେଳେ ଜନଜୀବନ ସହିତ ଏକ ନିବିଡ଼ ଯୋଗସୂତ୍ର ରକ୍ଷାକରି ଆସିଛି । ବହୁ ବୌଦ୍ଧିକତାରେ ପାଲା ଜନମନୋରଞ୍ଜନ ପାଇଁ ଅଭିପ୍ରେତ । ଏଣୁ ପାଲାମାଧ୍ୟମରେ ଯେ କୌଣସି ପ୍ରୟାସ ଲୋକ ବା ଗଣ ନିକଟରେ ଯେତେଶୀଘ୍ର ପହଞ୍ଚିପାରେ, ଏହା ଅନ୍ୟକୌଣସି ଅନୁଷ୍ଠାନଦ୍ୱାରା ସମ୍ଭବ ହୁଏ ନାହିଁ । ପାଲା ପରିବେଷଣବେଳେ ଲୋକଚରିତ୍ର, ଆଚାର ବ୍ୟବହାର ଓ ରୀତିନୀତିର ସଂଶୋଧନପାଇଁ ଗାୟକ ସମୟେ ସମୟେ ବ୍ୟଙ୍ଗ କବିତା ଓ ଲାଳିକାଗୁଡ଼ିକୁ ଅସ୍ତ୍ରରୂପେ ଗ୍ରହଣ କରେ । ଏଥିରେ ବ୍ୟକ୍ତିଗତ ଆକ୍ଷେପ ଅପେକ୍ଷା ଲୋକଚରିତ୍ର ସଂଶୋଧନ ଓ ସମାଜର ଦୁର୍ନୀତି-କ୍ଷାଳନ ଉଦ୍ଦେଶ୍ୟ ହିଁ ନିହିତ ଥାଏ । ଅଳ୍ପ କାମ କରି ନାମ ନେବା ଓ ସାମାନ୍ୟ କ୍ଷମତାର ଥାଇ ପ୍ରତିପତ୍ତି ଦେଖାଇଥିବା ବ୍ୟକ୍ତିମାନଙ୍କୁ ରାଧାନାଥଙ୍କ ଦରବାରରୁ –

 

ସଭାପତିଙ୍କର ଖଟଣୀ କିଙ୍କର

ବୋଲି କେହି ହେଉଛନ୍ତି ଫର ଫର ।

ଗରୁଡ଼ ଉପରେ ଦେଖାନ୍ତି ପ୍ରତାପ

ଯେଣୁ ସେ ଶିବଙ୍କର ସାପ,

 

ଏହି ପଂକ୍ତି ଉଦ୍ଧାର କରି ବ୍ୟଙ୍ଗ କରାଯାଏ । ଏ ଦେଶରେ ପାଶ୍ଚତ୍ୟ ସଭ୍ୟତାର ସ୍ରୋତରେ ଭାସିଯାଇ ଆମେ ଆମ ସଂସ୍କୃତିକୁ ପରିହାର କରି ସଂସ୍କୃତି ନାମରେ ଗୁଡ଼ିଏ ଅପମାର୍ଜିତ ଓ ଅସଂସ୍କୃତି କଥା କରିବସୁ । ସେ ପ୍ରକାର ଆଚରଣ ପ୍ରଦର୍ଶନ କରୁଥିବା ବ୍ୟକ୍ତିମାନଙ୍କୁ ଫକୀରମୋହନଙ୍କର-

 

ନିର୍ଦ୍ଧୁମ ଖରାରେ ପିନ୍ଧ ବନାତର କୋଟ

ଫିଙ୍ଗିଦେଇ ଛେନାବରା ଖାଇଲ ବିସ୍କୁଟ ।

ଅଥବା ଫୋପାଡ଼ି ଦେଇ ପଲାଉ ନିମିକି

ସଭ୍ୟ ସମାଜରେ ଖାଅ

ଠିଆ ହୋଇ ମୂତ ଅବା ଘଷନାହିଁ ଦାନ୍ତ

ଇଂରେଜ ନ ହେବ ଥିବ ଓଡ଼ିଆ ନିତାନ୍ତ ।

 

ଉପରୋକ୍ତ ପଂକ୍ତିଗୁଡ଼ିକୁ ଉଦ୍ଧାର କରି ଆପେକ୍ଷ କରାଯାଏ । ଏଥିରେ ହାସ୍ୟ ଅପେକ୍ଷା କଟାକ୍ଷର ଜ୍ୱାଳାହିଁ ଅଧିକ । ଏହା ବ୍ୟକ୍ତିଗତ କୁତ୍ସା ନୁହେଁ ବରଂ ଏଥିରେ ସଂସ୍କାର ପ୍ରୟାସ ବିଦ୍ୟମାନ । ଯେତେବେଳେ ଇଂରେଜମାନେ ଏ ଦେଶକୁ ଶାସନ କରୁଥିଲେ ସେତେବେଳେ ଲୋକମାନେ ଅକଥନୀୟ ଅତ୍ୟାଚାର ସମ୍ମୁଖୀନ ହେଉଥିଲେ । ଇଂରେଜମାନଙ୍କୁ ତଡ଼ି ସ୍ୱାଧୀନ ହେଲେ ସ୍ୱାୟତ୍ତ ଶାସନ ପ୍ରତିଷ୍ଠିତ ହେବ ଓ ତାହାଦ୍ୱାରା ଲୋକମାନଙ୍କର ଦୁର୍ଦ୍ଦଶା ଘୁଞ୍ଚିଯିବ, ଏ ପ୍ରକାର ବିଶ୍ୱାସ ନେଇ ଆନ୍ଦଳନର ସୂତ୍ରପାତ ହେଲା । ମହାତ୍ମାଗାନ୍ଧୀଙ୍କ ପରି ବହୁ ମହାପୁରୁଷଙ୍କର ପ୍ରାଣପାତ ଉଦ୍ୟମ ଯୋଗୁଁ ଏ ଦେଶ ସ୍ୱାଧୀନ ହେଲା । ସମସ୍ତେ ମହାତ୍ମାଗାନ୍ଧୀଙ୍କ ପରିକଳ୍ପିତ ରାମରାଜ୍ୟର ସ୍ୱାଦ ଚାଖିବା ନିଶାରେ ବିଭୋର ହେଲେ । ମାତ୍ର ସ୍ୱଦେଶୀ ଶାସନରେ ସେ ଆଶା ଦୂରାଶରେ ପରିଣତ ହେଲା ଏଥରକ ତ ଲୋକେ ଆଉ ଗୋରାଶାସନକୁ ଦୋଷ ଦେବେ ନାହିଁ ? କାରଣ ଶାସକ ତ ବର୍ତ୍ତମାନ ଖୋଦ୍ କୃଷ୍ଣକାୟ ବା କଳାଲୋକ । ପ୍ରସଙ୍ଗକ୍ରମେ ଗାୟକ ତୁଳନାତ୍ମକ ଭାବରେ ଶାସନ ପଦ୍ଧତି ବୟାନ କଲାବେଳେ କାନ୍ତକବି ଲକ୍ଷ୍ମୀକାନ୍ତଙ୍କର-

 

“ରାମ ରାଇଜରେ କି ଥିଲା କେଜାଣି

କୃଷ୍ଣ ରାଇଜର ଗୁଣ ଅଶେଷ,

ସବୁତ ମିଳୁଛି ନାହିଁ ଏକା ଖାଲି

ପେଟକୁ ଭୋଜନ ଅଣ୍ଟାକୁ ବାସ ।”

 

ଏହି ପଂକ୍ତି ଉଦ୍ଧାର କରି ଲୋକମାନସରେ ଶାଣିତ ବ୍ୟଙ୍ଗର ଭାବ ଉଦ୍ରେକ କରେ । ଶାସନତନ୍ତ୍ରରେ ଥିବା ବ୍ୟକ୍ତିମାନେ ଦୁର୍ନୀତିଗ୍ରସ୍ତ ହେଲେ ଶାସନର ମାନ କମିଯାଏ । ଲୋକମାନେ ନାନା ଦୁଃଖର ସମ୍ମୁଖୀନ ହୁଅନ୍ତି । ଦୁର୍ନୀତି ପରାୟଣ କର୍ମଚାରୀମାନେ ନାନା ଆଳରେ ଲୋକହିତକର କାର୍ଯ୍ୟରେ ବାଧା ସୃଷ୍ଟି କରନ୍ତି । ଏ ପ୍ରକାର ଦୁର୍ନୀତିଗ୍ରସ୍ତମାନଙ୍କୁ ବିପ୍ଳବୀ କବି ଗୋଦାବରୀଶ ମହାପାତ୍ରଙ୍କର-

 

“ଯେ କାଗଜ ତୁମେ ଟେବୁଲେ ଟେବୁଲେ ନିଅ,

ତାହାରି ଭିତରେ ଟଙ୍କାର ଛୁଟେ ସୁଅ ।

ତାହାରି ଭିତରେ ଦରମା ଗସ୍ତ ଭତ୍ତା,

ତୁମରି ଭିତରେ ସକଳେ ମରମତ୍ତା” ।

 

ଏହି ପଦ ଉଦ୍ଧାର କରାଯାଇ ବ୍ୟଙ୍ଗ କରାଯାଏ । ପାଲାରେ ହାସ୍ୟରସ ଓ ବ୍ୟଙ୍ଗର ଭୂରି ଭୂରି ଦୃଷ୍ଟାନ୍ତ ରହିଛି । ତାହା କେତେବେଳେ କାହାଣୀ ମାଧ୍ୟମରେ, କେତେବେଳେ ଗୀତ ମାଧ୍ୟମରେ, କେତେବେଳେ ଚୌପଦୀ ବା ଛଳ ମାଧ୍ୟମରେ ଓ କେତେବେଳେ ଢଗଢମାଳୀ ବା ଡୁହା ମାଧ୍ୟମରେ ପରିବେଷିତ ହୁଏ । ଏ ପ୍ରକାର ହାସ୍ୟରସ ଅଗଣିତ ଜନତାର ମନୋରଞ୍ଜନ କରେ । ହାସ୍ୟରସ ଶାଳୀନତା ହରାଇଲେ ମନୋରଞ୍ଜନ ପରିବର୍ତ୍ତେ ମନରେ ବିରକ୍ତି ଆଣେ । କେତେକ ଅଶିକ୍ଷିତ ଓ ଅର୍ଦ୍ଧଶିକ୍ଷିତ ପାଳିଆ ବେଳେ ବେଳେ ଶାଳିନତା ହରାଇଥିବାର ଦୃଷ୍ଟାନ୍ତ ପାଲାରେ ଦେଖିବାକୁ ମିଳେ । ଏହାଦ୍ୱାରା ଗାୟକର ମର୍ଯ୍ୟାଦା କମେ ଓ ପାଳିଆ ନିନ୍ଦିତ ହୋଇଥାଏ ।

 

Unknown

ଓଡ଼ିଶାର ପାଲା-ଉତ୍ପତ୍ତି ଓ କ୍ରମବିକାଶ

ଧୀରେନ୍ ଦାଶ

 

ପାଲା କଅଣ ?

 

“ପାଲା” କଅଣ ? ଏହା ସଙ୍ଗୀତ, ନୃତ୍ୟ ଅଭିନୟକଳା ମଧ୍ୟରୁ କେଉଁ ପର୍ଯ୍ୟାୟଭୁକ୍ତ ?

 

ପାଲାରେ ଅଛି ପ୍ରଚୁର ସଙ୍ଗୀତ । କିନ୍ତୁ ଏହାକୁ ଏକ ପ୍ରକାରର ସଙ୍ଗୀତ କହିଲେ ଠିକ୍ ହେବ ନାହିଁ । ଠିଆପାଲାରେ ଯଥେଷ୍ଟ ନୃତ୍ୟ ଅଛି, କିନ୍ତୁ ଏହାକୁ ଏକ ପ୍ରକାର ନୃତ୍ୟ କହିଲେ ଠିକ୍ ହେବ ନାହଁ । ଠିଆପାଲାରେ ଅଭିନୟର ପରିମାଣ ସୀମିତ ହେଲେ ମଧ୍ୟ ଏହାକୁ ଏକପ୍ରକାରର ଅଭିନୟ କଳା କହିବା ଯଥାର୍ଥ ମନେହୁଏ ।

 

ଠିଆପାଲାକୁ ଏକ ‘ଦୃଶ୍ୟକାବ୍ୟ ବା ରୂପକ’ ବା ‘ନାଟ୍ୟରୂପ’ କହିଲେ ମଧ୍ୟ ଭୁଲ ହେବ ନାହିଁ । କାରଣ ଏହା ମୁଖ୍ୟତଃ ଏକ ବିଷୟବସ୍ତୁର ନାଟକୀୟ ପରିବେଷଣ । ଏକାଧାରାରେ ଏହାନୃତ୍ୟ, ଅଭିନୟ, ସଙ୍ଗୀତ, ବାଦ୍ୟ, ଉପାଖ୍ୟାନ ଓ ଚରିତ୍ର-ସଂଳାପ ଆଦିର ସମ୍ମିଳିତ ଅଭିବ୍ୟକ୍ତି ।

 

ପାଲା ଶବ୍ଦର ଅର୍ଥ ଓ ଉତ୍ପତ୍ତି

 

ଏହା ସମ୍ପୂର୍ଣ୍ଣଭାବେ ଓଡ଼ିଶାର ଏକ ପ୍ରାଚୀନ ମୌଳିକ କଳା । କେହି କୁହନ୍ତି “ପାଲା ଲାଓ”ରୁ ପାଲା ଶବ୍ଦ ଆସିଅଛି, ଅର୍ଥାତ୍ ତୁମେ ଭଗବାନଙ୍କୁ ପାଅ ଏବଂ ସତ୍ୟପୀର କହିଲେ ‘ଲାଓ’ ଅର୍ଥାତ୍ ଦିଅ (ଶିରିଣି ଭୋଗ) । କେହି କୁହନ୍ତି ଏହା ‘ପାଅ ଆଲ୍ଲା’, ଅର୍ଥାତ୍‌ ଏହି ପୂଜା କରି ‘ଆଲ୍ଲା’ ଅର୍ଥାତ୍‍ ଭଗବାନଙ୍କ ପାଅ । କେହି କୁହନ୍ତି ଏହା ‘ପାଞ୍ଚାଳି’ ଶବ୍ଦର ଅପଭ୍ରଂଶ । ଏହି ପାଞ୍ଚାଳି ଶବ୍ଦର ବ୍ୟବହାର ବଙ୍ଗଦେଶରେ ରହିଛି । ଏହି ଅର୍ଥକୁ ପୁଣି କେହି “ପାଞ୍ଚାଳି” ଦେଶର ଭାଷା ବୋଲି କହୁଛନ୍ତି ତ କେହି ପାଞ୍ଚ (ପଞ୍ଚ ଦେବତା : ଗଣେ, ନାରାୟଣେ, ରୁଦ୍ରେ, ଅମ୍ବିକେ, ଭାସ୍କରେ ତଥା)ଙ୍କର ଆଳି ବା ସମଷ୍ଟି ବୋଲି ଅର୍ଥ କରୁଅଛନ୍ତି । କେହି କେହି ଏହାକୁ ‘ପଲବ’ ଶବ୍ଦର ଅପଭ୍ରଂଶ ବୋଲି ମଧ୍ୟ କହୁଛନ୍ତି । କେହି କେହି ଏହା ‘ପାଳି’ ଶବ୍ଦରୁ (ପାଲାରେ ‘ପାଳିଆ’ମାନେ ଥାଆନ୍ତି ବୋଲି ) ଆସିଛି ବୋଲି ମତ ପ୍ରକାଶ କରନ୍ତି । କେହି କେହି ଏହାକୁ ବ୍ୟୁତ୍ପତ୍ତି କରି ସଂସ୍କୃତ “ପାଲ୍ୟତେ ଇତି ପାଲା” ବୋଲି ମଧ୍ୟ ମତ ଦେଇଅଛନ୍ତି ।

 

‘ପାଞ୍ଚାଳି’ ଶବ୍ଦ ବ୍ୟବହାର ସ୍ୱର୍ଗତଃ ଭୃଗୁରାମ ବିଚରିତ ‘କଳାବତୀ ଓ ଲୀଳାବତୀ’ ପାଲାରେ ରହିଅଛି, ଯେପରି “ହରି ପାଁ ଚାଲି ପଢ଼ିୟା ଯେବା ସତ୍ୟ ସେବାକରେ, ସାଧୁର ଅଧିକ ଫଲ ପାୟ ସେଇ ନରେ ।” କବିକର୍ଣ୍ଣଙ୍କ ବିଚରିତ ସେହି ପାଲାରେ ମଧ୍ୟ ପାଞ୍ଚାଲୀ ଶବ୍ଦ ବ୍ୟବହାର ରହିଅଛି, ଯେପରି “ଆରଦିନ ଗାଇବ ଆମି ପାଞ୍ଚାଲୀ ରୟର”, ଇତ୍ୟାଦି ।

 

ବଙ୍ଗଳା ଭାଷାରେ ପାଲାର ଅର୍ଥ ପାଳି ପର୍ଯ୍ୟାୟ ବା ବଷୟ, କିନ୍ତୁ ଓଡ଼ିଆରେ ଯାହା ପାଲା (ବୈଠକୀ ) ବୋଲି ବୁଝାଯାଏ, ବଙ୍ଗଳାରେ ତାହା ପାଞ୍ଚଲୀ ବୋଲି ଅର୍ଥ ବୟାନ କରେ ।

 

ଓଡ଼ିଶାରେ ଦୁଇପ୍ରକାର ପାଲା ବ୍ୟବହାର ଅଛି । ଗୋଟିଏ ବୈଠକୀ ପାଲା ଏବଂ ଅନ୍ୟଟି ଠିଆ ପାଲା । ଉଭୟଙ୍କୁ ‘ସତ୍ୟପୀର’ଙ୍କ ପୂଜାଭାବେ ଗ୍ରହଣ କରାଯାଉଛି । ବୈଠକୀ ପାଲାରେ ପୂଜାପରେ “ଶୀରିଣି” ଭୋଗ ବଣ୍ଟାଯାଏ ଏବଂ ବସିବା ଅବସ୍ଥାରେ ପଢ଼ାଯାଏ । ସମୟେ ସମୟେରେ ମୃଦଙ୍ଗ ଇତ୍ୟାଦି ବଜାଇ ପାଳି ମଧ୍ୟ ଧରାଯାଏ । ଠିଆ ପାଲା ‘ଶୀରଣି’ ବଣ୍ଟାଯାଏ ନାହିଁ । ନୃତ୍ୟଗୀତ ବାଦ୍ୟ ସହ ଉପାଖ୍ୟାନ ବର୍ଣ୍ଣନା ଓ ସାହିତ୍ୟ ଚର୍ଚ୍ଚା ହୁଏ ।

 

ବଙ୍ଗରେ ‘ଠିଆ ପାଲା’ ନାହିଁ । ବଙ୍ଗଦେଶରେ “କବିର ଗାନ” ବୋଲି ଅନୁଷ୍ଠାନ ଅଛି, ଯାହାକୁ ଓଡ଼ିଶାର ଠିଆପାଲା ସହିତ ତୁଳନା କରାଯାଇପାରେ ଅବଶ୍ୟ, କିନ୍ତୁ ସତ୍ୟନାରାୟଣ ବା ସତ୍ୟପୀରଙ୍କ ସହିତ ଏହାର କୌଣସି ସମ୍ବନ୍ଧ ନାହିଁ ।

 

ଉପରୋକ୍ତ ମତମତ ମଧ୍ୟରୁ “ପାଲା ଲାଓ” ବା ପାଆ ଆଲ୍ଲା” ବୋଲି ଯାବନିକ ଶବ୍ଦ ବ୍ୟବହାର କରି ଯେଉଁମାନେ ଟାଣି ଓଟାରି “ପାଲା” ଶବ୍ଦରେ ଉପନୀତ ହୋଇଛନ୍ତି, ସେମାନେ ପାଲାକୁ ନିର୍ଦ୍ଧିଷ୍ଟଭାବେ ଏକ ହିନ୍ଦୁ ମୁସଲମାନ ସଂହତିର ପରିଣତ ବୋଲି ମତ ପୋଷଣ କରନ୍ତି । ତାହା ଆଦୌ ଠିକ୍ ନୁହେଁ ।

 

ଯେଉଁମାନେ ପଲ୍ଲବୀରୁ ପାଲା ବା ପଞ୍ଚାଳୀରୁ ପାଲା ଅପଭ୍ରଂଶ ବୋଲି ମତପୋଷଣ କରନ୍ତି, ଭାଷାତତ୍ତ୍ୱ ଅନୁସାରେ ଏପରି ଅପଭ୍ରଂଶ ବିବର୍ତ୍ତନ ମାର୍ଗ ସ୍ପଷ୍ଟ ମନେ ହୁଏନାହିଁ ।

 

“ପଲ୍ୟେତେ ଇତି ପାଲା” ଯଥାର୍ଥ ଏବଂ “ପାଳି” ଶବ୍ଦ (ଯଦିଓ ପାଳି ଧରିବା ଅର୍ଥରେ ନୁହେଁ) ପାଲା ଶବ୍ଦର ଅତି ନିକଟତର ଠିକ୍ ଅର୍ଥ ବୁଝାଉଛି ।

 

‘ପାଲା’ ଶବ୍ଦ ଯେ ‘ପାଲି’ ଶବ୍ଦରୁ ଆସିଅଛି, ଏଥିରେ ସନ୍ଦେହର ଅବକାଶ ରହୁନାହିଁ । ପାଲି କିମ୍ବା ପାଲୀ ଏହି ସଂସ୍କୃତ ଶଦ୍ଧର ଅର୍ଥ ହେଉଛି “ପ୍ରଶଂସା” । ଅତଏବ ସେହି ଅର୍ଥରେ, ପାଲା ଭଗବାନଙ୍କର, ମହାପୁରୁଷମାନଙ୍କର, ଶାସ୍ତ୍ରକାରମାନଙ୍କର ପ୍ରଶଂସା ଗାନ ନୁହେଁ କି ?

 

ଦ୍ୱିତୀୟରେ ପ୍ରାଚୀନ କଳିଙ୍ଗର ଭାଷା ଥିଲା ପାଲି ବା ପାଳି । ଏ ବିଷୟରେ ଓଡ଼ିଶାରେ ପ୍ରଖ୍ୟାତ ଐତିହାସିକ ଡକ୍ଟର ନବୀନ କୁମାର ସାହୁ ତାଙ୍କର ‘‘ଓଡ଼ିଆ ଜାତିର ଇତିହାସ” ପୁସ୍ତକରେ ଲେଖିଛନ୍ତି-

 

“ପାଳିର ଉତ୍ପତ୍ତି ତଥା ଲାଳନ ଭୂମି ସର୍ମ୍ପକରେ ସାଧାରଣତଃ ଯେଉଁ ମତମାନ ପ୍ରକାଶିତ ହୋଇଅଛି ପ୍ରଥମେ ସେଗୁଡ଼ିକର ବିଶ୍ଲେଷଣ କରାଯାଉ । ବୁଦ୍ଧ ଓ ମହାବୀର ନିଜ ନିଜ ଧର୍ମ ମତ ଜନସାଧାରଣଙ୍କ ପ୍ରଚାର କରିବା ନିମନ୍ତେ କେଉଁ ଭାଷାର ଆଶ୍ରୟ ନେଇଥିଲେ ତାହା ଏବେ ନିଶ୍ଚିତରୂପେ ଜାଣିବାର ଉପାୟ ନାହିଁ । ମାତ୍ର ବୁଦ୍ଧଙ୍କ ବାଣୀ ପରେ ଯେଉଁ ଭାଷା ଲିପି ବଦ୍ଧ ହୋଇଅଛି, ତାହା ହିଁ ପାଳି । ପାଳି ସାହିତ୍ୟରେ ପାଳି ଶବ୍ଦ ବିଭିନ୍ନ ଅର୍ଥରେ ବ୍ୟବହୃତ ହୋଇଛି । ‘ଅଭିଧମ୍ମପଦୀପିକା ସୂଚି’ରେ ଲେଖାଅଛି-

 

“ ପାଲି ଶବ୍ଦୋ ପାଲିଧମ୍ମେ ତଲାକ ପାଲିୟଂ ପି ଚ ।

ଦିସସତେ ପନ୍ତିୟଂ ଚେବ ଇତିଜ୍ଞେୟ ବିଜାନତା ॥

ଅୟଂ ହି ପାଲି ଶବ୍ଦୋ, ପାଲିୟା ଅତଥଂ ଉପପରିକଖନ୍ତିତି ।

ଆଦିସୁ ପରିୟତି ଧମ୍ମ ସଂଖ୍ୟାତେ ପାଲିଧମ୍ମେ ଦିସସତି ॥”

 

ଅର୍ଥାତ୍‌- ପାଲି ଶବ୍ଦ ବୌଦ୍ଧଧର୍ମ (ପାଲିଧର୍ମ), ତଡ଼ାଗଶ୍ରେଣୀ (ଦଲାକ ପାଲିୟଂ) ଓ ପଂକ୍ତି (ପଂନ୍ତିୟଂ) ଆଦି ଅର୍ଥରେ ବୁଝାଏ । ପାଳନ (ପାଲିୟା) ଓ ରକ୍ଷା କରିବା ଆଦି ଅର୍ଥରେ ,ବ୍ୟାପ୍ତି ବା ବିସ୍ତୃତି (ପରିୟତି) ଆଦି ଗୁଣ ରୂପରେ ଐବଂ ତ୍ରିପିଟକର ଧର୍ମ (ପାଲିଧମ୍ମ) ହିସାବରେ ମଧ୍ୟ ପାଳି ଶବ୍ଦର ବ୍ୟବହାର ଦେଖାଯାଏ । ମାତ୍ର ଭାଷା ଦୃଷ୍ଟିରେ ପାଳି ଏକ ସ୍ୱତନ୍ତ୍ର ଉନ୍ନତ ଭାଷା, ଯାହା ମାଧ୍ୟମରେ ଅହିତଯାନ(ହୀନଜାନ) ବୌଦ୍ଧଧର୍ମର ସାହିତ୍ୟ ଓ ଦର୍ଶନ ସମୃଦ୍ଧି ଲାଭ କରିଅଛି ।

 

“ଏହି ପ୍ରସଙ୍ଗରେ ଉଲ୍ଳେଖ କରାଯାଇପାରେ ଯେ, କେତେକଙ୍କ ମତରେ ତ୍ରିପିଟକଙ୍କ ଅନ୍ୟନାମ ହେଉଛି ପାଳି । ବୁଦ୍ଧଘୋଷଙ୍କ ଆଗରୁ ପାଳି ଏକ ଭାଷା ବିଶେଷର ନାମ ନ ଥିଲା ଏବଂ ତାହା ଥିଲା ବୌଦ୍ଧଧର୍ମର ଶାସ୍ତ୍ର ବା ବୁଦ୍ଧ ବଚନର ସଂକେତ । “ଅଭିଧମ୍ମଟଠ କଥା”ରେ ଅଛି-

 

“ଭଗବତା ବୁଚ୍ଚମାନସସ ଅତଥସସବୋହାରସ୍‍ସ

ଚ ଦୀପନତୋ ସଦ୍ଦୋୟେବ ପାଲି” ।

 

ଅର୍ଥାତ ଭଗବାନ ବୁଦ୍ଧଙ୍କର ବାଣୀ, ତା’ର ଅର୍ଥ, ତା’ର ବ୍ୟବହାର ଓ ତା’ର ପ୍ରକାଶସୂଚକ ଶବ୍ଦ ହେଉଛି ପାଳି । ଏହି ଅଥରେ ବୁଝିଲେ ପାଳି ହେଉଛି କେବଳ ତ୍ରିପିଟକ-ସୂତ୍ତ, ବିନୟ ଓ ଅଭିଧମ୍ମ । ‘ମହାବଂଶ’ରେ ମଧ୍ୟ ଲେଖାଅଛି-

 

“ପିଟକତ୍ତୟ ପାଲିଞ୍ଚ ତସ୍‍ସ ଅଟ୍ ଠକଥଞ୍ଚ” ଅର୍ଥାତ ପିଟକତ୍ରୟ ହେଉଛି ପାଳି ଓ ଟୀକା ହେଉଛି ଅଟ୍ ଠ କଥା । ବୁଦ୍ଧଘୋଷ ମଧ୍ୟ ଏହି ମତର ପରିପୋଷଣ କରି ପାଳି ଓ ତ୍ରିପିଟକୁ ଏକ ଓ ଅଭିନ୍ନରୂପେ ପ୍ରକାଶ କରିଅଛନ୍ତି । ତାଙ୍କ ରଚିତ “ବିସୁଦ୍ଧିମଗ୍‍ଗ’ରୁ କେବଳ ଗୋଟିଏ ଉଦାହରଣ ଦେଲେ ଯଥେଷ୍ଟ ହେବ”

 

“ଇଦମ୍ ସବ୍ୱାକରେଣ ନେବ ପାଲିୟମ୍ ନ ଅଟଠ

କଥାୟମ୍ ଆଗତମ୍‌, କେବଲମ୍ ଆଜରୀୟ ମତାନୁସାରେଣ

ବୃତ୍ତମ୍‌,ଦସା ନ ସାରତୋ ପଟ୍ଟ ତବ୍ ବମ୍‌”

 

ଅର୍ଥାତ୍ ଏହା ପୂରାପୂରିଭାବେ ପାଳିରେ ନାହିଁ କି ଅଟ୍ ଠ କଥାରେ ବି ନାହିଁ । କେବଳ ପଣ୍ଡିତମାନଙ୍କର ମତ ଅନୁସରଣ କରି କୁହାଗଲା । ତେଣୁ ଏହାକୁ ଠିକ୍ ବୋଲି ବିଚାର କରାଯାଇନପାରେ । ଏଥିରୁ ସ୍ପଷ୍ଟ ପ୍ରକାଶଯେ ପାଳି ହେଉଛି ତ୍ରିପିଟକ ବା ବୁଦ୍ଧ ବଚନ । ଅଭିଧମ୍ମପ୍ ପଦୀପିକାସୂଚିରେ ପାଳି ଶବ୍ଦର ବ୍ୟୁତ୍ପତ୍ତି ନିମ୍ନଲିଖିତ ମତେ ପ୍ରଦତ୍ତ ହୋଇଛି । “ପା-ରକ୍ ଖଣେଳି-ପାତି, ରକ୍ ଖତୀତି ପାଳି, ପାଳିତି ଏକକେ ।” ପାଳିର ଅର୍ଥ ଏହି ବ୍ୟୁତ୍ପତ୍ତି ଅନୁସାରେ ହେଉଛି ରକ୍ଷା କରିବା ବା ପାଳନ କରିବା । ବୁଦ୍ଧ ବଚନ (ତ୍ରିପିଟକ) ଜଗତକୁ ରକ୍ଷା କରେ ବା ପାଳନ କରେ- ସେହି ଧର୍ମ ଧାରଣାରେ ତାହା ହେଉଛି ପାଳି । ତ୍ରିପିଟକୁ ପାଳି ବୋଲି କହିବାର ଏହି ଅର୍ଥ ପ୍ରକାଶ ପାଉଛି ଯେ ତାହା ଯେଉଁ ଭାଷାରେ ଲେଖା ହୋଇଛି, ତାହାହିଁ ପାଳି ।

ବୁଦ୍ଧଙ୍କ ଉପଦେଶ ତାଙ୍କ ପରି ନିର୍ବାଣ ପରେ ସଂସ୍କୃତି ଭାଷାରେ ପ୍ରଚାର କରାଯିବ କି ବୋଲି ଶିଷ୍ୟମାନଙ୍କ ପ୍ରଶ୍ନରେ ବୁଦ୍ଧ ଉତ୍ତର ଦେଇଥିଲେ, ‘ନିଜ ନିଜ ଭାଷା’ରେ । ଏଠାରେ ସୂଚାଇ ଦିଆଯାଇପାରେ କି ‘ପାଳି’ ପ୍ରାଚୀନ କଳିଙ୍ଗର ଭାଷା ଥିଲା ଓ ଏହା ‘ମାଗଧି’ଠାରୁ ସ୍ୱତନ୍ତ୍ର ଥିଲା ।

 

ପ୍ରାଚୀନ କଳିଙ୍ଗର ଏହି ଭାଷା “ପାଳି”କୁ ଦେଶ ବିଦେଶରେ ଲୋକମାନେ ବୁଝିପାରୁଥିଲେ । ଏହି ପାଳି ଦ୍ୱାରା ହିଁ ମୁଖ୍ୟତଃ ବୌଦ୍ଧଧର୍ମର ବହୁ ପ୍ରଚାର କାର୍ଯ୍ୟ ସାଧିତ ହୋଇଥିଲା । ବୁଦ୍ଧଦେବଙ୍କ ସର୍ବପ୍ରଥମ ଶିଷ୍ୟଦ୍ୱୟ ତାପସି ଓ ବଲ୍ଲିକ କଳିଙ୍ଗର ଅଧିବାସୀ ଥିଲେ । ଅଶୋକ ଏହି କଳିଙ୍ଗର ଲୋକମାନଙ୍କ ଦ୍ୱାରା ବୌଦ୍ଧଧର୍ମ ପ୍ରଚାର କରାଇଥିଲେ । ‘ପାଳି’ର ନାମକରଣ ଅର୍ହତଯାନୀ ( ହୀନଯାନୀ) ବୌଦ୍ଧଙ୍କ ଦ୍ୱାରା ହୋଇଥିଲା ।

 

ପ୍ରାଚୀନ ଓଡ୍ରଭାଷା ଏକ ବିଭାଷା ବୋଲି ନାଟ୍ୟଶାସ୍ତ୍ର ଉଲ୍ଲେଖ କରିଛନ୍ତି ।

 

ଉପରୋକ୍ତ ଟିପ୍‍ପଣୀରୁ ହୃଦୟଙ୍ଗମ କରିହେଉଛି ଯେ ବୁଦ୍ଧ-ବଚନ (ଟୀକା ସହିତ) ପ୍ରଚାର କରାଇବା ଉଦ୍ଦେଶ୍ୟରେ ସଂସ୍କୃତ ବ୍ୟତୀତ ଯେଉଁ ସାର୍ବଲୌକିକ ଭାଷା ପ୍ରୟୋଗ କରାଯାଉଥିଲା, ତାହା ହେଉଛି ପାଳି ବା ପାଲି । ସଂସ୍କୃତ ପାଲିର ଅର୍ଥ ପ୍ରଶଂସା ବୋଲି ପୂର୍ବରୁ ଉଲ୍ଳେଖ କରିଅଛି ।

 

ସେ ସମୟରେ ଅର୍ଥାତ୍‍ ଖ୍ରୀ: ପୂ: ୫୦୦ ସମୟକୁ ଧର୍ମପ୍ରଚାର ପାଇଁ କି ପ୍ରକାର ସାର୍ବଜନୀନ ପ୍ରଚାର ମାଧ୍ୟମ ଥିଲା ? ସେତେବେଳେ ତ ଆଉ ରେଡ଼ିଓ, ଟେଲିଭିଜନ, ସିନେମା, ଖବରକାଗଜ ନ ଥିଲା, ଏକମାତ୍ର ମାଧ୍ୟମ ଥିଲା ମନୁଷ୍ୟ । ସେତେବେଳେ ବାଦ୍ୟ, ନାଚ, ଗୀତଦ୍ୱାରା ଲୋକମାନଙ୍କୁ ଆକୃଷ୍ଟ କରାଇ, ଏକତ୍ରିତ କରାଇ ଉପାଖ୍ୟାନ ବର୍ଣ୍ଣନା ମାଧ୍ୟମରେ ଭଲ ମନ୍ଦର ପାର୍ଥକ୍ୟକୁ ଯୁକ୍ତିଯୁକ୍ତ ଭାବରେ ଉଦାହରଣଦ୍ୱାରା ହୃଦବୋଧ କରାଇବା ଦ୍ୱାରା ହିଁ ପ୍ରଚାର କାର୍ଯ୍ୟ ହେଉଥିଲା । ବର୍ଣ୍ଣନୀୟ ବିଷୟକୁ ସର୍ବସାଧାରଣ ବୁଝିପାରିବା ଭଳି ଭାଷାରେ କହି, ତାକୁ ପୁଣି ଟୀକା ଇତ୍ୟାଦି ବ୍ୟାଖ୍ୟା କରାଇବା ପ୍ରକୃଷ୍ଟ ପନ୍ଥାଥିଲା । ବୌଦ୍ଧଜାତକ ଉପାଖ୍ୟାନଗୁଡ଼ିକ କେନ୍ଦ୍ରକରି ବିଭିନ୍ନ ଉଦାହରଣ ଇତ୍ୟାଦି ଉତ୍କୃଷ୍ଟ ଯୁକ୍ତିଦ୍ୱାରା ପ୍ରତିପାଦିତ କରାଇବା, ନିଶ୍ଚତଭାବେ ଏକ ବିଧିବଦ୍ଧ ପଦ୍ଧତି ହୋଇ ପଡ଼ିଥିଲା । ବୁଦ୍ଧଦେବଙ୍କ ପୂର୍ବରୁ ଅବସ୍ଥା କଅଣ ଥିଲା, ତାହା କେବଳ କଳ୍ପନା କରାଯାଇ ପାରୁଛି । ହୁଏତ ଏହାଥିଲା ଦଣ୍ଡନାଟର । “ଦଣ୍ଡ”କୁ ଶିବଙ୍କ ପ୍ରତୀକରୂପେ ଆଶ୍ରାକରି, ଅସଂଲଗ୍ନଭାବେ ବିଭିନ୍ନ ବିକ୍ଷିପ୍ତ ଇତର ଚରିତ୍ର ବେଶହୋଇ, ନୃତ୍ୟଗୀତ ମାଧ୍ୟମରେ ଭଗବତ ବିଶ୍ୱାସ ପ୍ରଚାର କରାଯାଉଥିଲା । ତନ୍ମଧ୍ୟରୁ ବିଶେଷଭାବେ ବାଇଧନ ବୀଣାକାର (ଅଭିଶପ୍ତକନ୍ଦର୍ପ) ଚରିତ୍ର ବିଶେଷ ବ୍ୟାଖାକାରୀ ଥିଲେ । ବୁଦ୍ଧଙ୍କ ପରେ ଏହି ସଂସ୍କୃତିର ଏକ ନୂତନ ସଂସ୍କରଣଭାବେ ‘ପାଳି’ ପାଲାରେ ପରିଣତ ହୋଇଥିବ କିନ୍ତୁ ଏପରି ଗୋଟିଏ ଅତି ଚମତ୍କାର ସାମଗ୍ରିକ ପ୍ରଚାର ମାଧ୍ୟମ, ନୃତ୍ୟ ପ୍ରଧାନ ହୋଇପାରିଥାନ୍ତା । କିନ୍ଥୁ ତାହା ନ ହୋଇ ଏହା ବର୍ଣ୍ଣନାରେ ବ୍ୟଖ୍ୟା ପ୍ରଧାନ ହୋଇପଡ଼ିଲା କିପରି ? ଏହାର କାରଣ ଅନୁସନ୍ଧାନ କରିବା ପାଇଁ ଆମ୍ଭମାନଙ୍କୁ ବିଶେଷ ଅନୁଧ୍ୟାନ କରିବାର ଆବଶ୍ୟକତା ନାହିଁ, କାରଣ ଇତିହାସରୁ ଜାଣୁ ଯେ ମୌର୍ଯ୍ୟ ଶାସନ କାଳରେ ଯେଉଁ କଳିଙ୍ଗ ନୃତ୍ୟ, ଗୀତ, ବାଦ୍ୟ, ସମାଜ ଉତ୍ସବ, ଆଦିରେ ସର୍ବଦା ହର୍ଷମୁଖର ଥିଲା, କଳିଙ୍ଗ ଯୁଦ୍ଧପରେ ସମ୍ରାଟ ଅଶୋକ ସେସବୁ ନିଷିଦ୍ଧ କରିଦେଇଥିଲେ । ଅତଏବ ତାଙ୍କରି ଦ୍ୱାରା ଆବଶ୍ୟକ ହେଉଥିବା ପ୍ରଚାର କାର୍ଯ୍ୟରେ ନୃତ୍ୟ, ବାଦ୍ୟ, ଗୀତ, ଆଦିକୁ ଏକ ସୀମିତ ପରିସର ମଧ୍ୟରେ ନିୟନ୍ତ୍ରଣ କରାଯାଇଥିଲା ଏହା ସ୍ୱୀକାର କରାଯାଇପାରେ ।

 

ଅତଏବ ଓଡ଼ିଶାର ଏହି ମୌଳିକ ପାଲାକୁ ନିଶ୍ଚିତଭାବେ ଓଡ଼ିଶାର ଏକ ଅତି ପ୍ରାଚୀନ ସଂସ୍କୃତି ବୋଲି ଗ୍ରହଣ କରିବାରେ ସନ୍ଦେହ ରହୁନାହିଁ ।

 

‘ପାଲା’ ର ଶାସ୍ତ୍ରୀୟତା

 

ଓଡ଼ିଶାର ‘ପାଲା’ ଯେ ଅତି ପ୍ରାଚୀନ, ଏହାର ଆହୁରି ଏକ ଜ୍ୱଳନ୍ତ ପ୍ରମାଣ ଏଠାରେ ଉଲ୍ଲେଖଯୋଗ୍ୟ । “ପାଲା”ର ବିଷୟବସ୍ତୁ ବୟାନ କରିବା ପୂର୍ବରୁ ଏବେ ମଧ୍ୟ ଯେଉଁ ଆନୁସଙ୍ଗିକ ପୂର୍ବରଙ୍ଗ ଅନୁସୃତ ହୁଏ, ସେହି ପରିବେଷଣ ଶୈଳୀକୁ ଲକ୍ଷ୍ୟ କଲେ, ଦେଖାଯିବ ଯେ ତହିଁରେ ‘ଭରତମୁନି’ ପ୍ରଣୀତ ନାଟ୍ୟଶାସ୍ତ୍ରରେ ବର୍ଣ୍ଣିତ ପୂର୍ବରଙ୍ଗ ସହିତ ଅନେକାଂଶରେ ସାମଞ୍ଜସ୍ୟ ରହୁଅଛି ।

 

ନାଟ୍ୟଶାସ୍ତ୍ର ପୂର୍ବରଙ୍ଗ ବର୍ଣ୍ଣନାରେ ବିକୃଷ୍ଟ, ଚତୁରସର ଓ କ୍ୟସ୍ର ଏହି ତିନି ପ୍ରକାର ପୂର୍ବରଙ୍ଗ ଏକତ୍ରିତ ହୋଇଥିବାରୁ ଆମ୍ଭମାନଙ୍କୁ ଆଲୋଚ୍ୟ ‘ପାଲା’ ବିଷୟବସ୍ତୁ ପାଇଁ ପ୍ରଯୁଜ୍ୟ ପୂର୍ବରଙ୍ଗ କାର୍ଯ୍ୟଗୁଡ଼ିକର ବିଶଦ ଅନୁଧ୍ୟାନ ଓ ବିବରଣୀ ଉଲ୍ଲେଖ କରାଯାଇଅଛି । ଏଗୁଡ଼ିକ ‘‘ଭରତ-ମୁନି-ପ୍ରଣୀତ ନାଟ୍ୟଶାସ୍ତ୍ରମ୍‌”ର ପଣ୍ଡିତ ସ୍ୱର୍ଗତଃ ବାନାମ୍ବର ଆଚାର୍ଯ୍ୟ ମହୋଦୟଙ୍କ ଓଡ଼ିଆ ଅନୁବାଦରୁ ଉଲ୍ଲେଖ କରାଗଲା ।

 

“ତତ ଶ୍ଚୋତଥାପନଂ କାର୍ଯ୍ୟଂ ପରିବର୍ତ୍ତନମେବ ଚ ।

ନାନ୍ଦୀଶୁଷ୍କାବକୃଷ୍ଟା ଚ ରଙ୍ଗଦ୍ୱାରଂ ତଥୈବ ଚ ।୧୪।

ଚାରି ଚୈବ ତତଃ କାର୍ଯ୍ୟ ମହାଚାରୀ ତଥୈବ ଚ ।

ତ୍ରିକଂ ପ୍ରରୋଚନା ଚାପି ପୂର୍ବରଙ୍ଗେ ଭବନ୍ତି ହି ।୧୫।

 

ଅର୍ଥାତ “ଏହାପରେ ଉତ୍‍ଥାପକ, ପରିବର୍ତ୍ତକ, ନାନ୍ଦୀ, ଶୁଷ୍କା ଓ ଅବକୃଷ୍ଟା, ରଙ୍ଗଦ୍ୱାରା (?) ଚାରୀ, ମହାଚାରୀ, ତ୍ରିକ, ପ୍ରରୋଚନା, ଏଗୁଡ଼ିକ ପୂର୍ବରଙ୍ଗରେ ଯଥାକ୍ରମେ ପ୍ରୟୋଗ କରିବ । ଏଗୁଡ଼ିକ ପୂର୍ବରଙ୍ଗର ଅଙ୍ଗ । ଏବେ ଏମାନଙ୍କର ଲକ୍ଷଣ ବିବୃତ୍ତ କରୁଛି ।” ସେହିପରି:-

 

“ବାଦ୍ୟମାନଙ୍କୁ (ଯଥାସ୍ଥାନରେ) ବିନ୍ୟାସ (ଆୟୋଜନ) କରିବାର ନାମ ପ୍ରତ୍ୟାହାର । ଗାୟକମାନଙ୍କୁ (ଯଥାସ୍ଥାନରେ) ବସାଇବାର ନାମ ଅବତାରଣ । ପରିଗୀତ କ୍ରିୟାର (ସମୂହ ଭାବରେ ଏକ ସ୍ୱରରେ ବହୁ ଲୋକଙ୍କର ଗାନ) ଆରମ୍ଭକୁ ଆରମ୍ଭ କହନ୍ତି । ମୃଦଙ୍ଗ ପ୍ରଭୃତିର ପରୀକ୍ଷା ଅଶ୍ରାବଣା କହନ୍ତି (ବା ମୃଦଙ୍ଗ ପ୍ରଭୃତିର ସ୍ୱର ବାନ୍ଧିବା), “ପରିମିତ କାଳ ମଧ୍ୟରେ ପାଦ (ବିରାମ) ଅର୍ଥାତ ସବୁ ତନ୍ତ୍ରୀ ଓ ଭାଣ୍ଡ ବାଦ୍ୟର ବିରତିକୁ ଅସାରିତ କରନ୍ତି । ଦେବତା (ଇଷ୍ଟଦେବତା)ଙ୍କର ଗୁଣ ବା ନାମକୀର୍ତ୍ତନକୁ ଗୀତବିଧି କୁହାଯାଏ । ଏହାପରେ ଉତ୍‍ଥାପନ ବିଧିରେ ଯାହା କରଣୀୟ ତାହା କହୁଅଛି । ନାନ୍ଦୀ (ବେଦସ୍ତୁତିର) ପାଠକମାନେ ରଙ୍ଗସ୍ଥଳରେ ପ୍ରଥମେ ଅଭିନୟ କ୍ରିୟାକୁ ଉତ୍‍ଥାପନ କରୁଥିବାରୁ ଏହି ନନ୍ଦୀପାଠକୁ ଉତ୍‍ଥାପନ କହନ୍ତି । ଏହାପରେ ଚାରି ଆଡ଼କୁ ବୁଲି ବୁଲି ଦିଗ୍‌ପାଳମାନଙ୍କର ବନ୍ଦନା କରାଯାଏ,ଏହାକୁ ପରିବର୍ତ୍ତନ କହନ୍ତି ।”

 

“ବେଦ ଦ୍ୱିଜନୃପାଦୀନାଂ ତସ୍ମାନ୍ମାନ୍ଦୀତି ସଂଜ୍ଞିତା ।

ଯତ୍ର ଶୁଷ୍କାକ୍ଷରୈରେବ ହ୍ୟବକୃଷ୍ଟାଧ୍ରୁବା ଯତଃ ।୨୫।

ତସାଚ୍ଛୁ ଷ୍କାବକୃଷ୍ଟୋୟଂ ଜର୍ଜର ଶ୍ଳୋକ ଦର୍ଶିକା” ।

 

ଅର୍ଥାତ “ଦେବତା, ଦ୍ୱିଜ ଓ ରାଜା ପ୍ରଭୃତିଙ୍କର ଆଶୀର୍ବାଦଯୁକ୍ତ ହୋଇ ଏହା ପ୍ରବୃତ୍ତ ହେବାର ବିଧି ଥିବାରୁ ଏହାକୁ ନାନ୍ଦୀ ବୋଲି କୁହାଯାଏ । ଯହିଁରେ ଶୁଷ୍କ (ନୀରସ ବା କର୍କଶ) ବା ଅପକୃଷ୍ଟ (କର୍ଣ୍ଣ ମନୋହରିତା ଗୁଣରେ ହୀନ) ଅକ୍ଷରରେ ‘ଧ୍ରୁବ’ ରଚିତ ହୋଇଥାଏ, ତାହାକୁ ଶୁଷ୍କାବକୃଷ୍ଟା କହନ୍ତି । ଜର୍ଜର ସ୍ତୁତିରେ ଏହା ପ୍ରଯୁକ୍ତ ହୋଇଥାଏ ।

 

“ଶୃଙ୍ଗାରରସ୍ୟ ପ୍ରଚରଣାଚ୍ଚାରୀ ସମ୍ପରିକୀର୍ତ୍ତିତା ।୨୭।

ରୌଦ୍ର ପ୍ରଚରଣାଚ୍ଚପି ମହାଚାରୀତି କୀର୍ତ୍ତିତା ।

ବିଦୂଷକଃ ସୂତ୍ରଧରସ୍ତଥା ବୈପାରିପାର୍ଶ୍ୱିକଃ ।

ଯତ୍ର କୁର୍ବନ୍ତି ସଂଜଳ୍ପଂ ତଚ୍ଚାପି ତ୍ରିଗତଂ ସ୍କୃତମ୍ ।୨୮।

ଉପକ୍ଷେପେଣ କାବ୍ୟସ୍ୟ ହେତୁଯୁକ୍ତି ସମାଶ୍ରେୟା

ସିଦ୍ଧେଜାମନ୍ତ୍ରଣା ଯା ତୁ ବିଜ୍ଞେୟା ସା ପ୍ରରୋଚନା” ।୨୯।

 

ଅର୍ଥାତ୍ “ଶୃଙ୍ଗାର ଭାବ ଦ୍ୟୋତକ (ମୃଦୁ ଏବଂ ମନୋହର) ଚାଲିକୁ ‘ଚାରୀ’ କୁହାଯାଏ । ସେହିପରି ରୌଦ୍ର ଅର୍ଥାତ୍‍ ଉଦ୍ଧବ ଭାବ ଦ୍ୟୋତବ ଚାଲିକୁ ‘ମହାଚାରୀ’ କହନ୍ତି । ବିଦୂଷକ, ସୂତ୍ରଧର ଓ ପାରିପାର୍ଶିକଙ୍କର ମିଳିତଭାବେ ପରସ୍ପର ଆଳାପକୁ ‘ତ୍ରିତ’ ବା ‘ତ୍ରିଗତ’ କହନ୍ତି । ଅଭିନୟ ଦୃଶ୍ୟକାବ୍ୟର ହେତୁ ଏବଂ ଯୁକ୍ତି ସହକାରେ ଉପସ୍ଥାପନ କରି ପ୍ରେକ୍ଷକମାନଙ୍କର ଯେଉଁ ଆମନ୍ତ୍ରଣ ବା ଅଭିମୁଖୀକରଣ ତାହାର ନାମ ‘ପ୍ରରୋଚନା’ ।

 

“ସର୍ବଦୈବତ ପୂଜାର୍ହଂ ସର୍ବଦୈବତପୂଜନମ୍ ।

ଧର୍ମ୍ୟଂ ଯଶସ୍ୟାମାୟୁପୂର୍ବରଙ୍ଗ ପ୍ରବର୍ତ୍ତନ୍ ।୫୫।

ଅର୍ଥାତ୍ “ପୂର୍ବରଙ୍ଗର ଅନୁଷ୍ଠାନର ସମସ୍ତ ପୂଜାର ସମୁଚିତ ବିଧି ଏବଂ ଏହାଦ୍ୱାରା ସବୁ ଦେବତାଙ୍କର ପୂଜା କରାଯାଇଥାଏ । ପୂର୍ବରଙ୍ଗର କରାଯାଉଥିବା ନିର୍ଗୀତ ଓ ସଙ୍ଗୀତ କାର୍ଯ୍ୟମାନ ଧର୍ମ, ଯଶ ଓ ଆୟୁଷ ପ୍ରଦାନ କରେ ।

 

“ଗୀତକ ବିଧି ଓ ବର୍ଦ୍ଧମାନ ପ୍ରୟୋଗ କରି ଗୀତ ଶେଷରେ ଉତ୍‍ଥାପନୀ ନାମ୍ନୀ ଧ୍ରୁବା ଗାନ କରିବ । ଏଥିରେ ପ୍ରଥମ, ଦ୍ୱିତୀୟ, ଚତୁର୍ଥ, ଅଷ୍ଟମ ଓ ଏକାଦଶ ଅକ୍ଷର ଗୁରୁ ହୋଇଥାଏ । ପ୍ରତି ପାଦର ଅକ୍ଷର ସଂଖ୍ୟା ଏଗାର । ଏଥିରେ ଏହି ପ୍ରକାର ଚାରିଗୋଟି ପଦ ଥାଏ । ଏହା ଚତୁରସର ତାଳରେ ଗୀତ ହେବ । ଚାରିଗୋଟି ସନ୍ନିପାତ (ଦୁଇ ହସ୍ତର ଆଘାତ) ତିନି ଗୋଟି ଲୟ (ଦ୍ରୁତ, ମଧ୍ୟ, ବିଳମ୍ବିତ) ତିନି ଗୋଟି ଯତି, ଚାରିଗୋଟି ପରିବର୍ତ୍ତ (ତାଳର ଆବୃତ୍ତି) ଓ ତିନି ଗୋଟି ପାଣି (ଅର୍ଥାତ ବିଚକ୍ଷଣ ବ୍ୟକ୍ତି ଆଙ୍ଗୁଳିଗୁଡ଼ିକ ଫାଙ୍କା ଫାଙ୍କା କରି ବୁଢ଼ା ଆଙ୍ଗୁଠିରେ ବଜାଇବା) ତରଙ୍ଗତ ଦରମିଡ଼ ଥାଏ । ଏହା ସମ ଓ ଅବର ଓ ଉପରି ପାଣିରୂପେ ତିନି ପ୍ରକାର । ବିଶ୍ଲୋକ ଜାତି- ଆର୍ଯ୍ୟାଦି ମାତ୍ରାବୃତ୍ତ ହୋଇଥିଲେ, ତାହାକୁ ମଧ୍ୟ ତାଳ ସହ ସଂଯୁକ୍ତ କରିବ ।”

 

“ଶାମ୍ୟା (ଦକ୍ଷିଣ ହସ୍ଥର ଆଘାତ) ଦୁଇକଳା, ତାଳ (ବାମ ହସ୍ତର ଆଘାତ) ଦଉଇକଳା, ପୁଣିଶାମ୍ୟା ଏକ କଳା, ସନ୍ନିପାତ, (ଦୁଇ ହସ୍ତର ଆଘାତ) ତିନି କଳା, ଏହିପରି ସନ୍ଧିକଳା ଆଠକଳା ବିଶିଷ୍ଟ କରାଯାଏ । ଏହିପରି ଚାରିଗୋଟି ସନ୍ନୀପାତ କରାଯିବ । ଚାରି ସନ୍ନୀପାତରେ ଗୋଟିଏ ପରିବର୍ତ୍ତ ହୁଏ । ସ୍ଥିତ ଲୟ ସହିତ ପ୍ରଥମ ପରିବର୍ତ୍ତ କରାଯିବ । ତୃତୀୟ ସନ୍ନିପାତ ପରେ ବାଦ୍ୟଭାଣ୍ଡ ଗ୍ରହଣ କରାଯିବ । ପ୍ରଥମ ପରିବର୍ତ୍ତ ସରିଲା ପରେ ଦ୍ୱିତୀୟ ପରିବର୍ତ୍ତରେ (ତାଳର ଆବୃତିକୁ ) ‘ମଧ୍ୟମ ଲୟ’ର ପ୍ରୟୋଗ କରାଯିବ । ତତ୍ପରେ ସୂତ୍ରଧର (ଅନୂଚର ଦ୍ୱୟ ସହ) ପ୍ରବେଶ କରିବେ । ଏହୁ ତିନି ଜଣ (କୁମ୍ଭ ମତେ ପ୍ରଥମ ପରିବର୍ତ୍ତବେଳେ) ରକ୍ଷା ବିଧାନ ଓ ପଙ୍ଗଳ ଦ୍ରବ୍ୟ ଗ୍ରହଣ ପୂର୍ବକ ପୁଷ୍ପାଞ୍ଜଳି ଧରି ଶୁଦ୍ଧବର୍ଣ୍ଣ (ବସ୍ତ୍ର) ପ୍ରସନ୍ନମନା, ଅଦ୍ଭୁତ ଦୃଷ୍ଟିଯୁକ୍ତ ଓ ପବିତ୍ର ହୋଇ ରଙ୍ଗମଧ୍ୟକୁ ପ୍ରବେଶ କରି ବୈଷ୍ଣବ ସ୍ଥାନ ଭଙ୍ଗୀରେ (ସୌଷ୍ଠବ ସହ) ଠିଆ ହୋଇ ରହିବେ ।”

 

“ସୂତ୍ରଧରଙ୍କ ପାରିପାର୍ଶ୍ୱିକ ଦୁହେଁ ଭୃଙ୍ଗାର (ଜଳପାତ୍ର) ଓ ଜର୍ଜର ଦଣ୍ଡ ଧାରଣ କରିଥିବେ । ସୂତ୍ରଧର ମଧ୍ୟଭାଗରେ ରହି ସେ ଦୁହିଁଙ୍କ ସହିତ ପାଞ୍ଚପାହୁଣ୍ଡ ଆଗକୁ ଯିବେ । ବ୍ରହ୍ମାଙ୍କ ଅର୍ଚ୍ଚନା ଉଦ୍ଦେଶ୍ୟରେ ଏହି ପାଞ୍ଚ ପାହୁଣ୍ଡ ଯିବାକୁ ପଡ଼େ । ଏହାକୁ ପଞ୍ଚପଦୀ କହନ୍ତି ।”

 

“ତାଳ ପ୍ରକର୍ଷହେତୋଶ୍ଚ ପାଦାନାଂ ପ୍ରତିଭାଗତଃ ।

ସୂତ୍ରଧର ପ୍ରବେଶଦଯୋ ବନ୍ଦନାଭିନୟାନୁଗଃ ।୭୩।

ଦ୍ୱିତୀୟଃ ପରିବର୍ତ୍ତସ୍ତୁ କାର୍ଯ୍ୟେ ମଧ୍ୟ - ଲୟାଶ୍ରିତଃ ।

ତତଃ ପରଂ ତୃତୀୟେ ତୁ ମଣ୍ଡପସ୍ୟ ପ୍ରଦକ୍ଷିଣମ୍ ।୭୪।

 

ଅର୍ଥାତ “ତାଳର ପ୍ରକର୍ଷ ପାଇଁ ପଦକ୍ଷେପର ବିଭାଗ ଅନୁସାରେ ତିନିଥର ଅଭିବାଦନର ଅଭିନୟ କରିବେ । ସୂତ୍ରଧରଙ୍କର ପ୍ରବେଶ ଏବଂ ଏହି ବନ୍ଦନାରେ ଅଭିନୟ ପରେ ଦ୍ୱିତୀୟ ପରିବର୍ତ୍ତେ (ତାଳ ବୃତ୍ତି) ମଧ୍ୟ ଲୟରେ କରାଯିବ । ତୃତୀୟ ପରିବର୍ତ୍ତ କାଳର ମଣ୍ଡପ ପ୍ରଦକ୍ଷିଣ କରିବେ ।”

“ସୂତ୍ରଧର ଏହିପ୍ରକାରେ ଶୌଚକାର୍ଯ୍ୟ ସାରି ସନ୍ନିପାତ ସଙ୍ଗେ ସଙ୍ଗେ ଜର୍ଜର ଦଣ୍ଡକୁ ଧାରଣ କରିବେ । ପୂର୍ବୋକ୍ତ ପ୍ରଦକ୍ଷିଣଠାରୁ ଆରମ୍ଭ କରି ଜର୍ଜର ଧାରଣ ପର୍ଯ୍ୟନ୍ତ ଅତୀତ ହୋଇଥିବା କାଳ ମଧ୍ୟରେ ତୃତୀୟ ପରିବର୍ତ୍ତୀ (ତାଳ ବୃତ୍ତି) ଦ୍ରୁତ ଲୟରେ କରାଯିବ । ଜର୍ଜର ଧାରଣ ପରେ ଆଠକଳାର (ତାଳର) ଅନୁଚ୍ଚ ଉଚ୍ଚାରଣ (ଜପ) କରାଯିବ ।”

 

“ଅନନ୍ତର ଦିଗ ଦେବତାମାନଙ୍କୁ ଯଥା ନିର୍ଦ୍ଧିଷ୍ଟ ଦିଗରେ ଅଭିବାଦନ କରିବ । ପ୍ରଥମେ ପୂର୍ବ ଦିଗକୁ ବନ୍ଦନା କରିବେ । ଏହି ଦିଗର ଅଧିପତି ଇନ୍ଦ୍ର । ତତ୍ପରେ ଦକ୍ଷିଣ ଦିଗକୁ ବନ୍ଦନା କରିବ । ଏହାର ଦେବତା ଯମ । ତହୁଁ ପଶ୍ଚିମ ଦିଗକୁ ବନ୍ଦନା କରିବ । ଏହାର ଦେବତା ବରୁଣ । ଚତୁର୍ଥରେ ଉତ୍ତର ଦିଗକୁ ବନ୍ଦନା କରିବ । ଏହାର ଦେବତା କୁବେର । ଦିଗବନ୍ଦନ କରିସାରି ବାମ ପାଦରେ “ବୈଧ” କରିବ ।”

 

“ପୁନଃ (ଜର୍ଜର ନିକଟରେ) ପ୍ରବେଶ କରିବ । ତତ୍ପରେ ଯଥାବିଧି ଚାରିପ୍ରକାର (ଚତୁର୍ଥାକାର ପାଠ କଲେ ଅର୍ଥସୂତ୍ରଧର ଓ ପାରିପାର୍ଶ୍ୱିକଦ୍ୱୟଙ୍କ ବ୍ୟତୀତ ଆଉ ଗୋଟିଏ ବ୍ୟକ୍ତି) ଫୁଲ ଘେନି ତଦ୍ୱାରା ଜର୍ଜର, ସକଳ ବାଦ୍ୟ ଭାଣ୍ଡ ଓ ସୂତ୍ରଧରଙ୍କର ପୂଜା କରିବ ।”

 

ତସ୍ୟ ଭାଣ୍ଡସମଃ କରର୍ଯ୍ୟସ୍ତଜ୍‌ଜ୍ଞେର୍ଗତି ପରିକ୍ରମଃ ।୯୯।

ନ ତତ୍ର ଗାନଂ କର୍ତ୍ତବ୍ୟ ତତ୍ର ସ୍ତୋଭକ୍ରିୟା ଭବେତ୍ ।

 

ଅର୍ଥାତ୍‍ “ଭାଣ୍ଡବାଦ୍ୟ ସହିତ ପରିକ୍ରମାହିଁ କରଣୀୟ । ଏଥିରେ ଗାନ କରାଯାଏ ନାହିଁ, ଅର୍ଥହୀନ ସ୍ତବ ପାଠ କରାଯାଏ ।”

 

“ତଦ୍‌ପରେ ଅବକୃଷ୍ଟା (କରୁଣରସାଶ୍ରୟା) ଚତୁରସ୍ରାଧ୍ରୁବା ଗାନ କରିବ । ସେଥିରେ ଗୁରୁବର୍ଣ୍ଣ ପ୍ରଚୁରଭାବେ ପ୍ରଯୁକ୍ତ ହେବ । ତହିଁରେ ଅର୍ଦ୍ଧପାଣିକ ତାଳ (ଦରଗଡ଼ ଇତ୍ୟାଦି ରୂପେ ଅଗ୍ରରେ ବାଦିତ) ପ୍ରଯୁକ୍ତ ହେବ । ତତ୍ପରେ ସୁତ୍ରଧାର ମଧ୍ୟମ ସ୍ୱରରେ (ସ୍ୱରିତ ସ୍ୱରରେ) ନାନ୍ଦୀ ପାଠ କରିବେ । ଏହାର (ପ୍ରତିପାଦ) ଆଠକଳା ବିଶିଷ୍ଟ ଏବଂ ସ୍ଥାୟୀ ବର୍ଣ୍ଣଯୁକ୍ତ ହୋଇଥିବ (ବର୍ଣ୍ଣ-ଗାନ,ଏହାର ସ୍ଥାୟୀ,ସଞ୍ଚାରୀ,ଆରୋହୀ ଓ ଅବରୋହୀ,ଭେଦରେ ଚାରିପ୍ରକାର) । ଶ୍ଲୋକ ପାଠରେ ବର୍ଣ୍ଣ ଉଦ୍ଧାତ୍ତ, ଅନୁଦାତ୍ତ, ସ୍ୱରିତ ଓ କମ୍ପିତ ଭେଦରେ ଚାରି ପ୍ରକାର । ବୀର, ରୌଦ୍ର ଓ ଅଦ୍ଭୁତରେ ଉଦାତ୍ତ, କରୁଣ, ବୀଭତ୍ସ ଓ ଭୟାନକରେ ଅନୁଦାତ୍ତ, ସ୍ୱରିତ ଓ କମ୍ପିତର ବ୍ୟବହାର ହୁଏ ।

 

“ଆହୁରି ମଧ୍ୟ ଏଥିରେ ବାରଗୋଟି ବା ଆଠଗୋଟି ଅଳଙ୍କାରଯୁକ୍ତ ପଦ ବ୍ୟବହୃତ ହୋଇଥିବ । ତାହା ଏକ ପ୍ରକାର- ସମସ୍ତ ଦେବତାଙ୍କୁ ନମସ୍କାର, ଦ୍ୱିଜାତିମାନଙ୍କର ଶୁଭ ହେଉ, ରାଜା ସୋମ ବିଜୟୀ ହୋଇଛନ୍ତି । ଆରୋଗ୍ୟ ଏବଂ ଭୋଗବ୍ରହ୍ମା ପ୍ରଧାନ (ଦେବମୂଳକ) ହେଉ । ବେଦ ବିରୋଧିମାନେ ହତ ହେଲେଣି । ଏହି ସରଗରା ପୃଥିବୀକୁ ମହାରାଜା ଶାସନ କରୁନ୍ତୁ । ରାଷ୍ଟ୍ର ପ୍ରବର୍ଦ୍ଧିତ ହେଉ । ଏହରଙ୍ଗ ନାଟ୍ୟ ସମୃଦ୍ଧବାନ ହେଉ । ପ୍ରେକ୍ଷକ (ଦର୍ଶକ) ମାନଙ୍କର ଧର୍ମ ବୃଦ୍ଧିଲାଭ ହେଉ । କାବ୍ୟକର୍ତ୍ତା ମାନେ ଯଶସ୍ୱୀ ହୁଅନ୍ତୁ ଓ ସେମାନଙ୍କର ଧର୍ମ ବୃଦ୍ଧି ଘଟୁ । ଏହି ଯଜ୍ଞ ଦ୍ୱାରା ଦେବତାମାନେ ପ୍ରୀତ ହୁଅନ୍ତୁ “ରଙ୍ଗ (ନାଟ୍ୟ) ସମୃଦ୍ଧବାନ ହେଉ । ପ୍ରେକ୍ଷିକ (ଦର୍ଶକ)ମାନଙ୍କର ବେଦକଳ୍ପିତ ଧର୍ମଲାଭ ହେଉ । କାବ୍ୟକର୍ତ୍ତାମାନେ ଯଶସ୍ୱୀ ହୁଅନ୍ତୁ ଓ ସେମାନଙ୍କର ଧର୍ମ ବୃଦ୍ଧିଘଟୁ । ଏହି ଯଜ୍ଞଦ୍ୱାରା ଦେବତାମାନେ ପ୍ରୀତ ହୁଅନ୍ତୁ ।

 

“ନାନ୍ଦୀ ପଦାନ୍ତରେ ଷ୍ୱେଷୁ ହ୍ୟେବମସ୍ତିତି ନିତ୍ୟଶଃ ।୧୦୬।

ବନ୍ଦେତାଂ ସମ୍ୟଗୁକ୍ତାଭିର୍ବାଷ୍ମି ନୌ ପାରିପାର୍ଶ୍ୱିକୌ”

 

ଅର୍ଥାତ “ଏହି ନନ୍ଦୀ ପାଠ ହେଉଥିବାବେଳେ (ପ୍ରତିପାଦ ଶେଷରେ) ପାରିପରିର୍ଶ୍ୱିକ ଦୁହେଁ ଏହା “ହେଉ” ବୋଲି ଉଚ୍ଚାରଣ କରି ନମସ୍କାର କରୁଥିବେ ।”

 

“ତତ୍ପରେ ଜର୍ଜର ଶ୍ଳୋକଦର୍ଶିତା ଶୁଷ୍କାବକୃଷ୍ଟା (ତନ୍ମାମକ ଧ୍ରୁବା) ବିଷରେ କୁହାଯାଉଛି । ଏହାର ପ୍ରତିପାଦରେ ଅଠରଗୋଟି ଅକ୍ଷର ରହିବ । ସେଥିମଧରୁ ପ୍ରଥମ ନଅ ଅକ୍ଷର ଗୁରୁ । ତତ୍ପରେ ଛଅ ଗୋଟି ଲଘୁ ଓ ଶେଷ ତିନି ଗୋଟି ଗୁରୁ । ଏହା ଆଠକଳା ବିଶିଷ୍ଟ ହେବ । ଯଥା :-

 

ଝଣ୍ଡେ ଝଣ୍ଡେ ଦିଗ୍ଳେ ଜମ୍ବୁକବଳିତକ ତେତ୍ତେନାମ୍‌”

 

“ଏହି ପ୍ରକାର ଶୁଷ୍କାବକୃଷ୍ଟା କରିସାରି ଗମ୍ଭୀର ସ୍ୱରରେ ଗୋଟିଏ ଶ୍ଳୋକ ପାଠ କରିବ । ଏହା ପୂଜନୀୟ ଦେବତାଙ୍କର ସ୍ତୁତି ହୋଇଥିବା ଉଚିତ । ଅଥଚ ରାଜଭକ୍ତିର ଦ୍ୟୋତବ ହୋଇଥିବ କିମ୍ବା ବ୍ରାହ୍ମଣ ସ୍ତୁତିଗର୍ଭ ହୋଇଥିବ ।”

 

“ତତ୍ପରେ ଚତୁରସା ଧ୍ରୁବା ଦ୍ରୁତ ଲୟରେ ଚାରି ଗୋଟି ସନ୍ନିପାତ ସହ ଆଠକଳା ପ୍ରମାଣରେ ଗାନ କରିବ । ଏହାର ପ୍ରତିପାଦ ଏଗାର ଅକ୍ଷର ପ୍ରତିପାଦର ଆଦ୍ୟ, ଚତୁର୍ଥ, ଅନ୍ତ୍ୟ, ସପ୍ତମ, ପଶମ, ଗୁରୁ ଅକ୍ଷର ହୁଏ ଏବଂ ଅନ୍ୟ ଅକ୍ଷରଗୁଡ଼ିକୁ ଲଘୁ ହୁଏ । ଯଥା:-

 

“ପାଦ-ତଳା-ହତି-ପାତିତ-ଶୈଳଂ

କ୍ଷୋଭିତ-ଭୂତ ସମଗ୍ର ସମୂଦ୍ରମଂ

ଦାଣ୍ଡବ ନୃତମିଦଂ ପ୍ରଳାୟାନ୍ତେ

ପାତୁ ରହସ୍ୟ ସଦା ସୁଖଦାୟୀ”

 

“ଏଥିରେ ଆଦ୍ୟ ଅକ୍ଷର ‘ପା’ ଗୁରୁ ,ଚତୁର୍ଥ ଅକ୍ଷର କଳା’ଳା’ ଗୁରୁ,ସପ୍ତମ ଅକ୍ଷର ‘ପା’ ଗୁରୁ,ଶେଷ ଅକ୍ଷର ଦୁଇଟି ‘ଶୈ’ ‘ଳଂ’ ଗୁରୁ, ଅନ୍ୟ ବର୍ଣ୍ଣଗୁଡ଼ିକ ଲଘୁ । ଚାରୋଟି ଯାକ ପାଦରେ ଏହି ରୀତି ଅନୁସୃତ ହୋଇଛି ।”

 

“ପୁନଃ ନିତିପାଦ ପକାଇ ପୂର୍ବମୂଖ ହୋଇ ଗତି କରିବ । ଏଥିରେ ବାମ ପାଦରେ ‘ବୈଧ’ ଓ ଦକ୍ଷିଣ ପାଦରେ ‘ବିକ୍ଷେପ’ କରାଯିବ । ତତ୍ପରେ ରୌଦ୍ରରସ ବ୍ୟଞ୍ଜକ ଶ୍ଳୋକ ପାଠକରିବ । ତାହା ଶେଷ ହେଲେ ପାରିପାର୍ଶିକ ଦ୍ୱୟ ତ୍ରିପଦ ନାନ୍ଦିରେ କଥା କହିବ । ସେ ଦୁହେଁ ନିର୍କୁଟକ ଗତିରେ (କୁଞ୍ଚିତ ଅଗ୍ରପାଦରେ ଗତି କରିବ) ଆଗମନ କରି ବା ନିର୍କୁଟକ ତାଳରେ ଗାନ କରିବେ । ଏଥିରେ ମଡଧ୍ୟ ବାମ ପାଦର ‘ବୈଧ’ ଓ ପକ୍ଷିଣ ପାଦର ‘ବିକ୍ଷେପ’ ପୂର୍ବପରି କରାଯିବ । ତହୁଁ ଭାଷା ଭେଦରେ ତ୍ରୀଗତର ପ୍ରୟୋଗ କରିବ (ଅର୍ଥାତ ସୂତ୍ୟରେ ପାରିପାବର୍ଶ୍ୱିକ ଓ ଭୃଙ୍ଗାର ଧାରକ ଏ ତିନିହେଁ ପରସ୍ପର କଥପୋକଥନ କରିବେ )

 

“ବିଦୁଷକସ୍ତ୍ୱେ କପଦାଂ ସୂତ୍ରଧର ସ୍ମିତାବହାମ୍ ।

ଅସଂବଦ୍ଧକଥାପ୍ରାୟାଂ କୁର୍ଯ୍ୟତ୍ କଥନିକାଂ ତତଃ ।୧୩୦।

ବିତଣ୍ଡାଂ ଗଣ୍ଡସଂଯୁକ୍ତାଂ ନାମିକାଂ (ନାଳୀକାଂ) ସମ୍ପ୍ରୟୋଜୟେତ୍‌ ।”

 

“ବିଦୂଷକ ସୂତ୍ରଧରଙ୍କ ସହଜାତ କରାଇବା ଭଳି ଏକପଦୀ ବିଶିଷ୍ଟ ଅସମ୍ବନ୍ଧତା ବହୁଳ କଥାନିକ (ବଚନିକା) ଆରମ୍ଭ କରିବେ । ଉକ୍ତ ପ୍ରତ୍ୟୁକ୍ତି କରିବେ । ଏହି ବଚନିକା ବିତଣ୍ଡାଯୁକ୍ତ (ପରପକ୍ଷ ମିକୁ ଯୁକ୍ତିହୀନଭାବେ ଖଣ୍ଡନ କରିବ । ଗଣ୍ଡ (ଅନ୍ୟ ଅର୍ଥରେ ପ୍ରଯୁକ୍ତ ପଦକୁ ଧରି ତାହାର ଅସଙ୍ଗତ ଅର୍ଥ କରିବା) ଯୁକ୍ତ ନାମିକା ନାଳିକା ପ୍ରୟୋଗ କରିବା । (ବିପ୍ରଦାସ-ସୂତ୍ରଧର ବିଦୂଷକ ଓ ଭୃଙ୍ଗାରଧାରକ ତିନି ହେଁ ଏକତ୍ର ଅବସ୍ଥିତ ଥାଇ ପରସ୍ପର କଥାବାର୍ତ୍ତା ହେଲେ ତାହାକୁ ତ୍ରିଗତ କହନ୍ତି । ପ୍ରଥମେ ବିଦୂଷକ ହାସ୍ୟ ଉତ୍ପାଦନ କଥା ସୂତ୍ରଧରକୁ କହିବେ, କିଏ ଅଛି ? କିଏ ଜାଣିଛି ? ଏହି ପ୍ରକାର ଅସଙ୍ଗତ କଥା କହିବ । (ତତ୍ପରେ ଭୃଙ୍ଗାର ଧାର କଥା ମହିବ,ବିନା କାରଣରେ ଏପରି ଗୁଡାଏ ଅସଂଗତ କଥା କାହିଁକି କହୁଛ ? ଏହାଶୁଣି ମହତ ଲୋକେ ହସୁଛନ୍ତି । ସଙ୍ଗତ କଥା କୁହ, ତୁମ ଦୁହିଁଙ୍କ ମଧ୍ୟରେ ବିବାଦ ହେଉ, ଏମାନେ ସମାଧାନ କରନ୍ତୁ । ଏହା ସୂତ୍ରଧର କହି ପ୍ରସ୍ତାବନା ଆରମ୍ଭ କରିବେ । )

 

“ପ୍ରରୋଚନା ଚ କର୍ତ୍ତବ୍ୟାସିଦ୍ଧୋତୋପ ନିମନ୍ତ୍ରଣାମ ।

ରଙ୍ଗସିଦ୍ଧୌ ପୁନଃ କାର୍ଯ୍ୟଂ କାବ୍ୟକସ୍ତୁ ନିରୁପଣମ୍ ।୧୩୨।”

 

ଅର୍ଥାତ୍‍ ଏହାପରେ ପ୍ରରୋଚନା ଓ ଉପନିମନ୍ତ୍ରଣା କରାଯିବ (ପ୍ରରୋଚନା ବର୍ଣ୍ଣନୀୟ ବିଷୟରେ ଗୁଣ ପ୍ରଶଂସା କରି ଦର୍ଶକମାନଙ୍କର ଶୁଣିବା ଓ ଦେଖିବା ଇଚ୍ଛାକୁ ପରିବର୍ଦ୍ଧିତ କରାଇବା) ପୂର୍ବରଙ୍ଗ ସିଦ୍ଧ ଉତ୍ତାରୁ ବିଷୟବସ୍ତୁ ନିରୂପଣ କରିବ ।”

“ଏହି ବିଧିରେ ଚତୁରସର ପୂର୍ବରଙ୍ଗର ପ୍ରୟୋଗ କରାଯିବ । ଏବେ ତ୍ୟସର ପୂର୍ବରଙ୍ଗ ବିଧି ଶ୍ରବଣ କର । ଚତୁରସର ପୂର୍ବରଙ୍ଗର ଯେଉଁ ବିଧି ଯେଉଁ ଅଙ୍ଗର ଯେପରି ବିଧାନ କୁହାଗଲା ତ୍ୟସରରେ ସେଗୁଡ଼ିକ କରାଯିବ । କେବଳ ତାଳ ପରିମାଣରେ ଏହା ଭେଦ ଅଛି । ତ୍ୟସର ପୂର୍ବରଙ୍ଗରେ ଶମ୍ୟ-ଦୁଇକଳା ବିଶିଷ୍ଟ, ତାଳ-ଏକକଳା ବିଶଷ୍ଟ, ପୁଣି ଶ୍ୟମା-ଏକକଳା ବିଶିଷ୍ଟ, ସନ୍ନିପାତ ଦୁଇକଳା ବିଶିଷ୍ଟ ହୋଇ ପ୍ରଯୁକ୍ତ ହେବ ।”

 

“ଜତୁରସର ପୂର୍ବରଙ୍ଗରେ ପରିକ୍ରମା ଷୋହଳ ଗୋଟି ପାଦ ବିଶିଷ୍ଟ ହୋଇଥାଏ । କିନ୍ତୁ ତ୍ୟସରରେ ତାହା ବାରପଦ ବିଶିଷ୍ଟ ହୋଇଥାଏ । ଉଭୟ ବିଧ ପୂର୍ବରଙ୍ଗରେ ଏହି ପ୍ରମାଣ ତାଳ, କଳାଦିର ନିୟମ ନିର୍ଦ୍ଧିଷ୍ଟ ହୋଇଅଛି । କେବଳ ‘ପରବର୍ତ୍ତୀ’ ସ୍ଥଳରେ ତ୍ରିପଦ (ତିନି ପାଦ) ଗମନ କରାଯାଏ । ଜତୁରସରରେ ଦିଗ୍‌ବନ୍ଦନ କ୍ରିୟାରେ ପାଞ୍ଚପାଦ ଗମନ କରାଯିବା ହିଁ ବିଧି ।’’

 

ଏପର୍ଯ୍ୟନ୍ତ ଶୁଦ୍ଧ ପୂର୍ବରଙ୍ଗ ବିଷୟରେ କୁହାଗଲା । ଏହାକୁ କିପରି ଚିତ୍ର ପୂର୍ବରଙ୍ଗରେ ପରିଣତ କରାଯାଏ ତାକୁ କହୁଅଛି । ପ୍ରଥମେ ଉତ୍‍ଥାପନ, ତତ୍ପରେ ପରିବର୍ତ୍ତନ, ତତ୍ପରେ ଚତୁର୍ଥ ବ୍ୟକ୍ତି ଦ୍ୱାରା ପ୍ରଦତ୍ତ ପୁଷ୍ପରେ ଅଳଂକୃତ କରି ସାରି ଉଚ୍ଚୈସ୍ୱରରେ ଗନ୍ଧର୍ବଂ ଗାନ (ମନ୍ତ୍ରର ଗାନ)ର ପରି ଗୀତ (ପ୍ରମାଣ) ବିଧି ଅନୁସାରେ କରିବ । ତତ୍ପରେ ଦେବଦୁନ୍ଦୁଭି ଘନ ଘନ ବାଜିବ । ଦେବବାଳାମାନେ ତଦ୍ରୂପଧାରଣୀ ନର୍ତ୍ତକୀ ଚାରିଆଡ଼େ ଫୁଲମାଳ ନିକ୍ଷେପ କରିବେ । ଏହିପରି ଚିତ୍ର ପୂର୍ବରଙ୍ଗ ହୁଏ । ଯେଉଁ ନ୍ୟାସ ଓ ଅପନ୍ୟାସ ଗୀତର ଅନ୍ତସ୍ୱର ନ୍ୟାସ ଓ ମଧ୍ୟସ୍ୱର ଅପନ୍ୟାସ ଯଥା ଅଙ୍ଗହାର ଯୁକ୍ତ ହୋଇଥାଏ, ତାହା ଚିତ୍ର ନାମରେ ଅଭିହିତ ହୁଏ ।”

 

“ଚିତ୍ର ପୂର୍ବରଙ୍ଗରେ ନାନ୍ଦୀ ଶ୍ଳୋକର ପ୍ରତିପାଦର ଶେଷରେ ପୃଥକ୍‍ ପୃଥକ୍‍ ଅଙ୍ଗହାରଦିର ପ୍ରୟୋଗ କରାଯିବ ।”

 

“ଦ୍ୱିଜଶ୍ରେଷ୍ଠମାନେ ! ଏହି ପ୍ରକାର ଶୁଦ୍ଧ ଓ ଜିତ୍‍ର ପୂର୍ବରଙ୍ଗରେ ପ୍ରୟୋଗ ହେବ । ଭାରତୀ ବୃତ୍ତିକୁ ଅବଲମ୍ବନ କରିଥିବା ଶୁଦ୍ଧ ତ୍ୟସର ପୂର୍ବରଙ୍ଗ କଥା ଏହି ପ୍ରକାରେ କହିଲି । ପ୍ରଯୋକ୍ତାମାନେ ଚିତ୍ର ପୂର୍ବରଙ୍ଗକୁ କିପରି କରିବେ ଏଠାରେ ତାହା କହୁଛି । ଏଥିରେ ଗୀତ ଓ ନୃତ୍ୟକୁ ଅଧିକ ବଜାଇବ ନାହିଁ । ପ୍ରସଙ୍ଗାତିରିକ୍ତ କରିବ ନାହିଁ । ପ୍ରସଙ୍ଗାତିରିକ୍ତ ଭାବେ ଗୀତ, ବାଦ୍ୟ ଓ ନୃତ୍ୟ ଅନୁଷ୍ଠିତ ହେଲେ ଅଭିନେତାମାନଙ୍କର ତଥା ଦର୍ଶକମାନଙ୍କର ଖେଦ (କ୍ଳାନ୍ତି) ଜାତ ହୁଏ । ଖେଦ ଗ୍ରସ୍ତ ଅଭିନେତାମାନଙ୍କର ଅଭିନୟରେ ରସ, ଭାବ, ପ୍ରଭୃତି ପରିସ୍ଫୁଟ ହୁଏ ନାହିଁ ।”

 

“ଏହି ବିଧିରେ ଅଭିନୟ ସହିତ ପୂର୍ବରଙ୍ଗ ପ୍ରୟୋଗ କରିସାରି ସୂତ୍ରଧରଙ୍କର ଗୁଣ ଓ ଆକୃତି ସହିତ ତୁଲ୍ୟଗୁଣ ଆକୃତି ବିଶିଷ୍ଟ “ସ୍ଥାପକ” ରଙ୍ଗଭୂମିରେ ପ୍ରବେଶ କରିବେ । ବୈଷ୍ଣବ ସ୍ଥାନ ଅବଲମ୍ବନ କରି ସୌଷ୍ଠବାଙ୍ଗ ପୂର୍ବକ ରଙ୍ଗ ମଧ୍ୟରେ ପ୍ରବେଶ କରି ସୂତ୍ରଧର ପରି ପଦକ୍ଷେପ କରାଯିବ । ସ୍ଥାପକର ପ୍ରବେଶ କାଳରେ ଯେଉଁ ଧ୍ରୁବ ଗୀତ ହେବ, ତାହା ତ୍ରସ୍ୟ ବା ଜୟଚତୁରସର ହୋଇଥିବ ଏବଂ ମଧ୍ୟ ଲୟ ବିଶିଷ୍ଟ ହେବ ।”

 

“ଦେବତା ଓ ବ୍ରହ୍ମତ୍ୱର ସୂଚିକା ଅନ୍ତଚାରୀ ଅବଲମ୍ବନ କରି ନାନାଭାବ ଓ ରସ ସମନ୍ୱିତ ମଧୁରାକ୍ଷର ଶ୍ଳୋକଦ୍ୱାରା ରଙ୍ଗସ୍ଥ-ଦର୍ଶକମାନଙ୍କୁ ପ୍ରସନ୍ନ କରାଇ କବିଙ୍କର ନାମ କୀର୍ତ୍ତନ କରିବେ । ତତ୍ପରେ କାବ୍ୟବସ୍ତୁର ସୂଚକ ପ୍ରସ୍ତାବନା କରାଯିବ । ଦିବ୍ୟ ନାୟିକାଦିଙ୍କୁ ଅବଲମ୍ବନ କରୁଥିଲେ ଦିବ୍ୟ, ମନୁଷ୍ୟକୁ ଅବଲମ୍ବନ କରୁଥିଲେ ମାନୁଷ୍ୟ ଏବଂ ଦିବ୍ୟ ତଥା ମାନୁଷ (କାବ୍ୟ) ହୁଏ । ମୂଖ, ବୀଜର ଅନୁରୂପ ହେବ । ଏଥିରେ ନାନା ମାର୍ଗ ଅବଲମ୍ବିତ ହୋଇଥିବ ଏବଂ ନାନାପ୍ରକାର ଉପକ୍ଷେପଦ୍ୱାରା କାବ୍ୟର ଉପକ୍ଷେପ ହେବ । କାବ୍ୟ ପ୍ରସ୍ତାବକ ବ୍ରାହ୍ମଣ ଏହି ପ୍ରକାର କାବ୍ୟର ପ୍ରସ୍ତାବନା କରି ପ୍ରସ୍ଥାନ କରିବେ ।”

 

“ଏହି ପ୍ରକାରେ ଦ୍ୱବିଧ ପୂର୍ବରଙ୍ଗକୁ ଅବନ୍ତି, ପଞ୍ଚାଳ, ଦାକ୍ଷିଣାତ୍ୟ, ଉଡ଼୍ର ଓ ମଗଧ ଦେଶବାସୀମାନେ କରିବେ ।”

 

ପୁନଶ୍ଚ “ଗୀତ ଚାରି ପ୍ରକାର କରାଯାଏ । ଯଥା-ମାଗଧୀ, ଅର୍ଦ୍ଦମାଗଧୀ, ସମ୍ଭାବିତା, ପୃଥୁଳା । ଚିତ୍ର ପୂର୍ବ ରଙ୍ଗରେ ମାଗଧୀ ବା ଅର୍ଦ୍ଦମାଗଧୀ ରୀତିଚିତ୍ର ମାର୍ଗରେ କରାଯାଏ । ମିଶ୍ରରେ ବାର୍ତ୍ତିକ ଅବଲମ୍ବନ ପୂର୍ବକ ସମ୍ଭାବିତା ଗୀତ କରାଯାଏ । ଶୁଦ୍ଧ ପୂର୍ବରଙ୍ଗରେ ପୃଥୁଳା ଗୀତ ଦକ୍ଷିଣ ମାର୍ଗରେ କରାଯାଏ” ଇତ୍ୟାଦି ।

 

ନାଟ୍ୟଶାସ୍ତ୍ର ପୂର୍ବରଙ୍ଗ ବର୍ଣ୍ଣନାରେ ଏହିପରି କେତେକ ତଥ୍ୟ ମିଳୁଅଛି । ପ୍ରବନ୍ଧଟିର କଳେବର ଅଧିକ ବୃଦ୍ଧି ନ କରି କେବଳ ତୁଳନାତ୍ମକ ବିଚାର ପାଇଁ ମୁଁ ଉପରୋକ୍ତ ଭାବେ ଉଦ୍ଧୃତ କରିଅଛି । ଏହି ପୂର୍ବରଙ୍ଗରେ ବହୁବିଧଭାବେ ମୃଦଙ୍ଗ ବାଦ୍ୟର ତାଳ, ଗୁରୁ ଲଘୁ ବିଚାର ଓ ବାଣୀ ଆଦି ଚର୍ଚ୍ଚା କରାଯାଉଅଛି । ବିନୀତ ଲେଖକର ସେ ବିଷୟରେ ଅତି କମ୍ ଜ୍ଞାନ ଥିବା ହେତୁ ଏଠାରେ କେବଳ ତତ୍‍ସମ୍ବନ୍ଧୀୟ ଦୁଇଟି ଧ୍ରୁବା ଶ୍ଳୋକ ଉଦ୍ଧାର କରୁଛି ।

 

“ବେଦ ବିଭୃଂ ତ୍ରିଭୃବନାଧିପତିଂ

କୌଳାସ-ପର୍ବତ-ଗୁହାଭିରତମ୍ ।

ଶୈଳେନ୍ଦ୍ର ରାଜତନୟା ଦୟିତଂ

ମୂର୍ଦ୍ଧାନତୋଽସ୍ମି ତ୍ରିପୁରାନ୍ତକରମ୍ ।୧୮୩।”

 

କିମ୍ବା

ଚନ୍ଦ୍ରାର୍ଦ୍ଧ ଭୂଷଣଜଟଂ ବରଂ ବୃଷଭକେତୁଂ

କୈଳାସପର୍ବତନିବାସିନଂ ସୁର ବରିଷ୍ଠମ୍ ।

ଶୈଳାଧିରାଜତନୟାପ୍ରିୟଂ ପ୍ରମଥନାଥଂ

ମୂର୍ଦ୍ଧାନତୋଽସ୍କିତ୍ରିପୁରାନ୍ତକଂ ପରମଯୋଗିମ ।୧୯୦।

 

ନାଟ୍ୟଶାସ୍ତ୍ର ବର୍ଣ୍ଣିତ ଏହି ପୂର୍ବରଙ୍ଗ ପରିବେଷଣ ସହିତ ଆଜିର ଆମର ଓଡ଼ିଶାରେ ଠିଆପାଲାର ପୂର୍ବରଙ୍ଗ ସହିତ ତୁଳନା କରନ୍ତୁ ଦେଖିବେ କେତେ ସାମଞ୍ଜସ୍ୟ ରହିଛି । ଆଜକୁ ଦୁଇହଜାର ବର୍ଷରୁ ଊର୍ଦ୍ଧ୍ୱ ଏହି ନାଟ୍ୟଶାସ୍ତ୍ରର ରଚନା ସମୟ କାଳର ଗତି ଅନୁସାରେ କେତେ କେତେ ସୃଷ୍ଟି ଘାତ ପ୍ରତିଘାତ ମଧ୍ୟରେ ଲୁପ୍ତ କିମ୍ବା ସମ୍ପୂର୍ଣ୍ଣ ନୂତନ ରୂପ ଗ୍ରହଣ କରି ସାରିଲେଣି, କିନ୍ତୁ ଓଡ଼ିଶାର ଏହି ଠିଆପାଲା ଏହାର କଳାକାରମାନଙ୍କର କ୍ରମ ମଞ୍ଚ ପ୍ରବେଶ, ବାଦ୍ୟକାରଙ୍କ ଦ୍ୱାରା କର୍ଣ୍ଣକଟୁ ଅକ୍ଷର ରଚିତ ଧ୍ରୁବା, ଶୁଷ୍କାବକୃଷ୍ଠା, ମଙ୍ଗଳସ୍ତୁତି, ଆବୃତ୍ତି ପଦବିକ୍ଷେପ, ପରିକ୍ରମା ପରିଗୀତ କ୍ରିୟା, ଅବକୃଷ୍ଟା, ଅନୁଚ୍ଚ ଉଚ୍ଚାରଣ, ସୂତ୍ରଧର ବିଦୂଷକ ପାରିପାର୍ଶ୍ୱିକଙ୍କ ମଧ୍ୟରେ ‘ତ୍ରିଗତ” କଥୋପକଥନ, ନାନ୍ଦି ପାଠ ବେଳେ ପାରିପାର୍ଶିକଗଣଙ୍କ “ହେଉ” ଉଚ୍ଚାରଣ, ସୂତ୍ରଧରଙ୍କ କଥାରେ ହସ ଜାତ କରାଇବା ଭଳି ବିଦୂଷକଙ୍କର ବିତଣ୍ଡାଯୁକ୍ତି, ବଚନିକା ଇତ୍ୟାଦି ସେହି ଆଦିମ କାଳରୁ ଆଜି ପର୍ଯ୍ୟନ୍ତ କିପରି ଠିକ୍ ସେହି ରୀତିରେ ରହି ଆସିଅଛି, ତହିଁରେ ଆଶ୍ଚର୍ଯ୍ୟ ହେବାକୁ ପଡ଼େ । ଅଜ୍ଞାତ ହେଲେ ସୁଦ୍ଧା ଗୋଟିଏ ଅତି ପ୍ରାଚୀନ ମୌଳିକ ଶାସ୍ତ୍ରୀୟ ନାଟ୍ୟ ପରିବେଷଣ ଶୈଳୀକୁ ପରମ୍ପରାଗତ ଅଭ୍ୟାସ ମାଧ୍ୟମରେ ଯୁଗ ଯୁଗ ଧରି ଯେଉଁ କଳାକାରମାନେ ରକ୍ଷାକରି ଆସିଛନ୍ତି, ସେହିମାନେ ହିଁ ଏ ଜାତିର ନମସ୍ୟ ଏହି ମାତୃଭୂମିର ଗର୍ବ ଅଟନ୍ତି ।

 

ପାଲାର ପ୍ରାଚୀନତା ସାବ୍ୟସ୍ତ କରିବା ପାଇଁ ଏହି ନାଟ୍ୟଶାସ୍ତ୍ର ହିଁ ବଳିଷ୍ଠ ପ୍ରମାଣ । ସମଗ୍ର ଭାରତରେ ଅନ୍ୟ କୌଣସି ପ୍ରଦେଶରେ କୌଣସି ନାଟ୍ୟକ୍ଷେତ୍ର ଓଡ଼ିଶାର ଏହି ଠିଆପାଲା ପରି ଏତେ ନିବିଡ଼ ଭାବରେ ନାଟ୍ୟଶାସ୍ତ୍ର ବର୍ଣ୍ଣିତ ପୂର୍ବରଙ୍ଗ ଅନୁସରଣ କରନ୍ତି ନାହିଁ,ଏହା ମଧ୍ୟ ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ ନୁହେଁ କି ?

 

ନାଟ୍ୟଶାସ୍ତ୍ର ଗବେଷଣା କାର୍ଯ୍ୟ ପାଇଁ ଆବଶ୍ୟକ ଆଧାର, ପୃଷ୍ଟଭୂମି ଓ ଦୃଷ୍ଟାନ୍ତ । ନାଟ୍ୟଶାସ୍ତ୍ର ଯେପରି ଚତୁରସର ପୁର୍ବରଙ୍ଗକୁ ସବିସ୍ତୃତ ବିଶ୍ଳେଷଣ କରିଅଛନ୍ତି, ସେଥିରୁ ସ୍ପଷ୍ଟ ପ୍ରତୀୟମାନ ହେଉଛି ଯେ ସମୟର ଅଭିନୀତ କୌଣସି ପାଲା ବା ପାଲିକୁ ଏହାର ରଚୟିତା ନିଗୂଡ଼ଭାବେ ଅନୁଧ୍ୟାନ କରିଥିଲେ । ନୋହିଲେ ଏତେ ସାମଞ୍ଜସ୍ୟ ମିଳନ୍ତା କେଉଁଠାରୁ ? ନାଟ୍ୟଶାସ୍ତ୍ରକୁ ପଢ଼ି ପରକଳାରେ କେହି ଚେଷ୍ଟାକରି ଏତେ ଆକ୍ଷରିକ ପ୍ରୟୋଗ କରିପାରିବା ମନେ କରାଯାଇପାରେ ନାହିଁ । କିନ୍ତୁ ନାଟ୍ୟଶାସ୍ତ୍ରକୁ ଅବଲମ୍ବନ କରି ‘ଧ୍ରୁବା’ ରଚନା ହୋଇଥିବା ବା ଅନ୍ୟକିଛି ବିଧିବିଧାନର ପ୍ରୟୋଗ କରିଥିବାର ବରଂ ବହୁ ଉଦାହରଣ ମିଳେ ।

 

ବର୍ତ୍ତମାନ ପାଲାରେ ପୂର୍ବରଙ୍ଗରେ ମୃଦଙ୍ଗ ବାଦ୍ୟକାର ଯେଉଁ ଶ୍ଳୋକ ଉଚ୍ଚାରିତ କରି ବାଦ୍ୟାରମ୍ଭ କରିଥାଆନ୍ତି ତାହାର ଐକ ଉଦାହରଣ ହେଉଛି ।

 

“ଆଦ୍ୟେ ପ୍ରଣମ୍ୟ ଗୁରୁପଦ ସାର,

ମୃଦଙ୍ଗ ବାଜେ ସତସତ ବାର ।

ସତସତ ବାର ପଦାରବିନ୍ଦେ

ମୂଢ଼ମତି ମୂଢ଼ମତି ବାଦ୍ୟ ପ୍ରବନ୍ଧେ”

 

କିମ୍ବା

 

“ଆଦ୍ୟେ ପ୍ରଣମ୍ୟ କୁରୁତେ ମୃଦଙ୍ଗ

ସଚୀସୂତ ବନ୍ଦିତ ପୂର୍ବ ତ୍ରିଭଙ୍ଗ,

ସଚ୍ଚିଦନନ୍ଦ ବିଗ୍ରହ ମୂରତି

ପ୍ରଣମ୍ୟ ପ୍ରଣମ୍ୟ ମୃଦଙ୍ଗ ବଦତି ।” ଇତ୍ୟାଦି

 

(ଉପରୋକ୍ତ ଶ୍ଳୋକ ଦୁଇଟି ଗାୟକ ଶେଖର ଶ୍ରୀ ଜଗନ୍ନାଥ ବେହେରାଙ୍କ ବାୟକ ଶ୍ରୀ ରଥ ପରିଡ଼ାଙ୍କଠାରୁ ସଂଗୃହୀତ)

 

ଏହୁ ଉପରୋକ୍ତ ଧ୍ରୁବାଗୁଡ଼ିକ ସହିତ ନାଟ୍ୟଶାସ୍ତ୍ର ବର୍ଣ୍ଣିତ ଧ୍ରୁବା ସଙ୍ଗେ ତୁଳନା କରାଗଲା, ନିଶ୍ଚିତଭାବେ ହୃଦୟଙ୍ଗମ କରି ହେଉଛି, ଏଗୁଡ଼ିକ ନାଟ୍ୟଶାସ୍ତ୍ରର ଛାୟାରେ, ବହୁପରେ ରଚନା କରାଯାଇଅଛି ।

ଅତଏବ ଭଗବାଙ୍କ ବୁଦ୍ଧଙ୍କ ବାଣୀ “ତ୍ରିପିଟକ” ଓ ତହାର ଟୀକା “ଅଟଠକଥା” ପ୍ରଚାର ଉଦ୍ଦେଶ୍ୟରେ ଯେଉଁ ପାଲ୍ଲି ଜଗତକୁ ଧର୍ମଧାରଣାରେ ରକ୍ଷା ପାଳନ କରି ଆସିଛି, ସେହି ଅନୁଷ୍ଠାନ କ୍ରମେ ବିବର୍ତ୍ତନ ଫଳରେ ଆଜିର “ପାଲା”ରେ ପରିଣତ ହୋଇଅଛି । ଏହା ସତ୍ୟ ବା ସୃଷ୍ଟିକର୍ତ୍ତାଙ୍କ ପ୍ରଶଂସା ମାତ୍ର ।

 

ଶାସ୍ତ୍ରୀୟ ନାଟ୍ୟରୂପ ବିଚାର

 

ପାଲାରେ ପରିବେଷଣ ଶୈଳୀ ପ୍ରାୟତଃ ସମ୍ପୂର୍ଣ୍ଣଭାବେ ନାଟ୍ୟଶାସ୍ତ୍ର ସମ୍ମତ ହୋଇପଡ଼ିଥିବାରୁ, ଏହାର ରୂପ ବିଚାର ନିତାନ୍ତ ଆବଶ୍ୟକ ଅଟେ ।

 

କେବଳ ‘‘ବୈଠକୀ ପାଲା” ଓ “ଠିଆ ପାଲାକୁ” ଏକ ତୁଳନାତ୍ମକ ବିଚାରକୁ ଆଣିଲେ, ନାଟ୍ୟର ଏକ କ୍ରମ ବିବର୍ତ୍ତନ ସ୍ପଷ୍ଟଭାବେ ବୁଝାଯାଇ ପାରିବ ।

 

ଧର୍ମବେଦାନ୍ତ କହି ଧର୍ମ, ଆଦର୍ଶ ଜୀବନ ଓ ସାମାଜିକ ଶୃଙ୍ଖଳା ବିଷୟରେ ଜନସାଧାରଣଙ୍କୁ ଅନୁପ୍ରାଣିତ କରିବା ଉଦ୍ଦେଶ୍ୟରେ ପ୍ରଥମେ ଧର୍ମ ସ୍ଥାନ, ମନ୍ଦିର ବା ଲୋକ ସମାଗମ ସ୍ଥାନମାନଙ୍କରେ ବୃତ୍ତାନ୍ତ ବ୍ୟଖ୍ୟାନ ହେଉଥିଲା । ଏହି ବୃତ୍ତାନ୍ତ ବ୍ୟଖ୍ୟାନରୁ ହିଁ ନାଟ୍ୟକାର୍ଯ୍ୟକ୍ରମର ସୃଷ୍ଟି । ଏହାର ଦୃଷ୍ଟାନ୍ତ ଦୈନିକ ଝଙ୍କଡ଼ର ସାରଳା ମନ୍ଦିରର ପାରମ୍ପରିକ ମହାଭାରତ ପଠନରେ ଦେଖିବାକୁ ମିଳିଥାଏ ।

 

ଏହି ବ୍ୟାଖ୍ୟାନର ବୃତ୍ତାନ୍ତ ପ୍ରଥମେ ପ୍ରଥମେ ହୁଏତ ମନଗଢ଼ାଭାବେ କାହାଣୀ ଥିଲା କିମ୍ବା ଲିଖିତାକାରରେ ଏହାକୁ ପଢ଼ି ଶୁଣାଇ ଦିଆଯାଉଥିଲା । ଏହି ବ୍ୟାଖ୍ୟାନ ସମୟେ ସମୟେ ଦୁର୍ବୋଧ୍ୟ ମନେହେଲେ ତାହାକୁ ପୁଣି ସରଳ ଭାଷାରେ, ଉଦାହରଣ ଇତ୍ୟାଦି ଦେଇ ବେଶୀ ଭଲଭାବରେ ହୃଦୟଙ୍ଗମ କରାଇ ଦିଆଯାଉଥିଲା ।

 

କ୍ରମେ ଏହି ବ୍ୟଖ୍ୟାନ ବର୍ଣ୍ଣନା ବା ପଠନକୁ ବିଶେଷ କୌତୁକପ୍ରଦ କରିବା ପାଇଁ, ଚିତ୍ତ ଆକର୍ଷକ କରାଇବା ପାଇଁ ଏଥି ସହ ସଂଳାପ, ସଙ୍ଗୀତ, ନୃତ୍ୟ, ଅଭିନୟ, ପାଳି, କୀର୍ତ୍ତନ ଆଦି ଯୋଡ଼ି ଦିଆଗଲା ।

 

କ୍ରମେ ବିଷୟ ବସ୍ତୁର ଚରିତ୍ରମାନଙ୍କ ସଙ୍କେତସ୍ୱରୂପ ଗୋଟିଏ ଗୋଟିଏ ସଖି କୁଣ୍ଢେଇ ସଜାଇ ରଖାଗଲା ଓ କ୍ରମେ ସଖୀକୁଣ୍ଢେଇଗୁଡ଼ିକ ସୂତାରେ ବାନ୍ଧି ଆବଶ୍ୟକ ଅନୁଯାୟୀ ନଚାଗଲା ଏବଂ ସେମାନଙ୍କ ସଂଳାପ ପଛକୁ କୁହାଗଲା । ବ୍ୟାଖ୍ୟାନ କର୍ତ୍ତା ସୂତାଧରି ନିୟନ୍ତ୍ରଣ କରୁଥିଲେ, ସେଥିପାଇଁ ତାଙ୍କ ନାମ ସୂତ୍ରଧର ହେଲା । ଗୋଟିଏ ଧାରାରେ କୁଣ୍ଢେଇ ନାଟ ସୃଷ୍ଟି ହୋଇ ସେ ଦିଗରେ ବଢ଼ି ବଢ଼ି ଚାଲିଲା ।

 

ଅନ୍ୟ ଏକ ଧାରାରେ କୁଣ୍ଢେଇ ପରିବର୍ତ୍ତେ ପ୍ରକୃତ ମନୁଷ୍ୟ ଚରିତ୍ରକୁ ବେଶଭୂଷା କରି ବସାଇ ଦିଆଯାଉଥିଲା । କ୍ରମଶଃ ଏକାଧିକ ଚରିତ୍ର ରହିଲେ । କ୍ରମଶଃ ସେମାନଙ୍କ ଦ୍ୱାରା ମୁକାଭିନୟ କରାଗଲା । ବ୍ୟାଖ୍ୟାନକାରୀଙ୍କ ନାମ ରହିଗଲା କୁଣ୍ଢେଇ ନାଟର ସୂତ୍ରଧର ଅନୁସାରେ ସୂତ୍ରଧର । କ୍ରମବିକାଶ ଫଳରେ ଏହି ମନୁଷ୍ୟ ଚରିତ୍ରମାନେ ନିଜେ ନୃତ୍ୟ କଲେ, ନିଜେ ଗୀତ ଗାଇଲେ, ନିଜେ ଅଭିନୟ କଲେ, ନିଜେ ନିଜର ସଂଳାପ କହିଲେ ଏବଂ କାଳକ୍ରମେ ଏହି ନଟନଟୀମାନେ ହିଁ ଉପାଖ୍ୟାନଟି ବ୍ୟକ୍ତ କଲେ ଏବଂ ସୂତ୍ରଧର ଆଉ ଆବଶ୍ୟକ ହେଲେ ନାହିଁ । ଏହୁ କେବଳ ଜଣେ ବ୍ୟକ୍ତି କାହାଣୀଟିକୁ ପଢ଼ାଇବା ଶୁଣାଇବା ଅବସ୍ଥାକୁ ବହୁ ଚରିତ୍ରବାନଙ୍କ ଦ୍ୱାରା କାହାଣୀଟି ବ୍ୟକ୍ତ କରାଇବା ପର୍ଯ୍ୟନ୍ତ ତ ନାଟ୍ୟରୂପର କ୍ରମ ବିବର୍ତ୍ତନ । ଏହି କ୍ରମ ବିକାଶ ଓ ବିବର୍ତ୍ତନ ଭିତରେ ଯେଉଁ ଯେଉଁ ଭିନ୍ନ ଭିନ୍ନ ଅବସ୍ଥାରେ ଏହା ଗତିକରି ଆସିଛି ତାହାରି ଅନୁଧ୍ୟାନ ଫଳରେ ହିଁ ଗବେଷକ, ଶାସ୍ତ୍ରକାରମାନେ ଭିନ୍ନ ଭିନ୍ନ ରୂପକ, ଉପରୂପକ ଇତ୍ୟାଦିର ସମୀକରଣ କରି ଅଛନ୍ତି । ପାତ୍ରପାତ୍ରୀ ସଂଖ୍ୟା, ସେମାନଙ୍କର ପ୍ରକାର ଭେଦ ଓ ପ୍ରାଧାନ୍ୟ, ବିଷୟବସ୍ତୁ, ରସବ୍ୟବହାର ଓ ରସ ପ୍ରାଧାନ୍ୟ, ଅଙ୍କ ବିଚାର, ଭାଷା ବିଭାଷା ପ୍ରୟୋଗ ଇତ୍ୟାଦିକୁ ବିଚାର କରି ଯେଉଁ ଯେଉଁ ସୂତ୍ରାଦିର ଭିତ୍ତି ପ୍ରସ୍ତୁତ କରିଅଛନ୍ତି, ତାହାକୁ ପଥପ୍ରଦର୍ଶକ ଭାବେ ଗ୍ରହଣ କରି ସେହି ମାନଦଣ୍ଡରେ ପାଲାକୁ ପରିମାପ କରିବା ବିାଧୟ । ୟ

 

କାବ୍ୟ ବିଚାର -ଶ୍ରାବ୍ୟ ଓ ଦୃଶ୍ୟ ୭୯୭୮୪୧୨୬୨୭/୯୦୯୦୯୫୫୪୯୯

 

ବୈଠକୀ ପାଲାରେ ବହି ପଢ଼ାଯାଏ ଭଣଙ୍କ ଦ୍ୱାରା । ଯଦି ମନଗଢ଼ା କାହାଣୀ କହିବାଟା ନାଟ୍ୟରୂପର ଆଦିମତମ ଅବସ୍ଥା ତେବେ ଲେଖା ବହିକୁ ନାଟକୀୟ ରୀତିରେ ପଠନ କରିବା ସେହିପରି ପୂର୍ବକ କିଛି କ୍ରମବିକାଶ ଓ ବିବର୍ତ୍ତନ । କିନ୍ତୁ ଏହା ରୂପକ ବା ଦୃଶ୍ୟକାବ୍ୟ ନୁହେଁ । କାରଣ ଏହାର ଅନ୍ତର୍ଗତ ହେବା ପାଇଁ ଯେଉଁ ପ୍ରାଥମିକ ଛଅଗୋଟି ମୌଳିକ ବସ୍ତୁ ଆବଶ୍ୟକ ତାହା ଏଥିରେ ପରିଦୃଷ୍ଟ ହୁଏ ନାହିଁ । ସେହି ଛଅ ଗୋଟି ମୌଳିକ ଉପାଦାନ ହେଲେ: ୧) କଥାବସ୍ତୁ ୨) ଚରିତ୍ର ବା ଚରିତ୍ର ଗଣ ୩) ସଂଳାପ ୪)ଗମନ ଶୀଳତା ୫) ସଙ୍ଗୀତ ୬) ପ୍ରେକ୍ଷା । ବୈଠକୀ ପାଲାରେ ଗମନଶୀଳତା ଓ ପ୍ରେକ୍ଷା ରହୁନାହିଁ । ଏଣୁ କାବ୍ୟର ପ୍ରକାର ଭେଦରେ ଏହା ଶ୍ରାବ୍ୟକାବ୍ୟ ପର୍ଯ୍ୟାୟଭୁକ୍ତ ଦୃଶ୍ୟକାବ୍ୟ ନୁହେଁ ।

 

ଅପର କ୍ଷେତ୍ରରେ ସେହି ଏକା ବିଷୟଟିରେ ଜଣେ ହେଉନା କାହିଁକି ଯଦି ଚରିତ୍ର ପୋଷାକ ସହ ଠିଆ ହୋଇଯାଇ ଏପାଖେ ସେପାଖେ ହେଉଛି ଦର୍ଶକଙ୍କ ପାଇଁ ଏକ ଭିନ୍ନ ରୁଚି ଆଣୁଛି ଏଣୁ ତାହା ଦୃଶ୍ୟକାବ୍ୟ ରୂପକ ବା ନାଟ୍ୟରୂପଭାବେ ଗ୍ରହଣୀୟ ।

 

ବର୍ତ୍ତମାନ ଆଲୋଚ୍ୟ “ଠିଆପାଲା”ଟିକୁ ଅନୁଧ୍ୟାନ କରାଯାଉ । ତାହା ଦୃଶ୍ୟ କାବ୍ୟ ହେବା ପାଇଁ ସମସ୍ତ ଉପାଦାନ ଯୋଗାଉଛି । କାରଣ ଏଥିରେ

 

୧) କଥାବସ୍ତୁ ରହିଛି, ଯେ କୌଣସି ପାଲା ଏକ କଥା ବସ୍ତୁ ଉପରେହିଁ ଆଧାରିତ ହୋଇଥାଏ ।

 

୨) ଚରିତ୍ର ବା ଚରିତ୍ରଗଣ ଅଛନ୍ତି । ବିଷୟବସ୍ତୁ ଅନୁସାରେ ସେମାନଙ୍କ ମଧ୍ୟରୁ ଗାୟକ ହେଲେ ‘ସ୍ଥାପକ’ ଶ୍ରୀପାଳିଆ ହେଲେ ସୂତ୍ରଧର, ମୃଦଙ୍ଗ ବାୟକ ହେଲେ ବିଦୂଷକ, ଅନ୍ୟ ଦୁଇ କିମ୍ବା କରତାଳ ଧରିଥିବା ପାଳିଆ ହେଲେ ଆବଶ୍ୟକ ଅନୁଯାୟୀ ଚରିତ୍ର ।

 

୩) ସଂଳାପ- ମୁଖ୍ୟତଃ ଗାୟକ ସ୍ଥାପକ ଭାବେ ବିଷୟବସ୍ତୁ ବ୍ୟଖ୍ୟାନ କଲେ ଏବଂ ଏହି ବର୍ଣ୍ଣନା ସମୟରେ ବିଭିନ୍ନ ସମୟରେ ମଧ୍ୟେ ମଧ୍ୟେ ଅନ୍ୟମାନେ (ସ୍ୱଳ୍ପ ସମୟ ପାଇଁ ହେଲେ ସୁଦ୍ଧା ଭିନ୍ନ ଭିନ୍ନ ଚରିତ୍ରର ଅବତାରଣ କରିଥାନ୍ତି । ବର୍ଣ୍ଣନା ସମୟରେ ଗାୟକ ଯଦି କହିବା ଆରମ୍ଭ କଲେ, ରାଜା କହିଲେ,-”ମନ୍ତ୍ରୀବର” କେହି ହଠାତ୍ ଉତ୍ତର ଦେଇଛନ୍ତି, ‘‘କୁହୁନ୍ତୁ ମହାରାଜା” । ଗାୟକ ଯଦି କହିଲେ, ପ୍ରେମିକ ପଚାରିଲା ’ପ୍ରେୟସୀ’ କେହି ହଠାତ୍ ଉତ୍ତର ଦେଉଛନ୍ତି “କୁହନ୍ତୁ ପ୍ରାଣନାଥ’’ । ଗାୟକ ବର୍ଣ୍ଣନା ସମୟରେ ଯଦି କହିଲେ ରାଜା କହୁଛନ୍ତି “ଦ୍ୱାରୀ” ବା “ହେ ଭଗବାନ” ତତ୍‍କ୍ଷଣାତ ଉତ୍ତର ମିଳୁଛି ‘‘ଓ” ଇତ୍ୟାଦି । ଏହା ବ୍ୟତୀତ କ୍ଷୁଦ୍ର ଦୃଶ୍ୟର ଅଭିନୟ ତ ବହୁସ୍ଥାନରେ କରାଯାଏ ଯହିଁରେ ଆଶୁ ସଂଳାପ ବ୍ୟକ୍ତହୁଏ ।

 

୪) ଗମନାଗମନ- କେବଳ ନୃତ୍ୟ ସମୟ ନୁହେଁ, ଅଭିନୟ ସମୟରେ ଗୀତ ବୋଲିବା ସମୟରେ କଳାକାରମାନେ ଆବଶ୍ୟକ ଅନୁଯାୟୀ ସ୍ଥାନ ପରିବର୍ତ୍ତନ କରନ୍ତି, ବସନ୍ତି, ଉଠନ୍ତି, କୁହନ୍ତି, ମରାମରି ହୁଅନ୍ତି, ପ୍ରେମ ସମ୍ଭାଷଣ କରନ୍ତି, କାନଧରି ବସ୍‌ଉଠ କରନ୍ତି, ଗୋଡ଼ାଗୋଡ଼ି ହୁଅନ୍ତି, ଜଣକ ପଛରେ ଜଣେ ଲୁଚନ୍ତି ଇତ୍ୟାଦି । ଅଭିନୟ ଏହି ଗମନାଶୀଳତା ଅନ୍ତର୍ଭୃକ୍ତ ।

 

୫) ସଙ୍ଗୀତ- ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ରହିଛି ।

 

୬) ପ୍ରେକ୍ଷା- ଦର୍ଶକମାନେ ଯାହା ଆଖିରେ ଦେଖନ୍ତି, ସାଜ, ପୋଷାକ, ପରିଚ୍ଛଦ, ଅଙ୍ଗଭଙ୍ଗୀ, ନୃତ୍ୟ, ବିଭିନ୍ନ ଅଭିନୟ । ଚାମର ଚାଳନା ପରିକ୍ରମା ଇତ୍ୟାଦି ଚକ୍ଷୁ ପାଇଁ ସରଞ୍ଜାମ ଯୋଗାଇଥାଏ । ଏ ପ୍ରେକ୍ଷା ଏକ ସ୍ଥିର ଚିତ୍ରର ନୁହେଁ । ଏହା ଗତିଶୀଳ ।

 

ଏହି ଦୃଶ୍ୟକାବ୍ୟ ବା ନାଟ୍ୟରୂପ ବା ରୂପକୁ ସାଧାରଣ ଦଶପ୍ରକାର ରୂପକ ଓ ଅଠର ପ୍ରକାର ଉପରୂପକ ବୋଲି ଶାସ୍ତ୍ରକାରମାନେ ବିଭକ୍ତ କରି ଯାଇଅଛନ୍ତି । ମୁଖ୍ୟ ଦଶ ରୂପକ ହେଲେ: ନାଟକ, ପ୍ରକରଣ, ଭାଣ, ବ୍ୟୟୋଗ, ସମବକାର, ଡିମ, ଇହାମୃଗ, ଅଙ୍କ, ବିଥି ଓ ପ୍ରହସନ ।

 

ଉପରୂପକ ହେଲେ- ନାଟିକା, କ୍ରୋଟକ, ଗୋଷ୍ଠୀ, ସଟ୍ଟକ, ନାଟ୍ୟରାସକ, ପ୍ରସ୍ଥାନକ, ଉଲ୍ଲାପ୍ୟ, କାବ୍ୟ, ପ୍ରେଙ୍ଖଣ୍ଡ, ରାସକ, ସଂଳାପକ, ଶ୍ରୀଗଦିତ, ଶଳ୍ପକ, ବିଳାସିକା, ଦୁର୍ମଲ୍ଲିକା, ପ୍ରକରଣିକା, ହଲ୍ଲୀଶ, ଭାଣିକ । ପ୍ରବନ୍ଧଟିକୁ ଅତି ଦୀର୍ଘ ନ କରିବା ଉଦ୍ଦେଶ୍ୟରେ ଏ ସମସ୍ତର ଅର୍ଥ ବାଖ୍ୟା କରାଗଲା ନାହିଁ ।

 

ଏହି ଠିଆପାଲା କେଉଁ ରୂପକ ବା ଉପରୂପକ ପର୍ଯ୍ୟାୟଭୁକ୍ତ ହେବ, ସେ ସମ୍ପର୍କରେ ଗଭୀର ଅନୁଧ୍ୟାନ ଓ ଗବେଷଣା କରାଯାଇନାହିଁ । ସ୍ଥୂଳତଃ ଏହାକୁ “କାବ୍ୟ ଓ ରାସକ” ଏହି ଦୁଇ ଉପରୂପକର ସମନ୍ୱୟ ବୋଲି ଗ୍ରହଣ କରାଯାଇପାରେ ।

 

ରସକ:

 

“ରାସକଂ ପଞ୍ଚପାତ୍ରଂ ସ୍ୟାନ୍ମୁ ଖନିର୍ବହଣାନ୍ୱିତମ୍ ।

ଭାଷା ବିଭାଷା ଭୂୟିଷ୍ଠଂ ଭାରତୀ କୈଶକୀଯୁତମ୍ ।

ଅସୂତ୍ରଧରମେକାଙ୍କଂ ସବୀଥ୍ୟଙ୍ଗା କଳାନ୍ୱିତମ୍ ।

ଶ୍ଳଷ୍ଟନାନ୍ଦୀଯୁତଂ ଖ୍ୟାତନାୟିକଂ ମୂର୍ଖନାୟକାମ୍ ।

ଉଦାତ୍ତଭାବ ବିନ୍ୟାସସଂଶ୍ରିତଂ ଚୋରରୋତ୍ତରମ୍ ।

ଇହ ପ୍ରତିମୁଖଂ ସନ୍ଧିମପି କେଚିତ୍ ପ୍ରଚକ୍ଷତେ ।”

 

ଅର୍ଥାତ “ପାଞ୍ଚଜଣ ପାତ୍ରଙ୍କୁ ନେଇ ଏକ ଅଙ୍କରେ ‘ରାସକ’ ଅଭିନୀତ ହୁଏ । ଏଥିରେ ମୁଖ ଓ ନିର୍ବାହଣ ସନ୍ଦି, ଭାରତୀ ଓ କୈଶକୀ ବୁତ୍ତି, ନୃତ୍ୟଗୀତାଦି ଚତୁଃଷଷ୍ଠି ପ୍ରକାର କଳା, ମୂର୍ଖନାୟକ ଓ ପ୍ରସିଦ୍ଧନାୟିକା ପ୍ରଭୃତି ସନ୍ନିବିଷ୍ଟ ହୋଇଥାନ୍ତି ଏବଂ ଭାଷା ଓ ବିଭାଷାର ବହୁଳ ପ୍ରୟୋଗ ଦେଖାଯାଏ ।’’

 

(ଓଡ଼ିଆ ଅର୍ଥ ଶ୍ରୀ ଭଗବାନ ପଣ୍ଡାଙ୍କ ସମ୍ପାଦିତ ପ୍ରହ୍ଲାଦ ନାଟକରୁ ସଂଗୃହୀତ)

 

କାବ୍ୟ:

 

“କାବ୍ୟ ମାରଭଟୀହୀନମେକାଙ୍କଂ ହାସ୍ୟସଂଙ୍କୁଳମ୍ ।

ଖଣ୍ଡ ମାତ୍ରାଦ୍ୱିପବିକାଭଗ୍ନତାଳୈରଲଙ୍କୃତମ୍ ।

ବର୍ଣ୍ଣମାତ୍ରାଚ୍ଛଗଣିକାୟୁତଂ ଶୃଙ୍ଗାର ଭାଷିତମ୍ ।

ନେତା ସ୍ତ୍ରୀ ଚାପୁଦାତ୍ତାକ୍ର ସନ୍ଧୀ ଆଦ୍ୟୌ ତଥାନ୍ତିମଃ ।

 

ଅର୍ଥାତ୍‍ “କାବ୍ୟ କବିକର୍ମେତି”- କବିର କର୍ମ ହିଁ କାବ୍ୟ; ତେଣୁ ଏହା କାବ୍ୟ ନାମକ ଉପରୂପକରୂପେ ଅଭିହିତ । ଭଗ୍ନତାଳ, ଦ୍ୱପଦିକା ଓ ଖଣ୍ଡମାତ୍ରାଦି ଗୀତଭେଦ; ବର୍ଣ୍ଣମାତ୍ରା ଛଗଣିକାଦି ଛନ୍ଦ ବିଶେଷ ଶୃଙ୍ଗାର ସହିତ ହାସ୍ୟରସ, ଧୀରୋଦାତ୍ତ ନାୟକ ଓ ନୟିକା; ମୁଖ, ପ୍ରତିମୁଖ ଓ ନିର୍ବହଣ ସନ୍ଧିକୁ ନେଇ ଏକ ଅଙ୍କରେ ପ୍ରଣୀତ କାବ୍ୟ ‘‘ଉପରୂପକ ନାମରେ ନାମିତ ହୁଏ ।”

 

(ଅର୍ଥଟି ଶ୍ରୀ ଭଗବାନ ପଣ୍ଡାଙ୍କ ସମ୍ପାଦିତ ପ୍ରହ୍ଲାଦ ନାଟକରୁ ସଂଗୃହୀତ)

 

ସତ୍ୟନାରାୟଣଙ୍କ ପୂଜା ବହୁ ପ୍ରାଚୀନ

 

ପାଲାରେ ‘ଗଣେ, ନାରାୟଣେ, ରୁଦ୍ରେ, ଅମ୍ବିକେ, ଭାସ୍କର ଏହି ପଞ୍ଚ ଦେବତାଙ୍କର ପୂଜା ସମ୍ପାଦନ ହୁଏ । ସତ୍ୟନାରାୟଣ ଏହି ପଞ୍ଚ ଦେବତାଙ୍କର ପ୍ରତୀକ ଅଟନ୍ତି । ଶିବ ଅନାର୍ଯ୍ୟ ଦେବତା ହେଲେ ସୁଦ୍ଧା ଆର୍ଯ୍ୟୋତ୍ତର ସଂସ୍କୃତି ଏହାକୁ ସଂହତି ଉଦ୍ଦେଶ୍ୟରେ ବେଦ, ଉପନିଷଦ ଇତ୍ୟାଦିରେ ଗ୍ରହଣ କରିଛନ୍ତି । କେବଳ ଭାରତ ନୁହେଁ ଗ୍ରୀସ୍‌, ମିଶର ଆଦି ବିଦେଶରେ ଶବ ପୂଜା ବହୁ ବିଧଭାବେ ପ୍ରଚଳିତ ଥିଲା । ଠିକ୍ କେଉଁ ସମୟଠାରୁ ଆର୍ଯ୍ୟ ଅନାର୍ଯ୍ୟ ସଂସ୍କୃତିର ସମନ୍ୱୟ ଘଟିଛି ବା ପଞ୍ଚଦେବତାଙ୍କ “ସତ୍ୟନାରାୟଣ”ଭାବେ ଆଖ୍ୟାୟିତ କରାଯାଇଛି, ତାହା ଜାଣିବା ସହଜ ସାଧ୍ୟ ନୁହେଁ ।

 

ସ୍କନ୍ଦ ପୁରାଣ, ରେବାଖଣ୍ଡରେ ବର୍ଣ୍ଣିତ ଅଛି:

 

“ଯସ୍ମିନ କସ୍ମିନ ଦିନେ ମତ୍ୟୋ ଭକ୍ତି ଶ୍ରଦ୍ଧା ସମନ୍ୱତଃ

ସତ୍ୟନାରାୟଣ ଦେବଂ ଯଜେତ ତୁଷ୍ଟୋ ନିଶାମୁଖେ ।

“ପ୍ରସାଦଂ ଭକ୍ଷୟେତଂ ଭକ୍ତ୍ୟାନୃତ୍ୟଗୀତଦିକଂ ଚରେତଂ

ଏବଂ କୃତ୍ୱା ମନୁଷ୍ୟାଣାଂ ବାଞ୍ଛା ସିଦ୍ଧିର୍ଭବେତଂ ଧ୍ରୁବମ୍ ।”

 

ସଭକ୍ତି ସତ୍ୟନାରାୟଣଙ୍କ ପୂଜା କଲେ ମନୋବାଞ୍ଛା ପୂର୍ଣ୍ଣ ହୁଏ । ଏହା କେବଳ ଓଡ଼ିଶା ନୁହେଁ, ସମଗ୍ର ହିନ୍ଦୁ ସମାଜରେ ସାରା ଭାରତ ବର୍ଷରେ ବହୁ ପ୍ରାଚୀନ କାଳରୁ ଏହା ପାଳନ କରାଯାଉଛି ଏବଂ ସଙ୍ଗୀତ, ବ୍ରତକଥା, ପୂଜା ଇତ୍ୟାଦି ବିଷୟରେ ମହାରାଷ୍ଟ୍ର, କର୍ଣ୍ଣାଟକ, ଉତ୍ତର ପ୍ରଦେଶ ଓ ଉତ୍କଳରେ ପ୍ରାଚୀନ ଲେଖାମଧ୍ୟ ରହିଅଛି ।

 

ବୁଦ୍ଧଦେବଙ୍କ ପୂର୍ବବର୍ତ୍ତୀ ସମୟରେ ସମାଜରେ ଘନ ଅନ୍ଧକାର ବ୍ୟାପୀ ରହିଥିଲା, ନାନା ମୁନିଙ୍କ ନାନା ମତ ପ୍ରଚଳିତ ଥିଲା । ଶିବୋପାସକ, ବିଷ୍ଣୁଉପାସକ, ଶକ୍ତିଉପାସକ, ସୂର୍ଯ୍ୟେଉପାସକ, ଗଣଉପାସକମାନଙ୍କ ମଧ୍ୟରେ ମତଭେଦ ଅନ୍ଧ ବିଶ୍ୱାସ ଯୋଗୁଁ ସମାଜ ବିପର୍ଯ୍ୟସ୍ତ ହୋଇ ପଡ଼ିଥିଲା; ଅଶାନ୍ତ ଲାଗି ରହିଥିଲା । ଏହା ହୃଦୟଙ୍ଗମ କରି ବୁଦ୍ଧଦେବ ଗୃହତ୍ୟାଗପୂର୍ବକ ତପସ୍ୟା ବଳରେ ଏକ ନୁତନ ଧର୍ମ ‘‘ବୌଦ୍ଧଧର୍ମ” ସୃଷ୍ଟିକରି ପ୍ରଚାର କରାଇଥିଲେ ଏବଂ ଏହାଙ୍କ ଶିଷ୍ୟମାନେ ଏହି ଧର୍ମଦ୍ୱାରା ପୃଥିବୀବ୍ୟାପୀ ଲୋକମାନଙ୍କୁ ଅନୁପ୍ରାଣୀତ କରାଇପାରିଥିଲେ । ‘ରାଜାନୁଗତଧର୍ମ’ ହିସାବରେ ନିଧର୍ମର ରାଜା କ୍ରମଶଃ ଶାସନ ଅଧିକାରରେ ରହିବାରୁ ଏହି ଧର୍ମର ପୃଷ୍ଟପୋଷକତା ହ୍ରାସ ହେଲା । କ୍ରମଶଃଶୈବ, ଶାକ୍ତ, ବୈଷ୍ଣବ ଆଦି ସମ୍ପ୍ରଦାୟମାନେ ନିଜ ନିଜର ପ୍ରଭାବ ଅନୁଯାୟୀ କ୍ଷେତ୍ର ଦଖଲ କରିବାକୁ ଲାଗିଲେ ।

 

କଳିଙ୍ଗ ଯୁଦ୍ଧପରେ ମଗଧ ସମ୍ରାଟ ଅଶୋକ ଉପଗୁପ୍ତଙ୍କ ଦ୍ୱାରା ବୌଦ୍ଧଧର୍ମରେ ଦୀକ୍ଷିତ ହେଲେ ଏବଂ ନିଜର ସମସ୍ତ ଶକ୍ତି, ସାମର୍ଥ୍ୟ ସହ ଏହି ଧର୍ମର ପ୍ରଚାର କରାଇଥିଲେ । ଏହାଙ୍କ ମୃତ୍ୟୁର କିଛିବର୍ଷ ପରେ କଳିଙ୍ଗ ସମ୍ରାଟ ଖାରବେଳ ଆବିର୍ଭୃତ ହୋଇ କଳିଙ୍ଗର ହୃତଗୌରବ ଫେରାଇ ଆଣିବାରେ ସମର୍ଥ ହୋଇଥିଲେ । ଭରତମୁନିଙ୍କ ନାଟ୍ୟଶାସ୍ତ୍ର ଲେଖିବା ସମୟ ଓ ଖାରବେଳଙ୍କ ରାଜତ୍ୱ, ସମସାମୟିକ ବୋଲି ବହୁ ଗବେଷକଙ୍କ ମତ । ନାଟ୍ୟଶାସ୍ତ୍ର ପୂଜା ପଦ୍ଧତିରେ କୌଣସି ଦେବାଦେବୀ ବାଦ ଯାଇ ନାହାଁନ୍ତି , ଯଦିଓ ଶିବଙ୍କୁ ଏଥିରେ ଅଧିକ ମହତ୍ୱ ପ୍ରଦାନ କରାଯାଉଅଛି । ଏହା ଖ୍ରୀ: ପୂ :୨୦୦ ଏବଂ ୧୦୦ ମଧ୍ୟରେ ରଚିତ । ବୌଦ୍ଧଧର୍ମର ପ୍ରଚାର ସଙ୍ଗେ ସଙ୍ଗେ ସନାତନ ଧର୍ମର ଅନ୍ୟାନ୍ୟ ସମ୍ପ୍ରଦାୟଗୁଡ଼ିକ ମଧ୍ୟ ନିଜ ନିଜର କାର୍ଯ୍ୟ ଅବ୍ୟାହତ ରଖିଥିଲେ । ଏହି ଘଡ଼ିସନ୍ଧି ସମୟରେ ସନାତନ ଧର୍ମର ମନୀଷୀମାନେ ହିନ୍ଦୁମାନଙ୍କୁ ଏକତ୍ରିତ କରିବା ଉଦ୍ଦେଶ୍ୟରେ ବହୁଭାବେ ଚେଷ୍ଟିତ ହୋଇଥିଲେ । ଏଥିପାଇଁ ଏକ ନୂତନ ଦୃଷ୍ଟିଭଙ୍ଗୀ ବା ଦିଗ୍‍ଦର୍ଶନରେ ସୂତ୍ରପାତ ହୋଇଥିଲା । ଏହାଫଳରେ ପଞ୍ଚଦେବତାଙ୍କ ବିଶିଷ୍ଟ ସ୍ଥାନ ଦିଆଗଲା । ଖ୍ରୀଷ୍ଟୀୟ ଚତୁର୍ଥ ଶତାବ୍ଦୀ ସମୟକୁ ବ୍ରହ୍ମଣ୍ୟ ଧର୍ମ ତଥା ଭାଗବତ ଧର୍ମ ପୁନଃ ପ୍ରସାରିତ ହେବା ଫଳରେ ସନାତନ ଧର୍ମର ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ଏକ ସମନ୍ୱୟ ସୃଷ୍ଟି ହୋଇପାରିଥିଲା । ସର୍ବ ଦେବଦେବୀଙ୍କ ପ୍ରତିନିଧିତ୍ୱ ବା ପ୍ରତିକରୂପେ ଯେପରି ‘ଗଣେଷ’ ନାରାୟଣେ, ରୁଦ୍ରେ, ଅମ୍ବିକେ, ଭାସ୍କର ପଞ୍ଚଦେବତାଙ୍କୁ ଗ୍ରହଣ କରାଗଲା, ସେହିପରି ଏହି ପଞ୍ଚଦେବତାଙ୍କ ପ୍ରତୀକ ହେଲେ ‘ସତ୍ୟନାରାୟଣ’ । ସେ ହେଲେ ସର୍ବମୟ-ଜଗତର ହର୍ତ୍ତା, କର୍ତ୍ତା ଏବଂ ଦୈବ ବିଧାତା । ଦଶମ ଶତାବ୍ଦୀ ଶେଷ ସମୟକୁ ଅର୍ଥାତ୍‍ ଓଡ଼ିଶାରେ ଗଙ୍ଗବଂଶ ପ୍ରତିଷ୍ଠିତ ହେବାର ପ୍ରାକ୍ କାଳରେ ଓଡ଼ିଶାରେ ନାରାୟଣପୂଜା ବିଶେଷ ଭାବରେ ଲୋପ୍ରିୟ ହୋଇପାରିଥିଲା ।

 

ଦଶମ ଶତାବ୍ଦୀରେ ଓଡ଼ିଶାରେ ସ୍ଥାନୀୟ ପ୍ରାକୃତ ଭାଷା ଲୋକ ବ୍ୟବହାରରେ ଚଳୁଥିଲେ ହେଁ ପୂଜା ଇତ୍ୟାଦି ପାଇଁ ଓ ଲେଖାଲେଖି ପାଇଁ ସଂସ୍କୃତ ଭାଷା ହିଁ ପ୍ରଚଳିତ ହେଉଥିଲା । ପୂଜା ସମୟରେ ସତ୍ୟନାରାୟଣଙ୍କ ପ୍ରଶସ୍ତି ସଂସ୍କୃତରେ ଗାନ କରାଯାଉଥିଲା ଏବଂ ବ୍ୟଖ୍ୟାକାର ସ୍ଥାନୀୟ ପ୍ରାକୃତରେ ତାହାକୁ ବୁଝାଉଥିଲେ । ସେ ସମୟରେ ସମସ୍ତ ଧର୍ମ ସମ୍ବନ୍ଧୀୟ ବା କବିର କାର୍ଯ୍ୟରେ ସଂସ୍କୃତ ହିଁ ବ୍ୟବହାର କରାଯାଉଥିଲା । ସଂସ୍କୃତରେ କିପରି ପାଲା ହେଉଥିଲା ତାହା ପୁରୀର ସଂସ୍କୃତ ମହାବିଦ୍ୟାଳୟ ତରଫରୁ ଗତ କେତେବର୍ଷ ହେଲା ପୂନର୍ବିକାଶ କରାଯାଇଛି ଏବଂ ଅତ୍ୟନ୍ତ ଲୋକପ୍ରିୟ ହେଉଅଛି । ଦଶମ ଶତାବ୍ଦୀ ପରବର୍ତ୍ତୀ କାଳ ସମୟଟି ଓଡ଼ିଶାଭାଷା ବିକଶିତ ହେବାର ଏକ ଘଡ଼ିସନ୍ଧି ସମୟ । ବହୁ ସଂସ୍କୃତ ଶବ୍ଦ ଅପଭ୍ରଶଂ ହୋଇ ଓଡ଼ିଶାରେ ମିଶିଲା କିମ୍ବା ପ୍ରଚଳିତ ପ୍ରାକୃତ, ମାର୍ଜିତ ହୋଇ ଓଡ଼ିଶାରେ ବ୍ୟବହାର ହେଲା କ୍ରମଶଃ ଓଡ଼ିଆ ଲେଖା ପାଇଁ ଲିପି ମଧ୍ୟ ମାର୍ଜିତ ହେବାକୁ ଲାଗିଲା ଓ ଓଡ଼ିଶାରେ ଲେଖାଲେଖି ମଧ୍ୟ କ୍ରମଶଃ ପ୍ରଚଳିତ ହେଲା ।

 

ଚୋଡ଼ଗଙ୍ଗଙ୍କ ସମୟରେ ମାଦଳାପାଞ୍ଜି ଲେଖିବା ଆରମ୍ଭ ହୋଇଥିଲା (ଖ୍ରୀ ୧୦୭୭) ତାହାକୁ ଓଡ଼ିଆ ଲେଖାମାନଙ୍କ ମଧ୍ୟରେ ସର୍ବପ୍ରାଚୀନ ବୋଲି ଗ୍ରହଣ କରାଯାଏ । ସେହି ସମୟବେଳକୁ ଓଡ଼ିଆ ଭାଷାର ରୂପରେଖ ସ୍ପଷ୍ଟ ହୋଇ ଯାଇଥାଏ । ଏହାର ପୂର୍ବବର୍ତ୍ତୀ ସମୟରେ ଯେତେବେଳେ ନାରାୟଣଙ୍କ ପୂଜା ସର୍ବତ୍ର ବ୍ୟାପ୍ତ ହୋଇଥିଲା ସେତକିବେଳେ ଏହା ସତ୍ୟନାରାୟଣ ପୂଜା ନାମରେ ଅବିହିତ କରାଯାଇଥିବ ଏବଂ ଏହି ସମୟରେ ଭଗବାନଙ୍କ ପ୍ରଶସ୍ତି ଗାନ ସଂସ୍କୃତ ଭାଷାରେ ‘ପାଲୀ’ (କିମ୍ବା ବୁଦ୍ଧ ବଚନ ପାଇଁ ବ୍ୟବହୃତ ‘ପାଳି’) ଓଡ଼ିଶାରେ ପାଲା ନାମରେ ଅଭିହିତ ହୋଇଥିବ । ନିର୍ଦ୍ଧିଷ୍ଟ ସନାରାୟଣ ବିଷୟ ବ୍ୟତୀତ ମଧ୍ୟ ପାଲା ହୋଇପାରିବ, କାରଣ ସବୁ ତାଙ୍କରି ଲୀଳା ।

 

ସାରଳା ଦାସଙ୍କୁ ଓଡ଼ିଆ ଭାଷାରେ ‘ଆଦିକବି’ କୁହନ୍ତି, କାରଣ ୧୫ଶ ଶତାବ୍ଦୀ ପୂର୍ବରୁ ସାରଳା ଦାସଙ୍କ ରଚିତ ‘ମହାଭାରତ’ ଭଳି ଏଡ଼େ ବିରାଟ ମୌଳିକ ଗ୍ରନ୍ଥ କେବଳ ଓଡ଼ିଆରେ ନୁହେଁ, ସମଗ୍ର ଭାରତର କୌଣସି ଭାଷାରେ ଲିଖିତ ହୋଇନଥିଲା । କିନ୍ତୁ ୧୫ଶ ଶତାବ୍ଦୀ ପୂର୍ବରୁ ଓଡ଼ିଆ ଭାଷାରେ ବହୁ ଓଷାକଥା ଓ ବ୍ରତକଥା ମିଳୁଥିଲା । ତନ୍ମମଧ୍ୟରୁ ଉଦାହରଣସ୍ୱରୂପ କେତୋଟି ଏଠାରେ ପ୍ରଦତ୍ତ ହେଲା ।

 

ସୋମନାଥ ବ୍ରତ କଥା (୧୩ଶ ବା ୧୪ଶ ଶତାବ୍ଦୀ)

 

“ପରମେଶ୍ୱର କହନ୍ତି, ଦେବୀ ଶୁଣନ୍ତି । ଶୁଣ ଦେବୀ ପାର୍ବତୀ, ମାଳବ ବୋଲି ଦେଶ । ତହିଁ ପାଟଳି ବୋଲି ନଗ୍ର । ତହିଁ ବୀର ବିକ୍ରମାଜିତ ବୋଲି ରାଜା । ସେ ରାଜା ମହାପ୍ରତାପୀ । ସେ କଟକର ଅନେକ ମହିମା । ଘରେ ଘରେ ସୁବର୍ଣ୍ଣ କଳସ ବସାନ୍ତି । ଧବଳମୟ ପୁର, ଅତି ସୁନ୍ଦର ।”

ଏହି ଲେଖାର ଗଦ୍ୟ ଶୈଳୀ ଲଳିତ୍ୟମୟ । ଏହା ମଧ୍ୟ ଭଗବାନଙ୍କ ପ୍ରଶସ୍ତି ଗାନ କରେ, ଏହାକୁ ମେହଠକୀ ରୂପେ ବୋଲାଯାଏ । ରୂପଦେଲେ ଏହା ମଧ୍ୟ “ଠିଆ” ଭାବେ ଅଭିନୟ କରାଯାଇପାରିବ । ଅତଏବ ଏହା ମଧ୍ୟ ପାଲା । ପ୍ରକୃତରେ ଏହା ସେପରି ବ୍ୟବହୃତ ହୋଇଥିବ । ଆଉ ଗୋଟିଏ ଉଦାହରଣ:

 

ବଚ୍ଛାଦାସଙ୍କ କଳସା ଚଉତିଶାରୁ (ସାରଳା ଦାସଙ୍କ ପୂର୍ବ)

 

“କହନ୍ତି କାମିନୀ ଶୁଣ ହେମନ୍ତ ଦୁଲଣୀ,

କାହୁଁ ବରେ ବରିଲେ ତୁମର ପିତା ମଣୀ ।

କୁଳମୂଳ ଗୋତ୍ର ଆଦି ନାହିଁ ଜାଣ ତାର,

କନକ ବେଦୀରେ ବୁଢ଼ା ବସିଛି ମଧ୍ୟର ।”ଇତ୍ୟାଦି ।

 

ଏହି ପ୍ରକାର ପଦ୍ୟରେ ଲଖିତ କଳସାଟି ‘‘ଶିବ ଗୌରୀ”ଙ୍କ ବିବାହ ସମ୍ବାଦ ଏବଂ ପ୍ରଶସ୍ତି । ଏହାକୁ ବୈଠକୀରୂପେ ଯେପରି ବ୍ୟବହାର କରାଯାଇ ପାରିବ, ରୂପ ଦେଇ ସେହି ରୂପେ ‘ଠିଆ ପାଲା’ ମଧ୍ୟ କରାଯାଇପାରିବ ।

 

ଆହୁରି ଗୋଟିଏ ଉଦାହରଣ ଦେଉଛି;

 

ଖୁଦୁରୁକୁଣୀ ଓଷା (୧୫ଶ ଶତାବ୍ଦୀ ପୂର୍ବରୁ)

 

“ତଅପୋଇକି ସେବିଥିବ

ଯେମନ୍ତେ ଏହୁ ନ ଝୁରିବ ।

ଭୋଜନ ଦେବ ବେଳ ଜାଣି

ହସି କହିବ ଚାଟୁବାଣୀ ।

ପ୍ରଭାତୁ କରାଇବ ସ୍ନାନ

ପିନ୍ଧାଇ ସୁଝୀନ ବସନ

ଅମୃତ ଭୋଜନ କରାଇ

ପଲଙ୍କେ ଶୁଆଇବ ନେଇ ।

ଥୋକାଏ ବେଳ ଗଲେ ପୁଣି

ମୁଖ ପଖାଳି ବାସ ପାଣି ।

ସ୍ୱାଦୁ ପଦାର୍ଥ ଉପଚାର

ନେଇଣ ଦେବ ତତପର ।

ବେଶ ବସନ କରାଇବ

ଦୋଳିରେ ନେଇ ପଞ୍ଚାଇବ ।

ଏମନ୍ତେ ସର୍ବ ନୀତି ମାନ

ସେବିଣ ଥିବ ପ୍ରତିଦିନ ।” ଇତ୍ୟାଦି ।

 

ଏହି ତଅପୋଇ ଉପାଖ୍ୟାନରେ ମଧ୍ୟ ଭଗବାନଙ୍କ ପ୍ରଶସ୍ତି ରହିଛି । ଏହା ନିଶ୍ଚିତଭାବେ ‘ପାଲା’ରେ ବ୍ୟବହୃତ କରାଯାଉଥିଲା ।

 

କେବଳ ଏତିକି ନୁହେଁ, ଓଡ଼ିଆ ଭାଷାର ଏକ ବଳିଷ୍ଠ ସ୍ୱତନ୍ତ୍ର ରୂପରେଖ ଗଠନ ହେବା ଦିନଠାରୁ ଭଗବାନଙ୍କ ପ୍ରଶସ୍ତିଗାନ ପୂର୍ବକ ନିର୍ଦ୍ଦିଷ୍ଟ ଉପାଖ୍ୟାନ ଆଧାରିତ ଯେତେ ଯେତେ କାବ୍ୟ ରଚନା ହୋଇଅଛି, ସେ ସବୁ ବିଶେଷଭାବେ ଏହି ଚମତ୍କାର ନାଟ୍ୟ ପରିବେଷଣ ଶୈଳୀ ‘ପାଲା’ଦ୍ୱାରା ଯେ ସର୍ବତ୍ର ପ୍ରଚାର କରାଯାଉଥିଲା ଏଥିରେ ସନ୍ଦେହ ନାହିଁ । ପ୍ରାଚୀନ କାଳରେ ଆଜିଭଳି ରେଡ଼ିଓ, ଟେଲିଭିଜନ ସମ୍ବାଦପତ୍ର ବା ଚଳଚିତ୍ର ଥାଇ ଆଦି ନ ଥାଇ ପୂର୍ବତନ କାବ୍ୟ, କବିତା ଓଡ଼ିଶାରେ ପୁରପଲ୍ଲୀରେ ଜ୍ଞାତ ହୋଇପାରିଥିଲା । ଏହାର ମୁଖ୍ୟ ସାମୂହିକ ପ୍ରଚାର ମାଧ୍ୟମ ଥିଲା ଏହି ‘ପାଲା’ । ଧର୍ମପ୍ରାଣ ଜନସାଧାରଣଙ୍କୁ ସ୍ୱାଭାବିକ ରୀତିରେ ଆକର୍ଷିତ କରିବା ପାଇଁ, ଏଥିସହ ସଂଶ୍ଳିଷ୍ଟ କରାଯାଇଅଛି ପଞ୍ଚଦେବତା ପ୍ରତୀକ ସତ୍ୟନାରାୟଣଙ୍କୁ

 

ସତ୍ୟପୀର

 

ମୁସଲମାନ ଧର୍ମର ମହାପୁରୁଶଙ୍କୁ ‘ପୀର’ କୁହନ୍ତି । ମୁସଲମାନ ରାଜତ୍ୱ ଫଳରେ ଯେତେବେଳେ ଭାରତ ବର୍ଷରେ ମୁସଲମାନମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଲା ସେତେବେଳେ କ୍ରମଶଃ ହିନ୍ଦୁଧର୍ମୀ ଓ ମୁସଲମାନଧର୍ମୀମାନଙ୍କ ମଧ୍ୟରେ ପ୍ରତିକ୍ଷେତ୍ରରେ ବିବାଦ ସୃଷ୍ଟି ହେଲା । ଏହା ଫଳରେ ଦେଶରେ ଅରାଜକତା ବୃଦ୍ଧି ପାଇଥିବା ସ୍ୱାଭାବିକ । ମୁସଲମାନ ଶାସକମାନେ ଏହାର ପ୍ରତିକାର ସ୍ୱରୂପ ସଂହତିର ଉପାୟମାନ ଖୋଜି ବୁଲିଲେ । ମୋଗଲ ବାଦଶାହା ଆକବର ଏଥିନିମନ୍ତେ ‘ଦୀନ ଇଲାହୀ’ ନାମକ ଏକ ନୂତନ ଧର୍ମ ସୃଷ୍ଟି କରିଥିଲେ । ଏହାର ଉଭୟ ହିନ୍ଦୁ ଓ ମୁସଲମାନମାନଙ୍କୁ ଏକତ୍ରିତ କରିବା ଉଦ୍ଦେଶ୍ୟ ଥିଲା । ଚୈତନ୍ୟ ଦେବ ହିନ୍ଦୁ ଓ ମୁସଲମାନ ଉଭୟ ଧର୍ମର ଲୋକମାନଙ୍କୁ ତାଙ୍କର ଶିଷ୍ୟ କରୁଥିଲେ । ସେହିପରି ସନ୍ଥ କବୀର ଏବଂ ଗୁରୁ ନାନକ ମଧ୍ୟ ଉଭୟ ହିନ୍ଦୁ ମୁସଲମାନ ଧର୍ମାଲମ୍ବୀଙ୍କୁ ନିଜର ଶିଷ୍ୟ କରି ନେଉଥିଲେ । ୧୬ଶ ଶତାବ୍ଦୀ ବଙ୍ଗଳାର ମୁସଲମାନ ନବାବ ହୋସେନ୍ ସାହା ହିନ୍ଦୁ ମୁସଲମାନ ପ୍ରଜାମାନଙ୍କୁ ଏକତ୍ର କରାଇବାପାଇଁ ଚେଷ୍ଟା କରିଥିଲେ । ଅଷ୍ଟାଦଶ ଶତାବ୍ଦୀରେ, ହିନ୍ଦୁ ଦେବତା ସତ୍ୟନାରାୟଣଙ୍କ ସହିତ ମୁସଲମାନ ‘ପୀର’ ଶବ୍ଦ ସଂଯୋଗ କରାଯାଇ ଏକ ନୂତନ ନାମକରଣ ‘ସତ୍ୟପୀର’ ବୋଲି କରାଯାଉଥିଲା । ଏହାର ଉଦ୍ଦେଶ୍ୟ ଧର୍ମାଲବମ୍ବୀମାନଙ୍କୁ ମିଳାଇ ଦେବା । ଏହି ବିଷୟଟିର ତ ପୁଣି ପ୍ରଚାର ଦରକାର । ‘ଅତଏବ ଏହା ପୂର୍ବରୁ ପ୍ରଚଳିତ ‘ବୈଠକୀ ବା ଠିଆ’ ପାଲାରେ ପୂଜା ସହ ସତ୍ୟପୀରଙ୍କ ପ୍ରଶସ୍ତି ବର୍ଣ୍ଣନା କରାଗଲା । ପାଲା ପ୍ରଚାରଧର୍ମୀ ଅଟେ । ଏହି ପ୍ରଶସ୍ତିଗୁଡ଼ିକ ବିଭିନ୍ନ ଉପାଖ୍ୟାନ ସହିତ ଯେଉଁମାନେ ଲେଖିଥିଲେ ସେମାନେ ହେଲେ କବିକର୍ଣ୍ଣ, ଭୃଗୁରାମ, ଶଙ୍କରାଚାର୍ଯ୍ୟ ଇତ୍ୟାଦି । ଏମାନଙ୍କ ପାଲାଗୁଡ଼ିକ ପଢ଼ିଲେ ଜଣାଯାଏ ଯେ ଯେଉଁ ଦେବତା ‘ସତ୍ୟନାରାୟଣ’ ଭାବରେ ପୂର୍ବରୁ ପୂଜିତ ହୋଇ ଆସୁଥିଲେ, ତାହାକୁ ସାମ୍ପ୍ରଦାୟିକ ସଂହତି ରକ୍ଷା କରିବା ଉଦ୍ଦେଶ୍ୟରେ ପରେ “ସତ୍ୟପୀର” ଆଖ୍ୟା ଦିଆଯାଉଥିଲା । ପାଲା ବୁଦ୍ଧଦେବଙ୍କ ସମୟଠାରୁ ଏକ ପ୍ରଚାର ଧର୍ମୀ ଲୋକପ୍ରିୟ କାର୍ଯ୍ୟକ୍ରମ ହୋଇଥିବାରୁ ବିଭିନ୍ନ ସମୟରେ ସେହି ଅବହମାନ କାଳରୁ ଈଶ୍ୱରଙ୍କ ପ୍ରଶସ୍ତି ଗାନ ଉଦ୍ଦେଶ୍ୟରେ ଏହା ବ୍ୟବହାର କରାଯାଉଥିବାରୁ, ସତ୍ୟନାରାୟଣଙ୍କୁ ସତ୍ୟପୀର ନାମରେ ସମ୍ବୋଧିତ କରାଇ ଏହାରି ମାଧ୍ୟମରେ ରାଜାନୁଯାୟୀ ପ୍ରଜାପାଳନ ନୀତି “ହିନ୍ଦୁ ଓ ମୁସଲମାନ ସଂହତି” ଉଦ୍ଦେଶ୍ୟରେ କରାଯାଉଥିଲା । ବର୍ତ୍ତମାନ ସରକାରଙ୍କ ଗୀତ ଓ ନାଟକ ବିଭାଗ ତରଫରୁ ଯେପରି ପରିବାର କଲ୍ୟାଣ, ସ୍ୱଳ୍ପ ସଞ୍ଚୟ, ଜାତୀୟ ସଂହତି ପାଇ ନାଟ ଗୀତ ବ୍ୟବହାର କରୁଅଛନ୍ତି, ସମ୍ଭବତଃ ସତ୍ୟପୀର ପାଲା ଅନୁରୂପ କାର୍ଯ୍ୟକରୁଥିଲା । ବର୍ତ୍ତମାନ ଖ୍ରୀଷ୍ଟଧର୍ମ ପ୍ରଚାର ଉଦ୍ଦେଶ୍ୟରେ ଓଡ଼ିଶାର ଖ୍ରୀଷ୍ଟୀୟ ପାଲା ମଧ୍ୟ ବ୍ୟବହାର କରାଯାଉଛି, ଏହି ଖ୍ରୀଷ୍ଟୀୟ ପାଲାରେ ପୂଜା ସିନା ନାହିଁ କିନ୍ତୁ ଭଗବାନ ଯୀଶୁଙ୍କର ପ୍ରଶସ୍ତି ଗାନ କରାଯାଉଅଛି । ଏହା କେବଳ ଠିଆ ପାଲାରୂପେ ପ୍ରସାରିତ । ସତ୍ୟପୀର ବୈଠକୀ ପାଲାରେ ସତ୍ୟନାରାୟଣ ବୈଠକୀ ପାଲାର ସମସ୍ତ ଉପାଦାନ ରହିଲା । ସେହି ଶିରଣୀ ଭୋଗ ରହିଲା । କେବଳ ସତ୍ୟନାରାୟଣ ପାଲାର ଭଗବାନଙ୍କ ପ୍ରତୀକ ‘‘ବୁଢ଼ାବ୍ରାହ୍ମଣ” ସତ୍ୟପୀର ପାଲାରେ “ଫକୀର”ଭାବେ ବର୍ଣ୍ଣନା କରାଗଲା ମାତ୍ର । ସତ୍ୟନାରାୟଣ ପାଲା ସତ୍ୟପୀର ପାଲା (ବୈଠକୀ) ସହିତ ସଂଶ୍ଳିଷ୍ଟ ପୂଜାବିଧି ପଦ୍ଧତି ଶିରଣୀ ଭୋଗର ଉପାଦାନ ସମ୍ପର୍କରେ ଏଠାରେ ବିଶେଷ ଆଲୋଚନା କରାଯାଉନାହିଁ । କାରଣ ଏ ବିଷୟରେ ବହୁ ପଣ୍ଡିତ ପୂର୍ବରୁ ବହୁ କଥା ଲେଖିଯାଇ ଅଛନ୍ତି । କେବଳ ବୈଠକୀର ନାଟକୀୟ ପଠନ ରୀତି ଏବଂ ‘ଠିଆ’ର ନାଟକୀୟ ରୀତି ଏହି ଆଲୋଚନା ହିଁ ଏହି ପ୍ରବନ୍ଧର ଉଦ୍ଦେଶ୍ୟ ଅଟେ ।

 

କବିକର୍ଣ୍ଣ, ଭୃଗୁରାମ, ଶଙ୍କରାଚାର୍ଯ୍ୟଙ୍କ ବ୍ୟତୀତ ବହୁ କବି ପାଲା ରଚନା କରିଅଛନ୍ତି କିନ୍ତୁ ଏମାନେ ଯେପରି ଭାବରେ ପରିପ୍ରଚାରିତ ହୋଇଅଛନ୍ତି ଅନ୍ୟମାନେ ସେ ସୁବିଧାରୁ ବଞ୍ଚିତ ହୋଇଥିବାରୁ ସେମାନଙ୍କ ବିଷୟରେ କିଛି ଜଣାନାହିଁ । ଏମାନଙ୍କ ମଧ୍ୟରେ କବିକର୍ଣ୍ଣ ଓଡ଼ିଶାରେ ବିଶେଷ ପରିଚିତ । ଏଠାରେ ଲୋକରତ୍ନ ଡକ୍ଟର କୁଞ୍ଜବିହାରୀ ଦାଶ (୧୯୫୮ ରେ ମୁଦ୍ରିତ) “ଓଡ଼ିଆ ଲୋକ ଗୀତ ଓ କାହାଣୀ”ରୁ କିୟଦଂଶ ଉଦ୍ଧାର କରୁଛି ।

 

“ଓଡ଼ିଶାରେ ପ୍ରଚଳିତ ଅଧିକାଂଶ ପାଲା କବିକର୍ଣ୍ଣଙ୍କ ଦ୍ୱାରା ରଚିତ । ବଙ୍ଗଳାରେ କବିକର୍ଣ୍ଣ ଓ କବିକର୍ଣ୍ଣପୁର ବୋଲି ଦୁଇ ଜଣ କବି ଅଛନ୍ତି । କବିକର୍ଣ୍ଣଙ୍କ ‘ବେଙ୍ଗମୀ ବେଙ୍ଗମା’ ପୋଥି କଲିକତା ବିଶ୍ୱବିଦ୍ୟାଳୟରେ ସଂଗୃହୀତ ହୋଇଅଛି । ସେ କୌଣସି ପାଲା ରଚନା କରିଥିବାର ସନ୍ଧାନ ଏ ପର୍ଯ୍ୟନ୍ତ ମିଳି ନାହିଁ । କବିକର୍ଣ୍ଣପୁର କେତେକ ପାଲା ରଚନା କରିଅଛନ୍ତି । କିନ୍ତୁ ଓଡ଼ିଶୀ ପାଲା ସହିତ ତା’ର କୌଣସି ମେଳ ନାହିଁ । ଏ କବିକର୍ଣ୍ଣ ଓଡ଼ିଶା ନିବାସୀ ସମ୍ଭବତଃ ମେଦିନୀପୁର ନିବାସୀ କୌଣସି ବଙ୍ଗାଳୀ ହେବେ । ସେ ‘ଜନ୍ମପାଲା’ ‘ପଦ୍ମ ଲୋଚନ ପାଲା’ ‘ମର୍ଦ୍ଦାଗାଜି ଜନ୍ମପାଲା’ ‘ମର୍ଦ୍ଦଗାଜୀ ବିଭାପାଲା’ ‘ବଦ୍ୟାଧର ପାଲା’ ‘ମଦନ ସୁନ୍ଦର ପାଲା’ ‘ସଦାନନ୍ଦ ସୌଦାଗର ପାଲା,’ ‘ମନୋହର ପାଲା’ ‘ଫାସ୍ୟାର ବା ରଙ୍ଗଲତା ପାଲା’, ‘ଶଙ୍କର ଗୁଡ଼ିଆ ପାଲା’, ‘ଦୁର୍ଜନ ସିଂହ ପାଲା’, ‘ହେରାଚାନ୍ଦ ପାଲା,’ ‘କାଠୁରୀଆ ପାଲା,’ ‘ଲକ୍ଷ୍ମଣ କୁମାର ପାଲା,’ ‘ଅଭିନ୍ନ ମଦନ ପାଲା,’ ‘ସ୍ୱର୍ଗରୋହଣ ପାଲା,’ ‘ଶ୍ୱେତ ବସନ୍ତ ପାଲା,’ ‘ପ୍ରଭୃତି ୧୬ ଗୋଟି ପାଲା, ରଚନା କରିଅଛନ୍ତି ।’ ଭୃଗୁରାମ ବଙ୍ଗଳାରେ ସୁପରିଚିତ ପାଲା କବି । ତାଙ୍କର ‘ଭ୍ରମରବର’ କଳାବତୀ ଓ ଲୀଳାବତୀ’ ପାଲା ଦୁଇଟି ଓଡ଼ିଶାରେ ପ୍ରଚଳିତ । କିନ୍ତୁ ଭ୍ରମରବର ନାମରେ କୌଣସି ପାଲା ବଙ୍ଗଳାରେ ନାହିଁ । ‘ଉଗ୍ରତାରା’ ପାଲାର ରଚୟିତା ଶଙ୍ଗରାଚାର୍ଯ୍ୟ । ସେ ବଙ୍ଗଳାରେ ସୁପରିଚିତ ।” ଇତ୍ୟାଦି ।

 

ଏହି ପାଲାଗୁଡ଼ିକର ଲେଖନୀ ଶୈଳୀ ଓ ଭାଷା ଦେଖନ୍ତୁ ।

 

କବିକର୍ଣ୍ଣ ବିଚରିତ ପଞ୍ଚଦଶପାଲା ଅଭିନମଦନ ପାଲାରୁ

 

“ରାମ ବୋଲ ହରେ ହେ ଗୋବିନ୍ଦ ବୋଲ ହରେ,

ପତିତପାବନ ବାନା ଉଡ଼େ କେତେଦୂରେ ।୧

ଶୁନ ସବେ ବିରାଦରେ ପୀରେର କାଲମ,

ନିଅତ ହାସଲ ବାତ ଫତେ ହେଉ କାମ ।୨

ଇଆର ପିଆର ଭାଇ ଶୁନ ହେ ସତତ,

ଅଭିନ ମଦନ ପାଲା ଯେଉଁ ହକିକତ ।୩

“ଗାଏ ଦ୍ୱିଜ କବିକର୍ଣ୍ଣ ପୀରେର କ୍ରିପାୟେ,

ହରି ହରି ବଲ ସର୍ବେ ପାଳଶ ହୈଲ ଶାୟେ” । ଇତ୍ୟାଦି ।

 

ଏବଂ ଶେଷରେ “ଇତି ଶ୍ରାବ୍ୟାସୋକ୍ତସ୍ୟ ସତ୍ୟନାରାୟଣଙ୍କର ଅଭିନମଦନ ପାଲା କଥା ସଦାଜୟେ ସମ୍ପୂର୍ଣ୍ଣ ।”

 

କବିକର୍ଣ୍ଣ ବିଚରିତ( ୨ୟ ପାଲା) ପଦ୍ମଲୋଚନ ପାଲାରୁ

 

“ଏତ ଶୁନି ଫକୀର ଯେ ଖୋସାଲ ହଇଲ,

ମୃତପିଣ୍ଡ କୋଲେ କରି ଶ୍ରୀଘ୍ରେ ଯେ ବସିଲ ।

କୋଲେତ କରିଆ ପଢେ ମ୍ୟତ୍ୟୁ ସଞ୍ଜୀବନୀ,

ରାଜାର ବେଟା ଦେହେ ପଶିଲ ପରାନି ।”

“ଶ୍ରୀ କବିକର୍ଣ୍ଣତେ ଗାଏ ସତ୍ୟପୀର ପାଏ ।

ରାଜାପୁତ୍ରେ ମହାପ୍ରଭୁ ହୟ ବରଦାଏ ।”

“ହେନ ମତେ ପୂଜା ଯେ କରନେ ନୃପରାଏ,

ଶ୍ରୀ କବିକର୍ଣ୍ଣତେ ଗାଏ ସତ୍ୟପୀର ପାଏ ।

ହରି ହରି ବୋଲ ଭାଇ ପାଲା ବୈଲ ସାଏ,

ନମସ୍କାର କର ସର୍ବେ ନାରାୟନ ପାଏ ।” ଇତ୍ୟାଦି ।

 

କବିକର୍ଣ୍ଣଙ୍କର ପାଲାଗୁଡ଼ିକରେ ଭିନ୍ନ ଭନ୍ନ ସଂସ୍କରଣରେ କଥାବସ୍ତୁ ଓ ଭାଷା ଏକ ଥିଲେ ମଧ୍ୟ କାବ୍ୟ ସଂଯୋଜନାରେ ସାମୟିକ ଭିନ୍ନତା ଦେଖିବାକୁ ମିଳେ । ଏସବୁ ସମ୍ଭାବନା ସମୟରେ ଘଟିଥିବାର ସମ୍ଭାବନା ରହିଛି । ପାଲାଗୁଡ଼ିକ ମଧ୍ୟରେ ‘ତ୍ରୀପଦୀ’ ‘ଚୌପଦୀ’ ଡୁହା ଇତ୍ୟାଦି ମଧ୍ୟ ସମୟ ସମୟେ ଦର୍ଶାଯାଇଛି ଯେଉଁଗୁଡ଼ିକର ଗାୟନ ସ୍ୱର ଭିନ୍ନ । ଶ୍ରୋତାମାନଙ୍କ ପାଇଁ ଏକସ୍ୱରତା ଭଙ୍ଗୀ ଆଗ୍ରହ ଓ ରୂଚିଶୀଳ କରିବା ଏହାର ଉଦ୍ଦେଶ୍ୟ । କବିକର୍ଣ୍ଣ ବିଚରିତ ଅଭିନ୍ଦନ ପାଲାରେ ବ୍ୟବହୃତ ତ୍ରୀପଦୀର କିୟଦଂଶ ଉଦ୍ଧାର କରୁଛି ।

“ବାଚ୍ଛା କୁଥା ଗେଲ ଛାଡ଼ି ।

ତୋ ଲାଗି ମରିବୁ ବୁଡ଼ି,

କି ବୁଦ୍ଧି କରିବୁ ଏବେ ଆମି ।

ନିଦାନେ ମରିଲୁ ଆମି,

ରାଜ୍ୟ ଛାଡ଼ି ଗେଲ ତୁମି ।

ଆମି ଅଭାଗିନୀ ହେଲୁ

ପୁନି ରେ ବାଛା ।” ଇତ୍ୟାଦି ।

 

ବର୍ତ୍ତମାନ ବଙ୍ଗଳାର ସୁପରିଚିତ ପାଲା କବି ସ୍ୱର୍ଗତଃ ଭୃଗୁରାମଙ୍କ ବିରଚିତ “କଳାବତୀ ଓ ଲୀଳାବତୀ” ପାଲାରୁ କିୟଦଂଶ ଉଦ୍ଧାର କରାଗଲା । ଯେଉଁ ସଂସ୍କୃତ ସ୍ତ୍ରୋତ୍ରଟିରେ ଏହା ଆରମ୍ଭ ହୋଇଛି ତାହା :

 

“ନାରାୟଣଂ ନମସ୍କୃତ୍ୟ ନରଞ୍ଚୈବ ନରୋତ୍ତମଂ ।

ଦେବୀଂ ସରସ୍ୱତୀଞ୍ଚୈବ ତତୋ ଜୟ ମୁଦୀରୟେତ୍ ।”

 

ଏହାପରେ “ଶ୍ରୀ ରାଗେଣ ଗୀୟତେ’’ ଦର୍ଶାଯାଇ ଆରମ୍ଭ କରାଯାଇଅଛି :

 

“ଏକଦିନ ନାରାୟଣ ବୈକୁଣ୍ଠ ଭୃବନେ ।

ଲକ୍ଷ୍ମୀର ସହିତେ ବସି ରତ୍ନ ସିଂହାସନେ ।

ହରି ବଲେ ଶୁନ ପ୍ରିୟା ବଚନ ଆମାର ।

କଳିଯୁଗେ ସତ୍ୟସେବା କରିବ ପ୍ରଚାର ।’’

ଲକ୍ଷ୍ମୀର ସ୍ଥାନେ ତେ ପ୍ରଭୁ ହଇୟା ବିଦାୟ ।

ଧରିଆ ବ୍ରାହ୍ମଣ ମୂର୍ତ୍ତି ମର୍ତ୍ତେଲୋକେ ଯାୟ ।

ଯେନ ଯଥା ହୈତେ ଚାହେ ଦୈବେର କାରଣ ।

ପଥେତେ ମିଳିଲେ ଏକ ଦରିଦ୍ର ବ୍ରାହ୍ମଣ ।

ଶତନନ୍ଦ ନାମ ତାର କାଶୀପୁରେ ଘର ।

ଅସ୍ଥି ଚର୍ମସାର ଦ୍ୱିଜ ଶୁଷ୍କ କଲେବର ।”

“ଶୁନିୟା ବିପ୍ରର କଥା କହେ ନାରାୟନ ।

ଦାରିଦ୍ର ନାଶେର ହେତୁ କହିବ ଏଖନ ।

ସଥ୍ୟେର କରହ ପୂଜା ଲେୟ ନିଜ ଘରେ ।

ଖଣ୍ଡିବ ସକଲ ଦୁଃଖ ନାରାୟଣବରେ ।”

“ସଓୟା ସେର ଅଟା ବା ଆତପେର ଗୁଁଡ଼ି ।

ଦୁଗ୍ଧ ସଓୟା ସେର ରମ୍ଭା ସଓୟା କୁଡ଼ି ।

ସଓୟା ସେର ସର୍କରା ସେବାର ପ୍ରମାଣ ।

ସଓୟା କୁଡ଼ି ଗୁୟା ସଓୟା ସତ ପାନ ।”

“ଅଟା ଚିନି ଉପାହାର ନା ପାୟ ଯତନେ ।

ଆତପେ କରିବେ ପୂଜା ସାଓୟା ବିଧାନେ ।”

“ବିଷ୍ଣୁ ବୀଜମନ୍ତ୍ରେ ପୂଜା କରିବେ ବ୍ରାହ୍ମଣ ।”

ସତ୍ୟପୀର ନାମେ ପୂଜା କରିବ ଯତନେ ।” ଇତ୍ୟାଦି

 

ଏହାପରେ ‘ଲାଚାରି ଭାଟିୟାରି ରାଗ’ରେ ଭଗବାନଙ୍କ ଉଦ୍ଦେଶ୍ୟରେ ଗୋଟିଏ ସ୍ତବ ପରେ ‘ପୟାର’ ଆରମ୍ଭ ହୋଇଛି । (ଭିନ୍ନ ବହିରେ ଯଥା କବିକର୍ଣ୍ଣଙ୍କ “ସଦାନନ୍ଦ ସୌଦାଗର” ପାଲାରେ ‘ପୟାର’ ସ୍ଥାନରେ “ପାଲା’ ଦର୍ଶାଯାଇଅଛି ।) “ପୟାର ପ୍ରବନ୍ଧେ ଯତ ବର୍ଣ୍ଣନା କରିଲ । କହିତେ ପୁସ୍ତକ ବାଡ଼େ ସଂକ୍ଷେପରେ ରଚିଲ ।” ଇତ୍ୟାଦିରେ “ଲୀଳାବତୀ ଓ କଳାବତୀ” କାହାଣୀଟି ଆରମ୍ଭ ହୋଇଅଛି । ମଧ୍ୟେ ମଧ୍ୟେ ଲାଚାରି ପାଠ ମଞ୍ଜରୀ ‘ ରାଗରେ ଇଶ୍ୱରଙ୍କର ସ୍ତବ ରହିଛି ଓ ପରେ ପରେ ପୁଣି “ପୟାର”ଭାବେ ବିଷୟ ବର୍ଣ୍ଣନା ଅବ୍ୟାହତ ରହିଅଛି । ଲୀଳାବତୀ ଓ କଳାବତୀ ଏବଂ ତାଙ୍କର ସ୍ୱାମୀମାନେ ସତ୍ୟନାରାୟଣଙ୍କୁ ଭୁଲିଯିବାରୁ କିପରି ବିପଦଗ୍ରସ୍ତ ହୋଇଛନ୍ତି ଓ ସତ୍ୟନାରାୟଣଙ୍କ ପୂଜା ଯୋଗୁଁ କିପରି ବିପଦମୁକ୍ତ ହୋଇଛନ୍ତି,ଏହାହିଁ ତହିଁରେ ବର୍ଣ୍ଣନା ହୋଇଅଛି ।

 

ଶେଷ ଆଡ଼କୁ ଅଛି:-

 

“ପାଚାଲୀ ପଢ଼ିୟା ଯେବା ସତ୍ୟ ସେବାକରେ ।

ସାଧୁର ଅଧିକ ଫଲ ପାୟ ସେଇ ନରେ ।”

“ଶ୍ରୀ ଭୃଗୁରାମ ଯୋଗାଏ ନାରାୟଣ ପାଏ ।

ହରି ହରି ବୋଲ ଭାଇ ପାଲା ହୈଲ ସାଏ ।” ଇତ୍ୟାଦି ।

 

ଉପରୋକ୍ତ ଉଦ୍ଧୃତାଂଶଗୁଡ଼ିକ କେବଳ ଭାଷାର ଶୈଳୀ ଦର୍ଶାଇବା ଉଦ୍ଦେଶ୍ୟରେ ଦିଆଗଲା । ଏଗୁଡ଼ିକ ବଙ୍ଗଳା, ଓଡ଼ିଆ, ଉର୍ଦ୍ଦୁ, ପାର୍ଶି ମିଶ୍ରିତ ଲେଖା । ଡକ୍ଟର କୁଞ୍ଜବିହାରୀ ଦାଶଙ୍କ ମତରେ “ପାଲାର ଖେଚୁଡ଼ି ଭାଷା କର୍ଣ୍ଣରୋଚକ ନ ହେବାରୁ ଓ ଓଡ଼ିଆଙ୍କର ମାନହାନୀସୂଚକ ହୋଉଥିବାରୁ କେତେକ ଦେଶପ୍ରେମୀ ଓଡ଼ିଆ ପାଲାର ଅନୁବାଦ କରିବାକୁ ଅଣ୍ଟା ଭିଡ଼ି ବାହାରିଥିଲେ । ଏହା “ଉଡ଼ିଆ ସ୍ୱତନ୍ତ୍ର ଭାଷାନୟ” ଅନ୍ଦୋଳନ ଯୁଗର କଥା । କବିକର୍ଣ୍ଣ ‘ପଦ୍ମଲୋଚନ ପାଲା’କୁ ବିଶ୍ୱନାଥ ନାମକ କୌଣସି କବି ଓଡ଼ିଆରେ ଅନୁବାଦ କରିଅଛନ୍ତି । ପାଲା ଶେଷରେ କବିକର୍ଣ୍ଣଙ୍କ ଭଣିତା ଦେଇ ପରେ ନିଜ ଭଣିତା ଦେଇଅଛନ୍ତି ।”

 

“ଏସିଆଟିକ୍ ସୋସାଇଟ୍ ପାଠାଗାରରେ କବିକର୍ଣ୍ଣଙ୍କର ବିଦ୍ୟାଧର ପାଲା ଓ ମନୋହର ଫାସ୍ୟାର ପାଲା ପୋଥି ସଂଗୃହୀତ ହୋଇରହିଅଛି । ପୋଥି ଶେଷରେ ଲେଖାଅଛି, ‘‘ଶୁଭମସ୍ତୁ । ଇତି । ଶ୍ରୀ ମନୋହର ପାଲା ସମ୍ପୂର୍ଣ୍ଣ ହୋଇଲା । ଶ୍ରୀ ସତ୍ୟନାରାୟଣ ମହାପ୍ରଭୁ ରକ୍ଷା କରିବେ ଅରକ୍ଷିତ ଲେଖନକାରକୁ । ବୀର କିଶୋର ଦେବ ମହାରାଜାଙ୍କ ୨ୟ ଅଙ୍କ ସନ ୧୨୬୨ ସାଲ ମୀନ ୨୯ ଦିନ ମଙ୍ଗଳବାର ଏହି ପୁସ୍ତକ ସମ୍ପୂର୍ଣ୍ଣ ହୋଇଲା । ଶ୍ରୀ ନାରାୟଣ ଶରଣ ।”

 

ଡକ୍ଟର କୁଞ୍ଜ ବହାରୀ ଦାଶ ପୂର୍ବରୁ “କିନ୍ତୁ ଭ୍ରମରବର ନାମରେ କୌଣସି ପାଲା ବଙ୍ଗଳାରେ ନାହିଁ ବୋଲି ଦର୍ଶାଇ ଅଛନ୍ତି । ପୁନଶ୍ଚ ସେହି ବିଷୟରେ ଉଲ୍ଲେଖ କରିଅଛନ୍ତି ଯେ “ଭୃଗୁରାମଙ୍କ ଭ୍ରମରବର ପାଲା ଓଡ଼ିଆରେ ଅନୁବାଦିତ ହୋଇଅଛି । ଏହାର ଭଣିତାରେ ଅଛି “ଶ୍ରୀ କବି ବଲ୍ଳଭ ଏହି ପାଲା ବିରଚିଲେ,” “ଭୃଗୁରାମ ବୋଲି ଏହାଙ୍କର ଭିନ୍ନ ନାମ” ବୋଲି ଡକ୍ଟର ଦାଶଙ୍କ ମତ ।

 

ଡକ୍ଟର ଦାଶ ‘‘ଏ କବିକର୍ଣ୍ଣ ଓଡ଼ିଆ ନିବାସୀ” ବୋଲି ପୂର୍ବରୁ ଉଲ୍ଲେଖ କରିଅଛନ୍ତି । ତାହାଙ୍କ ବିଷୟରେ ପୁନଶ୍ଚ ଲେଖିଅଛନ୍ତି-

“କବିକର୍ଣ୍ଣ ଉତ୍କଳରେ ଗୃହେ ଗୃହେ ପରିଚିତ । ସେ ଜାତିରେ ବ୍ରାହ୍ମଣ ଥିଲେ । ତାଙ୍କ ପିତାଙ୍କ ନାମ ଗୋପୀନାଥ ।

 

“ଦୀନ ଗୋପୀନାଥ ସୁତ କବିକର୍ଣ୍ଣ ବିଚରିତ ଦୟାକର ପ୍ରଭୁ ପୀତାମ୍ବର”( ମର୍ଦ୍ଦାଗାଜି ପାଲା ପୃ୭) “ସେ ବଙ୍ଗଳାରେ ପାଲାଗୁଡ଼ିକ ରଚନା କରିଛନ୍ତି । ବଙ୍ଗଳାରେ ଭାଷାରେ ଅନଭିଜ୍ଞ ଓଡ଼ିଆ ଲେଖନକାରଙ୍କ ଅସାବଧାନତା ଫଳରେ ବହୁ ଓଡ଼ିଆ ଶବ୍ଦ ବା ପଦ ମିଶିବା ସମ୍ଭବ ।”

 

“ମାଆ ଯେ ମାଉସୀମାନେ ଆସିଅଛ ଧାଇଁ,

ସତ୍ୟନାରାୟଣ ପୂଜା ଦେଖିବାର ପାଇଁ ।”

(ସଦାନନ୍ଦ ସୌଦାଗର ପାଲା ପୃ-୧)

“ଶିବ ଥାଳରେ କି ବିଷ ପରଷିଲ ପୂର୍ବେ

ସେହି ଫଳ ଆସି ତ ଘୋଟିଲା ମୋତେ ଏବେ ।

ସେହି କନ୍ୟା ଆକୁଳରେ ହୋଇ ଛନ ଛନ,

ଦ୍ୱିଜ କବିକର୍ଣ୍ଣ କହେ ଭାବି ନାରାୟଣ । ’’

 

କିନ୍ତୁ ଏଭଳି ସମ୍ପୂର୍ଣ୍ଣ ଧାଡ଼ି ଖୁବ୍ ବେଶୀ ନାହିଁ । ବଙ୍ଗଳାରେ ଲେଖିଲେ ହେଁ କବି ପାଲା କାହାଣୀର ପିଲାମାନଙ୍କ ପଢ଼ାରେ ଓଡ଼ିଆକୁ ପ୍ରଥମ ସ୍ଥାନ ଦେଇଅଛନ୍ତି ।”

 

“ଓଡ଼ିଆ ବାଙ୍ଗଲା ଫାର୍ସି ପଢ଼ିବେ”(ମଦନ ସୁନ୍ଦର ପାଲା ପୃ-୨୩)

“ଓଡ଼ିଆ ବଙ୍ଗଳା ଫାର୍ସି ପଢ଼ିଲେ ସେ ପାଠ,

ସକଳ ବିଦ୍ୟାରେ ବାଛା ହଇଲ ଗରିଷ୍ଠ” (ବିଦ୍ୟାଧର ପାଲା,ପୃ ୧୧)

 

“ଓଡ଼ିଆ ଭାଷା ଓ ସାହିତ୍ୟ ପ୍ରତି ପଡ଼ୋଶୀ ପ୍ରଦେଶରେ ଯେ ବିଶେଷ ସମ୍ମାନ ଥିଲା ତା’ର ଦୃଷ୍ଟାନ୍ତ ପାଲାରୁ ମିଳେ । ଭାଷାରେ ଜାତୀୟତା ପଶି ନ ଥିବାରୁ ଓଡ଼ିଆମାନେ ନିର୍ବିକାର ଚିତ୍ତରେ ବଙ୍ଗଳା ସଂକୀର୍ତ୍ତନ ଓ ପାଲାକୁ ନିଜର କରି ନେଇଥିଲେ ।”

 

ଡକ୍ଟର ଦାଶ ବହୁ ଉଦାହରଣ ଉଲ୍ଲେଖ କରି ଲେଖିଛନ୍ତି “ପାଲାରେ ବହୁ ସ୍ଥାନରେ ଓଡ଼ିଶାର ସାମାଜିକ ଚିତ୍ର ଫୁଟି ଉଠିଅଛି । ସୁନ୍ଦର ଘରୋଇ ଚିତ୍ର ଦେଇଥିବାର କବି ଆମର ଅତି ନିଜର ହୋଇ ଯାଇଅଛନ୍ତି । ଖୁବ୍ ସମ୍ଭବ ସେ ଓଡ଼ିଶାରେ ଅନେକ ଦିନ ରହିଥିଲେ ।”

 

“ପାଲାଗୁଡ଼ିକର ବହୁସ୍ଥାନରେ କବି ଜଗନ୍ନାଥଙ୍କର ଉଦାର ଧର୍ମପ୍ରଚାର କରିଅଛନ୍ତି । ଜଗନ୍ନାଥ ଓ ସତ୍ୟପୀରଙ୍କୁ ଏକ ଓ ଅଭିନ୍ନ ବୋଲି ପ୍ରଚାର କରି ଜଗନ୍ନାଥ ପ୍ରେମୀ ଓଡ଼ିଆଙ୍କ ମନରେ ଏକ ସ୍ଥାୟୀ ଆସନ ମାଡ଼ି ବସିଛନ୍ତି ।”

 

“କବିକର୍ଣ୍ଣଙ୍କର ଅଧିକାଂଶ କାହାଣୀ ଓଡ଼ିଆରେ ପ୍ରଚଳିତ । ଓଡ଼ିଶା ବାହାରେ ତା’ର ସଙ୍କେତ ମିଳେ ନାହିଁ । ‘ଜନ୍ମପାଲା’ କାହାଣୀ ସହିତ ବଙ୍ଗୀୟ କୃଷ୍ଣ ହରି ଦାସଙ୍କ “ମାଲଞ୍ଚାର ପାଲା” କାହାଣୀର ସାମ୍ୟ ଅଛି ।” କାଠୁରିଆ ପାଲା” ସ୍କନ୍ଦ ପୁରାଣରୁ ଗୃହୀତ । କାଠୁରିଆ ପାଲା, ମଦନସୁନ୍ଦର ପାଲା ଓ ସଦାନନ୍ଦ ସୌଦାଗରର ପାଲାର କାହାଣୀ ବଙ୍ଗ ଦେଶରେ ପ୍ରଚଳିତ । ‘ବିଦ୍ୟାଧର ପାଲା’ ଭାରତ ସୁନ୍ଦରଙ୍କ ବିଦ୍ୟାସୁନ୍ଦର କାବ୍ୟର ଅନୁରୂପ । ‘ଦାଢ଼୍ୟତା’ ଭକ୍ତି କାହାଣୀ ଧାରା ସହିତ ପାଲା କାହାଣୀ ଧାରାର ବିଶେଷ ସାମ୍ୟ ଅଛି । ବାଘ ଫଉଜ ଆକ୍ରମଣ କରିବା, ଗଛରେ ବସି ଉଡ଼ିଯିବା, ରଙ୍ଗମାଟି ପକାଇ ଅସାଧ୍ୟ ସାଧିକା କଥାଗୁଡ଼ିକ ଓଡ଼ିଆ ନୁହେଁ, ଓଡ଼ିଆ ଗାଉଁଲି କାହାଣୀବୋଲି ଏହାର ସଂକେତ ମିଳେ ନାହିଁ ।

 

ପାଲାରେ “ଓଡ଼ିଆ ଚଉପଦୀ ଓ ଡୁହା’ ବିଷୟରେ ଡକ୍ଟର ଦାଶ ଲେଖିଛନ୍ତି “ପାଲାରେ ଓଡ଼ିଆ ଚଉପଦୀ ଓ ଡୁହାଗୁଡ଼ିକ ଖୁବ୍ ସମ୍ଭବ ପଛରେ ଯୋଡ଼ି ଦିଆଯାଇଛି । ରଙ୍ଗଲତା ପାଲାରେ ବଳଭଦ୍ର, ସଦାନନ୍ଦ ପଦନ, ରାମଗୋବିନ୍ଦ, ଦ୍ୱିଜଭୋବନି ପ୍ରଭୃତି ଓଡ଼ିଆ କବିଙ୍କର ରଚିତ ଚଉପଦୀ ଅଛି । ହେରାଚାନ୍ଦ ପାଲାର ଚଉପଦୀମାନଙ୍କରେ ଭଣିତା ନାହିଁ । ଉଗ୍ରତାରା ପାଲାରେ ରାମ, ମର୍ଦ୍ଦାଗାଜି ଓ ସଦାନନ୍ଦ ସୌଦାଗର ପାଲାରେ ନିତ୍ୟନନ୍ଦ ସାହୁ, ଭରତ ପଣ୍ଡା, ଗୋପାଳକୃଷ୍ଣ, ହୃଦାନନ୍ଦ, ସାନନ୍ଦ ପ୍ରଭୃତି କବିଙ୍କ ଚଉପଦୀ ଅଛି । ସ୍ଥାନେ ସ୍ଥାନେ ଓଡ଼ିଆ ହିନ୍ଦି ବଙ୍ଗଳା ମିଶା ଡୁହା ମଧ୍ୟ ବ୍ୟବହୃତ ହୋଇଅଛି । “ଆର ବୋଳତା କେହୁ ନାହିଁ ଶୁନ୍‍ତା, ନାହିଁରେ ଚେନ୍ତା ହମାରା ଦିଲରେ ଲାଜ” ଇତ୍ୟାଦି ।

 

ଉପରୋକ୍ତ ବର୍ଣ୍ଣନାମାନଙ୍କରୁ ଜଣାଯାଏ ଯେ କବିକର୍ଣ୍ଣ ତଥା ଭୃଗୁରାମ ଇତ୍ୟାଦିଙ୍କର ପାଲା ଲେଖାମାନ ଓଡ଼ିଆ ତଥା ବଙ୍ଗଦେଶ ଲୋକମାନଙ୍କର ସାଂସ୍କୃତିକ ଜୀବନକୁ କେତେଦୂର ନିୟନ୍ତ୍ରିତ ତଥା ପ୍ରଭାବିତ କରିପାରିଥିଲା । ଏଗୁଡ଼ିକର ଭାଷା ଯେତେ ଗୋଳମାଳିଆ ଭାବରେ ହେଉନା କାହିଁକି, କେବଳ ଭାଷା ଭାଷା ମଧ୍ୟରେ ନୁହେଁ, ଧର୍ମ ଧର୍ମ ମଧ୍ୟରେ ମଧ୍ୟ ଏକ ସମନ୍ୱୟ ଓ ସଂହତି ଆଣିପାରିଥିଲା । ଏମାନେ ଓଡ଼ିଆ ଥିଲେ ନା ବଙ୍ଗାଳୀ ଥିଲେ ଏହା ସେମାନଙ୍କର ଲେଖାଗୁଡ଼ିକରୁ ସ୍ପଷ୍ଟ । ସେ ବିଷୟରେ ବର୍ତ୍ତମାନ ଅଧିକ କିଛି ମତାମତ ଦେବା ଅର୍ଥ ବିହୀନ ଅଟେ ।

 

କବିକର୍ଣ୍ଣ, ଭୃଗୁରାମଙ୍କ ପରେ ଶୁଦ୍ଧ ଓଡ଼ିଆ ଭାଷାରେ ଅଗଣିତ କବି ବହୁବିଧ ପାଲା ରଚନା କରିଗଲେଣି । (ଏଗୁଡ଼ିକରେ କାବ୍ୟ ଉପାଖ୍ୟାନ, ସତ୍ୟନାରାୟଣଙ୍କ ନାମୋଲ୍ଲେଖ କ୍ୱଚିତ୍ ଦେଖାଯାଏ କିନ୍ତୁ ଏଗୁଡ଼ିକ ପାଲାଭାବେ କଥିତ) କିନ୍ତୁ ଓଡ଼ିଆ ଭାଷା ସମ୍ପୂର୍ଣ୍ଣଭାବେ ବିକଶିତ ହେବା ପରଠାରୁ ଅର୍ଥାତ ପଞ୍ଚଦଶ ଶତାବ୍ଦୀଠାରୁ ଅଷ୍ଟାଦଶ ଶତାବ୍ଦୀ ମଧ୍ୟରେ କେହି ଓଡ଼ିଆରେ ପାଲା ଲେଖିନାହାଁନ୍ତି ବା ଯାହା କିଏ କେଉଁଠି ଲେଖିଛି, ତହିଁରେ ଏହି ଯୋଡ଼ିଏ ଅକ୍ଷର, ‘‘ପାଲା” ବୋଲି ଲେଖିନାହାଁନ୍ତ ବୋଲି କହି ଏହା ଆସାମରୁ ଆରମ୍ଭ, ବଙ୍ଗଦେଶରୁ ଆରମ୍ଭ ଇତ୍ୟାଦି ନାନା ତଥାକଥିତ ଗବେଷଣା କଥା ଶୁଣିବାକୁ ମିଳୁଅଛି । ମନେହୁଏ ଡକ୍ଟର କୁଞ୍ଜବିହାରୀ ଦାଶଙ୍କ ବ୍ୟତୀତ କେହି ଏ ବିଷୟରେ ପ୍ରକୃତ ଗବେଷଣା କରିନାହାଁନ୍ତି । ଅନ୍ୟମାନଙ୍କର ତଥାକଥିତ ତଥ୍ୟଗୁଡ଼ିକ ବହୁ ଭାବରେ କପୋଳକଳ୍ପିତ ।

 

ଗବେଷଣା ପାଇଁ ମୁଖ୍ୟ ଆଧାର ହେଲା ପୂର୍ବରୁ ଏ ବିଷୟରେ କିଏ କ’ଣ ଲେଖିଛି ଜାଣିବା । ବର୍ତ୍ତମାନ ସିନା ଛାପା କାରଖାନା ବସିଥିବାରୁ ଯେକୌଣସି ସାଧାରଣ ଲେଖାରୁ ହଜାର ହଜାର ସଂଖ୍ୟାରେ ମୁଦ୍ରିତ କରାଯାଇ ବଣ୍ଟନ କରାଯାଉଅଛି, ସେତେବେଳେ କ’ଣ ତାହା ହୋଇପାରୁଥିଲା ? ଗୋଟିଏ ରାମଲୀଳା ତାଳପତ୍ର ପୋଥିର ନକଲ ପାଇଁ ଏକାଧିକ ବର୍ଷ ପୂର୍ବରୁ ଜଣେ ବ୍ୟକ୍ତିକୁ ନୂତନ ବସ୍ତ୍ର ଯୋଡ଼ି ସହ ଦୁଇ ଶଙ୍କଟପୂର୍ଣ୍ଣ ଧାନ୍ୟ ଅର୍ପଣ କରି ଦୀର୍ଘ ଛଅମାସ ଅପେକ୍ଷା କରିବାକୁ ପଡ଼ୁଥିଲା ।

 

ଏହି ଜଗନ୍ନାଥ ଦେଶର ସୃଜନଶୀଳତା ଓଡ଼ିଆ ଅତୀତରେ କେଉଁଠି ଯାଇ କଅଣ କରିଯାଇଅଛନ୍ତି, ତା’ର ଯଥାର୍ଥ ବିବରଣୀ ଏପର୍ଯ୍ୟନ୍ତ ଗୃହୀତ ହୋଇପାରିନାହିଁ । ସ୍ଥାନୀୟ ବହୁ ଉପାଦାନ କାଳକ୍ରମେ ଘରପୋଡ଼ି, ନଈବଢ଼ି ଅବା ଉଚ୍ଚମାନଙ୍କ ଦ୍ୱାରା ବିନଷ୍ଟ ହୋଇ ଚନ୍ଦନମଖା ହୋଇ ବଂଶାନୁକ୍ରମେ ପୂଜା ଚାଲିଛି ।

 

ବିଂଶ ଶତାବ୍ଦୀର ଶେଷଭାଗରେ ମଧ୍ୟ ଓଡ଼ିଶାରେ ବହୁତ ଲୋକ ଅଛନ୍ତି, ଯେଉଁମାନେ ଛାପା ଅକ୍ଷରର ମୁଦ୍ରିତ ତଥ୍ୟାବଳୀକୁ ‘ବେଦ’ ବୋଲି ବିଚାର କରନ୍ତି । ବର୍ତ୍ତମାନ ମଧ୍ୟ ପ୍ରିଣ୍ଟଂ ପ୍ରେସ ମାଧ୍ୟମରେ ପ୍ରଚାରିତ ସୁବିଧା ଓ ସୁଯୋଗ ବହୁ ଲେଖକଙ୍କୁ ଜୁଟେ ନାହିଁ । ଓଡ଼ିଶାରେ ନୂଆ ନୂଆ ପ୍ରିଣ୍ଟିଂ ପ୍ରେସ ବସିବା ସମୟରେ ଅଳ୍ପ କେତେକ ଲେଖକଙ୍କ କୃତୀ ପ୍ରଚାରିତ ହେବା ପାଇଁ ସେହି ସବୁ ହେଲା ଏକମାତ୍ର ଆଧାର । ଯେଉଁମାନଙ୍କର କୃତୀ ମୁଦ୍ରିତ ହୋଇ ପ୍ରକାଶିତ ହୋଇପାରିଲା ନାହିଁ ସେଗୁଡ଼ିକ ପୋଥି ମାଧ୍ୟମରେ ଲେଖାହୋଇ କାଳକ୍ରମେ ଧ୍ୱଂସ ପାଇଗଲା । ବର୍ତ୍ତମାନ ମଧ୍ୟ ପ୍ରଚାରିତ ପାଲାମାନଙ୍କ ବ୍ୟତୀତ ଆଉ ୧୦୮ଟି ପାଲା ଲେଖା ରାଜ୍ୟ ସରକାରଙ୍କର ସଂଗ୍ରଳାୟରେ ରହିଅଛି, ସେ ସବୁକୁ ପଢ଼ି କେହି ଅଧିକ ତଥ୍ୟ ନିମନ୍ତେ ଅନୁସନ୍ଧାନ କଲାଣି କି ?

 

ଏହାବ୍ୟତୀତ ରାଜାନୁଗ୍ରହ ଲାଭ କରିଥିବା ସାହିତ୍ୟ ବା କଳା ଯେଉଁ ଭାବରେ ପରିପ୍ରଚାର ତଥା ବିକାଶଲାଭ କରିପାରିବ ତାହା ଅନ୍ୟଥା ସମ୍ଭବ କି ? ରାଜାନୁଗ୍ରହରୁ ବଞ୍ଚିତ ସାହିତ୍ୟ ବା କଳା ନିଜ ଗୋଡ଼ରେ ଠିଆ ହୋଇପାରିବା ଅବସ୍ଥାକୁ ଆସିବା ପାଇଁ କେତେ ଶକ୍ତିଶାଳୀ ହେବା ଆବଶ୍ୟକ ତାହା ଅନୁମେୟ । ଯଦି ଶାସକ ମୁସଲମାନମାନେ ଥିବା ଅବସ୍ଥାରେ ଏହାଙ୍କୁ ପ୍ରରୋଚନାରେ ହେଉ ବା ଏମାନଙ୍କୁ ପ୍ରୀତ କରାଇବା ଉଦ୍ଦେଶ୍ୟରେ ହେଉ ଏପରି ଏକ ‘ସତ୍ୟପୀର’ ପାଲା ପରିଚାରିତ ହେଲା ତା’ହେଲେ ଏହି କ୍ଷେତ୍ରରେ ଅନ୍ୟାନ୍ୟ ପ୍ରତିଦ୍ୱନ୍ଦୀମାନଙ୍କର ଆତ୍ମସମର୍ପଣ କରିବା କିମ୍ବା ନୀରବତା ଅବଲମ୍ବନ କରି ନେଇଥିବା ସ୍ୱାଭାବିକ ।

 

“ସତ୍ୟନାରାୟଣ ପୂଜାର ପ୍ରଥମ ସ୍ଥାନ ଆସାମ ଓ କ୍ରମେ ଏଠାରୁ ତାହା ବଙ୍ଗ ଓ ପରେ ଓଡ଼ିଶାକୁ ବ୍ୟାପିଛି” ବୋଲି ଯେଉଁମାନେ ମତ ଦିଅନ୍ତି ତହିଁରେ ସତ୍ୟତା ଅଳ୍ପ ଓ କଳ୍ପନା ଅଧିକ ବୋଲି ମୋର ମତ । ଆସାମରୁ ଏହା ବଙ୍ଗଦେଶକୁ ଯାଇ ଥାଇପାରେ କିନ୍ତୁ ବଙ୍ଗରୁ ଓଡ଼ିଶାକୁ ଆସିନାହିଁ ବରଂ ଓଡ଼ିଶାରୁ ଆସାମ ଯାଇଅଛି ବୋଲି ପ୍ରମାଣ କରାଯାଇପାରେ । ଏହି ତଥାକଥିତ ଆସାମର କାଠୁରିଆ ବିଷୟଟି ଭୃଗୁରାମ କୃତ ‘କଳାବତୀ’ ଓ ଲୀଳାବତୀ ପାଲାରେ ଏହିପରି ବର୍ଣ୍ଣିତ-

 

“ବ୍ରାହ୍ମଣେର ଉପାଖ୍ୟାନ ରହିଲା ଏଇ ହୈତେ ।

କାଠୁରିଆ ଉପାଖ୍ୟାନ ଶୁନ ସବହିତେ ।

ମାଣିକ ମଦନ ଆଦି କାଠୁରିଆ ଗଣ ।

କାଷ୍ଠ କାଟି ନିଜେ ଗୃହେ କରିଛେ ଗମନ ।

ତୃଷାଯୁକ୍ତ ହେୟ ଗେଲ ବ୍ରାହ୍ମଣେର ପୁରେ ।

ଦେଖେ ଦ୍ୱଜ ଶତାନନ୍ଦ ସତ୍ୟ ସେବାକରେ ।

ସେବାର ଯତେକ ନୀତି ଶୁନି କାଠୁରିଆ ।

ପୂଜେ ସତ୍ୟନାରାୟଣ ଗୃହତେ ଯାଇୟା ।”

 

କାଠୁରିଆଠାରୁ ସୌଦାଗର ସତ୍ୟନାରାୟଣ ପୂଜା ଶିଖିଥାଇପାରେ କିନ୍ତୁ କାଠୁରିଆ ଶିଖିଥିଲା ବ୍ରାହ୍ମଣଠାରୁ । ଏହି ବ୍ରାହ୍ମଣଠାରୁ କାଠୁରିଆ ସତ୍ୟନାରାୟଣ ପୂଜା ଶିଖିଥିବା ଉପାଖ୍ୟାନ “କଳାବତୀ ଓ ଲୀଳାବତୀ” ପାଲାର ରଚୟିତା ସ୍ୱଂୟ ସ୍ୱର୍ଗତ ଭୃଗୁରାମ ମଧ୍ୟ ଏହି ଉପାଖ୍ୟାନଟି କେଉଁଠାରୁ ଗ୍ରହଣ କରିଥିଲେ ତାହାପରେ ଜଣାଉଛି ।

 

ପଞ୍ଚଦଶ ଶତାବ୍ଦୀ ପୂର୍ବରୁ ଆସାମର ସାଂସ୍କୃତିକ ଇତିହାସ ଲକ୍ଷ୍ୟ କରନ୍ତୁ । ପଞ୍ଚଦଶ ଶତାବ୍ଦୀର ଶେଷାର୍ଦ୍ଧରେ ଆସାମର ରାଜ୍ୟ ସାଂସ୍କୃତିକ ପିତା ସ୍ୱରୂପ ମହାନ୍‍ ବୈଷ୍ଣବାଚାର୍ଯ୍ୟ ଶ୍ରୀଶଙ୍କରାଚାର୍ଯ୍ୟଙ୍କ ଜୀବନରୁ ଜଣାଯାଏ ଯେ ସତ୍ୟ ଅନୁସନ୍ଧାନ ସକାଶେ ଯେ ତୀର୍ଥ ପର୍ଯ୍ୟଟନରେ ଯାଇ ସମଗ୍ର ଭାରତବର୍ଷ ଭ୍ରମଣ ପରେ ସର୍ବଶେଷରେ ଓଡ଼ିଶାର ଜଗନ୍ନାଥ ଧାମ ପୁରୀଠାରେ ପହଞ୍ଚିଥିଲେ । ଶ୍ରୀ କ୍ଷେତ୍ରରେ ସେ ସମୟରେ ବିଭିନ୍ନ ଧର୍ମ ସମ୍ପ୍ରଦାୟର ମତବାଦକୁ ସୁଲଳିତ, ସୁମଧୁର ସ୍ୱର ସମ୍ବଳିତ ଗୀତିବାଦ୍ୟ ମାଧ୍ୟମରେ ପ୍ରଚାରିତ ହେଉଥିବା ଦେଖି ଓ ଏହା ଶିକ୍ଷା ଲାଭ କରି ସେ ଆସାମକୁ ଫେରିଯାଇଥିଲେ । ପରେ ପୁରୀରୁ ଶ୍ରୀ ଜଗଦୀଶ ମିଶ୍ର ନାମକ ଜଣେ ବ୍ରାହ୍ମଣ “ଭାବାର୍ଥ ଦୀପିକା” ଟୀକା ସମ୍ବଳିତ ଭାଗବତ ପୁରାଣ ଇତ୍ୟାଦି ଆସାମ ନେଇ ତାଙ୍କ ନିକଟରେ ପହଞ୍ଚାଇବାରୁ ଶଙ୍କର ଦେବ ଆସାମର ପ୍ରସିଦ୍ଧ ଲୋକ ନାଟ୍ୟ “ଅଙ୍କିଆ ନାଟ” ସୃଷ୍ଟି କରିଥିଲେ । ତାଙ୍କର ପ୍ରଥମ ଯାତରାର ନାମ ଦେଇଥିଲେ “ଚିହ୍ନ ଯାତ୍ରା”, କାରଣ ଅଭିନୟ ସ୍ଥଳରେ ତୁଳା ତିଆରି କାଗଜରେ ସେ ବିଷ୍ଣୁଙ୍କ ଦିବ୍ୟଧାମ ଚିତ୍ରଣ କରି ଚିହ୍ନସ୍ୱରୂପ ରଖିଥିବାରୁ ଏପରି ନାମକରଣ କରିଥିଲେ । ସ୍ୱର୍ଗତଃ ଶଙ୍କର ଦେବ ଆସାମରେ ପ୍ରଚଳିତ ହେଉଥିବା “ନାମଘର” (ଓଡ଼ିଶାର ପୁରପଲ୍ଲୀରେ ଥିବା ଭାଗବତ ଟୁଙ୍ଗୀପରି)ର ପ୍ରତିଷ୍ଠାତା ଅଟନ୍ତି ।

 

ଓଡ଼ିଶାରେ ସେ ଯାହା ଯାହା ଦେଖିଥିଲେ ତାହା ‘‘ଗୀତ କାବ୍ୟ” ବୋଲି ବର୍ଣ୍ଣନା ଅଛି । ଅତଏବ ଏହା ସୁଆଙ୍ଗ (ଗୀତିନାଟ୍ୟ ଓ ଗୀତାଭିନୟ) ହୋଇବାରେ, ‘ପାଲା’ ହୋଇପାରେ । କାରଣ ପରେ ସେ ଟୀକା ସମ୍ବଳିତ “ଭାବାର୍ଥ ଦୀପିକା’ ଓ ଭାଗବତ ପୁରାଣ ଆଦିର ସାହାଯ୍ୟ ଆବଶ୍ୟକ କରିଥିବାରୁ ଏହା ନିଶ୍ଚିତଭାବେ ଅର୍ଥ ବ୍ୟଖ୍ୟାନକାରୀ ‘ପାଲା’ ମଧ୍ୟ ହୋଇଥିବ ବୋଲି ବିଶ୍ୱାସ । ଆସାମ “ଅଙ୍କିଆ ନାଟ”ର ଭାଷା ଅହମିୟା ନୁହେଁ । ଏହା ମୈଥଳ, ଭୋଜପୁରୀ, ସଂସ୍କୃତ, ଓଡ଼ିଆ ଓ ଅହମିଆ ଇତ୍ୟାଦିର ଏକ ଚମତ୍କାର ସମ୍ମିଶ୍ରଣ ଓ ଏହା ସୁବୋଧ୍ୟ । ପଞ୍ଚଦଶ ଶତାବ୍ଦୀ ପୂର୍ବରୁ ହୁଏତ ସାର୍ବଜନୀନ ପ୍ରଚାର ମାଧ୍ୟମଭାବେ ଏହି ପ୍ରକାର ସର୍ବବୋଧଗମ୍ୟ ଭାଷା, ସଂସ୍କୃତ ପରିବର୍ତ୍ତେ ବ୍ୟବହାର କରାଯାଉଥିଲା । ଶଙ୍କର ଦେବଙ୍କ ପରେ ହିଁ ଆସାମର ସାଂସ୍କୃତିକ ଜାଗରଣ ହୋଇଥିଲା । ଏହା ଇତିହାସର ବିଷୟ ।

 

ଏଥିରୁ ପ୍ରମାଣିତ ହୋଇଛି ଯେ ପାଲା ଓଡ଼ିଶାରୁ ଆସାମକୁ ଯାଇଥିଲା । ସେଠାରେ ଶହେ ବର୍ଷ ମଧ୍ୟରେ ଯଦି ଏହା ବଙ୍ଗଦେଶକୁ ସଂକ୍ରମିତ ହୋଇଥିବ, ତହିଁରେ ଆମ୍ଭର କିଛି କହିବା ପ୍ରୟୋଜନ ନାହିଁ ।

 

ପୂର୍ବରୁ ଭୃଗୁରାମ ବିଚରିତ “କଳାବତୀ ଓ ଳୀଳାବତୀ” ପାଲା ସମ୍ବଦ୍ଧରେ କୁହାଯାଇଛି । ଏହା ଭାଷା ବିନ୍ୟାସରୁ ଜଣାଯାଏ, ଏଥିରେ ଉର୍ଦ୍ଦୁ, ପାର୍ସି ଇତ୍ୟାଦି ଶବ୍ଦ କବିକର୍ଣ୍ଣଙ୍କ ପାଲାମାନଙ୍କଠାରୁ ବହୁତ କମ୍‍ ଏବଂ ସମ୍ପୂର୍ଣ୍ଣ ପାଲାଟିରେ ମାତ୍ର ଥରେ “ସତ୍ୟପୀରଙ୍କ” ନାମ ବ୍ୟବହୃତ ହୋଇଛି । ଅନ୍ୟ ସବୁଠାରେ ସତ୍ୟନାରାୟଣଙ୍କ ନାମ ଲେଖାଅଛି । ଏହା ବ୍ୟତୀତ ଲକ୍ଷ୍ମୀ, ଶିବ, ବ୍ରହ୍ମା, ଭଗବତୀ, ଇନ୍ଦ୍ର, ଯମ, ବସୁମତୀ, ସରସ୍ୱତୀ, ଗଣପତି, ସାବିତ୍ରୀ, ଶଚୀ, ଗାୟତ୍ରୀ, ଦେବମାତା, ଚନ୍ଦ୍ର, ସୂର୍ଯ୍ୟ, ବରୁଣ, ପବନ ଇତ୍ୟାଦି ଦେବଦେବୀ ଓ ଋଷି ମୂନି ବ୍ରାହ୍ମଣମାନଙ୍କର ବନ୍ଦନା ରହିଛି । ଏଥିରୁ ଗଣାଯାଉଛି ଯେ ସ୍ୱର୍ଗତଃ ଭୃଗୁରାମ, କବିକର୍ଣ୍ଣଙ୍କ ପୂର୍ବବର୍ତ୍ତୀ କବି ହୋଇଥିବେ ଏବଂ ଯାବନିକ ଶବ୍ଦର ବିଶେଷ ବ୍ୟବହାର କରି ନ ଥିବାରୁ ଏବଂ ଥରେମାତ୍ର ସତ୍ୟପୀରଙ୍କ ନାମ ବ୍ୟବହାର କରୁଥିବାରୁ ଏହା ସତ୍ୟନାରାୟଣ ପୂଜାକୁ ସତ୍ୟପୀର ପୂଜାଭାବେ ନାମାନ୍ତର କରିବାର ପ୍ରାଥମିକ ସମୟର ଲେଖା ।

 

ବିନୀତ ଲେଖକ ସୁଧୀ ପାଠକବର୍ଗଙ୍କ ଜ୍ଞାତାର୍ଥେ ଏଠାରେ ଆଉ ଗୋଟିଏ ଅତି ମୂଲ୍ୟବାନ ଓଡ଼ିଆ ପାଲାରୁ କିୟଦଂଶ ଉଦ୍ଧାର କରୁଛି । ଏହି ପାଲାଟିର ନାମ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଲେଖକ, ଗାୟକ ବା ଗବେଷକ କୌଣସିଠାରେ ପ୍ରକାଶ କରିଥିବାର ମନେହୁଏ ନାହିଁ । ପୁସ୍ତିକାଟିର ନାମ ଶ୍ରୀ ସତ୍ୟନାରାୟଣ (ଭାଗବି ପାଲା ନବାକ୍ଷର) ଅଟେ । ଏହି ପାଲାଟି ଏହିପରିଭାବେ ଆରମ୍ଭ ହୋଇଅଛି ।

 

“ଶ୍ରୀ ଗଣେଶାୟ ନମଃ”

“ଶ୍ଳୋକ- ନାରାୟଣଂ ନମସ୍କୃତ୍ୟ ନରଂ ଚୈବ ନରୋତ୍ତମଂ ।

ଦେବୀଂ ସରସ୍ୱତୀଂ ବ୍ୟାସଂ ତତୋଜୟମୁଦୀରୟେତ୍ ।

“ନମଁଇ ଗୋବିନ୍ଦ ଚରଣ

ଅନାଦି ପ୍ରଭୁ ନାରାୟଣ । ୧ ।

ଭକ୍ତ ନିମନ୍ତେ ଜନ୍ମ ପାଇ

ଧରନ୍ତି ନାନା ରୂପେ ଦେହୀ ।୨।

ଦୁଷ୍ଟ ନିବାରି ସନ୍ଥ ପାଳି

ଭକତ ବନ୍ଧୁ ବନମାଳୀ । ୩ ।

କୋଟି ବ୍ରହ୍ମାଣ୍ଡ ଏହି ମତେ

ତାହାଙ୍କଠାରୁ ହୋନ୍ତି ନିତ୍ୟେ । ୪ ।

ତାର ରଚିତ ସଂଖ୍ୟା କରି

କେ କହୁ ନର ଦେହ ଧରି । ୫ ।

ବାସୁକୀ ଆୟୁତେ ବଦନେ

ସମର୍ଥ ନୁହଇ କଥନେ । ୬ ।

ମୁଁ ଯେ ପାମର ଜନ ଛାଇ

ମହିମା କି ବର୍ଣ୍ଣିବି ତାର । ୭ ।

ବ୍ରହ୍ମା ଯା ନଜାଣଇ ଅନ୍ତ

ଖୋଜି ନ ପାନ୍ତ ମୁନିସନ୍ଥ । ୮ ।

ମୋହ ଦୋଷ ଯେ ନ ଘେନ

ସର୍ବ ସଭାଜନେ ଶରଣ । ୧୫ ।

କଳିଯୁଗର ଉତପନ

ହୋଇଲେ ସତ୍ୟନାରାୟଣ । ୧୬ ।

ନିଜ ଭୁବନେ ଅବଧାନ

ହୋଇଲା କଳି ଆଗମନ । ୨୮ ।

ବଉଧ ରୂପେ ନରହରି

ବିଜୟ କଲେ ନୀଳଗିରି । ୨୯ ।

ସେ କାଳେ ସତ୍ୟନାରାୟଣ

ହୋଇଲେ ପ୍ରଗୁ ଭଗବାନ । ୩୦ ।

ସୁଜନେ ସାବଧାନେ ଶୁଣ

ବ୍ରାହ୍ମଣ ଦେବଶର୍ମା ନାମ । ୩୧ ।

କାଶୀ ଭୁବନେ ସେହୁଥାଇ

ଭିକ୍ଷା ମାଗିଣ ଦିନ ନେଇ ୩୨ ।

ଦିନେକ ଯାନ୍ତେ ଭିକ୍ଷା ଅର୍ଥେ

ପ୍ରଭୁ ଦେଖିଲେ ତାକୁ ପଥେ ।୩୩ ।

ତାହାର ଭାବେ ଦୟା ବହି

ବୃଦ୍ଧ ବ୍ରାହ୍ମଣ ରୂପ ହୋଇ ।୩୪ ।

ବୋଇଲେ ଦ୍ୱିଜବର ଶୁଣ

ସେବ ତୁ ସତ୍ୟନାରାୟଣ ।୩୫ ।

ପର୍ବତ ତୁଲ୍ୟ ଯେ ଦିଅର

ମନରେ ସାତ୍ତ୍ୱିକ ନଥାଇ ।୪୩ ।

ସାତ୍ତ୍ୱିକ ବିନା କର୍ମ ଯେତେ

ଫଳ ନୁହଇ କଦାଚିତେ ।୪୪ ।

“ଗୋକ୍ଷୀର ଗୁଡ଼ ରମ୍ଭାଫଳ

ତହିଁରେ ଚୂର୍ଣ୍ଣ ଯେ ତଣ୍ଡୁଳ ।୫୦ ।

ଏ ଚାରି ଦ୍ରବ୍ୟ ତହିଁ ସାର

ତାମ୍ବୁଳ ପୁସ୍ପ ଉପହାର । ୫୧ ।

କର୍ପୁର ମରିଚ ମିଶାଇ

କଞ୍ଚା ପକ୍ୱରେ ଶୀର୍ଣ୍ଣା ଦେଇ । ୫୨ ।

 

 

ଶେଷ ଆଡ଼କୁ ଅଛି:-

 

 

“ ଶ୍ରୀ ସତ୍ୟନାରାୟଣ ଗୀତ

ଆଜ୍ଞା ଯେ ଦେଲେ ଲକ୍ଷ୍ମୀକାନ୍ତ ।୩୧୬ ।

ପଣ୍ଡିତେ ନ କରିବ ରୋଷ

ମୁଁ ତୁମ୍ଭ ଦାସଙ୍କର ଦାସ ।୩୧୮ ।”

“ବାସୁକି ନାରଦ ସମ୍ବାଦେ

ମୋ ଚିତ୍ତ ରହୁ ଅପ୍ରମାଦେ ।୩୨୩ ।

ଏମନ୍ତେ ସଧବାର ନାରୀ

ଆନନ୍ଦେ ଦେଲେ ହୁଳ ହୁଳି ।୩୨୪ ।

ଶ୍ରୀ ଭାଗବତ ପାଲା ରସ

ଜଗନ୍ନାଥ ଦାସ ପ୍ରକାଶ ।୩୨୫ ।

ତିନି ଶତ ଯେ ଅଣତ୍ରିଂଶ

ପାଲା ପଦ ମନ ମାନସ ।୩୨୬ ।

“ ଆନନ୍ଦେ ବୋଲ ହରି ହରି

ହରି କରିବେ ଭାବୁଁ ନାର ୩୨୯ ।

ନାରଦ ବାସୁକିର ପାୟେ

ଶ୍ରୀ ଭାଗବତ ପାଲା ଗାଏ ।” ୩୩୦।

“ଇତି ଶ୍ରୀ ବ୍ୟାସୋକ୍ତି ଭବିଷ୍ୟତ୍ ପୁରାଣୋକ୍ତ ଶ୍ରୀ ବାସୁକି

ନାରଦ ସମ୍ବାଦେ ଶ୍ରୀ ଭାଗବତ ପାଲା ସଦା ଜୟ ସମ୍ପୂର୍ଣ୍ଣ ।”

 

ଯେହେତୁ କବି ନିଜେ ଲେଖିଛନ୍ତି ୩୨୯ ପଦ, ଏବଂ ଏଥିରେ ଅଛି ୩୩୦, ଶେଷ ପଦଟି ପରେ କେହି ସଂଯୋଗ କରି ଦେଇଛନ୍ତି, ଜଣାପଡ଼ୁଛି । )

 

ଏହି ପାଲାଟି ଲେଖିଛନ୍ତି ସ୍ୱୟଂ ଭକ୍ତିପୂର୍ଣ୍ଣ ଅତିବଡ଼ୀ ଜଗନ୍ନାଥ ଦାସ ଗୋସ୍ୱାମୀ । ଭାଷା ଶୁଦ୍ଧ ଓଡ଼ିଆ କିଛିଟା ସମ୍ପାଦନାରେ ପରିବର୍ତ୍ତନ ହୋଇଥାଇପାରେ । ଏଥିରେ ପାଲା ଶବ୍ଦ ବହୁବାର ବ୍ୟବହୃତ ହୋଇଅଛି । ଏହା କେବଳ ସତ୍ୟନାରାୟଣଙ୍କର ପାଲା । “ସତ୍ୟପୀର” ବୋଲି କୌଣସିଠାରେ ନାହିଁ । ରଚନା ସମୟ ପ୍ରାୟ ଖ୍ରୀ ୧୫୦୫ ହେବ, କାରଣ ଚୈତନ୍ୟଙ୍କ ଆଗମନ ପୂର୍ବରୁ ସେ ଓଡ଼ିଆ ଶ୍ରୀମଦ୍‍ ଭାଗବତ ରଚନା ଆରମ୍ଭ କରି ସାରିଥିଲେ । ଏହି ଶ୍ରୀ ସତ୍ୟନାରାୟଣ ପାଲାରେ ଭାଗବତର ନବାକ୍ଷର ବୃତ୍ତବ୍ୟବହାର କରିଛନ୍ତି ।

 

ଏହି ଶ୍ରୀ ସତ୍ୟନାରାୟଣ ପାଲାର ବିଷୟ ବସ୍ତୁ ଯାହା ଭୃଗୁରାମଙ୍କ “କଳାବତୀ ଓ ଲୀଳାବତୀ ପାଲା ଅବିକଳ ତାହା ଏବଂ ଠିକ୍ ସେହି କଳାବତୀ ଓ ଲୀଳାବତୀ ଚରିତ୍ର । କେବଳ ବ୍ରାହ୍ମଣଙ୍କ ନାମ ‘ଦେବଶର୍ମା’ଙ୍କ ପରିବର୍ତ୍ତେ ହୋଇଛି ‘ଶତାନନ୍ଦ’ । ଜଗନ୍ନାଥ ଦାସଙ୍କ ନବାକ୍ଷର ବୃତ୍ତ ପରିବର୍ତ୍ତେ ଭୃଗୁରାମ ତାହାଙ୍କ ପାଲାରେ ବ୍ୟବହାର କରିଛନ୍ତି ଚଉଦ ଅକ୍ଷର ବୃତ୍ତ । ଜଗନ୍ନାଥ ଦାସଙ୍କ କେବଳ ‘ସତ୍ୟନାରାୟଣ’, ଭୃଗୁରାମଙ୍କ ଦ୍ୱାରା କେବଳ ଗୋଟିଏ ଜାଗାରେ ‘ସତ୍ୟପୀର’ ହୋଇଯାଇଛନ୍ତି ଏବଂ ଜଗନ୍ନାଥ ଦାସଙ୍କ ‘ଶବର’ ଭୃଗୁରାମଙ୍କ ଦ୍ୱାରା ‘କାଠୁରିୟା’ ହୋଇଛନ୍ତି ।

 

ପଢ଼ନ୍ତୁ-

 

“ଶବର ପାଞ୍ଚସାତ ହୋଇ

କାଷ୍ଠ ବିକନ୍ତି ଗ୍ରାମେ ନେଇ ।୯୧ ।

ପୂଜାର ଦିନ ସେହି ଗଲେ

ବ୍ରାହ୍ମଣ ଭୁବନେ ମିଳିଲେ ।୯୨ ।

ଦେଖି ବ୍ରାହ୍ମଣ ଦ୍ରବ୍ୟ ଅତି

ଚିନ୍ତି ଲେ ସର୍ବେ ମନେ କଳ୍ପି । ୯୩ ।

ବିପ୍ରଙ୍କୁ କରି ନମସ୍କାର

ମନରେ କରନ୍ତି ବିଚାର ।୯୪ ।

ହେ ବିପ୍ର କରି ନିବେଦନ

ପୁଛିବୁଁ ତୁମ୍ଭର ଚରଣ । ୯୫ ।

ବହୁତ ଧନ ତୁମ୍ଭ ଦେଖି

ଆମ୍ଭେ ପୁଛିବୁଁ ନିରିମାଖୀ ।୯୬ ।

ଆମ୍ଭଙ୍କୁ କରିଣ ସଦୟ

କହିବ ସକଳ ନିର୍ଣ୍ଣୟ ।୯୭ ।

ଶୁଣି କହନ୍ତି ବିପ୍ରବର

ଶୁଣ ହେ ସକଳ ଶବର । ୯୮।

ପୂଜିଲୁ ସତ୍ୟନାରାୟଣ

ହୋଇଲା ଅପ୍ରମିତ ଧନ । ୯୯ ।

ବ୍ରାହ୍ମଣ ସକଳ ହରାଇ

ଏମନ୍ତେପୂଜା ବିଧି ହୋଇ । ୧୦୦ ।

ଶବରେ ହ୍ୟଦରେ ରଖିଲେ

ଆପାଣା ଗୃହେ ମିଳିଲେ । ୧୦୧ ।

ଭିଆଇଁ ପୂଜାର ବିଧାନ

ପୂଜିଲେ ସତ୍ୟନାରାୟଣ । ୧୦୨ ।

ତାହାଙ୍କୁ ହରି ଦୟା କଲେ

ଅରେଣ୍ୟ ନୃପତି ହୋଇଲେ । ୧୦୩ ।

ଧନ ହୋଇଲା ଅପ୍ରମିତ

ନିଶାଦ ପୁର ନରନାଥ । ୧୦୪ । ଇତ୍ୟାଦି ।

 

ଏ ବିଷୟରେ ଅଧିକ ଲେଖିବା ନିଷ୍ପ୍ରୟୋଜନ । ସତ୍ୟନାରାୟଣ ପାଲା ଯେ ଓଡ଼ିଶାରେ ସମ୍ପୂର୍ଣ୍ଣଭାବେ ଏକ ମୌଳିକ ପୂଜା ଏବଂ ଏଠାରୁ ଅନ୍ୟତ୍ର ବିକଶିତ ହୋଇଅଛି,ଏଥିରେ ଅଣୁମାତ୍ର ସନ୍ଦେହ ନାହିଁ ।

 

କିନ୍ତୁ ଏ ସବୁ ମୁଖ୍ୟତଃ ବୈଠକୀ ପାଲା ପାଇଁ, ଯଦିଓ ଠିଆପାଲାରେ ବ୍ୟବହାର ହୁଏ । ବର୍ତ୍ତମାନ ଠିଆପାଲା ବିଷୟରେ ଆଲୋଚନା କରାଯାଉ । ପୂର୍ବରୁ ଉଲ୍ଲେଖ କରିଛି ଯେ ଠିଆପାଲା ବଙ୍ଗଳାରେ ନାହିଁ । ବଙ୍ଗଦେଶର “କବିର ଗାନ” ବୋଲି ଅନୁଷ୍ଠାନ ଅଛି ଯାହାକୁ ଠିଆପାଲା ସହିତ ତୁଳନା କରାଯାଇପାରେ । କିନ୍ତୁ ଏହି “କବିର ଗାନ” ସହିତ ସତ୍ୟନାରାୟଣ ପାଲା କିମ୍ବା ସତ୍ୟପୀର ପାଲାର କୌଣସି ସମ୍ବନ୍ଧ ନାହିଁ । ଏ ପରିପ୍ରେକ୍ଷୀରେ ଓଡ଼ିଶାର ଠିଆପାଲା ଅପ୍ରତିଦ୍ୱନ୍ଦୀ ।

 

ବଙ୍ଗଳାର “କବିର ଗାନ” ସହିତ ପାଲାର ସାମ୍ୟ

 

ଏ ବିଷୟରେ ଡକ୍ଟର କୁଞ୍ଜ ବିହାରୀ ଦାଶ ଲେଖିଛନ୍ତି-

“ପାଲାପରି” ‘କବିର ଗାନ’ରେ ୪/୫ ଜଣ ବ୍ୟକ୍ତି ଥାଆନ୍ତି । ଜଣେ ଗାୟକ, ଜଣେ ବାୟକ, ଆଉ ସମସ୍ତେ ପାଳିଆ । ବାୟକ ଦୁଇ ହାତରେ ଦୁଇଟି କାଠି ଧରି ଢୋଲ ବଜାଏ । କବିବାଲାଙ୍କର କୌଣସି ସ୍ୱତନ୍ତ୍ର ବେଶଭୂଷଣ ନ ଥାଏ । ଗାୟକ ସାଧାରଣ ଲୁଗା ପଞ୍ଜାବୀ ପିନ୍ଧି ଭଦ୍ର ଲୋକ ବେଶରେ ଗୀତ ଗାଏ । ପାଳିଆମାନେ ତଳେ ବସି ପାଳି ଧରନ୍ତି । ବାୟକ କେତେବେଳେ ବସି ବା ଛିଡ଼ା ହୋଇ ଢୋଲେ ବଜାଏ । କବିବାଲା ଆଶୁକବି । ସେ ସଙ୍ଗେ ସଙ୍ଗେ ଗୀତ ତିଆରି କରି ବୋଲେ । ନିଜ ଯୁକ୍ତିକୁ ଶକ୍ତ କରିବାଲାଗି ପ୍ରାଚୀନ ଓ ଆଧୁନିକ କବିଙ୍କର ଗୀତ ବା ଶ୍ଳୋକ ଉଦ୍ଧାର କରେ । କବିଗାନ ଗୋଟିଏ ତର୍କସଭା ପରି । “ଧର୍ମ ଓ ବିଜ୍ଞାନ” “ଭାଗ୍ୟ ଓ କର୍ମ” ପ୍ରଭୃତି କୌଣସି ଗୋଟିଏ ବିଷୟ ନିର୍ଦ୍ଧାରିତ ହୁଏ । ଏହାକୁ ଘେନି ସପକ୍ଷ ବିପକ୍ଷରେ ଗୀତରେ ତର୍କ ବିତର୍କ ହୁଏ । ମଧ୍ୟେ ମଧ୍ୟେ ନୀରସ ପଦ୍ୟର କ୍ଲାନ୍ତି ଅପନୋଦନ ଲାଗି ଗଦ୍ୟ ଓ ହାସ୍ୟରସର ଅବତାରଣ କରାଯାଏ । ପାଲା ପାଲା ପରି କବିଗାନରେ ଜଣେ ଗାୟକ ଯେ ପ୍ରଶ୍ନ କରେ, ଆଉ ଜଣେ ତା’ର ଉତ୍ତର ଦିଏ । ପାଳି ଅନୁସାରେ ପ୍ରଶ୍ନଉତ୍ତର ହେଉଥାଏ । ଶେଷକୁ ମୁଖାମୁଖି ଦୁହେଁ ଛିଡ଼ାହୋଇ ପରସ୍ପରକୁ ପ୍ରଶ୍ନ କରି ଉତ୍ତର ଆଦାୟ କରନ୍ତି । ଏଥିରେ ପ୍ରତ୍ୟୁତ୍ପନମତିତ୍ୱର ଅଗ୍ନି ପରୀକ୍ଷା ହୁଏ । ଯେ ଉତ୍ତର ଦେଇନପାରେ, ସେ ପରାଜିତ ବୋଲି ସ୍ୱତଃ ଘୋଷିତ ହୁଏ । ଏ ପ୍ରତିଯୋଗୀତା ଚିତାକର୍ଷକ ।” ଇତ୍ୟାଦି ।

 

ଓଡ଼ିଶାର ଠିଆପାଲା

 

ଏହି ପରିପ୍ରେକ୍ଷୀରେ ଓଡ଼ିଶାର ଠିଆପାଲା ପଦ୍ଧତି ଲକ୍ଷ୍ୟ କରନ୍ତୁ ।

 

ଓଡ଼ିଶାର ଠିଆପାଲାରେ ୫ କିମ୍ବା ୬ଜଣ କଳାକାର ଅଂଶ ଗ୍ରହଣ କରିଥାଆନ୍ତି । ସେମାନେ ହେଲେ ୧) ଗାୟକ ୨) ଶ୍ରୀପାଳିଆ ୩) ମୃଦଙ୍ଗ ବାଦକ, ୪) ଦୁଇ କିମ୍ବା ୩ଜଣ ପାଳିଆ ସହଯୋଗୀ । ମୃଦଙ୍ଗ ବାଦକ “ବିଦୂଷକ”ର ଭୂମିକା ନିଅନ୍ତି । ସମୟେ ସମୟେ ମୃଦଙ୍ଗବାଦକ ନ ହୋଇ ଅନ୍ୟ ସହଯୋଗୀମାନଙ୍କ ମଧ୍ୟରୁ କେହି ଜଣେ ସେହି ଭୂମିକା ଗ୍ରହଣ କରିଥାନ୍ତି ।

 

ବେଶଭୂଷା

 

କଳାକାରମାନେ ପ୍ରାଚୀନ ରାଜକୀୟ ପୋଷାକ ପରିଧାନ କରନ୍ତି । ଭିତରେ ପାଇକଚ୍ଛା ମାରି ରଙ୍ଗୀନ୍ ଶାଢ଼ି କିମ୍ବା ଧୋତି କିମ୍ବା ଏହାବଦଳରେ ସିଲେଇକରା ଚପଲନ (ଯାହାକୁ ବର୍ତ୍ତମାନ ଚୁଡ଼ିଦାର ପାଇଜାମା କହୁଛନ୍ତି), ତା’ ଉପରେ ଅତି କୁଞ୍ଚିତ ଚମତ୍କାର ଘାଘରା, ବକ୍ଷଦେଶରେ ସୁସଜ୍ଜିତ ତନୁତ୍ରାଣ କବଚ, କର୍ଣ୍ଣରେ ମକର କୁଣ୍ଡଳ, ଶିରରେ ଜରିଦିଆ ପଗଡ଼ି ସହ ବଡ଼ ବଡ଼ ପର ଓ ମଣି, ବେକରେ ହାର, କଟି ଦେଶରେ ଭିଡ଼ା ଚମରପଟି ସହ ଅଣ୍ଟାସୂତା, ହାତରେ ଖଡ଼ୁ, ବଟଫଳ, ଚକ୍ଷୁରେ କଜ୍ଜ୍ୱଳ, ଲଳାଟରେ ଚନ୍ଦନ ଓ ସିନ୍ଦୁର ଟୀକା, ପାଦରେ ଘୁଙ୍ଗୁର ଇତ୍ୟାଦି ରହୁଥିଲା । ସ୍କନ୍ଧ ଦେଶରେ ସୁଦୀର୍ଘ ଉତ୍ତରୀୟ ରହୁଥିଲେ । ଏ ବେଶ ଥିଲା କନ୍ଦର୍ପର । ଗାୟକଙ୍କ ବେଶଭୂଷା ଅନ୍ୟମାନଙ୍କ ତୁଳନାରେ ଉନ୍ନତ ।

 

ଘାଘରା, ଚପକନ, କାଞ୍ଚଲା

ଘାଘରା, ଚପକନ, କାଞ୍ଚଲାକୁ କେହି ଯାବନିକ ପ୍ରଭାବରୁ ଆସିଅଛି ବୋଲି କହନ୍ତି, କିନ୍ତୁ ଏହା ସତ୍ୟ ନୁହେଁ । ଏଗୁଡ଼ିକ ଅତି ମୌଳିକଭାବେ ପାରମ୍ପରିକ ଦେଶୀୟ ପରିଧାନ । ଓଡ଼ିଶାର ବହୁ ପ୍ରାଚୀନ ମନ୍ଦିର ଓ ଗୁମ୍ଫା ଗାତ୍ରରେ ଏଗୁଡ଼ିକ ଦେଖିବାକୁ ମିଳିଥାଏ । ପାରମ୍ପରିକ ପ୍ରହ୍ଲାଦ ନାଟକର ପ୍ରହ୍ଲାଦ, ହିରଣ୍ୟକଶିପୁ ଇତ୍ୟାଦିଙ୍କ ପରିଚ୍ଛଦ ଲକ୍ଷ୍ୟ କରନ୍ତୁ, ପାରମ୍ପରିକ ରାମଲୀଳାର ରାବଣ ପାରମ୍ପରିକ କୃଷ୍ଣଲୀଳାର କଂସ ଇତ୍ୟାଦି ଓଡ଼ିଶାର ପ୍ରାଚୀନ ନାଟ୍ୟସଂସ୍କୃତିର ରାଜକୀୟ ଚରିତ୍ରମାନଙ୍କର ବେଶ ଯାହା, ଓଡ଼ିଶାର ପାଲା କଳାକାରମାନଙ୍କର ତାହାହିଁ ଥିଲା । କେବଳ ମୁଖ୍ୟ ବ୍ୟତିକ୍ରମ ଥିଲା ପାଦରେ ନୁପୁର ଏବଂ ଖଡ଼ଗ ପରିବର୍ତ୍ତେ ଚାମର । କି ଚମତ୍କାର ପରିକଳ୍ପନା ସତେ ? କେତେ ନାଟକୀୟ ପରିବେଶ ସୃଷ୍ଟି କରୁଥିଲା ଏହି ବେଶଭୂଷା ?

 

ବାଦ୍ୟଯନ୍ତ୍ର ଓ ଉପକରଣ

 

ଗାୟକଙ୍କ ହସ୍ତରେ ଏକ ହଳ ଛୋଟଗିନି ଓ ଚାମର, ବାୟକଙ୍କ ସହିତ ଭାଣ୍ଡବାଦ୍ୟ ଓଡ଼ିଶୀ ମୃଦଙ୍ଗ ଓ ଅନ୍ୟମାନେ ଉପଯୋଗୀ କରତାଳ (ଝାଞ୍ଜ) ବହନ କରିଥାନ୍ତି । ଏହା ବ୍ୟତୀତ ସମୟ ସମୟରେ ଦାସକାଠି, ଏକଫାଳ, ରାମତାଳି ଓ ଶଙ୍ଖ ମଧ୍ୟ ସହଯୋଗୀମାନେ ସଙ୍ଗରେ ଘେନିଥାନ୍ତି ଓ ଉପଯୁକ୍ତ ସ୍ଥାନମାନଙ୍କରେ ବ୍ୟବହାର କରିଥାନ୍ତି ।

 

ମୃଦଙ୍ଗ

 

ଏହି ବାଦ୍ୟଯନ୍ତ୍ରଗୁଡ଼ିକ ଓଡ଼ିଶାର ଅତି ପ୍ରାଚୀନ କୌଳିକ ବାଦ୍ୟଯନ୍ତ୍ର । ଭାଣ୍ଡବାଦ୍ୟ ମୃଦଙ୍ଗ ବିଷୟରେ ଏହି ପ୍ରବନ୍ଧରେ ପୂର୍ବରୁ କିଞ୍ଚିତ ଆଲୋଚନା କରିଅଛି । ଭରତମୁନିଙ୍କ ନାଟ୍ୟଶାସ୍ତ୍ର ଏହି ବାଦ୍ୟ ମୃଦଙ୍ଗର ବିଶଦ ଗୁଣଗାନରେ ମୁଖରିତ । ସାମ୍ପ୍ରତିକ କାଳରେ ଏହି ମୃଦଙ୍ଗର ଚର୍ଚ୍ଚା ହ୍ରାସ ପାଉଥିବା ମନେହୁଏ । ଭାରତୀୟ ସଙ୍ଗୀତ କ୍ଷେତ୍ରରେ ପ୍ରତିଧାତୀୟ ବାଦ୍ୟଯନ୍ତ୍ର ପାଇଁ ଯେଉଁ “ଧା” ଶବ୍ଦକୁ ଆଦ୍ୟଶବ୍ଦରୂପେ ଗ୍ରହଣ କରାଯାଉଅଛି, ତାହା କେବଳ ମୃଦଙ୍ଗ ବାଦ୍ୟ ପ୍ରତି ଚରମ ଅବହେଳା ଏବଂ ଚର୍ଚ୍ଚା ଅଭାବରୁ ଘଟିତ ବୋଲି ଓଡ଼ିଶାରେ ବୟୋଜ୍ୟଷ୍ଠ ବାଦ୍ୟଗୁରୁ ଶ୍ରୀଦୟା ସାଗର ପାଢ଼ୀଙ୍କର ମତ । ଓଁ କାର ଧ୍ୱନିରୁ ସୃଷ୍ଟିଜାତ ଏବଂ ସଂସ୍କାର ଜନୀତ ମୃଦଙ୍ଗ ବାଦ୍ୟ ପୃଷ୍ଟଭାଗରେ ଅନାମିକା ଅଙ୍ଗୁଷ୍ଠି ଘର୍ଷଣ କରେ ଏହି ‘ଓଁ’ ଶଦ୍ଧ ଉଚ୍ଚାରିତ ହୁଏ । ଆଦ୍ୟଶବ୍ଦ ‘ଧା’ ନୁହେଁ । ଏହା ‘ଓଁ’ ଅଟେ ।

 

“ବାମେ ଘର୍ଷଣ ଅନାମିକା ଓଁ କାର ବ୍ରହ୍ମ ଉଦୟେ ।

ବାମେ ରାଧାସ୍ଥିତିଯୁକ୍ତଂ, ଦକ୍ଷିଣେ ନନ୍ଦନନ୍ଦନ ।

ସମହସସ୍ତଂ କୃତଂ ବାଦ୍ୟଂ କୋଟିଯଜ୍ଞ ଫଳଂ ଲଭେତ୍ ।”

 

(ଏହି ଶ୍ଳୋକ ଗାୟକ ଶେଖର ଶ୍ରୀ ଜଗନ୍ନାଥ ବେହେରାଙ୍କ ବାୟକ ଶ୍ରୀ ରଥ ପରିଡ଼ାଙ୍କଠାରୁ ପ୍ରାପ୍ତ)

 

ଚାମର

 

ଏହା ଚାମରି ଗାଈର ପୁଚ୍ଛବିଶେଷ । ଏହା ଦେବଦେବୀଙ୍କ ସେବାରେ ବ୍ୟଜନ ନିମନ୍ତେ ବ୍ୟବହାର କରାଯାଏ । ଏହି ସେବାରେ ପ୍ରତୀକ ବ୍ୟତୀତ ଓଡ଼ିଶାର ଠିଆ ପାଲାରେ ଏହା ବହୁ ବିଭିନ୍ନ କାର୍ଯ୍ୟପାଇଁ ବ୍ୟବହାର କରାଯାଏ । ବାଦ୍ୟଯନ୍ତ୍ରଗୁଡ଼ିକ ବ୍ୟତୀତ ଏହି ଚାମର ହିଁ ଠିଆପାଲାର ଏକମାତ୍ର ବିଶିଷ୍ଟ ଉପକରଣ ଏବଂ ଠିଆପାଲାର ପ୍ରତୀକ କହିଲେ ଅତ୍ୟୁକ୍ତି ହେବନାହିଁ ।

 

ଐହାକୁ ସୌଷ୍ଠବ ଭଙ୍ଗୀରେ ଦର୍ଶକମାନଙ୍କ ଶିରୋପରି ଲକ୍ଷ୍ୟକରି ଦର୍ଶାଇଲେ ଏହା ସମସ୍ତଙ୍କ ପ୍ରତି ଭଗବାନଙ୍କର ଆଶୀର୍ବାଦର ସଙ୍କେତ ଜ୍ଞାପନ କରେ ।

 

ଚାମରକୁ ବିଭିନ୍ନ ଉପାୟରେ ଛନ୍ଦ କ୍ରମେ କ୍ରମେ ଆସ୍ତେ ଆସ୍ତେ ଆରମ୍ଭ କରି ଦ୍ରୁତଗତିରେ ହଲାଇ ଚାଳନା କରିବାକୁ ଚାମର ନୃତ୍ୟ କହନ୍ତି । ସମୟ ସମୟରେ କଳାକାର ଚାମର ଚାଳନା ସହ ନିଜେ ନୃତ୍ୟ କରନ୍ତି । ଏହା ଅତ୍ୟନ୍ତ ସୁନ୍ଦର କାର୍ଯ୍ୟକ୍ରମ । ଅଭ୍ୟାସ ବିନା ଏହା ସହଜସାଧ୍ୟ ନୁହେଁ ।

 

‘ଚାମର’ ଠିଆପାଲା କାର୍ଯ୍ୟକ୍ରମରେ ରାଜଦଣ୍ଡ ବା ଇଶ୍ୱ‌ରଙ୍କ ଦଣ୍ଡର ପ୍ରତୀକ ରୂପେ ଏହାକୁ ପ୍ରାର୍ଥନା କରି ଯେପରି ଈଶ୍ୱରଙ୍କର ଆଶୀର୍ବାଦ ଭିକ୍ଷା କରାଯାଏ, ସେହିପରି ବାଦୀପାଲା ସମୟରେ ପ୍ରତିପକ୍ଷ ପ୍ରତି ଦଣ୍ଡ ଦର୍ଶାଇ “ଡିହ” ମାରିବାଦ୍ୱାରା ଶକ୍ତି ପରୀକ୍ଷାର ଆହ୍ୱାନର ସଙ୍କେତ ଦିଆଯାଇଥାଏ । ପାଲାଦର୍ଶକମାନେ ଏହି ‘ଚାମର ଡିହ’ ସଙ୍କେତର ଅର୍ଥ ବୁଝିପାରନ୍ତି ଓ ଆଗ୍ରହ ସହକାରେ ଉପଭୋଗ କରନ୍ତି ।

 

ଉପାଖ୍ୟାନ ବର୍ଣ୍ଣିତ ଚରିତ୍ର ଅଭିନୟ ସମୟରେ ଏହି ଚାମରକୁ କେତେବେଳେ ମୁଣ୍ଡ ଉପରେ ରଖି ଜଟାଧାରର ପୁରୁଷର, କେତେବେଳେ ବେକପାଖରେ ଧରି ଶ୍ମଶ୍ରୁଧାରୀ ପୁରୁଷର, କେତେବେଳେ ପଛରେ ଧରି ମର୍କଟର ଅଭିନୟ କରାଯାଏ । ବହୁ ସମୟରେ ସ୍ୱଗତୋକ୍ତି ବା ଆକାଶକଥନ ସମୟରେ ଏହି ଚାମରଟି ହୋଇଯାଏ ଅନ୍ୟ ପୁରୁଷ ବା ନାରୀର ମୂଖ ସଦୃଶ । ଧୀରେ ସଯନ୍ତ୍ରରେ, ମୃଦୁ ମଧୁର ଅଙ୍ଗୁଳି ଚାଳନା କରି ଯେଉଁ ଏକକ ଅଭିନୟ କରାଯାଏ, ତାହାର ପଟାନ୍ତର ନାହିଁ । ଧ୍ୱଜା, ଦଣ୍ଡ, ପୁଷ୍ପ, ଫଳ ସବୁର ପ୍ରତୀକ ଏହି ଚାମର । ପାଲା ବ୍ୟଖ୍ୟାନ ସମୟରେ ରାଜ୍ୟାଭିଷେକ କଥା ପଡ଼ିଲେ ଚାମରକୁ ଜଣେ ସହାଭିନେତା ମସ୍ତକରେ ସ୍ପର୍ଶ କରାଇବା, ହାତୀ ବର୍ଣ୍ଣନାବେଳେ ଚାମରକୁ ହାତୀ ଶୁଣ୍ଢର ପ୍ରତୀକଭାବେ ବ୍ୟବହାର କରିବା, ହାତୀ କାହାମୁଣ୍ଡରେ କଳସୀ ଢାଳିବା କଥା ପଡ଼ିଲେ ଚାମରକୁ ଅନ୍ୟଜଣଙ୍କ ମୁଣ୍ଡରେ ଥୋଇବା, କୌଣସି ବସ୍ତୁ ଦାନ, କନ୍ୟାଦାନ ଏପରି କି ରାଜ୍ୟ ଦାନବେଳେ ଚାମରଟିକୁ ଅନ୍ୟଜଣଙ୍କ ହାତରେ ଥୋଇଦେବା, ପିଟିବା ଅଭିନୟ ବେଳେ ଯଷ୍ଟି ଖଣ୍ଡାଯୁଦ୍ଧବେଳେ ଖଡ଼ଗ, ଧନୁଯୁଦ୍ଧବେଳେ ଶର, ଘୋଡ଼ା ଚଢିବାବେଳେ ଘୋଡ଼ା, ଏପରି ବହୁବିଧ ବ୍ୟବହାର ପାଲାର ଏହି ଚାମରଟିକୁ ଏକ ଅତି ବୈଚିତ୍ରମୟ ଉପକରଣ ଗୌରବ ପ୍ରଦାନ କରିଅଛି । ସମଗ୍ର ନାଟ୍ୟଜଗତରେ ଏପରି ଏକ ଅଭିନବ ନାଟ୍ୟୋପକରଣର କଳ୍ପନା କେବଳ ଓଡ଼ିଶା ପାଲାରେ ହିଁ ସମ୍ଭବ ହୋଇପାରିଛି, ଏହା ଆମ୍ଭମାନଙ୍କ ପକ୍ଷରେ କମ୍ ଗୌରବର କଥା ନୁହେଁ ।

 

ଚାମରଟିର ଆକାର ଓ ସୌନ୍ଦର୍ଯ୍ୟ ପାଲା ପରିସରର ଅଭିରୁଚି ବୃଦ୍ଧି କରିବାରେ ସାହାଯ୍ୟ କରେ । ଅତି ବୃହତ, ତଥା ଅତିକ୍ଷୀଣ ଚାମର ଖାପଛଡ଼ା ଦିଶେ । ଘନକେଶଯୁକ୍ତ ମଧ୍ୟମ ଧରଣର ଚାମର ଏଥିପାଇଁ ପ୍ରକୃଷ୍ଟ ।

 

କିନ୍ତୁ ଏ ଚାମରଟି ପାଲା ମଧ୍ୟକୁ ଆସିଲା କିପରି ? ଚାମରୀ ଗାଈ ଓଡ଼ିଶାରେ ନାହାନ୍ତି, ଅତୀତରେ ଥିଲେ ବୋଲି କହିହେବ ନାହିଁ । ହିମାଳୟ ପ୍ରଦେଶରେ ଥଣ୍ଡା ଜଳବାୟୁ ବିଶିଷ୍ଟ ସ୍ଥାନମାନଙ୍କରେ ଏମାନେ ଦେଖାଯାନ୍ତି । ଏପରି ଅବସ୍ଥାରେ ଓଡ଼ିଶାରେ ବ୍ରାହ୍ମଣ୍ୟ ଧର୍ମର ପ୍ରଭାବରେ ଏହାର ପ୍ରଚଳନ ଆରମ୍ଭ ହୋଇଥିବାର ଅନୁମାନ । ବହୁ ପ୍ରାଚୀନକାଳରୁ ରାଜା, ମହାରାଜା ବା ଦେବାଦେବୀଙ୍କର ଏହି ଆଲଟ, ଚାମର, ତ୍ରାସ, ଛତ୍ର ସେବା ରହି ଆସିଅଛି । ଦେବସେବାରେ ଚାମରର ଇତିହାସ ବା ବ୍ୟବହାରର ଆରମ୍ଭ ସମୟ ଆଲୋଚନା ବା କଳ୍ପନା କରିବା କଷ୍ଟକର । କିନ୍ତୁ ଠିଆପାଲାରେ ଏହାର ବ୍ୟବହାର ବିଷୟରେ ଏହି ବିନମ୍ର ବିଚାର ଉଲ୍ଲେଖନୀୟ ।

 

ଯଦି ବୈଠକୀ ପାଲାର ପୂଜା ଉପକରଣ ହିସାବରେ ବ୍ୟବହାର କରାଯାଉଥିବା ‘ଚାମର’କୁ ଠିଆପାଲା ଅନ୍ତର୍ଭୁକ୍ତ କରାଗଲା ତା’ହେଲେ ବୈଠକୀ ପାଲାରେ ବ୍ୟବହୃତ ଅନ୍ୟାନ୍ୟ ସେହି ଧରଣର ଉପକରଣ ଠିଆପାଲା ଭିତରକୁ ଅଣାଗଲା ନାହିଁ କାହିଁକି ?

 

ମୋ ମତରେ ଏହା ନାଟ୍ୟ ପ୍ରୟୋଗ କ୍ଷେତ୍ରରେ ବିଘ୍ନ ବିନାଶକାରୀ, ଦେବରାଜ ଇନ୍ଦ୍ରଙ୍କ ଧ୍ୱଜ “ଜର୍ଜର” ଦଣ୍ଡର ପ୍ରତୀକ ।

 

ଓଡ଼ିଶାର ପ୍ରାଚୀନତମ ନାଟ୍ୟଅନୁଷ୍ଠାନ ‘ଦଣ୍ଡନାଟ’ର ଦଣ୍ଡ ମହାଦେବ ଶିବଙ୍କ ପ୍ରତୀକ । ଲମ୍ବ ସାଢ଼େ ଛ ହାତ ଏବଂ ତେର ଭୋକ୍ତାଙ୍କ ପ୍ରତୀକ ତେରଗଣ୍ଠି ବିଶିଷ୍ଟ ଏହା ଦଣ୍ଡ ଶିରରେ ଦ୍ୱାଦଶ ଅଙ୍ଗୁଳ ପରିମାଣରେ ଏକ ଶୁଭ୍ରବସ୍ତ୍ର ।

 

ନାଟ୍ୟଶାସ୍ତ୍ର, ନାଟ୍ୟପ୍ରୟୋଗ କ୍ଷେତ୍ରରେ ବିଘ୍ନ ବିନାଶକ ଯେଉଁ ଇନ୍ଦ୍ରଧ୍ୱଜ ‘ଜର୍ଜର ଦଣ୍ଡ’ ପ୍ରବର୍ତ୍ତନ କଲେ, ତାହା ଦଣ୍ଡନାଟର ଦଣ୍ଡଠାରୁ ଛୋଟ ଏବଂ ପାଞ୍ଚପବ ବିଶିଷ୍ଟ ବଂଶଦଣ୍ଡ । ଦଣ୍ଡନାଟର ଦଣ୍ଡ କେବଳ ଶିବଙ୍କ ପ୍ରତୀକ ଥିବାବେଳେ ଇନ୍ଦ୍ରଧ୍ୱଜ ଜର୍ଜରଦଣ୍ଡ ବ୍ରହ୍ମା ଶଙ୍କର, ବିଷ୍ଣୁ କାର୍ତ୍ତୀକେୟ ଏବଂ ଶେଷ, ବାସୁକୀ, ତକ୍ଷକ, ମହାନାଗଙ୍କ ପ୍ରତୀକ ହେଲେ । ଦଣ୍ଡ ନାଟର ଦଣ୍ଡ ଅଗ୍ରଭାଗରେ କେବଳ ଶୁଭବସ୍ତ୍ରର ଧ୍ୱଜ ରହୁଥିବାବେଳେ ଜର୍ଜର ଦଣ୍ଡରେ ପର୍ବ ବିଶେଷରେ ଯଥାକ୍ରମେ ରହିଲା ଶୁଭ୍ର, ନୀଳ, ପୀତ, ରକ୍ତ ଓ ଚିତ୍ର(ଛିଟ) ରଙ୍ଗର ବସ୍ତ୍ର ।

 

ପାଲାର ପଞ୍ଚଦେବତା, ଏହି ଜର୍ଜର ଦଣ୍ଡର ପଞ୍ଚଦେବତାଙ୍କଠାରୁ ସାମାନ୍ୟ ଭିନ୍ନ ହେଲେ । ଏଥିରେ ବ୍ରହ୍ମା, କାର୍ତ୍ତୀକେୟ ଓ ସର୍ପରାଜଙ୍କ ପରିବର୍ତ୍ତେ ଗଣେଶ, ଅମ୍ବିକା ଏବଂ ସୂର୍ଯ୍ୟ ଅନ୍ତର୍ଗତ କରାଗଲା । ଅତଏବ ପାଲାରେ ପଞ୍ଚଦେବତା ହେଲେ ଗଣେଷ, ନାରାୟଣେ, ରୁଦ୍ରେ, ଅମ୍ବିକେ ଏବଂ ଭାସ୍କରେ ଏବଂ ଏକତ୍ରିତ ଭାବେ ହେଲେ ସତ୍ୟନାରାୟଣ । ଏହି ପରିବର୍ତ୍ତନ ଯୋଗୁଁ ଜର୍ଜର ଦଣ୍ଡ ପାଇଁ ପାଲା ପାଇଁ ଚାମରଭାବେ ରୂପାନ୍ତରିତ ହୋଇଥିବ । ଜର୍ଜର ଦଣ୍ଡ ଦର୍ଶନ କରି ନାଟ୍ୟ ପ୍ରୟୋଗ କ୍ଷେତ୍ରରେ ବିଘ୍ନକାରୀ ଅସୁରମାନଙ୍କ ଦେହ ଜର୍ଜରୀକୃତ ହେବାରୁ ସେମାନେ ଯେପରି ଭୀତ ହୋଇ ରହିଲେ ଏବଂ ଅନିଷ୍ଟ ଘଟାଇ ପାରିଲେ ନାହିଁ, ସେହିପରି ଚାମର ଦଣ୍ଡ ପ୍ରଦର୍ଶନରେ ପ୍ରତିଦ୍ୱନ୍ଦୀମାନଙ୍କୁ ପ୍ରତ୍ୟକ୍ଷ ଭୀତ କରାଇ ଦିଆଯାଏ ଏବଂ ପାଲା ଆରମ୍ଭରୁ ଚାମର ଓ ଚାମର ଚାଳନା ପ୍ରଦର୍ଶନ କରାଇ ବିଘ୍ନକାରୀମାନଙ୍କୁ ଭୀତ କରାଇ ଦିଆଯାଇଥାଏ ।

 

ଅତଏବ ପାଲାରେ ‘ଚାମର’ ସେହି ଜର୍ଜର ଦଣ୍ଡର ରୂପାନ୍ତରିତ କାୟାବିଶେଷ ଅଟେ । ବ୍ରାହ୍ମଣ ଧର୍ମ ପୁନଃ ପ୍ରଚାର ସମୟ ଅର୍ଥାତ ଖ୍ରୀଷ୍ଟୀୟ ଚତୁର୍ଥ ଶତାଦ୍ଧୀ ସମୟରେ ଏହି ପରିବର୍ତ୍ତନ ହୋଇଥିବା ସମ୍ଭବ । ସର୍ବପ୍ରାଚୀନ ତଥା ଏ ଯାବତ ଓଡ଼ିଶାର ଅତିପ୍ରିୟ ଦଣ୍ଡନାଟର ବାଇଧନ, ବୀଣାକାର, ଚରିତ୍ରମାନେ ବ୍ୟବହାର କରୁଥିବା ‘ମୟୁରଚନ୍ଦ୍ରିକା ମୁଠା’ ମଧ୍ୟ ପ୍ରଥମେ ବ୍ୟବହାର କରାଯାଇ ପରେ ଏହା ଚାମରରେ ପରିଣତ ହୋଇଥିବା ସମ୍ଭବପର । ପାଲାପୂଜା ସମୟରେ ମୟୁର ଚନ୍ଦ୍ରିକା ମୁଠା ଏବେ ମଧ୍ୟ ବ୍ୟବହାର କରାଯାଉଅଛି ।

 

କ୍ରମ ବିବର୍ତ୍ତନ ଫଳରେ ଯାହା ହୋଇ ଥାଉନା କାହିଁକି, ଓଡ଼ିଶାର ପାଲା ଏହି ଚାମରକୁ ବଧଗୁଣ ସମ୍ପନ୍ନ, ଅତ୍ୟାବଶ୍ୟକ ଓ ମହାର୍ଘ କରିଛି । ଏହି ଚାମର ସହିତ ଏକ ସ୍ୱତନ୍ତ୍ର ଏକକ ଅଭିନୟ ହୋଇପାରିବାର ସମ୍ଭାବ୍ୟତା ରହିଛି । ଅଭିନୟ ଶିକ୍ଷାର୍ଥୀମାନେ ଏ ଦଗରେ ମନଦେଇ ହେବ ।

 

ଗାୟକଙ୍କ ଗିନି

 

ଛୋଟ ଛୋଟ ସୁଲଳିତ ଶବ୍ଦ ଉତ୍ପାଦନ କରୁଥିବା ଦୁଇଟି ଗିନି ଗୋଟିଏ ସୁତୁଲିର ଦୁଇପାଖରେ ବନ୍ଧାଯାଇଥାଏ । ଗାୟକ ଏହାକୁ ଡାହାଣ ହାତ ଅଙ୍ଗୁଠିରେ ଗୁଡ଼ାଇ ଧରନ୍ତି ଓ ଆଙ୍ଗୁଠିଗୁଡ଼ିକର ସମୂହ ଛିଞ୍ଚାଡ଼ିବାରେ ଏଗୁଡ଼ିକ ଝଙ୍କୃତ ହୋଇଥାନ୍ତି । ଗୀତ ବୋଲିବା ସମୟରେ ଏହାକୁ ବଜାଯାଏ । ବାଦ୍ୟବୃନ୍ଦଙ୍କ ସହିତ ବଜାଯାଏ । ସ୍ୱତନ୍ତ୍ର ଭାବରେ ବିଭିନ୍ନ ତାଳର ପ୍ରଦର୍ଶନ କରିବା ପାଇଁ ଏହା ବଜାଯାଏ । ମୃଦଙ୍ଗ ଓ କରତାଳର ସାମୂହିକ ଉଚ୍ଚସ୍ୱରର ସଙ୍ଗୀତ ମଧ୍ୟରେ ଏହି ଗିନି ଝଙ୍କାର କୋମତାଳ ସ୍ପର୍ଶ ଆଣି ଶ୍ରୁତିମଧୁର କରାଏ । ଏପରି ଗୋଟିଏ ହାତରେ ଗିନି ବଜାଇବା ଗୋଟିଏ ଚମତ୍କାର ସ୍ୱତନ୍ତ୍ର କଳା । ବହୁ ଅଭ୍ୟାସ ପରେ ଏହାକୁ ଆୟତ୍ତ କରାଯାଇଥାଏ । ସମୟ ସମୟେ ଗାୟକ ଗୋଟିଏ ହାତରେ ଗିନିଦ୍ୱୟ ଅନ୍ୟହସ୍ତରେ ଚାମର ଚାଳନ କରି, ଗୀତ ଗାଇ ସମସାମୟିକ ଭାମରେ ଯେଉଁ ନୃତ୍ୟ ପ୍ରଦର୍ଶନ କରିଥାନ୍ତି ତାହା ଅତ୍ୟନ୍ତ ଚିତ୍ତାକର୍ଷକ ହୋଇଥାଏ ।

 

କରତାଳ (ଝାଞ୍ଜ)

 

ବ୍ୟବହୃତ ମୃଦଙ୍ଗର ଆକାର ଓ ନିସୃତ ଶବ୍ଦର ଯଥାର୍ଥ ଉପଯୋଗୀ କରତାଳ ବ୍ୟବହାର କରାଯାଏ । ସେଥିପାଇଁ ଦଳ ଅନୁଯାୟୀ ଏହାର ଆକାରରେ ପାର୍ଥକ୍ୟ ଥାଏ । ମୃଦଙ୍ଗ ସ୍ୱର ସହିତ କରତାଳର ସ୍ୱର ନ ମିଳିଲେ କର୍ଣ୍ଣକଟୁ ହୁଏ ।

 

ଘୁଙ୍ଘୁର

 

ପ୍ରାୟ ସମସ୍ତ କଳାକାର ପାଦରେ ଘୁଙ୍ଘୁରମାଳ ପିନ୍ଧିଥାଆନ୍ତି । ନୃତ୍ୟ ସମୟରେ ଏହା ଆବଶ୍ୟକ ହୁଏ । ସାଧାରଣ ଗୀତ ସମୟରେ ପଦଚାଳନା କରି ଆବଶ୍ୟକୀୟ ତାଳ ଯୋଗାଇଦିଏ ।

 

ଏଗୁଡ଼ିକ ଠିଆପାଲା ପାଇଁ ହେଲା ଅତ୍ୟବଶ୍ୟକ ବାଦ୍ୟଯନ୍ତ୍ର ଓ ଉପକରଣ । ଏହା ବ୍ୟତୀତ ଦଳ ବିଶେଷରେ ଯେଉଁ ଦାସକାଠି, ରାମତାଳି, ଏକଫାଳି, ଶଙ୍ଖ ଏବଂ ଖଞ୍ଜଣୀ ମଧ୍ୟ ପାଲାରେ ବ୍ୟବହାର କରାଯାଇଥାଏ ତାହା ନ ହେଲେ ମଧ୍ୟ ଚଳିବ । ପରିବେଷଣ ମଧ୍ୟରେ ଏକ ସ୍ୱର ଭଙ୍ଗକରିବା ପାଇଁ କିମ୍ବା କିଛି ପ୍ରକାର ଭେଦତା ଦର୍ଶାଇବା ପାଇଁ ଏସବୁ ଭଜନ, ନିୟତି ଗୀତ ଇତ୍ୟାଦି ସମୟରେ ବଜାଯାଇଥାଏ ।

 

ପାଲା କଳାକାରମାନଙ୍କ ଭୂମିକା

 

ଗାୟକ

 

ଗାୟକ ହେଲେ ପାଲାର ସବୁଠାରୁ ଶ୍ରେଷ୍ଠ ତଥା ଅତି ଗୁରୁତ୍ୱପୂର୍ଣ୍ଣ ଭୂମିକା । ସେ ଦଳଟିର ଦଳପତି, ପରିଚାଳକ ତଥା ନିର୍ଦ୍ଦେଶକ । ସେ ମଧ୍ୟ ଶ୍ରେଷ୍ଠନଟ ଏବଂ ସ୍ଥାପକ । ସେ ସୁପଣ୍ଡିତ, ବାଗ୍ମୀ, ତୀକ୍ଷ୍ଣବୁଦ୍ଧି ବୈୟାକରଣିକ, ସୁଗାୟକ, ସୁନର୍ତ୍ତକ, ସୁଅଭିନେତା, ଆଶୁକବି, ସାହିତ୍ୟିକ, ରସିକ, ଶାସ୍ତ୍ରଜ୍ଞ, ଜ୍ୟୋତିଷ, ହାସ୍ୟଚେତନାଶୀଳ, ମିଷ୍ଟଭାଷୀ, ସାହସୀ, ବାକ୍‌ଯୋଦ୍ଧା, ସମସ୍ତ ଶାସ୍ତ୍ର ଓ ବିଦ୍ୟାର ନିପୁଣ ବିଷୟବସ୍ତୁ ବ୍ୟଖ୍ୟାନ ସମୟରେ ଦର୍ଶକମାନଙ୍କ ସହିତ ବ୍ୟକ୍ତିଗତ ଯୋଗସୂତ୍ରକାରୀ ମଧ୍ୟସ୍ଥ, ପ୍ରତ୍ୟୁତ୍ପନ୍ନମତି ।

 

ସେ ଦଣ୍ଡନାଟର ପାଟଭୋକ୍ତା, ବାଇଧନ, ବୀଣାକାରଙ୍କ ତୁଲ୍ୟ । ସେ ଘଟକ ପୁରୋହିତ ସର୍ବସ୍ୱ, ସେ ପ୍ରବାଦ, ଢଗଢମାଳି, ପ୍ରହେଳିକା, ଅନ୍ତର୍ଲିପି, ବହିର୍ଲିପି, ଛିଣ୍ଡାଗଣ୍ଡ ଯେପରି ଜାଣନ୍ତି ସଙ୍ଗୀତ ଶାସ୍ତ୍ରର ରାଗରାଗିଣୀ, ତାଳ, ବାଦ୍ୟ, ଲୟ, ସ୍ୱର ବିଷରେ ମଧ୍ୟ ତଦ୍ରୁପ ଧୁରୀଣ । ସେ ପ୍ରାଚୀନ କବିମାନଙ୍କ କୃତି ସମ୍ବନ୍ଧରେ ଯେପରି ଜାଣନ୍ତି ଆଧୁନିକ କବି କୃତି ସେହି ଅନୁରୂପେ ଜାଣନ୍ତି । ସେ ରାମାୟଣ ମହାଭାରତ, ପୁରାଣ ଆଦି ଯେପରି ଜାଣନ୍ତି, କିମ୍ବଦନ୍ତୀ, ଇତିହାସ, ରାଜନୀତି ବିଷୟରେ ମଧ୍ୟ ସେହିପରି ସୁବିଜ୍ଞ ଅଟନ୍ତି । ସେ କାବ୍ୟ ଉପାଖ୍ୟାନମାନ ଯେପରି କଣ୍ଠସ୍ଥ କରିଥାନ୍ତି, ସେହିପରି ସାହିତ୍ୟ ଅଳଙ୍କାର, ମେଷଯୁଦ୍ଧ, ସିଂହାବଲୋକନ, ବ୍ୟାଘଗତି, ମଣ୍ଡୁକପ୍ଳୁତି, ଉପମା,ଉପଧା, ଅନୁପ୍ରାସ, ଯମକ, ଚମ୍ପୂ, ଛାନ୍ଦ, ଚଉପଦୀ, ଶ୍ଳୋକ ଧ୍ୱନିମଞ୍ଜରୀ, ମଧ୍ୟ ଆୟତ୍ତ କରିଥାନ୍ତି ।

 

ସଂକ୍ଷେପରେ ସେ ଜଣେ ସର୍ବଗୁଣାଳଙ୍କୃତ କଳାକାର ଏବଂ ବ୍ୟାଖ୍ୟାକାର ଅଟନ୍ତି । ସେ ମଞ୍ଚପ୍ରବେଶ କରନ୍ତି ଅନ୍ୟମାନଙ୍କ ପରେ । ସେ ପାଲାର ସଫଳତା ପାଇଁ ଈଶ୍ୱରଙ୍କର ଆଶୀର୍ବାଦ ଲୋଡ଼ନ୍ତି । ଈଶ୍ୱରଙ୍କ ଆଶୀର୍ବାଦ ଦର୍ଶକମଣ୍ଡଳୀ ଓ ସାଥି କଳାକାରମାନଙ୍କୁ ଜଣାନ୍ତି । ଦର୍ଶକ ମଣ୍ଡଳୀର ଆଶୀର୍ବାଦ ଭିକ୍ଷା କରି ପାଲା କରନ୍ତି । ବାଦ୍ୟକୁ ବିଭିନ୍ନ ସ୍ୱରରେ ଗାଇ ଶୁଣାନ୍ତି । ଆବଶ୍ୟକ ଅନୁଯାୟୀ ତା’ର ଭାବାର୍ଥ ବୁଝାନ୍ତି ଓ ବିଭିନ୍ନ କବି ଓ ଶାସ୍ତ୍ରକାରମାନଙ୍କ ଲେଖାରୁ ଉପମା ଦିଅନ୍ତି । ମଧ୍ୟେ ମଧ୍ୟେ ସଂସ୍କୃତ ଶ୍ଳୋକ ବୋଲନ୍ତି ଓ ତା’ର ଅର୍ଥ ବୁଝାନ୍ତି ଆବଶ୍ୟକ ଅନୁଯାୟୀ କାବ୍ୟାଂଶକୁ ସାଥିମାନଙ୍କ ସହ ପ୍ରତ୍ୟକ୍ଷ ଅଭିନୟ କରି ଦର୍ଶାନ୍ତି । ନିଜର କାର୍ଯ୍ୟଦକ୍ଷତାର ସହିତ ସମ୍ପାଦନା କଲାବେଳେ ସେ ଶ୍ରୀପାଳିଆ, ବାଦ୍ୟକାର ଓ ପାଳିଆମାନଙ୍କୁ ସେମାନଙ୍କ କାର୍ଯ୍ୟ ସମ୍ପାଦନା କରିବାକୁ ସୁଯୋଗ ଦେଇଥାନ୍ତି । ପାଲା ଶେଷରେ ଦର୍ଶକମଣ୍ଡଳୀକୁ ଧନ୍ୟବାଦ ଦିଅନ୍ତି ଓ ସମସ୍ତଙ୍କର ମଙ୍ଗଳ କାମନା କରନ୍ତି ।

 

ମୁଖ୍ୟତଃ ଏହି ଗାୟକଙ୍କ ସଫଳତା ଅନୁଯାୟୀ ଦଳର ସୁନାମ ହୋଇଥାଏ । ବାଦୀ ପାଲା ସମୟରେ ସେ ଅପର ପକ୍ଷର ପ୍ରଶ୍ନର ଉତ୍ତର ଦିଅନ୍ତି ଏବଂ ନିଜେ ଅପରପକ୍ଷ ପାଇଁ ପ୍ରଶ୍ନ ଉତ୍‍ଥାପନ କରନ୍ତି, ଇତ୍ୟାଦି ।

 

ଶ୍ରୀପାଳିଆ

 

ଏହାକୁ ଶିରପାଳିଆ ବା ଡାହାଣ ପାଳିଆ କୁହନ୍ତି । ସେ ମଧ୍ୟ ଗାୟକଙ୍କ ପରି ବିଜ୍ଞ ଓ ପ୍ରବୀଣ ଅଟନ୍ତି । ଗାୟକଙ୍କୁ ସେ ଗାଇବାରେ ସାହାଯ୍ୟ କରନ୍ତି, ସେଥିପାଇଁ ଗାୟକଙ୍କ ସବୁ କଥା ସେ କଣ୍ଠସ୍ଥ କରିଥାନ୍ତି । ଅଧିକାଂଶ ସମୟରେ ଗାୟକ ଗାଇବା ସଙ୍ଗେ ସଙ୍ଗେ ସେ ସମସ୍ୱରରେ ଅନ୍ୟ ଅଧା ଗାଇ ସମ୍ପୂର୍ଣ୍ଣ କରନ୍ତି । ସେ ଅଭିନୟରେ ମଧ୍ୟ ସାହାଯ୍ୟ କରନ୍ତି । ସେ କରତାଳ ବଜାନ୍ତି । ଗାୟକଙ୍କ ଅଭିନୟ ସ୍ଥଳ ପ୍ରବେଶ କରି ନନ୍ଦିଗାନ କରିଥାନ୍ତି ଏବଂ ସୂତ୍ରଧରଙ୍କ ଭଳି ସମୟେ ସମୟେ କାର୍ଯ୍ୟକ୍ରମର ସୂଚନା ଦେଇଥାନ୍ତି । ଏହି ଶ୍ରୀପାଳିଆମାନଙ୍କ ମଧ୍ୟରୁ ବହୁସ୍ଥଳରେ ପରବର୍ତ୍ତୀ କାଳରେ ଗାୟକକୁ ଉତ୍ତୀର୍ଣ୍ଣ ହୋଇଥାନ୍ତି ।

 

ବାୟକ

 

ଏ ହେଉଛନ୍ତି ମୃଦଙ୍ଗ ବାଦ୍ୟକାର ଏବଂ ବିଦୂଷକ । ବାଦ୍ୟଶାସ୍ତ୍ର ସମ୍ବନ୍ଧରେ ଯେପରି ପ୍ରବୀଣ ଦର୍ଶକମାନଙ୍କ ହାସ୍ୟ ଉଦ୍ରେକ କରାଯାଇପାରେ ଅନୁରୂପେ ଚତୁର ଓ ଦକ୍ଷ । ମୃଦଙ୍ଗ ଶାସ୍ତ୍ରର ଶ୍ଳୋକ, ବୋଲ, ବାଣୀ, ବଚକାର ସବୁ ଜାଣନ୍ତି । ବାଦ୍ୟ ବଜାଇବାରେ ଧୁରନ୍ଧର । ପାଲାର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସେ ଗାୟକଙ୍କୁ ବାଦ୍ୟ ସହଯୋଗ କରନ୍ତି । ମଧ୍ୟେ ମଧ୍ୟେ ନିଜର ନିପୁଣତା ପ୍ରଦର୍ଶନ କରିବା ନିମନ୍ତେ କୌଣସି ନିର୍ଦ୍ଦିଷ୍ଟ ତାଳ ଆଧାର କରି, ଏହାର ବିସ୍ତାର ପ୍ରଦର୍ଶନ କରନ୍ତି । ବାମ ଡାହାଣ ହାତ ପରିବର୍ତ୍ତନ କରି ବଜାନ୍ତି । କେବଳ ଗୋଟିଏ ହାତରେ ବଜାନ୍ତି । ସମୟେ ସମୟେ ବଜା ସଙ୍ଗେ ସଙ୍ଗେ ନୃତ୍ୟ କରନ୍ତି । କେତେବେଳେ ପାଳିଆମାନଙ୍କ ସହ ଝୁଙ୍କିପଡ଼ି ବଜାନ୍ତି ତ କେତେବେଳେ କଣ୍ଢେଇ ବସି ବଜାନ୍ତି । ସମୟେ ସମୟେ ମୃଦଙ୍ଗ ଦୋଳନ କରି ବଜାନ୍ତି ବା ବେକରେ ଘୁରାଇ ଘୁରାଇ ବଜାନ୍ତି ।

 

ଏହି ବାଦ୍ୟ ତାଳ ସମ୍ବନ୍ଧରେ ଗାୟକଙ୍କ ଇଙ୍ଗୀତରେ ସେ ତାଙ୍କ “ହାତର କାମ” ପ୍ରଦର୍ଶନ କରନ୍ତି । ବାଦୀପାଲା ସମୟରେ ତାଳବାଦ୍ୟ ସମ୍ବନ୍ଧୀୟ ପ୍ରଶ୍ନର ଉତ୍ତର ଦିଅନ୍ତି ଏବଂ ପ୍ରମାଣ କରି ବଜାଇ ଦିଅନ୍ତି, ପୁଣି ନିଜେ ଅପର ପକ୍ଷର ବାୟକଙ୍କୁ ଏହି ସମ୍ବନ୍ଧୀୟ ପ୍ରଶ୍ନ ପଚାରି ଥାଆନ୍ତି ।

 

ପାଲାର ଏହି ମୃଦଙ୍ଗ ବାୟକ, ବାଦ୍ୟ ବ୍ୟତୀତ ଆଉ ଗୋଟିଏ ଅତି ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି । ସେ ହେଉଛନ୍ତି ବିଦୂଷକ ଏବଂ ହାସ୍ୟରସର ପ୍ରସ୍ରବଣ । ଗାୟକ କୌଣସି ଏକ ଗାମ୍ଭୀର୍ଯ୍ୟପୂର୍ଣ୍ଣ ତତ୍ତ୍ୱ ଆଲୋଚନା ଫଳରେ ଯେତେବେଳେ ଦର୍ଶକମାନଙ୍କ ମନକୁ ଚିନ୍ତାପୂର୍ଣ୍ଣ ବା ଭାରାକ୍ରାନ୍ତ କରିଥାନ୍ତି, ସେହି ଭାବାବେଶକୁ ଲାଘବ କରିବା ଉାଦ୍ଦେଶ୍ୟରେ ଏହି ବିଦୂଷକ ମହାଶୟ ଏପରି ବିତଣ୍ଡା ଯୁକ୍ତି କରିଥାନ୍ତି ଯେ ଦର୍ଶକଗଣ ନ ହସି ରହିପାରନ୍ତି ନାହିଁ । ବାଖ୍ୟାନ ସମୟରେ ବହୁ ସ୍ଥଳରେ ମଧ୍ୟେ ମଧ୍ୟେ ଏପରି ହାସ୍ୟରସାତ୍ମକ କଥାମାନ କୁହନ୍ତି ଯେ ପରିବେଷଣଟି ଆନନ୍ଦମୁଖର ହୋଇଉଠେ । ଅଭିନୟ ସମୟରେ ମଧ୍ୟ ସେ ଅଂଶଗ୍ରହଣ କରିଥାନ୍ତି ।
 

ଏ ବିଦୂଷକ କିନ୍ତୁ ସଂସ୍କୃତ ନାଟକର ବିଦୂଷକ ପରି ଥନ୍ତଲପେଟ ଦାଢି, ଚୁଟି ରଖି ଖାଇବା କଥା ନେଇ ଅତିରଞ୍ଜିତ କରି ସ୍ତ୍ରୀ ଆଗରେ କହିବା ଭଳି ଅପେକ୍ଷାକୃତ ନ୍ୟୂନ ହାସ୍ୟରସ ପରିବେଷଣ କରନ୍ତି ନାହିଁ କିମ୍ବା ତାଙ୍କ ପ୍ରତି ରାଜାଙ୍କ ପ୍ରତି କଥାରେ ଖୋସାମତିଆଭାବେ ସମର୍ଥନ ଜଣାନ୍ତି ନାହିଁ ବା ବିକୃତ ଅଙ୍ଗଭଙ୍ଗୀ ମୁହଁମୋଡ଼ି କରି ଜବରଦସ୍ତିଆଭାବେ ହାସ୍ୟ ଉଦ୍ରେକ କରାନ୍ତିନାହିଁ । ପାଲା ବିଦୂଷକ ଜଣେ ଅତିଗୁଣୀ ଏବଂ ସୌଷ୍ଠବବାନ ବ୍ୟକ୍ତି । ସେ ଗାୟକଙ୍କ ସଙ୍ଗେ ଯୁକ୍ତି କରନ୍ତି । ଗାୟକଙ୍କ ଯୁକ୍ତିକୁ ଖଣ୍ଡନ କରନ୍ତି । ଦର୍ଶକମାନଙ୍କ ପକ୍ଷରୁ ସେମାନଙ୍କ ଆନ୍ତରିକ ମନକଥା କହନ୍ତି । ମଜାକଥା କହି ବିରୋଧାକୃତ ଉପମା ଦିଅନ୍ତି । ଏହାଙ୍କ ହାସ୍ୟରସ ଉଚ୍ଚସ୍ତରର । ଦର୍ଶକଙ୍କର ମନଜାଣି ଠିକ୍ କେଉଁ ସମୟରେ କେଉଁ ହାସ୍ୟ କଥା ଅଭିରୁଚିସମ୍ପନ୍ନ ହେବ, ତାହା ପ୍ରୟୋଗ କରନ୍ତି ଓ ଆବାଳବୃଦ୍ଧ ବନିତାଙ୍କୁ ଖୁବ୍ ହସାନ୍ତି ।

 

ଓଡ଼ିଶ ପାଲାର ଏହି ଯୁଗକଳାବିଶିଷ୍ଟ ଦକ୍ଷ ବାୟକ ଓ ବିଜ୍ଞ ବିଦୂଷକ ଚରିତ୍ର ନାଟ୍ୟଜଗତରେ ଅନ୍ୟତ୍ର ବିରଳ । ଏହି ଚରିତ୍ରଟି ଏକ ବିଚିତ୍ର ଓ ଚମତ୍କାର ସୃଷ୍ଟି ।

 

ପାଳିଆଗଣ

 

ପ୍ରତ୍ୟେକ ପାଲାଦଳରେ ଦୁଇ କିମ୍ବା ତିନିଜଣ ପାଳିଆ ଥାଆନ୍ତି । ଏମାନେ ପାଳି ଧରନ୍ତି । କରତାଳି ବଜାନ୍ତି । ନାଟ୍ୟାଂଶ ଅଭିନୟବେଳେ ବିଭିନ୍ନ ଚରିତ୍ର ହୋଇଯାଆନ୍ତି । ଗାୟକ ଗାଇବା ଓ ବ୍ୟାଖ୍ୟାନ ବୁଝାଇବା ସମୟରେ ‘ହେଉ’ କହି ସମ୍ପୂର୍ଣ୍ଣ ସମର୍ଥନ କରନ୍ତି । ଏମାନେ ମଧ୍ୟ ଉପାଖ୍ୟାନଟିକୁ ମୁଖସ୍ଥ କରିଥାଆନ୍ତି ଏବଂ ଶ୍ରୀପାଳିଆଙ୍କ ପରି ଗାୟକ ପଦ ଛାଡ଼ିଗଲେ ପୂରଣ କରନ୍ତି । ବହୁ ଢଗଢମାଳି ପ୍ରବାଦ, ପ୍ରହେଳିକା ଘୋଷି ରଖିଥାନ୍ତି ଏବଂ ସମୟବେଳେ ବ୍ୟବହାର କରନ୍ତି । ସମୟେ ସମୟେରେ ଗାୟକଙ୍କ ଗାଇବା ସହିତ ପାଳି ନ ଧରି ସାମନ୍ତରାଳ ଭାବେ ଏକ ଭିନ୍ନ ହାସ୍ୟରସାତ୍ମକ ସରଳ ଗୀତ ପୂରଣ କରନ୍ତି ଯାହା ଅତ୍ୟନ୍ତ କୌତୁକପ୍ରଦ ହୋଇଥାଏ । ମଝିରେ ମଝିରେ ବିଷୟ ବସ୍ତୁ ବ୍ୟତିରେକେ ଦ୍ୱୈତ ନୃତ୍ୟ ବା ତ୍ରୟୀ ନୃତ୍ୟ କରନ୍ତି । ମନପସନ୍ଦିଆ ଆଧୁନିକ ଗୀତ ବୋଲନ୍ତି । ତାଳରେ ନାଚନ୍ତି । ପାଳି ସମୟରେ ସମୟେ ସମୟେ ଖୁବ୍ ଉଚ୍ଚ ସ୍ୱରରେ ଗାଉ ଗାଉ ହଠାତ୍ ଅନୁଚ୍ଚସ୍ୱରରେ ଗାଇ ପାଲାଗାନର ବିଶେଷତ୍ୱ ଦର୍ଶାନ୍ତି । କୌଣସି କୌଣସି ସ୍ଥଳରେ କରତାଳି ଛାଡ଼ି ମାନସିକ ଅବସ୍ଥାକୁ ଲାଘବ ଉଦ୍ଦେଶ୍ୟରେ ସମୟେ ସମୟେ କୌତୁକପ୍ରଦ କଥା କହି ଗାଇ ନାଚନ୍ତି, ‘ରାସ’ରେ କୃଷ୍ଣଙ୍କୁ ମଧ୍ୟରେ ରଖି ଗୋପୀମାନଙ୍କର ‘ବୃତ୍ତ’ ନୃତ୍ୟପରି । ପାଳିଆମାନେ ଏଥିପାଇଁ ପାଲାକାର୍ଯ୍ୟକ୍ରମରେ ବିଶେଷ ଆବଶ୍ୟକୀୟ କଳାକାର ଅଟନ୍ତି ।

 

ପରିବେଷଣ ସ୍ଥଳ, କାର୍ଯ୍ୟକ୍ରମ ଓ ଶୈଳୀ

 

ଓଡ଼ିଶାର ଏହି ଠିଆପାଲା ପରିବେଷଣ ପାଇଁ ନାଟ୍ୟକୀୟ ବର୍ଣ୍ଣିତ ଚତୁରସର ଓ ତ୍ରସର ପ୍ରେକ୍ଷାଳୟ ରୀତି ପ୍ରଯୁଜ୍ୟ । କେନ୍ଦ୍ରରେ ଅଭିନୟ ସ୍ଥଳ ରଖି ଚତୁପାର୍ଶ୍ୱରେ ଦର୍ଶକମାନଙ୍କ ପାଇଁ ଆସ୍ଥାନ କରାଯାଏ । ଗୋଟିଏ ପାର୍ଶ୍ୱରେ ଦର୍ଶକଙ୍କ ଗ୍ରହଣରେ ଗୋଟିଏ ସରୁବାଟ (ପୁଷ୍ପପଥ) ଲମ୍ବି ଯାଇଥାଏ । କଳାକାରମାନେ ବେଶଘରୁ ବାହାରି ଏହି ପୁଷ୍ପପଥ ଦେଇ କେନ୍ଦ୍ରମଞ୍ଚକୁ ଆସନ୍ତି । ଓଡ଼ିଶାର ନିଜସ୍ୱ ସମସ୍ତ ନାଟ୍ୟକଳା ଏହି ଚତୁରସର ପ୍ରେକ୍ଷାଳୟ ଆବଶ୍ୟକ କରନ୍ତି ଏବଂ ଓଡ଼ିଶାର ନିଜସ୍ୱ ନାଟ୍ୟକଳାଗୁଡ଼ିକର ସମସ୍ତ କଳାକାର ଏହି ପ୍ରକାରର ଦର୍ଶକମାନଙ୍କ ବେଷ୍ଟନୀ ମଧ୍ୟରେ ଥାଇ ନାଟ୍ୟକଳା ପରିବେଷଣରେ ପାରମ୍ପରିକ ଓ ସ୍ୱାଭାବିକଭାବେ ଅଭ୍ୟସ୍ତ । ଏପରି ଅତ୍ୟାବଶ୍ୟକୀୟ ଚତୁରସର ପ୍ରେକ୍ଷାଳୟ (ମୁକ୍ତାକାଶ ବା ଛାତସହ) ଏପର୍ଯ୍ୟନ୍ତ କୌଣସିଠାରେ ନିର୍ମିତ କରାଯାଇ ନ ଥିବାରୁ ଓଡ଼ିଶାର ସମସ୍ତ ନାଟ୍ୟକଳା ପରି ‘ପାଲା’ ମଧ୍ୟ ଏକ ଅସ୍ଥାୟୀ ରଙ୍ଗସ୍ଥଳୀରେ ଅଭିନୀତ ହୋଇଥାଏ । କୌଣସି ଖୋଲାଯାଗା, ମନ୍ଦିର ପ୍ରାଙ୍ଗଣ ଛକ ଜାଗାରେ ଗୋଟିଏ ଚାନ୍ଦୁଆ ବନ୍ଧାଯାଏ ବା ଛାମୁଡ଼ିଆ କରାଯାଏ । ବେଶଘରଠାରୁ କେନ୍ଦ୍ର ଅଭିନୟ ସ୍ଥଳ ପର୍ଯ୍ୟନ୍ତ ପୁଷ୍ପପଥ ଛାଡ଼ି ଦିଆଯାଇଥାଏ । ପୂଜା ସହ କରାଯାଉଥିବା ପାଲା ସମୟରେ ଦିଅଁଙ୍କ ଖଟୁଲି ଏହି କେନ୍ଦ୍ର ଅଭିନୟ ସ୍ଥଳର ଈଶାଣ କୋଣରେ ରଖାଯାଇଥାଏ । ପୂଜା ନ ହୋଉଥିବା ପାଲାରେ ଏହା ଆବଶ୍ୟକ ହୁଏ ନାହିଁ । କେନ୍ଦ୍ର ଅଭିନୟ ସ୍ଥଳରେ ଗୋଟିଏ ବେଦୀ କରାଯାଇଥାଏ । ବେଦି ଅଭାବରେ ଖଟ, ପଟାଦ୍ୱାରା ଉଚ୍ଚ କରାଯାଇଥିବା ସ୍ଥାନ, ତାହା ନଥିବା ସ୍ଥାନରେ ଭୂମିରେ ଅଭିନୟ କରିବାକୁ ପଡ଼ିଥାଏ । କଳାକାରମାନେ ଥରେ ବେଶଘରୁ ବାହାରି ଆସିଲେ ଆଉ ବେଶଘରୁକୁ ଫେରନ୍ତି ନାହିଁ । ପାଲା ଶେଷ ପର୍ଯ୍ୟନ୍ତ ମଞ୍ଚରେ ରହିଥାନ୍ତି ।

 

କାର୍ଯ୍ୟକ୍ରମ ଆରମ୍ଭରେ ବାୟକ ଓ ପାଳିଆମାନେ ପ୍ରଥମ ପର୍ଯ୍ୟାୟରେ ବେଶଘରୁ ବେଶଭୂଷାହୋଇ ଓ ନିଜ ନିଜର ବାଦ୍ୟଯନ୍ତ୍ର ଇତ୍ୟାଦି ଧରି ଗୋଟିଏ ଧାଡ଼ିରେ ମଞ୍ଚରେ ପ୍ରବେଶ କରନ୍ତି । ମଞ୍ଚପ୍ରବେଶ ସମୟରେ ମଞ୍ଚ ନମସ୍କାର କରିଥାନ୍ତି । ମଞ୍ଚଉପରେ ଦର୍ଶକମାନଙ୍କୁ ନମସ୍କାରପୂର୍ବକ ପରିକ୍ରମା କରିସାରି ଗୋଟିଏ ପାର୍ଶ୍ୱରେ ଧାଡ଼ିରେ ଠିଆହୋଇଯାଆନ୍ତି । ଆରମ୍ଭରେ ବାୟକ ମୃଦଙ୍ଗରେ ଆଶ୍ରାବଣା (ପରୀକ୍ଷାମୂଳକ) ବଜାନ୍ତି ଓ ପରେ କେନ୍ଦ୍ରସ୍ଥଳକୁ ଆସି ସଂସ୍କୃତ ଶ୍ଳୋକ ବୋଲି, ଚକ୍ରାକାର ଇତ୍ୟାଦି ସହ ବାଦ୍ୟ ବଜାନ୍ତି । କ୍ରମେ ଏହାଙ୍କ ସଙ୍ଗେ ପାଳିଆମାନେ କରତାଳି ବଜାଇ ସହଯୋଗ କରନ୍ତି ଓ ମୃଦଙ୍ଗ ବାୟକଙ୍କୁ ମଧ୍ୟରେ ରଖି ତାଙ୍କ ଚାରିପାଖରେ ନାଚି ବୁଲନ୍ତି । ଏହାପରେ ପୁନଶ୍ଚ ସେମାନେ ଗୋଟିଏ ଧାଡ଼ିରେ ଠିଆ ହୋଇ ଯାଆନ୍ତି ଓ ବାଦ୍ୟର ତାଳେ ତାଳେ ଜଣେ ପରେ ଜଣେ ବାହାରି ନୃତ୍ୟ ସହିତ ରଙ୍ଗସ୍ଥଳୀ ପରିକମା କରନ୍ତି । ଏହି ସମୟରେ ଶ୍ରୀପାଳିଆ ପୁଷ୍ପପଥରେ ଆସି ମଞ୍ଚନମସ୍କାର ପୂର୍ବକ ମଞ୍ଚ ପ୍ରବେଶ କରି ଏମାନଙ୍କ ମଧ୍ୟ ସ୍ଥଳରେ ପହଞ୍ଚନ୍ତି । ଏହାଙ୍କୁ ମଧ୍ୟରେ ରଖି ଅନ୍ୟ କଳାକାରମାନେ ଦୁଇଭାଗ ହୋଇ ଦୁଇପାଖରେ ଆଗପଛ ହୋଇ ରହିଯାଆନ୍ତି । ଶ୍ରୀପାଳିଆ ପ୍ରଥମେ ଈଶ୍ୱର ବନ୍ଦନା କରି ଦର୍ଶକମାନଙ୍କୁ ଆଶୀର୍ବାଦ ଭିକ୍ଷା କରନ୍ତି ଏବଂ ଅନ୍ୟମାନଙ୍କ ସହ ବାଦ୍ୟବୃନ୍ଦରେ ଯୋଗ ଦିଅନ୍ତି ଏବଂ ପୁନଶ୍ଚ ସମବେ‌ତ ନୃତ୍ୟସହ ମଞ୍ଚ ପରିକ୍ରମା କରନ୍ତି । ଶ୍ରପାଳିଆ ଭଗବାନଙ୍କ ଉଦ୍ଦେଶ୍ୟରେ ଦୁଇ ତିନୋଟି ଶ୍ଳୋକ ଭଜନ ଇତ୍ୟାଦି ଗାନ କରିବା ପରେ ପୁଣି ନୃତ୍ୟରେ ପରିକ୍ରମା ହୁଏ । ସମୟେ ସମୟେ ପାଳିଆମାନଙ୍କ ମଧ୍ୟରେ କେହି ଭଗବାନଙ୍କ ସ୍ତବ ଇତ୍ୟାଦି ମଧ୍ୟ ବୋଲିଥାନ୍ତି । ଏହିପରି ନୃତ୍ୟଗୀତ ବାଦ୍ୟର କିଛି ସମୟ ଅତିବାହିତ ହେବା ପରେ ପୁଷ୍ଫପଥରେ ପ୍ରବେଶ କରନ୍ତି ଗାୟକ ମହାଶୟ ସ୍ମିତବଦନରେ, ଅତ୍ୟନ୍ତ ଶାନ୍ତ ଶିଷ୍ଟ ଗମ୍ଭୀରଭାବେ । ତାଙ୍କ ହାତରେ ଚାମର ଥାଏ ଏବଂ ଗିନି କାନ୍ଧରେ ପଡ଼ିଥାଏ । ତାଙ୍କ ସାଥିମାନେ ତାଙ୍କୁ ଅଭିବାଦନ ଜଣାନ୍ତି । ସେ ମଞ୍ଚପ୍ରବେଶ କରି ସୌଷ୍ଠବ ଭଙ୍ଗୀରେ ଠିଆହୋଇ ଚାମରକୁ ଉର୍ଦ୍ଧ୍ୱକୁ ଟେକିଧରି ଭଗବାଙ୍କ ଉଦ୍ଦେଶ୍ୟରେ ନମସ୍କାର କରନ୍ତି ଏବଂ ଏଥିନିମନ୍ତେ ଶ୍ଳୋକଟିଏ ଅନୁଚ୍ଚ ସ୍ୱରରେ ବୋଲନ୍ତି । ତା’ପରେ ପୁନର୍ବାର ନମସ୍କାର କରି ଚତୁଃପାର୍ଶ୍ୱ ବୁଲି ଦର୍ଶକମାନଙ୍କୁ ନମସ୍କାର କରନ୍ତି । ସେମାନଙ୍କୁ ଭଗବାନଙ୍କ ଆଶୀର୍ବାଦ ଜଣାଇ ଚାମର ଉର୍ଦ୍ଦ୍ୱରେ ବୁଲାନ୍ତି । ତା’ପରେ ସାଥିମାନଙ୍କୁ ଚାମରଦ୍ୱାରା ଆଶୀର୍ବାଦ ଜଣାନ୍ତି । ଏହାପରେ ଗାୟକ କୌଣସି ତାଳ ଆଧାରିତ କରି ତାଙ୍କ ଛୋଟ ଗିନିରେ ବଜାନ୍ତି । ଅନ୍ୟ ସମସ୍ତେ ବାଦ୍ୟସହଯୋଗ କରନ୍ତି । ବିଳମ୍ବିତ ଓ ଅନୁଚ୍ଚ ଶବ୍ଦରୁ ଆରମ୍ଭ ହୋଇ କ୍ରମେ ଏହା ଦ୍ରୁତ ଉଚ୍ଚ ସ୍ୱରରେ କରାଯାଏ । ଏହା ସହିତ ନୃତ୍ୟ ହୁଏ । ଗାୟକଙ୍କୁ ମଧ୍ୟରେ ରଖି ତାଙ୍କ ଚାରିପାଖେ ବୃତ୍ତରେ ଘୂରି ଘୂରି ନୃତ୍ୟ ହୁଏ । ଏପରି ନୃତ୍ୟ ସଙ୍ଗୀତ ପରେ ଗାୟକ ପୁନଶ୍ଚ ମଙ୍ଗଳାଚରଣ ଗାନପୂର୍ବକ କେଉଁ ବିଷୟଟି ପରିବେଷଣ କରିବେ ତାହା ପୁର୍ନନିର୍ଦ୍ଧାରିତ ନ ହୋଇଥିଲେ ସେହିଠାରେ ଦର୍ଶକମାନଙ୍କ ସହିତ କଥାବାର୍ତ୍ତା କରି ସ୍ଥିର କରନ୍ତି । ଉପାଖ୍ୟାନଟିର ଲେଖକ ଏବଂ ବିଷୟ ବସ୍ତୁଟିର ଗୋଟିଏ ପୂର୍ବଭାଷ ଜଣାଇ କାର୍ଯ୍ୟକ୍ରମ ଆରମ୍ଭ ହୁଏ । ଉପାଖ୍ୟାନଟି କାବ୍ୟ ଆକାରରେ ନାନା ରାଗ ରାଗୀଣୀରେ ବୋଲାଯାଏ । ମଧ୍ୟେ ମଧ୍ୟେ କୌଣସି ନିର୍ଦ୍ଧିଷ୍ଟ ଅଂଶ ବିଷୟରେ ପ୍ରାଚୀନ ତଥା ଆଧୁନିକ କେଉଁ କବି କ’ଣ ଲେଖିଛନ୍ତି ତାହା ତୁଳନାତ୍ମକଭାବେ ଜଣାଇ ଦିଆଯାଏ । ଶାସ୍ତ୍ରମାନଙ୍କରୁ ଶ୍ଳୋକମାନ ଉଦ୍ଧାର କରାଯାଇ ତାହାର ଭାବାର୍ଥ ସହ ବୁଝାଇ ଦିଆଯାଏ । ଏହି ବ୍ୟଖ୍ୟାନ ସମୟରେ ଅନ୍ୟ ସହଯୋଗୀମାନେ ବୃତ୍ତାକାରରେ ବସିରହନ୍ତି । ପାଳିଆମାନେ ସମର୍ଥନ ଜଣାଉ ଥାଆନ୍ତି । ମଧ୍ୟେ ମଧ୍ୟେ ବିଦୂଷକ ଉଠି ବିତଣ୍ଡା ଯୁକ୍ତି କରି ହାସ୍ୟରୋଳ କରନ୍ତି । ଗୀତ ସମୟବେଳେ ପାଳିଆମାନେ ଉଠି ପାଳି ଧରନ୍ତି ଓ ସ୍ୱରକୁ ମଞ୍ଚକୁ ନେଇ ଉଚ୍ଚସ୍ୱରରେ ରାହା ଧରନ୍ତି ଓ ଘୂରି ଘୂରି ନାଚ କରି ପୁନଶ୍ଚ ବସିଯାଆନ୍ତି । ଗାୟକ ସାହିତ୍ୟିକ ଅଳଙ୍କାର ଯୁକ୍ତ କରି ଗାୟନ ଉପାଖ୍ୟାନ କୁହନ୍ତି ଓ “ପାଲା ଅଳଙ୍କାର” ଯୁକ୍ତ କରି ବର୍ଣ୍ଣନାକୁ ଋଦ୍ଧିମନ୍ତ ଓ ଚିତ୍ତାକର୍ଷକ କରିଥାନ୍ତି । ଏହି ବୃତ୍ତାନ୍ତ ବର୍ଣ୍ଣନା ସମୟରେ ଆବଶ୍ୟକ ଅନୁଯାୟୀ ଦୃଶ୍ୟାଂଶ ଅଭିନୟ ମାଧ୍ୟମରେ ପରିବେଷଣ କରାଯାଏ । କୌଣସି ବେଶ ପରିବର୍ତ୍ତନ ନ କରି କଳାକାରମାନେ ଭିନ୍ନ ଭିନ୍ନ ଚରିତ୍ର ହୋଇ ଅଭିନୟ କରନ୍ତି ଓ ଅତି ସରଳ ଗଦ୍ୟ ସଂଳାପ ଉପଯୋଗ କରିଥାନ୍ତି । ସ୍ତ୍ରୀ ଭୂମିକା ଆବଶ୍ୟକ ପଡ଼ିଲେ କାନ୍ଧରେ ଥିବା ଉତ୍ତରୀୟକୁ ଓଢ଼ଣୀରୂପେ ମସ୍ତକ ଉପରେ ଆଭରଣ କରାଇ ସ୍ତ୍ରୀସୁଲଭ ଚାଳିଚରଣ ଅଙ୍ଗହାର ଦ୍ୱାରା ଅଭିନୟ କରିଥାନ୍ତି । ବିଷୟବସ୍ତୁର ଗୁରୁତ୍ୱ ସମୟରେ ଯେପରି ବାତାବରଣ ଗମ୍ଭୀର ହୋଇପଡ଼େ, ଯୁଦ୍ଧାଦି ସମୟରେ ସେହିପରି ବାତାବରଣ ସରଗରମ ହୋଇଉଠେ । ମଧ୍ୟେ ମଧ୍ୟେ ଦର୍ଶକମାନଙ୍କର ଭାବାକ୍ରାନ୍ତ ମନକୁ ଲାଘବ କରିବା ଉଦ୍ଦେଶ୍ୟରେ ହାସ୍ୟରସ ବତାବରଣ କରାଯାଇ କେବେ ବିଷୟବସ୍ତୁ ସମ୍ପର୍କିତ ବା କେବେ ଅସମ୍ପର୍କିତ ଦୃଶ୍ୟାଂଶ ପରିବେଷଣ ହୁଏ । କେବେ କେବେ ଦୈତ୍ୟ ବା ତ୍ରୟୀ ନୃତ୍ୟ ପ୍ରଦର୍ଶନ କରାଯାଏ । ଦର୍ଶକମାନେ ତୃପ୍ତିରେ ଆନନ୍ଦିତ ହୁଅନ୍ତି । ଏତଦ୍ୱାରା ସାହିତ୍ୟିକ ଅଭିରୁଚି ବଢ଼େ, ନିତିଶିକ୍ଷା ମିଳେ, ହାସ୍ୟଚେତନା ବୃଦ୍ଧିପାଏ ଓ ଜନସାଧାରଣ ନୂଆ ନୂଆ କଥା ଜାଣନ୍ତି ଏବଂ ସର୍ବଦା “ଧର୍ମ ଓ ସତ୍ୟର ଜୟ” ଉପଲବ୍ଧି କରନ୍ତି ।

 

ଏହିରୂପେ ସଭା ସାଙ୍ଗ ହୋଇଥାଏ ଓ ଗାୟକ ସଭାସଦବର୍ଗଙ୍କୁ ଧନ୍ୟବାଦ ଜଣାନ୍ତି । ସମସ୍ତଙ୍କୁ ଈଶ୍ୱରଙ୍କ ଆଶୀର୍ବାଦ ପ୍ରାପ୍ତ ହେଉ ଓ ସମସ୍ତଙ୍କର ମନୋବାଞ୍ଛା ପୂରଣ ହେଉ ବୋଲି କାମନା ଜଣାନ୍ତି । ହରିଧ୍ୱନି ସହ କାର୍ଯ୍ୟକ୍ରମ ସମାପ୍ତ ହୁଏ । କାର୍ଯ୍ୟକ୍ରମ ଚାଲିଥିବା ସମୟରେ ଯେ କୌଣସି ଦର୍ଶକ ଉପାଖ୍ୟାନ ସମ୍ବନ୍ଧୀ ବା “ପାଲା ଅଳଙ୍କାର” ସମନ୍ଧୀ ପ୍ରଶ୍ନ ପଚାରି ପାରନ୍ତି ଏବଂ ଗାୟକ ଏସବୁ ଉତ୍ତର ଦେଇ ଥାଆନ୍ତି ।

 

ବାଦୀପାଲା ସମୟରେ ଗୋଟିଏ ଦଳ ଅନ୍ୟ ଦଳକୁ କେତେକ ପ୍ରଶ୍ନ ପଚାରି ଯାଆନ୍ତି ଏବଂ ଦର୍ଶକମାନେ ଅନ୍ୟଦଳର ଉତ୍ତର ଜାଣିବା ନିମନ୍ତେ ଆଗ୍ରହ ଉତ୍କଣ୍ଠାରେ ପ୍ରତୀକ୍ଷା କରନ୍ତି ।

 

ବୃତ୍ତାନ୍ତଟିକୁ ନୃତ୍ୟ, ଗୀତ, ଅଭିନୟ ଇତ୍ୟାଦିରେ ସାହିତ୍ୟିକ ଅଳଙ୍କାର ତଥା ପାଲା ଅଳଙ୍କାର ସହ ବର୍ଣ୍ଣନା କରାଇ ଦର୍ଶକମାନଙ୍କର ହୃଦୟଙ୍ଗମ କରାଇବା ଯେପରି ‘ପାଲାର’ ଏକ ବିଶେଷତ୍ୱ ସେହିପରି ବେଶ ପରିବର୍ତ୍ତନ ନ କରାଇ ମାତ୍ର ୪/୫ ଜଣ କଳାକାରଙ୍କୁ ବିଭିନ୍ନ ସମୟରେ ବିଭିନ୍ନ ଭୂମିକାରେ ଅଭିନୟ କରାଇ ନାଟ୍ୟରୂପକୁ ଚରିତାର୍ଥ କରାଇବା ମଧ୍ୟ ପାଲାର ଅନ୍ୟ ଏକ ବିଶେଷତ୍ୱ ।

 

ନାଟ୍ୟରୂପ ଆଦିମ ବୃତ୍ତାନ୍ତକଥନଠାରୁ କ୍ରମ ବିବର୍ତ୍ତନ ମାଧ୍ୟମରେ ଶ୍ରାବ୍ୟକାବ୍ୟ ଦୃଶ୍ୟକାବ୍ୟଭାବେ ରୂପାନ୍ତରିତ ହୋଇଅଛି ।

 

‘ଠିଆପାଲା’ ନାଟ୍ୟରୂପର କ୍ରମବିକାଶ ଓ ବିବର୍ତ୍ତନ କ୍ଷେତ୍ରରେ ଏକ ମଧ୍ୟକାଳୀନ ଅବସ୍ଥା ହୋଇପାରେ । କିନ୍ତୁ ଓଡ଼ିଶାରେ ଯେଉଁ ଯେଉଁ ଉପାଦାନରେ ପୁଷ୍ଟ ହୋଇ ଆଜି ଏହା ସର୍ବାଧିକ ଲୋକପ୍ରିୟ ହୋଇପାରିଛି, ତାହା ଅତ୍ୟାଧୁନିକ ନାଟ୍ୟ ଗବେଷକମାନଙ୍କ ମଧ୍ୟରେ ଆଲୋଡ଼ନ ସୃଷ୍ଟି କରୁଛି । ଏହା ଏକ ଚିରନ୍ତନ, ଚିରନୂତନ ଶୈଳୀରୂପେ ନିଜର ଆସନ ସୁଦୃଢ଼ ରଖିପାରିଛି ।

 

ପାଲା ଅଳଙ୍କାର

 

ସାହିତ୍ୟ କ୍ଷେତ୍ରରେ ମେଷ ଯୁଦ୍ଧ, ସିଂହାବଲୋକନ, ବ୍ୟାଘ୍ରଗତି, ମଣ୍ଡୁକପ୍ଳୁତି, ଉପମା, ଉପଧା, ଅନୁପ୍ରାସ, ବିନ୍ୟାସ, ଯତିପାତ ବିଭିନ୍ନ ବନ୍ଧ, ଯମକ (ଆଦ୍ୟ ଯମକ,ପ୍ରାନ୍ତ ଯମକ ଆଦି) ପ୍ରଭୃତିକୁ ଅଳଙ୍କାର କୁହାଯାଏ ।

 

ପାଲାରେ ଏସବୁ ବିଶେଷ ଚର୍ଚ୍ଚା ଓ ବ୍ୟବହାର ହେଉଥିଲେ ସୁଦ୍ଧା ‘‘ପାଲା ଅଳଙ୍କାର”କୁ ବିଭିନ୍ନ ଭାବରେ ବୁଝାଇଥାଏ । ବୃତ୍ତାନ୍ତ ବର୍ଣ୍ଣନା ସମୟରେ ଯେଉଁ ଭାବ, ରସ, ଚିତ୍ର ପରିବେଶ, ଏପରିକି ଶବ୍ଦ ବିନ୍ୟାସ ଉପସ୍ଥିତ ହୁଏ ତାହାକୁ ବିଶ୍ଳେଷଣ କରି ଅଧିକ ହୃଦୟଗ୍ରାହୀ ଓ ଆକର୍ଷିତ କରାଇବା ଅଭିପ୍ରାୟରେ ସେହି ବିଷୟରେ ଅନ୍ୟ କବି, ପ୍ରାଚୀନ ତଥା ନୂତନ ଶାସ୍ତ୍ରକାରମାନେ କଅଣ କଅଣ ଲେଖିଯାଇଅଛନ୍ତି, ତାହା ଶୁଣାଇ ଅର୍ଥକରି ବୁଝାଇବାକୁ “ପାଲା ଅଳଙ୍କାର” କୁହାଯାଏ । ଅସାଧାରଣ ପାଣ୍ଡିତ୍ୟ, ପ୍ରଖର ସ୍ମୃତିଶକ୍ତି, ଶୃଙ୍ଖଳିତ ବିଚାର ବୋଧ ଓ ନିୟମିତ ଅଧୟନ ଫଳରେ ଏଥିରେ ସାମର୍ଥ୍ୟ ବୃଦ୍ଧି କରାଯାଇଥାଏ । “ପାଲା ଅଳଙ୍କାର”ହିଁ ପାଲା ଗାୟକମାନଙ୍କର ମାନଦଣ୍ଡସ୍ୱରୂପ ଅଟେ ।

 

ପାଲାର ଯଜମାନ

 

ପ୍ରାଚୀନ କାଳଠାରୁ ଆଜିସୁଦ୍ଧା ‘ପାଲା’ ଏକ ଧର୍ମାନୁଷ୍ଠାନଭାବେ ଗୃହୀତ । ରାଜାମହାରାଜାଙ୍କ ଠାରୁ ସମାଜର ଅତି ଦୀନ ନାଗରିକ ପର୍ଯ୍ୟନ୍ତ ସମସ୍ତେ ଏହାର ପୃଷ୍ଟ ପୋଷକ । ମାନସିକ ଅଭିଳାଷି ଯଜମାନ ‘ବୈଠକୀ ପାଲା’ ପାଇଁ ନିଜକୁ ସମର୍ଥ କରାଏ । ଧନୀ, ଆର୍ଥିକ ସୁସ୍ଥ ଯଜମାନ ପୂଜା କରାଇ ଠିଆପାଲା କରାଇଥାନ୍ତି । ମେଳା, ମହୋତ୍ସବ, ଦେବଦେବୀ ଉତ୍ସବ, ବିବାହ, ବ୍ରତ, ଜନ୍ମଦିନ ତଥା ଅନ୍ୟାନ୍ୟା ସାମାଜିକ ଶୁଭ ଉତ୍ସବମାନଙ୍କରେ ପାଲା ଅନୁଷ୍ଠିତ ହୁଏ । ସହରାଞ୍ଚଳମାନଙ୍କରେ ମନୋରଞ୍ଜନ ଉପଲକ୍ଷେ ସାମୂହିକଭାବେ ଚାନ୍ଦାଭେଦା କରି ପାଲା କରାଇଥାନ୍ତି । ସାରା ବର୍ଷରେ ପାଲା ହୋଇଥାଏ ।

 

ପାଲାର ସମୟ

 

ବୈଠକୀ ପାଲା ସାଧାରଣତଃ ସନ୍ଧ୍ୟାରେ ଅନୁଷ୍ଟିତ ହୋଇ ଦୁଇ ତିନି ଘଣ୍ଟା ମଧ୍ୟରେ ସମାପ୍ତ ହୁଏ ।

 

ଠିଆ ପାଲା ସାଧାରଣତଃ ମଧ୍ୟରାତ୍ରୀ ପୂର୍ବରୁ ଆରମ୍ଭ ହୁଏ । ଏହା ୪/୫ ଘଣ୍ଟା ଅଭିନୀତ ହୋଇ ପ୍ରତ୍ୟୁଷ ପୂର୍ବରୁ ଶେଷ ହୋଇଥାଏ ।

 

ବାଦୀ ପାଲା ସମୟରେ ଦୁଇଟି ଦଳକୁ ସମୟ ଦେବାଲାଗି ସନ୍ଧ୍ୟାରୁ ଆରମ୍ଭ ହୁଏ । ପ୍ରଥମ ଦଳ ଶେଷ କଲେ ଅନ୍ୟ ଦଳ ପ୍ରବେଶ କରନ୍ତି । ଏହା ଗୋଟିଏ ରାତ୍ରରେ ବା ଦୁଇ ତିନି ରାତ୍ରରେ ପୂର୍ବ ନିର୍ଦ୍ଧାରିତ ମତେ ଶେଷ ହୁଏ । ରାତି ରାତି କ୍ରମାନ୍ୱୟରେ ସମୟେ ସମୟେ ଏହା ୧୦/୧୫ ଦିନ ଧରି ଚାଲୁ ରହିଥାଏ । ଗୋଟିଏ ଦଳ ଥକି ନ ପଡ଼ିବା ପର୍ଯ୍ୟନ୍ତ ଚାଲୁଥାଏ । ବିଜୟୀ ଦଳ ପୁରସ୍କୃତ ହୁଅନ୍ତି । ବାଦୀ ଦଳ ଅପରପକ୍ଷକୁ ପ୍ରେରଣା ଯୋଗାଇବା ଯୋଗୁଁ ସେ ମଧ୍ୟ ପୁରସ୍କୃତ ହୁଅନ୍ତି ।

 

ପାଲାରେ ପୁରସ୍କାର

 

ପାଲାର ଗାୟକ ବା ଅନ୍ୟ ସହଯୋଗୀ କଳାକାରମାନେ ଯେଉଁ ଭାବରେ ପ୍ରତ୍ୟକ୍ଷ ସମ୍ମାନୀତ ବା ପୁରସ୍କୃତ ହୁଅନ୍ତି ତାହା ଅନ୍ୟକୌଣସି ନାଟ୍ୟ କ୍ଷେତ୍ରରେ ହେଉଥିବା ମନେ ହୁଏ ନାହିଁ । କାର୍ଯ୍ୟକ୍ରମ ମଝିରେ ମଝିରେ ଦର୍ଶକମାନଙ୍କ ମଧ୍ୟରୁ କେହି କେହି କୌଣସି କଳାକାର ର କାର୍ଯ୍ୟରେ ମୁଗ୍ଦ ହୋଇ ଅର୍ଥଆକାରରେ ଆଣି ଘୋଷଣା ସହ କଳାକାରଙ୍କ ପୋଷାକରେ ପଗଡ଼ିରେ ଲଟକାଇ ଦିଅନ୍ତି । ସମୟେ ସମୟରେ ତଥା କଳାକାରମାନଙ୍କ ପାଇଁ ଫଲମାଳ, ଫୁଲତୋଡ଼ା, ଆଗରୁ ସଂଗ୍ରହ କରି ରଖିଥାନ୍ତି ଓ ଉପଯୁକ୍ତ ସମୟରେ ଅର୍ପଣ କରାନ୍ତି । ସତ୍ୟନାରାୟଣଙ୍କ ପ୍ରତୀକ ‘ଚାମର’ ଆଶୀର୍ବାଦ ପାଇଁ ବହୁ ସଂଖ୍ୟାରେ ଛୋଟ ଛୋଟ ଶିଶୁମାନେ ଗାୟକଙ୍କୁ ଫୁଲମାଳ ଦେଇ ଆଶୀର୍ବାଦ ନିଅନ୍ତି । ପୂର୍ବକାଳରେ ରାଜା, ମହାରାଜା ଧନୀବ୍ୟକ୍ତିମାନେ ପାଲାକାରମାନଙ୍କୁ ସ୍ୱର୍ଣ୍ଣକୁଣ୍ଡଳ, ସ୍ୱର୍ଣ୍ଣମୁଦି, ପାଟଶାଢ଼ୀ ଆଦି ପୁରସ୍କାର ଦେଉଥିଲେ । ଏବେମଧ୍ୟ ସ୍ଥାନ ବିଶେଷରେ ନୂତନ ବସ୍ତ୍ର, ହାତବନ୍ଧା ଘଡ଼ି ଇତ୍ୟାଦି ପୁରସ୍କାର ଦେବାର ଦୃଷ୍ଟାନ୍ତ ରହିଛି । ପୂର୍ବେ ରାଜା ମହାରାଜାମାନେ ମୁଗ୍ଧ ହୋଇ ଗାୟକମାନଙ୍କୁ ଜମିବାଡ଼ି ଜାଗିର ଦେବାରେ ମଧ୍ୟ ବହୁ ଦୃଷ୍ଟାନ୍ତ ରହିଅଛି । ଏହି ବିତ୍ତଶାଳୀ ପୃଷ୍ଟପୋଷକମାନେ ନୂତନ ବେଶଭୂଷାମାନ ମଧ୍ୟ ପାଲାକାରମାନଙ୍କୁ ଦେଇ ଉତ୍ସାହ ପ୍ରଦାନ କରୁଥିଲେ । ପୁରାଣ, ଶାସ୍ତ୍ର, ବ୍ୟାକରଣ ଗ୍ରନ୍ଥ ଆଦି ମଧ୍ୟ ଯୋଗାଇଦେଇ ପାଲାକାରମାନଙ୍କୁ ଅଧିକ ଜ୍ଞାନାଧ୍ୟୟନର ବ୍ୟବସ୍ଥା କରୁଥିଲେ । ପୂର୍ବଭଳି ଆଜି ମଧ୍ୟ ପାଲାଗାୟକମାନଙ୍କୁ, ବାୟକମାନଙ୍କୁ ବହୁ ଅନୁଷ୍ଠାନ ତରଫରୁ ବିବିଧ ଉପାଧିରେ ଭୂଷିତ କରିବା ବ୍ୟବସ୍ଥା ପ୍ରଚଳିତ ରହିଅଛି ।

 

ସାମ୍ପ୍ରତିକ ପାଲା

 

ସାମ୍ପ୍ରତିକ ପାଲାକ୍ଷେତ୍ରରେ ଆଧୁନିକତାର ଦ୍ୱାହିଦେଇ ଯେଉଁ ଯେଉଁ ପରିବର୍ତ୍ତନ ହୋଇଯାଇଛି ବା ହେବାକୁ ଯାଉଛି ସେ ବିଷୟରେ ପ୍ରାୟ ସମସ୍ତେ ଅବଗତ ଅଛନ୍ତି । ତଥାପି ଲେଖକର ବ୍ୟକ୍ତିଗତ ମତାମତ ଏଠାରେ ପ୍ରକାଶଯୋଗ୍ୟ ।

 

ଗୋଟିଏ ଚମତ୍କାର ପ୍ରାଚୀନ ପାରମ୍ପରିକ ରାଜକୀୟ ପୋଷକ ପରିଚ୍ଛେଦକୁ “ଯାବନିକ ବା ମରହଟୀଆ” କହି ଏବେ ଯେଉଁ ନୂତନ ବେଶଭୂଷା ପରିଧାନ କରାଯାଉଛି, ତାହା କେଉଁ ପ୍ରକାରରେ ନୂତନ ଅଭିରୁଚିକୁ ଖାପ ଖାଉଛି ତାହା ବିବେଚନା ସାପେକ୍ଷ । ଏହା ପୂର୍ବାପେକ୍ଷା ଯେ ବେଶ୍ ଚକ୍ଷୁକଟୁ ହେଉଛି ଏହା ସର୍ବଜନସମ୍ମତ ।

 

ଗାୟକ ଏକ ହାତରେ ଗିନି ବଜାଇବା, ଚାମର ନୃତ୍ୟ କରିବା ଇତ୍ୟାଦି ନିତାନ୍ତ ସୌଭାଗ୍ୟ ନ ଥିଲେ ଏବେ ଆଉ ଦେଖିବାକୁ ମିଳୁନାହିଁ ।

 

ପାଳିଆମାନେ ଆଳସ୍ୟପରାୟଣ ଓ ବିଶୃଙ୍ଖଳିତଭାବେ କେତେକ ସ୍ଥଳରେ ଯେପରିଭାବେ ବସି ରହୁଛନ୍ତି ଏଥିରେ ଦର୍ଶକମାନେ ଆଖିରେ ଦେଖୁଥିବା ଚିତ୍ରଟି ରୁଚିସମ୍ପନ୍ନ ହେଉନାହିଁ । ସେହିପରି ସାମୂହିକ ନୃତ୍ୟ ଅବସରରେ ଗୁଳ୍ମ, ଶୃଙ୍ଖଳା, ଲତା, ଭେଦ୍ୟକ ଆଦି ସରଳ ରୀତିସମ୍ପନ୍ନ ବିଭିନ୍ନ ଚିତ୍ରରୂପୀ ଗତି ରଚିତ ଚକ୍ଷୁ ତୃପ୍ତିକାରୀ ନୃତ୍ୟ ରହୁ ନ ଥିବାରୁ ଏହା ପୂର୍ବାପେକ୍ଷା ସନ୍ତୋଷଦାୟକ ହେଉନାହିଁ । ସମୂହ ଗାନ ସମୟରେ କର୍କଶତା ପ୍ରବେଶକରି ଶ୍ରୁତିର ମାଧୁର୍ଯ୍ୟ ହ୍ରାସ ହେଉଛି ।

 

ନାନ୍ଦୀ, ମଙ୍ଗଳଗାନ, ପୂର୍ବାଭାସ ବର୍ଣ୍ଣନାରେ ଅଧିକ ସମୟ ଅତିବାହିତ ହେଉଅଛି । ବହୁ ସମୟରେ ଅନାବଶ୍ୟକ ପାଲା ଅଳଙ୍କାରରେ ବ୍ୟବହାରରେ ପାଣ୍ଡିତ୍ୟ ପ୍ରଦର୍ଶନର ଆଭାସ ମିଳୁଥିଲେ ହେଁ ଏହା ବିଷୟବସ୍ତୁ ସର୍ମ୍ପିତ ନ ହୋଇ ଢିଙ୍କିଶାଳରୁ ଢେଙ୍କାନାଳ ପ୍ରାୟ ଲାଗିଛି । ତଥାପି ଉଚ୍ଚଜ୍ଞାନ ଅଭିରୁଚିସମ୍ପନ୍ନ ଗୁଣୀମାନଙ୍କର ଅଭାବ ନାହିଁ । ସେହିମାନେ ହିଁ ପାଲାର ମହତ୍ୱ ରକ୍ଷାକରି ଏଯାବତ ଓଡ଼ିଶାର ଶ୍ରେଷ୍ଠ ଲୋକପ୍ରିୟ ନାଟ୍ୟନୁଷ୍ଠାନଭାବେ ପାଲାକୁ ଉଜ୍ଜୀବିତ କରି ରଖିଆସିଛନ୍ତି । ବତ୍ତମାନ ବହୁ ଉଚ୍ଚଶିକ୍ଷିତ ବ୍ୟକ୍ତି ତଥା ମହିଳା କଳାକାର ଯେପରି ଉଚ୍ଚାକୋଟୀର ପାଲା ପ୍ରଦର୍ଶନ କରୁଛନ୍ତି, ଏହା ଏ ଜାତି ପାଇଁ ଅତ୍ୟନ୍ତ ଗୌରବର ବିଷୟ ।

 

ଓଡ଼ିଶାର ପାଲା ସମ୍ପୂର୍ଣ୍ଣ ନାଟ୍ୟଧର୍ମୀ ଅଟେ । ଅତଏବ ଆଧୁନିକତା ନାମରେ ସୁନ୍ଦର, ରୁଚିକର ପରମ୍ପରା ନଷ୍ଟ କରିବା ଉଚିତ ନୁହେଁ । ଏହା ସମ୍ପୂର୍ଣ୍ଣ ଶାସ୍ତ୍ରୀୟ ଏବଂ ଓଡ଼ିଶାର ମୌଳିକ ନାଟ୍ୟକଳା । ଶାସ୍ତ୍ରୀୟ ଓଡ଼ିଶୀ ନୃତ୍ୟ ଶିଳ୍ପୀ ପାରମ୍ପରିକ ବେଶପୋଷାକ ତ୍ୟାଗ କରି ଆଧୁନିକ ସଙ୍ଗୀତ ଆଧାରିତ ନୃତ୍ୟକଲେ ଯେଉଁ ଅପ୍ରାକୃତିକତା ଲକ୍ଷ୍ୟ କରାଯିବ, ପାଲାରେ ସେହି ପ୍ରକାର ଅବସ୍ଥା ହୋଇଯିବ, ଯଦି ବର୍ତ୍ତମାନଠାରୁ ତାହାର ପ୍ରତିକାର ଚିନ୍ତା କରାନଯାଏ ।

 

ଏହା ସମ୍ପୂର୍ଣ୍ଣଭାବେ ଦୃଶ୍ୟକାବ୍ୟ । ଏହାକୁ ବଙ୍ଗଦେଶର “କବିର ଗାନ” ଅନୁକରଣରେ ସାଧାରଣ ବେଶପୋଷାକରେ, କେବଳ ସାହିତ୍ୟ ଚର୍ଚ୍ଚାର ପୀଠ ବୋଲି ଯେଉଁ ଚିନ୍ତାଧାରା ପ୍ରବେଶ କରିଅଛି, ତାହା ଅଚିରେ ଦୂର ହୋଇଯିବା ଆବଶ୍ୟକ ।

 

ଏ କ୍ଷେତ୍ରରେ ଓଡ଼ିଶାର ପାଲା ସମ୍ପୂର୍ଣ୍ଣ ଶାସ୍ତ୍ରସମ୍ମତ, ମୌଳିକ ପାରମ୍ପରିକ ବୋଲି ପ୍ରମାଣ ସହ ଉଲ୍ଲେଖ କରାଗଲା ।

 

ସାମୂହିକ ପରିପ୍ରଚାର ମାଧ୍ୟମ ରେଡ଼ିଓ, ଟେଲିଭିଜନ, ମୁଦ୍ରାଯନ୍ତ୍ର ଇତ୍ୟାଦି ନ ଥିବା ସମୟରେ ବିଦେଶୀ ଓ ବାହାରର ଶାସନ ସତ୍ତ୍ୱେ ଯଦି ଆଜି ଓଡ଼ିଶାର ଗୌରବମୟ ସାହିତ୍ୟ ତିଷ୍ଟି ରହିପାରିଛି, ତାହା ମୁଖ୍ୟତଃ ଏହି ସବ୍ରଜନପ୍ରିୟ ଓଡ଼ିଶାର ପାଲା ଯୋଗୁଁ । ଏହା ଶାଶ୍ୱତ, ଋଦ୍ଧିମନ୍ତ ଏବଂ ସୁନ୍ଦର । ଏହା ଓଡ଼ିଶାର ଗର୍ବ ।

 

ପୂର୍ବକାଳର ଧର୍ମଯାଜକମାନଙ୍କର ପରି ଆଜି ମଧ୍ୟ ପାଲା ଗାୟକ ମହୋଦୟଙ୍କର ମର୍ଯ୍ୟାଦା ରହିଛି, କାରଣ ସେ ସାମାଜିକ ରୀତିନିତି ନିୟନ୍ତ୍ରଣ କରିବାରେ ପ୍ରାଚୀନ ମତୋଦ୍ଧାର ପୂର୍ବକ ସର୍ବଦା ସୃଷ୍ଟିକର୍ତ୍ତାଙ୍କର ପ୍ରଶସ୍ତିଗାନ କରିଆସୁଛନ୍ତି । “ଧର୍ମର ଜୟ ସତ୍ୟର ଜୟ ।’’

ଧର୍ମ୍ୟମର୍ଥ୍ୟଂ ଯଶସ୍ୟଂ ସୋପଦେଶଂ ସସଙ୍ଗ୍ରହମ୍ ।

ଭବିଷ୍ୟତଶ୍ଚ ଲୋକସ୍ୟ ମବଂ କର୍ମାନୁଦର୍ଶକମ୍ । (ନାଟ୍ୟ ଶାସ୍ତ୍ର)

 

 

Unknown

ସହାୟକ ଗ୍ରନ୍ଥାବଳୀ

 

୧)

ନାଟ୍ୟଶାସ୍ତ୍ର (ଓଡ଼ିଆ ଅନୁବାଦ)

-

ପଣ୍ଡିତ ବାନାମ୍ବର ଆଚାର୍ଯ୍ୟ

୨)

ଓଡ଼ିଆ ଜାତିର ଇତିହାସ

-

ଡକ୍ଟର ନବୀନ କୁମାର ସାହୁ

୩)

ଓଡ଼ିଆ ଲୋକଗୀତ ଓ କାହାଣୀ

-

ଡକ୍ଟର କୁଞ୍ଜବିହାରୀ ଦାଶ

୪)

ଓଡ଼ିଆ ସାହିତ୍ୟର ଇତିହାସ

-

ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶ

୫)

ପ୍ରହ୍ଲାଦ ନାଟକ

-

ସମ୍ପାଦନା:ଡକ୍ଟର ଭଗବାନ ପଣ୍ଡା

୬)

ଓଡ଼ିଶାର ଜାତରା

-

ଧୀରେନ ଦାଶ

୭)

ଯାତରା ଦି ଥିଏଟର-ଇଂରାଜି

-

ଶ୍ରୀ ଧୀରେନ ଦାଶ

୮)

ଶ୍ରୀ ସତ୍ୟନାରାୟଣ ପାଲା

-

ଜଗନ୍ନାଥ ଦାସ ସଂଗ୍ରାହକ-ବୃନ୍ଦାବନ ଷଡ଼ଙ୍ଗୀ

୯)

କଳାବତୀ ଓ ଳୀଳାବତୀ ପାଲା

-

ଭୃଗୁରାମ

୧୦)

କବିକର୍ଣ୍ଣ ବିଚରିତ ଷୋଳପାଲାରୁ କେତେ ଖଣ୍ଡ

 

 

୧୧)

ପାଣିକବିଙ୍କ ଆତ୍ମକାହାଣୀ

-

ବୈଷ୍ଣବ ପାଣି

୧୨)

ଓଡ଼ିଶାର ଦଣ୍ଡନାଟ

-

ଧୀରେନ ଦାଶ

୧୩)

ଭାରତ ଲୀଳା

-

ଧୀରେନ ଦାଶ

୧୪)

ପାଲା ଲଗାଣ ଡୁହା ଓ ଚଉପଦୀ

-

ବୈଷ୍ଣବ ପାଣି

୧୫)

ବୃନ୍ଦାବନ ଷଡ଼ଙ୍ଗୀଙ୍କ ସଂକଳିତ ପାଲା ଚଉପଦୀ ଓ ଅଳଙ୍କାର

୧୬)

ପାଲା ବନ୍ଧନା

-

ପ୍ରକାଶକ ଜଗନ୍ନାଥ ସିଂହ

୧୭)

ଗାୟକ ଶିରୋମଣି ନିରଞ୍ଜନ କରଙ୍କ କେତୋଟି କାବ୍ୟ

୧୮)

କବି ପଣ୍ଡିତ ଶ୍ରୀ ମାଧବଚନ୍ଦ୍ର ମିଶ୍ରଶର୍ମାଙ୍କ କେତୋଟି କାବ୍ୟ

୧୯)

ଗାୟକରତ୍ନ ଶ୍ରୀ ଲୋକନାଧ କରଙ୍କ “ନୀତିରତ୍ନାବଳୀ” (ଇତ୍ୟାଦି)

 

ମହାତୀର୍ଥ ପ୍ରଥମ ସର୍ଗ

 

ପ୍ରସନ୍ନ ବଦନେ ବର୍ଣ୍ଣ-ମହାବର୍ଣ୍ଣ-ରବି

ରକ୍ତ ବର୍ଣ୍ଣେ ରଞ୍ଜି କାନ୍ତି ଅନନ୍ତ ମଣ୍ଡଳେ

କର୍ତ୍ତବ୍ୟ-ମହିମା-ଦୀପ୍ତ ଓଷ୍ଠର ପୁଲକେ

ପ୍ରଫୁଲ୍ଲିତ କରି ଧରା ହୁଅନ୍ତେ ପ୍ରକାଶ,

ନିଦ୍ରା-ବିରହିତ ହୋଇ ସାଧବୀ ସହାସେ

ପରମ-ଈଶ୍ୱର ପଦ ଧ୍ୟାୟି ହୃଦସ୍ଥଳେ

ଚକ୍ଷୁ ଉନ୍ମୀଳନ କ୍ଷଣେ କରି ସନ୍ଦର୍ଶନ

ଅନିତ୍ୟ-ଆସକ୍ତ ତନୁ କଲା ଶୁଦ୍ଧ-ପୁତ ।

ଭକ୍ତି-ପୂତ-ଉଚ୍ଛ୍ୱସିତ-ହୃଦପଦ୍ମାସନେ

ଚିନ୍ତି ପ୍ରଭୂ ପଦ, ଧୀରେ ବିନୟ-ବଚନେ

ଡାକିଲା, “ହେ ନାଥ ! ସୂର୍ଯ୍ୟନାଶି ତମୋଜାଲ

ବିଜୟ ସୁଦିପ୍ତ ତାଙ୍କ ରତ୍ନ- ସିଂହାସନେ,

କର ବିଜେ ପ୍ରକ୍ଷାଳିବି ତବ ପାଦ ପଦ୍ମ ।

ନିର୍ଝରିତ ସୁଧାପାନେ ସଧବା-ଗର୍ବରେ

ଆରମ୍ଭିବି ଦିବସର ପାର୍ôଥବ କର୍ତ୍ତବ୍ୟ ।”

ପତିପ୍ରାଣ-ପ୍ରିୟା-ବାଣୀ-ସୁଧା-ଜଳେ-ସ୍ନାତ

ହୃଦକରି ତନ୍ଦ୍ରାଦେବୀ କୋଳରୁ ଉତ୍‍ଥିତ,

ପ୍ରସନ୍ନଲପନେ ଉନ୍ମୀଳିତ ଚକ୍ଷୁ କୋଣେ

ନିର୍ଝରିତ କଲା ପ୍ରେମ-ଅମୀୟ, ଇପ୍ସିତ ।

ଭକ୍ତି-ଜଳେ ସ୍ନାତ ପ୍ରଭୁ,ପ୍ରୀତି-ଜଳେ ସାଧ୍ୱୀ,

ସ୍ୱଚ୍ଛ ହାସେ ମୁଖରିତ ସ୍ୱର୍ଣ୍ଣ-ଅଟ୍ଟାଳିକା ।

ମୃଦୁ ସ୍ୱନେ ଭାଷେ ପ୍ରିୟ, “ଆଗୋ ପ୍ରେମମୟୀ !

ଜୀବନ ମୋ ପୁଲକିତ ତବ ପ୍ରୀତି-ଜଳେ ।”

ନିର୍ମଳ-ପୁଲକ-ସ୍ୱଚ୍ଛ-ମୃଦୁ-କଳ- ସ୍ୱନେ

ମୁଖରିତ ହେଲ ସ୍ୱର୍ଣ୍ଣ-କକ୍ଷ ମହୋଲ୍ଲାସେ ।

ପ୍ରୀତି-ପାରିଜାତ ବର୍ଣ୍ଣ-ବିଭାବ ସଞ୍ଚାରି,

ପୂର୍ଣ୍ଣକଲା ଚତୁର୍ଦ୍ଦିଗ ଶୋଭା-ଶୋଭାହାସେ ।

ପ୍ରୀତି-ଜଳେ ସ୍ୱଚ୍ଛଚକ୍ଷୁ-କୋଣେ ଜାୟା-ପତି

ବିଲୋକନ୍ତି କାନ୍ତିପୂର୍ଣ୍ଣ ସୃଷ୍ଟିର ମହିମା ।

ବିଜେ ଅର୍କଦେବ ରକ୍ତ-ରଞ୍ଜିତ-ଆସନେ,

ଐଶୀ-ଦତ୍ତ କର୍ମ-ଜାତ ମହାକାନ୍ତି ମାଳେ

ଗୁଣିତ ହୁଅର ଚତୁଃପାର୍ଶ୍ୱ ବର୍ଣ୍ଣ-ବିଭା,

କ୍ରମେ ଲଭେ ବୃଦ୍ଧି ଦୀପ୍ତି-ଶିଖା ଅଭ୍ରବକ୍ଷେ,

ଭେଦିବାକୁ ସର୍ବଶକ୍ତି ମନ୍ତ ଜ୍ଞାନ-କୋଷ

ର୍ପକାଶିତ କରିବାକୁ ରହସ୍ୟ ନିଗୂଢ଼ ।

କରି ଉପଲବ୍ଧି ନିମ୍ନ ଦର୍ଶନେ ସ୍ୱଭ୍ରାନ୍ତି

ଆଚ୍ଛାଦିଲେ ନୀଳ-ପଟ ଗଗନର ଉର୍ଦ୍ଧ୍ୱେ

କରିପ୍ରୀତି ସୁଧା ଧାରା ବୃଷ୍ଟି ପ୍ରିୟା ବକ୍ଷେ

କଲେ ପୁଲକିତ ଭକ୍ତି-ପୂତ ସ୍ୱଚ୍ଛ ହୃଦ ।

ପତି ପ୍ରାଣ କମଳିନୀ ହୃଦୟ କନ୍ଦରେ

କରି ଉପଲବ୍‌ଧି ପ୍ରଭୂ-ନିଷ୍କପଟ-ପ୍ରେମ

ବିଶ୍ୱ-ହିତ-କର୍ମ-ମହାମହିମାରେ ଦୀପ୍ତ

ପ୍ରଭୂ-ଶ୍ରୀ ଚରଣ ବନ୍ଦି ପ୍ରକାଶିଲା ହୃଦ ।

ପଦ୍ମରାଗ-କାନ୍ତି-ଆଭାନ୍ୱିତ ସ୍ନିଗ୍ଧ ବକ୍ଷ

ଔଦାର୍ଯ୍ୟ-ସତୀତ୍ୱ ଯୋଗେ ସ୍ୱଚ୍ଛ-ସୁବିମଳ

ଉପଭୋଗ୍ୟ ଯାହା ଅନୁଚିନ୍ତନେ-ଧାରଣେ

ଧାରଣ କରିଛି ଭାଗ୍ୟେ ଭାଗ୍ୟବତୀ ସର ।

ପତ୍ନୀପ୍ରାଣ- ପତିପ୍ରାଣା ରାସ ସନ୍ଦର୍ଶନେ

ପ୍ରସବ ବେଦନା ସ୍ମୃତି ମାନସ ରଞ୍ଜନ

ଜନନୀତ୍ୱଦେଖେ ଯହିଁ ତ୍ୱ-ସାର୍ଥକତା

ନାରୀତ୍ୱର ଏକ-ଅନ୍ତ ଚରମ ବାଞ୍ଚିତ,

ଗଭୀର ମାତୃ-ଅନ୍ତର ପୁଲକ-ଉଚ୍ଛ୍ୱାସେ

ଉର୍ମି ଦୋଳପରେ କରି କନ୍ୟାକୁ ମଣ୍ଡନ,

ସିନ୍ଦୁରିତ ପ୍ରାଚୀ ଶୁଭ ସୂହୂର୍ତ୍ତ ଆଗମେ

ଅନାଏ ଆବେଗେ ମଣ୍ଡି ଶ୍ରୀ ରଙ୍ଗେ ଶ୍ରୀ ଅଙ୍ଗ ,

ଏକାଗ୍ର ସହତ ଲକ୍ଷ୍ୟେ କିବା ଅସମ୍ଭବ

କାୟାମନ-ବାଣୀ ଯହିଁ ଏକତ୍ୱେ ସହଯୁକ୍ତ,

କନ୍ୟା-ହୃଦ-ଦୁଃଖ ଏକା ବୁଝଇ ଜନନୀ,

ଏକ ରକ୍ତ ଫଲଗୁସମ ଯହିଁ ପ୍ରଭାବିତ ।

ଯାମିନୀ ଗରଭେ ଯେବେ ବିଶ୍ୱ ମୋହଗି

ସାଧିଛି ଦ୍ୱାଦଶ ବ୍ରତ ସାରସୀ ଏକାନ୍ତେ ,

ଫଳ ସ୍ୱୟଂ ଉଭାହୁଏ ସାଧକ ସମ୍ମୁଖେ

ଧଇର୍ଯ୍ୟ-ଅଚଳେ ଦୁଃଖ-ବଜ୍ର ହେଲେ ଚୁର ।

ପିତୃଧର୍ମ ପାଳି ମହାବ୍ରତେ ହୋଇ ବ୍ରତୀ

ସେହି ଫଳେ ଦେବ ସ୍ୱତଃ ଉପସ୍ଥିତ ଏବେ ।

ତରଙ୍ଗ ଦୋଳାରେ ନୃତ୍ୟ କରନ୍ଥି ଆମୋଦେ

କମଳିନୀ-ଅର୍କଦେବ, ହସେ ପୁଷ୍କରିଣୀ ।

ଝଲସିତ କରେ ହୃଦ ଅକଳନ ରୂପେ

କୋଟି ରବି କୋଟି ପଦ୍ମ,ଏକ ଓ ଅଭିନ୍ନ ।

ସ୍ୱଚ୍ଛ-ପ୍ରେମ-ଭକ୍ତି-ପୁର୍ଣ୍ଣ ପ୍ରିୟାର ଅନ୍ତର

ଅପଲକ ନୟନରେ ବିଲୋକି ଉଲ୍ଲାସେ

ପ୍ରଫୁଲ ହୃଦ-ଆବେଗ ଭାସିଲେ, “ଗୋସାଧ୍ୱି ।

ହରିବାକୁ ଭବ-ବ୍ୟାଧି-କ୍ଳେଶ,ବିଶ୍ୱଧର୍ମେ

ଅବିରତ କର୍ମେରତ ବିଧିର ନିର୍ଦ୍ଦେଶ ।

କର୍ମ ସୁଖେ ମହାନ୍‍ନ୍ଦେ ହୋଇଣ ବିହ୍ୱଳ

ତେଜି ସାହଚର୍ଯ୍ୟ-ସୁଖ- କର୍ତ୍ତବ୍ୟ-ଆହ୍ୱାନେ

ଯେ କାଳେ ଅଭିଷ୍ଟ-ହର୍ଷେମଗ୍ନ ଏ ଜଗତ

ବିହରେ ମୁଁ ଅବିଶ୍ରାନ୍ତ ଅନନ୍ତ ଅୟନେ

କ୍ଳାନ୍ତି ହରେ ସତି,ତବ ପ୍ରୀତ-ଆକର୍ଷଣ ।

ପରମ ଆରାଧ୍ୟ ଓଷ୍ଠ-ହର୍ଷ-ପୂତ-ବାଣୀ

ଶୁଣି ପ୍ରିୟା ହର୍ଷ ଜଳେ ପୁଲକିତ ଭାସେ ।

ଭାଷେ, “ଧନ୍ୟ ମୁଁ ପ୍ରିୟ ! ତବଅର୍ଦ୍ଧାଙ୍ଗିନୀ,

ସମଭାବେ ଭାଗ୍ୟବତୀ ତବ ଆଚରଣେ ।

ଧର୍ମ କିବା ସ୍ୱାମୀ ଆର୍ଜି ଭୋଗେ ଏକାନ୍ତରେ

ନିର୍ମଳ ପ୍ରେମ ସଙ୍ଗମେ ଯହିଁ ପ୍ରବାହିତ ।

ବିରହ ବେଦନା ମମ ଧୈର୍ଯ୍ୟେ ବିମୋଚିତ

ଦାମ୍ପତ୍ୟ-ପ୍ରେମ-ଉଚ୍ଛ୍ୱାସ- ମହାବେଗେ ତବ ।

ପ୍ରିୟା ରହେ ଦୃଢ଼ କରି ହୃଦୟ ବନ୍ଧନ

ହୃଦ ପ୍ରେମ ସରେ ତବ ଦୀପ୍ତ ପ୍ରତିବିମ୍ବ ।

ଭୀମ ତିମିରର କାହିଁ ଶକ୍ତି ଗ୍ରାସିବାକୁ

ଦୂରତାର ଦୈର୍ଘ୍ୟେ ତବ ରୂପ ସୂକ୍ଷ୍ମତର ।

ଭେଦିବାକୁ ପ୍ରୀତି ସିକ୍ତ ହୃଦ-ଅନ୍ତରାଳେ

କର୍ମେ ତବ ସଙ୍ଗୀନି ମୁଁ ସଧବାର ଧର୍ମେ

ସତୀତ୍ୱର ମହିମାରେ ଉଜଳାଏଁ ବିଶ୍ୱ ।

ସଦର୍ପେ ଉତ୍ତଳେ ତବ କୀରତି-କେତନ,

କମଳିନୀ କମଳିନୀ ପ୍ରିୟ ସ୍ୱଚ୍ଛ ରାସେ ।

ଆମୋଦିତ ହୋଇ ରୂପ ଅର୍ଣ୍ଣବ ନିସର୍ଗ,

କରେ ନୃତ୍ୟ ସମତାଳେ ଓରଣୀର ବକ୍ଷେ ।

ଯଥା ତାଙ୍କ ସ୍ୱର୍ଣ୍ଣ-ଦୀପ୍ତ ମାଧୁରିମା ପୂର୍ଣ୍ଣ ,

ପ୍ରସାଦ କରଇ ନୃତ୍ୟ ଅନନ୍ତ ଈ କୋଳେ ।

ପ୍ରିୟ ଉଷ୍ଣ ପ୍ରୀତି ଧାରା ଅମୀୟ ବର୍ଷଶେ,

ରୂପସୀ ତ୍ରୀଭଙ୍ଗୀ କରି ପ୍ରକାଶେ ଆମୋଦ ।

ବାରି ପକ୍ଷେ କରେ ପୀଡ଼ା ହୃଦୟ ଆବେଗେ ,

ବିରହର ପ୍ରାନ୍ତେ ମିଳନର ଶୁଭାରମ୍ଭେ ।

ବିଲିନ ହେବାକୁ ସ୍ୱାମୀ ପ୍ରଶସ୍ତ ଶ୍ରୀଅଙ୍ଗେ ,

ସନ୍ଦର୍ଶନ କରି ଜାୟା ପତି ପୂତ ରସ ।

ଉଚ୍ଛ୍ୱସିତ ନିସର୍ଗର ପ୍ରତ୍ୟଙ୍ଗ ଆ ବଳୀ,

କଲେ ନୃତ୍ୟ ମୃଦୁ ମନ୍ଦ ସମୀର ସାଗରେ ।

ଆଭାନ୍ୱିତ ସୁରଭିତ ଗଗନ ପ୍ରାଙ୍ଗଣେ,

ଶ୍ରୀକାନ୍ତ ଚପଳ ପତ୍ର ପୁଷ୍ପର ସୁହାସେ ।

ହେଲା ବୃଷ୍ଟି କନକିତ ଝଟକିତ ଦ୍ୟୁତି,

କଳମଣ୍ଠ ମଧୁ ସ୍ୱନେ ତୋଳିଲା ତରଙ୍ଗ ।

ଭ୍ରମର ଗୁଞ୍ଜନ ତହିଁ ବୀଣାର ଝଙ୍କାର,

ରକ୍ତରାଗ ଜର୍ଜରିତ ବଧୂ ମୃଦୁ ପଦ ।

ନୂପୁର ନିକ୍ୱଣ ତୋଳେ ମୃଦୁ ଗତି ଛନ୍ଦେ,

ନିର୍ଝରିତ ବାରିକଣା ସିକ୍ତ ତନୁ ଲତା ।

କକ୍ଷେ ହସେ ବାମା କୁମ୍ଭ ଓଷ୍ଠ ଅଧୋଭାଗେ,

ଏଣୀ ଦୃଷ୍ଟି ସ୍ଥିର ବାମା ଚରଣ ଶିଥିଳ ।

ବିଲୋକନେ କମଳିନୀ ପୂତ ପ୍ରୀତି ହାସେ,

ପ୍ରୀତି-ରାଗ-ସୁରଞ୍ଜିତ ଅନ୍ତରର ଦୃଶ୍ୟ,

ପ୍ରକାଶି କରଇ ତାରେ ସ୍ୱଭାବେ ବିହ୍ୱଳ ।

ନବୀନ ପ୍ରାଣ ସ୍ୱନ୍ଦନେ ଏ ଭାବେ ଜଗତ,

ପ୍ରୀତି ଜଳେ ମଗ୍ନ ହେଲା ସ୍ୱ-ଅନୁଚିନ୍ତନେ ।

କୋମଳ ଆଶ୍ଳେଷ ଦେଇ ନିଦ୍ରାଗତ ସୁଢ଼େ,

ଜାୟା-ପଢ଼ି ନେତ୍ର କୋଣେ ପ୍ରକାଣିଲେ ଭାବ ।

ମଜ୍ଜିଯାଏ ଚକ୍ଷୁ ପୁଣି ସେ ଅନନ୍ତ ମୋଳେ,

ଏକ ଭାବେ ସର୍ବେ ଯହିଁ ଲୀଳାରେ ନିମଗ୍ନ ।

ପ୍ରୀତି ସିକ୍ତ ମୃଦୁ ମନ୍ଦ ସମୀର ଆଶ୍ଳେଷେ,

ଶୁଭ୍ର କଳେବର ଘନ ହୋଇ ଉଦ୍ଦୀପିତ ।

ଆବେଗ ଅଧିର ପ୍ରାଣେ ନୀଳ ସିଂହାସନ,

ତେଜି ପ୍ରଧାବିତ ନୀଳ ଅମ୍ବର ପ୍ରାଣଙ୍ଗେ ।

ପ୍ରିୟାର ଅଭାବ କରେ ହୃଦୟ ଅସ୍ଥିର,

ତୃଷାକୁଳ ପ୍ରାଣ ଯଥା ରୂକ୍ଷ ମରୁ ବକ୍ଷେ ।

ସୁରମ୍ୟ ତଟିନୀ,ନୀଳ ନିର୍ଝର ସାଗର,

ଅଚଳ କନ୍ଦର ଭ୍ରମେ ପ୍ରିୟାର ସନ୍ଧାନେ ।

ଅଧଃ-ଉର୍ଦ୍ଧ-ଚତୁଃ ପାର୍ଶ୍ୱେ ପ୍ରୀତିର ଝଙ୍କାର,

ଶୃଙ୍ଗାର ଭାବ ଆବେଗେ ଜଳଦ ଆବିଷ୍ଟ ।

ଅଭୀଷ୍ଟ ପ୍ରାପ୍ତି କାମନା ନିଷ୍ଠାର ଅଭାବେ,

ସାଧନା ରହିତ ହୁଏ,ହୁଏ ମୋହ ଗ୍ରସ୍ତ ।

ଦିବ୍ୟଜ୍ଞାନ-ଜ୍ଞାନ ଚକ୍ଷୁ ମାୟା ଅନ୍ତରାଳେ,

ଆତ୍ମନେ ଶ୍ରାବଣୀ ସରେ ସରଜ-ଦୁର୍ଗତି ।

କି ବିଚିତ୍ରା ! ମୋହାଚ୍ଛନ୍ନ ଦିବ୍ୟଜ୍ଞନୀ ଘନ,

ପର ଦୁଃଖ ମୋଚନରେ ହୃଷ୍ଟ ଯେ ସତତ ।

ଭୁଲି ପୁତ୍ରଭାବ ସାଧେ ପିତୃଦେବେ କ୍ରୋଧ,

ବିରହ ଅନଳେ ଦଗ୍ଧ କ୍ରୁଦ୍ଧ ଶିବ ସମ ।

ବିସ୍ଫରିତ କରି ନେତ୍ର ପ୍ରକାଶେ ପ୍ରକୋପ,

ଭୀମ ନାଦେ ପ୍ରକମ୍ପିତ କରେ ନୀଳ ଅଭ୍ର ।

କ୍ରୋଧ ଜର୍ଜରିତ କୃଷ୍ଣ କାୟାକୁ ବିସ୍ତାରି,

କ୍ଷଣକେ କରଇ ଗ୍ରାସ ଉଦ୍‍ଗାରଇ କ୍ଷଣେ ।

ନିର୍ମଳ ପ୍ରସାନ୍ତ ରୂପ ହର୍ଷୋତ୍ ଫୁଲ୍ଲ ମୁଖେ,

ଅର୍କ ଦେବ ସ୍ମିତ ହାସ୍ୟେ ହେଲେ ଅନ୍ତର୍ହିତ ।

କ୍ରୋଧ ବଶ କର୍ମେ ପ୍ରିୟା ସନ୍ଧାନେ ନିଷ୍ଫଳ,

କର୍ମ ନିନ୍ଦି କରେ ସ୍ୱୀୟ ମସ୍ତକ ପ୍ରହାର ।

ମାନସ ରଞ୍ଜନା ଦେଖି ସ୍ୱାମୀ ହୃଦବ୍ୟଥା,

ପ୍ରକାଶି ପ୍ରଭା-ସୁଛନ୍ଦ-ଚପଳ-ଚାହାଣୀ ।

ପ୍ରଭୂ ଶ୍ରୀ ଅଙ୍ଗରେ ଲୋଟି ସହାସ ଲପନେ,

ପ୍ରକାଶେ ଆମୋଦ,ଅଙ୍ଗ ଅଙ୍ଗରେ ଅନଙ୍ଗ ।

ପୁଷ୍ପଶର ବିଦ୍ଧ ଘନ-ଚପଳାର କ୍ରୀଡ଼ା ,

ଦଶ୍ରନେ ପ୍ରକୃତି ହର୍ଷେ ବଜାଏ ଡିଣ୍ଡିମ ।

ବର୍ଣ୍ଣ-ବିଭୂଷିତ ପୁଷ୍ପଧନୁ କରେ କାମ,

ପୁଷ୍ପ-ଶର କରେ ବୃଷ୍ଟି ହସଇ ପ୍ରତିଚୀ ।

ସର୍ବଶାନ୍ତ, ପରକ୍ଷଣେ ମୋହ-ବିମୋଚନ,

ଓଷ୍ଠଧାରେ ହାସ୍ୟରେଖା ପ୍ରାକାଶେ ପ୍ରକୃତି ।

କର୍ତ୍ତବ୍ୟ ସମ୍ପାଦି କ୍ଳାନ୍ତ ଘନ ନିଦ୍ରାଗତ,

ତାପ-ଶୋକ-ବିରହିତ ଜନନୀ-ଶ୍ରୀଅଙ୍କେ ।

ମାନସ-ରଞ୍ଜନ ମୋହ ବିଉଞ୍ଜନ ଲୀଳା,

ଅବୋଧ୍ୟ ଏ ପ୍ରକୃତିର ବିଚିତ୍ର ସୃଜନ ।

ବାରିଦା-ଚପଳା-ପ୍ରୀତି ସ୍ୱଚ୍ଛ-ଶୁଦ୍ଧ-ପୂତ,

ରାସ-ମୋହ କରେ ସୃଷ୍ଟି ବିଶ୍ୱହିତ ଅର୍ଥେ ।

ବିଧିର ନିର୍ଦ୍ଦେଶ ଆହା,ବିଶ୍ୱ ହିତେ ଧର୍ମେ,

ପ୍ରେରଣା ହୁଅଇ ସୃଷ୍ଟି ମାୟାର ଗରଭେ ।

ମାୟା ମୋହ ଅସ୍ତ୍ର ବଳେ କରେ ଜୀବ ଗ୍ରସ୍ତ,

ଅହଂବାଦୀ ଅହଂ ଭୋଳେ ହୁଏ ଅଣାୟତ୍ତ ।

ନିର୍ଦ୍ଦେଶ ପାଳନ ଅର୍ଥେ ହୋଇ ପ୍ରଭାବିତ,

ସେ ମହତ ଧର୍ମ ସାଧି ଲଭେ ଦିବ୍ୟଜ୍ଞାନ ।

ବିଲୋକି ସୃଷ୍ଟିର ଲୀଳା ବାୟା ଜାୟା ପତି,

ପ୍ରଭୁ ଶ୍ରୀଚରଣେ ନତ ମସ୍ତକେ ବିନୟେ ।

ବନ୍ଦଲେ, “ହେ ସର୍ବ ଶକ୍ତିମନ୍ତ୍ର ସର୍ବ ସ୍ରଷ୍ଟ୍ରା,

ଅନ୍ତର୍ଯ୍ୟମୀ ! ଅନୁକମ୍ପା ଭିକ୍ଷା ତବ ପଦେ ।

ସତ୍ କର୍ମ-ସୌରଭେ ଅଦ୍ୟ ଦିବସ ଆରମ୍ଭ,

ହେଉ ସୁରଭିତ,ଦିଅ ସତ୍ କର୍ମେ ପ୍ରବୃତ୍ତି ।

ଯେ ଧର୍ମ ସାଧନେ ହେବ ଜୀବନ ମହତ,

ଦିଅ ଶକ୍ତି ସାଧିବାକୁ, ଘେନ ନିବେଦନ ।

ଶ୍ରୁତି-ଚିନ୍ତା ଦୃଷ୍ଟି ଆମ୍ଭ ହେଉ ସଦାଶ୍ରୟୀ,

ସମଧର୍ମ ଧାରା ହେଉ ହୃଦେ ପ୍ରବାହିତ ।

ନିଷ୍କପଟ ବେନି ହୃଦେ ସ୍ୱଚ୍ଛ ସୁବିମଳ,

ସଂଯୁକ୍ତ ଉଭୟ ଏକ ସ୍ରୋତର ପ୍ରବାହେ ।

ଏକ କର୍ମ ଫଳ ଦେଇ ବିତିଛି ଅତୀତ,

ଉପସ୍ଥିତ ଦିବା ତହିଁ ନୋହୁ ବ୍ୟତିକ୍ରମ ।

 

ଦ୍ୱିତୀୟ ସର୍ଗ

 

ମାତୃ-ଅଙ୍କ ଆକର୍ଷଣେ ନିଦ୍ରା ଅଙ୍କ ତେଜି

ସୁଷୁପ୍ତିର ସ୍ୱପ୍ନପୁରୀ କରି ପରିହାର ।

ଜନନୀର ସୁଧା-ସିକ୍ତ ଚୁମ୍ବନରେ ସ୍ୱର୍ଶେ,

ଉତ୍‍ଥିତ ଭଗିନୀ-ଭ୍ରାତା ରଜନୀର ଆନ୍ତେ ।

ଅଧୀର ଜନନୀ-ଅଙ୍କ ମରିବ ମଣ୍ଡନ

ନନ୍ଦନକାନନ - ପୁଷ୍ପ-ଅମୃତ- ସନ୍ତାନେ ।

ବ୍ୟାକୁଳ ସନ୍ତାନ ପ୍ରାଣ -ମାତୃ-ପିତୃ-ସରେ,

ପ୍ରାଣପୂର୍ଣ୍ଣ ସନ୍ତରଣ ଦେବ ପରିତୃପ୍ତି ।

ଉଦ୍‍ବିଗ୍ନ ଯା କୋଳେ ଶୋହେ କାଞ୍ଚନ ପ୍ରାସାଦ,

କରି ମୁଖରିତ ପ୍ରରତି-କଲ୍ଳୋଳ ନିନାଦେ ।

ନୀଳ ବର୍ଣ୍ଣ ବିରଞ୍ଜିତ କିରୀଟ ମଣ୍ଡିତ ,

ମସ୍ତକ ଉତ୍ତୋଳି ନଭେ ବୃକ୍ଷ ରାଜ ତାଳ ।

କରି ଉପଭୋଗ ନୌସର୍ଗିକ ମାଧୁରିମା,

ନିର୍ଝରିତ ଯେଉଁ ଧାର ବାତ୍ସଲ୍ୟ ଗର୍ଭରୁ ।

ଯାହାର ପ୍ରବାହ କରେ ଧରା ମଧୁମୟ ,

ଆତୁର ଚାତକ ପ୍ରାଣେ ସରଜି ଆମୋଦ ।

ବିଭୂଷିତ ପ୍ରୀତି କୁଞ୍ଜେ ବାୟା ପରିବାର,

କରେ ନବ ନବ ରଙ୍ଗେ ନୈସର୍ଗିକ ଲୀଳା ।

ଉଚ୍ଛ୍ୱସିତ ପ୍ରାଣେ ଉପଭୋଗୀ ବକ୍ଷରାଜ,

ବଜାଇ ଡିଣ୍ଡିମ ନଭେ ଉଚ୍ଚାରେ ଜଗତ ।

ମୋ କୋଳେ ବିରାଜେ ଦେଖ ଦ୍ୱିତୀୟ ଦ୍ୟୁଲୋକ,

ନାହିଁ ଯହିଁ ଦୁଃଖ-ଚିନ୍ତା-ଶୋକ ଅହଙ୍କାର ।

ନାହିଁ ଯହିଁ ଜାଗତିକ ବିଷୟ ବିକାର,

ଶୁଦ୍ଧପୂତ ମୁଦ ଏକା ତୋଳଇ ମୂର୍ଚ୍ଛନା ।

ପୂର୍ଣ୍ଣ ପ୍ରାଣେ ଦେଖ ଥରେ ଶୁଣ ତା ଝଙ୍କାର,

ମଧୁମୟ ସ୍ୱାଦ ତାର କର ଆସ୍ୱାଦନା ।

ଫେଡ଼ ହେ କୁଟିଳ ଦୃଷ୍ଟି, ହୁଅ ଆତ୍ମଦର୍ଶୀ ,

ନିର୍ମଳ ଅନ୍ତର ରାଜ୍ୟେ ପ୍ରସାନ୍ତ ଆସନେ ।

ବିରାଜିତ ସ୍ୱଚ୍ଛ ପ୍ରେମେ ଯା ଅବଶାହନ,

ଉପଭୋଗ କର ଜୀବନକୁ ଅନୁରୂପେ ।

ମମତା ପ୍ରସୂତ ପ୍ରୀତି ସରେ ସନ୍ତରଣ ,

କର କର ପ୍ରଜ୍ଜ୍ୱଳିତ ଜୀବନ ପ୍ରଦୀପ ।

ଉଦ୍ଦୀପିତ ଶଖା ତୋଳେ ଉର୍ଦ୍ଧ୍ୱେ ମହାଶୂନ୍ୟେ,

ଦିବ୍ୟ ଜ୍ୟୋତି ଆବାହନ କର ଜ୍ୟୋତିମାଳେ ।

ଆତ୍ମ ଦୃଷ୍ଟି ଦିବ୍ୟ ଦୃଷ୍ଟି ଏକ ଓ ଅଭିନ୍ନ,

କର ନିରୀକ୍ଷଣ କର ମହତ ଆଶ୍ରୟ ।

ମହତ ହୁଅଇ ଯେବେ କର୍ମରେ ପ୍ରବୃତ୍ତ,

ଆତ୍ମବଳେ ବଳୀ ହୋଇ ପାଏ ତା ସନ୍ଧାନ ।

ଅସାଧ୍ୟ ସାଧନେ ଧନ୍ୟକର ତା ଜୀବନ ,

ମର ଜନ୍ମ ଲଭି ହୁଏ ଅଜର ଅମର ।

ଜୀବନ ନୁହଁଇ ଏକ ସୁଖ ସରୋବର,

ଜୀବନ ନୁହଁଇ ଏକ ଦୁଃଖ ପରାବାର ।

ସାଧନା ପଥେ ପ୍ରଯୁକ୍ତି ସେ ଏକ ପ୍ରଙ୍ଗଣ,

ବ୍ୟାପ୍ତି-ସ୍ଥିତି ପ୍ରକାଶ ତା ଅନନ୍ତ ଅସୀମ ।

ଚକ୍ରବାଳ ତାର ନୁହେଁ ମୃତ୍ୟୁ ପଦାଶ୍ରୟା,

ଦ୍ୟଶ୍ୟମାନ ପରିଧି ତା ନୁହେଁ ପରିସୀମା ।

ଦୃଷ୍ଟି ଫେଡ଼ି ଦେଖ, ବ୍ୟାପ୍ତ ଅନନ୍ତ ମଣ୍ଡଳେ,

ଏକ ପରେ ଆନ ଆସେ ସିନ୍ଧୁ ଉର୍ମି ସମ ।

ସତ୍ ଚିତ୍ ଆନନ୍ଦର ସଂଯୁକ୍ତ ପ୍ରକାଶ,

ଅଟଇ ଜୀବନ କର କର ନିରୀକ୍ଷଣ ।

ସୁଦକ୍ଷ ସନ୍ଧାନୀ ତହିଁ ହୁଏ ଯୋଗଜନ୍ମା ,

ପଦଚ୍ୟୁତ ଯାତ୍ରୀ ଯହିଁ ବ୍ୟର୍ଥ ମନୋରଥ ।

ଅମୃତ-ଆଳୟ -ନିର୍ଝରିତ କଳସ୍ୱନ,

ଅସ୍ମିତା ବିସ୍ମୃତ କଲଶ ପାଦପ ମଣ୍ଡଳେ ।

କ୍ରମେ ସ୍ତବ୍ଧ ଭାବାବିଷ୍ଟ ଦ୍ୱିଜ ଚତୁଷ୍ପଦ,

ଶୁଣି ମାଧୁରିମା ପୂର୍ଣ୍ଣ ଅକୃତ୍ରିମ ହ୍ରାସ ।

ବିଷୟ ଜଞ୍ଜାଳେ ଲିପ୍ତ କାଳ ଉଚ୍ଚସ୍ୱରେ,

‘କା’ ଝଙ୍କାରେ ଏକ ଆତ୍ମାକରଇ ନିର୍ଘୋଷ ।

“ସର୍ବେ ତାର ପ୍ରତିବିମ୍ବ, ଭିନ୍ନ ଭିନ୍ନ ଘଟ,

ଆତ୍ମ-ଦୃଶ୍ୟେ ଦେକ ସର୍ବେ ଅନ୍ତର୍ବହିର୍ଦେଶ ।

“ସତ୍ୟ, କେବେ ମିଥ୍ୟା ନୁହେଁ ଭାଷିଲା ଶୃଗାଳ,

‘ହୁକେ ହେ. ନିନାଦେ ଜତୁର୍ଦ୍ଦିଗ ମୁଖରିତ ।

କପୋତର ସମର୍ଥନ ହେଲା ଶଦ୍ଦାୟିତ ,

ଶୁଣିଲକି; ସ୍ୱର ଉତ୍ତୋଳିଲା କଳକଣ୍ଠ ।

ସମ୍ମତି ପ୍ରକାଶି ବଣି ଟୁଙ୍ଗାରେ ମସ୍ତକ,

ବିଜୟ କେତନ ବଗ ହର୍ଷେ ତୋଳେ ନଭେ ।

କରି ସୁଦର୍ଶନ ଳୀଳାମୟ -ସୃଷ୍ଟି-ଲୀଳା,

ସର୍ବେ ଯହିଁ ନିଜ ନିଜ କର୍ତ୍ତବ୍ୟ ବ୍ୟାପୃତ ।

ବାୟା ବଧୂ ଆରମ୍ଭିଲା ଜାଗତିକ କର୍ମ,

ସଂସାର ବାସନା ଜାଳେ ହେଲା ନିପତିତ ।

ସନ୍ତାନ ଦ୍ୱୟରେ ଦେଇ ଫଳ ମୂଳା ହାର,

ସ୍ୱାମୀ ପଦେ ନତ ଶିରେ କଲା ନିବେଦନ ।

ହେ ନାଥ! କରୁଛି ଭିକ୍ଷା ଆଜ୍ଞା ହେଉ ମେତେ,

ଆହାର ସନ୍ଧାନେ ଶୁଭେ ହେବି ବହିର୍ଗତ ।

ଘେନି ତବ ଆଶୀର୍ବାଦ ଯାତ୍ରା ମୋ ସୁଫଳ,

ମଣ୍ଡିତ ହେଉ ଶ୍ରୀପଦେ କରେ ପ୍ରଣିପାତ ।

ତବ ପାଦେ ପଦ୍ମେ ଲୟ ରଖି ଅବିରତ,

ଚିତ୍ତ ମୋ ପ୍ରବୃତ୍ତ ହେଉ ସୁମହତ କର୍ମେ ।

ତୁମ୍ଭର ଆଶିଷ ହେଉ କବଚ ମୋହର,

ବାଧା ବିଘ୍ନ ଦୁର୍ବିପାକ ହେଉ ପ୍ରତିହତ ।

ବିଷର୍ଣ୍ଣ ଅନ୍ତର ମୁଖେ ଟାଣି ହାସ୍ୟ ରେଖା,

ସମ୍ଭାଷିଲା ବାୟା “ପତି ପ୍ରାଣ ପ୍ରାଣପ୍ରିୟେ ।

ଶୁଭେ ଯାଅ ପରିହରି ବିଚ୍ଛେଦ ବିଷାଦ,

କର୍ମ ଅନୁରାଗେ ହୃଦ କର ଉଲ୍ଲସିତ ।

ନାରୀ ଧର୍ମେ ତୁମ୍ଭେ ମୋର ଜୀବନ ସଙ୍ଗୀନି,

ତବ ସାହଚର୍ଯ୍ୟେ ପ୍ରିୟେ ଜୀବନ ମୋଧନ୍ୟ ।

ମୋର ପ୍ରାଣ ପ୍ରତିବିମ୍ବ ହୃଦେ କରି ସ୍ଥିର ,

ଯାଅ ଶୁଭେ ଯାତ୍ରାପଥେ,ହେଉଛି ଆଶିଷ ।

ପତ୍ନୀ ଧର୍ମ ଦ୍ୟୁତି କରୁ ମାର୍ଗ ସମୁଜ୍ଜ୍ୱଳ,

ଗୌରବ ମଣ୍ଡିତ ହେଉ ତବ୍ର ଶୁଭ ଯାତ୍ରା ।

ସର୍ବ ଧର୍ମ ଧ୍ୱଜା ଉର୍ଦ୍ଧ୍ୱେ କର୍ତ୍ତବ୍ୟ କେତନ,

ଅବଶ୍ୟ ପୂରଣ ହୁଏ ମନୋବାଞ୍ଛା ତହିଁ ।

ଯାଅ ଗୋ ମମତା ମୟୀ, ପ୍ରଫୁଲ ଅନ୍ତରେ,

ତୁମ୍ଭେ ମୋ ସହଯାତ୍ରୀଣି, ନୁହଁଇ ଅନ୍ୟଥା ।”

ଧୀରେ ସାଧ୍ୱୀ ଚାହିଁ ସୁତେ କଲା ଦୃଷ୍ଟିପାତ,

ପରମ ଈଶ୍ୱର ମହାତୀର୍ଥ ପାଦ ପଦ୍ମେ ।

ସେ ମହାତୀର୍ଥ ପଙ୍କଜ ଚରଣ ନିଃସୃତ,

ପ୍ରେମ ଜଳେ କରି ସ୍ନାନ କଲା ଶୁଭଯାତ୍ରା ।

ଦେଖନ୍ତି ସନ୍ତାନ, ଦେଖେ ବିଷାଦିତ ନେତ୍ରେ ,

ପ୍ରାଣ ଭରି ନିର୍ନିମେଷେ ପତ୍ନୀପ୍ରାଣ ବାୟା ।

ଉତ୍‍ଥିତ ଗମନ କୋଳେ ଉର୍ଦ୍ଧ୍ୱେ ବାୟାବଧୂ,

କ୍ରମେ ସୂକ୍ଷ୍ମ ସୂକ୍ଷ୍ମତର ରୂପ ପ୍ରତିରୂପ ।

କ୍ଷୀଣ କ୍ଷୀଣତର ରୂପ ହୁଅନ୍ତେ ଅଦୃଶ୍ୟ,

ତୃତୀୟ ନେତ୍ର ଅନ୍ତରରେ ପ୍ରକାଶିଲା ବାୟା ।

ଦେଖେ ତାର ପ୍ରାଣ ପ୍ରିୟା ଶୁଭ୍ର ନଭ କୋଳେ,

କ୍ଷିପ୍ର ବେଗେ କରେ ଗତି ପ୍ରାଣର ଆବେଗ ।

ମମତା ତରଙ୍ଗେ ହର୍ଷେ ମମତା-ତରଣୀ,

ଆରୂଢ଼ଅନନ୍ତ ଶୂନ୍ୟେ ଲୋକତ ନୟନେ ।

ସେ ତରଣୀ ପରେ ପ୍ରିୟ ଆତ୍ମା ସହ ପ୍ରିୟା,

ଏକ ଏକ ମଙ୍ଗ କରି ଅଛନ୍ତି ମଣ୍ଡନେ ।

ଦ୍ୱିନାବିକ ନାବ ସିନା ବୁଝେ ତା ମହତ୍ୱ,

ସମରୂପେ ଆସେ ସୁଖ ଦୁଃଖର ତରଙ୍ଗ,

ନାବ ଗ୍ରାସ ଆଶା ତେଜି ଗାଏ ସ୍ୱାଗତିକା ।

ଅଗ୍ନି ସ୍ନାନରୁ ଉତ୍‍ଥିତ ସୁବର୍ଣ୍ଣ ସଦୃଶ,

ବିଭାଷିତ ନାମ, ବାୟା ପୁଲକେ ଉଲ୍ଲେସେ ।

ଚଳେ ସାଧ୍ୱୀ ମହାଶୂନ୍ୟେ ମହୋଲ୍ଲାସେ-ହୃଦେ,

ନାହିଁ ତିଳେ ଭୟ ଭ୍ରାନ୍ତି, ହୃଦରେ କବଚ ।

ଗ୍ରୀବାତୋଳି ସୁଚଞ୍ଚଳେ ଆହାର ସନ୍ଧାନ,

ବିଲ ବନ କରେ ସ୍ୱଚ୍ଛନ୍ଦରେ ବିଚରଣ ।

ଦୃଷ୍ଟିପଡ଼େ କାହିଁ ଗୁଧ୍ର ବିକଟାଳ ରୂପ,

ଶୁଭେ କାହିଁ ସର୍ପଘ୍ନର ଭୀତିପ୍ରଦ କେକା ।

କାହିଁ କୃଷ୍ଣ କଳେବର ଘନ ଅଭ୍ର କୋଳେ,

ପ୍ରକାଶି ତା ଭୀମକାନ୍ତ ରୂପ ସାଜ ଭୀତି ।

କ୍ଷଣେ ରହି କ୍ଷଣକରେ ଚମକେ ବିଜୁଳି,

ତିମିର ଆଲୋକ କ୍ରୀଡ଼ା କରଇ ସୃଜନ ।

ସ୍ୱକର୍ମେ ପ୍ରବୃତ୍ତ ପକ୍ଷୀକୁଳ କଳସ୍ୱନ,

ସ୍ତବ୍ଧହୁଏ; ପ୍ରତିଭାତ, ବିଶ୍ୱ ମୋହଗ୍ରସ୍ତ ।

ମାତ୍ର ଦୃଢ଼ ହୃଦ ତାର ନଗଣେ ପ୍ରମାଦ,

ଘେନି ପଢ଼ି ଶୁଭାଶିଷ ପରମ ଆୟୁଧ ।

କର୍ମାଶ୍ରିତ ଯାତ୍ରା ଯଦି ହୁଏ ମହାଯାତ୍ରା,

ମଣେ ଶୁଭ ଯାତ୍ରାର ସେ ଶୁଭ ପରିଣତି ।

ହୃଦ ସଂହାସନକୁ ଶୁଭେ ସ୍ୱାମୀର ଆହ୍ୱାନ,

“ଦୃଢ଼େ ଧରିଥାଅ ମଙ୍ଗ, ମୁଁ” ଅଛି ସମ୍ମୁଖେ ।”

ପ୍ରାଣର ଉଚ୍ଛ୍ୱାସେ ଯାଏ ନିର୍ଭୟ ଅନ୍ତରେ,

ପ୍ରକୃତିର ବିଭୀଷିମା ଦିଶେ ମଧୁମୟ ।

ଅଭୟ ଚରଣ ଝଲସିତ ନେତ୍ର କୋଣେ,

କ୍ଳାନ୍ତି-ଶ୍ରାନ୍ତି ଲୀନ ହୁଏ ଉଲ୍ଲାସ -କଲ୍ଲୋଳେ ।

ଉଲ୍ଲସ-ଅର୍ଣ୍ଣବେ ହର୍ଷେ ଭାଷି ବାୟା ବଧୂ,

ଭ୍ରମେ ବିଲ-ବନ କ୍ଷିପ୍ର ତରଙ୍ଗିତ ବେଗେ ।

 

ତୃତୀୟ ସର୍ଗ

 

ଆଭାନ୍ୱିତ ବ୍ୟୋମପଟ,ଭୂମଞ୍ଚ ମଣ୍ଡିତ,

ନିସର୍ଗ କରଇ ନବ ନବ ରଙ୍ଗେ ଭଙ୍ଗୀ ।

ପ୍ରତିକ୍ଷଣ ରଚେ ନବ ଦ୍ୟୁତିର ତରଙ୍ଗ,

ବର୍ଣ୍ଣ ବରଞ୍ଜିତ-ପୁଷ୍ପେ ପ୍ରକାଶେ ଝଟକ ।

ନିର୍ଝରିଣୀ କଳସ୍ୱନ ଉତ୍ତୋଳେ ନିଦାନ,

ଆମୋଦିତ ପ୍ରାଣେ ହସେ ନିଗଙ୍ଗନା ପୁର ।

ନୀଳ ବ୍ୟୋମ ପଟେ କ୍ରମେ ଉତ୍‍ଥିତ ଢିଗ୍‍ମାଶୁ,

ଓଷ୍ଠ ଧାରେ ସୃଜି ବର୍ଣ୍ଣ-ହାସ୍ୟ-ଅଂଶୁ ରେଖା ।

କରିବାକୁ ଉପଭୋଗ ବର୍ଣ୍ଣ ମହୋତ୍ସବ,

ଚପଳା ପ୍ରାଣ ଜଳଦ ଉପସ୍ଥିତ ଖରେ ।

ପ୍ରାଣ ପିୟ ଆହ୍ୱାନରେ ଚପଳା ଚଞ୍ଚଳେ,

ଉଭା ହୋଇ ଆରମ୍ଭିଲା ତରଙ୍ଗିତ ନୃତ୍ୟ ।

ବେଳେ ବେଳେ ଲୋଟିଯାଏ ପ୍ରିୟ ବୁକୁ ପରେ,

କୋମଳ ଆଶ୍ଳେଷ କରେ ଅନ୍ତର ବିଭୋର ।

ଆମୋଦ ପ୍ରବାହ ଖେଳେ ଅନ୍ତର ଅନ୍ତରେ,

ନିନାଦିତ ଭୂମଣ୍ଡଳ ହାସେ ।

ପୁଲକିତ ପ୍ରାଣେ କ୍ଷଣେ ଚଞ୍ଚଳା ଅଞ୍ଚଳ,

ଫର ଫର ଉଡ଼ିକରେ ପ୍ରୀତି ଜୟ ଗାନ ।

ପୁଷ୍ପମାଲ୍ୟେ ସ୍ୱାମୀ ଅଙ୍ଗ କରି ବିମଣ୍ଡନ,

ଯୁକ୍ତ ହୋଇ ଲିନ ହୁଏ ସେ ବୁକେ କ୍ଷଣିକେ ।

ଶୁଭତନୁ -ରବି ବାଜି ଉର୍ଦ୍ଧ୍ୱେ ଶୁଭ୍ରାସନେ,

ଶୁଭ୍ରକାନ୍ତି-ମାଳେ ହେଲା ଚତୁର୍ଦ୍ଦିଗ ଶୁଭ ।

ସର୍ବେ ପୁଣି ଆବଦ୍ଧ ସ୍ୱକର୍ମର ବନ୍ଧନେ,

ସାଧିବାକୁ ଦୈନଦିନ ଜାଗତିକ କର୍ମ ।

ଅସ୍ଥିର ଅନ୍ତରେ ସ୍ଥିର ନେତ୍ରେ ବାୟାବଧୂ,

ମରେ ବୃଷ୍ଟିପାତ କ୍ଷଣେ ସୁଦୂରେ ସମ୍ମୁଖେ ।

ଦୃଷ୍ଟି ଫେଡ଼ିଚାହେଁ ପୁଣି ଉତ୍ତର ଦକ୍ଷିଣ,

ଡ଼ାକେ, “ଦଶ ଦିଶ ! ଦିଅ ଆହାର ସନ୍ଧାନେ ।

ଯିବି ବେଗେ ନୀଡ଼ ମୋର ରହିଯିବ ଚାହିଁ,

ରହିଥିବେ ଚାହିଁ ମେ ପ୍ରାଣ ଈଶ୍ୱର ,

ଦେଖିବାକୁ ପ୍ରିୟତମା ସହାସ ଲପନ ।

ଚୁମ୍ବନ ଆହାର ଦେଇ ତୋଷିବି ତନୟେ,

ହରିବି କ୍ଲାନ୍ତି ଦର୍ଶନ କରି ଶ୍ରୀ ପୟର ।

କରିବି ତୃପ୍ତ ମୋ ପ୍ରଭୂ ଦେଇ ସୁ ଆହାର,

ତୃପ୍ତ ହେବି କରି ତାଙ୍କ ଉଚ୍ଛିଷ୍ଟ ସେବନ ।

ପ୍ରଭୂ ମୋର ଯିବେ ଯେବେ ଆହାର ସନ୍ଧାନେ,

ସନ୍ତାନେ ଆହାର ଦେଇ ଯାପିବି ପରାହଣ ।”

“ହେ ପ୍ରଭୂ ପ୍ରାଣ ଇଶ୍ୱର! ହେଉ ଅନୁକମ୍ପା,

ଯଥା କାଳେ ଶ୍ରୀପଦ ଦର୍ଶନ ହଏଁ ଧନ୍ୟ” ।

ଶ୍ରୀ ଚରଣେ ଆକର୍ଷଣେ ସତୀ ଗତି କ୍ଷିପ୍ର,

କ୍ଷିପ୍ରତର ବେଗେ ପ୍ରଧାବିତ ତା ମାନସ ।

ଦେଖେ ନାତିଦୂରେ ଦିବ୍ୟ ସୁଭୋଜ୍ୟ ଆହାର,

ମହାବେଗେ ନେଇଯାଏ କାଞ୍ଚନେ ପ୍ରସାଦେ ।

ଦେଖେ ବାଷ୍ପକୂଳ ନେତ୍ରେ ଆକୁଳ ଅନ୍ତରେ ,

ଚାହିଁଛନ୍ତି ସ୍ୱାମୀ ସୁତା ସୁତ ତାର ପଥେ ।

ସନ୍ତାନେ ଭୁଞ୍ଜଇ ଭୁଞ୍ଜେ ସ୍ୱାମୀଙ୍କ ଉଚ୍ଛିଷ୍ଟ,

ପରମ ଆମୋଦ ଲୋଟିଯାଏ ଶ୍ରୀ ଚରଣେ ।

ଭାବାବିଷ୍ଟ କରେ ଏହି ରୂପେ ପ୍ରତିକ୍ଷଣ,

ମାନସ ରଞ୍ଜନ ହୁଏ, ଦୂର ହୁଏ କ୍ଳାନ୍ତି ।

କ୍ଷଣେ କ୍ଷଣେ କରେ ଯେବେ ଅଧୋଦୃଷ୍ଟି ପାତ,

ମୁଗ୍ଧକରେ ସ୍ନେହମୟୀ ଉନ୍ମୁକ୍ତ ପ୍ରାଙ୍ଗଣ ।

କଳ୍ପନା ବିଳାସୀ ଯହିଁ ସାଧନା ପ୍ରୟାସୀ,

ହେଳେ ଲଭେ ଫଳ ସ୍ୱୀୟ କର୍ମ ଅନୁରୂପୀ ।

ମମତା ମୟୀର ସ୍ନିଗ୍ଧସୁମଞ୍ଜୁଳ କୋଳେ,

ମମତା କରେ ଆକର୍ଷିତକରେ ବିମୋହିତ ।

ନାତି ଦୂରେ ଝର ଝର ଧାବିତ ନିର୍ଝର,

ମାତୃକୋଳେ ଲଭିବାକୁ ପ୍ରଶାନ୍ତି-ପ୍ରମୋଦ ।

ଅଷ୍ଟରତ୍ନ ଭୂଷଣରେ ଶ୍ରୀ ଅଙ୍ଗମଞ୍ଜୁଳ,

କ୍ଷିପ୍ର ସର୍ପ ଗତି ଦ୍ୟୁତି କରଇ ବର୍ଦ୍ଧନ ।

ଲତା ଗୁଳ୍ମମାଳେ ବମଣ୍ଡିତ ତୀର ଦେଶ ,

କରେ ଚକ୍ରବାଳ ନୀଳବକ୍ଷ-ଶ୍ରୀବର୍ଦ୍ଧନ ।

ନୀଳ ଜଳ ଧାର ନୀଳ ଚକ୍ରବାଳ ତନୁ,

କରଇ ସଂଯୋଗ ତୀରେ ଦେଶ ଶ୍ୟାମଳିମା ।

ସତେ କି ରଚିଛି ପଥ ଦିଗନ୍ତ ବିସ୍ତାରୀ,

ନିସର୍ଗ ଦେଖିବ ମାତୃ ସନ୍ତାନ ଅଶ୍ଳେଷ ।

ତାଳ ଖର୍ଜୁର ଅମ୍ବରସ୍ପର୍ଶୀ ବୃକ୍ଷରାଜି,

ବଜାନ୍ତି ଡିଣ୍ଡିମ ଉର୍ଦ୍ଧ୍ୱେ ଉତ୍ତାଳ କେତନ ।

ଅନିଳ ତରଙ୍ଗେ ତାଳେ କରନ୍ତି ନର୍ତ୍ତନ,

କରନ୍ତି, “ଦେଖ ଦେଖ ବିଶ୍ୱବାସୀ ।

ଅଲୌକିତ ପ୍ରୀତି ରଜ୍ଜୁ କର ସନ୍ଦର୍ଶନ,

କର ଅନୁଭବ ବେନି ହୃଦ ଉଦବେଳନ ।

ନିର୍ଝରରେ ଦୃଷ୍ଟିଦେଇ ଚଞ୍ଚଳ ନୟନେ,

ତୀର ଦେଶେ ଉଭା ଏଣୀ ସମୀପେ ଶାବଳ ।

ମାତୃ ସ୍ତନ ଲେହି କ୍ଷଣେ ନିର୍ଝରକୁ ଚାହେଁ,

କ୍ଷଣେ ପୁଣି ସାବଧାନ ହୁଏ ତୀର ଦେଶେ ।

ସୁଚଞ୍ଚଳେ ଫେରି ଗଡ଼ିଯାଏ ମାତୃ ପଦେ,

ଗଡ଼ିଯାଏ ଝର ପଙ୍କେ ଆମୋଦରେ ।

ମାତୃ ପଦଶ୍ରିତ ଏଣୀ ଶାବକର କ୍ରୀଡ଼ା,

କରି ସନ୍ଦର୍ଶନ ଝର ଡାକେ କଳସ୍ୱନେ ।

ରହ ରହ କ୍ଷଣେ ଶିଶୁ ! ମୁଁ ଶାନ୍ତ ପଥିକୀ,

ବାତ୍ସଲ୍ୟ-ଆଶ୍ଳେଷ ଦେଇ ହରିବି ମୋ କ୍ଲାନ୍ତି ।

ପ୍ରସାରି ତରଙ୍ଗ କର କଲା ଆଲିଙ୍ଗନ,

ବକ୍ଷେ ଧରି ମାତୃ କ୍ଷୁଧା କଲା ପ୍ରଶମିତ ।

ସାଧବୀ ମନ ଚଞ୍ଚଳ,ହୃଦ ଆଲୋଡ଼ିତ,

ଭାବେବେଗ କରେ ନାନା ଭାବରେ ଆବିଷ୍ଟ ।

ଦୃଷ୍ଟିପଥାରୂଢ଼ ଝରେ ତୀର ଦେଶ ଶୋଭା,

ଲତା କୁଞ୍ଜ ଯହିଁ ବିମଣ୍ଡିତ ନାନା ପୁଷ୍ପେ ।

ବଣମଲ୍ଲୀ ଦନ୍ତ ପନ୍ତି ପ୍ରସାରି ବନଶ୍ରୀ,

ହସୁଅଛି ଦେଖି ତାର ପ୍ରାଣ ବ୍ୟାକୁଳତା ।

ଜବା ରକ୍ତ ଜିହ୍ୱା କରିଅଛି ପ୍ରସାରଣ,

ବନ ଦେବୀ ସତେ ଅବାକରେ ପରିହାସ ।

ଭରଦ୍ୱାଜ ବସି ଶୁଜ୍ଞାବୃକ୍ଷରେ ନୀରବେ,

କରେ ଅନୁଭବ ତାର ହ୍ୟଦ ଅସ୍ଥିରତା ।

କେପୋତ ଡ଼ାକଇ, “ଧୈର୍ଯ୍ୟ ଧର ବାୟାବଧୂ!”

“ସାଧନା ଫଳିତ ହେଳେ, “ଉଚ୍ଛରେ ଶୃଗାଳ ।

ଧୈର୍ଯ୍ୟ ସଞ୍ଚରିଲା ସତୀ ହୃଦ ଅନ୍ତରାଳେ,

ଡାକିଲା, “ହେ ପ୍ରଭୂ! ଦୃଢ଼େ ଧରିଅଛ ମଙ୍ଗ ।

ବିଜେ ମହାତୀର୍ଥେ ମୋର ସମ୍ମୁଖେ,ମୋ ହୃଦେ,

ପ୍ରାଥନା ସାଧନା ମୋର ନ ହେଉ ନିଷ୍ପଳ ।

ପତି ଶୁଭାଶିଷ ବଜ୍ର ଶକ୍ତି ଶିରେ ଧରି,

ଗତି କରେ ସାଧ୍ୱୀ ଅଗ୍ରେ କ୍ଷିପ୍ରତର ବେଗେ ।

ସମ୍ମୁଖେ ଦିଶଇ ଏକ ସୁରମ୍ୟ ପ୍ରାନ୍ତର,

ତା ମଧ୍ୟ ତୋଳିଛି ଶିର ଲତା କୁଞ୍ଜ ଏକ ।

ଛାୟାଶ୍ରିତ ତହିଁ ଏକ ଶୁକ ପରିବାର,

କଳସ୍ୱନେ ମୁଖରିତ ନିର୍ଜନ ପ୍ରଙ୍ଗଣ ।

ସହର୍ଷେ କରନ୍ତି ସର୍ବେ ଫଳମୂଳ ହାର,

ଉଲ୍ଲସିତ ପ୍ରାଣେ ଶିଶୁ କରନ୍ତି କ୍ୱଜନ ।

ନାତୀ ଦୂରେ କେକା କେକୀ ଉନ୍ମୁକ୍ତ ପ୍ରାନ୍ତରେ,

ନୀରବେ ଚାହାନ୍ତି ପରସ୍ପରେ କି ଆବେଗେ ।

ସତୀର ଆବେଗ ହେଲା ଗୁଣିତ ଗୁଣିତ,

ବେଗେ ତହୁଁ ବଳିବାକୁ ନହେଲା ସମର୍ଥ ।

ମୃଗତୃଷ୍ଣା ରୂପ ନେଇ ଆସେ ପ୍ରତିକ୍ଷଣ,

ଦୂର ହୁଏ ଗାନ କରି ହତାସର ଗୀତି ।

ବାୟା ବଧୂ ହସି ଭାଷେ, “ରେ କୁଟିଳ କାକ,

ନିରାଶର ଫଳ ଚୂର୍ଣ୍ଣ ହେବ ମୋ ସତୀତ୍ୱେ ।

ମୁଁ ସୀତା ସାବିତ୍ରୀ ରୂପେ ମମତା ତଟିନୀ,

ସତୀତ୍ୱ ମହିମା ଗାନେ ମହାମାୟା କାଳୀ ।

ମମତା କଲୋଳେ ମୋର ବିଶ୍ୱ ଲଭେ ସ୍ଥିତି ,

ମୋ ପ୍ରଳୟ ଅଟ୍ଟହାସେ ବିଶ୍ୱ ହୁଏ ଧ୍ୱସ୍ତ ।

କଳି କି ପାରିବୁ ସତୀ ହୃଦ ଗଭୀରତା,

ପୂର୍ଣ୍ଣ ଯହିଁ ନାରୀତ୍ୱର ସ୍ନିଗ୍ଧ ସ୍ୱଚ୍ଛନୀର,

ଭକତିର ଶତଦଳ ସଦା ଢଳ ଢଳ ।

ଅଗ୍ରେ ଦୃଶ୍ୟ ହୁଏ ଏକ ନିର୍ଜନ କାନନେ,

ଲତାଗୁଳ୍ମେ ପରପୂର୍ଣ୍ଣ ନ ଦିଶେ ଭୂତଳ ।

ସୁବିଶାଳ କାୟ ଶାଳ ପିଆଶାଳ ବୃକ୍ଷ,

ସ୍ଥାନେ ସ୍ଥନେ ଏକତ୍ରିତ ବନରକ୍ଷୀ ସମ ।

ମଧ୍ୟେ ମଧ୍ୟେ ବିଦ୍ୟମାନ ଉର୍ଦ୍ଦ୍ୱେ ମୁଖୀ ତାଳ,

ଶିରୋଦେଶେ କାୟା ବିସ୍ତାରିତ ତାଳ ପତ୍ର ।

ବନରକ୍ଷୀ ବ୍ରହ୍ମ ଅସ୍ତ୍ର ଉର୍ଦ୍ଧ୍ୱେ କିବା ତୋଳେ,

କରବାକୁ ପ୍ରଦର୍ଶନ ବ୍ରହ୍ମସ୍ତ୍ର ମହିମା ।

ଅନିଳ ତରଙ୍ଗେ ଉଚ୍ଚେ ବାଜାଏ ଡିଣ୍ଡିମ,

ପ୍ରକମ୍ପିତ ବନ ଉପବନ ଜନପଦ ।

ନିର୍ଘୋଷେ, “ନିଷିଦ୍ଧ ଏଠି ହତ୍ୟା ଉତ୍ପୀଡ଼ନ,

ଆବଶ୍ୟକ ଫଳ ମହାପ୍ରଳୟ ଅବଶ୍ୟ,” ।

ପ୍ରଳୟ ପ୍ରଳୟ ନାଦେ ମହୀ ପ୍ରକମ୍ପିତ,

ନିନାଦିତ ଦଶଦିଗ ଅନନ୍ତ ମଣ୍ଡଳ ।

ପ୍ରଧାବିତ ଆହାର ଆଶାୟୀ ବାୟାବଧୂ,

ସୁଚଞ୍ଚଳ ଦୃଷ୍ଟି ତା ନିକ୍ଷିପ୍ତ ଚତୁର୍ଦ୍ଦିଗେ ।

ତାପ ବୃଦ୍ଧ କ୍ଷୁଧାବୃଦ୍ଧି ବିଳମ୍ବିତ କାଳ,

ରାହୁ କେତୁ ସମ ଗ୍ରାସିବାକୁ ଧାବମାନ ।

ଚଳ ଚଞ୍ଚଳ ମାନସ କ୍ଷଣେ ହୁଏ ଗ୍ରସ୍ତ,

ହତାଶା ବ୍ୟାଦିତ ମୁଖେ ହୁଏ ନିପତିତ ।

ସାଧ୍ୱୀ ହୃଦ ଭକ୍ତି ଧୈର୍ଯ୍ୟ ସାହସ ତ୍ରିଶୂଳେ,

ବିଦ୍ଧ ହୋଇ ପରକ୍ଷଣେ ଲଭେ ଅବସାନ ।

ହୃଦ କନ୍ଦରୁ ସ୍ଫୁରଇ ଗମ୍ଭୀର ନିନାଦ,

“ସାଧନା ମହତ ଫଳ ମିଳିବ ଅବଶ୍ୟ” ।

ସଦର୍ପେ କରଇ ଅଗ୍ରଗତି ମହାମୋଦେ,

ମହାତୀର୍ଥ ପ୍ରଭୁ ରୂପ ଝଟକିତ ବ୍ୟୋମେ ।

ବିନୟ ବଚନେ କରି ପ୍ରଣତି ଜ୍ଞାପଦେ,

ବାୟା ବଧୂ ନିବେଦଇ ଜନନୀ ଚରଣେ ।

“ଜନନୀ ଗୋ ବସୁମତୀ”ଜୀବ କାମଧେନୁ,

ଆଦ୍ୟାଶକ୍ତି ତୁହିଁମା ଗୋ ରୂପରେ ପ୍ରକୃତି ।

ତୋ ପଦ ଆଶ୍ରିତ କେବେ ନ ହୁଏ ନିରାଶ,

କରୁଣା କଣା ପ୍ରଦାନେ ନ ହୁଅ ବିମୁଖ, ।

ପତି ଆଜ୍ଞା ପାଳିବାକୁ କର ଆଶୀର୍ବାଦ,

ଆହାର ସନ୍ଧାନେ ଲକ୍ଷ୍ୟ କର ଚରିତାର୍ଥ ।”

ସନ୍ତାନ ବାଞ୍ଛା ପୂରଣ ଅର୍ଥେ ବସୁମତୀ,

ଦୃଶ୍ୟମାନ କରେ ତାର ସୁମଞ୍ଜୁଳ କୋଳେ ।

ଅନତୀ ବିଳମ୍ବେ ଘନ ଅରଣ୍ୟର କୋଳେ,

ଦୃଶ୍ୟହୁଏ ମନୋହର ପୁଷ୍କରିଣୀ ଏକ ।

ଢଳ ଢଳ କମଳିନୀ ସ୍ୱଚ୍ଛ ନୀରୋପରି,

ତରଙ୍ଗିତ ମଞ୍ଚେ କି ନାଚଇ ହର୍ଷଚିତ୍ତେ ।

ଭ୍ରମର ଗୁଞ୍ଜନ ତୋଳେ ମଧୁର ସଙ୍ଗୀତ,

କୋଇଲି ସ୍ୱନ ପ୍ରକାଶେ ପ୍ରକୃତି ଆମୋଦ ।

ତୀର ବୃକ୍ଷ ତନୁ ଭେଦି ଆସେ ଦିବା ଲୋକ,

ଛାୟାଲୋକ କ୍ରୀଡ଼ା ବୃଦ୍ଧି କରେ ମଞ୍ଚ କାନ୍ତି ।

ମହାନ୍‍ନ୍ଦେ ବିଚରନ୍ତି ରାଜହଂସି ଦଳ,

ହର୍ଷ କଳସ୍ୱନ କରେ ସରସୀ ସୁଖର ।

ନୀଳ ଅର୍ଭେ ନୀଳଘନେ ବିଦ୍ୟୁଲ୍ଳତା ସମ,

ଗମ୍ଭିର ଓଁକାର ସୃଜେ ବନ ପ୍ରତିଧ୍ୱନି ।

ପୁଷ୍ପିତ ଲତିକା ଗୁଳ୍ମେ ଶୋହେ ତୀର ଦେଶ,

ମାଲ୍ୟ କରେ ହସେ କି ସେ ବଲ୍ଳଭ ଦର୍ଶନେ ।

ଚତୁଃପାର୍ଶ୍ୱ ନୀଳୋତ୍ପଳ ସହାସ ବଦନେ,

ସୁଢଳ ଛନ୍ଦେ ଉତ୍ତାଳେ ତରଙ୍ଗିତ ହର୍ଷ ।

ଅଗଣନ ବିହଙ୍ଗମ ହୋଇ ଦଳ ଦଳ,

କିଏ ଲତାକୁଞ୍ଜେ କେବା ବୃକ୍ଷେ ତୀରେ ଭୂମେ ।

ନୀରବେ ଗମ୍ଭୀର ଦୃଷ୍ଟି ନିକ୍ଷେପି ଚୌଦିଗେ,

କରନ୍ତି ଗମ୍ଭୀରତର ବନ ମାଧୁରିମା ।

ସରସୀ ବକ୍ଷ ବହାରି ଉନ୍ମତ୍ତ ମରାଳେ,

ନୀରବ ଦୃଷ୍ଟକୋଣେ କି ଦିଅନ୍ତି ସୂଚନା ।

ଉପସ୍ଥିତ ଆନନ୍ଦରେ ନ ହୋଇ ବିହ୍ୱଳ,

ବର୍ତ୍ତମାନ ସର୍ବସ୍ୱ ନ ହୋଇ ଭାବ ଭୋକେ ।

ଭାବୀ ସ୍ୱର୍ଣ୍ଣସୌଧ ଚୂଳ କର ନୀରିକ୍ଷଣ,

ସ୍ଥୂଳ ନେତ୍ରେ ଅଦୃଷ୍ଟ ଯା ମାନସେ ଅଜ୍ଞାତ ।

କରି ସନ୍ଦର୍ଶନ ଭାବ ରଙ୍ଗ ମତ୍ତ ଦ୍ୱିଜେ,

ସୁନିବାସ ଦୃଶ୍ୟେ ଆନ୍ଦୋଳିତ ସାଧ୍ୱୀ ହୃଦ ।

ତୀର ଦେଶ ଅତିକ୍ରମ ଅସ୍ଥିର ଅନ୍ତରେ,

ଉଦ୍ୱିଗ୍ନ ନୟନେ ବିଲୋକିଲା ଚତୁର୍ଦ୍ଦିଗ ।

ଶ୍ୟାମ ଦୁର୍ବାଦଳ ପୂର୍ଣ୍ଣ ବିସ୍ତୀର୍ଣ୍ଣ ପ୍ରାନ୍ତର,

ତା ମଧ୍ୟେ ଲତିକାଗୁଳ୍ମ ଶୋହେ ସ୍ଥାନେ ସ୍ଥାନେ ।

ଚତୁଃ ପାର୍ଶ୍ୱ ଦୂର ଚକ୍ରାବାଳେ ଶ୍ୟାମବନ,

ଘନନୀଳ ବିରଞ୍ଜିତ ପ୍ରାଚିର ସଦୃଶ ।

ତୋଳିଛି ଶିଖର ଶିର ନୀଳ ଅଭ୍ରକୋଳେ,

ଦ୍ୟୁଲୋକ ଭୂଲୋକ ଯହିଁ ଏକତ୍ୱେସଂଯୁକ୍ତ ।

ସୁବିଶାଳ ପ୍ରଙ୍ଗଣରେ କୃଷ୍ଣାଙ୍ଗ ଡ଼ାହୁକ,

ହୃ‌ଦେ ମନେ ଏକାନ୍ତରେ ନିମଗ୍ନ ଭୋଜନେ ।

ଚଞ୍ଚୁ ମୂନେ କ୍ଷଣେ କରି ଆହାର ଗ୍ରହଣେ,

ପରକ୍ଷଣେ କଳସ୍ୱନେ ପ୍ରକାଶେ ଆମୋଦ ।

ମରଣୋନ୍ମୁଖ ସମ୍ମୁଖେ ଅମୃତ ସଦୃଶ,

ସାଧ୍ୱୀନେତ୍ରେ ଦୃଶ୍ୟ ହେଲା ପ୍ରାନ୍ତରେ ତଣ୍ଡୁଳ ।

ବ୍ୟାକୁଳ ଅନ୍ତରେ ସମ୍ଭାଷିଲା; “ପ୍ରିୟ ମିତ୍ର,

ଏକି ତୁମ୍ଭ ପୂର୍ବାହଣର ଶ୍ରମ ଲବ୍ଧ ଅନ୍ନ ।

ଅବା ଭାଗ୍ୟ କ୍ରମେ ହେଳେ ଲଭିଛ ସନ୍ଧାନ,

ପରମ ଆନନ୍ଦେ ଏବେ କରୁଛ ଭକ୍ଷଣ ।

କାହିଁ ତବ ସୁତା ସୂତ ପ୍ରିୟ ପ୍ରାଣପତି,

ଏକାନ୍ତେ ଏ ସ୍ଥାନେ କିମ୍ବା ତୋଷୁଛ ଉଦର ।

ବାସ ତେଜି ତୁମ୍ଭେ ଯେବେ ଆହାର ସନ୍ଧାନୀ,

ପରିବାର ଚିନ୍ତା ତେଜି ଲଭିଛ ଆମୋଦ ।

କରି ଉପଲବ୍ଧି ବାୟାବଧୂ ହୃଦ ଭାବ,

ଗମ୍ଭିରେ ଭାଷିଲା ତନ୍ୱୀ, “ହେ ପ୍ରିୟ ସୁହୃଦ ।

ନିବାସେ ପ୍ରଭାତୁ ତେଜି ପ୍ରିୟ ପରିବାର,

ହୋଇଛି ମୁଁ ବର୍ହିଗତ ଅନ୍ନ ଅନ୍ୱେଷଣେ ।

ଶାବକାର୍ଥେ ଅର୍ପିନାଥେ ପୂର୍ବଦିବାହାର ,

ନିରନ୍ନ ଉଦରେ ଭ୍ରମି ଆହାର ସନ୍ଧାନେ ।

ହେଲି ଯେବେ କ୍ଲାନ୍ତ-ଶାନ୍ତ ବ୍ୟର୍ଥ ମନୋରଥ,

ପରିବାର ଚିନ୍ତା କଲା ହୃଦ ଆନ୍ଦୋଳିତ ।

ସ୍ଥିର ଚିତ୍ତ ବିଭୁ ପଦେ କଲି ସମର୍ପଣ,

କର୍ମଫଳ ବିବସିନା ପାଞ୍ଚାଳୀ ସଦୃଶ ।

ପରକ୍ଷଣେ ଦୃଷ୍ଟ ହେଲା ଏ ଭୋଜ୍ୟ ଆହାର,

ପ୍ରାଚୁର୍ଯ୍ୟର କୋଳେ ଏବେ ହୋଇଛି ଆସୀନା ।

ଅନଶନ ଶ୍ରମ କ୍ଳାନ୍ତି ହରଣ ନିମିତ୍ତ,

ଉଦର କରୁଛି ତୁଷ୍ଟ ବସି ଏକାନ୍ତରେ ।

ସ୍ୱଳ୍ପ କ୍ଷଣେ ଘେନି ଅନ୍ନ ହେବି ବହିର୍ଗତ,

ପ୍ରିୟ ନାଥ ତନୟେ ତୋଷିବି ହର୍ଷଚିତ୍ତେ ।

ଏ ନୁହେଁ ଲୁଣ୍ଠିତ ଅବା ଶ୍ରମ ଲବ୍ଧ ଅନ୍ନ,

ଘେନ ଇଚ୍ଛାମତେ ଯେବେ ହୁଏ ଅଭିନାଷ ।

ଚାହିଁ ଥିବେ ଅନ୍ନ କିଷ୍ଟ ପରିବାର ତବ,

ଚାହିଁଥିବ ନୀଡ଼ କରି ଦ୍ୱାରକୁ ଉନ୍ମୁକ୍ତ ।

ଅନ୍ତର ଆଳୟେ ଶୋକ ତାପ ଜର୍ଜରିତ,

ପ୍ରାଣ ତବ ଚାହିଁଥିବ ଅମୃତ ଆଳୟ ।

ଲୋଟିବାକୁ ମହାତିର୍ଥେ ପଙ୍କଜ ଚରଣେ,

ହେଉଥିବ ଉଦବେଳିତ ଅଧିର ଅସ୍ଥିର ।

ନୋହି ଭାବ ଭୋଳ ମିତ୍ର! ପ୍ରାଚୁର୍ଯ୍ୟ ସମ୍ମୁଖେ,

ହୁଅ ଅବତୀର୍ଣ୍ଣ,କର ଲକ୍ଷ୍ୟ ଚରିତାର୍ଥ ।”

କ୍ଷୁଧାତୁର ବାୟାବଧୂ ପ୍ରଲୁବ୍ଧ ନୟନେ,

ବିଲେଶକିଲା ଭୋଜ୍ୟ, ବିଲୋକିଲା ସ୍ୱନିବାସ ।

ତନୟେ ଅଛନ୍ତି ଚାହିଁ କ୍ଷୁଧାତୁର ପ୍ରାଣେ,

ଅସ୍ୱଷ୍ଟ ବଚନେ ଡ଼ାକୁଛନ୍ତି, “ଗୋ ଜନନୀ!

କ୍ଷୁଧାକର ପ୍ରଶମିତ ମୁଖେ ଦେଇ ଅନ୍ନ,

ଚୁମ୍ବନ-ଆଶ୍ଳେଷେ ଚାହିଁଛନ୍ତି ପ୍ରାଣପ୍ରିୟ,

ନେତ୍ର ଅପଲକ,ମୁଖ ମଣ୍ଡଳ ବିଷର୍ଣ୍ଣ ।

କ୍ଷୁବ୍ଧକଣ୍ଠେ ଡାକୁଛନ୍ତି, “ଆସ ପ୍ରାଣ ପ୍ରୟେ,

ଆଶ୍ଳେଷ ପ୍ରଦାନେ କର ପ୍ରାଣ ସୁଶୀତଳ ।”

ଅଧୀରେ ଭାଷିଲା ସାଧ୍ୱୀ:- “ଅନତି ବିଳମ୍ବେ,

ଘେନି ତବ ପ୍ରିୟ ଭୋଜ୍ୟ ସୁସ୍ୱାଦୁ ତଣ୍ଡୁଳ ।

ଉପସ୍ଥିତ ହେବି ପ୍ରଭୂ; ଶ୍ରୀ ଚରଣ ତଳେ,

ଧନ୍ୟ ହେବି ସ୍ପର୍ଶ କରି ପଦ ଅରବିନ୍ଦେ ।”

ନିବାସେ ସୁରଣେ ବ୍ୟୋମେ ନିବାସ ମଣ୍ଡିନୀ,

ଦୃଷ୍ଟି ନିକ୍ଷେପିଲା କ୍ଷଣେ ନିମ୍ନେ କ୍ଷଣେ ପାର୍ଶ୍ୱେ ।

ଚତୁଃପାର୍ଶ୍ୱେ ଦୃଶ୍ୟ ହୁଏ ସ୍ୱଂୟ ସ୍ୱର୍ଣ୍ଣାଳୟ,

ପ୍ରବୋଧନ୍ତି ସ୍ୱାମୀ ତହିଁ ସମ୍ଭାଷି ତନୟେ ।

“ଦୂର ଦିଗ୍‍ବଳୟେ ଦେଖ ସହାସ ଲପନେ,

ଆସନ୍ତି ଜନନୀ ଘେନି ସୁସ୍ୱାଦୁ ଆହାର” ।

ଅଧୀରେ ବିଲୋକେ ଯେବେ ବିସ୍ତୀର୍ଣ୍ଣ ପ୍ରାନ୍ତରେ ,

ସୁଭୋଜ୍ୟ ତଣ୍ଡୁଳ ଭକ୍ଷେ ତୃପ୍ତିରେ ଡାହୁକ ।

ହୃଦେ କ୍ଷୁଧାକୁଳ ପୁଣି ଚିନ୍ତାକୁଳ ପ୍ରାଣ,

ଉଚ୍ଚାରିଲା,”ବିଳମ୍ବରେ ନାହିଁ ପ୍ରୟୋଜନ ।”

ଦର୍ଶନ ସ୍ମରଣ କଲେ ଅନ୍ତର ଅସ୍ତିର,

ଯଥା ବେନି ପକ୍ଷକରେ ଶୂନ୍ୟ ପ୍ରକମ୍ପିତ ।

ସମ୍ଭାଷି, “ହେ ପ୍ରାଣେଶ୍ୱର ! ଅନତି ବିଳମ୍ବେ,”

ବିକ୍ଷିପ୍ତ ତଣ୍ଡୁଳ ପୂର୍ଣ୍ଣ ବିସ୍ତୀର୍ଣ୍ଣ ପ୍ରାନ୍ତରେ ,

ହେଲା ନିପତିତ ନିଦାରୁଣ ଘୋର ଜାଲେ ।

 

ଚତୁର୍ଥ ସର୍ଗ

 

ଦିବା ଲୀଳା ଅବସାନ କ୍ରମେ ଦିବାକର,

ଅବତୀର୍ଣ୍ଣ ଅସ୍ତାଚଳ ସ୍ୱର୍ଣ୍ଣ ସିଂହାସନେ ।

ସିନ୍ଦୁରିତ ପ୍ରତିଚୀ ପ୍ରାଙ୍ଗଣ ଅଭ୍ରତନୁ,

ନିର୍ଝରିତ ରାଗରେଣୁ ରଞ୍ଜିତ ଅଚଳ ।

ବିରହୀ ପଦ୍ମବଲ୍ଳଭ ପ୍ରାଣ ତୋଷ ଅର୍ଥେ,

ପଦ୍ମରାଗେ ବିମଣ୍ଡନ କରିଣ ମଣ୍ଡପ ।

ହାସ୍ୟ ଭରା ଲାସ୍ୟେ କରି ପ୍ରଭା ବିବର୍ଦ୍ଧନ,

ନୀଳ ଦ୍ୟୁତି ମାର୍ଗ ବିରଚିଲା ଦିଗଙ୍ଗନା ।

ମହାମେଦେ ଉତ୍‍ଫୁଲି ଅନ୍ତରେ ଅର୍କଦେବ,

ଚୁମ୍ବନର ଶେଷ ସ୍ପର୍ଶ ଦେଲେ ପ୍ରାଣପ୍ରିୟେ ।,

ଲଭି ପ୍ରାଣପୂର୍ଣ୍ଣ ମୁଦ ଉତ୍‍ଫୁଲ ପଦ୍ମିନୀ ,

ବିଭାସିତ ନେତ୍ର ଧୀରେ କଲା ନିମୀଳିତ ।

ଆଲୌକିତ ପ୍ରେମ ଦୃଶ୍ୟେ ସମଗ୍ର ଅବନୀ,

ହେଲା ବିମୋହିତ, କ୍ଷଣେ ସ୍ତବ୍ଧ ପୁଲକିତ ।

ହର୍ଷୋତ୍‍ଫୁଲ ରବେ କରି ବ୍ୟୋମ ମୁଖରିତ,

ବିହଙ୍ଗମେ ଆରମ୍ଭିଲେ ଯାତ୍ରା ସ୍ୱନିବାସେ ।

ବିରହାବସାନେ ମିଳନର ଶୁଭାରମ୍ଭ,

ଉଦବେଳିତ ପ୍ରାଣେ କଲା ପୁଲକ ସଞ୍ଚାର ।

କିଏ ଚିନ୍ତା ନିମଜ୍ଜିତ ବାତ୍ସଲ୍ୟ ରସରେ ,

କିଏ ସ୍ମରେ ପ୍ରିୟ ସାଥୀସହାସ ସ୍ୱାଗତ ।

କିଏ ହୋଇଅଛି ମଗ୍ନ ନୈରାଶ୍ୟ-ସାଗରେ,

ଭାବଭୋଳେ ହେଉଅଛି ଦଳରୁ ବିଚ୍ଛିନ୍ନ ।

କରି ସୁଦର୍ଶନ ଭାବ-ନିମଗ୍ନ ଜଗତ,

ସହର୍ଷେ ସ୍ୱସ୍ତାନ କଲେ କମଳିନୀ-କାନ୍ତ ।

ଚାହିଁଛନ୍ତି ସୁତେ ଚକ୍ରବାଳେ ଅପଲକେ,

ଚାହିଁଛନ୍ତି ପ୍ରାଣପ୍ରିୟ ନୀରବେ ଗମ୍ଭୀରେ ।

‘ହା ଅନ୍ନ’ ନିନାଦ ତୋଳେ ନିରନ୍ନ ଉଦର,

‘ହା ଜନନୀ’ ସ୍ୱନେ ଝଙ୍କାରିତ ସ୍ୱର୍ଣ୍ଣ-ସୌଧ ।

ବ୍ୟଥିତ ସନ୍ତାନ-ପ୍ରାଣ ସ୍ମରେ ମାତ୍ରାଶ୍ଳେଷ,

ହୃଦ ଶୋକ ଜର୍ଜରିତ, ନେତ୍ର ଅଶ୍ରୁସିକ୍ତ ।

ନୀଡ଼-ନିଃସୃତ ନିସ୍ୱନେ ଅମ୍ବର ଧ୍ୱନିତ,

ପ୍ରକମ୍ପିତ ବିରହ-ସନ୍ତପ୍ତ -ବାୟା-ହୃଦ ।

ସଧୀରେ ସମ୍ଭୋଷେ ବୟୋଚାପି ହୃଦ-ବୃଥା,

“ନଭାଳ, ନଭାଳ ସୁତେ; ନ ହୁଅ ଅଧିର ।

ଘେନି ତବ ମନ ଲାଖି ସୁସ୍ୱାଦୁ ଭୋଜନ,

ସ୍ୱଳ୍ପ କ୍ଷଣେ ବାହୁଡ଼ିବେ ଜନନୀ ନିବାସେ ।

କାତର ନ ହୁଅ ଦେଖି ଦିବା-ଅବସାନ,

ବିଳମ୍ବରେ ଶୁଭଫଳ ମିଳିବ ଅବଶ୍ୟ ।”

ଅନ୍ତରୀକ୍ଷେ ବାରବାର ଚପଳ ଟିଟ୍ଟିଭ,

ନିର୍ଘୋଷିଲା: “ବିଳମ୍ବରେ ଘଟିପାରେ ବାଧା ।

ମଣି-ଚ୍ୟୁତ-ଫଣୀ ସମବାୟା ଦୃପ୍ତ ସ୍ୱରେ ,

ନିର୍ଘୋଷିତ:-”ଭୟ ନାହିଁ ,ମୁଁ ଅଛି ସମ୍ମୁଖେ ।

ସତୀ-ମନୋବାଞ୍ଛା ସତୀ! ନୋହିବ ନିଷ୍ଫଳ,

ଦୃଢ଼େ ଧରିଥାଅ ମଙ୍ଗନ ହୋଇ ଅସ୍ଥିର ।”

ଆବିଗ୍ନ କଣ୍ଠରେ ବାୟା ଭାଷେ ଏକ ସ୍ୱରେ,

ଚାହିଁଥାଏ ଅପଲକେ ଲୋତକ-ନୟନେ ।

ନୀଳ ନଭେ ଜ୍ୟୋତିଶ୍ଚକ୍ର ଚିତ୍ରଣ ସଦୃଶ,

ବାୟା ମନୋରାଜ୍ୟେ ପ୍ରିୟା ଜୀବନ ଚିତ୍ରିତ ।

ଦୃଶ୍ୟ ପରେ ଦୃଶ୍ୟ ହୁଏ ଶୂନ୍ୟେ ପ୍ରତିଭାତ,

ପତିକ୍ଷଣ ହୃଦରାଜ୍ୟେ ସୃଜେ ଉଦବେଳନ ।

ଦୂର ଦୂରତ୍ୱର ଦୃଶ୍ୟ ନୟନ ସମ୍ମୁଖେ,

ଉଭା ହୋଇକରେ କ୍ଷଣେ ଅସ୍ମିତା ବିଲୋପ ।

ଦେଖେ ବାୟା, ପ୍ରାଣପ୍ରିୟା ଫେରୁଛି ସ୍ୱବାସେ,

କ୍ଷୂଧାର୍ତ୍ତ ସେ ଆକୁଳିତ ଉଦର ଅନ୍ତର ।

ପକ୍ଷ ଚାଳି ସୁଚଞ୍ଚଳେ କରେ ଗତି କ୍ଷିପ୍ର,

ଶ୍ରମ-କ୍ଷୁଧା-ତୃଷା-ପୀଡ଼ା ନ ହୋଇପାରେ ପରଶି ।

ନ ପାରେ ସମ୍ଭାଳି ହୃଦ ଆବେଗ; ଅଧୀର,

ଗାଏ ସ୍ୱାଗତିକା:- “ଆସ ଆସ ପ୍ରିୟତମା !”

ଦୁର ଚକ୍ରବାଳେ ପୁଣି ହୁଏ ପରିଦୃଷ୍ଟ,

ରମ୍ୟ ଗିରି ଶିଷ୍ୟ ଏକ ମଞ୍ଜୁଳ ନିକୁଞ୍ଜ ।

ତାମଧ୍ୟେ ଉତ୍‍ଥିତ ନଭେ ବିରାଟ ଶାଳ୍ମଳୀ,

ନୀଳ-ରକ୍ତ-ରାଗେ କଳେବର ସୁଶୋଭିତ ।

ରକ୍ତ ବର୍ଣ୍ଣ ପୁଷ୍ପେକରି ଶରୀର ମଣ୍ଡନ,

ପଦ୍ମରାଗେ ସମୁଜ୍ଜ୍ୱଳ କରେ ଚକ୍ରବାଳ ।

ଅଗଣନ ନିମ୍ନମୁଖୀ ସ୍ୱର୍ଣ୍ଣ ବର୍ଣ୍ଣ ନୀଡ଼,

ଶାଖା-ପ୍ରଶାଖାରୁ ଦୋଳେ ସମୀର-ତରଙ୍ଗେ ।

ପ୍ରାଣପ୍ରିୟା ଯାଏ ତହିଁ ଆନ ସାଥୀ ମେଳେ,

ସୁଚ୍ଛନ୍ଦ-ଚପଳ-ଭଙ୍ଗୀ ପ୍ରକାଶେ ଆନନ୍ଦେ ।

ମଧୁର କାକଳି କରେ ନିକୁଞ୍ଜ ମୁଖର,

ସ୍ୱାଗତ-ସଙ୍ଗୀତ ଗାଏ ସାଥୀ ମହୋଲ୍ଳାସେ ।

ଶ୍ରୁତ ହେଲା ବ୍ୟୋମେ ପୁଣି ଟିଟ୍ଟିଭ ନିର୍ଘୋଷ,

ଚତୁର୍ଦ୍ଦିଗ ଝଙ୍କାରିଲେ, “ନଭାଳ ଅନ୍ୟଥା ।”

ଦୃଢ଼ ସ୍ୱରେ ଅନ୍ତର ଘୋଷିଲା, “ରେ ମାନସ ,

ନ କର ତୁ ଭ୍ରାନ୍ତ ପତ୍ନୀ ପ୍ରାଣ ବାୟା-ଚିତ୍ତ” ।

ଅନ୍ତର୍ବହିର୍ଦେଶେ ବାରମ୍ବାର ଝଙ୍କାରିତ,

“ନ ଭାଳ କଳଙ୍କ ବାୟା ! ବଧୂର ସତୀତ୍ୱ ।”

ଧିକ୍କାରିଲା ସ୍ୱମାନସେ, ପ୍ରହାରୀ ମସ୍ତକ,

ବଜ୍ର କଣ୍ଠେ ଉଚ୍ଚାରିଲା ବାୟା ସଦର୍ପରେ ।

“ସତୀ ସାଧ୍ୱୀ ମୋ ଭାବିନୀ, ନୁହଁଇ ଅନ୍ୟଥା,

କଳଙ୍କ ଲେପନ ତହିଁ ନ କର ପ୍ରୟାସ ।

ନ କର ତୁ ମୋତେ ପଥଭ୍ରାନ୍ତ ପଦାତିକ,

ନମଣୁତୁ ଅଟେ ମୁହିଁ ମଣି ଚ୍ୟୁତ-ଫଣୀ ।”

“ସାଧବି ଗୋ ! କର କ୍ଷମା, ଭୁଲି ତବ ପ୍ରେମ,

କୁଟଚିନ୍ତା ହୃଦମଧ୍ୟେ ଦେଲି କ୍ଷଣେ ସ୍ଥାନ ।

ନ ହୁଅ କାତର ପ୍ରିୟେ ! ମୁଁ ଅଛି ସମ୍ମୁଖେ,

ଦୁଃଖ -ଦୂର୍ବିପାକ ତିଳେ ନ କରିବ ସ୍ୱର୍ଶ ।

ଝର ଝର ଝରେ ଅଶ୍ରୁ, ନୟନ ଯୁଗଳ,

ନିର୍ନିମେଶେ ଚାହିଁ ରହେ ଅନନ୍ତ ଗଗନେ ।

ପରକ୍ଷଣେ ଉଦ୍‍ଭାସିତ ହୁଏ ଆନ ଦୃଶ୍ୟ,

ଶୋକୋଚ୍ଛ୍ୱାସ କରେ ବାୟା-ପ୍ରାଣ ଉଦବେଳିତ ।

ଆବଦ୍ଧ ପ୍ରାଣ ବାନ୍ଧବୀ ବ୍ୟାଧ-ମହାପାଶେ,

“ହା ପ୍ରାଣ -ଇଶ୍ୱର !” କ୍ଷୀଣେ ଗମ୍ଭୀରେ ଉଚ୍ଚାରେ ।

ସମ୍ମୁଖେ ସୁଭୋଜ୍ୟ ଅନ୍ନ, ମଣେ କାଳକୁଟ,

ଆସନ୍ନ-କାଳ ବିସ୍ମରି ସ୍ମରେ ସ୍ୱାମୀ-ସୁତେ ।

ଦୀର୍ଘ ଶ୍ୱାସ ତେଜି ଡାକେ,” ହେ ଜଗତ ନାଥ,

ପ୍ରାଣ ଇଶ-ସୁତ-ନିବାସେ ନିରନ୍ନ ।

ମୋ ଯୋଗୁଁ ଘଟିବ ତାଙ୍କ ଅକାଳ ବିୟୋଗ,

କରୁଛି ପ୍ରାଥନା ବାରେ ଘେନ ନିବେଦନ ।

ପରାନ୍ନ ହରଣ ଏକା ମୋର ଅପରାଧ,

ବ୍ୟାଧି-ପାଶେ ମୃତ୍ୟୁ ମୋର ଯୋଗ୍ୟ ପୁରସ୍କାର ।

ମୋ ଜୀବନେ ଥାଏ ଯେବେ ତିଳେ ମାତ୍ର ପୁଣ୍ୟ,

ତା ବଳେ ମାଗୁଛି ପ୍ରଭୋ ! ଦିଅ ଦିବ୍ୟ ଶକ୍ତି ।

ପାଶ-ମୁକ୍ତ ହୋଇ ନେବି ଆହାର ନିବାସେ,

ତୋଷି ପ୍ରାଣ ଇଶ-ପ୍ରିୟ ସୁତେ ଅବିଳମ୍ବେ ।

ମହାତୀର୍ଥ- ଶ୍ରୀ ଚରଣେ କରି ପ୍ରଣିପାତ,

ବାହୁଡ଼ିବେ-ହେବି ପାଶବଦ୍ଧ, ଧ୍ରୁବ ସତ୍ୟ ।

ଯଦି ଧର୍ମ-ରହିତ ମୋ ପଙ୍କିଳ ଜୀବନ,

କର ହେ କରୁଣା, ଫଳ ଭୋଗି ଏ ଜୀବନେ ।

ଧ୍ୟାୟି ମହାତୀର୍ଥ ପଦ କରୁଛି ପ୍ରତିଜ୍ଞା,

ଜନ୍ମେ ଜନ୍ମେ ଅବଶ୍ୟ ମୁଁ ଦେବି ପତିଶୋଧ ।

ଧୈର୍ଯ୍ୟ ସଞ୍ଚ ଡାକେ ପୁଣି, “ହେ ପ୍ରାଣ ଇଶ୍ୱର!

ଇହ ପର ଫଳ ଦାତା କରୁଣା -ଆକାର ।

ପ୍ରାଣ-ବାନ୍ଧବୀ ମୁଁ କହି କଲି ପ୍ରତାରଣା,

ନିରନ୍ନ ଉଦର ତବ ନ ପାରିଲି ତୋଷି ।

ଶ୍ରୀ ଚରଣ-ଦାସୀ-ଗର୍ବେ ହେବାର ପ୍ରମତ୍ତ,

ନୁହେଁ ନୁହେଁ ନୁହେଁ ସତ୍ୟ ଅଭିନୟ ମାତ୍ର ।

ହେଲେ ମଧ୍ୟ ମୋ ଜୀବନ ଜଟିଳ ଆବିଳ,

ତୁମ୍ବେ ହେ ପରମାରାଧ୍ୟ ! କରୁଣା ବତାର ।

ଦାସୀ ପରେ ବରି ମେତେ ବରିଛ ଯେ ଦୁଃଖ ,

କ୍ଷମିବ ନାହିଁ କି ପ୍ରଭୋ ! ପ୍ରଭୁ -ବଡ଼ ପଣ ?

ଏ ଜନ୍ମ ସାଧନ ମୋର ହେଲାତ ନିଷ୍ପଳ ,

ପରଜନ୍ମ-ପରୀକ୍ଷାକୁ ନ ହେବ ବିମୁଖ ।

ପଦରାସୀରୂପେ ପଦ ପଙ୍କଜ ଯେ ଏ ଭିକ୍ଷା,

ତୁଚ୍ଛମଣି ଦାସୀରେ ନ କରିବ ଅନ୍ୟଥା ।

ଯାଉ ଏ ଜୀବନ କରି ଶେଷ ପ୍ରଣିପାତ,

ପଦ ଅରବିନ୍ଦେ, କର ଏହି ଆଶୀର୍ବାଦ ।”

ବାୟା ବକ୍ଷେ ଯଥା ହୁତାଶନ-ଉଦ୍‍ଗୀରଣ,

ବାୟା ହୃଦେ ମହାବେଗ ହେଲା ଉଦ୍‍ଗାରିତ ।

ଧୈର୍ଯ୍ୟର ବନ୍ଧନ ହେଲା ଖଣ୍ଡ ବିମଣ୍ଡିତ,

ଆବେଗ ସୃଜିଲା ହୃଦରାଜ୍ୟେ ଆଲୋଡ଼ନ ।

“ସମ୍ଭାଳ ସମ୍ଭାଳ କ୍ଷଣେ, ନ ହୁଅ ଦ୍ଭ୍ରାନ୍ତ,

ହୁଏ ଅନ୍ତର୍ବାଣୀ “ବଧୂ ଫେରିବ ଅବଶ୍ୟ ।

ଆହାର ସନ୍ଧନେ ହୋଇଅଛ ବହିର୍ଗତ,

ସମର୍ପି ପ୍ରିୟ ଶାବକେ ସମୀପେ ତୋହର ।

କର୍ତ୍ତବ୍ୟ ପାଳନେ କ୍ଷଣେ ହେଲେ ତୋ ବିଚ୍ୟୁତି,

ପତି ପ୍ରାଣଠାରେ ହେବ ଘୋର ଅପରାଧ ।”

ଦ୍ୱନ୍ଦ ଦ୍ୱନ୍ଦ ଚତୁପାର୍ଶେ ଭାବନାରେ ଦ୍ୱନ୍ଦ,

ନିବାସେ ନିରନ୍ନ ଶିଶୁ, ପ୍ରାଣପ୍ରିୟା ଦୂରେ ।

ଶୂନ୍ୟେ ଝଲସିତ ହୁଏ ପ୍ରିୟା ବ୍ୟାକୁଳତା,

ସମ୍ମୁଖେ ବ୍ୟାକୁଳ-ପ୍ରାଣ ଅବୋଧ ଶାବକେ ।

ବେନି ଭାବ ଦିଏ ଭିନ୍ନ କର୍ତ୍ତବ୍ୟ -ଆହ୍ୱାନ,

ଆବିଗ୍ନ ଅନ୍ତର ହୁଏ ଅଧିର ଅସ୍ଥିର ।

“ରେ ପ୍ରିୟ ସନ୍ତାନେ, ହୁଅ ସ୍ୱକର୍ମ ଆଶ୍ରିତ,

ଡାକେ ମାତା ଲଭିବାକୁ ଶ୍ରୀପଦ ଦର୍ଶନ ।”

ଭାଷିଯାଏ ଅନ୍ତମୁର୍ଖ ,ଝଙ୍କାରେ ଅନ୍ତର ,

ଚୌଦିଗ ତିମିରାଚ୍ଛନ୍ନ, ନ ଦିଶଇ ପାର୍ଶ୍ୱ ।

ଭାସିଆସେ ପୁଣି, “ ପଭୁ ! ହେବ କି ଅନ୍ୟଥା ?

ଯାଉ ଏ ଜୀବନ କରି ଶ୍ରୀପଦ ଦର୍ଶନ ।”

“ଯାଉଛି ଗୋ ପ୍ରିୟେ ! କେବେ ନୋହିବ ଅନ୍ୟଥା,

ପତିବ୍ରତା ପତି-ଆଶୀଃ ଲଭିବ ଅବଶ୍ୟ ।”

ଅଧୀରେ ଉତ୍‍ଥିତ ବାୟା ଚାପି ହୃଦ-ବ୍ୟଥା,

ସମ୍ବୋଧେ ସସ୍ନେହେ ଦେଇ ତନୟେ ଅଶ୍ଳେଷ,।

“ଯାଉଛି ରେ ସୁତେ ! ତବ ଜନନୀ-ସନ୍ଧାନେ,

ଅବିଳମ୍ବେ ଅନ୍ନ -ମୁଖେ ଫେରିବୁ ନିବାସେ ।”

ବିରହ ବିଦଗ୍ଧ ପ୍ରାଣ -ବାନ୍ଧବୀ ଲପନେ,

କରିବାକୁ ପୀଡ଼ିତିସସିକ୍ତ ଚୁମ୍ବନ ପ୍ରଦାନ ।

ମହାବେଗେ ତେଜି ଯଥା ମହାର୍ଣ୍ଣବ-କୋଳ

ହୁଅନ୍ତି ଉତ୍‍ଥିତ ଉର୍ଦ୍ଧ୍ୱେ ଦେବ ଦିବାକର ।

ଛିନ୍ନ କରି ଅପତ୍ୟ ମମତା ଜୀବନମୋହ,

ସୁଚଞ୍ଚଳେ ହେଲା ବାୟା ନୀଡ଼- ବହିର୍ଗତ ।

ନୀଡ଼ -ବହିର୍ଗତ ପିତା,ମାତା ଦୃଷ୍ଟି ଗତ,

ଅନ୍ତର୍ଦ୍ଦେଶ ଢମାବୃତ ଯଥା ବହିର୍ଦ୍ଦେଶ ।

ଝିଲ୍ଲୀ କ୍ଷୀଣ ସ୍ୱନ ତୋଳେ ସୂନ୍ୟତା ସଙ୍ଗୀତ,

କାଳ ରାତ୍ରି-ବାର୍ତ୍ତା କିବା ଆଣେ ମହାଶୂନ୍ୟ ।

ଦୂରେ ବାୟା କ୍ଷୀଣ -କଣ୍ଠ ଉତ୍ତୋଳେ ମୂର୍ଚ୍ଛନା,

“ଜନ୍ମଦାତା ପିତା ମାତା କର୍ମଦାତା ଭିନ୍ନ ।

କର୍ମ ଅବଲମ୍ବେ ସୁତେ !ହୁଅ ସଦାଶ୍ରୟୀ,

ଶୋକ ପରି ହରି ହୁଅ ସ୍ୱକର୍ମେ ଆଶ୍ରିତ ।”

ଦୂର ଦୂରତ୍ୱର ହୁଏ ପିତୃ କ୍ଷୀଣ କଣ୍ଠ ,

ସ୍ଥୂଳ ସ୍ଥୂଳତର ହୁଏ ହୃଦ ଭାବା ବେଗ ।

ଅବୋଧ ସନ୍ତାନ ବେନି ନିର୍ବାକ- ନିଷ୍ପନ୍ଦ,

କମ୍ପିତ ଶରୀର,ନୀଳ ନେତ୍ର ବାଷ୍ପାକୁଳ ।

 

ପଞ୍ଚମ ସର୍ଗ

 

ଶୂନ୍ୟ-ମହାଶୂନ୍ୟ-ମହୀ ଘନ ତମାବୃତ,

ଗୁରୁ ଗମ୍ଭୀର ଧୂମାକ୍ତ ପ୍ରାଚୀ ଚକ୍ର ବାଳ ।

ଚନ୍ଦ୍ରିକା ସଧୀରେ ଆସେ ଚାଳି ଶୁଭ୍ରାଞ୍ଚଳ,

ଶୁଭ୍ର ରେଣୁ ସିଞ୍ଚି କରେ ଶୁଭ୍ର ଚତୁର୍ଦ୍ଦିଗ ।

କ୍ରମେ ଶଭ୍ରାଲୋକେ ଝଟକିତ ଚକ୍ରବାଳ,

ଝଟକିତ ତମାବୃତ-ଶ୍ୟାମଳ ପ୍ରାନ୍ତର ।

ଉତ୍‍ଥିତ କୁମୁଦ ବାନ୍ଧବ ନୀଳ ଅଭ୍ରେ,

ଆମୋଦ କୁମୁଦ ହସେ ନୀଳ ବାର ବକ୍ଷେ ।

ପ୍ରାଣ ଖୋଲି ଡାକେ, “ଆସ ହେ ପ୍ରାଣ ବାନ୍ଧବ !

କର ବାରେ ପ୍ରାଣ ପୂର୍ଣ୍ଣ ଚୂମ୍ବନ ପ୍ରଦାନ ।”

ପରକ୍ଷଣେ ପ୍ରୀତି କଳହାସ ନିନାଦିତ,

କରେ ଭୂମଣ୍ଡଳ, ହସେ ନୀଳ ସରୋବର ।

ପ୍ରାଣର ଆକୁଳେ ବାୟା-ଗତି ହୁଏ କ୍ଷିପ୍ର ,

କେତେ ବେଳେ ସ୍ୱତଃ ପୁଣି ହୁଅଇ ଶିଥିଳ ।

ବେନି ପାର୍ଶ୍ୱେ କରେ ପ୍ରିୟା- କଣ୍ଠର ସନ୍ଧାନ,

ଅଧୀର ଅନ୍ତରେ ପୁଣି କରେ ଗତି କ୍ଷିପ୍ର ।

ଲତା ଗୁଳ୍ମ ତୋଟାମାଳେ ଭ୍ରମଇ ଅଧୀରେ,

ଆକୁଳିତ ପ୍ରାଶେ ଉଚ୍ଚେ କରଇ ଚିତ୍କାର ।

“ପ୍ରିୟ ଜୀବନ-ସଙ୍ଗନୀ ! ମୋ ପ୍ରାଣ ବାନ୍ଧବୀ,

ପ୍ରିୟ ତବ ପ୍ରିୟା ହୀନ ବିରହ-ବିଦଗ୍ଧ ।

ତବ ବିଚ୍ଛେଦରେ ଭୋଗେ ମରଣ ଯନ୍ତ୍ରଣା,

ଜୀବନେ ଜୀବନେ ଶୂନ୍ୟ ଆଲୋକିତ ଅନ୍ଧାର ।

ଜଗତର ପ୍ରତୀକ ହୁଏ କାଳ କୂଟା ର୍ଣ୍ଣବ,

ଜୀବନକୁ ମଣେ ତହିଁ କାତ ଭ୍ରଷ୍ଟ ପୋତ ।

ମଣିଚ୍ୟୁତ ଫଣୀ ସମ ଭ୍ରମେ ଶୋକାକୁଳେ,

ଆସ ଗୋ ସମୀପେ, କର ପ୍ରାଣ ସୁଶୀତଳ ।

ଅଦୂରେ ପ୍ରସାରୀ କାୟା ଉତ୍ତୋଳି ମସ୍ତକ,

ନୀଡ଼ ମାଳେ ବିମଣ୍ଡିତ ଅଶ୍ୱତ୍ଥ ପାଦପ ।

ଅନ୍ତଃସ୍ଥ କୋଟରେ ପିୟା ସଙ୍ଗେ ଏକାନ୍ତରେ,

ଆପେ ନିମଗ୍ନ ଶୁକ ପରମ ଆମୋଦେ ।

ସୁପ୍ତ ସର୍ବେ ଚତୁର୍ଦ୍ଦିଗ ନୀରବ ନିସ୍ତବ୍ଧ,

ମୃଦୁ ସ୍ୱନ ଭାସି ଆସେ ନିକ୍ୱଣ ସଦୃଶ ।

ଧୀର ନମ୍ର କଣ୍ଠେ ଶାରୀ କରେ ନିବେଦନ,

“ବୁଦ୍ଧି ଅନୁଭୂତି-ଜ୍ଞାନେ ହୀନ ତବ ପ୍ରିୟା ।

ଅନୁଗ୍ରହ ବହିବାରେ କର ଅବଗତ,

ମିଳନ ବିଚ୍ଛେଦ-ଜନ୍ମ-ମୃତ୍ୟୁର କାରଣ ।”

ଆନ୍ଦୋଳିଲା’ପ୍ରଶ୍ନ’ ବାୟା ହୃଦ ବାରମ୍ବାର,

ଆଦ୍ୟ ପ୍ରଶ୍ନର ଉତ୍ତର ଲୋଡ଼ିଲା ଅନ୍ତରେ ।

“ସୃଜି ନାହିଁ ଅଶାନ୍ତି ମୁଁ ଆନ ପରିବାରେ,

ସ୍ୱପ୍ନେ ବାଞ୍ଛିନାହିଁ ଆନ ଦାମ୍ପତ୍ୟେ ବିଚ୍ଛେଦ ।

ଜୀବନେ ଅଜ୍ଞାନେ କାହା ଜୀବନରେ କ୍ଳେଶ,

ନ ଭାଳେ,ନ ଭାଳେ ପରମନ୍ଦ ଅବାରିଷ୍ଟ ।

କେଉଁ ପାପ କର୍ମ ଫଳେ ହେ ଜଗଦୀଶ୍ୱର!

ଶାନ୍ତିର ମୋ ପରିବାର ଭୋଗେ ଏହି ଶାସ୍ତି ?

ପ୍ରିୟା ଯେବେ ଜ୍ଞାନେ ହେଉ ଅଥବା ଅଜ୍ଞାନେ,

କରିଥାଏ କୁକର୍ମ, ଯା ଫଳ ଏ ବିଷମ ।

କରେଁ ନିବେଦନ ପ୍ରଭୁ ! ଦିଅ ତା ସନ୍ଧାନ,

ଏକତ୍ର ଭୋଗିବୁ ଶାସ୍ତି, ନ ରହିବ ଖେଦ ।

ପ୍ରଥମ ମିଳନ ଲଗ୍ନେ ତବ ପାଦ ପଦ୍ମେ,

ନତ ଲଗ୍ନ ଶିରେ ସ୍ଥିର କାୟା ମନୋ-ବାକ୍ୟେ ।

କରିଅଛୁଁ ଭିକ୍ଷା- “ପ୍ରଭୁ ! କର ଆଶୀର୍ବାଦ,

ଜୀବନେ ପ୍ରତ୍ୟେକ ପାପ ପୁଣ୍ୟେ ଉଭୟଙ୍କ ।

ହେଉ ସମ ଅଧିକାର ହେ କରୁଣାକର !

ସହର୍ଷେ ଭୋଗିବୁଁ ‘ଫଳ’ ଘେନ ନିବେଦନ ।”

ପତି ପ୍ରାଣ ପ୍ରିୟା ମୋର ତିଳେ ମାତ୍ର ଦୁଃଖେ,

ନ ପାରିବ ବଞ୍ଚିକ୍ଷଣେ ରହି ଏକାନ୍ତରେ ।

ପତିର ବିରହେ ଯିଏ ସୁଖର ସମ୍ଭାର,

ମଣେ କାଳକୂଟ ଦୁଃଖ ବଞ୍ଚିବ କି ରୂପେ ।”

ମନୋରାଜ୍ୟ ଧ୍ୟାନେ ବୁଡ଼ି ଚଞ୍ଚଳ ଗତିରେ ,

ପ୍ରିୟା କଣ୍ଠ ସ୍ମରି ବାୟା ଭ୍ରମେ ଦିଗ୍ ବିଦିଗ ।

ନିଶାର୍ଦ୍ଧ ଆଗୀତ, ଉର୍ଦ୍ଧ୍ୱେ ଚନ୍ଦ୍ର ବିରାଜିତ,

ଚନ୍ଦ୍ରକା-ଅଞ୍ଚଳ ତଳେ ହସଇ ଭୁଧର ।

ଆତୁରେ ଚନ୍ଦ୍ରକା ପାୟୀ ବ୍ୟାଦିତ ମୁଖରେ,

କରେ ପାନ ମହାନ୍‍ନ୍ଦେ ନିର୍ଝରିତ ସୁଧା ।

ହସେ ବନ ଉପବନ ଚାଳି ଶୁଭ୍ରାଞ୍ଚଳ,

ହସେ ଶ୍ୱେତୋତ୍ପଳ,ହସେ ଉର୍ଦ୍ଧ୍ୱେ ତା ବାନ୍ଧବ ।

ହସେ ବିହାୟସ ଚନ୍ଦ୍ର ମଣ୍ଡଳ-ଲପନେ,

ଅନୁରୂପ ଦୃଶ୍ୟ ତୋଳେ ହୃଷ୍ଟ କୁମୁଦିନୀ ।

ନକ୍ଷତ୍ର କୁସୁମ ଶଯ୍ୟା ଝଳେ ବେନି ଅଙ୍କେ,

ପ୍ରୀତିର ନିର୍ଝର ଝରେ ବେନି ପ୍ରାଣ ପୁରେ ।

ଦେବଦାସୀ ମଲ୍ଲୀ ହର୍ଷେ ସହାସ ଲେପନେ,

କରେ ଉପବନେ ନୃତ୍ୟ ଜାଇ ଜୁଇ ମେଳେ,

ମହାମୋଦେ ବିହ୍ୱଳ ଉଲୁକ ଜାଗ୍ରତ ସରବେ ।

‘ହୁକେ ହୋ’ ଧ୍ୱନିରେ ଡାକେ ଶୃଗାଳ ସୁଉଚ୍ଚେ

“ଆଲୋକିତ ପ୍ରେମ କ୍ଷଣେ କର ସନ୍ଦର୍ଶନ !

ଅଳ୍ପକ୍ଷଣ ପରେ ଉଷା ହେବ ଉପଗତ,

ସୌଭାଗ୍ୟ ନ ଆସେ ସଦା, ନ ହୁଅ ବଞ୍ଚିତ ।”

ପ୍ରଭାତ ଆସନ୍ନ ଜାଣି ବିଦଗ୍ଧ ପ୍ରାଣରେ,

ହତାଶା ସାଗର ବାୟା ହେଲା ନିପତିତ ।

ଅଧୀରେ ଡାକିଲା ଉଚ୍ଚେଳ” ସୁହୃଦ ଉଲୁକ,

ବିପଦାପନ୍ନ ମୁଁ ବାରେ ହୁଅ ମୋ ସଦୟ ।

ଆହାର ସନ୍ଧାନେ ଗତ ପୂର୍ବାହଣେ ସୋ ଜାୟା ,

ହୋଇଛି ବହିର୍ଗତ, ନ ଆସେ ଅଦ୍ୟାପି ।

ସଦୟେ ସହାୟ ହୁଅ ତା ଅନୁସନ୍ଧାନେ,

ମିତ୍ର ପଣେ କର ମୋର ସନ୍ତପ ମୋଚନ ।

“ବ୍ୟଥିତ ମୁଁ ଶୁଣି ମିତ୍ର ! ତବ ଦୂରବସ୍ଥା,

ନ ଭାଳ, ନିର୍ମଳ ପ୍ରେମ ନ ହୁଏ ନିଷ୍ପଳ ।

ସ୍ୱଚ୍ଛ ପ୍ରେମ-ରସେ ପୁଷ୍ଟ ସାଧନା ପାଦପ,

ଫଳେ ସିଦ୍ଧି-ସୁଧା- ଫଳ ଅନ୍ତିମେ ଅବଶ୍ୟ ।

ଅଧୈର୍ଯ୍ୟ ଅବା ନୈରାଶ୍ୟ ନ ପୋଷି ଅନ୍ତରେ,

କର୍ମ ପଥେ ଅଗ୍ରସର ହୁଅ ଦୃଢ଼ ଚିତ୍ତେ ।

ସ୍ୱଳ୍ପ କ୍ଷଣେ ଉଷା ପ୍ରବେଶିବ ଧରା ପୃଷ୍ଠେ,

ବିଧିବଶେ ଭ୍ରମଣେ ଅକ୍ଷମ, କର କ୍ଷମା ।”

ବ୍ୟାଥାଭରେ ଉଲୁକ ପ୍ରକାଶି ଅକ୍ଷମତା,

ବୃଥିତ ଅନ୍ତରେ କଲା କୋଟରେ ପ୍ରସ୍ଥାନ ।

ଭାଳିଲା ଅନ୍ତରେ ବାୟା, “କର୍ମ ଦୋଷ ମୋର,

ଆନ ଯଦି ଲଭେ କ୍ଳେଶ, ହେବ ଅପରାଧ ।”

ତୀର ବେଗେ ଭ୍ରମି ନଭେ ନାକିଲା ସୁଚିଚ୍ଚେ,

“ନ ଲଭେଁ ସନ୍ଧାନ, ପ୍ରିୟେ ! ପ୍ରଭାତ ଆସନ୍ନ ।

ନ ପାରେଁ ଆକର୍ଷି, ପ୍ରୀତି-ରଜ୍ଜୁ ମୋ ଦୁର୍ବଳ,

ତବ ଦୃଢ଼ ରଜ୍ଜୁ ବଳେ ନିଅ ଗୋ ସନ୍ନିଧେ ।”

ବାୟା-ଆର୍ତ୍ତସ୍ୱନେ ହେଲା ଗଗନ ଧ୍ୱନିତ,

ପ୍ରତି ଧ୍ୱନି କଲା ବନ ଭୂମି ପ୍ରକମ୍ପିତ,

ସୁଦୂରେ ଶୁଭଇ ଡାହୁକର କ୍ଷୀଣ କଣ୍ଠ,

ହିତ-ଐଷୀ କଣ୍ଠ ସମ ହୁଏ ପ୍ରତିଭାତ ।

ଡାକଇ, “ହେ ପ୍ରିୟ ବନ୍ଧୁ ! ନ ହୁଅ ଅଧୀର,

ପ୍ରିୟା ତବ ସୁସ୍ଥେ ଏହି ପ୍ରାନ୍ତରେ ଆସୀନ ।”

ଆନନ୍ଦାତିଶଯ୍ୟେ ବାୟା କ୍ଷିପ୍ରତର ବେଗେ,

ଚାଳିଲା ପକ୍ଷକୁ ଲକ୍ଷ୍ୟ କରି ବନ୍ଧୁ କଣ୍ଠ ।

ପ୍ରକାଶେ ଅନ୍ତରେ ବିଭୁ-ପଦେ କୃତଜ୍ଞତା,

“ପ୍ରିୟା ମୋ କୁଶଳେ ଅଛି, ଧନ୍ୟ ତବ କୃପା !

କର କରୁଣା ହେ ପ୍ରଭୁ ! ଅନତି ବିଳମ୍ବେ,

ପ୍ରିୟାର ସାନ୍ନିଧ୍ୟ ଲଭି ପ୍ରାଣ ହେଉ ଧନ୍ୟ ।

ଅଧୀର ଆବେଗ ତୋଳେ ଉତ୍ତାଳ ତରଙ୍ଗ,

ଧୈର୍ଯ୍ୟ ବନ୍ଧ ଭାଙ୍ଗିଯାଏ ବାୟା-ପ୍ରାଣ ପୁରେ ।

ଆନନ୍ଦ ବିଭୋର ବାୟା ଚାଳି ମନ ପକ୍ଷ,

ମାନସ ଗତିରେ ଗଲା ମନ -ବିହାୟସେ ।

ଦେଖିଲା ତା ପ୍ରିୟତମା ଗାଢ଼ ନିଦ୍ରାଗତ,

ଜାଗ୍ରତ ପ୍ରହରୀ ସମ ସମ୍ମୁଖେ ଡ଼ାହୁକ ।

ଭାଷେଧୀରେ, “ଦେଖ ତବ ପ୍ରାଣର ପ୍ରତିମା,

ଶାନ୍ତିର ତଳପେ ସୁଖେ କରଇ ବିଶ୍ରାମ ।

ଗତ ଦିବସରେ ଭ୍ରମି ନିରନ୍ନ ଉଦରେ ,

କ୍ଳାନ୍ତି ଶ୍ରାନ୍ତଶରୀରରେ ଆସିଲା ସମୀପେ ।

ପ୍ରାଣ ପୂର୍ଣ୍ଣ ଅନ୍ନ ଦେଇ କଲି କ୍ଷୂଧା ଶାନ୍ତ,

କ୍ଳାନ୍ତି ଦୂର ଅର୍ଥେ ଏବେ ଗାଢ଼ନିଦ୍ରାଗତ ।

ଗଭୀର କୃତଜ୍ଞ ପ୍ରାଣେ ଡାହୁକ-ଚରଣେ,

ଲୋଟିଗଲା ମହାନ୍‍ନ୍ଦେ କରି ଧନ୍ୟବାଦ ।

ଲୋଟେ ପୁଣି ହର୍ଷେ ନିଦ୍ରାଗତ ପ୍ରିୟା ବୁକେ,

ସୁରୁ ପୁରୁଁ ହୁଏ ଜୟ ନାଦେ ପୁଷ୍ପ ବୃଷ୍ଟି ।

ଭାବ ଅଭିଭୂତ ବାୟା ସହର୍ଷ ଅନ୍ତରେ,

ସ୍ମରେ ପତିପ୍ରାଣ ଭକ୍ତି ସତୀତ୍ୱ ମହିମା ।”

ଭଷା-ଆଗମନ-ବାର୍ତ୍ତା ହୁଅନ୍ତେ ପ୍ରଚାର,

ଚନ୍ଦ୍ରିକା ଅଞ୍ଚଳ ଚାଳି ଘେନିଲା ବିଦାୟ ।

ଧୀରେ ଧୀରେ ସ୍ପଷ୍ଟ ଦୃଶ୍ୟ ହେଲା ଚତୁର୍ଦ୍ଧିଗ,

ଗିରିବନ-ପାହାଡ଼-ପ୍ରାନ୍ତର -ବୁଦାମୂଳ ।

ଭାସି ଆସେ ଶୂନ୍ୟେ ପ୍ରିୟ ମିତ୍ର-ମୃଦୁ କଣ୍ଠ,

“ଆସ ବାୟା ! ଅଛି ସବୁ ଶୁଭେ ପ୍ରିୟା ତବ ।

କରେ ନିରିକ୍ଷଣ ବାମ-ଡାହାଣ ସମ୍ମୁଖେ,

ନ ଲଭେ ଦର୍ଶନ ପୁଣି ଯାଏ ତୀର-ବେଗେ ।

ପ୍ରତିକ୍ଷଣ ପ୍ରତୀତ ହୁଅଇ କଳ୍ପ ସମ,

କ୍ଷଣେ ଭାଙ୍ଗି ଧୈର୍ଯ୍ୟ ପୁଣି ହୁଏ ଦ୍ୱିଗୁଣିତ ।

ସମ୍ବୋଧେ ଉଚ୍ଚରେ, “ପ୍ରିୟେ ! ପ୍ରାଣ –ପ୍ରାଣଶ୍ୱେରୀ,

ଅବିଳମ୍ବେ ଉପସ୍ଥିତ ହେଉଛି ସମ୍ମୁଖେ ।

ସ୍ୱଳ୍ପ କ୍ଷଣେ ଦୃଶ୍ୟ ହେଲା ବିଶାଳ ପ୍ରାନ୍ତରେ,

ଆନ ପକ୍ଷୀ ମେଳେ ଯହିଁ ପ୍ରିୟା ଉପସ୍ଥିତ ।

ବାୟା କଣ୍ଠୁ ସ୍ୱତଃସ୍ଫୁର୍ତ୍ତ ପ୍ରିୟେ! ସମ୍ବୋଧନ,

ଉଲ୍ଲସିତ କଲା ପ୍ରିୟା ପ୍ରାଣ ମହାବେଗେ ।

ତତକ୍ଷଣ ନୋହିଛି ଅନ୍ତ, “ପ୍ରଭୁ ଦୟାମୟ,

କ୍ଷୀଣ ସ୍ୱନ ପ୍ରିୟା କଣ୍ଠୁ ହେଲା ଉଚ୍ଚାରିତ ।

ନିର୍ବାକ ନିଷ୍ପନ୍ଦ ବେନି ଚାହିଁ ପରସ୍ପରେ,

ରସନାର କି ଶକ୍ତି ସେ ଆବେଗ ପ୍ରକାଶେ ।

ପକ୍ଷ ଚାଳି ସୁଚଞ୍ଚଳେ ସମ୍ବେଦନ- ସ୍ୱରେ,

ଡାହୁକ ଉଚ୍ଚରେ, “ବାୟା ! ନ ହୁଅ ଅଧୀର ।

ଦେଖ ପ୍ରାଣପ୍ରିୟା ତବ ଅଛି ସର୍ବ ଶୁଗେ,

ନ ଚଳେ ଚରଣ ପକ୍ଷ ନ ଚଳେ କ୍ଳାନ୍ତିରେ ।

ମିତ୍ର ! ପଥଶ୍ରାନ୍ତ ତୁମେ ଘେନ ମୋ ଆତିଥ୍ୟ,

ସୁମ୍ବାଦ ଆହାର ଘେନ କରୁଛି ସ୍ୱାଗତ !”

ସର୍ବ ଶକ୍ତି କରି ଠୁଳ ଡାକେ ବାୟା ବଧୂ,

“ଏ ଭଣ୍ଡ ତପସ୍ୱୀ, ପ୍ରଭୁ ! ନ ଆସେ ସମୀପେ ।

ଶୁଭ୍ର କଣ୍ଠେ ଉଚ୍ଚାରେ ଏ ପାପୀ ମିଷ୍ଟଭାଷା,

ଅନ୍ତର କାଳିମାମୟ ଯଥା ବହିରଙ୍ଗ ।

ନିପତିତ ହୋଇ ମାୟା ବଚନେ ଏହାର,

ହୋଇଅଛ ନିପତିତ ଦୁଶ୍ଚେଦ୍ୟ ବନ୍ଧନେ ।

ନ ପାଇ ମୁକ୍ତିର ପଥ ସ୍ମରୁଛି ଅନ୍ତରେ ,

ପୂର୍ଣ୍ଣ ହେଲା ପ୍ରଭୁ, ଏବେ ହୃଦ ଅଭିଳାଷ ।

ଅବସ୍ଥାନ କର ଶୂନ୍ୟେ ଅବା ସ୍ୱଳ୍ପ ଦୂରେ,

ଶ୍ରୀ ପଦ ଦର୍ଶନ କରି ଲଭିବି ନିର୍ବାଣ ।

ହେ ପଭୁ ପ୍ରାଣ ଈଶ୍ୱର ! ନୋହି ବ୍ୟଥାତୁର,

ସନ୍ତାନେ ମମତା ଦେଇ ଯାପିବ ଜୀବନ ।

ହେ ପ୍ରଭୁ ହୃଦୟ ଶ୍ୱର ! ନ ହୁଅ ଅଧିର,

ମୃଣ୍ମୟ ଶରୀର ପାଇଁ ମୃତ୍ୟୁ ଅନିବାର୍ଯ୍ୟ ।

ପ୍ରାଣନାଥ ! ତୁମେ ମୋର ‘ରାମ’ ପରଂବ୍ରହ୍ମ,

ତୁମେ ମୋର ବାଞ୍ଛା କଳ୍ପତରୁ ମହାତୀର୍ଥ ।

ଜୀବନ ବସାନ କାଳେ ଶ୍ରୀପଦ ଦର୍ଶାନ,

ଏ ଜୀବନ ହେଉ ଧନ୍ୟ ଘେନ ନିବେଦନ ।

ସହର୍ଷେ ବିଦାୟ ଦିଅ ପ୍ରଭୁ ଦୟାମୟ !

କାଳ ଯଷ୍ଟି ହସ୍ତେ ବ୍ୟାଧ ଆସଇ ଚଞ୍ଚଳେ ।

ଅଶ୍ରୁଳ କଣ୍ଠରେ ବାୟା ଉଚ୍ଚେ କ୍ରୁଦ୍ଧ ସ୍ୱରେ,

ଧିକ୍କାରିଲା, “ରେ ଡାହୁକ ! ବଂଶ ନିପାତକ ।

ଏ ମର ଜୀବନ ମୋହେ କାଳ ଦୂତସମ,

ଅକୁଣ୍ଠେ ନିପାତ କରୁ ନିରୀହ ବିହଗେ ।

ନ ଜାଣୁ କି ? ନର ନିଶାଚର ଭୟଙ୍କର,

ସୃଜି ନାହିଁ ବିଧି ଯହୁଁ ଅଧିକ ନିଷ୍ଠୁର ।

ଦ୍ୱିଧାହୀନ ଭାବେ ସ୍ୱୟ ଉଦର ପୋଷଣେ ,

କରି ଶିଶୁ ଭ୍ରୁଣ ହତ୍ୟାଲଭେ ଆତ୍ମତୃପ୍ତି ।

ବାତ୍ସଲ୍ୟ-ମମତା ଦେଇ ପାଳେ ଯେଉଁ ଜୀବ,

ଅବଶେଷେ କରେ ବଧ ରକ୍ତ ମାଂସ ଲୋଭେ ।

ସ୍ୱୀୟ ତୋଷ ଅର୍ଥେ କୋଟି ଜନନୀ-ଅନ୍ତର,

ଅପତ୍ୟ ବିଚ୍ଛେଦ ଦୁଃଖେ କରେ ଶୋକାକୁଳ ।

ଅକାତରେ କରେ ହତ୍ୟା ପଶୁ ପକ୍ଷୀ ବୃକ୍ଷ,

ମଧୁମୟ ବିଶ୍ୱେ ସୃଜେ ଘୋର ବିପର୍ଯ୍ୟାୟ ।

ସେ ମାୟା ଦାନବ ପ୍ରଲେଭନେ ହୋଇ ଭ୍ରାନ୍ତ ,

ଜୀବ ବଧ ହୀନ କର୍ମେ ହୋଇଛୁ ପ୍ରବୃତ୍ତ ।

ଘେନ ଅଭିଶାପ ଜାତି ବଂଶ ନିପାତକ,

ଅପଖ୍ୟାତି ଜର୍ଜରିତ ହେବ ତୋ ଜୀବନ ।”

“ସତୀ ସାଧଧ୍ୱୀ ପ୍ରିୟ ଅର୍ଦ୍ଧିଙ୍ଗିନୀ ମୋ ପ୍ରାଣର୍ଦ୍ଧ,

ଏକ ବିନା ଆନ ସ୍ଥିତି ନୁହଇ ସମ୍ଭବ ।

ଅବିକଳେ ଉପସ୍ଥିତ ହେଉଛି ସମୀପେ,

ଯୁକ୍ତ ପ୍ରାଣେ ଜୀବନ୍ମୁକ୍ତ ହେବା ଇହଜନ୍ମେ ।

ପାଶବିଦ୍ଧ ବିହଙ୍ଗମେ ବିଲୋକି ସଦର୍ପେ,

ଆରମ୍ଭିଲା ବ୍ୟାଧ ବଓ ପ୍ରଳୟ ତାଣ୍ଡବ ।

ନିଃସହାୟ ବିହଙ୍ଗମ ଆର୍ତ୍ତକଣ୍ଠ ସ୍ୱନ,

ବ୍ୟାଧ ଅଟ୍ଟହାସେ ଲୀନ ହୁଏ ମହାଶୂନ୍ୟେ, ।

ଭାସି ଆସେ ଶୂନ୍ୟ ବାଣୀ “ରେ ପିଶାଚ ନର,

ନିର୍ଦ୍ଦୋଷ ନିଧନ ଫଳ ଘୋର ଭୟାବହ ।”

ଯଷ୍ଟି ହସ୍ତେ ବ୍ୟାଧ ପାର୍ଶ୍ୱେ ହୁଅନ୍ତେ ପ୍ରବେଶ,

ପକ୍ଷ ଚାଳି ବାୟା ବଧୂ ହେଲା ଇତସ୍ତତଃ ।

ଦୃଢ଼େ ଧରିଥାଅ ମଙ୍ଗ ଉଚ୍ଚାରି ଅମ୍ବରେ,

ଅପଲକେ ବାଆ ଯୁକ୍ତ ହେଲା ପ୍ରୀୟା ଅଙ୍ଗେ ।

ଘୋର ଅଟ୍ଟହାସେ ବ୍ୟାଧ କରନ୍ତେ ପ୍ରହାର,

ବେନି ପ୍ରାଣ ତେଜି କାୟା ହେଲା ଜୀବନ୍ମୁକ୍ତ ।

ଧୈର୍ଯ୍ୟ ଏକାଗ୍ରତା ଭକ୍ତି ସାଧନାର ଫଳ,

ପ୍ରଭୁ ଅଙ୍ଗେ ଲୀନ ହୋଇ ଯଥା କମଳିନୀ ।

ପରିହରେ ସରୋଜିନୀ ଆବିଳ ଉଦର,

ଲଭେ ପରମ ଆସ୍ୱାଦ ପରମ ଆମୋଦେ ।

ସତୀତ୍ୱ ପତିପ୍ରାଣତା ମହିମାର ବଳେ,

ମହାତୀର୍ଥ ଅଙ୍ଗେ ଯୁକ୍ତ ହୋଇ ମହାନ୍‍ନ୍ଦେ ।

ତେଜି ମାୟା କଳୁଷିତ ଅନିତ୍ୟ ସଂସାର,

ସଗୌରବେ ବାୟାବଧୂ ଲଭିଲା ନିର୍ବାଣ ।

-୦-